ଇଣ୍ଟରଭ୍ୟୁ
ଇଣ୍ଟରଭ୍ୟୁ


ଫ୍ରିଜା କହିଲା-ଟିକେ ରହିବ?
ରିଜାନ ଗାଡିର ଗତିବେଗ ସ୍ଲୋ କରି ରହିଲା ।
-ଶୁଣ! ଘଣ୍ଟାଏ ହେଲାଣି ଅଟୋବାଲାକୁ ଅପେକ୍ଷା କରିଛି, ହେଲେ ଅଟୋମାନଙ୍କର ଦେଖା ହିଁ ମିଳୁନି । ଯେମିତି ସହରରୁ ଅଟୋ ଅଦୃଶ୍ୟ ହୋଇ ଯାଇଛନ୍ତି । ମୋର ସ୍ୱସ୍ତି ପ୍ଲାଜାରେ ଇଣ୍ଟରଭ୍ୟୁ ଥିଲା । ଯଦି ଠିକ ଟାଇମରେ ନ ପହଞ୍ଚେ ବେକାର ହେଇଯିବ ମୋ ଜୀବନ ଟା । ସେଇଠି ଟିକେ ଛାଡିଦବ ମୋତେ ।
-ଏମିତି କଣ କହୁଛ? ହେଲପ ମାଗୁଛ, ହେଲପ କେମିତି ମଗାଯାଏ ଜାଣିନ?
-କାଇଁ, ତମକୁ ମୋ ହେଲପ ମାଗିବାଟା କେମିତି ଲାଗିଲା ଜାଣେ!
-ଆତଙ୍କବାଦୀ ଧମକାଇବା ଭଳି । ତମ ଚେହେରା, ସାଦାସିଧା ବେଶପୋଷାକ ସହ କଥାବାର୍ତ୍ତାର ଟିକେ ବି ସାମଞ୍ଜସ୍ୟ ନାହିଁ ।
-ରହିବା ଜରୁରୀ ନୁହେଁ । ଦୁର୍ଗା ମା ବି ତ ଶାଢୀରେ ମହିଷାସୁରକୁ ବଧ କରିଥିଲେ କହି ଫ୍ରିଜା ପଛରେ ବସିଗଲା ।
ମା କହିଛନ୍ତି କୌଣସି ଝିଅ ପିଲା ଛୋଟମୋଟ ସାହାଯ୍ୟ ମାଗିଲେ କରିଦବୁ । କେବେ ବି ସେମାନଙ୍କୁ ଅଣଦେଖା କରିବୁନି । ସେଥିପାଇଁ ତମକୁ ସାଙ୍ଗରେ ନଉଛି । ନହେଲେ ଆଦୌ ନେଇ ନଥାନ୍ତି କହି ରିଜାନ ଗାଡି ଷ୍ଟାର୍ଟ କଲା ।
-ତମ ମା ଠିକ୍ ହିଁ କହିଛନ୍ତି ।
-ଆଉ ତମ ମା ଆମ ପୁଅଙ୍କ ବିଷୟରେ କଣ କହନ୍ତି?
-କିଛି ବି ନାହିଁ । ମା କହେ ପୁଅ ମାନଙ୍କୁ ଆଡ ଆଖିରେ ଚାହିଁବୁନି । ଟିକେ ବି ଭାଉ ସେମାନଙ୍କୁ ଦେବୁନି ।
-କାହିଁକି?
