ସାକ୍ଷାତକାର
ସାକ୍ଷାତକାର


ରିତୁ ତରତର ହେଇ ବସ୍ ରେ ଚଢିଗଲା। ଚାରିଆଡେ ଆଖି ବୁଲେଇଲା ସିଟ୍ ଟିଏ ପାଇଁ। ଖୋଜୁ ଖୋଜୁ ଜଣଙ୍କ ଉପରେ ଆଖି ପଡିଲା। ଚିହ୍ନା ପରିଚିତ ବ୍ୟକ୍ତି ଜଣେ ଥିଲେ। ତାଙ୍କ ପାଖରେ ଆଗରୁ କେହି ଜଣେ ବସି ସାରିଥିଲା। ତଥାପି ସେ ବସି ଥିବା ବ୍ୟକ୍ତି ଜଣଙ୍କୁ କହିଲା-ଆପଣ ଟିକେ ଏପଟ ସାଇଡ୍ କୁ ଆସିବେ କି? ମୋର ୟାଙ୍କ ପାଖରେ ବସିବାର ଅଛି।
ବ୍ୟକ୍ତି ଜଣକ କଲବଲ କରି ଚାହିଁଲେ ଆଉ ଚୁପଚାପ ଉଠି ଆସି ଅନ୍ୟ ଏକ ସିଟ୍ ରେ ବସିଲେ।
ତା'ପରେ ରିତୁ ତାଙ୍କ ପାଖରେ ବସି ଯାଇ କହିଲା-ନାଇସ୍ ଟୁ ମିଟ୍ ୟୁ। କେବେ ଭାବି ନଥିଲି ଆପଣଙ୍କ ସହ ଏମିତି ଅଚାନକ ଆଉଥରେ ଦେଖା ହେବ। ସେଦିନ ଯଦି ଆପଣ ନଥାନ୍ତେ ହୁଏତ ମୁଁ ବି ଆଜି ଆପଣଙ୍କ ସାମନାରେ ନ ଥାନ୍ତି।
ଦୁହିଁଙ୍କର ପରିଚିତ ହେବା ପଛରେ ଛୋଟିଆ କାରଣଟେ ଥିଲା। ରିତୁ ସେଦିନ କୋଚିଂ ସାରି ରାତି ନଅଟାରେ ଘର କୁ ଫେରୁଥିବା ବେଳେ କଲେଜର କିଛି ବାଜ୍ୟେ ପୁଅ ତା ସହ ଜୋର ଜବରଦସ୍ତି କରୁଥିଲେ।
ଠିକ୍ ଏଇ ସମୟରେ ରାଜୀବ ପହଞ୍ଚି ଯାଇଥିଲେ ସେମାନଙ୍କ କବଳରୁ ତାକୁ ସୁରକ୍ଷା ଦେବା ଲାଗି। ସେମାନଙ୍କ ର ଉନ୍ମତ୍ତ କାଣ୍ଡ ପାଇଁ ସେମାନଙ୍କୁ ନିକଟସ୍ଥ ଥାନା କୁ ହସ୍ତାନ୍ତର କରିଥିଲେ। ସେ ନିଜେ ଜଣେ ସି.ବି.ଆଇ ଅଫିସର ଏକଥା ଜାଣିବା ପରେ ରିତୁ ବହୁତ ଖୁସି ହୋଇଥିଲା। କହିଥିଲା-ଶୁଣିଥିଲି ପୋଲିସ୍ ମାନେ ସୁରକ୍ଷା ପ୍ରଦାନ କରନ୍ତି ହେଲେ ଆଜି ପ୍ରଥମ ଥର ଅନୁଭବ କଲି।ତା'ର ଏମିତି ପିଲାଳିଆମି ର ଉତ୍ତର ରେ ରାଜୀବ ହସିବାକୁ ଚାହିଁଥିଲେ ବି ହସି ପାରି ନଥିଲେ। ସେ ସାଧାରଣତଃ ଟିକେ କଠୋର ପ୍ରକୃତି ର। ନିଜର ଭାବପ୍ରବଣତାକୁ ଚେହେରାରେ ସହଜରେ ପ୍ରକାଶ କରିପାରନ୍ତି ନାହିଁ।
କଣ୍ଡକ୍ଟର ଆସି ଟିକେଟ୍ ପଇସା ମାଗିଲା। ରିତୁ ପର୍ସ ଖୋଜିଲା। କୋଉଠି ବି ନ ଥିଲା।ମନେପଡିଲା ପର୍ସ ଟା ଆସିବା ବେଳେ ଟେବଲ ଉପରେ ଛାଡି ଦେଇ ଆସିଛି। ରାଜୀବ ଙ୍କୁ ଚାହିଁ କହିଲା-ପର୍ସ ଟା ଆଣିବାକୁ ତରତରରେ ଭୁଲି ଯାଇଛି।
ରାଜୀବ କିଛି ନ କହି କଣ୍ଡକ୍ଟର କୁ ଦି ଟା ଟିକେଟ୍ ର ଟଙ୍କା ବଢେଇଦେଲେ।
ଝରକା ପଟେ ଫୁଲ ବିକାଳିଟେ ଗୋଲାପର ତୋଡା ଧରି ଠିଆ ହେଇଥିଲା। ରିତୁର ଓଠ ରୁ ବାହାରି ଆସିଲା -ହାଓ ସୁଇଟ୍। ଓଃ! କି ସୁନ୍ଦର ଫୁଲ ଗୁଡାକ। କହିଲେ ଏ ଫୁଲ ଗୁଡାକ ଏତେ ସୁନ୍ଦର କାହିଁକି?
ଫୁଲ ବିକାଳିକୁ ଦି ଟା ବଡ ବଡ ନାଲି ଗୋଲାପ ଫୁଲ ମାଗିଲା। ଆଣି ସାରି ପଚାରିଲା କେତେ ଟଙ୍କା?
-ଆଜ୍ଞା! ଶହେ ଟଙ୍କା।
ରିତୁ ରାଜୀବ ଙ୍କୁ ଚାହିଁଲା ବେଳକୁ ସେ ଶହେ ଟଙ୍କା ଫୁଲ ବିକାଳି ହାତକୁ ବଢେଇ ସାରିଥିଲେ।
ରିତୁ ହସି ଦେଲା। ଗୋଟିଏ ନାଲି ଗୋଲାପ ତାଙ୍କୁ ବଢେଇ ଦେଇ କହିଲା-ସେଦିନର ଘଟଣା ପାଇଁ ଆପଣଙ୍କୁ ଧନ୍ୟବାଦ ଜଣେଇବାକୁ ଭୁଲି ଯାଇଥିଲି। ମନେ ମନେ ଆପଣଙ୍କୁ ବହୁତ ଖୋଜୁଥିଲି। ଖାସ୍ ଧନ୍ୟବାଦ ଜଣେଇବା ପାଇଁ। ଆଜି ଯେତେବେଳେ ଦେଖା ହେଇଗଲା ଏମିତିରେ ଧନ୍ୟବାଦ ଜଣେଇବା ଅପେକ୍ଷା ଫୁଲ ଟିଏ ଦେଇ ଜଣେଇଲେ ଭଲ ଲାଗିବ ବୋଲି ଠିକ୍ ମନେ କଲି।
ରାଜୀବର ଧୀର ସ୍ୱରରେ। ସେଇଟା ମୋ ଡିଉଟି।
-ହଁ,ତଥାପି ଆପଣଙ୍କ କର୍ତ୍ତବ୍ୟ ଯୋଗୁଁ ଉପକୃତ ହେଇଥିବା ଝିଅ ଟି ଧନ୍ୟବାଦ ଜଣେଇବା କଣ ଭୁଲ୍? ଆରେ ଗୋଲାପ ଫୁଲ ଟି ଧରନ୍ତୁ ନା!
ରାଜୀବ ଚାରି ଆଡକୁ ଚାହିଁଲେ। ଅନ୍ୟମାନେ କେମିତି ଚାହିଁଥିଲେ ଅଲଗା ପ୍ରକାର ନଜରରେ।
-କିଏ କଣ ଭାବିବ ବୋଲି ଆପଣ ମୋ ଠାରୁ ଫୁଲ ଟି ନଉନାହାଁନ୍ତି।ବନ୍ଧୁକ ଚାଳନା କରୁଥିବା ହାତ ଟି ଯେ ଗୋଲାପ ଫୁଲ ନେବା ପାଇଁ ଏମିତି ଡରୁଥିବ କେବେ ଭାବି ନ ଥିଲି କହି ରିତୁ ଜୋରରେ ହସିଲା।
ଏଥର ରାଜୀବ ବାଧ୍ଯ ହେଇ ଫୁଲଟି ଧରିଲେ। ମନେ ମନେ ଭାବୁଥିଲେ ଏ ଝିଅ ବି ନା ବଡ ଅଜବ ପ୍ରକାରର।
ରିତୁ ନିଜ ହାତରେ ଧରିଥିବା ଫୁଲଟିକୁ ଦେଖେଇ ପଚାରିଲା-ଜାଣିଛନ୍ତି, ଏଇ ଫୁଲ ଟି କାହା ପାଇଁ ନଉଛି? ଏଇଟା ମୋ ପ୍ରେମିକ ପାଇଁ। ତା ନାଁ ରିହାନ। ସେ ଆଜି ମୋତେ ଘରକୁ ଡାକିଛି। ତା ବଡ ଭାଇ ସହ ଦେଖା କରେଇବାକୁ। ତା'ର ପରିବାର କହିଲେ ସେ ଆଉ ତା ବଡ ଭାଇ। ଅବଶ୍ୟ କିଛି ଦିନ ପରେ ପରିବାର ର ସଂଖ୍ୟା ବଢିବାର ସମ୍ଭାବନା ଅଛି। ତା ବଡଭାଇ ଙ୍କର ନା ପଡ଼ିଶାଘର ଝିଅ ସାଙ୍ଗରେ ଚକ୍କର ଫକ୍କର ଚାଲିଛି। ଖାଲି ମ୍ୟାରେଜ ତିଥିଟା ବାହାର କରିବାର ଅଛି। ସେ ସବୁ ଦାୟିତ୍ବ ରିହାନର। ତାଙ୍କ ଡେଟ୍ ଟା ଫିକ୍ସ କରିବା ଆଗରୁ ଆମର ଟିକେ ଦେଖା ଚାହାଁ ହେଇଗଲେ ଭଲ ହେବ ବୋଲି କହିଲା।
ଏମିତି ରେ ଫାଇନାଲ ପରୀକ୍ଷା ପାଖେଇ ଆସୁଛି। ଫାଇନାଲ ପରୀକ୍ଷା ପରେ ବାପା ମା ମୋର ଫାଇନାଲ ବ୍ୟବସ୍ଥା କରିବା ଆଗରୁ ଆମର ପ୍ରେମ ସମ୍ପର୍କ ଟା ଫାଇନାଲ ହେବା ନିହାତି ଦରକାର। ପୁଣି ଏ ଫାଇନାଲ ଟା ତା ବଡଭାଇ ଙ୍କ ଉପରେ ନିର୍ଭର କରେ।ସେ ଯଦି ମୋତେ ରିଜେକ୍ଟ କରି ଦିଅନ୍ତି ରିହାନ ମୋତେ ଆଉ ଆଡ ଆଖିରେ ଚାହିଁବନି ବୋଲି କହିଛି।
ତା ପାଇଁ ତା ବଡଭାଇ ସବୁ କିଛି। ଯେବେ ସେ ଦଶବର୍ଷ ର ହେଇଥିଲା ନା ସେବେଠାରୁ ସେ ତାଙ୍କ ସହ ରହି ଆସୁଛି। ସେ ବାପାମାଙ୍କୁ ହରେଇ ବସିଥିଲା ସେହି ବର୍ଷ ଏକ ସଡକ ଦୁର୍ଘଟଣାରେ। ତା ଦୁନିଆ ତା ଜୀବନ କହିଲେ ବଡ ଭାଇ। ମୁଁ ତ କିଛି ବି ନୁହେଁ। ମୁଁ ଖାଲି ତା ପାଇଁ ସାଧାରଣ ପ୍ରେମିକାଟେ। କହିଲ ,ଏ ପ୍ରେମିକା ମାନଙ୍କ ର ଭାଗ୍ୟ ଏତେ ଦୁର୍ବଳସ୍ତର ରେ କାହିଁକି ଥାଏ। କେବେ ପ୍ରେମିକର ଘରପଟୁ ଚାପ ପଡେ ତ କେବେ ନିଜ ଘର ପଟୁ। ବିଚାରା! ପ୍ରେମିକା ମାନେ ଖାଲି ହନ୍ତସନ୍ତ ହୁଅନ୍ତି ଯେମିତି ରାଜଧାନୀ ରେ ଟିକେ ବର୍ଷା ହେଇଗଲେ ଅଧିବାସୀ ମାନେ କାଦୁଅପାଣିରେ ଆକ୍ତାମାକ୍ତା ହୁଅନ୍ତି।
ଆଚ୍ଛା! ଗୋଟେ କଥା ପଚାରିବି? କହିଲେ-ମୁଁ ଆଜି କେମିତି ଦେଖାଯାଉଛି?
