STORYMIRROR

Manorama Hati

Tragedy

4  

Manorama Hati

Tragedy

ନୂଆଘର

ନୂଆଘର

2 mins
528


ସେଦିନ ରାତିରେ ଭୋରରୁ ଏକ ଦୁଃସ୍ୱପ୍ନ ଦେଖିଲି। କେହି ଜଣେ ରାକ୍ଷସ ପରି ମଣିଷଟା ମୋ ହାତ ଗୋଡ କାଟି ଅସହ୍ୟ ଯନ୍ତ୍ରଣା ଦଉଛି।ମୁଁ ଚିତ୍କାର କରୁଛି। ତା ଆଗରେ ଅନୁରୋଧ କରୁଛି ଛାଡି ଦବା ପାଇଁ। ତଥାପି ସେ ଶୁଣୁ ନାହିଁ। ହଠାତ୍ ମୋ ଆଖି ଖୋଲି ଗଲା। ସବୁ କିଛି ଯେ ସ୍ୱପ୍ନ ଥିଲା ଜାଣିଲା ପରେ ବି ବିଶ୍ୱାସ ହଉନଥିଲା। ମୁହଁ ସାରା ଝାଳ। ସକାଳେ ଆମ ନୂଆ ଘରର ପ୍ରବେଶ ଉତ୍ସବ ଥିଲା।ଖୁବ୍ ଖୁସିର ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ। ବାପାଙ୍କର ଦୀର୍ଘ ପଚିଶ ବର୍ଷ ସ୍ୱପ୍ନ ସାକାର ହେଉଥିଲା। ସେଥିପାଇଁ ଏମିତି ଏକ ଦୁଃସ୍ୱପ୍ନ ବିଷୟରେ କାହାକୁ କିଛି ନକହିବା ଠିକ୍ ମନେ କଲି।


 ବାପା କଫି ତିଆରି କରି ଆଣି କହିଲେ-ନେ, ଆଜି ଏଠି କଫି ପିଇବାର ଶେଷ ଦିନ। କାଲି ଠାରୁ ନୂଆ ଘରେ ପିଇବା ତୋର ମୋର। ମୁଁ ଦୋକାନରୁ ଫେରିବି ତୁ ଅଫିସରୁ ଫେରିବୁ। ଦୁହେଁ ବସି ଗାର୍ଡେନରେ କଫି ପିଇବା। ଦିନଯାକର କଥା ଘଟଣା ଆଲୋଚନା କରିବା। 


ମା ଆସି କହିଲେ ଏଠି ବାପ ଝିଅ ବସି ଗପୁଥାଅ। ସେପଟେ ସବୁ କାମ ଅଧା ପଡିଥାଏ। ବନ୍ଧୁ ବାନ୍ଧବ ବାହାରିବେଣି ଆସିବା ଲାଗି। ତମେ ଜଲଦି ଯାଅ ବଜାରରୁ ମିଠା ନେଇଆସ। ବାକି ଆଉ ସବୁତ ଘରେ ଅଛି। ମୁଁ ଆଉ ଝିଅ ଏଠି କାମ ସାରି ନୂଆଘରକୁ ଯାଉଛୁ। 


ସମୟ ଦଶଟା ବାଜିଲାଣି। ବନ୍ଧୁ ବାନ୍ଧବ ମାନେ ଅଧା ଅଧି ପହଞ୍ଚି ଗଲେଣି। ହେଲେ ବାପା ଏପର୍ଯ୍ୟନ୍ତ ଫେରିଲେନି ଯେ? ଖରାପ ସ୍ୱପ୍ନ ଟା ଦେଖିଥିବାରୁ ମୋତେ ଆଦୌ ଭିତରେ ଭିତରେ ଭଲ ଲାଗୁ ନଥାଏ। ସବୁ ଖୁସି ଭିତରେ ମନରେ ଆଶଙ୍କା ଖେଳି ବୁଲୁଥାଏ। ବାପାଙ୍କୁ କଲ୍ ଲଗେଇଲି। ହେଲେ ସୁଇଚ୍ ଅଫ ଦେଖେଇଲା। ମା ଏକଥା ଜାଣି ଖୁବ୍ ବ୍ୟସ୍ତ ହେଲା। ଭାରି ହେଳା ଲୋକ। ମୋବାଇଲ ଚାର୍ଜ୍ କରି ନଥିବେ। ଯେତିକି ମୁଁ କରି ଥିବି। କୋଉଠି କିଏ ଗପିବାକୁ ବୋଧେ ମିଳି ଯାଇଛି। ଗପ ଜମେଇଥିବେ। କି ଅବାଗିଆ ମଣିଷଟେ ସତରେ! ଇଆଡେ ଦୁନିଆ ଯାକର କାମ ପଡିଛି ଯେ! ସବୁବେଳେ ସବୁ ଦାୟିତ୍ବ ମୋ ମୁଣ୍ଡ ଉପରେ ଲଦି ଦେଇ ଆରାମରେ ଥାଆନ୍ତି ଆଉ ମୁଁ ହନ୍ତସନ୍ତ ହୁଏ। 


ପୁଣି ଗୋଟିଏ ଘଣ୍ଟା ବିତିଗଲା। ଏଥର ମନକୁ ପାପ ଛୁଇଁଲା। ବାପା କେବେ ବି ଏତେ ଦାୟିତ୍ବ ହୀନ ହୁଅନ୍ତିନି। କିଛି ତ ଅସୁବିଧା ହେଇଛି। ମା ବି ମୁହଁ ଶୁଖେଇ ପଚାରିଲା-ବାପା କୁଆଡେ ଗଲେ କି? 


ଠିକ୍ ଏତିକିବେଳେ ଅଜଣା ନମ୍ବରରୁ କଲ୍ ଟିଏ ଆସିଲା।ମୁଁ ରିସିଭ୍ କଲାରୁ କହିଲ-ହାଲୋ। ଆପଣ ରମାକାନ୍ତଙ୍କ ପରିବାରରୁ କହୁଛନ୍ତି। ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ଏବେ ସିଟି ହସପିଟାଲରେ। ଆପଣ ଆସି ତାଙ୍କ ଡେଡ୍ ବଡି ନେଇଯାଇପାରନ୍ତି। ମୋ ହାତରୁ ଫୋନ ଖସିଗଲା। ମୁଁ ଶବ୍ଦ ହୀନ ହେଇ ବସି ପଡିଲି। ଆକାଶଟା ମଥା ଉପରେ ଛିଡିଗଲା ଯେମିତି। ମା କାନ୍ଦି କାନ୍ଦି ପଚାରିଲା -ଏଇ! ସୋନା କଣ ହେଲା? ତୁ କିଛି କହୁନୁ କାହିଁକି? ବାପାଙ୍କର କଣ ହେଇଛି ନା କଣ? କିଏ ଫୋନ କରିଥିଲା? 


ମୁଁ ମାଙ୍କୁ ଜୋରରେ ଜାବୁଡି ଧରି କହିଲି-ମା ବାପା ଆଉ ନାହାଁନ୍ତି ।ବାରବାର ମନେ ପଡୁଥିଲା ମୋର ସକାଳୁ ସକାଳୁ ଦେଖିଥିବା ସେଇ ଖରାପ ସ୍ୱପ୍ନ। ସେ ସ୍ୱପ୍ନଟା ସତ ହେଇଗଲା କାହିଁକି କେଜାଣି? ବାପାଙ୍କ ଚାଲିଯିବା କୋଉ ଅସହ୍ୟ ଯନ୍ତ୍ରଣା ଠାରୁ କମ୍ ଥିଲା ଯେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy