STORYMIRROR

Manorama Hati

Inspirational

4  

Manorama Hati

Inspirational

ସେଇ ଅଜଣା ଝିଅଟି ପାଇଁ

ସେଇ ଅଜଣା ଝିଅଟି ପାଇଁ

2 mins
451


ସେଦିନ ମୁଁ ସାଙ୍ଗ ଘରକୁ ଯାଉଛି ,ଅଧଘଣ୍ଟା ଭିତରେ ଫେରି ଆସିବି କହି ମାକୁ ଚାଲି ଆସିଥିଲି ରେଲୱେ ଷ୍ଟେସନ। ଷ୍ଟେସନ ପାଖରେ ଫିରାଦ ମୋତେ ଆଗରୁ ଅପେକ୍ଷା କରି ରହିଥିଲା। ଆମେ ଦୁହେଁ ପରସ୍ପରକୁ ଭଲପାଉଥିଲୁ। ଆମ ଭଲପାଇବାକୁ ଘର ଲୋକ ଆଦୌ ସ୍ୱୀକୃତି ଦେବେ ନାହିଁ ଜାଣିଥିଲୁ। କାରଣ ଫିରାଦ ଥିଲା ମୁସଲମାନ ଆଉ ମୁଁ ହିନ୍ଦୁ। ସେଥିପାଇଁ ଆମେ ନିଷ୍ପତ୍ତି ନେଇଥିଲୁ ଘରୁ ବାହାରି ଯାଇ ଅଲଗା କେଉଁଠି ନୂଆ ଏକ ପୃଥିବୀ ତିଆରି କରିବୁ ଆମର। 


ମୋତେ ଦେଖି ଫିରାଦ ମୁହଁରେ ଖୁସିର ଝଲକ ଟିଏ ଖେଳିଗଲା। ସତରେ! ତମେ ଆସିଲ! ମୁଁ ତ ଭାବିଥିଲି ତମେ ଆସିବନି ବୋଧେ! 


-ତମ ପାଇଁ ତ ମୁଁ ସାରା ଦୁନିଆ ଛାଡିବା ପାଇଁ ପ୍ରସ୍ତୁତ କହି ଟ୍ରେନ୍ ରେ ଚଢିଗଲି। ସେ ବି। 


ଦୁହେଁ ଯେଉଁଠି ବସିଥିଲୁ ସାମନାରେ ଜଣେ ଝିଅ ବସିଥିଲା। ସେ ଖୁବ୍ ଉଦାସ ଦେଖା ଯାଉଥିଲା। ଫୋନରେ କାହା ସହ ଧୀର ସ୍ୱରରେ କଥା ହଉଥିଲା। ତଥାପି ତା କଥା ଭଲସେ ଶୁଣାଯାଉଥିଲା। କହୁଥିଲା-ଯେତେ ଯାହା କଲେବି ଡକ୍ଟର କହିଲେ-ଏବେ ଆଉ କିଛି ବି ଲାଭ ହେବନି ।ଏବେ ଶେଷ ମୁହୂର୍ତ୍ତ। ମୋ ବାପାଙ୍କର ବାକି ରହିଯାଇଥିିବା ଇଚ୍ଛା ଆଉ ସ୍ୱପ୍ନକୁ ତମେ ପୂରା କରିବ ମୋର ବିଶ୍ୱାସ। ମୋ ଭଲପାଇବା ମୋ ମୃତ୍ୟୁ ପରେ ବି ତମ ହୃଦୟରେ ଏମିତି ଚିରଦିନ ସାଇତି ରଖିଥିବ।ସାଇତି ରଖିବ ନା! 


ସେପଟୁ କଣ ଉତ୍ତର ଆସିଲା କେଜାଣି  ଝିଅଟି କାନ୍ଦି କାନ୍ଦି ଫୋନ୍ କାଟି ଦେଲା। ଆଖିରେ ଅସୁମାରି ଲୁହ। 


ମୁଁ ଆଉ ସମ୍ଭାଳି ନ ରହି ପଚାରି ଦେଲି କଣ ହେଇଛି ତମର? 


ସେ ଏଥର ଲୁହ ପୋଛି କହିଲା-ମୋତେ କ୍ୟାନସର। ଲାଷ୍ଟ ଷ୍ଟେଜ୍ ଏବେ। ମୋତେ ମୃତ୍ୟୁ ପାଇଁ କୌଣସି ଦୁଃଖ ନାହିଁ। ଖାଲି ବାପାଙ୍କର ସ୍ୱପ୍ନ ଯାହା ପୂରା କରି ପାରିବିନି। ଏତିକି ଅବଶୋଷ। ବାପାମା କେତେ ଆଶା ନେଇ ମୋତେ ନିଜ ପାଦରେ ଠିଆ କରେଇ ଥିଲେ। ହେଲେ ଦେଖ, ନିଜକୁ ନିଜେ ଠିଆ ହେବା ବେଳକୁ ଏ ଦଗାବାଜ ମୃତ୍ୟୁଟା ମୋତେ ବଞ୍ଚିବାରୁ ବଞ୍ଚିତ କରୁଛି। ଏ ଦୁନିଆରେ ସବୁଠାରୁ ବଡ ଖୁସି କଣ ଜାଣିଛ, ବାପାମାଙ୍କର ସ୍ୱପ୍ନକୁ ସାକାର କରିବାର ମୁହୂର୍ତ୍ତ ଟିକକ। ଯୋଉଟା ମୋ ଭାଗ୍ୟରେ ଲେଖା ନାହିଁ। ହେଲେ ରିତମ୍ କହିଛନ୍ତି ସେ ମୋର ସବୁ ସ୍ୱପ୍ନକୁ ଗୋଟି ଗୋଟି ପୂରା କରିବେ। ସେ ମୋତେ ବହୁତ ଭଲପାଆନ୍ତି। ଏମିତି କି ମୁଁ ଆଉ କିଛି ଦିନ ପାଇଁ ଜାଣିବା ପରେ ବି ସେ ମୋତେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। ଆମ ମ୍ୟାରେଜ କାର୍ଡ଼ ବି ବଣ୍ଟା ସରିଲାଣି। ଗୋଟିଏ କାର୍ଡ଼ ନିଜ ଭ୍ୟାନିଟ୍ ରୁ ବାହାର କରି ବଢେଇଦେଲା। ନିଅ ତମେ ବି ଆସିବ। ଏ ବିରଳ ବିବାହକୁ। 


ଏସବୁ ଶୁଣି ଖୁବ୍ ଅପମାନିତ ବୋଧ ଲାଗିଲା ମୁଁ ନେଇଥିବା ଭୁଲ୍ ନିଷ୍ପତ୍ତି ବିଷୟରେ ଭାବି। ସେ ଝିଅ ତା ବାପା ମା ଙ୍କ ର ସବୁ ସ୍ୱପ୍ନ ପୂରା କରିବାକୁ ଚାହୁଁଛି ହେଲେ ସମୟ ନାହିଁ ତା ପାଖେ ଆଉ ମୁଁ? ମୋ ବାପାମାଙ୍କର ସବୁ ସ୍ୱପ୍ନକୁ ଆଡେଇ ଚାଲି ଆସିଲି କେଇଟା ଦିନର ଭଲପାଇବା ପାଇଁ। 


ଏଥର ଷ୍ଟପେଜ୍ ପାଖରେ ଓହ୍ଲେଇବା ପରେ ମୁଁ ଫିରାଦକୁ କହିଲି-ମୁଁ ଘରକୁ ଫେରି ଯିବି। ଆର ଟ୍ରେନରେ। ବାପାମା ବହୁତ ବ୍ୟସ୍ତ ହେଉଥିବେ। ବାପାଙ୍କର ଅନେକ ସ୍ୱପ୍ନ ଅଛି। ଯାହା ମୋତେ ପୂରା କରିବାର ଅଛି। ଅନେକ ମୁହୂର୍ତ୍ତ ବି ତାଙ୍କ ସାଥେ ଜୀଇଁବାର ଅଛି। ତମେ ଯଦି ମୋତେ ସତରେ ଭଲପାଉଥାଅ ତାହେଲେ ନିଜେ ଯାଇ ଆମ ଭଲପାଇବା ବିଷୟରେ ଘରେ କହିବ। ମୁଁ ବି ବୁଝେଇବାକୁ ଚେଷ୍ଟା କରିବି। ଯଦି ବୁଝିଗଲେ ମ୍ୟାରେଜ କରିବା ନହେଲେ ତମ ରାସ୍ତା ମୋ ରାସ୍ତା ଅଲଗା। ଏବେ ଏବେ ଅନୁଭବ କଲି ବାପାମାଙ୍କ ଖୁସି ଆଗରେ ଦୁନିଆର ସବୁ ଖୁସି ମୂଲ୍ୟହୀନ। ଫିରାଦ ବି କୋଉଠି ନା କୋଉଠି ମୋ କଥାକୁ ଅନୁଭବ କରି ସାରିଥିଲା। କହିଲା-ହଁ, ତମେ ଠିକ୍ କହିଛ। 


ସତରେ! ଏ ନିଷ୍ପତ୍ତିଟା ମୋ ଜୀବନର ଖୁବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଥିଲା। ଯାହାକୁ ମୁଁ ସେଇ ଅଜଣା ଝିଅଟି ପାଇଁ ଠିକ୍ ଭାବରେ ଗ୍ରହଣ କରି ପାରିଥିଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational