ସୂତପୁତ୍ର
ସୂତପୁତ୍ର


ପିଲାଟି ହଠାତ୍ କାନ୍ଦି ପକେଇଲା ।
କବଚ କୁଣ୍ଡଳହୀନ କର୍ଣ୍ଣ କ'ଣ ଏମିତି କାନ୍ଦିଥିଲେ ?
ଭାବନାରେ କିଛି ସମୟ ପାଇଁ ହଜିଗଲି ।
ଦିନ ଦିନ ଧରି ଦେଖି ଆସୁଥିଲି ତାକୁ । ତା' ପାଖରେ ସହିବାର ଶକ୍ତି ଯେତିକି ସାହସ ବି ସେତିକି ଦେଖୁଥିଲି ।
ସୁନ୍ଦର ମୁହଁ । ସୁମଧୁର କଣ୍ଠ ସ୍ବର । ଚେହେରାର ଚମକ ବି ଥିଲା । ଖୁବ୍ ଗୋଟେ ଆଗ୍ରହ ମନ ଭିତରେ ରଖି ନିଜର ବାପାକୁ ଖୋଜୁଥିଲା ସେ ।
ଗତ ଆଠ ନଅ ବର୍ଷ ହେବ ତା'ର ଗୋଟେ ଧାରଣା ହୋଇ ଯାଇଥିଲା ଯେ ତା'ର ବାପା ଜଣେ ପ୍ରଖ୍ୟାତ ସାହିତ୍ୟିକ । ତା'ର ଧମନୀରେ ପ୍ରବାହିତ ରକ୍ତର ସଂପର୍କ ଜଣେ ସାହିତ୍ୟିକର ରକ୍ତ ସହିତ ରହିଛି ।
- " କେମିତି ବଞ୍ଚିଛୁ,ବାବୁ ? " ଦିନେ ତାକୁ ପଚାରିଦେଲି ।
ମୋତେ ଆଶ୍ଚର୍ଯ୍ୟ କରିଦେଇ ସେ କହିଲା - " ମୋ ବାପା ମୋର ଶତ୍ରୁ । ବଞ୍ଚିବାକୁ ତାହା ହିଁ ମୋର ଶକ୍ତି ଓ ସାହସ । ଏହାକୁ ପାଥେୟ କରି ମୁଁ ସବୁକିଛି କରୁଛି । ବଞ୍ଚିବାକୁ ପ୍ରେରଣା ମୋତେ ସେହିଠାରୁ ହିଁ ମିଳୁଛି । "
ପିଲାଟିର ମୁହଁରେ ଆଭାର ମୁହଁ ଦେଖୁଥିଲି । ଆଭା ମୁହଁର ସରଳତା ବି ବେଳେବେଳେ ଫୁଟି ଉଠୁଥିଲା ସେହି ମୁହଁରେ ।
ଦିନେ ତାକୁ ପୁଣି ପଚାରିଲି - " କିନ୍ତୁ ତୁ କେଉଁଠି ପାଇବୁ ତୋ ବାପାକୁ ? ଅସଂସ୍କୃତି,ଅପରମ୍ଫରା ପ୍ରତି ଏକାନ୍ତ ଅନୁଗତ ହୋଇ କାହିଁକି ତାକୁ ଖୋଜୁଛୁ ? କେତେ ଦିନ ଯାଏ ଖୋଜୁଥିବୁ ଏମିତି ? "
ଦେଖିଲି ତା'ର ଆଖି ଓଦା ହୋଇ ଆସିଲା । ସେ କିଛି କହି ପାରୁ ନ ଥିଲା ।
ଏବେ ମୋର ଆଭା କଥା ମନେ ପଡିଲା । ଦିନେ ମୋ ପାଇଁ ଖୁବ୍ ଆକର୍ଷଣ ଥିଲା ସେ । କିନ୍ତୁ ତା' ସହିତ ମୋର ସେମିତି କିଛି ସଂସର୍ଗ ନ ଥିଲା । ଅବଶ୍ୟ ଏକଥା କହିବାକୁ ଆଜି ମନରେ ଦ୍ବିଧା ନାହିଁ ଯେ ଦିନେ ସେହି କାମାତୁରା ସୁନ୍ଦରୀ ସହିତ ଏକାନ୍ତରେ ମୁଁ ମଦନୋନ୍ମତ୍ତ ହୋଇଥିଲି । କିଛି ସମୟ ପାଇଁ ସେଇ ଲାବଣ୍ୟମୟୀ,ଲାସ୍ୟମୟୀ ନାରୀର କୋଠରୀରେ ନିଜକୁ ହଜାଇ ଦେଇଥିଲି ।
