ସ୍ଵର୍ଗ
ସ୍ଵର୍ଗ
ଗୋଟେ ଘରେ ରାଜୀବ ଆଉ ତା' ସ୍ତ୍ରୀ ରହୁଥିଲେ। ତା' ସ୍ତ୍ରୀ ଖୁବ୍ ସୁନ୍ଦର ଥିଲା। ସେଥିପାଇଁ ରାଜୀବ ଖୁସିରେ ଖୁସିରେ ତାକୁ ବାହା ହୋଇ ପଡ଼ିଥିଲା। କିନ୍ତୁ, ବିବାହର କିଛିଦିନ ପରେ ତା' ସ୍ତ୍ରୀର ଅସଲ ରୂପ ଜଣା ପଡ଼ିଲା। ଦିନସାରା ସେ ଘର ଭିତରେ ରହି ମୋବାଇଲ୍ କେଞ୍ଚୁଥିଲା। ଇନଷ୍ଟାଗ୍ରାମରେ ରିଲସ୍ ବନେଇବା ସହିତ ଫଲୋଅର୍ସ ବଢ଼ାଇବା ପାଇଁ ସେ ସଜବାଜ ହୋଇ ଭିଡ଼ିଓ କରୁଥିଲା। ରାଜୀବର ଅବସ୍ଥା କହିଲେ ନସରେ। ଘର ଯାକର ସବୁ କାମ ସେ ନିଜେ ହିଁ କରୁଥିଲା। ରୋଷେଇ ବାସ, ଲୁଗାପଟା ସଫା, ଶୁଖାଇବା, ବାସନ ଧୋଇବା, ଘର ଓଳା ପୋଛା, ପାଣି ଆଣିବା, ବାଡ଼ି ବଗିଚାରେ ଫଳ ଫୁଲ ଗଛ ଲଗାଇବା ସହିତ ସେ ସବୁର ଯତ୍ନ ନେବା ସବୁ କିଛି ରାଜୀବ କରୁଥିଲା।
ସ୍ତ୍ରୀର ସୁନ୍ଦରତା ଦେଖି ତ ବାହା ହୋଇ ପଡ଼ିଥିଲା କିନ୍ତୁ, ଏବେ କିଛି ମୁହଁ ଖୋଲି କହି ବି ପାରୁ ନଥିଲା। କାନ ମୁଣ୍ଡ ଆଉଁସି ସବୁ ସହି ଯାଉଥିଲା। ଏବେ କିଛିଦିନ ହେଲା ତା' ସ୍ତ୍ରୀର ମାଆ ଅର୍ଥାତ୍ ତା ଶାଶୁ ମାଆ ଆସି ତାଙ୍କ ଘରେ ରହିଛନ୍ତି। ମାଆ ଝିଅ ଦୁଇ ଜଣ ଗୋଡ଼ ଉପରେ ଗୋଡ଼ ପକାଇ ସୋଫାରେ ବସି ରାଜୀବକୁ କାମ ବରାଦ କରୁଥିଲେ। ସେମାନଙ୍କୁ ସକାଳର ବେଡ୍ ଟି ଠାରୁ ଆରମ୍ଭ କରି ରାତିର ଗରମ କ୍ଷୀର ଗ୍ଲାସ୍ ଦେବା ପର୍ଯ୍ୟନ୍ତ ସବୁ ଦାୟିତ୍ଵ ରାଜୀବ ଉପରେ ଥିଲା। ମାଆ ଝିଅ ଦୁହେଁ ମିଶି ଭାରି ଖୁସିରେ ରିଲସ୍ ବନାଉଥିଲେ। ରାଜୀବ ଖୁବ୍ ବିରକ୍ତ ହେଉଥିଲେ ବି କିଛି କହି ପାରୁନଥିଲା।
ଥରେ ସେମାନଙ୍କ ଗାଁକୁ ଜଣେ ପ୍ରବଚକ ଆସିଥିବା ଖବର ପ୍ରସାରିତ ହେଲା। ରାଜୀବର ସ୍ତ୍ରୀ କହିଲା ତାକୁ ଆଉ ତା' ମାଆଙ୍କୁ ସେଠାକୁ ନେଇଯିବା ପାଇଁ। ରାଜୀବ ବି ସେମାନଙ୍କୁ ସେଠିକୁ ନେଇଗଲା।
ପ୍ରବଚନ ଦେବା ସମୟରେ ପ୍ରବଚକ ଜଣକ କହିଲେ - କିଏ କିଏ ସବୁ ସ୍ୱର୍ଗକୁ ଯିବା ପାଇଁ ଚାହୁଁଛନ୍ତି?
ସମସ୍ତେ ହାତ ଟେକିବା ସହ ରାଜୀବର ସ୍ତ୍ରୀ ଆଉ ତା' ଶାଶୁ ମାଆ ବି ହାତ ଟେକିଲେ।
ପ୍ରବଚକ ରାଜୀବକୁ କହିଲେ - ତୁମେ କ'ଣ ସ୍ୱର୍ଗକୁ ଯିବା ପାଇଁ ଚାହୁଁ ନାହଁ?
ରାଜୀବ - ମୋ ସ୍ତ୍ରୀ ଆଉ ଶାଶୁ ଦୁଇଜଣ ଯଦି ସ୍ୱର୍ଗକୁ ଚାଲିଯିବେ ତାହେଲେ ମୋ ଘର ତ ଆପେ ଆପେ ସ୍ବର୍ଗ ପାଲଟି ଯିବ। ସେମାନଙ୍କ ଉପସ୍ଥିତି ପାଇଁ ତ ଏ ସ୍ଵର୍ଗ ମୋର ନର୍କ ହୋଇଯାଇଛି।
ସେମାନେ ଯିବା ପରେ ମୋର ଆଉ କୁଆଡ଼େ ଯିବା କ'ଣ ଦରକାର?