-ଆରେ! ପୁଅ ପିଲାଙ୍କ ପାଖରେ କଣ ଅଛି ଯେ ସେମାନଙ୍କୁ ଖାତିର କରିବ । ଦୁନିଆର ସବୁ ସୁନ୍ଦରତା ଝିଅଙ୍କ ଠାରେ ହିଁ ଭର୍ତ୍ତି କରି ଦେଇଛନ୍ତି ଭଗବାନ । ଯେବେ ଝିଅଟେ ରାସ୍ତାରେ ଚାଲେ କେତେ କଣ କମେଣ୍ଟ ପବନରେ ଭାସି ଆସେ । କେତେ କାହାଙ୍କର ଆଖି ଜଳକା ହୁଏ । ସେମାନଙ୍କର ହେୟାର ଷ୍ଟାଇଲ୍ ଠାରୁ ଆରମ୍ଭ କରି ଓଠର ଲିପଷ୍ଟିକ୍ ପର୍ଯ୍ୟନ୍ତ ଚର୍ଚ୍ଚା ହୁଏ । କେବେ ଦେଖିଛ, ପୁଅଟି ଯିବାବେଳେ ଚର୍ଚ୍ଚା ର ମାହୋଲ୍ ସୃଷ୍ଟି ହେବା! ଝିଅଟେ କଥା କହିଲେ ଗୀତ ଗାଇବା ପରି ଲାଗେ । ହସିଲେ ମେଘୁଆ ଆକାଶ ପରି ଦିଶେ । କାନ୍ଦିଲେ ସକାଳ ଚା ଉତ୍ତୁରିବା ପରି ଲାଗେ । ଦୁନିଆର ଯେତେ ଯାହା ଉପମା ଅଭିଧାନ ଅଛି ନା ଯଦି ଗୋଟେ ଝିଅ ପାଇଁ ବ୍ୟବହାର କରାଯାଏ ତେବେ ବି କମ୍ ପଡିବ ।
-ତମ କହିବା ଅର୍ଥ ଏ ଦୁନିଆ ପାଇଁ ଆମେ ପୁଅମାନେ ଆଦୌ ଦରକାର ହିଁ ନାହୁଁ?
-ନା ନା ଏମିତି ନୁହେଁ । ତମେ ରହିବା ବି ନିହାତି ଦରକାର । ତମେ ନ ରହିଲେ ଆମ ସପିଂ ଜିନିଷ କିଏ ଧରିବ? ରୋଷେଇ ଘର ପାଇଁ ପରିବା କିଏ ବୋହିବ? ଆମ ବଡିଗାର୍ଡ କିଏ ହେବ? ୟାଛଡା ଗୋଲାପ ଫୁଲ ଟିକୁ ସୁରକ୍ଷାଦେବା ଲାଗି କେତେଗୁଡିଏ କଣ୍ଟାର ଯେ ଆବଶ୍ୟକତା ଏକଥା କଣ ଏଡେଇ ହେବ?
ସାମନାରୁ ଆସୁଥିବା ଗାଡି ପ୍ରତି ଆଦୌ ଧ୍ୟାନ ନଥିଲା । ରିଜାନ ସଡନ ବ୍ରେକ୍ ମାରିଲା ।
ଫ୍ରିଜା ବିରକ୍ତ ହେଲା । ଏଇ! ଦେଖିକି ଗାଡି ଚଲାଅ । କଣ ହେଇଥାନ୍ତା ଏବେ!ତମ ଭଳି ବେପରୱା ଯୁବକଙ୍କ ଯୋଗୁଁ ଆଜିକାଲି ଗାଡି ମୋଟର ଦୁର୍ଘଟଣା ବେଶୀ । ଦୁର୍ଘଟଣାରେ ଖାଲି ଗୋଟେ ଜୀବନ ଯାଏନି ତା ସହ ଗୋଟେ ପରିବାରର ହସ ଖୁସି ବି ଚାଲିଯାଏ । ଏକଥାଟା କେବେ ବୁଝିବ କେଜାଣି? ପାଦରେ ଚାଲିକି ତ ଯାଉନ! ଗାଡିରେ ଯାଉଛ । ଟିକେ ସ୍ଲୋ ଗଲେ ଅସୁବିଧା କଣ? ନା, ତମେତ ବାଇକଗୁଡାକ ଶହେ କୋଡିଏ ରେ ରଖି ତାକୁ ଏରୋପ୍ଲେନ୍ ଭାବି ସାରିଲଣି । ଜୀବନ ଟାକୁ ଶସ୍ତା କରିଦେଲଣି ।
-ସରି । ଗାଡି ଷାଠିଏରେ ଥିଲା । ତମ କଥା ଶୁଣି ଟିକେ ଅନ୍ୟମନସ୍କ ହେଇ ଯାଇଥିଲି ।
-ହ ଉ ଠିକ୍ ଅଛି । ମୁଁ କିଛି ବି କହୁନି, ଚାଲ ।
ହଠାତ୍ ଫ୍ରିଜା ଗାଡି ରଖିବାକୁ କହିଲା ।
ରିଜାନ ପଚାରିଲା-ତମେ ସ୍ୱସ୍ତି ପ୍ଲାଜାକୁ ଯାଉଥିଲ । ଏଠି କଣ କରିବ?