ଫେରି ଆସିଲି ମୋର ଏଇ ଭାବନାରୁ । ପିଲାଟିକୁ ଭଲକରି ଚାହିଁଲି । ତା'ର ହାତରେ ଡାଏରୀଟିଏ ଦେଖି ପଚାରିଲି - " ହାତରେ ଏ ଡାଏରୀଟି କ'ଣ ପାଇଁ ? "
ସେ ନିଜ ଆଖି କୋଣରୁ ଲୁହ ପୋଛି ଡାଏରୀର ପୃଷ୍ଠା ସବୁକୁ ଧୀରେ ଓଲଟାଇବାରେ ଲାଗିଲା । କହିଲା - " ଆପଣ ଦେଖିପାରନ୍ତି । ଯାହା ଲେଖା ଅଛି ପଢିଲେ ସବୁ ବୁଝି ପାରିବେ ଯେ । "
ମୋର କୌତୁହଳ ବଢିଲା । ଡାଏରୀଟିକୁ ହାତକୁ ଆଣି ମୁଁ ତା'ର ପୃଷ୍ଠା ସବୁକୁ ଲେଉଟାଇବାରେ ଲାଗିଲି ।
ଏସବୁ ତ ଆଭାର ଅକ୍ଷର !
ମୋର ଆଶ୍ଚର୍ଯ୍ୟର ସୀମା ନ ଥିଲା ।
ପଢୁ ପଢୁ ଗୋଟିଏ ଜାଗାରେ ଅଟକିଗଲି । ଲେଖାଥିଲା - " ସୂର୍ଯ୍ୟ ବାବୁ ମୋ ସାଙ୍ଗରେ ଯାହା କଲେ, ଜୀବନରେ ଆଉ କେହି କରିନି । ସେ ହଁ ମୋ ପୁଅର ବାପା । ତାକୁ ତା' ବାପାର ପରିଚୟ ମିଳୁ । ସେତିକି ତା'ର ଆବଶ୍ୟକ କେବଳ ଏ ଜନ୍ମରେ । ଅଧିକ ଆଶା କରୁନି ସେ । .......... । "
ଆଉ ପଢି ପାରିଲିନି । ପୁଣି ପଚାରିଲି - " ମାଆ କ'ଣ କିଛି ବି ତତେ କହିନାହିଁ ? ତୋ ବାପା ସଂପର୍କରେ.......? "
- " ନା,ମୋ ହାତରେ ଏ ଡାଏରୀଟି ଧରାଇ ଦେଇ ସେ' ତ କେବେଠୁଁ କୁଆଡ଼େ ନିଖୋଜ ହୋଇ ଯାଇଛି । ସେଇ ଦିନରୁ ଏ ସହରରେ ମୁଁ ଘୂରି ବୁଲୁଛି । "
ମୋ ପ୍ରଶ୍ନର ଏତିକି ଉତ୍ତର ଦେଇ ସେ ପୁଣି କଇଁ କଇଁ ହୋଇ କାନ୍ଦି ପକାଇଲା । ତା'ର ମଥା ସାଉଁଳି ଦେଇ ତାକୁ ତୁନି କରାଇ ଦେବାକୁ ମୋର ଇଚ୍ଛା ହେଲା । କହିଦେବାକୁ ବି ଇଚ୍ଛା ହେଲା - ମୁଁ ତୋର ବାପା । ହେଲେ ପାରିଲିନି । ମୋର ସବୁତକ ଦୟା, କରୁଣା ଓ ସହାନୁଭୂତିକୁ ମୁଁ ମୋ ନିଜ ଭିତରେ ସମାଧି ଦେଇଦେଲି ।
ସୂତପୁତ୍ର !!!
ମୁହଁ ବୁଲାଇ ଗନ୍ତବ୍ୟ ପଥରେ ଚାଲିଗଲି ।