Pratyasha Rout

Abstract Romance Others

4.0  

Pratyasha Rout

Abstract Romance Others

ଗୋଲାପ

ଗୋଲାପ

2 mins
149


   ସକାଳୁ ଉଠି ମୁହଁ ଧୋଉ ଧୋଉ ମୁନା ଆସି ମୋ ହାତରେ ଖଣ୍ଡିଏ ମୋଡ଼ା ଯାଇଥିବା କାଗଜ ଗୁଞ୍ଜି ଦେଇ ଗଲା। ତାକୁ କିଛି ପଚାରିବି ବୋଲି ଉଦ୍ୟତ ହେଉଥିଲି କିନ୍ତୁ, ଆଖି ପିଛୁଳାକେ ସେ ଉଭାନ ହୋଇ ସାରିଥିଲା। ନିଜେ ନିଜେ ହସି ଦେଇ କାଗଜଟିକୁ ଭାରି ଆଗ୍ରହର ସହ ଖୋଲିଲି।

  ମୁନା, ଆମ ଘରଠାରୁ ଟିକିଏ ଦୂରରେ ତା ଘର। ସେ ହେଉଛି ମୋ ପ୍ରେମର ମଧ୍ୟସ୍ଥି। ଯଦିଓ ସମ୍ପର୍କ ତା ପାଇଁ ଗଢ଼ି ନଥିଲା କି ତାକୁ ଆଧାର କରି ଆମ ପ୍ରେମର ମୂଳ ଦୁଆ ପଡ଼ି ନଥିଲା କିନ୍ତୁ ସେ ଖୁବ୍ ଗୁରୁତ୍ଵପୂର୍ଣ୍ଣ ଥିଲା ଆମ ଦୁହିଁଙ୍କ ପାଇଁ। ହେବନି ବା କେମିତି? ସେ ହିଁ ତ ଥିଲା ଆମ ଜୀବନ୍ତ ପ୍ରେମର ବାର୍ତ୍ତାବହ ଆଉ ସଂଯୋଗର ସୂତ୍ରଧର। ସେ ବି ଖୁବ୍ ଚାଲାକ୍। ବିନା ଲାଞ୍ଚରେ କିଛି ବି କରିବ ନାହିଁ। ମୋର ବି କାମ ଥାଏ ବୋଲି ମୁଁ ବେଳେବେଳେ ତା ହାତରେ ଚକୋଲେଟ୍ ନହେଲେ ଦଶ ବାର ଟଙ୍କା ଗୁଞ୍ଜି ଦିଏ। ସେ ଖୁସି ଆଉ ମୁଁ ବି ଖୁସି।

    "ଏଇ ଆଜି ଟିକେ ସମୟ ସୁବିଧା ଦେଖି ଆସିବ ନଈ କୂଳ ଆଡେ। ଦୁଇ ତିନି ଦିନ ହେବ ଦେଖା ହୋଇ ନାହିଁ। ମନଟା ମୋର ଭାରି ଗୋଳେଇ ଘାଣ୍ଟି ହେଲାଣି। ଆଉ ଏ ମୁନାର ଦେଖା ବି ମିଳୁ ନଥିଲା ସେଥିପାଇଁ ତାରି ଅପେକ୍ଷାରେ ଥିଲି। ଯାହା ବି ହେଉ ଆଜି ଟିକେ ଆସିବ।"ଏକ ଲୟରେ ମୁଁ ଚାହିଁ ରହିଥିଲି ମୋ ପ୍ରେୟସୀର ହାତ ଲେଖା ହସ୍ତାକ୍ଷରକୁ। ସତରେ ସେ ଯେମିତି ସୁନ୍ଦର୍ ତା ଅକ୍ଷର ଆଉ ତା ଭାବନା ଗୁଡ଼ା ବି ସେମିତି ସୁନ୍ଦର୍। ସତେ ଯେମିତି ଗୋଟେ ଛାଞ୍ଚରୁ ସବୁ କିଛି ବାହାରିଛନ୍ତି। ଭାବନାରେ ଲଗାମ ଲଗାଇ ଶୀଘ୍ର ଶୀଘ୍ର ପ୍ରସ୍ତୁତ ହୋଇ ପଡ଼ିଲି। କାଳେ ତା ଅନୁଭବରେ ହଜି ଯାଇ ତା ପାଖକୁ ଯିବାକୁ ଭୁଲିଯିବି ସେ ଭୟ ଥିଲା ମୋ ମନରେ।

