ଶିଶିର ସାହୁ ମନୋଜ

Action Fantasy Inspirational

4  

ଶିଶିର ସାହୁ ମନୋଜ

Action Fantasy Inspirational

କାକଵନ ଗୃହଯୁଦ୍ଧ କଥା

କାକଵନ ଗୃହଯୁଦ୍ଧ କଥା

3 mins
375


ଗୋଟିଏ ଜଙ୍ଗଲରେ ସବୁପ୍ରକାରର ପକ୍ଷୀ ଥିଲେ ବି କାଉମାନଙ୍କର ସଂଖ୍ୟା ସବୁ ପକ୍ଷୀମାନଙ୍କ ସଂଖ୍ୟାର ଅର୍ଦ୍ଧାଧିକ ଥିଲା ଫଳତଃ ମନୁଷ୍ୟମାନେ ଉକ୍ତ ଵନକୁ କାକଵନ ନାଆଁ ଦେଇଥିଲେ ।  ସେ ଵନରେ ଵିଭିନ୍ନ ଜାତିର ପଶୁ ପକ୍ଷୀ କୀଟ ପତଙ୍ଗ ଥିଲେ ହେଁ ସର୍ଵାଧିକ କା କା ରାଵର ଗୁଞ୍ଜରଣ ତଥା ସର୍ଵତ୍ର କାଉଙ୍କ ଉପସ୍ଥିତି ଯୋଗୁଁ ଜଙ୍ଗଲ ବାହାରେ ରହୁଥିଵା ମଣିଷମାନେ ସେ ଜଙ୍ଗଲକୁ କାଉମାନଙ୍କର ଜଙ୍ଗଲ ଭାବରେ ଜାଣିଥିଲେ । 


କାଉମାନେ ମନେ ମନେ ଚାହୁଁଥିଲେ ଯେ ସାରା ଜଙ୍ଗଲଟା ଯାକର ଜୀଵ କେଵଳ କା କା କରନ୍ତୁ । ସେମାନେ ଯେମିତି ଡାଳରେ ଥଣ୍ଟ ଘସନ୍ତି ସେମିତି ଥଣ୍ଟ ଘସନ୍ତୁ ଇତ୍ୟାଦି । 

କାଉମାନଙ୍କୁ ନିଜ କଳାରଙ୍ଗ ସବୁଠାରୁ ସୁନ୍ଦର ଲାଗୁଥିଲା । କା କା ରାଵଙ୍କୁ ସେ ଵେଦଧ୍ଵନି ମନେ କରୁଥିଲେ ଏଵଂ ତାଙ୍କର ଗଛ ଡାଳରେ ଥଣ୍ଟ ଘସା ହିଁ ସର୍ଵାଧିକ ଵୈଜ୍ଞାନିକ ବୋଲି ସେମାନେ ଵିଚାର କରୁଥିଲେ । ମୟୁରପୁଚ୍ଛକୁ ଦେଖି କାକମାନେ କାକା ରାବି ଟାପରା କରୁଥିଲେ , କୋଇଲି ନିଜ ଭଉଣୀ ହେଇ ସୁଦ୍ଧା କା କା ନରାବି କୁ କୁ ରାବୁଥିଵାରୁ ତାଙ୍କର ଵେଦ ଅଶୁଦ୍ଧ ହୋଇଯାଏ । କୋଇଲିକୁ ଯୋଉଠେ ଦେଖନ୍ତି ତାକୁ ମାରି ଗୋଡା଼ନ୍ତି । ପେଚାଟା କାଉମାନଙ୍କର ଦୌରାତ୍ମ୍ୟ ସହିନପାରି ରାତିରେ ବାହାରିଵା ଆରମ୍ଭ କରିଦେଲାଣି ।‌ ଅନ୍ୟାନ୍ୟ ସମସ୍ତ ପଶୁ ପକ୍ଷୀ କାଉମାନଙ୍କର ଅତ୍ୟାଚାର ସହି ସହି ବଡ଼ କଷ୍ଟରେ କାଳାତିପାତ କରୁଥାନ୍ତି । 


