ପାଳି
ପାଳି
ମୀନା ଆଉ ଟିନା ଦୁଇଜଣ ବହୁତ୍ ଭଲ ସାଙ୍ଗ ଥିଲେ। ସ୍କୁଲରେ ସାଙ୍ଗରେ ପାଠ ପଢୁଥିଲେ।
ମୀନା ଘରେ ତା ମାଆ ବାପା ଆଉ ସେ ରହୁଥିଲେ। ତାଙ୍କ ଘର ପାଖରେ ଥିବା ଜଣେ ପଡ଼ୋଶୀ ଆଣ୍ଟି ଖୁବ ହଇରାଣ କରୁଥିଲେ ମୀନକୁ। ଯେମିତି କି, ଯେତେବେଳେ କୌଣସି ପୁଅ ଝିଅଙ୍କ ବିଷୟରେ କିଛି ଶୁଣୁଥିଲେ ସେସବୁ ଆସି ମୀନାର ମାଆଙ୍କ ନିକଟରେ କହୁଥିଲେ ଆଉ କହିବା ସମୟରେ ମୀନା ଆଡ଼କୁ କଣେଇ କଣେଇ ଚାହୁଁ ଥିଲେ। ଯାହା ମୀନାକୁ ଜମା ବି ପସନ୍ଦ ନଥିଲା। ଧୀରେ ଧୀରେ ସେ ବଢ଼େଇ ଚୁଡ଼େଇ ମୀନା ନାମରେ ବି ଏଣୁତେଣୁ କହିବାକୁ ଲାଗିଲେ।ମୀନାର ବି ରାଗ ବଢ଼ିଲା। ସେ ବହୁତ୍ ପାଠ ପଢ଼ିବା ପାଇଁ ଚାହୁଁ ଥିଲା। କିନ୍ତୁ, ସେ ଆଣ୍ଟି ଜଣଙ୍କ ଆସି ସବୁ ସମୟରେ ତାଙ୍କ ଘରେ ପହଞ୍ଚି ଯାଉଥିଲେ ଆଉ ଗପିବାରେ ଲାଗୁଥିଲେ। ତାଙ୍କୁ କିଛି କହି ବି ହେଉ ନଥିଲା ଆଉ ଏସବୁ ସହି ବି ହେଉ ନଥିଲା।
ଘରେ ଘଟୁଥିବା ଘଟଣା ବିଷୟରେ ମୀନା ଟିନାକୁ ସବୁ କହୁଥିଲା।
ଥରେ ମୀନା ଘର ପାଖରେ ଜଣଙ୍କ ଝିଅର ବାହାଘର ଥିଲା। ସେଦିନ ସେ ଆଣ୍ଟି ମୀନା ଘରକୁ ଆସି କହିଲେ, "ଆଲୋ ମୀନା..... ୟା ପରେ ତୋ ପାଳି।"
ମୀନା ଖୁବ୍ ବିରକ୍ତ ହେଲା ତାଙ୍କ କଥା ଶୁଣି। କିନ୍ତୁ, କିଛି କହି ନ ପାରି ଚୁପ୍ ରହିଲା।
ଦିନକୁ ଦିନ ମୀନାକୁ ସେ ଆଣ୍ଟି ପ୍ରାୟ ସମୟରେ ବାହାଘର କଥା କହିଲେ, ମୀନା ତାଙ୍କ କଥା ଶୁଣି ଶୁଣି ଏକଦମ୍ ଚିଡ଼ି ଗଲା। ମନେ ମନେ ଭାବିଲା ତାଙ୍କୁ ପାନେ ଦେବ, ନହେଲେ ହେବ ନାହିଁ। ଯେମିତି ହେଲେ ବି ତାଙ୍କର ସେ ବାହାଘର କଥା କହିବା ବନ୍ଦ କରିବାକୁ ପଡ଼ିବ।
କିଛି ଦିନ ବିତିଗଲା। ଟିନା ସହିତ ମୀନା କଥା ହେଉଥିଲା।
ମୀନା - ଆଲୋ ଟିନା ଜାଣିଛୁ... ସେ ଆଣ୍ଟିଙ୍କର ବଦଭ୍ୟାସକୁ ମୁଁ ବଦଳାଇ ଦେଲି।
ଟିନା - କେମିତି...?"
ମୀନା - ଆମ ଅଞ୍ଚଳରେ କାହାର ବାହାଘର ଥିଲେ ସେ ମୋ ଗାଲ ଟାଣି କହୁଥିଲେ ଏବେ ତୋ ପାଳି। ମୁଁ ଗୋଟେ ଉପାୟ କରିଲି। ଆମ ଅଞ୍ଚଳରେ ଯେବେ କେହି ମରିଗଲେ ମୁଁ ତାଙ୍କ ଗାଲ ଟାଣି ତାଙ୍କୁ କହିବାକୁ ଲାଗିଲି ଆଣ୍ଟି... ଏବେ ଆପଣଙ୍କ ପାଳି। ସେଦିନ ଠାରୁ ସେ ଆଉ କିଛି ମୋତେ କହୁ ନାହାଁନ୍ତି।
ଟିନା - ଆରେ ବାଃ... ବଢ଼ିଆ ହେଲା ଆଉ। ହା... ହା..।