-ତମକୁ ଦେଖାଯାଉନି । ସାମ୍ନାରେ ମନ୍ଦିର । ଏଇଟା ମୋ ଜୀବନର ଖୁବ ଗୁରୁତ୍ବପୂର୍ଣ୍ଣ ସାକ୍ଷାତକାର । ଭଗବାନଙ୍କୁ ଥରେ ଯାଇ ଦେଖା କରିବା ନିହାତି ଦରକାର । ତମେ ବି ଆସ ।
-ନା, ମୁଁ ଯିବିନି । ତମେ ଯାଅ ।
-କହିଲି ନା ଆସ ବୋଲି!
-କାହିଁକି?ସାକ୍ଷାତକାର ତମର ମୋର ନୁହେଁ ।
-ଓଃହୋ!ତମେ ତମ ପାଇଁ ଯିବନି । ମୋ ପାଇଁ ଆସ । ଓଡିଆରେ ଅଶୋକ ସମ୍ରାଟ ଫିଲ୍ମ ଦେଖିନ । ସେଥିରେ କେମିତି ଅଶୋକ ମରି ଯାଉଥିବ, ସମସ୍ତେ ତା ପାଇଁ ପ୍ରାର୍ଥନା କରୁଥିବେ ହେଲେ ଆଉ ଜଣଙ୍କ ପ୍ରାର୍ଥନା ତା ପାଇଁ ବାକି ଥିବ, ତା ପୁଅର । ସେ ହିଁ ଆସିବା ପରେ ପୃଥିବୀକୁ ଅଶୋକ ବଞ୍ଚିଯିବ । ଠିକ୍ ସେମିତି, ମୋ ପାଇଁ ତମର ଏ ପ୍ରାର୍ଥନାଟା କାମ ଦେଇପାରେ ।
-ମୁଁ ଓଡିଆ ଫିଲ୍ମ ଦେଖେନି ।
-ବେଶ୍ ଭଲ କର । ଆଜିକାଲି ଦେଖିବା ଭଳି କୌଣସି ଚଳଚ୍ଚିତ୍ର ନିର୍ମାଣ ହେଉନି । ନିର୍ଦ୍ଦେଶକ ଆଉ ପ୍ରଡ୍ୟୁସରମାନେ ତ ନିଜ ମୁଣ୍ଡ ଖାଇ ସାରିଲେଣି । କେବେ କପି ତ କେବେ ବିକୃତ କପି ର ଉପସ୍ଥାପନା । ଆରେ! କଥାରେ ଅଛି ପରା, ନିଜ ବୁଦ୍ଧି ରେ ଘାସ କାଟିଲେ ସୁନ୍ଦର । ଅନ୍ୟ ବୁଦ୍ଧି ରେ ଘୋଡା ଚଢିବା ପୂରାପୂରି ବେକାର । ଏକଥାଟା ସେମାନେ କେବେ ବୁଝିବେ କେଜାଣି? ହ ଉ ତମେ ଜଲଦି ଆସ ଡେରି ହେଉଛି ।
ଫ୍ରିଜା ପ୍ରାର୍ଥନା କରି ଫେରି ଆସୁଥିଲା । ରିଜାନ ତା ହାତ ଧରି ମନ୍ଦିର ଚତୁଃପାର୍ଶ୍ଵ ବୁଲେଇ ଆଣିଲା । ମା କହେ ମନ୍ଦିର ପରିକ୍ରମା ନ କଲେ ମନ୍ଦିର ଦର୍ଶନ ଅଧାରହେ ବୋଲି ।
ଫ୍ରିଜା ହସିଲା । ତମ ମା ଯିଏ ବି ହୁଅନ୍ତୁ ଭଲ ଭଲ କଥା କହିଛନ୍ତି । ଆଣ୍ଟିଙ୍କୁ ମୋ ତରଫରୁ ନମସ୍କାର କହିଦେବ ।
ପନ୍ଦର ମିନିଟ୍ ପରେ ସ୍ୱସ୍ତି ପ୍ଲାଜା ପାଖରେ ଗାଡି ରଖିଲା । ଫ୍ରିଜା ହାତଘଡିକୁ ଚାହିଁ ଥ୍ୟାଙ୍କସ୍ କହି ଚାଲି ଯାଉଥିଲା । ପଛରୁ ଫେରି ଆସି କହିଲା-ଆରେ! ତମର ଟିକେ ସାଧାରଣ ଜ୍ଞାନ ନାହିଁ । ଗୁରୁତ୍ବପୂର୍ଣ୍ଣ ସାକ୍ଷାତକାର କୁ ଯାଉଛି । କମସେ କମ୍ ଅଲଦି ବେଷ୍ଟ, ବେଷ୍ଟ ଉଇସେସ୍,କିଛି ବି କହିଦିଅ ।
ରିଜାନ ହସିଲା । ଓକେ! ଅଲଦି ବେଷ୍ଟ ।
ଥ୍ୟାଙ୍କ ୟୁ ସୋ ମଚ୍ କହି ଫ୍ରିଜା ଚାଲିଗଲା ଏଥର । ଘଣ୍ଟାଏ ପରେ ଫେରି ଦେଖିଲା ରିଜାନ ସେମିତି ବାଇକ୍ କୁ ଆଉଜି ଠିଆ ହୋଇଛି ।
-ତମେ ଯାଇନ?
