Manorama Hati

Romance

2.5  

Manorama Hati

Romance

ଅଢେଇ ଅକ୍ଷର

ଅଢେଇ ଅକ୍ଷର

6 mins
580



ସମସ୍ତେ କହୁଛନ୍ତି ଆଜିକାଲି ପ୍ରେମର ମାନେ ଚାଟିଙ୍ଗ୍, ଡେଟି୍ଙ୍ଗ ଆଉ ତାପରେ ଶେଷ। ପ୍ରେମର ସୀମାରେଖା ଟା କଫିବାର, ପାର୍କ, ସିନେମାହଲ୍ ର ଆବଦ୍ଧପଣରେ। ପ୍ରେମର ମାନେ ଗୁଡାଏ ଚକଲେଟ୍,ଉପହାର,ଚୋବେଇସାରିଥିବା ଚୁଇଂଗମ୍ ପରି ଫିକା ଫିକା ସ୍ୱାଦ। ତମର ମନେ ଅଛି ମେହେକ, ଦିନେ ସପ୍ତମ ଶ୍ରେଣୀରେ ମୋ ହସ୍ତାକ୍ଷର ଖାତାରେ ଲେଖିଥିବା ମୋ ନାଁ ପାଖରେ ତମ ନାଁ? ସେଇ ଖାତାଟିକୁ ଆଜିଯାଏଁ ସାଇତି ରଖିଛି। ସେଇ ଖାତା ହିଁ ତୁମର ଶେଷ ସନ୍ତକ, ଶେଷ ସ୍ମୃତି।ଜାଣିନି ତମେ କେବେ ଫେରିବ? ତଥାପି ମୋ ଅପେକ୍ଷା ଜାରି ରହିଛି, ଅସରନ୍ତି ପଥର ଅସହାୟ ପଥିକଟେ ର ଯାତ୍ରା ପରି।ଦୃଢ ବିଶ୍ୱାସ, ତମେ ଫେରିଆସି ଦିନେ ନା ଦିନେ ମନ କାଗଜରେ ନାଁ ଲେଖିଦବ। 


ଏଇ ବିଶ୍ୱାସ ନେଇ ଦୀର୍ଘ ବାରବର୍ଷ ହେଲା ମୋହନା ବଞ୍ଚି ଚାଲିଛି। ମେହେକ ସହ ବିତିଥିବା ମୁହୂର୍ତ୍ତଗୁଡାକୁ ପ୍ରତିଦିନ ଭାବନାରେ ଆଙ୍କିଚାଲିଛି। ଆଜି ବି ସେ ମୁହୂର୍ତ୍ତଗୁଡାକ ତା ପାଇଁ ସଜ ଫୁଟା ଫୁଲ ପରି। 


ସୋନା ଆସି ହଲେଇଦେଲା ତାକୁ। 

-ଓଃ ଓଃ। କେତେବେଳୁ ଡାକିଲାଣି ତତେ। ଏଠି କଣ କରୁଛୁ? ଏଠି ଅଛୁ ନା ଆମେରିକାରେ? ଶୁଣାଯାଉନି ମୋ କଥା। 


ମୋହନା ହସିଲା। -ଥାଉ ଥାଉ। ଏତେ ଜୋରରେ ଚିଲାନା। କହ କଣ କାମ ଥିଲା? 


