ଶିଶିର ସାହୁ ମନୋଜ

Children Stories Fantasy

3  

ଶିଶିର ସାହୁ ମନୋଜ

Children Stories Fantasy

ଵିଡ଼ାଳ ଓ ଆଦିମାନଵଙ୍କ କାହାଣୀ

ଵିଡ଼ାଳ ଓ ଆଦିମାନଵଙ୍କ କାହାଣୀ

3 mins
186


ବହୁ ପ୍ରାଚୀନ କାଳରେ ଵିରାଡି଼ମାନେ ଆଜିଭଳି ଛୋଟ ନଥିଲେ ଵରଂ ବାଘ ସିଂହଟାକର ବଡ଼ ବଡ଼ ହେଉଥିଲେ । ସେ ସମୟର କଥା । ଛୋଟବେଳୁ ଵିଡା଼ଳ ଓ ଆଦିମାନଵ ସଙ୍ଗାତ ବସିଥିଲେ । ସେମାନେ ଦିହେଁ ସର୍ଵଭକ୍ଷୀ ଥିଲେ । ମାଂସ ହେଉ ଵା ଫଳମୂଳ ଯାହାକୁ ଯୋଉ ଖାଦ୍ୟ ମିଳୁଥିଲା ଏକେଲା ନଖାଇ ବାଣ୍ଟିକୁଣ୍ଟି ଖାଉଥିଲେ । ଆଦିମାନଵ ଚତୁର ଓ ଗଛଚଢା଼ରେ ଦକ୍ଷ ଥିଲା । ସେ ଗଛରେ ଚଢି଼ ଫଳମୂଳ ଓ ମହୁ ସଂଗ୍ରହ କରି ଆଣୁଥିଲା । ବିଡା଼ଳ ମଧ୍ୟ ଠେକୁଆ ହରିଣ ମାରି ଆଣେ ଦୁଇ ସଙ୍ଗାତ ମିଳିମିଶି ଖାଆନ୍ତି ।


ସେ ବଣକୁ ବିଡା଼ଳୀଟିଏ ଆସିଲା । ସେ ଆଦିମାନଵଟାକୁ ଖାଇଵା ପାଇଁ ମନକଲା କିନ୍ତୁ ଵିଡା଼ଳ ତାହାର ରକ୍ଷାକର୍ତ୍ତା । ସ୍ତ୍ରୀ ଜାତି କୂଟବୁଦ୍ଧିରେ ସିଦ୍ଧହସ୍ତ । ସେ ବିଡା଼ଳୀଟି ଵିଡା଼ଳକୁ ନିଜ ପ୍ରେମରେ ପକାଇ ଦେଲା । ଵିଡା଼ଳ ତହୁଁ ବିଡା଼ଳୀକୁ ବାହା ହୋଇ ରହିଲା । କିଛି ଦିନ ଗଲାରୁ ଦିନେ ଵିଡା଼ଳ ଆଗରେ ତାହାର ପତ୍ନୀ ବିଡା଼ଳୀ ମହୁ ଖାଇଵାକୁ କଟାଳ କଲା । ଵିଡା଼ଳ ତ ଗଛ ଚଢ଼ି ଜାଣିନଥିଲା ତେଣୁ ସେ ତା ସାଙ୍ଗ ଆଦିମାନଵକୁ ମହୁ ଆଣିଵାକୁ କହିଲା ।ଆଦିମାନଵ ଜଙ୍ଗଲ ସାରା ବୁଲି ବୁଲି ନିଘିନିଘିଆ ଦିପହରଟାରେ ମସ୍ତବଡ଼ ମହୁଫେଣାଟେ ଧରି ଅଇଲା । ତା ଦେହଯାକ ଝାଳନାଳ ହୋଇଯାଇଥିଲା ଏଵଂ ମହୁମାଛି କାମୁଡ଼ା ଯୋଗୁଁ ଦେହହାତ ବି ଫୁଲିଯାଇଥାଏ । ଵିଡା଼ଳଟା ଆଦି ମାନଵକୁ କହିଲା ସଙ୍ଗାତେ ତମେ ଯାଇ ଗାଧୋଇ ପାଧୋଇ ଆସ, ତମେ ଆସିଲେ ଆମେ ମିଶିକି ଖାଇଵା ।

ଆଦିମାନଵ ଗାଧୋଇ ଯାଇଛି ଏଇ ସୁଯୋଗରେ ଵିଡା଼ଳର ସ୍ତ୍ରୀ ବିଡା଼ଳୀ ମହୁଫେଣାରୁ ମହୁ ଚାଟୁ ଚାଟୁ ଲୋଭରେ ସବୁ ଖାଇଗଲା । ସେ ଆଉ ଉଠିପାରିଲା ନାହିଁ ସେଇଠି ଶୋଇ ରହିଲା ।