-ଭାବିଲି ଯିବାବେଳେ ତମକୁ ଅଟୋ ମିଳିବ କି ନାହିଁ । ଅଟୋ ନ ମିଳିଲେ ତମକୁ ମୋ ପରି ହେଲପିଙ୍ଗ୍ ବଏ ମିଳିବ କି ନାହିଁ । ଯଦି ବି କେହି ମିଳିଗଲା ତମକୁ ଠିକଣା ଜାଗାରେ ଛାଡିବ କି ତା ସାଙ୍ଗରେ ନେଇଯିବ କିଏ ଜାଣେ? ଏସବୁ ଭାବି ରହିଗଲି । ହଉ ଆସ ଯିବା । ଇଣ୍ଟରଭ୍ୟୁ କେମିତି ହେଲା?
ସେ ବି ବାଇକ୍ କୁ ଆଉଜି ଠିଆ ହୋଇଗଲା ।
-କଣ ହେଲା?ଭଲ ହେଲାନି?
-ହଁ, ବହୁତ ଭଲ ହେଲା । ମୁଁ ତ ସାଧାରଣ ପୋଷ୍ଟ ପାଇଁ ଆସିଥିଲି ହେଲେ ମୋତେ ଏଠି ଏମ୍. ଡି ର ପୋଷ୍ଟ ମିଳିଲା । ମୋତେ ତ ବିଶ୍ୱାସ ବି ହେଉନି ଏବେବି । କାଲି ଠାରୁ ମୁଁ ଜଏନ୍ କରିବି । ତମେ ଜାଣିଛ ସେ ମୋତେ ଗୋଟେ ମାସର ସାଲାରି ବି ଦେଇଦେଲେ । ପଚାଶ ହଜାର । ଏତେ ଖୁସି କହିବି ପାରୁନି । ଆଉ ଗୋଟେ ଖୁସିର କଥା କଣ ଜାଣିଛ? ସାକ୍ଷାତକାର ପୂର୍ବରୁ ଚାରିବର୍ଷ ଭିତରେ ପଚାଶ ଥର ଇଣ୍ଟରଭ୍ୟୁ ଦେଇ ସାରିଥିଲି । ବାପା ସର୍ତ୍ତ ରଖିଥିଲେ ଏଇଟା ଶେଷଥର । ଯଦି ଜବ୍ ମିଳିଲା ତୋ ବାହାଘର ଆଉ ଚାରି ବର୍ଷ ଘୁଞ୍ଚିଯିବ । ନହେଲେ ସେ ଯୋଉଠି କହିବେ ସିଧା ମୁଁ ନଦୀକୁ ଡିଆଁ ମାରିଲା ଭଳି ଆଖି ବୁଜି ଗ୍ରହଣ କରିନେବି । ଯାହା ହଉ ,ଫାଇନାଲି ମୁଁ ଜିତିଗଲି । ଯେବେ ଗୋଟେ ଝିଅ ବହୁତ ପଢିବାକୁ ଇଚ୍ଛା କରେ ସେତେବେଳେ ଅନେକ କୁହନ୍ତି ଯେତେ ପାଠ ପଢିଲେ ଝିଅ ଜନମ ଚୁଲିଶାଳାକୁ । ମୁଁ ବି ଶୁଣିଥିଲି । ହେଲେ ଏବେ ଆଉ ଶୁଣିବାକୁ ପଡିବନି । ଏବେ ମୋ ଜୀବନର ଚ୍ୟାନେଲ କଣ୍ଟ୍ରୋଲ ମୋ ହାତରେ । ଥ୍ୟାଙ୍କ ୟୁ ସୋ ମଚ୍ ।