     ଆଉ ଗୋଟେ ମୁହୂର୍ତ୍ତ ନଷ୍ଟ ନକରି ଚାଲିଲି ତା ପାଖକୁ। ଯିବା ପୂର୍ବରୁ ଆମ ବଗିଚାରୁ ତୋଳି ନେଲି ଏକ ସଦ୍ୟ ପ୍ରସ୍ଫୁଟିତ ଲାଲ୍ ଗୋଲାପ।

   ପହଞ୍ଚିବା ମାତ୍ରେ କୁଣ୍ଢେଇ ପକାଇ ବର୍ଷି ଦେଇ ଗଲା ତାର ଅଭିମାନଗୁଡ଼ାକୁ। ମୁଁ କେମିତି ଗୋଟେ ଭିତରେ ଭିତରେ ଦୁର୍ବଳ ହୋଇ ପଡ଼ୁଥିଲି ମୋ ପାଇଁ କେହି ଜଣେ ଏତେ ଭାବବିହ୍ୱଳ ହୋଇ କାନ୍ଦିପାରେ ଦେଖି। ଅଜାଣତରେ ମୋ ହାତ ଦୁଇଟା ତାକୁ ଆହୁରି ଭିଡ଼ି ଆଣିଲା ମୋ ନିକଟକୁ ଆଉ ମୋ ଆଖିରୁ ବି ନିଗିଡ଼ି ପଡ଼ିଥିଲା ଦୁଇ ଟୋପା ଲୁହ।

    ପ୍ରକୃତିସ୍ଥ ହୋଇ ମୋ ହାତରେ ଥିବା ଗୋଲାପଟିକୁ ଟାଣି ନେଲା ଆଉ ପଚାରିଲା,"ଏଇଟା କ'ଣ ମୋ ପାଇଁ ଆଣିଥିଲ?"

ମୁଁ ବି ନିର୍ଭୀକ ଭାବରେ ଉତ୍ତର ଦେଲି,"ତୁମ ପାଇଁ ନୁହେଁ ତ ଆଉ କାହା ପାଇଁ?"

ମୁଁ ଭାବୁଥିଲି ସେ ଆହୁରି ଖୁସି ହୋଇ ମୋ ଉପରେ ତା ପବିତ୍ର ପ୍ରେମ ଅଜାଡ଼ି ଦେବ ବୋଲି। କିନ୍ତୁ, ତାର ସେ ସଜଫୁଟା ହସ ହସ ମୁହଁଟା ମଉଳି ପଡ଼ିବା ଦେଖି ମୁଁ ଚିନ୍ତିତ ହୋଇଗଲି।

ସେ,"ତୁମ ପ୍ରେମକୁ ମୋ ସାମ୍ନାରେ ଦୃଶ୍ୟମାନ କରିବା ପାଇଁ କ'ଣ ସେ ଗୋଲାପ ଗଛ କୋଳରୁ ଫୁଲଟିକୁ ଛିଣ୍ଡାଇ ଆଣିବା ନିହାତି ଦରକାର ଥିଲା? କେତେ କଷ୍ଟ ଲାଗିଥିବ ନା ତାକୁ?"

   ତାର ଅଧାଖଣ୍ଡିଆ ବାକ୍ୟ ମୋ ମନରେ ସୃଷ୍ଟି କରି ସାରିଥିଲା ଅସମାହିତ ପ୍ରଶ୍ନ। ଅବଶ୍ୟ ମୁଁ ବୁଝି ପାରିଥିଲି ଆମେ ଯାହା ପସନ୍ଦ କରୁ ତାକୁ କଳେ ବଳେ କୌଶଳେ ଆମ ନିକଟକୁ ନେଇ ଆସୁ ଆଉ ଯାହାକୁ ଭଲ ପାଉ ତାକୁ ତା ଜାଗାରେ ସୁରକ୍ଷିତ ଭାବରେ ରଖିବା ପାଇଁ ଦେଉ। ପ୍ରେମ ବି ଠିକ୍ ସେମିତି। ମୋ ଅଭିମାନିନୀ ହୃଦୟରେ ଅଙ୍କା ଯାଇଥିବା ପ୍ରେମର ଗାର ଯେ କେତେ ଗଭୀର ଥିଲା ତାହା ମୁଁ ଠିକ୍ ବୁଝି ପାରୁଥିଲି।

            



Rate this content
Log in

Similar oriya story from Abstract