ମୋ ମାର୍ଗଦର୍ଶିକା
ମୋ ମାର୍ଗଦର୍ଶିକା
ବହୁତ୍ ବର୍ଷ ତଳର କଥା। ମୁଁ ସେତେବେଳେ ତୃତୀୟ ଶ୍ରେଣୀରେ ପଢ଼ୁଥିଲି। ବହୁତ୍ ବଦମାସୀ କରେ। ପାଠ ପଢ଼ାରେ ମନ ଦିଏ ନାହିଁ ସେଥିପାଇଁ ଗାଳି ମଧ୍ଯ ଶୁଣେ। ଯେବେ ମୋର ଦ୍ୱିତୀୟ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହେଲା ମୋ ମାଆ ଆମ ସ୍କୁଲ ଯାଇଥିଲେ ମୋ ରେଜଲ୍ଟ ଦେଖିବା ପାଇଁ। ସେ ସ୍କୁଲରୁ ଫେରିବା ପରେ ମୋତେ କହିଲେ ଆଉ ଟିକେ ମନ ଦେଇ ପଢ଼ା ପଢ଼ି କରିଲେ ଅଧିକ ଭଲ କରିବୁ। ମୁଁ ତାଙ୍କୁ ପଚାରିଲି, ମୁଁ କେତେ ନମ୍ବର୍ ପୋଜିସନରେ ଅଛି କ୍ଲାସରେ....? ସେ କହିଲେ, ତିନି ନମ୍ବର ପୋଜିସନରେ ଅଛୁ। ମୁଁ ଖୁସି ହୋଇଗଲି ଯାହା ହେଉ ଥର୍ଡ ତ ହୋଇଛି ଆଗରୁ କିଛି ବି ହୁଏନି। ତା ପରେ ଅବଶ୍ୟ ମୁଁ ଆଉ ଟିକେ ମନ ଦେଇ ପଢ଼ା ପଢ଼ି କରିଲି।
ତୃତୀୟ ଶ୍ରେଣୀ ତ୍ରୟୋମାସିକ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ଥିଲା, ଯାହା ମୋର ପ୍ରିୟ ବିଷୟ। ମୋର ବିଶ୍ବାସ ମଧ୍ଯ ଥିଲା ମୁଁ ପରୀକ୍ଷାରେ ଭଲ କରିବି ବୋଲି। ମୋ ମାଆ ବି ମୋତେ ସବୁ ପାଠ ପଢ଼ାଇ ସ୍କୁଲ୍ ପଠାଇଥିଲେ ପରୀକ୍ଷା ଦେବା ପାଇଁ। ମୁଁ କିନ୍ତୁ ଘରକୁ କାନ୍ଦି କାନ୍ଦି ଫେରିଲି। ମାଆ ପଚାରିଲେ, କ'ଣ ହୋଇଛି......? ମୁଁ କହିଲି, ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନର ଉତ୍ତର ଲେଖୁ ଲେଖୁ ସମୟ ସରିଗଲା। ଗ୍ରାମର ପାର୍ଟ ଜମା ଖୋଲି ବି ନାହିଁ। ତା ପରେ ଖାତା ଛଡ଼େଇ ନେଲେ।
ମାଆ ମୋତେ ଛାତ ଉପରକୁ ଡାକିଲା। ମୁଁ ଡରି ଡରି ଉପରକୁ ଯିବା ପରେ ସେ ଗୋଟେ ଛୋଟ ଷ୍ଟୁଲରେ ମୋତେ ବାଡ଼େଇ ଚାଲିଲା। ତାକୁ କଷ୍ଟ ଲାଗିଲା ଏଥିପାଇଁ ଯେ, ସବୁ ଉତ୍ତର ମୋତେ ଆସୁଥିଲା କିନ୍ତୁ, ମୁଁ ନ କରି ଛାଡ଼ି ଦେଇ ଆସିଥିଲି ବୋଲି। ବାଡ଼େଇ ବାଡ଼େଇ ଷ୍ଟୁଲ ଭାଙ୍ଗି ଦେଲା। ମୋ ଦେହ ହାତ ସାରା ଖାଲି ନାଲି ଚିହ୍ନ ଆଉ ଆବୁ ହୋଇ ଯାଇଥିଲା। ପରେ ଅବଶ୍ୟ ଘଷା ମୋଡା କରିଦେଲା। ଫଳ ବାହାରିବା ବେଳକୁ ମୁଁ ସାହିତ୍ୟରେ ୫୩ ରଖିଥିଲି ୧୦୦ରୁ।ସେଇ ମାଡ଼ କିନ୍ତୁ, ମୋ ଜୀବନର ମୋଡ ବଦଳାଇ ଦେଲା। ତା ପର ଠାରୁ ମୁଁ ମନ ଲଗାଇ ପାଠ ପଢ଼ିବା ସହିତ ପରୀକ୍ଷାରେ ସମୟ ପରିଚାଳନା କରିବା ଭଲରେ ଶିଖି ଗଲି। ସେହି ପରୀକ୍ଷା ପର ଠାରୁ ବୋଧେ ମୁଁ କେବେ ଆଉ ପ୍ରଥମ ସ୍ଥାନରୁ ତଳକୁ ଯାଇ ନାହିଁ। ପରେ କିନ୍ତୁ, ଜାଣିଲି ଥରେ ମୋ ମାଆ ମୋତେ ମିଛ କହିଥିଲେ, ଦ୍ୱିତୀୟ ଶ୍ରେଣୀ ପରୀକ୍ଷାରେ ମୁଁ ତୃତୀୟ ସ୍ଥାନରେ ନଥିଲି ବରଂ, ଷଷ୍ଠ ସ୍ଥାନରେ ଥିଲି। କିନ୍ତୁ, ସେ ମୋ ମନୋବଳ ବଢ଼ାଇବା ପାଇଁ ସେମିତି କହିଥିଲେ। ମୋ ଜୀବନରେ ସେ ହିଁ ମୋର ମାର୍ଗଦର୍ଶିକା ଆଉ ପ୍ରେରଣାର ଉତ୍ସ। ଆଜି ମୁଁ ଯେଉଁ ସ୍ଥାନରେ ବି ଅଛି କେବଳ ତାଙ୍କ ପାଇଁ।ତାଙ୍କ ଚରଣରେ ମୋର କୋଟି କୋଟି ପ୍ରଣାମ।
"ସମାପ୍ତ"