ଆଦିମାନଵ ଗାଧୋଇ ପାଧୋଇ ଫେରିଲାରୁ ବାଘ ଓ ଵିଡା଼ଳ ଖାଇ ବସିଲେ । ହେଲେ ମହୁଫେଣା ତ ଖାଲି ଖାଇଵେ କ'ଣ ? ଵିଡା଼ଳ ଭାବିଲା ଆଦିମାନଵଟା ମୋତେ ଠକିଵାକୁ ଖାଲି ମହୁଘରାଟିଏ ନେଇ ଆସିଛି ଏଣେ ଆଦିମାନଵ ଆପଣା ମନରେ ଵିଚାରିଲା ଏସବୁ ଵିଡା଼ଳର କାଣ୍ଡ ,ସେ ସମସ୍ତ ମହୁ ଖାଇ ମୋ ସହ ନାଟକ କରିଵାକୁ ମିଛଟାରେ କିଛି ନଜାଣିଵା ପରି ମୋ ସହ ଖାଇ ବସିଛି । ଦିଜଣ ଯାକ ତ ଗୁମାନିଆଁ କେହି କାହାକୁ କିଛି ନକହି ମନକଥା ମନରେ ରଖି ରହିଲେ ।


ଆଉ ଦିନକର କଥା । ଵିଡା଼ଳ ଓ ତାହାର ଭାରିଜା ଗୋଟାଏ ସମ୍ବର ମାରି ଆଦିମାନଵକୁ ଖାଇଵାକୁ ଡାକିଲେ । କିନ୍ତୁ ଆଦିମାନଵ ତାଙ୍କୁ କହିଲା ବନ୍ଧୁ ତମେ ଓ ତୁମ ପତ୍ନୀ ଏତେ ପରିଶ୍ରମ କରିଛ ଵରଂ ଯାଅ ଗାଧୋଇ ଆସିଲେ ଶ୍ରମ ଲାଘଵ ହେଵ । ଵିଡା଼ଳ ଓ ବିଡା଼ଳୀ ଗାଧୋଇ ଗଲେ । ୟା ଭିତରେ ଆଦିମାନଵ କ'ଣ କରିଛି ନା ମଲା ସମ୍ବର ପାଟି ଉପରେ ବସି ହଗିଦେଲା । ଵିଡା଼ଳ ଓ ବିଡା଼ଳୀ ଗାଧୋଇକି ଫେରୁଥାଆନ୍ତି । ସେମାନେ ଏ କଥା ଦେଖି ଦେଲେ । ବିଡା଼ଳୀ ଜାଣିଲା ଏଇଟା ପ୍ରକୃତ ସମୟ । ସେ ଵିଡା଼ଳକୁ କହିଲା—

"ଦେଖ ଏ ନେଞ୍ଚ ଲୋକଟାକୁ ସାଙ୍ଗ କରିଛ ପା ଦେଖ ସେ କି କାମ କରୁଛି । ଖାଦ୍ୟ ଉପରେ ପୁଣି କିଏ ହଗେ ? କି କଥା ଏଗୁଡା଼କ ... ଛି ଛି ଛି..."


ଵିଡା଼ଳ ଆଉ ସହିପାରିଲାନି ସେ ଆଦିମାନଵଟାକୁ ମାରି ଦେଵାକୁ ଦୌଡି଼ଗଲା । ଆଦିମାନଵ ଡରିକି ଗଛ ଉପରକୁ ଚଢି଼ଗଲା ଏଵଂ ଭୟରେ ତା ଦିହହାତ କଳା ପଡି଼ଗଲା । ଵିଡା଼ଳ ତାକୁ ହୁଣ୍ଟାରି କହିଲା

"ହଇରେ ପାଷାଣ୍ଡ ତୋର ଆଉ ରକ୍ଷା ନାହିଁ । ତୁ ଯେବେ ମୋ ହାବୁଡ଼ରେ ପଡି଼ବୁ ତତେ ନିଶ୍ଚେ ମାରିଖାଇବି ।"


ସେଇଦିନଠୁ ଆଦିମାନଵଟା ଅଧିକ ସମୟ ଗଛରେ ରହେ ଏଵଂ ମାଂସ ନଖାଇ ଫଳମୂଳ ଖାଇ ବଞ୍ଚିଲା ଏଣେ ଵିଡା଼ଳକୁ ତ ଆଦିମାନଵ ଆଣି ଫଳମୂଳ ଦିଏ ଏବେ ସେସବୁ ଦରଵ ନମିଳିଲାରୁ ସେ କେଵଳ ମାଂସ ଖାଇ ବଞ୍ଚିଲା । କ୍ରମେ ଆଦିମାନଵଟା ଗୋଟାଏ ଗୁମ୍ଫା ପାଇ ତା ଭିତରେ ରହିଵାକୁ ଲାଗିଲା ଏଵଂ ସେ ମଧ୍ୟ ଵିଵାହ କଲା ।

