STORYMIRROR

Pratyasha Rout

Comedy Fantasy Others

4  

Pratyasha Rout

Comedy Fantasy Others

ତାସ୍

ତାସ୍

2 mins
247

    ଦିଗହୁଡ଼ା ଗାଁର କୀର୍ତ୍ତନ ବାବୁଙ୍କ ପୁଅ ସଂକୀର୍ତ୍ତନ...। ନାମ ଗୁଡ଼ା ସିନା ଶୁଣିବା ପାଇଁ ଏମିତି ମଜା ଲାଗେ କିନ୍ତୁ ସେମାନଙ୍କ ଘରେ ପୂର୍ବ ପୁରୁଷ ଅମଳରୁ ଗୋଟେ ପ୍ରଥା ରହି ଆସିଛି। ଯେହେତୁ କୀର୍ତ୍ତନ ବାବୁଙ୍କ ଜେଜେବାପାଙ୍କ ଜେଜେବାପା ଜଣେ ସଙ୍ଗୀତ ପ୍ରେମୀ ଥିଲେ ସେଥିପାଇଁ ସେ ତାଙ୍କର ପୁଅ ଝିଅ, ନାତି ନାତୁଣୀ, ଅଣନାତି ଅଣନାତୁଣୀଙ୍କ ନାମ ସବୁ ଭଜନ ସଙ୍ଗୀତ ଅନୁସାରେ ରଖୁଥିଲେ। ଯେମିତିକି ସଙ୍ଗୀତା, ମୃଦଙ୍ଗ, ତବଲା, ବଂଶୀ ଇତ୍ୟାଦି...। ତାଙ୍କ ଅନ୍ତେ ତାଙ୍କର ପରବର୍ତ୍ତୀ ପିଢ଼ି ମଧ୍ଯ ସେଇ ପରମ୍ପରାକୁ ଅନୁଧ୍ୟାନ କରିଲେ। କୀର୍ତ୍ତନ ବାବୁଙ୍କ ଝିଅଟିର ନାମ ଟିକେ ଭାବି ଚିନ୍ତି ଦେଇଥିଲେ...କୀର୍ତ୍ତି...... ଅବଶ୍ୟ ସେତେଟା ସାମଞ୍ଜସ୍ୟ ନଥିଲେ ବି ତାଙ୍କ ନାମ ସହିତ ମେଳ ଖାଉଥିଲା। ପୁଅଟିକୁ କିନ୍ତୁ ସାହି ପଡ଼ିଶା ଲୋକ ସଂକୀର୍ତ୍ତନ ବୋଲି ଡାକି ଡାକି ସେଇ ନାମ ରଖାଇ ଦେଲେ। କେହି କେହି ତାକୁ ଚିଡ଼ାଇବା ପାଇଁ ସଙ୍କିରା ସଙ୍କିରା ବୋଲି ମଧ୍ୟ ଡାକନ୍ତି। ମନେ ମନେ ସେ ଖୁବ୍ ବିରକ୍ତ ହୁଏ ତା ପୂର୍ବ ପୀଢ଼ିର ବୁଢ଼ା ହଡାଙ୍କ ଉପରେ। କି ଯଶ କରିଲେ ଏମିତି ଗୋଟେ ଯାତ୍ରା କରି..?? ଇଜ୍ଜତ ମହତ ସବୁ ତଳେ ପଡ଼ୁଛି କହିଲେ ଚଳେ।ମନ ଖୁସିରେ କିଛି ଗୋଟେ ପସନ୍ଦ ହେଉଥିବା ନାମ ଯଦି ଦେଇ ନହେଲା ତାହାଲେ ଜୀବନ ସାରା ଏମିତି ସେଇ କଥା ଭାବି ଭାବି ମନ ଦୁଃଖ କରିବା ହିଁ ସାର।

   ସଂକୀର୍ତ୍ତନର କିନ୍ତୁ ପାଠ ଏତେ ଭଲ ହୁଏ ନାହିଁ, ବିଶେଷ କରି ଗଣିତ। ସବୁବେଳେ ପରୀକ୍ଷା ସମୟରେ ଗଣିତରେ ଖରାପ କରେ ଆଉ ମାର୍କ କମାଏ।

   ସେଥିପାଇଁ ଏଥର ପରୀକ୍ଷା ପୂର୍ବରୁ କୀର୍ତ୍ତନ ବାବୁ ତାକୁ ଜଗୁଛନ୍ତି। ଗଣିତ ପରୀକ୍ଷା ଦିନ ପାଖେଇ ଆସିଲା। କୀର୍ତ୍ତନ ବାବୁ ତାକୁ ନିଜେ ସବୁ ପାଠ ବୁଝାଉଥିଲେ ଆଉ ପଢ଼ାଉ ଥିଲେ। ଯାହା ହେଉ ମନେ ମନେ ଭାବୁଥିଲେ ଏଥର ପୁଅଟା ତାଙ୍କର ଭାରି ଭଲ ନମ୍ବର୍ ରଖି ପାସ୍ କରିବ।

   ଗଣିତ ପରୀକ୍ଷା ଦିନ ସକାଳ ସମୟରେ କୀର୍ତ୍ତନ ବାବୁ ଚେୟାରରେ ବସି ଚାହା ପିଉଥିଲେ। ସଂକୀର୍ତ୍ତନ ତାଙ୍କ ଆଗ ଦେଉ ଚାଲି ଯାଉଥିଲା। ତାକୁ ଡାକି ପାଖରେ ବସାଇଲେ ଆଉ କହିଲେ- କହିଲୁ ଦେଖି..୧, ୨ପରେ କ'ଣ ଆସେ...?

ସଂକୀର୍ତ୍ତନ - ଏଇଟା ଗୋଟେ ପ୍ରଶ୍ନ ବାପା......??୧,୨ ପରେ ୩,୪,୫ ଆସେ।

କୀର୍ତ୍ତନ ବାବୁ - ଆଉ ତା ପରେ...?

ସଂକୀର୍ତ୍ତନ - କ'ଣ ଯେ ବାପା... ତୁମେ ଏଇ ସହଜ ପ୍ରଶ୍ନ ପଚାରୁଛ ?? ତା ପରେ ୬,୭,୮,୯,୧୦ ଆସେ ପରା।

କୀର୍ତ୍ତନ ବାବୁ - ଆଉ ତା ପରେ...?

ସଂକୀର୍ତ୍ତନ - ତୁମେ ନା ବାପା ପାଗଳ ହୋଇଯିବା ପରି କହୁଛ। ତା ପରେ ପରା ଗୋଲାମ୍, ରାଣୀ ଆଉ ରାଜା ଆସେ।

କୀର୍ତ୍ତନ ବାବୁ ବାଡ଼ିଟାକୁ ହାତକୁ ନେଇ ଆସି କହିଲେ - ହଇରେ ଓଲା ଛୁଆ.. ତୁ ତାହେଲେ ଏଇ ତାସ୍ ପାଠ ପଢ଼ୁଛୁ ନାଇଁ..।


Rate this content
Log in

Similar oriya story from Comedy