ରିତୁର ଏ ପ୍ରଶ୍ନ ଟି ଶୁଣି ଟିକେ ଦୂରରେ ଠିଆ ହୋଇଥିବା କଲେଜ ଯୁବକଟି ଧୀରେ କି ହସି ଦେଲା।
ରାଜୀବ ଖାଲି ଚାହିଁଲା। କିଛି କହିଲାନି।
-ଛାଡନ୍ତୁ! ନ କହିଲେ ନାହିଁ। ଏମିତି ପଚାରି ଦେଲି। ମନେମନେ ବହୁତ ବ୍ୟସ୍ତ ଲାଗୁଛି ଭାବିକି। ମୁଁ ବଡ ଭାଇଙ୍କ ର ପସନ୍ଦ ଆସିବି କି ନାହିଁ। ତାଙ୍କ ସାନ ଭାଇ ପାଇଁ ଠିକ୍ ଲାଗିବି କି ନାହିଁ। ଯଦି ପସନ୍ଦ ନ ଆସିଲି ତିନି ପାଞ୍ଜିରୁ ଗଲି। ବାପା ତାଙ୍କ ପସନ୍ଦିତ ପୁଅ ସହ ବାହାଘର କରିଦେବେ। ଆଉ ତା'ପରେ ସାରା ଜୀବନ ଯୋଉ ଯନ୍ତ୍ରଣା ଆପଣଙ୍କ ଜେଲ୍ ର କଏଦୀମାନଙ୍କ ଅବସ୍ଥା ପରି।
ଗୋଟେ କଥା କହିବି। ଆପଣ ନା ଠିକ୍ ମୋ ରିହାନ ର ବଡଭାଇ ପରି ଲାଗୁଛନ୍ତି। ମୁଁ ତା ବଡ ଭାଇ ଙ୍କୁ କେବେ ଦେଖି ନାହିଁ ସତ କିନ୍ତୁ ସେ ଯେତିକି ବି ତାଙ୍କ ବିଷୟରେ କହିଛି ସେଥିରୁ ଅନୁମାନ ଲଗେଇ ସାରିଲାଣି ଯଦି ଆପଣଙ୍କୁ ତାଙ୍କ ସାମନାରେ ଉପସ୍ଥିତ କରାଯାଏ ଦୁହେଁ ଜେରକ୍ସ କପି ପରି ଲାଗିବେ।
ଦେଖୁ ନାହାଁନ୍ତି ମୁଁ ଆପଣଙ୍କୁ ଗୋଟେ କଥା କହିବି ଗୋଟେ କଥା ପଚାରିବି କହି ଅନେକ କିଛି କହି ସାରିଲାଣି ପଚାରି ସାରିଲାଣି। ଅଥଚ ଆପଣ ନିରବ ଉପତ୍ୟକା ପରି। ଆପଣଙ୍କ ବିଷୟରେ କିଛି ନ କହିଲେ ନାହିଁ ଅନ୍ତତଃ ମୋ ପ୍ରଶ୍ନ ର କିଛି ଉତ୍ତର ଦେଇଦେଲେ ଅସୁବିଧା କଣ? ଆପଣଙ୍କ ସହ କଥା ହେବା ବେକାର। ଏ ପୋଲିସ୍ ବାଲା ଗୁଡାକ ଏମିତି। କେମିତି କେଜାଣି ଆଉ ଗୋଟେ ପୋଲିସ୍ ବାଲାକୁ ଆଜି ସାମନା କରିବି। ମୋତେ ଲାଗୁନି ତାଙ୍କର ପସନ୍ଦ ଆସିବି ବୋଲି। ମୋ ଭାଗ୍ୟ ଟା ନା ଏ ଲୋକାଲ ବସ୍ ପରି। ଧକ୍କା ଖାଇ ଖାଇ ଆଗକୁ ଯିବାର ଅଛି। ନ ହେଲେ ରିହାନର ବଡ ଭାଇ ପୋଲିସ୍ ବାଲା ନହେଇ ଆଉ କିଛି ହେଇଥାନ୍ତେ ନିଶ୍ଚୟ।
ରାଜୀବ ଙ୍କ ର ଫୋନ୍ ବାଜି ଉଠିଲା। ରିସିଭ୍ କଲେ।
-ହାଲୋ, ହଁ ଯାଉଛି। ବ୍ୟସ୍ତ ହଅନି।ବାଟରେ ବାଇକ୍ ଟା ଖରାପ ହେଇଗଲା। ବସ୍ ରେ ଯାଉଛି। ଆଉ ଘଣ୍ଟା ଟିଏ ଲାଗିବ।
ସେପଟୁ ତାଙ୍କ ସାନଭାଇର ସ୍ୱର।
-ତମେ ଆଉ ତମ ବାଇକ୍। ସବୁବେଳେ ଲେଟ୍। ଯେବେ ବି କୌଣସି ଜରୁରୀ କାମ ଥିବ ତମ ଦି ଜଣଙ୍କର ଦେଖା ନ ଥିବ। ହଉ ଜଲଦି ଆସିବ।
-ତୁ ଏତେ ବ୍ୟସ୍ତ କାହିଁକି ହଉଛୁ?ସେ ତ ଏପର୍ଯ୍ୟନ୍ତ ଆସିନି ନା!
-ସେ ଯେମିତି ତମ ସହ ଆସୁଛି! ତମେ କେମିତି ଜାଣିଲ ସେ ଆସିନି ବୋଲି? ସେ ଘଣ୍ଟା ଟିଏ ହେଲାଣି ଆସିଲାଣି। ବଡଭାଇ କେତେବେଳେ ଆସିବେ ବୋଲି ପଚାରି ମୋ ମୁଣ୍ଡ ଖାଉଛି।
ରାଜୀବ ମନେ ମନେ କହିଲେ। ନା ବେ ତୋ ମୁଣ୍ଡ ଖାଉନି ଏଠି ମୋ ପାଖରେ ବସି ମୋ ମୁଣ୍ଡ ଖାଉଛି। ଟିକେ ହସି ଦେଲେ।
ହ ଉ ବାବା! ମୁଁ ଯାଉଛି ସାଙ୍ଗେ ସାଙ୍ଗେ।ତୁ ତା ସହ ବସି ଚାଟିଙ୍ଗ୍ କରୁଥା।
ସେ ଫୋନ୍ ରଖିବା ପରେ ରିତୁ ପଚାରିଲା-କାହାର ଫୋନ୍ ଥିଲା?
-ସାଙ୍ଗର।
-ସାଙ୍ଗର ନା ଗାର୍ଲଫ୍ରେଣ୍ଡ ର? ଆପଣଙ୍କ ଚେହାରାରେ ଯୋଉ ରହସ୍ୟମୟ ହସଟେ ଥିଲା ନା ସେଇଟା ତ ଦେଖିବା ଭଳି ଥିଲା। ମୁଁ ଯେତେ ଆପଣଙ୍କୁ ବୋରିଙ୍ଗ ପର୍ସନ ଭାବୁଥିଲି ଆପଣ ସେତେ ତ ନୁହଁନ୍ତି।ଭଲ କଥା। ସି. ବି.ଆଇ ହୁଅ କି ଗ୍ୟାଙ୍ଗଷ୍ଟାର ହୁଅ ପ୍ରେମ ଫ୍ରେମ ବିନା ଜୀବନଟା ଫିକା ଫିକା।
ଏତିକିବେଳେ ତା'ର ଫୋନ ରିଂ ହେଲା। ଏଇ ଦେଖ! ପ୍ରେମ କଥା କହୁ କହୁ ମୋ ପ୍ରେମିକରାଜା ଙ୍କର ର କଲ୍ ଆସିଗଲା।
-ହାଲୋ। ଆଇ ଲଭ୍ ୟୁ ଷ୍ଟୁପିଡ୍।
ସେପଟୁ ରିହାନର। ଆରେ ଏଇ ଗୋଟେ ଧାଡି ତିନି ବର୍ଷ ହେଲାଣି ଶୁଣି ଶୁଣି ବୋର୍ ହେଲାଣି। କିଛି ତ ନୂଆ କୁହ।
-ସବୁଠୁ ନୂଆ କଥା ହେଲା ତମେ ବା। ତମ ସହ ହଜାରେ ଥରରୁ ଅଧିକ ଥର ଦେଖା ହେଇସାରିଲାଣି ୟା ଭିତରେ ।ହେଲେ ତମକୁ ଆଜି ବି ଦେଖିଲେ ପ୍ରଥମଥର ଦେଖିଲା ଭଳି ଲାଗେ। ସତରେ! ପ୍ରେମିକ ମାନେ ସବୁବେଳେ ନୁଆ। ଖାଲି ଅଣପ୍ରେମିକ ମାନେ ଯାହା ଅତୀତର ପୁରୁଣା ଡାଏରୀ ପାଲଟି ଯାଆନ୍ତି। ଯେମିତି ତମ ବଡ ଭାଇ। ପଡ଼ିଶାଘର ଝିଅ ସ୍କୁଲ ବେଳଠାରୁ ପଛରେ ପଡିଛି। ଅଥଚ ଆଜି ଯାଏଁ ବାହାଘର ଡେଟ୍ ଫିକ୍ସ କରି ପାରି ନାହାଁନ୍ତି।
ରିହାନ ହସିଲା।
-ଥାଉ ଥାଉ ଏତେ ହସନି। ନ ହେଲେ ପୁଣି ତମ ପ୍ରେମରେ ପଡିଯିବି। ଥରେ ପଡିକି ଏତେ ସମସ୍ୟା। ତମ ବିନା ଜୀବନ ର ପରିକଳ୍ପନା ବି ଆଜିକାଲି କରି ହଉନି।ଶୁଣ! ଆଉ ଅଧଘଣ୍ଟା ଲାଗିବ ପହଞ୍ଚିବାକୁ। ଷ୍ଟାଣ୍ଡ ପାଖରେ ଅପେକ୍ଷା କରିଥିବ।
-ଓକେ। ଆଇ ଲଭ୍ ୟୁ। ବାଏ।
-ବାଏ କହି ରିତୁ ଫୋନ୍ ରଖିଲା।ଗ୍ୟାଲେରୀ ରୁ ରିହାନର ଫଟୋ ବାହାର କରି ଦେଖିଲା। ରାଜୀବଙ୍କୁ ଚାହିଁ କହିଲା-
ଆରେ !ମୋ ପ୍ରେମିକ ବିଷୟରେ ଆପଣଙ୍କୁ ଏତେ କଥା କହିଲି ଅଥଚ ତା ଫଟୋ ଟା ଦେଖେଇଲିନି ଯେ! ଦେଖନ୍ତୁ ଏ ହେଉଛି ରିହାନ। ଦେଖିଲେ ଠିକ୍ ଠାକ୍ ଦେଖାଯାଉଛି ନା !ମୋ ପାଇଁ ତ ଇଏ ପରଫେକ୍ଟ ପୁଅ। ୟାଠୁ ଭଲ ପୁଅଟେ ମୋତେ ମିଳିବା ବୋଧେ କଷ୍ଟକର। ସେ ଦେଖିବାକୁ ଯେତେ ସୁନ୍ଦର ତା ଭଏସ୍ ତାଠୁ ଆହୁରି ସୁନ୍ଦର। ତା'ର ସବୁଠାରୁ ଭଲ ଗୁଣ ହେଲା ସେ ସାହାଯ୍ୟକାରୀ ପିଲାଟେ। ସମସ୍ତଙ୍କ ସହ ସାଙ୍ଗେ ସାଙ୍ଗେ ମିଶିଯାଏ। ମୋର ସବୁ ସାଙ୍ଗମାନେ ମୋ ଉପରେ ଈର୍ଷା କରନ୍ତି ତା ପାଇଁ। ଏତେ ଭଲ ପୁଅଟେ ମୋ ଚାରିପାଖରେ ଖଣ୍ଡିଆଭୂତ ପରି ଘୂରି ବୁଲୁଥିବାରୁ।
ସେ ଏତେ ଭଲ କାହିଁକି ପଚାରିଲେ କହେ-ସବୁ କ୍ରେଡିଟ୍ ତା ବଡ ଭାଇଙ୍କର। ମୋ ଭିତରେ ଯାହା ବି କିଛି ଭଲ ଗୁଣ ଅଛି ସେ ସବୁ ଭାଇ ହିଁ ଡାଉନଲୋଡ କରିଛନ୍ତି ପ୍ରତିଟି ମୁହୂର୍ତ୍ତରେ ଏକ ଆଦର୍ଶ କି ବୋର୍ଡ଼ ସାଜି।
ସତରେ! ରିହାନ କେତେ ଭାଗ୍ୟବାନ। ଯିଏ ଏମିତି ଭାଇଟେ ପାଇଛି। ଯିଏ ତାକୁ ନିଜ ଜୀବନ ଠାରୁ ଅଧିକ ଭଲପାଆନ୍ତି। ଆଜି କାହିଁକି କେଜାଣି ରିହାନ୍ ଅପେକ୍ଷା ବଡଭାଇଙ୍କୁ ଦେଖିବାର ଆଗ୍ରହ ବେଶୀ ବଢି ବଢି ଯାଉଛି।
ମୁଁ ଜାଣିଛି, ମୁଁ ଯେମିତି ବି ହେଇଥାଏ ବଡଭାଇ ମୋତେ ଆଦୌ ବି ରିଜେକ୍ଟ କରିପାରିବେନି ତାଙ୍କ ସାନ ଭାଇର ଖୁସି ପାଇଁ। ଠିକ୍ କହିଲି ନା!
ରାଜୀବଙ୍କର ନିରବ ହଁ।
ବସ୍ ଷ୍ଟାଣ୍ଡ ପାଖରେ ଅଟକି ଯାଇଥିଲା। ଦୁହେଁ ଓହ୍ଲେଇ ସାରିଥିଲେ।
ରିତୁ କହିଲା ମୁଁ ଆପଣଙ୍କ ବିଷୟରେ କିଛି ନ ଜାଣି ମୋ ବିଷୟରେ ଅନେକ କିଛି କହିଗଲି। ଖରାପ ଭାବିବେନି। ମୁଁ ଏସବୁ ଏଥିପାଇଁ କହିଲି ଯେ ଆପଣ ଜଣେ ଖୁବ୍ ଭଲ ମଣିଷ। କୌଣସି ବ୍ୟକ୍ତି ଭଲ କି ଖରାପ ଜାଣିବା ପାଇଁ ବେଶୀ ସମୟ ଦରକାର ପଡେନି। ଗୋଟିଏ ମୁହୂର୍ତ୍ତ ଗୋଟିଏ ଲକ୍ଷଣ ଯଥେଷ୍ଟ। ସେଦିନ ରାତିରେ ଆପଣ ମୋତେ ଯେତେ ସୁରକ୍ଷିତ ଭାବରେ ମୋ ବାପା ମା ଙ୍କୁ ହସ୍ତାନ୍ତର କରିଥିଲେ ସେଇ କ୍ଷଣକ ହିଁ ଯଥେଷ୍ଟ ଥିଲା ଆପଣଙ୍କୁ ଜାଣିବା ପାଇଁ। ଆସୁଛି।
ରାଜୀବ ଧରିଥିବା ଗୋଲାପ ଫୁଲ ଟିକୁ ବଢେଇ ଦେଇ କହିଲେ -ବେଷ୍ଟ ଉଇସେସ୍ ଫର୍ ୟୁ।
ରିତୁ ହସିକି ଫୁଲ ଟି ଧରିଲା। ଥ୍ୟାଙ୍କ ୟୁ ସୋ ମଚ୍। ଯେତେବେଳେ ବେଷ୍ଟ ଉଇସେସ୍ ଜଣେଇଲେଣି ତାହେଲେ ଆପଣଙ୍କ ନମ୍ବର ଟା ଦେଇଥାନ୍ତୁ। ମ୍ୟାରେଜ କୁ ଇନଭାଇଟ୍ କରିବି।
ରାଜୀବ ଫୋନ ବାହାର କରି କହିଲେ -ତମ ନମ୍ବର ଟା ଡାକ। ମିସ୍ କଲ୍ କରୁଛି।
ରିତୁ ନମ୍ବର ଡାକିଲା। ସେଭ୍ କରି କହିଲା-ଓକେ। ବାଏ।
ରାଜୀବ ଅଦୃଶ୍ୟ ହେଇଯାଇଥିଲେ ତା ସାମନାରୁ। ରିତୁ ଆଗକୁ ଚାହିଁଲା।ରିହାନ ଆସି ପହଞ୍ଚି ଯାଇଥିଲା। ତା ସହ ବାଇକ୍ ରେ ଘରକୁ ଆସିଲା।
ରିହାନ ତା ପାଇଁ କୋଲଡ୍ରିଙ୍କ୍ସ ଆଣି ଦେଲା। ରିତୁ ପିଇ ସାରିବା ପରେ ଗପ ଆରମ୍ଭ କରିଦେଲା। ବସ୍ ରେ ଦେଖା ହୋଇଥିବା ବ୍ୟକ୍ତିଜଣକ ବିଷୟରେ।
ଘଣ୍ଟାଟିଏ ବିତି ସାରିଥିଲା ୟା ଭିତରେ।
-ବଡଭାଇ କୁଆଡ଼େ ଗଲେ ଯେ! ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ?
ରିହାନ ଫୋନ ଲଗେଇଲା।
-ଭାଇ, ତମେ କେତେବେଳେ ଆସିବ?
-ଗୋଟେ ଜରୁରୀ କାମ ମନେ ପଡିଗଲା। ଚାଲି ଆସିଲି।
-ଓଃ! ଏଇଟା ଜରୁରୀ ନ ଥିଲା ତମ ପାଇଁ? ରିହାନର ଅଭିମାନ ରେ।
-ଏତେ ଅପସେଟ୍ କାହିଁକି ହଉଛୁ?ଗୋଟେ ବ୍ରେକିଂ ନ୍ୟୁଜ୍ ଶୁଣ୍। ସେ ଆସିଲା ପରଠାରୁ ତତେ ଯାହା ବିଷୟରେ କହୁନି ସେ ଜଣକ ମୁଁ ହିଁ ଥିଲି।
ରିହାନ ଜୋରରେ ହସିଲା। ଓଃ ରିଏଲି! ତାହେଲେ ତମ ନିଷ୍ପତ୍ତି କଣ?
-ସେ ବହୁତ ଭଲ ଝିଅ ଟା। ରିଜେକ୍ଟ କରିବାର ପ୍ରଶ୍ନ ହିଁ ଉଠୁନି।
ରିହାନ ଫୋନ କାଟିଦେଲା ଖୁସିରେ।
ରିତୁ ପଚାରିଲା-ଏତେ ଖୁସି କଣ ପାଇଁ ଆପଣଙ୍କ ଚେହେରା ରେ? ବଡଭାଇ କଣ କହିଲେ?
-କହିଲେ ବସ୍ ରେ ଦିଘଣ୍ଟା କାଳ ଯାହା ଆଗରେ ତମ ପ୍ରେମ କାହାଣୀ ବର୍ଣ୍ଣନା କରୁଥିଲ ସେ ତମ ଦେଢଶୂର।
-ତମେ ସତ କହୁଛ? ସେ ବଡଭାଇ ଥିଲେ! ମୋତେ ବିଶ୍ୱାସ ହଉନି।ଗୋଟେ ମିନିଟ। ମୋତେ ତୁମ ଫୋନ୍ ଟା ଦିଅ।
ରିହାନଠୁ ଫୋନ ନେଇ ସେ ସେଭ୍ କରିଥିବା ନମ୍ବର ଟା ଡାଏଲ କଲା। ଉପରେ ଲେଖା ହେଇଗଲା ମାଇଁ ସୁଇଟ୍ ବିଗ୍ ବ୍ରଦର।
ରିହାନ ତାକୁ ଆରପଟକୁ ବୁଲେଇ କାନ୍ଥରେ ଟଙ୍ଗା ଯାଇଥିବା ଗୋଟେ ବଡ ଫଟୋ ଫ୍ରେମ୍ କୁ ଦେଖେଇଲା। ଯେଉଁଥିରେ ସିଏ ଆଉ ରାଜୀବ ଛିଡା ହୋଇଥିଲେ।
-ମୋ ମ୍ୟାରେଜ ସାକ୍ଷାତକାର ଟା ଯେ ଏତେ ନିଆରା ହବ କେବେ ଭାବି ନଥିଲି କହି ରିତୁ ତା ଆଡକୁ ବୁଲିଗଲା।