-କାମ ତ କିଛି ନାହିଁ। ତୋରି କଥା ଭାବୁଥିଲି। ଆଚ୍ଛା କହିଲୁ,ତୁ ଯେମିତି ସକାଳ ହେବା ଠାରୁ ରାତି ହେବା ପର୍ଯ୍ୟନ୍ତ ମେହେକ କଥା ଭାବୁଛୁ ସେ ତୋ କଥା ଭାବୁଥିବ କି ନାହିଁ ଜାଣିନୁ? ସେ ତତେ ମନେ ରଖିଛି କି ନାହିଁ ଜାଣିନୁ? ସେ ଫେରିବ କି ନାହିଁ ଜାଣିନୁ? ଯଦିଓ ଫେରିବ ସେ ତୋର ହେଇ ଫେରିବ କି ନାହିଁ ଜାଣିନୁ? ତାହେଲେ କାହିଁକି ତାକୁ ଅଯଥା ଭଲପାଇ ଅପେକ୍ଷା କରି ନିଜ ମନକୁ କଷ୍ଟ ଦଉଛୁ? ତୋର ଏ କଷ୍ଟ ନା ମୁଁ ସହିପାରୁନି। 


-ସହିପାରୁନୁ ଯଦି ତୋ ପାଟି ଟା ବନ୍ଦ ରଖିବୁ। 


-ଏମିତି କଣ କହିଲି ଯେ ତୋତେ ବାଧିଗଲା କଥା ଟା! ତୁ ତର୍କଶାସ୍ତ୍ର ର ଛାତ୍ରୀ ହେଇ ଏମିତି ଭାବପ୍ରବଣତାର 

ପାଠ ଭିତରେ ଭିତରେ ପଢୁଥିବୁ ବୋଲି ମୁଁ କେବେ ଭାବି ନଥିଲି ବେ।

ଥରେ ଭାବିଲୁ ସେ ଆମେରିକାର ଦୀର୍ଘ ବାରବର୍ଷ ରହିବା ପରେ ତା ଜୀବନଶୈଳୀ ବଦଳି ଯାଇଥିବ। ରୁଚି ତ ନିଶ୍ଚୟ ବଦଳିଥିବ। ମୋ କହିବା କଥା ସେ ତୋ ପରି ଝିଅକୁ ବି ପସନ୍ଦ କରୁ ନ ଥିବ। ମୋ ମନ କହୁଛି ସେ କୋଉ ଆମେରିକା ଚଢେଇ ପ୍ରମରେ ଏବେ ଉବୁଟୁବୁ ହେଉଥିବ। 


-ଏଠୁ ଯିବୁ ନା ତୋ ମୁଣ୍ଡ ଫଟେଇଦେବି!


-ମୋ ମୁଣ୍ଡ ପଛରେ ଫଟେଇବୁ। ମାଉସୀ କଣ କହୁଥିଲେ ଜାଣୁ! ଏଇ ମାସରେ ତୋ ବାହାଘର ଫାଇନାଲ କରିକି ରହିବେ। ଏଥର କଣ କହି ମାଉସୀଙ୍କ ପ୍ରସ୍ତାବ କୁ ଅଣଦେଖା କରିବୁ ସେ କଥା ଭାବିଥା। ଏଥର ତୋର କୌଣସି ବାହାନା କାମ ଦେବନି ଜାଣିଥା। ମୋ କଥା ମାନ, ସେ ପ୍ରେମ ଫ୍ରେମ ଭୁଲିଯା। ପ୍ରେମ ସେ ଶାହାଜାହାନ ଯୁଗରେ ହେଉଥିଲା। ଏବେ ତ ଖାଲି ବାହାଘର ହଉଛି। 


-ତୋ ଭାଷଣବାଜି ସରିଗଲା ତ ଯାଇପାରୁ ମୋହନା ରାଗରେ କହିଲା। 


-ଏବେ ଯାଏ ଗୁଡ୍ ନ୍ୟୁଜ୍ ଟା ତତେ ଦେଇନି ଯେ! କେମିତି ଚାଲି ଯିବି ମୋ! ଶୁଣ୍, ଭଲ ଖବର ଟା ହେଲା ତୋ ମନର ପ୍ରିୟତମ ଆସନ୍ତା କୋଡିଏ ତାରିଖରେ ଭାରତ ମାନେ ତାଙ୍କର ଘରକୁ ଫେରୁଛନ୍ତି। ରୀନା ମାଉସୀ ମାନେ ତୋ ଶାଶୂମା କହୁଥିଲେ। ଆଜି ସୀମା ସହ ତା ବାହାଘର କାର୍ଡ଼ ଦବାକୁ ଯାଇଥିଲି ତ ମିଷ୍ଟର ଆମେରିକା ବିଷୟରେ ଟିକେ ପଚାରିଦେଲି। 


ମୋହନା ଖୁସିରେ ତାକୁ ଜାବୁଡି ଧରିଲା। -ତୁ ସତ କହୁଛୁ? 


