ଶୀତ, ସୋରିଷ ଫୁଲ ଓ ମୁଁ
ଶୀତ, ସୋରିଷ ଫୁଲ ଓ ମୁଁ
ଶୀତ ଋତୁ।ନଈପଠାରେ ସୋରିଷ ଫୁଲର ଶୋଭା।
ଚିକ୍ ଚିକ୍ ଖରା ସୋରିଷ ଫୁଲର ଶୋଭାକୁ ଦ୍ବିଗୁଣିତ କରୁଥାଏ।ନଈପଠା ସାରା ଖେଳୁଥାଏ ସୋରିଷ ଫୁଲର ମିଠା ମିଠା ବାସ୍ନା।
ସୋରିଷ ଫୁଲର ତୀବ୍ର ଆକର୍ଷଣ ଥିଲା।ମୋର ଦରକାର ଥିଲା କିଛି ଉଷ୍ଣତା।ତେଣୁ ମୁଁ ସେଆଡ଼କୁ ଚାଲିଆସିଥିଲି।
ସେ ଗଲାଦିନୁ ଉଷ୍ଣତା ସହିତ ମୋର କଟି।ମୋଟା ମୋଟା ରେଜେଇ ଘୋଡ଼ାଇ ହେଲେ ବି ଶୀତରେ ଥରିଯାଉଛି ମୁଁ।ଶୀତ ରାତିରେ ରେଜେଇ ତଳେ ତାଙ୍କ ଉଷ୍ମତାକୁ ଖୋଜୁଛି।ତାଙ୍କୁ ଝୁରିହେଉଛି।
ଖରାରେ ଠିଆ ହୋଇଥିଲି।ସୋରିଷ ଫୁଲକୁ ଛୁଇଁଲି।ହେଲେ ମୋ ଦେହରେ, ମନରେ ଉଷ୍ଣ ଅନୁଭବ ଖେଳିଲାନି।ହାୟ!ଦିନେ କେତେ ନିଜର ଥିଲା ଏଇ ଉଷ୍ଣତା ! କେତେ ଭଲ ଲାଗୁଥିଲା ଏଇ ସୋରିଷ କ୍ଷେତ!
ସେ ଫେରିବାର ସୂଚନା ନ ଥିଲା।ମୋତେ ପର କରିଦେଇ ଯାଇଥିଲେ ସେ।ମୋର ମନେହେଲା ସେ ପାଖରେ ନାହାନ୍ତି ବୋଲି ଏଇ ସୋରିଷ ଫୁଲ ବୋଧହୁଏ ତା'ର ଆତ୍ମୀୟତା ମୋ ଠାରୁ ଫେରାଇ ନେଇଛି।ମୋତେ ଉଷ୍ଣତା ଟିକେ ଦେବା ପାଇଁ ତାଙ୍କୁ ଅପେକ୍ଷା କରିଛି।
' ମୋ ପରି ସେ କ'ଣ ଖୋଜୁ ନ ଥିବେ ଉଷ୍ଣତା?ଏ ଶୀତରେ ତାଙ୍କର କ'ଣ ଉଷ୍ଣତା ଲୋଡ଼ା ପଡୁ ନ ଥିବ? 'ମୁଁ ସୋରିଷ ଫୁଲକୁ ପଚାରିଲି।
ନିର୍ମଳ ଆକାଶ।ଶୀତଳ ପବନ ଧୀର ଗତିରେ ବହୁଥିଲା।
ସେ ଯଦି ଉଷ୍ଣ ଥାଆନ୍ତେ କାହିଁକି ବହିଆସନ୍ତା ଏ ଶୀତଳ ପବନ?କାହିଁକି ତୁମେ ଭାବୁଛ ଯେ ସେ ଉଷ୍ଣତା ଲୋଡୁନାହାନ୍ତି ବୋଲି?ଶୀତରେ ଉଷ୍ଣତା କିଏ ଖୋଜେନାହିଁ ଯେ? ' ମୋତେ ଓଲଟି ପ୍ରଶ୍ନ କଲା ସୋରିଷ ଫୁଲ।
ସତେ ତ! ମୁଁ ତାଙ୍କ ପାଖରେ ନାହିଁ ଯେତେବେଳେ କିଏ ଆଣିଦେବ ତାଙ୍କ ଦେହରେ, ମନରେ ଉଷ୍ଣତା?ଶୀତରେ ସେ ଉଷ୍ଣ ହେବେ କିପରି?ମୁଁ ମନକୁମନ କହିଲି।
ଏବେ ମୁଁ ମୋ ଜୀବନର ହିସାବ ଖାତା ଖୋଲିବାକୁ ଲାଗିଲି।ଛାଡ଼ି ଆସିଥିବା ଅତୀତର ଛବି ସବୁ ମୋ ଆଖି ଆଗରେ ଭାସି ବୁଲିଲେ।ମୁଁ ବିବଶ ହୋଇ ଆତ୍ମଦହନରେ ଜଳିଲି।
' ତୁମେ ଫେରିଆସ।ମୁଁ ତୁମ ସହିତ ବିଗତ ଦିନର ସେଇ ଉଷ୍ଣ ମୁହୂର୍ତ୍ତମାନଙ୍କୁ ଖୋଜୁଛି।ଶୀତରେ ଶୀତରେ ରାତି ବିତାଇବାକୁ ଆଦୌ ଚାହୁଁନି।ଉଷ୍ଣତା ବିନା ଏ ସୁକୁମାରୀ ବୟସର କିଛି ମୂଲ୍ୟ ଥାଏ କି?ଆସିଲେ ଦେଖିବ ତୁମ ଉଷ୍ଣତା ବିନା ସାରା ରାତି ବିଛଣାରେ ପଡ଼ି କେତେ ଛଟପଟ ହେଉଛି ମୁଁ।ପୂରା ଭୁଲିଗଲିଣି ମୁଁ ତୁମ ଉଷ୍ଣତାର ସଜ୍ଞା। '
ମନକୁମନ ମୁଁ ଏତିକି କହିଲି।ମୋ ମନଟା ଖୁବ୍ ଅଭିମାନରେ ଓହଳି ପଡ଼ିଲା।ଛାତି ତଳେ ପ୍ରେମାନୁରାଗର ନଈ ବହିବାକୁ ଲାଗିଲା।
- ' ମୁଁ ଅଛି ମାନେ ଜୀବନ ଅଛି।ଜୀବନ ଅଛି ମାନେ ପ୍ରେମ ଅଛି।ପ୍ରେମ ଅଛି ମାନେ ଉଷ୍ଣତା ଅଛି।ତୁ ଏତେ ଭାