ଶିଶିର ସାହୁ ମନୋଜ

Fantasy

3  

ଶିଶିର ସାହୁ ମନୋଜ

Fantasy

ତୀକ୍ଷ୍ଣଦନ୍ତା ମେଣ୍ଢାଙ୍କ କାହାଣୀ

ତୀକ୍ଷ୍ଣଦନ୍ତା ମେଣ୍ଢାଙ୍କ କାହାଣୀ

3 mins
157


ଲକ୍ଷ ଲକ୍ଷ ଵର୍ଷ ତଳେ ଯେତେବେଳେ ମଣିଷମାନେ ସଭ୍ୟ ହୋଇନଥିଲେ ସେତେବେଳେ ହିଂସ୍ରଜନ୍ତୁମାନେ ଠିକ୍ ଆଜିର ମଣିଷମାନଙ୍କ ପରି ପୃଥିଵୀର ଖଣ୍ଡେ ଖଣ୍ଡେ ଅଞ୍ଚଳ ଆୟତ୍ତ କରି ଶାସନ କରୁଥିଲେ । ଅର୍ଥାତ୍ ଗଧିଆ,ବିଲୁଆ ,କୋକିଶିଆଳି,ହେଟା,ବଳିଆକୁକୁର,ଚିତା, କଲରାପତରିଆ,ମହାବଳ ବାଘ,ସିଂହ,ଭାଲୁ ଓ ବଣଭୁଆ ଆଦି ହିଂସ୍ରଜନ୍ତୁମାନଙ୍କର ପୃଥିଵୀରେ ଏକ ଏକ ଦେଶ ରହିଥିଲା । ଅନ୍ୟାନ୍ୟ ତୃଣଭୋଜୀ ଜୀଵମାନଙ୍କର ମଧ୍ୟ ଖଣ୍ଡେ ଖଣ୍ଡେ ଵନଦେଶ ରହିଥିଲା କିନ୍ତୁ ସେସବୁ ଦେଶ ହିଂସ୍ରଜନ୍ତୁଙ୍କର ଶକ୍ତିଶାଳୀ ଵିକଶିତ ଵନଦେଶଗୁଡି଼କ ଦ୍ଵାରା ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ପରିଚାଳିତ ହେଉଥିଲା ।


ଗଧିଆମାନେ ଆକାରରେ ବଡ଼ ହୋଇଥିଵାରୁ ସେମାନଙ୍କ ଦେଶ ତତ୍କାଳୀନ ଵିଶ୍ଵରେ ସବୁଠାରୁ ଵିଶାଳ ଵିସ୍ତୃତ ଓ ଅତ୍ୟନ୍ତ ପ୍ରଭାଵଶାଳୀ ଥିଵାଵେଳେ ବିଲୁଆମାନେ ମଧ୍ୟ ପୃଥିଵୀର ଅନେକ ଅଞ୍ଚଳ ଉପରେ ନିଜର ପ୍ରଭୁତ୍ଵ ସାଵ୍ୟସ୍ତ କରିଥିଲେ ।


ଗଧିଆ ଓ ବିଲୁଆ ଦେଖିଵାକୁ ଏକାପରି ହୋଇଥିଲେ ହେଁ ଗଧିଆମାନେ ଆକାରରେ ବଡ଼ । ତେବେ ସେମାନେ ଏକ ଜାତୀୟ ଜୀଵ ଥିଲେ ହେଁ ସେମାନଙ୍କ ମଧ୍ୟରେ ରାଜନୈତିକ ଵିଵାଦ ଯୋଗୁଁ ସଦାସର୍ଵଦା ଶୀତଯୁଦ୍ଧ ଲାଗି ରହିଥିଲା ।


ଥରେ ଗଧିଆମାନେ ବିଲୁଆମାନଙ୍କ ଦ୍ଵାରା ନିୟନ୍ତ୍ରିତ ଏକ ମେଣ୍ଢାବହୁଳ ଵନଦେଶ ଉପରେ ଆକ୍ରମଣ କରିଦେଲେ । ମେଣ୍ଢାମାନେ ପ୍ରଥମେ ପ୍ରଥମେ ଗଧିଆମାନଙ୍କୁ ହରାଇ ନପାରିଵାରୁ ପରାଧୀନ ହେଲେ । ମେଣ୍ଢାଦେଶକୁ ଲାଗିକରି କୋକିଶିଆଳିଙ୍କ ଦ୍ଵାରା ଶାସିତ ଏକ ଵନଦେଶ ରହିଥିଲା । ବିଲୁଆ ଦେଶର ଶାସକମାନେ ଉକ୍ତ ପଡୋ଼ଶୀ ରାଷ୍ଟ୍ରକୁ ଗୁପ୍ତରେ ସାହାଯ୍ୟ ମାଗିଲେ ।

 