-ମୋତେ ଥ୍ୟାଙ୍କସ୍ କଣ ପାଇଁ? ସବୁ କ୍ରେଡିଟ୍ ତମର । ତମେ କାହା କଥା ନ ଶୁଣି ଏତେ ଡିଗ୍ରୀ ହାସଲ କଲ । ସବୁଠୁ ବଡ କଥା ହେଲା ପଚାଶ ଥର ବିଫଳତା ପରେ ବି ତମେ ଚେଷ୍ଟା କରିବା ଛାଡି ପାରିନ । ହ ଉ ଛାଡ । ଜବ୍ ମିଳିବା ଖୁସି ରେ ଗୋଟେ ଗ୍ଲାସ୍ କୋଲଡ୍ରିଙ୍କ୍ସ ତମ ସହ ସେୟାର କରିବାର ସୁଯୋଗ ଦେବ କି ନାହିଁ?
-ନିଶ୍ଚୟ କହି ବାଇକ୍ ରେ ବସିଗଲା ଫ୍ରିଜା ।
ଏବେ ରେଷ୍ଟୁରାଣ୍ଟ ରେ କୋଲଡ୍ରିଙ୍କ୍ସ ପିଉଥିଲେ । ଫ୍ରିଜା ପଚାରିଲା ତମେ କଣ କରୁଛ?
-ବେକାର ବୁଲୁଛି ।
-କାହିଁକି? ବାପାଙ୍କର ଟଙ୍କା ଅଧିକା ଅଛି କି? ତମ ଭଳି ପୁଅ ମାନଙ୍କ ପାଇଁ ଭାରତ ଆଜି ଅର୍ଥନୀତି ରେ ଅନ୍ୟ ଦେଶ ମାନଙ୍କ ଠାରୁ ପଛୁଆ ।
-ସାରା ଦେଶର ଚିନ୍ତା ତମ ମୁଣ୍ଡରେ । ଯାହା ହ ଉ ଭଲ କଥା । ଭାବୁଛି ମ୍ୟାରେଜ୍ କରିବି ।
ଫ୍ରିଜା କୋଲଡ୍ରିଙ୍କ୍ସ ଟା ରଖିଦେଲା । ଆରେ ବାଃ! ଇନକମ୍ କିଛି ନାହିଁ । ସେଥିରେ ପୁଣି ବାହା ହବାକୁ ମନ ।
-ମୋର ନଥିଲେ କଣ ହେଲା? ତମର ତ ଅଛି ନା! ତମେ ବାହାର କାମ ସମ୍ଭାଳିବ । ମୁଁ ଘର କାମ ସମ୍ଭାଳିବି ।
-ମୋତେ ବାହା ହେବ? ଓଃ! ରିଏଲି!
-ଅସୁବିଧା କଣ ଅଛି? ମୁଁ ଦେଖିବାକୁ ଭଲ ନୁହେଁ କି?
-ସତ କହିବି ତ ପ୍ରଥମ ଥର ମୋ ଜୀବନରେ ଏମିତି ଗୋଟେ ପୁଅ ଦେଖିଲି ଯାହାକୁ ଦେଖି ସିଟି ମାରିବାକୁ ଇଚ୍ଛା ହଉଛି ।
ରିଜାନ ଗାଲରେ ହାତ ଦେଇ ପଚାରିଲା-ସତ କହୁଛ? ତାହେଲେ ମୁଁ ତମର ପସନ୍ଦ ନା!
-ବହୁତ ପସନ୍ଦ ।
-ହ ଉ ଆସ । ତମକୁ ଘରେ ଛାଡି ଦେବି ।
ଘର ପାଖରେ ପହଞ୍ଚିବା ପରେ । ଫ୍ରିଜା ପଚାରିଲା -ଆଚ୍ଛା! ପ୍ରସ୍ତାବ ନେଇ କେବେ ଆସିବ?
-ତମେ ଯେବେ କହିବ ।
-କାଲି ସଂଧ୍ୟାରେ ଆସ ।
-ଓକେ! ବାଏ । ସିୟୁ କହି ରିଜାନ ଚାଲିଗଲା ।
ଫ୍ରିଜା ପାଞ୍ଚଟା ବେଳେ ବାଲକୋନୀ ର ଫୁଲ କୁଣ୍ଡ ମାନଙ୍କ ରେ ପାଣି ଦ ଉଥିଲା । ଦେଖିଲା ଗେଟ୍ ଭିତରକୁ କାର୍ ଟିଏ ଆସିଲା । ଡୋର ଖୋଲି ଜଣେ ସ୍ତ୍ରୀ ଲୋକ ଆଉ ତାଙ୍କ ସ୍ୱାମୀ ବାହାରିଲେ । ପରେ ରିଜାନ ବାହାରିଲା । ବୁଝିବାକୁ ବାକି ରହିଲାନି । ସେ ସତରେ ପ୍ରସ୍ତାବ ନେଇକି ଆସିଛି ବୋଲି!
ଫ୍ରିଜା ର ବାପା ସତୀଶ ବାବୁ ତାଙ୍କୁ ଆଗରୁ ଜାଣିଥିଲେ । ସେ ତାଙ୍କରି କମ୍ପାନୀ ରେ ହିଁ ଦୀର୍ଘ ପଚିଶବର୍ଷ ହେଲାଣି କାମ କରି ଆସୁଛନ୍ତି । ସେ ଯେବେ ତାଙ୍କ ଝିଅ ର ହାତ ମାଗିଲେ ଖୁସି ଖୁସି ରାଜି ହେଇଗଲେ ।
ରିଜାନ ର ମା କହିଲେ- ଝିଅ କୁ ଡାକ । ସଜବାଜ ହେବା ଦରକାର ନାହିଁ । ସେ ତମ ପାଖରେ ଯେମିତି ରହୁଛି ଆମ ପାଖରେ ସେମିତି ରହିବ ।
ଫ୍ରିଜା ଆସିଲା କିଛି ସମୟ ପରେ ସାଦା ସବୁଜ ରଙ୍ଗର ଶାଢୀ ଟିଏ ପିନ୍ଧି । ତା ଗଳାରେ ହାର ଟିଏ ପିନ୍ଧେଇ କହିଲେ -ଆରେ! ସତୀଶ ବାବୁ! ଆପଣଙ୍କ ଘର ଆମକୁ ଦେଖେଇବେନି ।
ସେମାନେ ସମସ୍ତେ ଚାଲିଗଲେ । ଫ୍ରିଜା ର ଚେହେରାରେ ଅସୁମାରି ଖୁସି । କାଲି ଆସିବାକୁ କହିଥିଲି ,ଆଜି ଆସିଗଲ ଯେ?
-ଗୋଟେ ଗୋଟେ ମୁହୂର୍ତ୍ତ ଯୁଗ ପରି ଲାଗୁଥିଲା । ରହି ପାରିଲିନି ।
-ବିଶ୍ୱାସ ହଉନି । ପ୍ରଥମ ଦେଖାରେ କେହି ଏତେ ଭଲପାଇ ବସିବ !