-ହଁ, ବାବା ମୁଁ ସତ କହୁଛି। ହେଲେ ଏତେ ଖୁସି କାହିଁ ହଉଛୁ? ଯେମିତି ସେ ସିଧା ତୋ ପାଖକୁ ଫେରିବ?


ମୋହନା ଆଉ କିଛି ଶୁଣିବା ଅବସ୍ଥାରେ ନ ଥିଲା। ନିଜ ରୁମ୍ ଭିତରକୁ ଚାଲିଗଲା। ସାଇତି ରଖିଥିବା ଆଲମାରି ଭିତରୁ ହସ୍ତାକ୍ଷର ଖାତା ଟିକୁ କାଢିଲା। ଦେଖିଲା ସେଇ ପୃଷ୍ଠା ଟିକୁ। ଯେଉଁ ପୃଷ୍ଠା ଟିରେ ତା ନାଁ ପାଖରେ ମେହେକ ନାଁ ଲେଖା ଦେଇଥିଲା। ଏମିତି କାହିଁକି ଲେଖିଲ ପଚାରିବାରୁ କହିଥିଲା-"ଆଜିଠାରୁ ସାରା ଜୀବନ ତମ ନାଁ ପାଖରେ ମୋ ନାଁ ହିଁ ରହିବ। ମୁଁ ଜାଣିନି ତମେ ମୋ କଥା ବୁଝି ପାରୁଛ କି ନାହିଁ। ଯଦି ବୁଝି ପାରିଥିବ ତାହେଲେ ମୋ ପାଇଁ ଅପେକ୍ଷା ନିଶ୍ଚୟ କରିଥିବ। କାଲି ଆମେରିକା ଯାଉଛି ଅପାଙ୍କ (ପିଉସୀ)ସହିତ।ଜାଣିନି କେବେ ଫେରିବି।ଏଠିକାର ସବୁ କଥା ବହୁତ ମନେପଡିବ। ତମେ କିନ୍ତୁ ସବୁଠୁ ବେଶୀ ମନେପଡିବ। ଆସୁଛି ମୋହନା। "


ଏତିକି ଥିଲା ଶେଷ କଥା ଦୁହିଁଙ୍କ ମଧ୍ୟରେ ଆଉ ଶେଷ ଦେଖା ବି। ମେହେକ ର ଏତେ ସବୁ କଥା ପରେ କେମିତି ସେ ତାକୁ ଭୁଲି ଯାଇଥାନ୍ତା? କେମିତି ତା ନାଁ କୁ ନିଜ ନାଁ ପାଖରୁ ଲିଭେଇ ଦେଇଥାନ୍ତି? 


ମେହେକ ଯଦି ଯିବା ପୂର୍ବରୁ ଏସବୁ କହି ନଥାନ୍ତା ହୁଏତ ତା ପାଇଁ ତା ମନରେ ସୃଷ୍ଟି ହୋଇଥିବା ଭଲପାଇବା କୁ ସହଜରେ ଛାତିର କୋଉ ଅଜଣା ଇଲାକାରେ କୋଉଠି ନା କୋଉଠି ସମାଧି ଦେଇ ଦେଇଥାନ୍ତା। ହେଲେ ପ୍ରେମ ର ପରିପ୍ରକାଶ କରି ମେହେକ ତା ଭଲପାଇବା ର କାନ୍ଥକୁ ଆହୁରି ମଜଭୁତ କରିଦେଲା।


ଏବେ ତ ପ୍ରତିଟି ମୁହୂର୍ତ୍ତ ଗୋଟେ ଗୋଟେ ଯୁଗ ପରି ମନେ ହେଉଥିଲା। ଦଶଦିନ ର ଅପେକ୍ଷା ଦଶବର୍ଷ ପରି ଲାଗୁଥିଲା। ଅଥଚ ଦଶବର୍ଷ ଅପେକ୍ଷାର ଘଡି କେମିତି ବିତେଇଦେଲା କେଜାଣି? 


ଆଜି ଅପେକ୍ଷାର ଅନ୍ତ ଘଟିଛି। ଖାଲି ମେହେକର ଆସିବାକୁ ଅପେକ୍ଷା। 

ସୋନା କହିଲା-ଆବେ ତୋ ଆମେରିକା ପ୍ରେମିକ ଆସିଗଲା ନା କଣ! ଦେଖ୍ ଦେଖ୍ ସେ ଧଳାକାର୍ ଟା ଗେଟ୍ ପାଖେ ରହିଲା ନା କଣ! 


ମୋହନା ଯେବେ ଖୁସିରେ ଛାତରୁ ଦୌଡି ଆସି ତଳ ମହଲାର ସିଡି ଓହ୍ଲେଇ ଆସୁଥିଲା ଦେଖିଲା ମେହେକ କୋଉ ବିଦେଶୀ ଝିଅ ର ହାତ ଧରି ହସି ହସି ଆସୁଛି। ସେ ଝିଅ ବିବାହିତ ଥିଲା। ତା ହାତରେ ଶଙ୍ଖା, ମଥାରେ ସିନ୍ଦୂର ଯଥେଷ୍ଟ ଥିଲା ବୁଝିବାକୁ ଯେ, ମେହେକ ଆଉ ତାର ହେଇ ରହିନାହିଁ। ଯେତେ ଖୁସିରେ ପାହାଚ ଓହ୍ଲେଇଥିଲା ତାଠୁ ଢେର ଉଦାସର ରଙ୍ଗ ଚେହେରାରେ ମାଖି ମେହେକର କଡ ଦେଇ ବାହାରିଗଲା ବାହାରକୁ। 


ରାତି ଆଠଟା ବେଳକୁ ମୋହନା ଫେରିଲା। ମା କହିଲେ- ଶୁଣ୍ ।ଆଜି ତୋ ପାଇଁ ଭଲ ପ୍ରସ୍ତାବ ଟେ ଆସିଛି। ମୋ ସୁନା ଝିଅ ଟା ଯେମିତି ମନା ନ କରୁ। ବାପାଙ୍କ ଖୁସି ର ତ ଠିକଣା ନାହିଁ। 


-ତମ ଖୁସିରେ ମୋ ଖୁସି ମା ,କହି ଉପରକୁ ଚାଲିଗଲା ନିଜ ରୁମ୍ କୁ। ଦରଜା ଆଉଜେଇ ଖୁବ୍ କାନ୍ଦିବା ପରେ ନିଷ୍ପତ୍ତି ନେଲା, ମେହେକ ଯଦି ତାକୁ ଭୁଲିପାରିଲା ସେ ବି ଭୁଲିଯିବ। 