କାଉମାନଙ୍କର ସଂଖ୍ୟା ଅଧିକ ଥିଵାରୁ ସେମାନଙ୍କ ଜାତିରେ ନେତାମାନେ ହିଁ ପକ୍ଷୀ ସମାଜର ଉଚ୍ଚ ଆସନରେ ବସୁଥିଲେ । ଅଧିକାଂଶ କାକନେତା ଚାହୁଁଥିଲେ ଯେ ଅନ୍ତତଃ ବଣର ସବୁ ପକ୍ଷୀ କା କା ରାଵ କରନ୍ତୁ । କି କୁ ଚିଁ ଚିଁ ଚେଁ ଚେଁ କିଚିର ମିଚିରି  ଆଦି ଶହେ ପ୍ରକାରର ରାଵ ଥିଲେ ବି ସେସବୁ କାକମାନେ ବୁଝିପାରୁନଥିଲେ ଏଵଂ ଅନ୍ୟାନ୍ୟ ପକ୍ଷୀମାନଙ୍କର ଡାଳପତ୍ରରେ ଥଣ୍ଟଘସା ସଂକେତ ବୁଝିପାରୁନଥିଵାରୁ କାଉମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେଵାକୁ ପଡୁ଼ଥିଲା । ଥରେ ଡାମରାକାଉଟିଏ ପକ୍ଷୀସମାଜର ସର୍ଵୋଚ୍ଚନେତା ଭାବେ ନିର୍ଵାଚିତ ହେଲା ‌ । କିଛି ଦିନ ମଧ୍ୟରେ ସେ ଆଦେଶ ଦେଇ ଦେଲା ଯେ ଏଣିକି କା କା ରାଵ ସବୁ ପକ୍ଷୀମାନଙ୍କର ଜାତୀୟ ବୋବାଳି ହୋଇଗଲା ‌ । ଏବଠାରୁ ସବୁ ପକ୍ଷୀ ତାଙ୍କ ବସା ପାଖରେ ନିଜ ମାଆଠାରୁ ଶିଖିଥିଵା ବୋବାଳି ଚିଁ ଚିଁ ଚୁଁଚୁଁ ଆଦି କରିପାରିବେ କିନ୍ତୁ ନିଜ ବସାରୁ ବାହାରକୁ ବାହାରି ଅନ୍ୟ ଥାନକୁ ଗଲାବେଳେ ଅନ୍ୟ ପକ୍ଷୀ ସହିତ କଥା ହେଲାବେଳେ କେଵଳ କା କା କରି ହିଁ ବୋବେଇବେ । 


ସବୁ କାଉମାନେ ଯେମିତି ଘୋଷଣା ଶୁଣିଲେ ଉକ୍ତ ନେତା ଡାମରାକାଉ ପ୍ରଶଂସାରେ ପୋତି ପକେଇଲେ । ଏଣେ ଅନ୍ୟ ପକ୍ଷୀମାନେ ବଡ଼ ଅଡ଼ୁଆରେ ପଡି଼ଲେ ‌ । ଏବେ କ'ଣ କରାଯିଵ ? ସବୁ ପକ୍ଷୀ ତ ଆଉ କା କା ରାବି ପାରିବେନି କି ବୁଝିପାରେନି । ପକ୍ଷୀସମାଜର ଅନ୍ୟ ଜାତୀୟ ପକ୍ଷୀମାନେ ଏହି ଆଇନର ଭୀଷଣ ଵିରୋଧ କଲେ କିନ୍ତୁ କାଉମାନେ ତାଙ୍କର ଗୃଧ ,ଛଞ୍ଚାଣ, ଚିଲ ଆଦି ଜାତିଭାଇଙ୍କୁ ହାତକରି ସେହି ପକ୍ଷୀ ଆନ୍ଦୋଳନକୁ ନିର୍ମମ ଭାବରେ ଦମନ କଲେ । 

ପକ୍ଷୀମାନଙ୍କର ଜଙ୍ଗଲରେ ଏଣିକି କାଉମାନଙ୍କର 

ଶାସନ ଥିଲା । କାଉମାନଙ୍କର କା କା ବୋବାଳି ସବୁ ପକ୍ଷୀ ବୋବାଉଥିଲେ । ଯେଉଁ ପକ୍ଷୀମାନେ ଏହି ନିୟମ ଅମାନ୍ୟ କରି ଚିଁ ଚିଁ କିଚିରି ମିଚିରି ବୋବେଇଲା ତାକୁ ଦେଶଦ୍ରୋହୀ ଆଖ୍ୟା ଦେଇ ଜଙ୍ଗଲରୁ ତଡ଼ି ଦିଆଯାଉଥିଲା । 


