Manorama Hati

Romance

1.8  

Manorama Hati

Romance

କୃଷ୍ଣଚୂଡା ଗଛର ରାଣ

କୃଷ୍ଣଚୂଡା ଗଛର ରାଣ

15 mins
494



ଘର ଅଗଣାରେ ଘାସର ଗାଲିଚା ମଝିରେ କାହିଁ କୋଉ ଦିନ ରୁ ଶୋଭା ପାଉଥିଲା କୃଷ୍ଣଚୂଡା ଗଛଟି। ସବୁଜ ପତ୍ର ଭରା ଗହଣରେ ମେଞ୍ଚା ମେଞ୍ଚା ଫୁଲ ରେ ହସି ଖେଳି ଉଠୁଥିଲା ଗଛର ଶାଖା ପ୍ରଶାଖା। ଗଛଟି ଅଗଣାଟିକୁ ଏକ ଅପୂର୍ବ ସୌନ୍ଦର୍ଯ୍ୟ ରେ ଭରି ଦେଇଥିଲା। 


ହେଲେ ଆଜି ଥୁଣ୍ଟା ହୋଇ ଠିଆ ହୋଇଛି। ଆକାଶର ଶୂନ୍ୟତା କୁ ଚାହିଁ ରହି ଯେମିତି ପଚାରୁଛି ଅନେକ ପ୍ରଶ୍ନ। କଣ ପାଇଁ ତା ଦେହରେ ଆଉ ପତ୍ର କଅଁଳୁ ନାହିଁ?ଫୁଲ ବିକଶିତ ହେଉ ନାହିଁ। ପକ୍ଷୀମାନଙ୍କର କଳକଳ ରାବ ଶୁଭୁ ନାହିଁ। ଶାଖା ପ୍ରଶାଖା ଗୁଡାକ କାହିଁ ହତାଶିଆ ହେଇ ପଥର ପାଲଟି ଗଲେଣି? କୁଆଡେ ଗଲା ତା'ର ଶିରୀ ସୌନ୍ଦର୍ଯ୍ୟ? କିଏ ତାକୁ ଅଦିନରେ କରି ଦେଲା ଶ୍ରୀହୀନ? ବସନ୍ତ ର ଆଗମନ ରେ କାହଁକି ତା ଦେହରେ ଆଉ ଶିହରଣ ଖେଳୁ ନାହିଁ? 


ତା'ର ଏତେ ସବୁ ପ୍ରଶ୍ନର ଉତ୍ତର ଶୂନ୍ୟତା ଭରା ଆକାଶ ପାଖରେ ଥିଲା କି ନାହିଁ ମିହାନ ଜାଣେନା। କିନ୍ତୁ ତା ପାଖରେ ନିଶ୍ଚୟ ଥିଲା। ହଁ ସେ ହିଁ ଦାୟୀ ଏଇ କୃଷ୍ଣଚୂଡ଼ା ଗଛର ଏମିତି ଅବସ୍ଥା ପାଇଁ। ସେ କଣ ଜାଣି ନ ଥିଲା କାହାର ରାଣ ନେଇ କେବେ ମିଛ କଥା କୁହାଯାଏନା। ଯାହା ରାଣ ନେଇ ମିଛ କୁହାଯାଏ ସେ ସବୁଦିନ ପାଇଁ ମରିଯାଏ। ତାହେଲେ କାହିଁକି ସେଦିନ ସେ କୃଷ୍ଣଚୂଡ଼ା ଗଛର ମିଛ ରାଣ ଖାଇଥିଲା?


ଯାହାର ଫଳସ୍ବରୂପ ଗଛଟିକୁ ମୃତ୍ୟୁ ର ଅଭିମୁଖେ ଯାତ୍ରା କରିବାକୁ ପଡିଲା। ସବୁଦିନ ଲାଗି ଅଫେରା ହୋଇ ରହିଗଲା। ଯେଉଁ ଦିନ ସେ ତା ରାଣ ନେଇ ମିଛ କହିଥିଲା ତା ପରଦିନ ପତ୍ର ସବୁ ଝାଉଁଳି ଯାଇଥିଲା। ଅଗଣାର ସବୁ ଗଛ କିନ୍ତୁ ସତେଜ ଦେଖା ଯାଉଥିଲେ। ଏକା ସେ ହିଁ ଚିନ୍ତାଗ୍ରସ୍ତ ଥିବା ପରି ଲାଗୁଥିଲା। ଧୀରେ ଧୀରେ ଶାଖା ପ୍ରଶାଖା ସବୁ ଶୁଷ୍କ ହେବାକୁ ଲାଗିଲେ। ଫୁଟିଥିବା ଫୁଲ ମଉଳିଯାଇ ଝଡିଗଲେ ତଳକୁ। ଆଉ ଆଖି ଖୋଲି ଦୁନିଆ ଦେଖିବାକୁ ଯାଉଥିବା ସୁକୁମାରୀ କୋମଳ କଢିଗୁଡାକ ସୂର୍ଯ୍ୟ ର ଉତ୍ତପ୍ତ ଖରାରେ ଯେମିତି ଶୋଷି ହୋଇ ଜଳବିନ୍ଦୁ ପରି ଉଭାନ ହୋଇଗଲେ,ତାର ପତ୍ତାଗତା ଅଗଣାର ମାଟି ପାଖରେ ନଥିଲା। 


ଅଳ୍ପ ଦିନେ ଗଛଟି ପୂରା ପୂରି ଖୁଣ୍ଟ ପାଲଟିଗଲା। କୋଉ ରାଜା ମହାରାଜା କାଳରୁ ତିଆରି ହୋଇଥିବା ଖମ୍ବ ଟେ ପରି ମନେହେଲା। ପତ୍ର ଝାଉଁଳିବା ସମୟରେ ମିହାନ ମନରେ ଆଶଙ୍କା ଟେ ସୃଷ୍ଟି ହୋଇଥିଲା"ଗଛଟି ମରିଯିବ କି ଆଉ? "ସତକୁ ସତ ଗଛ ଟି ମରିଗଲା। ହଁ, ସେ ମରିଗଲା, କେବଳ ତାରି ପାଇଁ। ମନେମନେ ନିଜ କୁ ଅପରାଧୀ ଭାବି ନେଲା। ସେଦିନ ଯଦି ସିଏ ତା'ର ରାଣ ନେଇ ମିଛ କହି ନ ଥାନ୍ତା ହୁଏତ ଗଛଟି ଏବେ ପବନ ରେ ଦୋହଲି ବସନ୍ତ ର ଗୀତ ଗାଉଥାନ୍ତା। ଫୁଲ ର ପସରା ମେଲେଇ ଆନନ୍ଦ ରେ ବିଭୋର ହୋଇ ଯାଉଥାନ୍ତି। 


ମିହାନ କୁ ବିଶ୍ୱାସ ହେଉ ନ ଥିଲା। ସେ ତ ଖାଲି ଶୁଣିଥିଲା। ରାଣ ନେଇ ମିଛ କହିଲେ ରାଣ ନେଇଥିବା ଲୋକଟିର ମୃତ୍ୟୁ ହୋଇଯାଏ। ଆଉ ଇଏତ ଗଛ! ରାଣର ପ୍ରଭାବ ଯେ ଗଛ ଉପରେ ପଡିବ ଏକଥା ଅବିଶ୍ୱସନୀୟ ଲାଗିଲେ ବି ମହାନ ଜୀବନରେ ସତ ରୂପେ ଘଟି ସାରିଥିଲା। ୟାର ଜୀବନ୍ତ ଉଦାହରଣ ଥିଲା ଘର ଅଗଣାର କୃଷ୍ଣଚୂଡା ର ଗଛ। ଗଛଟି ଦିନକୁ ଦିନ ଶୁଖି ଶୁଷ୍କରୁ ଶୁଷ୍କତର ହୋଇଯାଉଥିଲେ ବି ଘର ଅଗଣା ରୁ ତାକୁ ନିଶ୍ଚିହ୍ନ କରିଦେବା କଥା କେବେ ତା ମନରେ ଆସିନି।


 ବରଂ ଆଜିକି ପାଞ୍ଚ ବର୍ଷ ହେଲାଣି ସେ ଗଛ ମୂଳରେ ବସି ତା ଆଖିରୁ ଲୁହ ଢାଳି କ୍ଷମା ମାଗେ। ଅନୁତାପ କରେ।ପଶ୍ଚାତାପ ରେ ଜଳି ମରେ। କହେ"ମୋ ଜୀବନରେ ଟିକେ ରୋମାଞ୍ଚ ଭରିବାକୁ ଯାଇ ତତେ ଯେଉଁ ଯନ୍ତ୍ରଣା ମୁହଁ କୁ ଠେଲି ଦେଇଛି ତା ଅକ୍ଷମଣୀୟ ହେଲେ ସତ କହୁଛି, ମୁଁ ସ୍ୱପ୍ନ ରେ ସୁଦ୍ଧା ଭାବି ନ ଥିଲି ତୋ ସହ ଏମିତି ସବୁ ଘଟିଯିବ ।ମୁଁ ବି ଖୋଜି ହେଉଛି ତୋର ସେହି ପୂର୍ବ ସୌନ୍ଦର୍ଯ୍ୟକାନ୍ତି। ଝୁରି ହେଉଛି ନବ ପଲ୍ଲବିତ ପତ୍ର ମାନଙ୍କ ର ପବନରେ ଦୋଳି ଖେଳିବା ର ଢଙ୍ଗକୁ। ଫୁଲ ମାନଙ୍କ ର ଶୋଭା ରାଜାକୁ। ତୋର ମାଟିରେ ବିଛେଇ ହେଇ ପଡୁଥିବା ବିସ୍ତୃତ ଛାୟାକୁ। ଯେଉଁଠି ମୁଁ ଆଉ ମୋହନା ମିଶି ବିତାଇଥିଲୁ ଅସଂଖ୍ୟ ଅପରାହ୍ନ। ସେହି ଅପରାହ୍ନ ର ସ୍ମୃତି ସବୁକୁ"।


ଗଛଟିକୁ ନେଇ ଆଖପାଖ ଲୋକ କହିବା ଆରମ୍ଭ କରି ଦେଲେଣି। "କାହିଁକି ଏ ଥୁଣ୍ଟା ଗଛଟିକୁ ରଖିଛ? କାଟି ପଦା କରିଦିଅ। ଅଗଣାଟା ଫର୍ଚ୍ଚା ହେଇଯିବ"। 


ମିହାନ ନିରବ ରହେ। ତାଙ୍କ ପ୍ରଶ୍ନ ର ପ୍ରତ୍ୟୁତ୍ତର ଦେଇ ପାରେନା। ସେମାନଙ୍କୁ ବୁଝେଇ ପାରିବନି ଏଇ ଥୁଣ୍ଟା ଗଛ ଟି ହିଁ ତା'ର ବାକି ଜୀବନର ସାହାରା। ନିଜର ଶେଷ ସାହାରା କୁ କେମିତି ନିଜ ହାତରେ ନିଶ୍ଚିହ୍ନ କରିଦେବ। ଥୁଣ୍ଟା ଗଛଟି ଚାଲିଗଲେ କାହା ଆଗରେ ନିଜ ମନ କଥା ବଖାଣିହେବ। କିଏ ବୁଝିବ ତା ଅନ୍ତରର ବେଦନା?କାହାକୁ ସେ କ୍ଷମା ମାଗି ନିଜ ଭୁଲର ପଶ୍ଚାତାପ କରିବ? ସେ ଯେ ତାର ହତ୍ୟାକାରୀ ଏକଥା ଭାବିଲାବେଳକୁ ତାକୁ କେତେ କଷ୍ଟ ହେଉଛି କେମିତି ସେ ଦେଖେଇ? କିଏ ତା ଫେରିବା ପଥକୁ ଚାହିଁ ବସିବ? କିଏ ତା ନିର୍ଜନ ରାତିର ସାଥୀ ହେବ? 


କେହି ଯଦି କହେ ସେ ନିଜ ଶରୀର କୁ ଟିକି ଟିକି କରି କାଟିଦେଇ ପାରିବ ହେଲେ ସେ ବଞ୍ଚିଥିବା ଯାଏଁ କୃଷ୍ଣଚୂଡ଼ା ଗଛ ଦେହରେ ସାମାନ୍ୟ ଆଘାତ ଟିକେ ଦେଖିପାରିବନି। କେତେ କିଏ କାଠ ବ୍ୟବସାୟୀ ଫେରିଫାରି ଗଲେଣି। ଟଙ୍କା ର ପ୍ରଲୋଭନ ଦେଖେଇବାକୁ ବି ସେମାନେ ପଛେଇ ନାହାଁନ୍ତି।ତଥାପି ତାର ସମସ୍ତଙ୍କୁ ନା। 


କୌଣସି ପରିସ୍ଥିତିରେ ବି ଏ ଥୁଣ୍ଟା ଗଛଟିକୁ ସେ ଅନ୍ୟର ହାତକୁ ଠେଲି ଦେଇ ପାରିବନି। ନିଜ ଅଜାଣତରେ ସେ ସିନା ମୋହନାକୁ ଅନ୍ୟ ହାତରେ ହସ୍ତାନ୍ତର କରିଦେଲା। ହେଲେ ଜାଣିଶୁଣି ତାର ଶେଷ ସ୍ମୃତି ଟିକୁ କେମିତି ଆଉ କାହାକୁ ଦେଇଦେବ! ମୋହନା ସେ ଗଛଟିକୁ ପ୍ରାଣଭରି ଭଲପାଏ ।ବିଶାଳ ଆକାର ଧାରଣ କରିଥିଲେ ବି ଖରାଦିନେ ତା ମୂଳରେ ପାଣି ଢାଳେ। କହେ ବର୍ଷାଋତୁ ଯାଇଁ କେବେ ଆସିବ! ସେବେଯାଏଁ କଣ ୟା ମୂଳ ଶୁଖିଲା ପଡିରହିବ?ଟିକେ ପାଣି ଦେଇଦେଲେ ଅସୁବିଧା କଣ? ତା ମୂଳରେ ପାଣି ଢାଳିବା ପରେ ଯେଉଁ ତୃପ୍ତି ର ଲହରୀ ତା ଚେହେରା ରେ ଖେଳି ଉଠୁଥିଲା ଦେଖିଲେ ଲାଗିବ ଯେମିତି ଗଛଟି ନୁହେଁ, ସେ ଅନେକ ଦିନ ରୁ ତୃଷିତ ଥିଲା। ଜଳବିନ୍ଦୁ ର ସ୍ପର୍ଶ ପାଇ ସଞ୍ଚରି ଉଠିଲା। 


ତଳେ ପଡିଥିବା ଫୁଲ ଙ୍କ ଭିଡରେ ବସିଯାଇ ସଜଫୁଟା କଇଁ ଫୁଲ ପରି ଖିଲି ଖିଲି ହୋଇ ଉଠେ। ଘାସର ସବୁଜ ଆସରଟି ମଧୁଶଯ୍ୟା ପରି ମନେ ହୁଏ ତାକୁ। ମିହାନକୁ ଡାକେ ପାଖରେ ବସିବା ପାଇଁ। ସେ ବସିବା ପରେ ଅସୁମାରି ଭଲପାଇବା ର କାହାଣୀ ଶୁଣାଏ। ତା କାନ୍ଧରେ ମୁଣ୍ଡ ରଖି ଭବିଷ୍ୟତ ର ସ୍ୱପ୍ନ ଆଙ୍କେ। ସେ ସ୍ୱପ୍ନଗୁଡାକ ଅମାନିଆ ଅବୁଝା ପରି। କିଛି ଅସମ୍ଭବ ଲାଗେ ଆଉ କିଛି ବୁଝି ହୁଏନା। 


କହିଲ, ମିହାନ! ଏ ଗଛ ଟା ଆମର ଦାମ୍ପତ୍ୟ ଜୀବନ ର ସବୁ ଖୁସି ଦେଖି ପାରିବ ତ? ଆହୁରି ଚାଳିଶ ବର୍ଷ ଯାଏଁ ବଞ୍ଚି ରହି ପାରିବ ନା? ଚାଳିଶ ବର୍ଷ ପରେ ଆମେ ଆମର ଭଲପାଇବା କାହାଣୀ ରେ ଅଜସ୍ର ସ୍ମୃତି ର ଫର୍ଦ୍ଦ ଯୋଡି ବାର୍ଦ୍ଧକ୍ୟ ରେ ପଦାର୍ପଣ କରିଥିବା। ସେତେବେଳେ ମୁଁ ତମ ପାଇଁ ଆଉ କଲେଜ କୁଇନ ନଥିବି। ତମେ ବି ଏତେ ଷ୍ଟାଇଲିସ୍ ଦେଖା ଯାଉନଥିବ। ତମେ ଏଇଠି ବସି କଫି ପିଉଥିବ। ରେଡିଓ ଲଗେଇ ପୁରୁଣାକାଳିଆ ଗୀତ ଶୁଣୁଥିବ। ବିତିଥିବା ଦିନଗୁଡାକୁ ମନେ ପକାଉଥିବ। ଖବରକାଗଜ ପଢି ମୋତେ ଖବର ଶୁଣାଉଥିବ। ମୁଁ ଠିକ୍ ସେ ଶୁଣି ପାରୁଥିବି କି ନାହିଁ, ମୋ ଜେଜେମା ଏବେ ଭଲସେ ଶୁଣି ପାରୁ ନାହାଁନ୍ତି।ଜେଜେ ତାଙ୍କୁ ଗୋଟିଏ କଥା ବାରମ୍ବାର କହି ଚିଡି ଯାଉଛନ୍ତି। ଚିଡି ଯାଇ କହନ୍ତି "ତୁ ବୁଝିଲେ ବୁଝୁ ନହେଲେ ନାହିଁ "।