ଏପଟେ ଵିଡା଼ଳ ବିଡାଳୀଙ୍କର ଚିତା,ହେଟା, କଲରାପତରିଆ ବାଘ,ସିଂହ ଆଦି ଅନେକ ସନ୍ତାନ ହେଲେ । ଵିଡା଼ଳ ସେ ସମସ୍ତଙ୍କୁ ଆଦିମାନଵ ତାଙ୍କର ଶତ୍ରୁ ବୋଲି ଶିକ୍ଷା ଦେଇଥାଏ । ସେମାନେ ଯୋଉଠି ଦେଖନ୍ତି ତାକୁ ମାରି ଗୋଡା଼ନ୍ତି କିନ୍ତୁ ଆଦିମାନଵ ଉଦ୍ୟମୀ ଓ ବୁଦ୍ଧିଆ ତେଣୁ ପ୍ରତ୍ୟେକ ଥର ଵର୍ତ୍ତିଯାଏ ।


ତେବେ ସମୟ ସହ ଆଦିମାନଵ ସେମାନଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇଗଲା । ତା ସ୍ତ୍ରୀ କିନ୍ତୁ ଭାରି ବୁଦ୍ଧିମତୀ ସେ ତାକୁ ବୁଦ୍ଧି ଦେଲା କଣ୍ଟାକୁ କଣ୍ଟାରେ କଢା଼ଯାଏ । ଦେଖ ଵିଡା଼ଳର ସ୍ତ୍ରୀ ପୁଣି ଗର୍ଭଵତୀ ହୋଇଛି । ସେ ଯେବେ ପିଲା ଜନ୍ମ ଦେଵ ତମେ ସେ ଛୁଆଙ୍କୁ ଚୋରାଇ ଆଣିଵ । ତାକୁ ଆମେ ଛୋଟବେଳୁ ପାଳିଲେ ସେ ଆମକୁ ନିଜର ଭାବିଵ ! ସେ ଆମ କଥା ମାନି ଚଳିଵ ଓ ଆମକୁ ଅନ୍ୟ ଵିରାଡି଼ମାନଙ୍କଠାରୁ ରକ୍ଷା କରିଵ ।

ଆଦିମାନଵ ସେଇଆ କଲା...

ଵିଡା଼ଳର ସ୍ତ୍ରୀ ଦୁଇଟି ଵିରାଡି଼କୁ ପ୍ରସଵ ଦେଇ ଅଚେତ ହୋଇ ପଡି଼ଥାଏ । ଆଦିମାନଵ ଲୁଚି ଲୁଚି ଯାଇ ସେ ଦୁଇଗୋଟି ଛୁଆଙ୍କୁ ଚୋରାଇ ଆଣିଲା । ଆଦିମାନଵର ସ୍ତ୍ରୀ ସେମାନଙ୍କୁ ନିଜ ସନ୍ତାନ ପରି ପାଳିଲା । ସେହି ଜାତୀୟ ଵିରାଡି଼ମାନେ କ୍ରମେ ମନୁଷ୍ୟଙ୍କ ସହିତ ରହିଗଲେ ଏଵଂ ଵିଵର୍ତ୍ତନ ପ୍ରକ୍ରିୟା ଯୋଗୁଁ ଧୀରେ ଧୀରେ ଛୋଟ ହୋଇ ହୋଇ ଗଲେ ।


 ଵି:ଦ୍ର         

          

ଗଳ୍ପ ଆଧାର

ଏହି ଗପଟି ଓଡ଼ିଶାର "ବାଘ ଓ ହନୁମାଙ୍କଡ଼" ଲୋକକଥା ଆଧାରରେ ରଚିତ ହୋଇଅଛି । ମୂଳକଥାରେ ବାଘୁଣୀ ଯୋଗୁଁ ବାଘ ଓ ହନୁମାଙ୍କଡ଼ ମଧ୍ୟରେ ଶତ୍ରୁତା ହୋଇଯାଇଛି ଏଵଂ ଏକଦା ଅତର୍କିତ ବାଘ ଆକ୍ରମଣ ଯୋଗୁଁ ହନୁମାଙ୍କଡ଼ର ଦେହ କଳା ହୋଇଯିଵା ଗଳ୍ପରେ ଵର୍ଣ୍ଣିତ ହୋଇଅଛି ।

          


Rate this content
Log in