ଭୁଲିବାକୁ ଚାହିଁଲେ କାହାକୁ କଣ ସତରେ ଭୁଲି ହେଇଯାଏ! ଦୀର୍ଘ ଏକ ମାସ ମଧ୍ୟରେ ଏମିତି ଗୋଟିଏ ମୁହୂର୍ତ୍ତ ନଥିଲା ଯେବେ ମେହେକ ତାର ମନେପଡି ନ ଥିଲା! ତା ଉପରେ ଭଲପାଇବା ଠାରୁ ବେଶୀ ଅଭିମାନ ଆସୁଥିଲା। ମେହେକ! ତମେ କ'ଣ ଏଇଦିନ ଦେଖେଇବା ପାଇଁ ମୋତେ ଅପେକ୍ଷା କରିବାକୁ କହିଥିଲ?କେତେକେତେ କଥା ଥିଲା ତମକୁ କହିବା ପାଇଁ। ହେଲେ ତମେ ଆଉ କାହାର ହେବା ପରେ ତମ ସାମନାରେ ବସି କେମିତି ଆଉ କଥା ହେଇ ପାରିଥାନ୍ତି! କଥା ହେଇଥାନ୍ତି ତ କି କଥା ହେଇଥାନ୍ତି! 


ତମେ କ'ଣ କେବେ ବିଶ୍ୱାସ କରିବ, ତମର ସେଇ ଶେଷ ଦେଖା ଠାରୁ ଆଜି ପର୍ଯ୍ୟନ୍ତ ଗୋଟେ ଗୋଟେ ରାତି ତମ ଅପେକ୍ଷାରେ ଉଜାଗରରେ ବିତିଛି ଆକାଶର ତାରା ଗଣି ଗଣି। ଝରକା ଫାଙ୍କରେ ଜହ୍ନ ଦେଖି ଦେଖି। ମୋ ଆଖିର ସ୍ୱପ୍ନ କହିଲେ ତମ ପରିଚୟରେ ପରିଚିତ ହେବା। 


ଏବେ ତ ତମକୁ କହିବା ପାଇଁ ମୋ ପାଖରେ ଆଉ କିଛି ବି କଥା ନାହିଁ। ମୋ ପ୍ରେମ ଏତେ ତ କମଜୋର ନୁହେଁ ଯେ ତମ ପ୍ରତି ପ୍ରତିହିଂସା ହୋଇ ଉଠିବ। ଭଗବାନ ଙ୍କ ପାଖରେ ପ୍ରାର୍ଥନା କରୁଛି ତମେ ଯାହା ସହ ବି ରୁହ ଖୁସି ଖୁସି ରହିଥାଅ ସାରା ଜୀବନଟା। 


ମୋହନା ର ଆଜି ବାହାଘର ଥିଲା। ନବବଧୂ ବେଶରେ ସଜେଇ ହେଇ ବସିଛି। ସୋନା ଆସି ପାଖରେ ବସିଗଲା। -ତୁ ମୋ ଉପରେ ବହୁତ ରାଗୁଥିବୁ ମନେ ମନେ ନା! ମୁଁ ସବୁବେଳେ ଯାହା କହୁଥିଲି ସେଇଆ ହିଁ ହେଲା। ହେଲେ ମୋତେ ବିଶ୍ୱାସ କର। ତୋ ରାଣ! ମୁଁ ଉପରକୁ ସେମିତି କଥା ଖାଲି ତତେ ଚିଡେଇବାକୁ କହୁଥିଲି। ଭିତରେ କିନ୍ତୁ ତୋ ମହେକ ତତେ ମିଳିଯାଉ ବୋଲି ଚାହୁଁଥିଲି। ଏ କଥା ର ସାକ୍ଷୀ ଆମ ଗାଁ ମହାଦେବ। ତୁ ମୋତେ କହୁନା ସବୁଦିନ ଶିବ ମନ୍ଦିର ଯାଉଛୁ କ'ଣ ଶିବଙ୍କ ଠାରୁ ଭଲ ବରଟେ ପାଇବୁ ବୋଲି! ସତ କଥା ହେଲା ମନ୍ଦିର ମୁଁ ତୋ ପାଇଁ ଯାଉଥିଲି। ତୋ ପ୍ରେମ ସଫଳ ହେଉ ବୋଲି ନିତି ମହାଦେବ ଆଉ ପାର୍ବତୀ ମାଙ୍କୁ କହୁଥିଲି। ମା ପାର୍ବତୀ ତ କେତେ ତପସ୍ୟା କରି ଭଗବାନ ଶିବ ଙ୍କୁ ପାଇଥିଲେ ନା! ଅପେକ୍ଷାର କଷ୍ଟ ତାଙ୍କ ଠାରୁ ବେଶୀ କିଏ ବୁଝିବ? ହେଲେ ମୋର ଏତେ ପ୍ରାର୍ଥନା ପରେ ତୋ ପ୍ରେମ କାହାଣୀ ର ଏମିତି ପରିସ୍ଥିତି ଆସିବ ଜାଣିଥିଲେ ନା କେବେ ତାଙ୍କ ଦୁଆର ମୁହଁ ମାଡି ନ ଥାନ୍ତି। କାଲି ପଚାରୁଥିଲୁ ନା ଆଉ କାହିଁ ମନ୍ଦିର ଯାଉନୁ ବୋଲି? ଆଉ କେବେ ବି ମୋ ପାଦ ସେ ମନ୍ଦିର ରେ ପଡିବନି ମୋହନା କହି କାନ୍ଦି ପକାଇଲା ସୋନା। 


ମୁଁ ଆସୁଛି କହି ବାହାରିଥିବା ବେଳେ ମାଉସୀ କହିଲେ ତୁ କୁଆଡେ ଯାଉଛୁ? ବର ଚର୍ଚ୍ଚା କିଏ କରିବ? 


-ତା ବର ଚର୍ଚ୍ଚା ତ ସେଦିନ କରିବି ଯୋଉଦିନ ସିଏ କହିବ କହି ଚାଲିଗଲା ସୋନା। 


ମାଉସୀ ତା କଥା କିଛି ବୁଝିପାରିଲେ ନାହିଁ। ବୁଝିବାକୁ ସମୟ ବି ନ ଥିଲା। ତାଙ୍କର ଆହୁରି ଅନେକ କାମ ବାକିଥିଲା।


    ବାହାଘର ର ପ୍ରଥମ ରାତି ଆଜି। ମୋହନା ବେଡ୍ ଉପରେ ବସି ନିଜ ଅତୀତ ର ଭାବନାରେ ହଜି ରହି ଥିବା ବେଳେ କାହାର ପାଦ ଶବ୍ଦ ଶୁଣି ଚମକି ପଡ଼ିଲା ଆଉ ଓଢଣା ଖୋଲି ଯାହାକୁ ଦେଖିଲା ଆଖିକୁ ବିଶ୍ୱାସ ହେଉ ନ ଥିଲା। ସତରେ କଣ ତା ସାମନାରେ ତା ହୃଦୟର ମଣିଷଟି ଠିଆହେଇଛି ନା ତା ପରି ଅବିକଳ ଦେଖାଯାଉଛି। ବିଶ୍ୱାସ ସତ ହେବା ପୂର୍ବରୁ ତା ପାଖରେ ବସି ଯାଇଥିଲା ମେହେକ। ହଁ, ସେଇ ମେହେକ ଯାହା ଲାଗି ସେ ଦୀର୍ଘ ବାରବର୍ଷ ଅପେକ୍ଷାରତ ଥିଲା। 


-ଜାଣିଛ ମୋହନା, ପିଲାଦିନେ ତମେ କଳାପଟାରେ ଯାହା ଲେଖୁଥିଲ ଲିଭେଇ ଦଉଥିଲି ସିନା ହେଲେ ମୋ ମନରେ ଲେଖିଦେଇଥିବା ତମର ସେଇ ଅଢେଇ ଅକ୍ଷର କୁ ଏତେ ବର୍ଷ ପରେ ବି ଲିଭେଇ ପାରିନଥିଲି।ଗୋଟେ ଗୋଟେ ମୁହୂର୍ତ୍ତ ଗୋଟେ ଗୋଟେ କ୍ଷଣ ମୋର ତମରି ସ୍ମୃତି ସହିତ ହିଁ ବିତିଛି। 

ସେଦିନ ତମ ଘରକୁ ଯାଇଥିବା ବେଳେ ତମେ ମୋତେ ଦେଖି ଯେମିତି ନ ଚିହ୍ନିଲା ପରି ଚାଲିଗଲ ନା କ'ଣ କ'ଣ ଭାବି ନେଇଥିଲି। ହେଲେ ଯେବେ ବାହାଘର ପାଇଁ ରାଜି ହେଇଗଲ ଦୁନିଆଯାକର ଖୁସି ଯେମିତି ମୋ ହାତ ପାପୁଲିରେ ଭରିଗଲା। ମା କହୁଥିଲେ ୟା ପୂର୍ବରୁ ତମେ ଅନେକ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିସାରିଥିଲ। ତମେ କ'ଣ ସତରେ ମୋ ପାଇଁ ଅପେକ୍ଷା କରିଥିଲ?


ମୋହନା ଆଖିରେ ଅଜସ୍ର ଲୁହ ଟୋପା ଛଳଛଳ ହେଉଥିଲେ। -ନା, ମୁଁ ତମକୁ ଜମା ବି ଅପେକ୍ଷା କରି ନ ଥିଲି।ସେଇ ଶେଷ ଦେଖାରେ ତମ ପାଇଁ ଅପେକ୍ଷା କରିବା ଲାଗି ତମେ କହିବା ପରେ ବି। ହେଲେ ମୋର ପ୍ରତିଟି ସକାଳ ତମର ସେଇ ହସ୍ତାକ୍ଷର ଖାତା ସହ ଆରମ୍ଭ ହେଉଥିଲା ଆଉ ପ୍ରତିଟି ରାତି ତାରି ସହ ଶେଷ ହେଉଥିଲା। ପ୍ରତିଟି ମୁହୂର୍ତ୍ତ ତମକୁ ଥରେ ସାମନାରେ ଦେଖିବା ପାଇଁ ଖାଲି ଯାହା ମରିମରି ଜୀଉଁଥିଲି। 


-ଓଃ ରିଏଲି! ତା ହେଲେ ସେଦିନ ସାମ୍ନାରେ ଦେଖିବା ପରେ ମୋତେ କାହିଁକି ଅଣଦେଖା କରି ଚାଲିଗଲ? 


-ଆଗେ କୁହ, ତମ ସହ ଯିଏ ଥିଲେ ସେ କିଏ? 


-ସେ ମୋ ବଡଭାଉଜ ଆଉ ତମର ବଡଯା। ଆଜି ଭଳି ରାତିରେ ହୃଦୟର ଗତିବେଗ ବଢିବା କଥା ଅଥଚ ତମର ଆଖିଲୁହର ଗତିବେଗ ବଢି ଚାଲିଛି ଯେ? 


-ଏଥିପାଇଁ କାନ୍ଦୁଛି ଯେ ସେଦିନ ତାଙ୍କ ସହ ତମକୁ ଦେଖି ଭାବି ନେଇଥିଲି ତମ ହୃଦୟରେ ମୋ ନାଁ ଟା ଅନେକଦିନୁ ଲିଭିଯାଇଛି। ମା'ଙ୍କ ପ୍ରସ୍ତାବ ରେ ରାଜି ହେବା ପରେ ଅନୁଭବ କଲି ସବୁଦିନ ପାଇଁ ତମକୁ ହରେଇବସିଲି। ହେଲେ ଏବେ ଜାଣୁଛି ଦି'ଟା ଯାକ କଥା ମିଛ। ଖୁସିରେ ଲୁହ ଉପରେ ନିୟନ୍ତ୍ରଣ ରହୁ ନାହିଁ କହି ଧୀରେକି ହସିଦେଲା ମୋହନା।



Rate this content
Log in

Similar oriya story from Romance