-ବାପା କହିଲେ ବହୁତ କାମ କଲୁ । କ୍ୟାରିୟର ଗଢିଲୁ । ଏବେ ମ୍ୟାରେଜ ଲାଇଫ୍ କଥା ଭାବେ । ତୁ ଏମିତି ଫୋର ହ୍ୱିଲରରେ ବସି ଦଶଟାରୁ ଚାରିଟା ଅଫିସ ଗଲେ ଝିଅ ଆଦୌ ମିଳିବେନି । ମୁଁ ଯେବେ ତୋ ବୟସର ହେଇଥିଲି ଝିଅ ଙ୍କ ପାଇଁ ସହରରୁ ସହର ଗଳିରୁ ଗଳି କେତେ ଚକ୍କର କାଟିଛି ତୁ ହିସାବ ବି କରି ପାରିବୁନି । ଶେଷରେ ଯାଇ ତୋ ମା ମିଳିଲା । ଆଜିଠୁ ତୁ ବାଇକ୍ ରେ ବୁଲୁ । କାମଧନ୍ଦା କଥା ଭୁଲିଯା । ସେସବୁ ମୁଁ ସମ୍ଭାଳି ନେବି । ମୁଁ ବୁଢା ହେଇନି ମୋ ଏଯାଏଁ । ତୋ ମା ହାତରନ୍ଧା ଖାଇ ଖାଇ ବିରକ୍ତି ଲାଗିଲାଣି । ସ୍ୱାଦ ପରିବର୍ତ୍ତନ ହେବା ଦରକାର ।
ତୋ ମା ସହ ଝଗଡା ହେଲେ ମୋ ସପୋର୍ଟରେ କେହି ଜଣେ ରହିବା ଦରକାର କି ନାହିଁ । ତୁ ତ ଜନ୍ମରୁ ମା ପଟିଆ । ମୁଁ ଆଉ ଏକା ରହି ପାରୁନି, ବୁଝିଲୁ । ବାଇକ ଧରି ବାହାରିଥିଲି ବାପାଙ୍କ କଥା ମାନି । ମନେମନେ ଭାବୁଥିଲି ଝିଅ ମାନେ କୋଉ ସପିଂ ମଲ୍ ର ଜିନିଷ ଯେ କିଣି ନେଇ ଆସିବି । ହଠାତ୍ ତମେ ଡାକିଲ । ତମ ସହ କେଇଟା ମୁହୂର୍ତ୍ତ ବିତିବା ପରେ ଲାଗିଲା ତମେ ସେଇ ଝିଅ ଯିଏ ମୋର ନହେଲେ ବି ବାପାଙ୍କ ସପୋର୍ଟରେ ନିଶ୍ଚିତ ଠିଆ ହେବ । ସତ କହିବି ତ ମୋତେ ବି ବିଶ୍ୱାସ ହ ଉନି ।
ଆରଦିନ ସକାଳୁ ଫ୍ରିଜା ଫୋନ୍ କଲା । ଶୁଣ! ଆଜି ମୋର କମ୍ପାନୀ ରେ ପ୍ରଥମ ଦିନ । ତମେ ମୋତେ ଡ୍ରପ୍ କଲେ ବେଶୀ ଭଲ ଲାଗିବ । କଣ କହୁଛ?
-ଏବେ ଗୋଟେ ଜରୁରୀ କାମରେ ଅଛି । ଗୋଟେ କାମ କର । ତମେ ଯାଅ ଭାରି, ମୁଁ ଆଣିବା ପାଇଁ ଯିବି । ବେଷ୍ଟ ଉଇସେସ୍ ଜବ୍ ର ପ୍ରଥମ ଦିନ ପାଇଁ । ମନ ଖରାପ କରନା ଯାଇ ପାରୁନି ବୋଲି ।
-ହେଲା ବାବା । ଇଟ୍ସ ଓକେ । କିଛି କଥା ନାହିଁ ।
ଫ୍ରିଜା ଅଫିସ ଚାମ୍ବରରେ ବସିଥାଏ । ସେକ୍ରେଟାରୀ କହିଲା-ମ୍ୟାଡମ୍ ଆପଣଙ୍କୁ ସାର୍ ଡାକୁଛନ୍ତି । କିଛି ପ୍ରୋଜେକ୍ଟ ବିଷୟରେ କଥା ହେବାର ଥିଲା ।
-ହଁ, ତମେ ଯାଅ । ମୁଁ ଆସୁଛି ।
ଫ୍ରିଜା ଯେବେ ଡୋର ଖୋଲି ପଚାରିଲା-ମେ ଆଇ କମ୍ ଇନ୍ ସାର୍?
ରିଜାନ ଚାହିଁ ହସିଦେଲା । ଇଏସ୍ କମ୍ ଇନ୍ ।
ଫ୍ରିଜା ତା ସାମନାରେ ବସି ଯାଇ କହିଲା-ଏଇ ତମେ! ଏବେ ବୁଝିଲି । ସାଧାରଣ ପୋଷ୍ଟ ପାଇଁ ଆସିଥିବା ଝିଅ କୁ ଏତେ ବଡ ଜବ୍ ଅଫର କେମିତି ମିଳିଗଲା ।