Pratyasha Rout

Abstract Tragedy Others

4.5  

Pratyasha Rout

Abstract Tragedy Others

ଦୁଃସ୍ଵପ୍ନ

ଦୁଃସ୍ଵପ୍ନ

4 mins
269


    ସୋର ମେଡ଼ିକାଲ ଭିତରକୁ ପଶି ଯିବା ବେଳକୁ ମୋ ମୁଣ୍ଡ କ'ଣ ହୋଇଗଲା। ଆରେ ଏତେ ଲୋକ ପୁଣି ସମସ୍ତେ କ୍ଷତ ବିକ୍ଷତ ଅବସ୍ଥାରେ। ବାରଣ୍ଡାରେ ଧାଡ଼ି ଧାଡ଼ି ହୋଇ ଶୋଇଛନ୍ତି ଜୀବନ୍ତ ପରି ଲାଗୁଥିବା ଶବ ଗୁଡ଼ାକ। କାହାର ହାତ ନାହିଁ କାହାର ଗୋଡ଼ ନାହିଁ କାହାର ମୁଣ୍ଡ ଫାଟି ଭସ ବାହାରି ପଡ଼ିଛି ତ କାହାର ହୃତପିଣ୍ଡ, କ୍ଷୁଦ୍ରାନ୍ତ୍ର, ବୃହଦନ୍ତ୍ର ଜଳ ଜଳ ହୋଇ ଦିଶି ଯାଉଛି। ପୁଣି କିଏ ଜିଭ ବାହାର କରି ପକାଇଛି ତ ଆଉ କାହାର ମୁହଁର ସତ୍ତା ହଜି ଯାଇଛି।ଏତେ ବିଭତ୍ସ ଦୃଶ୍ୟ ! ସମ୍ପର୍କୀୟ ମାନଙ୍କର କରୁଣ ଚିତ୍କାର। ମାଆ ଥିଲେ ଛୁଆ ନାହିଁ, ପୁଅ ଥିଲେ ବାପ ନାହିଁ। ଆଉ କେଉଁ ସ୍ତ୍ରୀର ଆଖି ସାମ୍ନାରେ ଲିଭି ଯାଉଛି ତା ସ୍ବାମୀର ଜୀବନ ପ୍ରଦୀପ। ବୁଢ଼ା ବାପ ଆସି ଶବର ସମୁଦ୍ରରେ ଖୋଜି ଚାଲିଛି ନିଜ ମୃତ ପୁଅର ଶବକୁ। ସତରେ କେତେ ହୃଦୟ ବିଦାରକ ଚିତ୍ର..! ଆହତ ମାନେ ପଡିଛନ୍ତି ମେଡିକାଲ୍ ବେଡ଼ରେ। ମୁଁ ଧୀରେ ଧୀରେ ପାଦ ବଢ଼ାଇ ଆଗକୁ ବଢ଼ି ଚାଲିଛି ଆଉ ରୋଗୀଙ୍କ ସଂପର୍କୀୟ ମାନେ ହାତ ପତାଉଛନ୍ତି କିଛି ଟଙ୍କା ଆଶାରେ।କାରଣ ଲୌହ ଦାନବ କରମଣ୍ଡଳର କରାଳ ରୂପ ସାମ୍ନାରେ ପେଶି ହୋଇ ଯାଇଛି କାହା ଜୀବନ ଆଉ କାହା ଜୀବିକା। ଟଙ୍କା ପଇସା ସୁନା ରୂପା ପରିବାର ସଦସ୍ୟ ସବୁ କିଛି ହରାଇଛନ୍ତି ସେମାନେ। ଘରକୁ ଫେରିବା ପାଇଁ ସେମାନଙ୍କ ନିକଟରେ କାଣି କଉଡ଼ିଟିଏ ମଧ୍ଯ ନାହିଁ। ଯେଉଁଠି ମଣିଷର ମୂଲ୍ୟବାନ ଜୀବନ ଅକାଳରେ ଚାଲି ଯାଉଛି ସେଠାରେ ଟଙ୍କା ପଇସା ଆସିବ ବା କୁଆଡୁ ? ଆଖିରୁ ମୋର ଠପ୍ ଠପ୍ ହୋଇ ଲୁହ ଗଡ଼ି ପଡ଼ୁଥିଲା। ଭାବୁଥିଲି ମୁଁ ଆଉ କୌଣସି ଯୁଦ୍ଧ କ୍ଷେତ୍ରକୁ ପଶି ଆସି ନାହିଁ ତ.! କାହାକୁ ସାନ୍ତ୍ଵନା ଦେବି କିଛି ବୁଝି ପାରୁ ନଥିଲି। ସାହାଯ୍ୟ କରିବା ଆଶାରେ ପର୍ସ ଖୋଲିବା ବେଳକୁ ପାଇଲି ଗୋଟେ ମାତ୍ର ଶହେ ଟଙ୍କିଆ ନୋଟ୍। କାହାକୁ ଦେବି.? ଏଠି ତ ଶହ ଶହ ଲୋକ ଚାହିଁ ରହିଛନ୍ତି ସାହାଯ୍ୟ ଆଶାରେ। ଦୁନିଆଟା ସବୁ କିଛି ଅନ୍ଧାର ଦିଶୁଥିଲା। ଦଇବ ଏତେ ନିଷ୍ଠୁର କେମିତି ହୋଇ ପାରିଲା? ସମୟ ଆଉ ଟିକେ ପଛକୁ ଫେରି ଯାଆନ୍ତା ନାହିଁ ଶହ ଶହ ଜୀବନ ରକ୍ଷା ହୋଇ ଯାଇଥାନ୍ତା !! ଭିଡ଼ ଭିତରୁ ବାହାରିବା ପାଇଁ ରାସ୍ତା ମିଳୁ ନଥିଲା। ମୋ ଅଞ୍ଚଳରେ ଏମିତି ମର୍ମନ୍ତୁଦ ଦୁର୍ଘଟଣା ହେବ ବୋଲି କିଏ ବା ଭାବିଥିଲା ? ସରକାର ଟଙ୍କା ଘୋଷଣା କରୁଥିଲେ ମୃତକ ଓ ଆହତଙ୍କ ପରିବାର ଲୋକଙ୍କ ପାଇଁ। କିନ୍ତୁ, ଟଙ୍କା ନେଇ କ'ଣ ଜଣେ ପ୍ରିୟଜନଙ୍କ ଅଫେରା ରାଇଜର ଗସ୍ତକୁ ଅଟକାଇ ହେବ.?

ଟାଉନ୍ ହଲ୍ ଭିତରେ ଆଖି ବୁଲାଇ ଆଣିଲି ଗଣ୍ଡା ଗଣ୍ଡା ଶବ ଲଦା ହୋଇଛି। ଆହୁରି ଟ୍ରାକ୍ଟରରେ ଶବ ଆସୁଛି ପୁଣି ଆଳୁ ବସ୍ତା ପକାଇବା ପରି ଭିତରକୁ ଫିଙ୍ଗି ଦିଆ ଯାଉଛି। ଏ ଜୀବନର ସଂଜ୍ଞା ସତରେ କ'ଣ ? ବଞ୍ଚିଥିବା ବେଳେ କେତେ ଆଦର କେତେ ଯତ୍ନ କରି ନିଜ ଶରୀରର ଦେଖା ରଖା କରୁ ଆଉ ମୃତ୍ୟୁ ପରେ କ'ଣ ତା ଅବସ୍ଥା ଏମିତି ? ସତରେ ବଞ୍ଚିବା ପାଇଁ କେତେ ବ୍ୟାକୁଳ ହୋଇଥିବେ ଏମାନେ। କିନ୍ତୁ, ଜୋର୍ ଜବରଦସ୍ତି ଏମାନଙ୍କ ଜୀବନ ପ୍ରଦୀପ ଅସମୟରେ ଲିଭି ଗଲା। କିଏ କେତେ ସ୍ବପ୍ନ ଦେଖୁଥିଲା ସବୁ କିଛି ଅଧା ରହିଗଲା।

କେତେ ଦାମୀ ପୋଷାକ କିଣି ଦେହକୁ ସଜାଉଥାଉ କିନ୍ତୁ, ମୃତ୍ୟୁ ସମୟରେ ଉଲଗ୍ନ ! ହୃଦୟ ଭିତରଟା କୋରି ବିଦାରି ହୋଇ ଯାଉଥିଲା। ଟୋପାଏ ପାଣି ଆଉ ଟୋପାଏ ରକ୍ତ ପାଇଁ ବ୍ୟାକୁଳ ହେଉଥିଲେ ଦୁର୍ଘଟଣାଗ୍ରସ୍ତ ଲୋକେ। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ବାଲେଶ୍ଵର ମାଟି। ଧଡ଼ କରି ମୋ ନିଦଟା ଭାଂଗି ଗଲା ଆଉ ମୁଁ ଆଖି ଖୋଲି ଦେଇ ଉପରକୁ ଚାହିଁବା ବେଳକୁ ମୋ ମୁଣ୍ଡ ଉପରର ପଙ୍ଖାଟା ଦ୍ରୁତ ଗତିରେ ଘୁରି ଚାଲିଥିଲା। ଗୋଟା ଦେହ ମୋର ଝାଳ ଜୁଡୁ ବୁଡୁ। ଓଃ ମୁଁ ତାହେଲେ ସ୍ଵପ୍ନ ଦେଖୁଥିଲି। ମନେ ପଡ଼ିଗଲା ସନ୍ଧ୍ୟା ବେଳର ନ୍ୟୁଜ୍। ସତରେ ତ ରେଳ ଦୁର୍ଘଟଣା ଘଟିଛି ବାହାନଗାରେ। କେତେ କେତେ ଲୋକ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ଆଉ ମୁଁ ଘରେ ଆରାମରେ କାହିଁକି ଶୋଇ ପଡ଼ିଛି ? ସେମାନଙ୍କ ପାଇଁ କିଛି ସାହାଯ୍ୟ ସବୁ କ'ଣ ସରକାର ବୁଝିବେ ବୋଲି ଶାସ୍ତ୍ରରେ ଲେଖା ହୋଇଛି। ମୋ ପରି ଜଣେ ଜଣେ ମଣିଷ ଯଦି ରକ୍ତ ଦାନ, ଖାଦ୍ୟ ଦାନ କରନ୍ତି ତାହେଲେ ସେ ହତଭାଗା ଲୋକେ ନିଶ୍ଚୟ ଉପକୃତ ହେବେ। ଘଡ଼ିକୁ ଚାହିଁ ଦେଖିଲି ଭୋର୍ ପାଞ୍ଚଟା ବାଜିବାକୁ ଯାଉଛି। ଆଉ ନିଶ୍ଚିତ ହୋଇ ଶୋଇ ରହି ପାରିଲି ନାହିଁ। ଧଡ଼ ପଡ଼ ହୋଇ ଉଠି ଯାଇ ନିତ୍ୟ କର୍ମ ସାରିଦେଲି। ମୋବାଇଲ୍ ଖୋଲି ଦେଖିଲି ଆକାଉଣ୍ଟରେ ପନ୍ଦର ହଜାର ଟଙ୍କା ଅଛି।ମୋ ସଞ୍ଚିତ ଅର୍ଥରୁ କିଛି ଓ ଏଟିଏମରୁ କିଛି ଟଙ୍କା ଉଠାଇ ବାପାଙ୍କୁ ଧରି ବାହାରିଲି ସୋର ମେଡ଼ିକାଲକୁ। ଯିବା ବେଳେ କିଛି ବିସ୍କୁଟ, ପାଉଁରୁଟି,ଫଳ ରସ ଆଉ ପାଣି ବୋତଲ କିଣି ନେଲି।

  ମେଡ଼ିକାଲ ପରିସରରେ ପହଞ୍ଚିବା ପରେ ସତେ ଯେମିତି ଧୈର୍ଯ୍ୟ ହରା ହୋଇ ଉଠିଲି ମୁଁ। ମୋ ଅଜାଣତରେ କେତେବେଳେ ମୋ ଆଖିରୁ ଗରମ ଲୁହ ବୋହି ଚାଲିଥିଲା। ସ୍ୱପ୍ନରେ ଦେଖିଥିବା ଦୃଶ୍ୟ ଠାରୁ ସହସ୍ର ଗୁଣରେ ଭୟଙ୍କର ଆଉ ବୀଭତ୍ସ ଥିଲା ସେ ଚିତ୍ର। ଲଥ୍ କରି ବସି ପଡ଼ିଲି ପାଖରେ ପଡ଼ିଥିବା ଗୋଟେ ବେଞ୍ଚ ଉପରେ।

ବାପା ମୋତେ କହିଲେ - ତୁ ପରା ସେମାନଙ୍କୁ ସାହସ ଦେବା ପାଇଁ ଧୈର୍ଯ୍ୟ ଦେବା ପାଇଁ ଆସିଛୁ। ଆଉ ତୁ ଯଦି ଏମିତି ଭାଙ୍ଗି ପଡ଼ିବୁ ତାହେଲେ ସେମାନଙ୍କୁ କିଏ ସାନ୍ତ୍ଵନା ଦେବ....?