ମୁଁ ଟିକେ ତାଙ୍କ ଉପରେ ବ୍ୟସ୍ତ ହୋଇଯାଏ। କାହିଁକି ମୋ ଜେଜେମା ଉପରେ ରାଗୁଛ? ବୟସ ହେଲାଣି ତାଙ୍କର। ଶୁଣାଯାଉନି ବୋଲି ତ ସେ ପଚାରୁଛନ୍ତି। ନହେଲେ କଣ ଜାଣି ଶୁଣି ତମକୁ ପଚାରି ଏମିତି ହ ଇରାଣ କରନ୍ତେ? 


ଜେଜେ ହସନ୍ତି। ଠିକ୍ କହିଛୁ। ସେ ମୋତେ ହଇରାଣ କରୁନି। ସମୟ ତା'ର ହିସାବ କରୁଛି। ଏକଥା ଶୁଣି ମୁଁ ଟିକେ ଆଶ୍ଚର୍ଯ୍ୟ ହୋଇଗଲି। ପଚାରିଲି କି ହିସାବ? ଜେଜେମା ଆଉ ତମ ଭିତରେ କିଛି ବିଜିନେସ ଚାଲିଥିଲା କି? 


ହଁ, ସେଇଆ ଧରିନେ।ମୁଁ ଯେବେ ରାତିରେ ଶୋଉଥିଲି ସେ ମୋ କାନପାଖରେ ସବୁକଥା ଗୀତ ଗାଇଲା ପରି ଗାଏ। ଆଜି ମାଉସୀ ଆସିଥିଲେ। 


କାଲି ମଉସାଙ୍କ ଘରକୁ ଯିବା। କାଲି ଆସିବାବେଳେ ମୋ ପାଇଁ ସେ ଜିନିଷଟା ଆଣି ଦେଇଥିବ। କାଲି ତମେ ଜଲଦି ଆସିବ। ଘର ଆଡେ ଟିକେ ବୁଲିଯିବା। ଆଗକୁ ପିଲାମାନଙ୍କର ଛୁଟି ଅଛି। ମୁଁ କିଛି ଦିନ ଘରେ ରହିବାକୁ ଚାହୁଁଛି। ପିଲାମାନଙ୍କୁ ବି ସାଥିରେ ନେଇଯିବି। କଣ କହୁଛ? ମୁଁ ଖାଲି ନିଦ ବାଉଳାରେ ହଁ ହିଁ ମାରିଦିଏ। ବେଳେବେଳେ ହଁ ହାଁଟା କଥାରେ ଖାପ ଖାଏନି। ତୋ ଜେଜିମା ଚିଲେଇ ଉଠେ। 


ଆଚ୍ଛା! ତମେ ତାହେଲେ ମୋର କିଛି କଥା ଶୁଣୁ ନ ଥିଲ।ମୁଁ ଖାଲି ଟାରେ ମନକୁ ମନ ଗପି ଚାଲିଥିଲି। କହିଲ, ମୁଁ ତମକୁ କଣ କଣ କହୁଥିଲି? 


ମୁଁ କିଛି ବି କହିପାରେନା। କହେ ମନେଥିଲା ଯେ ଭୁଲିଗଲି ଆଉଥରେ କହି ଦଉନୁ। କହିଦେଲେ କଣ ତୋ ପାଟି ସରିଯିବ! ମୋର ଏତିକି କଥାରେ ତୋ ଜେଜିମା ରାଗିକି ଖପ୍ପା। ମନକୁ ମାରି ଶୋଇଯାଏ। ମୁଁ ବି କିଛି କୁହେନା। ମୋତେ ବି ଶୋଇବା ଲାଗି ବାଗ ମିଳିଯାଏ। ଇଏ ହେଲା ତା'ରି ହିସାବ। 


ମୁଁ ପଚାରିଲି -ଜେଜେ ସକାଳ ହେବା ପରେ ଜେଜେମା ତମ ସହ ଆଉ କଥା ହେଉନଥିବେ ନିଶ୍ଚୟ। ଅନେକ ଦିନ ଯାଏଁ ତମ ଉପରେ ରାଗୁଥିବେ।


ଜେଜେ ମନା କଲେ। ନା ତୋ ଜେଜେମା ମୋ ଉପରେ କେବେ ବି ରାଗିନି। ମୁଁ ତାକୁ ଯେତେ ଯାହା କହିଲେ ବି ମୋ ସାମନାରେ ମୁହଁ ଉଠେଇ କେବେ ମୋତେ ପଦେ କଥା କହିନି। ଆମ ଭିତରେ ଯାହା ବି କିଛି ହ ଉ କେବେ କଥାବାର୍ତ୍ତା ବନ୍ଦ ହେଇନି। ଆମେ ଦୁହେଁ ପରସ୍ପର କୁ ଭଲପାଉଥିଲୁ। ଏବେ ଯଦି ମୋ ବାର୍ଦ୍ଧକ୍ୟ ରେ ବଳଥାନ୍ତା ତାହେଲେ ତାର ସେବା ପାଇଁ ତୋ ବାପାଙ୍କୁ ନର୍ସ ରଖିବାକୁ ପଡୁ ନ ଥାନ୍ତା! ମୁଁ ନିଜେ ତାର ସବୁ କାମ କରିଦିଅନ୍ତି। ମୋହନା କିନ୍ତୁ ପ୍ରତିଦିନ ଦେଖେ, ଜେଜେବାପା ତାଙ୍କର ଅଧାରୁ ଅଧିକ କାମ କରିଦିଅନ୍ତି। ସେ ଯାହା ଖାଲିଟାକୁ ଆସେ। ମେଡିସିନ୍ ତିନି ଚାରି ବେଳା ଦେଇଯାଏ।


ଏଇ କଥା କୁ ନେଇ ମୋହନା ପଚାରିବସେ -ମିହାନ ତମେ ମୋ ଜଜେଙ୍କ ପରି ମୋତେ ଭଲପାଇବ?ସେ ମୋ ଜେଜେମା ଙ୍କୁ ଯେତିକି ଭଲପାଆନ୍ତି ମୋତେ ସେତିକି ଭଲପାଇବ ନା? ମୋତେ ଯଦି କେବେ କୌଣସି ରୋଗ ମାଡିବସେ ତମେ ମୋତେ କୋଉ ହସପିଟାଲ ରେ ଭର୍ତ୍ତି କରିଦେବନି। ଏଇ ଘର ଅଗଣା ଠୁ ମୋତେ ମୋତେ କେବେ ଅଲଗା କରିବନି। ବୟସର ଭାରସାମ୍ୟ ରେ ମୋତେ ଶୁଣା ନ ଗଲେ ମୋ ଉପରେ ବିରକ୍ତ ହେବନି। ତମେ ମୋତେ କାଗଜରେ ଲେଖି ଜଣେଇଦେବ। ମୁଁ ପଢିକି ସବୁ ବୁଝିଯିବି। ମୁଁ କେବେ ତମ ସହ ଝଗଡା କଲେ ମୋ ସହ କଥାବାର୍ତ୍ତା ବନ୍ଦ କରି ଦେବନି। ତମ ସହ କଥା ନ ହେଲେ ମୁଁ ରହି ପାରିବିନି। 


ଏତେ ସବୁ କଥା କହିସାରିବା ପରେ ମୋହନା ଅନେକ ସମୟ ଯାଏ ନିରବ ହୋଇଯାଏ। ମିହାନ ତା ହାତକୁ ହଲେଇ ଡାକେ। 


-ଶୋଇଗଲ ନା କଣ ସ୍ୱପ୍ନ ଦେଖି ଦେଖି? 


ସେ ଫିକ୍ କିନା ହସିଦିଏ। କହେ -ହଁ। ସମସ୍ତେ ସିନା ଶୋଇଗଲା ପରେ ସ୍ୱପ୍ନ ଦେଖନ୍ତି। ମୁଁ କିନ୍ତୁ ଖୋଲା ଆଖିରେ ସ୍ୱପ୍ନ ଦେଖି ଦେଖି ଶୋଇ ଯାଉଛି।ଏ ଅଜବ ଘଟଣାଟା ମୋ ସହ ସେବେଠାରୁ ଘଟି ଆସୁଛି ଯେବେ ଠୁ ମୁଁ ତମକୁ ପାଖରେ ପାଇଛି। 


ମିହାନର ବାଧା ଦେବା ଭଳି। ହେଲେ ମୁଁ ଯେବେ ଠୁ ତମକୁ ପାଖରେ ପାଇଯାଇଛି ନା ମୋ ଆଖିରେ ନିଦ ଛଡା ସ୍ୱପ୍ନ ପାଇଁ ଟିକେ ବି ଜାଗା ନାହିଁ। କାହିଁକି କହିଲ? ମୋ ସ୍ୱପ୍ନ ଗୁଡାକ ସତ ହେଇ ଯାଇଛି ତମକୁ ପାଇବା ପରେ। 


ଏପଦକ ଶୁଣି ମୋହନା ନବପଲ୍ଲବିତ ପତ୍ର ପରି ଛନଛନ ହୋଇଉଠେ। ମୁଁ ଜାଣେ ତମେ ଏକ ନମ୍ବର ମିଛୁଆ କୋଉଠିକାର। ମୋ ଆଗରୁ ତମେ କେବେ ସ୍ୱପ୍ନ ଦେଖୁଥିବ ମୋତେ ବିଶ୍ୱାସ ହେଉନି। ବେଡ୍ ରେ ପଡିବା ପରେ ତମ ଆଖି ଯେ ଗୋଟେ ସେକେଣ୍ଡ ପାଇଁ ଖୋଲା ରହୁଥିବ କେବେ କେମିତି ଏକଥା ନିଜକୁ ଯଦି କୁହ ସେ ବି ଅବିଶ୍ୱାସ କରିବ। ଏଇ କିଛି ଦିନ ତଳେ ସାରା ରାତି ତମକୁ କଲ୍ କରି ଚାଲିଥିଲି। କାହିଁ ଥରେ ଭଲା ଉଠେଇ ଥାନ୍ତ? 


-ଓଃ! ସେଦିନ! ସେଦିନ ଟିକେ..... ଛାଡ! ତମେ ରାଗିବ କହିବିନି।


ମୋହନାର ଜିଦି କଲା ପରି। ନାଇଁ ମୋତେ କଣ କୁହ। ସେଦିନ କଣ ହୋଇଥିଲା? 


ମିହାନର ରହି ରହି। ସେଦିନ ଟିକେ....... ସାଙ୍ଗ ମାନଙ୍କ ସହ.....ମିଶି ଡ୍ରିଙ୍କ... କରି ଦେଇ.... ଥିଲି। ସେଥିପାଇଁ ତମେ ଏତେଥର କଲ୍ କରିବା କଥା ଜାଣି ପାରି ନଥିଲି। 


ମୋହନା ତା ହାତକୁ ଆଣି ନିଜ ମୁଣ୍ଡ ଉପରେ ରଖିଦେଲା। ମୋତେ କୁହ, ୟା ପର ଠାରୁ ଆଉ କେବେ ଡ୍ରିଙ୍କ କରିବନି। 

ମିହାନ ତା'ର ବିପରୀତ ଦିଗକୁ ଚାହିଁ ରହି କହିଲା-ଆରମ୍ଭ ହେଇଗଲା ନା ତମର ଡ୍ରାମାବାଜି। ଏଥିପାଇଁ କହୁ ନଥିଲି। ଏମିତି ବେଳେବେଳେ ହେଇଯାଏ ସାଙ୍ଗ ମାନଙ୍କ ସହ। ତମେ ଏତେ ସିରିୟସ୍ କାହିଁକି ହେଇ ଯାଉଛ? ସେଇଟା ମୋ ହାବିଟ୍ ନୁହେଁ।ଏମିତି ଅକେଜିନାିଲି କେବେ କେମିତି କରେ। 


ବିନା ଡ୍ରିଙ୍କ ରେ କେବେ କଣ କିଛି ସେଲିବ୍ରେଟ୍ ହୁଏନା! ସତ କଥା ଟା ହେଲା ତମ ପୁଅମାନଙ୍କୁ ପିଇବା ଲାଗି ଖାଲି ବାହାନା ଦରକାର। ଆଜି ସାଙ୍ଗର ଜନ୍ମଦିନତ ହେଇଯାଉ ରମ୍ ପାର୍ଟି,କାଲି ସାଙ୍ଗର ବାହାଘର ତ ହ୍ୱିସ୍କି ପାର୍ଟି, କାଲି ଇଣ୍ଡିଆ ଜିତିଗଲା ତ ବ୍ୟାଗ୍ ପାଇପର୍। 


ତମକୁ ତ ସବୁ ବ୍ରାଣ୍ଡ ଜଣା। କୋଉଟା ୟୁଜ୍ କରୁଛ? 


ମୋହନା ରାଗିଯାଏ। ତୁମ ମୁଣ୍ଡ ଫଟେଇ ଦେବି। ଯଦି ମ୍ୟାରେଜ ପରେ କେବେ ଡ୍ରିଙ୍କ କର। 


-ଏଇଟା ଆଡ୍ ଭାଇସ୍ ନା ଅର୍ଡର? 


-କିଛି ବି ଭାବିପାର। 


ଆକାଶର ତାରା ପରି ଏମିତି ଅସଂଖ୍ୟ ସ୍ମୃତି ମୋହନା ସହ ଯୋଡା ହୋଇଥିଲା ମିହାନର। ହଠାତ୍ ଏମିତି କଣ ହେଲା? ମୋହନା ସବୁ ସ୍ମୃତି ଆଡେଇ ଚାଲିଗଲା ତାଠାରୁ ଦୂରକୁ। ତା ଜୀବନରେ ଭରିଦେଲା ଅମାପ ଦୁଃଖ। ଆଙ୍କିଦେଲା ଅଗଣ୍ୟ ବିରହର ରେଖା। ଯାହାକୁ ସେ ଆଜିଯାଏଁ ଲିଭେଇପାରୁନି। କେବେ ଆଉ ଲିଭେଇ ପାରିବନି ବୋଧେ! ସେ ଦିନ ର ଦେଖାଟା ଯେ ତା ସହ ଶେଷ ଦେଖା ହେବ କେବେ ସ୍ୱପ୍ନ ରେ ସୁଦ୍ଧା ଭାବି ନଥିଲା।


ଫାଇନାଲ ସେମିଷ୍ଟାର ପରେ ମୋହନା ଆସିଥିଲା ଦେଖା କରିବାକୁ। ଏଇ କୃଷ୍ଣଚୂଡ଼ା ଗଛ ମୂଳେ ବସିଥିଲା। ଚେହେରା ଭାରୀ ଭାରୀ ଦେଖା ଯାଉଥିଲା। ପଚାରିଲା-ମିହାନ ମୋତେ ତମେ ମ୍ୟାରେଜ କରିବ ନା? 


-ନା, ବିଲକୁଲ ନୁହେଁ। 


-ମୁଁ ତମକୁ ଫାଇନାଲି ପଚାରୁଛି ଏ କଥାଟା। ମୋ ସହ ମଜାକ୍ କରନା। ତମର କୌଣସି ମଜାକ୍ କୁ ବରଦାସ୍ତ କରିବା ମୁଡ୍ ରେ ମୁଁ ନାହିଁ। ବାପା ମୋର ବାହାଘର ଠିକ୍ କରି ସାରିଛନ୍ତି। ତମେ ଯଦି କହିବ ମୁଁ ବାପାଙ୍କୁ ତମ ବିଷୟରେ କହିବି। ସେ ପୁଅକୁ ମନା କରିଦେବେ।


-ଓଃ! ରିଏଲି! ତେବେ ତ ତମେ ତାଙ୍କୁ ହଁ ହିଁ କରି ଦିଅ। ସୁନାପିଲା ପରି ସେ ପୁଅକୁ ବାହା ହେଇଯାଅ। ମୁଁ ତମକୁ ଭଲପାଉଛି ସତ କେବେ ବାହା ହେବା କଥା ଭାବି ନାହିଁ। 


ତା ହେଲେ ମୁଁ ଯେତେବେଳେ ଆମ ମ୍ୟାରେଜ କୁ ନେଇ ଭବିଷ୍ୟତ ର କଳ୍ପନା କରେ, ସେତେବେଳେ ତମେ ପ୍ରତିବାଦ କରନା କାହିଁକି?


ମିହାନର ହସି ହସି। 

ଯେଉଁ କଥା ମୋ ମନରେ ନାହିଁ ସେ କଥା କୁ ନେଇ ପ୍ରତିବାଦ କାହିଁକି କରିବି? 


ମୋହନାର ଆଖି ଭିଜି ଆସିଲା। 

ଥରେ ମୋ ମୁଣ୍ଡ ଛୁଇଁ କହିଦିଅ। ତମେ ମୋତେ କେବେ ବାହା ହେବା ପାଇଁ ଚାହିଁନ? 


ତୁମ ମୁଣ୍ଡ ତ ଛୁଇଁ ପାରିବିନି। ହେଲେ ତମ କୃଷ୍ଣଚୂଡ଼ା ଗଛର ରାଣ ଖାଇ କହୁଛି ମୁଁ ତମକୁ ବାହା ହେବା ପାଇଁ ଚାହଁନି।


ମୋହନା ଆଉ ୟା ପରେ କିଛି ବି ଶୁଣିବାକୁ ଚାହିଁ ନ ଥିଲା। ବସିଥିବା ଜାଗାରୁ ଉଠି ସିଧା ବାହାରି ଆସିଥିଲା ଅଗଣା ଭିତରୁ। ମିହାନ ଘର ଠାରୁ ହଷ୍ଟେଲ ଟା ବୋଧେ ପାଞ୍ଚ କିଲୋମିଟର ରାସ୍ତା। ସବୁବେଳେ ଅଟୋରେ ଯିବା ଆସିବା କରେ। ଆଜି କିନ୍ତୁ କେତେବେଳେ ଚାଲି ଚାଲି ହଷ୍ଟେଲ ପାଖରେ ପହଞ୍ଚି ଯାଇଥିଲା ଜାଣି ହିଁ ପାରିଲାନି। ହଁ ଜାଣି ପାରି ନ ଥିଲା ମିହାନର ଛାତି ତଳର କଥା। ଅଥଚ ତା ଛାତି ଉପରେ ମୁଣ୍ଡ ରଖି ବିତେଇଛି ଅଗଣିତ ମୁହୂର୍ତ୍ତ। ସେ ଯେ କଲେଜର ଅନ୍ୟ ପୁଅମାନଙ୍କ ଭଳି ଥିଲା ଭାବିଲାବେଳକୁ ଆକାଶଟା ଲୋଟି ଯାଉଥିଲା ଧରା ଉପରେ। ସମସ୍ତ ଙ୍କ ପରି ସେ ଖାଲି ପ୍ରେମିକା ଚାହିଁ ଥିଲା। ଯିଏ ତା ସହ କ୍ୟାଣ୍ଟିନ୍ ରେ ପାର୍ଟି ଆଟେଣ୍ଡ୍ କରିବ। କଲେଜ ଗାର୍ଡେନରେ ଘଣ୍ଟା ଘଣ୍ଟା ଧରି ତା ସହ ଗରିବ। ବାଇକ୍ ରେ ବସି ତା ସହ ପାର୍କ ଯିବ। ସିନେମା ହଲ୍ ଯିବ। କଲେଜର ପରିଧି ଭିତରେ ତା ହାତରେ ହାତ ରଖି ବୁଲିବ। ବାସ୍! ଏତିକି! ୟାଠୁ ଅଧିକା ଆଉ କିଛି ନୁହେଁ। କଲେଜ ସରିଗଲା ତା କାହାଣୀ ବି ସରିଗଲା ତା ଜୀବନ ରୁ। 


ପ୍ରେମିକାର ମାନେ କଣ ଖାଲି ଏତିକି। ତା ସହ ରୋମାନସ କରିବା? ପ୍ରେମରେ କଣ ଜୀବନଯାକ ଭଲପାଇବା ର ପ୍ରତିଶ୍ରୁତି ନ ଥାଏ। ବାହାଘର ର ସ୍ୱପ୍ନ ନ ଥାଏ! ଥାଏ ଯଦି ମିହାନ ମନା କଲା କାହିଁକି?ପ୍ରେମ ପରି ଏକ ଶାଶ୍ୱତ ଚିରନ୍ତନ ଶବ୍ଦ ର ନୂତନ ନାମଟେ ଏ ନୂଆ ପିଢୀମାନେ ରଖି ସାରିଲେଣି। ସେଇଟା ହେଲା ଟାଇମ ପାସ୍। ତିନି ବର୍ଷ ଯାକ ମିହାନ ସାଥିରେ ଯାହା ଯାହା ଘଟିଥିଲା ସେ ସବୁ ଟାଇମପାସ ଥିଲା। ପ୍ରେମର ମାନେ ଖାଲି ନିଜେ ଯାହା ବୁଝିଥିଲା। ତାକୁ ସେ ଆଦୌ ବୁଝେଇ ପାରିନି। କାସ୍! ତାକୁ ଥରେ ବୁଝେଇ ପାରିଥାନ୍ତା! ପ୍ରେମର ମାନେ ଜଣକୁ ଭଲପାଇ ତାରି ଉପରେ ବିଶ୍ୱାସ କରି ତା'ରି ଭରସାରେ ତା ସହ ସାରା ଜୀବନ ବିତେଇଦେବା। ସେ ଆଉ ଗୋଟିଏ ମୁହୂର୍ତ୍ତ ବି ହଷ୍ଟେଲ ରେ ରହିବାକୁ ଚାହୁଁ ନ ଥିଲା। ନିଜର ଡ୍ରେସ୍ ସବୁ ପ୍ୟାକ୍ କରି ସେହିଦିନ ରାତି ବସ୍ ରେ ଘରକୁ ଫେରି ଆସିଲା। 


ଆର ଦିନ ମିହାନ ଯେବେ ଫୁଲ ତୋଡା ଧରି ହଷ୍ଟେଲ ର ଗେଟ୍ ବାହାରେ ତା ମୋବାଇଲ ନମ୍ବର ଡାଏଲ କଲା ଆଦୌ ଲାଗିଲାନି। ବାରମ୍ବାର ଲଗେଇଲା। ତଥାପି ନଟ୍ ରିଚେବୁଲ୍ କହୁଥିଲା। ବାଧ୍ଯ ହୋଇ ହଷ୍ଟେଲ ର ସିକ୍ୟୁରିଟି ପାଖକୁ ଗଲା। ସେ ମ୍ୟାଡମ୍ ଙ୍କୁ ଯାଇ କହିଲା-ଟିକେ ମୋହାନାକୁ କଲ୍ କରି କହିବେ, ମୁଁ ତାକୁ ବାହାରେ ଅପେକ୍ଷା କରିଛି। 


ସିକ୍ୟୁରିଟି ମ୍ୟାଡମ୍ ପଚାରିଲେ -ସାର୍, ଆପଣଙ୍କ ନାଆଁ ଟା କଣ କହିବେ? 


-ମିହାନ। 


-ଓକେ! ଗୋଟେ ମିନିଟ ଅପେକ୍ଷା କରନ୍ତୁ। ମୁଁ ତାଙ୍କୁ କଲ୍ କରୁଛି। କଲ୍ କରି ଦେଖିଲେ ଯେ ରୁମ୍ ର ଲ୍ୟାଣ୍ଡ ଫୋନ୍ କେହି ରିସିଭ୍ କରୁ ନାହାଁନ୍ତି।


ମିହାନ ବ୍ୟସ୍ତ ହୋଇ ପଚାରିଲା-କଣ ହେଲା? 


-ସାର୍, ଫୋନ୍ କେହି ରିସିଭ୍ କରୁ ନାହାଁନ୍ତି।ଆପଣ ଵ୍ୟସ୍ତ ହୁଅନ୍ତୁନି ମୁଁ ଦେଖି ଆସୁଛି। ମୋହନାର ରୁମ୍ ଯାଏ ଯିବା ପରେ ଦେଖିଲେ ରୁମ୍ ରେ ତାଲା ଲାଗିଛି। ଫେରିଆସି ରେଜିଷ୍ଟର ଖାତା ଦେଖି କହିଲେ-ଆଇ ଆମ ସରି ସାର୍।ମ୍ୟାଡମ୍ କାଲି ରାତିରେ ଏଠୁ ଚାଲି ଯାଇଛନ୍ତି। 


ମିହାନ ଉଦାସ ହୋଇଗଲା। 

କିଛି ମେସେଜ ମୋ ପାଇଁ ଛାଡିକି ଯାଇଛନ୍ତି? 


-ନୋ ସାର୍। 


-ଏନି କଣ୍ଟାକ୍ଟ ନମ୍ବର କ୍ୟାନ୍ ୟୁ ଗିଭ୍ ମି ପ୍ଲିଜ୍? 


ମ୍ୟାଡମ୍ ଜଣକ ଖାତା ଖେଳେଇଲେ। ନମ୍ବର ଟିଏ ଡାକିଲେ। ସାର୍ ଏଇଟା ତାଙ୍କ କଣ୍ଟାକ୍ଟ ନମ୍ବର। 


ମିହାନର ଥ୍ୟାଙ୍କସ୍। ଏଇଟା ମୋ ପାଖରେ ଅଛି। ଆଉ କିଛି ଏକ୍ସଟ୍ରା ନମ୍ବର? 


-ନୋ ସାର୍।


ଅଧଘଣ୍ଟା ପରେ ମ୍ୟାଡମ୍ ଜଣକ କିଛି କାମରେ ବାହାରକୁ ଆସିଥିଲେ। ଦେଖିଲେ ମିହାନ ତଳ ମହଲାର କରିଡରରେ ପଡିଥିବା ବେଞ୍ଚ ଉପରେ ବସି କାନ୍ଦୁଛି। ଆଖିର ଲୁହ କୁ ଝରିବା ଆଗରୁ ତାକୁ ପୋଛି ଦେଇ ଲୁଚେଇବାକୁ ଚେଷ୍ଟା କରୁଛି। ଆଣିଥିବା ଫୁଲତୋଡା ଟି ତଳେ ବିଛେଇ ହେଇ ପଡିଛି। ସୁନ୍ଦର ଅକ୍ଷରରେ ଲେଖା ହୋଇଥିବା କାର୍ଡ଼ ଟି ଉଡିଯାଇ ଖଣ୍ଡେ ଦୂରରେ ପଡିଛି। ପାଖକୁ ଯାଇ ପଚାରିଲେ -ଆର୍ ୟୁ ଓକେ ସାର୍? 


ମିହାନ ନିରବ। ତାଙ୍କ ଆଖିକୁ ଚାହିଁଲା। 

ମ୍ୟାଡମ୍ ଛଣକ ପୁଣି ପ୍ରଶ୍ନ କଲେ। 

କ୍ୟାନ୍ ୟୁ ଏନି ହେଲପ ସାର୍? 


ମିହାନ ଏଥର ତା ସାମନାରେ ପଡିଥିବା ରାସ୍ତା କୁ କରୁଣ ଚାହାଣୀରେ ଚାହିଁ କ୍ଷୀପ୍ର ବେଗରେ ବାହାରି ଆସିଲା। ତା ପରେ ତା ଜୀବନ ରେ ସବୁକିଛି ନିଃଶେଷ ହୋଇଯାଇଥିଲା। ଠିକ୍ କୃଷ୍ଣଚୂଡ଼ା ର ଗଛ ପରି। ସେ ବି ଏବେ ତା ପରି ଥୁଣ୍ଟା ଗଛ ଟିଏ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯାହାର ମନରେ ଆଶା ପତ୍ର କଅଁଳେ ନାହିଁ। ହୃଦୟ ପ୍ରଶାଖାରେ କାହାର ଆତଯାତ ନାହିଁ। ପୂରା ନିଶୂନ୍ ନିର୍ଜନ ନିଃସ୍ତବ୍ଧ ରାତି ପରି ନିଛାଟିଆ ଓ ଏକା ଏକା। ବଞ୍ଚି ରହିବାର ମୋହଟା ବି ଫିକା ଫିକା। 


ତଥାପି ସେ ବଞ୍ଚିଛି। କୃଷ୍ଣଚୂଡ଼ା ନିକଟରେ ପଶ୍ଚାତାପ କରିବା ଲାଗି। ଆଉ ମୋହନାର ସୁଖ ସ୍ୱା୍ଚ୍ଛନ୍ଦ୍ୟ ଭରା ଜୀବନ ପ୍ରାପ୍ତି ର କାମନା କରିବା ସକାଶେ। ପାଞ୍ଚ ବର୍ଷ ଭିତରେ ଅନେକ ରାତି ତା'ର ଉଜାଗରେ ବିତିଗଲାଣି ଏଇ କୃଷ୍ଣଚୂଡ଼ା ଗଛ ମୂଳେ। କେହି କେହି ତାକୁ ଏଠି ସକାଳୁ ଅଚିନ୍ତା ନିଦରେ ଶୋଇଥିବାର ଦେଖିଛନ୍ତି। ଗଛଟିକୁ ନେଇ ସେମାନଙ୍କ ମଧ୍ୟରେ ଚର୍ଚ୍ଚା ର ମାହୋଲ୍ ସୃଷ୍ଟି ହୋଇ ଗଲାଣି। ଅନେକ ଲୋକ ତାର ମାନସିକ ସ୍ତରରେ ବିଚ୍ୟୁତି ଘଟି ଯାଇଛି ବୋଲି ଧରି ନେଲେଣି। ରାସ୍ତା ରେ ଯିବାବେଳେ ଚିହ୍ନା ପରିଚିତ ଲୋକ ମାନେ ତାକୁ ଗାରେଡି ଗାରେଡି ଚାହାଁନ୍ତି। ସେ କିନ୍ତୁ ନିର୍ବିକାର ଭାବରେ ଯା ଆସ କରେ। 


ଏଇ କିଛି ଦିନ ତଳେ ଜଣେ ବାହାର ଅଞ୍ଚଳ ର ବ୍ୟବସାୟୀ ଆସି କହିଲେ -ଆପଣ ଏଇ ଗଛଟିକୁ ବିକ୍ରି କରନ୍ତେ ଯଦି ଭଲ ହୁଅନ୍ତା। ସେଥିପାଇଁ ମୁଁ ଆପଣଙ୍କ ର ଆଶାନୁଯାୟୀ ଟଙ୍କା ଦେବା ଲାଗି ପ୍ରସ୍ତୁତ। 


ମିହାନ କହିଲା-ଆପଣ ଯଦି ଦୁନିଆଯାକର ଟଙ୍କା ଆଣି ମୋ ଆଗରେ ଅଜାଡି ଦିଅନ୍ତି ତଥାପି ଏ ଗଛରେ ମୁଁ କାହାରିକୁ ହାତ ଟିକେ ଲଗେଇବାର ସୁଯୋଗ ଦେବିନି। 


ଲୋକ ଜଣକ ବେପାରୀ ଥିଲେ ମଧ୍ୟ ସହୃଦୟବାଲା ଥିଲା। କିଛି ସମୟ ନିରବ ରହିବା ପରେ ପଚାରିଲା -ଆପଣଙ୍କର ଏ ଗଛ ପ୍ରତି ଅହେତୁକ ମୋହ କଣ ପାଇଁ? କିଛି ଖାସ୍ କାରଣ? ମୁଁ ଏଠାକୁ ଆସିବା ଆଗରୁ ଲୋକମାନେ ମୋତେ କହୁଥିଲେ-ଆପଣ ଆଦୌ ଏ ଗଛ ଦେବାକୁ ପ୍ରସ୍ତୁତ ହେବେ ନାହିଁ। ସେମାନଙ୍କ କଥା ନ ମାନି ମୁଁ ଭୁଲ୍ କରିଛି। 


ମିହାନର ଧୀର ସ୍ୱରରେ। 

-ଏଇ ଗଛଟି ମୋ ପ୍ରିୟତମା ର ଶେଷ ସ୍ମୃତି। କାହାର ଶେଷ ସ୍ମୃତି କୁ କେହି କେବେ କଣ ବିକ୍ରି କରି ଦେଇ ପାରେ! 


ଲୋକଟି ଭାବପ୍ରବଣ ହେଇଗଲା।

ମୋ ପ୍ରଶ୍ନ ଟା ଆପଣଙ୍କୁ ଯଦି ଆଘାତ ଦେଇଥାଏ ମୋତେ କ୍ଷମା କରିବେ। ମୁଁ ଯଦି ଜାଣିଥାନ୍ତି ଏ ଗଛଟି ସହ ଆପଣଙ୍କ ର ଏତେ ବଡ ବ୍ୟକ୍ତିଗତ କଥା ଜଡିତ ତାହେଲେ କେବେ ପ୍ରଶ୍ନ କରି ନ ଥାନ୍ତି। 


ମିହାନର ଆଶାସ୍ୱନା ଦେବା ପରି। 

ଆଘାତ ତ ମୋତେ ସେତେବେଳେ ଲାଗିନି ଯେତେବେଳେ ଲୋକମାନେ ମୋତେ କହନ୍ତି -ୟାର ମସ୍ତିଷ୍କ ଘୂରି ଯାଇଛି। ପଚାଶ ହଜାର ଟଙ୍କାର ଗଛଟିକୁ ପାଞ୍ଚ ଲକ୍ଷ ଟଙ୍କା ରେ ବି ଦେବା ପାଇଁ ପ୍ରସ୍ତୁତ ନୁହେଁ।


ଚାରିମାସ ହେଲା ମିହାନ ଯାଇଥିଲା ଭାରି ସହର ଛାଡିକି ଏକ ଅଜଣା ସହରକୁ। ଯୋଉଠି ମୋହନା ର ସ୍ମୃତି ତାକୁ ବିଚଳିତ କରୁ ନ ଥିଲା କି କୃଷ୍ଣଚୂଡ଼ା ର ଥୁଣ୍ଟା କାହାର ଛବି ତା ଆଖିରେ ପ୍ରତିଫଳିତ ହେଉ ନଥିଲା। ଆଜି ଫେରିଛି। ପ୍ରଥମେ ଆଖି ଯାଇ ପଡିଲା କୃଷ୍ଣଚୂଡ଼ା ଗଛ ଉପରେ। ଏ କଣ? ସେ ସତରେ ଦେଖୁଛି ନା ତା ମନର ସ୍ୱପ୍ନ ଝଲସୁଛି। ଯେଉଁ ସ୍ୱପ୍ନ ସେ ରାତି ରାତି ଅନିଦ୍ରା ହୋଇ ଦେଖେ। କୃଷ୍ଣଚୂଡ଼ା ପୁଣି ଥରେ କଅଁଳି ଉଠିଛି। ଶାଖା ପ୍ରଶାଖା ମେଲେଇ ସିରି ସିରି ପବନରେ ଝୁମି ଯାଉଛି। ଅଳ୍ପ କଢ ଭରା ଫୁଲ ପେନ୍ଥା ଆକାଶର ନୀଳରଙ୍ଗ କୁ ଚାହିଁ ଗୀତ ଗାଉଛି। ସ୍ୱପ୍ନ ଟା ତାର ବାସ୍ତବ ର ରୂପ ନେଇଛି। ତା'ର ନବକିଶଳୟ ପତ୍ର ଗୁଡ଼ିକୁ ଛୁଇଁ ଆନନ୍ଦ ରେ ବିଭୋର ହୋଇଯାଉଥିଲା। କେବେ ଅଙ୍କୁରିତ ହେଲା ପତ୍ର? କେମିତି ହେଲା? ଏକଥା ଭାବି ଭାବି ରହସ୍ୟାବୃତ ହେଉଥିଲା। କେମିତି ଅସମ୍ଭବ କଥାଟା ସମ୍ଭବ ହୋଇ ଉଠିଲା? କିଏ ସେ ସିଏ ୟା ଦେହରେ ଦିବ୍ୟ ଜଳ ସିଞ୍ଚି ଦେଲା? ଯାହା ଦୀର୍ଘ ପାଞ୍ଚ ବର୍ଷ ଧରି ବର୍ଷା ଜଳରେ ସମ୍ଭବ ହୋଇ ନ ଥିଲା। 


ଆଉ ଗୋଟେ କଥା ବି ତାକୁ ଆଶ୍ଚର୍ଯ୍ୟର ସୀମାରେଖା ପାରି କରେଇ ଦେଇଥିଲା। ଦେଖିଲା ଘରର ଦରଜା ଆଡୁ ମୋହନା ବାଲଟିରେ ପାଣି ଧରି ଆସୁଛି କୃଷ୍ଣଚୂଡ଼ା ଗଛ ଆଡକୁ। ଧୀରେ ଧୀରେ ଆସି ତା'ର ପାଖରେ ପହଞ୍ଚିଲା। କହିଲା-

ମୁଁ ଯିବା ପରେ ପରେ ମୋ ଗଛର ଟିକେ ବି ଯତ୍ନ ନେଇନ ନା? 


ମିହାନର ମନେ ମନେ। 

ତମକୁ କେମିତି ବୁଝେଇବି ଯେ ତମେ ଯିବା ପରେ ପରେ ସେ ବି ମୋତେ ଛାଡି ଚାଲି ଯାଇଥିଲା। ମୋର ମିଛ ରାଣ ତା ପାଇଁ କାଳ ପାଲଟି ଯାଇଥିଲା।


ମୋହନା ବାଲଟିରୁ ଆଞ୍ଜୁଳା ରେ ପାଣି ଭରି ଗଛଟି ମୂଳରେ ଢାଳିଲା।


-କଣ ଭାବୁଛ? ମୁଁ ଏଠିକି କେମିତି ଆସିଲି? କେବେଠୁ ଆସି ରହିଛି? କଣ ପାଇଁ ଆସିଛି? ମ୍ୟାରେଜ କଣ ପାଇଁ କରିନି? ସେଦିନ ରାତିରେ ଏଠୁ ଗଲା ପରେ ବାପାଙ୍କୁ ସିଧା ମନା କରି ଦେଇଥିଲି ପାଞ୍ଚ ବର୍ଷ ଯାଏଁ ମ୍ୟାରେଜ କରି ପାରିବିନି ବୋଲି! ପାଞ୍ଚ ବର୍ଷ ଯାଏଁ ପଢିବାକୁ ଚାହୁଁଛି ଜଣେଇବା ପରେ ବାପା ମୋ ଇଚ୍ଛା ଦେଖି ବାଧ୍ଯ କରି ପାରିଲେନି ବାହାଘର ପାଇଁ। ବରଂ ଖୁସି ହେଲେ ମୁଁ କିଛି କରିବାକୁ ନିଷ୍ପତ୍ତି ନେଇଛି। ମୁଁ କିନ୍ତୁ ଖୁସି ନ ଥିଲି। କାହିଁକି ଜାଣିଛ? ଜୀବନର ସବୁ ହସ ସବୁ ଖୁସି ତମରି ପାଖରେ ଛାଡି ଯାଇଥିଲି। 


ତମେ ମୋତେ କେବେ ବାହା ହେବାକୁ ଚାହିଁ ନ ଥିଲ ଏକଥା ଟା କାହିଁ ପାଞ୍ଚ ବର୍ଷ ପରେ ବି ମୋ ମନ ମାନିବାକୁ ପ୍ରସ୍ତୁତ ନ ଥିଲା। ତମ ଉପରେ କରିଥିବା ସବୁ ରାଗ ଅଭିମାନ କୁ ଦୂରକୁ ଫିଙ୍ଗି ପୁଣି ଥରେ ତମ ପାଖକୁ ଫେରିବାକୁ ଇଚ୍ଛା ହେଲା। 


ତମ ପାଖକୁ ଫେରିବା ଆଗରୁ ମୁଁ ଥରେ ହଷ୍ଟେଲ ଆଡେ ଗଲି। ମୋ ଯିବା ପରେ ପରେ ତମେ ଆଉ ଆସି ନ ଥିଲ ତ? ମୋ ପାଇଁ ମେସେଜ୍ କରି ଛାଡି ଯାଇନି ତ? ଏଇ କଥା ସିକ୍ୟୁରିଟି ମ୍ୟାଡମ୍ ଙ୍କୁ ପଚାରିବା ଆଗରୁ ସେ ମୋତେ ଦେଖି ନିଜ ତରଫରୁ ଡାକିଲେ। ଯେମିତି ମୋ ଲାଗି ସେ ପ୍ରତୀକ୍ଷିତ ଥିଲେ। ସାଙ୍ଗେ ସାଙ୍ଗେ ଗୋଟିଏ ଫାଇଲ୍ ଖେଳେଇ ଖାମ୍ ଟେ ଆଣି ମୋ ହାତରେ ଧରେଇ ଦେଲେ। ମୁଁ କିଛି ବୁଝି ପାରୁ ନ ଥିଲି। ପଚାରିଲି -ଏଇଟା କଣ? 


ସେ କହିଲେ-ତମେ ଆଗେ ଦେଖ। ସବୁ ବୁଝି ପାରିବ। ତମେ ଯିବା ପର ଦିନ ମିହାନ ଆସିଥିଲା। ଏଇ କାର୍ଡଟିକୁ କରିଡରରେ ଛାଡି ଚାଲି ଯାଇଥିଲା। 


ତାଙ୍କଠୁ ଏତିକି କଥା ଶୁଣିବା ପରେ ମୁଁ ଆଉ ନିଜକୁ ସମ୍ଭାଳି ପାରିଲିନି।ଖାମ୍ ଭିତରେ କଣ ଅଛି ଦେଖିବାକୁ ଯାଇ ପାଇଲି ଗୋଟିଏ ହଳଦିଆ ରଙ୍ଗର କାର୍ଡ଼। ସେଥିରେ ନୀଳ ପେନ୍ ରେ ମୋ ପାଇଁ ଲେଖିଥିଲ ଚିଠି ଟିଏ। ମୋହନା ରହିଗଲା। 


ଏମିତି ସେ ଚିଠିରେ କଣ ଲେଖା ଥିଲା? ତା'ର ମନର ସବୁ ଭ୍ରମ ଦୂର ହୋଇଗଲା। ପୁଣି ଥରେ ମିହାନକୁ ନିଜର କରି ନେଲା। ସେ ତ ଆସିଥିଲା ତାକୁ ଥରେ ଦେଖିଯିବା ପାଇଁ ଅଥଚ ସବୁଦିନ ପାଇଁ ରହିଗଲା। ଚିଠିରେ ଲେଖା ଥିଲା -


ମୋ ମନର ପ୍ରିୟତମା ମୋହନା,


        ମୁଁ କେବେ ପରିକଳ୍ପନା କରି ନଥିଲି ଆମ ବାହାଘର କଥା ଟିକୁ ତମେ ଏତେ ଷ୍ଟପିଡ୍ ନେସ୍ ଭାବରେ ପ୍ରପୋଜ୍ କରିବ। ତମର ମନେ ଅଛି ନା? ପ୍ରଥମଥର ପ୍ରେମ ନିବେଦନ ମୁଁ ତମକୁ କେମିତି କରିଥିଲି? କ୍ଲାସ୍ ଶେଷ ପରେ ଫ୍ୟାନ ଉପରେ ଗୋଲାପର ପାଖୁଡା ବିଛେଇ ସୁଇଚ୍ ଅନ୍ କରିଥିଲି। ତମ ଉପରେ ଯେବେ ଫୁଲ ର ବର୍ଷା ହେଉଥିଲା ,ସେତିକିବେଳେ ମୁଁ ତମ ହାତ ଧରି କହିଥିଲି ପ୍ଲିଜ୍, ଆକସେପଟ ମାଇଁ ପ୍ରପୋଜାଲ। ଆଇ କ୍ୟାଣ୍ଟ୍ ଲିଭ୍ ଉଇଦାଉଟ୍ ୟୁ। ମୁଁ ତମ ବିନା ବଞ୍ଚି ପାରିବିନି। ସତ କହୁଛି। ତମେ ହସି ହସି ମୋ କାନ୍ଧରେ ଢଳି ଯାଇ କହିଥିଲ-ମୁଁ ତମର ପ୍ରପୋଜାଲ ଗ୍ରହଣ କଲି। 


ସତରେ! କେତେ ରୋମାଞ୍ଚକ ଭରା ଥିଲା ସେଇ ମୁହୂର୍ତ୍ତଟି। ଆଜି ବି ମନେ ପଡିଲେ ଦେହରେ ଅଜବ ପୁଲକ ଖେଳିଯାଏ। ଆଉ ତମେ! କହିଲ କଣନା ମୋତେ ବାହା ହେବ ମିହାନ? ମୋତେ ଲାଗିଲା ଯେମିତି କଲେଜରୁ ଫେରିବା ବାଟରେ ରାସ୍ତା କଡରେ ଆଇସ୍କ୍ରିମ୍ ବାଲାକୁ ଦେଖି କୁହ" ଆଇସ୍କ୍ରିମ୍ ଖାଇବା"?ଠିକ୍ ସେମିତି। ମୁଁ ତ ପରୀକ୍ଷା ପୂର୍ବରୁ ସ୍ଥିର କରି ସାରିଥିଲି ଛୁଟି ପରେ ତମ ସହ ଘରକୁ ଯାଇ ତମ ବାପାଙ୍କ ସହ ଆମ ମ୍ୟାରେଜ ବିଷୟରେ କଥା ହେବି। 


ହେଲେ ତମେ ଏମିତି ପଚାରି ବସିଲ ଯେମିତି ମୋ ଉପରେ ତମର ଭରସା ନାହିଁ। ମୁଁ ତମ ସହ ଭଲପାଇବା ର ଅଭିନୟ କରୁଛି। 


ମୁଁ ବି ଟିକେ ବଦମାସ୍ ହେଇଗଲି। ତମର ଏମିତି କଥା ଶୁଣି ତମ କୃଷ୍ଣଚୂଡ଼ା ଗଛ ର ରାଣ ନେଇ ମିଛ କହିଦେଲି। ସାଜି ବସିଲି ତମ ପାଇଁ ପ୍ରତାରିତ ପ୍ରେମିକ।ହେଲେ କାଲି ତମେ ସରପ୍ରାଇଜ୍ ଟା ପାଇବା ପରେ ଯେତିକି ଆଖିରେ ଲୁହ ନେଇ ଯାଇଛ ତାଠୁ କାହିଁ କେତେ ଗୁଣା ହସର ବିନ୍ଦୁ ଝରେଇବ ମୋ ହାତ ପାପୁଲିରେ। 


ତମେ ଜାଣିଛ, କାଲି ମୁଁ ତମକୁ କେମିତି ପ୍ରପୋଜ୍ କରିବି? ସାତଟି ନାଲି ଗୋଲାପ ଫୁଲ ତମ ହାତରେ ଧରେଇ କହିବି"ଉଇଲ୍ ୟୁ ମ୍ୟାରି ମି? "


ସାତଟା ଗୋଲାପ ଫୁଲ କଣ ପାଇଁ ଭାବିଲ? ସମସ୍ତେ କୁଆଡ଼େ କହନ୍ତି ପରା ବାହାଘର ର ପବିତ୍ର ସମ୍ପର୍କ ଟା ସାତଜନ୍ମ ପାଇଁ। ସେଥିଲାଗି ମୋ ତରଫରୁ ତମକୁ ସାତ ଟା ଗୋଲାପ।

ତା'ପରେ ତମେ ସବୁ ଫୁଲ ର ବାସ୍ନା ନିଜ ଭିତରକୁ ନେଇ ମୋ ଉପରେ ଅଜାଡି ହେଇଯିବ ଶ୍ରାବଣର ବର୍ଷା ଧାରା ପରି।..... ତମ କୃଷ୍ଣଚୂଡ଼ା ଗଛର ରାଣ ନେଇ ମିଛ କହିଥିବାରୁ କ୍ଷମା କରିଦେବ। ମୁଁ ତମକୁ ବହୁତ ବହୁତ ଭଲପାଏ। 


ପ୍ରେମରେ ପଡିବା ଦିନ ଠାରୁ କେବେ ତମ ପାଖକୁ ଖଣ୍ଡେ ଚିଠି ଲେଖି ନ ଥିଲି। ଆଜି ତମ ଭାବନାରେ ହଜି ପ୍ରଥମଥର ପାଇଁ କିଛି ଲେଖୁଛି। ଗୋଲାପ ଫୁଲ ସହ ତମକୁ ଏଇଟା ବି ଦେବି ବୋଲି ଭାବୁଛି। ୟାକୁ ସାରା ଜୀବନ ସାଇତି ରଖିବ।କଣ ପାଇଁ ସାଇତି ରଖିବ?କାହିଁକି ନା ୟାକୁ ଲେଖୁ ଲେଖୁ କୃଷ୍ଣଚୂଡ଼ା ଗଛ ତଳେ ମୋର ରାତି ଭରା ଆକାଶଟା ବର୍ଚ୍ଛା ହୋଇଗଲା। ମୋ କହିବା ଅର୍ଥ ଗୁଡ୍ ମର୍ଣ୍ଣିଂ ହେଇଗଲା ଷ୍ଟୁପିଡ୍। 


..........just for you... .......


ବାସ୍! ଏତିକି ଲେଖା ଥିଲା ଚିଠିରେ। ଚିଠି ଟି ପଢିସାରିବା ବେଳକୁ ମୋହନା ଆଖିର ଅସୁମାରି ଲୁହ କାର୍ଡ଼ ଟିକୁ ପୂରାପୂରି ଭିଜେଇ ସାରିଥିଲା। 


ଏବେ ମୋହନା ପଚାରିଲା-ଚିଠି ଟି ପଢି ସାରିବା ପରେ ମୁଁ କେମିତି ଫେରି ଯାଇଥାନ୍ତି? 


ଆଖି ଭିଜି ଆସିଲା ମିହାନର। ଗଛ ଆଡକୁ ଟିକେ ଚାହିଁଲା। ତା'ପରେ କହିଲା-ତମ କୃଷ୍ଣଚୂଡା ଗଛର ରାଣ! ମୁଁ ତମ ଛଡା କେବେ କାହାକୁ ମ୍ୟାରେଜ କରିବା କଥା ଭାବି ନଥିଲି। 



Rate this content
Log in

Similar oriya story from Romance