କୋକିଶିଆଳିମାନେ କହିଲେ ଆମେ ଆପଣଙ୍କୁ ସବୁପ୍ରକାରେ ସାହାଯ୍ୟ କରିବୁ କିନ୍ତୁ ଆମ ପାଖରେ ଗଧିଆଙ୍କ ପରି ତୀକ୍ଷ୍ଣ ଦାନ୍ତ ନାହିଁ ଏଵଂ ସେମାନଙ୍କୁ ଯୁଦ୍ଧରେ ପରାସ୍ତ କରିପାରିଵା ଭଳି କୌଶଳ ମଧ୍ୟ ଜଣାନାହିଁ । ଆମ ଦୂର ପଡୋ଼ଶୀ ବଳିଆକୁକୁରଙ୍କ ପାଖରେ ଦାନ୍ତ ତୀକ୍ଷ୍ଣ କରିଵାର ଚକମକି ପଥର ରହିଛି ଆଉ ତାଙ୍କ ପଡୋ଼ଶୀ ହେଟାମାନେ ବଡ଼ ଜୀଵଙ୍କୁ ହରାଇଵାର ଯୁଦ୍ଧକଳାରେ ପ୍ରଵୀଣ । ତୁମେ ତାଙ୍କଠାରୁ ଚକମକି ପଥର ଓ ସମରକଳାର ଜ୍ଞାନ ସଂଗ୍ରହ କରି ଆଣିପାରିଲେ ସିନା ଆମେ ଗଧିଆମାନଙ୍କୁ ହରାଇପାରିଵା !


ବିଲୁଆ ଦେଶର ଶାସକମାନେ ବଡ଼ ଅଡୁ଼ଆରେ ପଡି଼ଲେ କିନ୍ତୁ ସେ ଦେଶର ଏକ ବିଲୁଆ ବୁଦ୍ଧି ଖଟାଇ କୋକିଶିଆଳି, ହେଟାବାଘ ଓ କୋକିଶିଆଳିଙ୍କୁ ଗୁପ୍ତରେ ଏକାଠି କରିପାରିଵାରେ ସଫଳ ହେଲା ।


ବିଲୁଆ ଓ କୋକି ଦେଶର ସୈନିକମାନଙ୍କ ଦ୍ଵାରା ମେଣ୍ଢାଦେଶର ମେଣ୍ଢାମାନଙ୍କୁ ପ୍ରଶିକ୍ଷଣ ମିଳିଲା । ଯୁଦ୍ଧ ପାଇଁ ଇଚ୍ଛୁକ ମେଣ୍ଢାମାନଙ୍କର ଦାନ୍ତ ମଧ୍ୟ ତୀକ୍ଷ୍ଣ କରାଗଲା । ମେଣ୍ଢାମାନଙ୍କ ସହିତ କିଛି କୋକିଶିଆଳି ମଧ୍ୟ ମିଶିକରି ଗଧିଆମାନଙ୍କ ଵିପକ୍ଷରେ ଯୁଦ୍ଧକଲେ ଏଵଂ ଶେଷରେ ଵାଧ୍ୟ ହୋଇ ଗଧିଆମାନେ ନିଜ ଦେଶକୁ ଲେଉଟିଗଲେ ।


ଗଧିଆ ଦେଶର ଶୋଚନୀୟ ପରାଜୟ ଯୋଗୁଁ ସେମାନଙ୍କ ମଧ୍ୟରେ ଆଉ ପୂର୍ଵ ଏକତା ରହିଲା ନାହିଁ ଏଵଂ କିଛି ଦିନ ମଧ୍ୟରେ ସେ ଗଧିଆ ଦେଶ ଅନେକ ଛୋଟ ବଡ଼ ଦେଶରେ ଵିଭାଜିତ ହୋଇଗଲା ।


ବିଲୁଆମାନେ ଗଧିଆମାନଙ୍କର ଏ ଦୁର୍ଦଶା ଦେଖି ଢେର୍ ମଉଛବ କଲେ । ଏଣେ କିନ୍ତୁ ଯୁଦ୍ଧରେ ଯୋଗ ଦେଇଥିଵା ତୀକ୍ଷ୍ଣଦନ୍ତା ମେଣ୍ଢାଦଳ ଅଣ ଆୟତ୍ତ ହୋଇଗଲେ । ସେମାନେ ତାଙ୍କ ନିଜର ଦେଶ ଓ ସେ ଦେଶର ଅନ୍ୟ ମେଣ୍ଢା ମେଣ୍ଢିଙ୍କ ଉପରେ ଅତ୍ୟାଚାର କରିଵା ଆରମ୍ଭ କରିଦେଲେ । ହଜାର ହଜାର ନୀରିହ ମେଣ୍ଢା ମେଣ୍ଢୀ ମୃତ୍ୟୁଵରଣ କଲେ । ସାରା ମେଣ୍ଢାଦେଶ ଏବେ ବର୍ବର ତୀକ୍ଷ୍ଣଦନ୍ତା ମେଣ୍ଢାଙ୍କ ଆୟତ୍ତରେ ଥିଲା ।


ବିଲୁଆମାନେ ଦେଖିଲେ ସ୍ଥିତି ଅଣାୟତ୍ତ ହେଉଛି ତେଣୁ ସେମାନେ ମେଣ୍ଢା ଦେଶକୁ ନିଜର ଲକ୍ଷ ଲକ୍ଷ ବିଲୁଆ ସୈନ୍ୟଙ୍କୁ ପଠାଇଦେଲେ । ଅନେକ ଵର୍ଷ ବିତିଗଲାପରେ ମଧ୍ୟ ମେଣ୍ଢାଦେଶରେ ସ୍ଥିତି ସୁଧୁରିଲା ନାହିଁ । ଶେଷରେ ଦିନେ ଵାଧ୍ୟ ହୋଇ ବିଲୁଆଦେଶର ରାଷ୍ଟ୍ରପତି ବିଲୁଆ ସୈନ୍ୟମାନଙ୍କୁ ନିଜ ଦେଶକୁ ଫେରେଇ ଆଣିଲେ ।


ସେହି ସୈନ୍ୟ ଫେରେଇ ଆଣିଵା କିନ୍ତୁ ଜୀଵ ଇତିହାସରେ ଭୀଷଣ ଭୁଲ୍ ଥିଲା କାରଣ ଉକ୍ତ ତୀକ୍ଷ୍ଣଦନ୍ତା ମେଣ୍ଢାମାନଙ୍କର ଗୋଷ୍ଠୀ ଧୀରେ ଧୀରେ ସାରା ପୃଥିଵୀର ଗୋଟାକ ପରେ ଗୋଟିଏ ଅନେକ ଵନଦେଶ ଵିଜୟ କରି ଵିଜିତ ଦେଶଗୁଡ଼ିକର ଜୀଵମାନଙ୍କ ଉପରେ ଭୀଷଣ ଅତ୍ୟାଚାର କଲେ । ଅନ୍ୟ ତୃଣଭୋଜୀ ପ୍ରାଣୀମାନେ ମଧ୍ୟ ମେଣ୍ଢାମାନଙ୍କୁ ଏଥିରେ ଵିଶେଷ ସାହାଯ୍ୟ କଲେ । କିନ୍ତୁ ପରସ୍ପର ମଧ୍ୟରେ ପୂର୍ଵ ଶତ୍ରୁତା ଥିଵାରୁ ଗଧିଆ,ବିଲୁଆ,କୋକିଶିଆଳି ଆଦି ହିଂସ୍ରଜନ୍ତୁମାନେ ଏକଜୁଟ ହୋଇପାରିଲେ ନାହିଁ ।


ଫଳତଃ ତୃଣଭୋଜୀମାନଙ୍କର ଵିଜୟ ହେଲା ଏଵଂ

ପୃଥିଵୀରେ ଏକ ଏକ ଜୀଵଗୋଷ୍ଠୀ ଵିଶେଷତଃ ହିଂସ୍ରଜନ୍ତୁମାନଙ୍କର ଖଣ୍ଡିଏ ଖଣ୍ଡିଏ ଵନଖଣ୍ଡରେ ଏକଚାଟିଆ ଶାସନ ଲୋପପାଇଲା ଏଵଂ ସବୁ ଵଣରେ ସବୁ ପ୍ରକାରର ହିଂସ୍ରଜନ୍ତୁ ରହିଵାକୁ ଵାଧ୍ୟ ହେଲେ । କିନ୍ତୁ ସେହି ଭୀଷଣ ସଂଘର୍ଷ ଯୋଗୁଁ ସେମାନଙ୍କ ମଧ୍ୟରେ ଥିଵା ପୂର୍ଵ ଶତ୍ରୁତା ଅନେକ ଯୁଗ ବିତିଯାଇଥିଲେ ହେଁ ଆଜି ବି କାଁ ଭାଁ ଦୃଶ୍ୟ ହୋଇଥାଏ । ଏହି ହିଂସ୍ରଜନ୍ତୁମାନଙ୍କର ଵର୍ତ୍ତମାନ ବଂଶଜ ପରସ୍ପରକୁ କୋଉଠି ହାବୁଡି଼ଗଲେ ଏକେ ଅରେକୁ କାମୁଡ଼ି ଗୋଡା଼ନ୍ତି ଏଵଂ ମେଣ୍ଢା ଆଦି ଜୀଵଙ୍କ ଦ୍ଵାରା ସେମାନଙ୍କର ଏକଚାଟିଆ ଶାସନ ଲୋପ ପାଇଥିଵାରୁ ସେମାନଙ୍କୁ କୋଉଠି ଦେଖିଲେ ମାରିଦିଅନ୍ତି ।



Rate this content
Log in

Similar oriya story from Fantasy