ଜଙ୍ଗଲର ଦକ୍ଷିଣ ଭାଗରେ ଗୋଟିଏ ବଡ଼ ଦିଘିଟିଏ ଥିଲା କିନ୍ତୁ ସେପଟେ କାଉମାନଙ୍କର ବସା ଅଳ୍ପ । ଜଙ୍ଗଲର ଦକ୍ଷିଣାଞ୍ଚଳରେ ବଗ ଓ ହଂସମାନଙ୍କର ବସା ଅଧିକ ଥିଲା । ସେମାନେ କାଉମାନଙ୍କର ଆଇନକୁ ମାନୁନଥିଲେ । ଯୋଉ କାଉ ସେମାନଙ୍କୁ କା କା ରାଵର ଜ୍ଞାନ ଦେଇ ଦେଶଦ୍ରୋହୀ ଅଭିହିତ କରୁଥିଲା ବଗ ଓ ହଂସମାନେ ମିଶି ତାକୁ ଖୁମ୍ଫି ଖୁମ୍ପି ତଡ଼ି ଦେଉଥିଲେ । ଏହା ଧିରେ ଧିରେ ଆଞ୍ଚଳିକ ଵୈଷାମ୍ୟରେ ପରିଣତ ହେଲା । କାଉମାନେ ମଣିଷମାନଙ୍କ ଗାଆଁରୁ ନିଆଁ ଆଣି ହଂସ ଓ ବଗଙ୍କ ଘର ଉପରେ ପକେଇ ତାଙ୍କୁ ମାରିଦେଵାକୁ ଚେଷ୍ଟା କଲେ । ଏପଟେ ବଗମାନଙ୍କର ଏକତ୍ର ଆକ୍ରମଣରେ ଅନେକ କାଉ ଜୀଵନ ହାରିଲେ । 


ଜଙ୍ଗଲ ରାଇଜଟା ଭିତରେ ଅଳ୍ପଦିନ ଭିତରେ ଗୃହ ଯୁଦ୍ଧ ଲାଗିଗଲା । ଗୋଟିଏ ପଟରେ ବଗ ଓ ଅନ୍ୟାନ୍ୟ ପକ୍ଷୀ ଥିଲାବେଳେ ଅନ୍ୟ ପକ୍ଷରେ କାଉ,ଚିଲ ,ଶାଗୁଣାମାନେ ତାଙ୍କୁ ପ୍ରତିହତ କରିଵାକୁ ଚେଷ୍ଟା କରୁଥିଲେ । ଏହି ଗୃହଯୁଦ୍ଧ ଅନେକ ଦିନ ଯାଏଁ ଚାଲିଲା । ପକ୍ଷୀସମାଜର ଅନେକ ମରିଲେ କିନ୍ତୁ ବଣଭୁଆଦିଙ୍କୁ ଢେର୍ ଖାଦ୍ୟ ମିଳିଲା । ଶେଷରେ କାଉମାନେ ହାରିଗଲେ ଏଵଂ ଏହା ସହ ପକ୍ଷୀସମାଜ ମଧ୍ୟରେ ଥିଵା ସୌହାର୍ଦ୍ଦ୍ୟ ମଧ୍ୟ ଲୋପପାଇଗଲା । କୁହାଯାଏ ସେହିଦିନଠାରୁ ପକ୍ଷୀମାନେ ଅଲଗା ଅଲଗା ସମାଜରେ ରହିଵା ପସନ୍ଦ କରନ୍ତି । କାଉମାନେ ସବୁପକ୍ଷୀଙ୍କଠାରୁ ଶୋଚନୀୟ ପରାଜୟ ଵରଣ କରିଥିଵାରୁ ଯେକୌଣସି ପକ୍ଷୀକୁ ଦେଖିଲେ ମାରିଗୋଡାନ୍ତି । 


Rate this content
Log in

Similar oriya story from Action