  ମୁଁ ଲୁହ ପୋଛି ଛିଡ଼ା ହେଲି। ମନେ ମନେ ଖୁବ୍ ଆନନ୍ଦିତ ହେଲି ଯେ, ଭଗବାନ ମୋତେ ଦେବତା ତୁଲ୍ୟ ବାପାଟିଏ ଦେଇଛନ୍ତି ବୋଲି, ଯିଏ ପ୍ରତି ମୁହୂର୍ତ୍ତରେ ମୋ ସହ ଅଛନ୍ତି। କିନ୍ତୁ, ବେଡ୍ ଉପରେ ବସି କାନ୍ଦୁ ଥିବା ଏ କୁନି କୁନି ପିଲା ମାନଙ୍କର ଦୁର୍ଭାଗ୍ୟ ଯେ ସେମାନଙ୍କ ମୁଣ୍ଡ ଉପରୁ ଆଜି ତାଙ୍କବାପା ମାଆଙ୍କ ଅଭୟ ହାତ ଉଠି ଯାଇଛି। ମୋ ବାକ୍ ଶକ୍ତି ବୋଧ ହୁଏ ମୁଁ ହରାଇ ବସିଥିଲି। ଜଣଙ୍କ ପରେ ଜଣଙ୍କ ନିକଟକୁ ଯାଇ ସାଙ୍ଗରେ ଆଣିଥିବା ଖାଦ୍ୟ ଦେଲି। ନିଜ ଲୁହ କୋହ ଅଟକାଇ ସେମାନଙ୍କୁ ସାନ୍ତ୍ଵନା ଦେଲି। ମୋ ସାମର୍ଥ୍ୟ ମୁତାବକ ମୁଁ ସାହାଯ୍ୟ କରିଲି। ଯେଉଁ ମାନେ ଟଙ୍କା ଆବଶ୍ୟକ କରୁଥିଲେ ହାତ ବଢ଼ାଇବା ବେଳକୁ ମୁଁ ଦେଖିଲି ବାପା ନିଜ ପକେଟରୁ କିଛି ଟଙ୍କା ବାହାର କରି ଜଣ ଜଣଙ୍କ ହାତକୁ ବଢ଼ାଇ ଦେଉଛନ୍ତି। ଗର୍ବରେ ଛାତି ମୋର କୁଣ୍ଢେମୋଟ ହୋଇ ଯାଉଥିଲା। ସେ ମଧ୍ୟ ନିଜର ଦରମା ଟଙ୍କାରୁ କିଛି ଦେଇ ମଣିଷ ପଣିଆର ନିଦର୍ଶନ ଦେଇଥିଲେ। ବାପା ଓ ମୁଁ ଦୁଇ ଜଣ ରକ୍ତ ଦାନ କରିଲୁ। ଯେଉଁ ମାନେ ଅଫେରା ରାଇଜକୁ ଚାଲି ଗଲେଣି ସେମାନଙ୍କୁ ତ ଆଉ ଫେରାଇ ଆଣି ହେବ ନାହିଁ। କିନ୍ତୁ, ଆମ ଚେଷ୍ଟା ପାଇଁ ଯେଉଁ ମାନେ ବଞ୍ଚି ରହି ପାରିବେ ସେମାନଙ୍କ ଲାଗି କ'ଣ କିଛି ବୁନ୍ଦା ରକ୍ତ ଆମ ଶରୀରରୁ ନିଗାଡ଼ି ଦେଇ ପାରିବା ନାହିଁ ? ଯଦି ସେତିକି ଆମେ କରି ନ ପାରିବା ତାହେଲେ ମୂଲ୍ୟ କ'ଣ ଆମେ ଶ୍ରେଷ୍ଠ ଜାତି ମାନବ ଜାତିର ଆଖ୍ୟା ଧାରଣ କରି ! ଦୁଃଖ ତ ଖୁବ୍ ଲାଗୁଥିଲା କିନ୍ତୁ, ଖୁସି ବି ଲାଗୁଥିଲା ଯେ, ଆମ ପାଇଁ ଆଉ ଜଣେ କେହି ମୃତ୍ୟୁ ମୁଖରୁ ବଞ୍ଚି ଆସିବ।

   ହୁଏତ ସାହାଯ୍ୟର ହାତ ବଢାଇବାର ମନୋବୃତ୍ତି ମୋ ଭିତରେ ସୃଷ୍ଟି ହୋଇ ଥାଆନ୍ତା କି ନାହିଁ ଜାଣି ନାହିଁ। କିନ୍ତୁ, ମୁଁ ଦେଖିଥିବା ରାତିର ସେ ଭୟାନକ ସ୍ଵପ୍ନ ପାଇଁ ଏମିତି ଏକ ପଦକ୍ଷେପ ନେଇ ପାରିଲି। କେବେକେବେ ଦୁଃସ୍ଵପ୍ନ ମଧ୍ଯ କିଛି ନୂତନ ପ୍ରୟାସର ଭିତ୍ତିଭୂମି ସ୍ଥାପନ କରିବା ସହିତ ନବୀନ ଆରମ୍ଭ କରେ। ସହାଯ୍ୟ କ୍ଷୁଦ୍ର ହୋଇପାରେ ସତ କିନ୍ତୁ ମୂଲ୍ୟହୀନ ନୁହେଁ !



Rate this content
Log in

Similar oriya story from Abstract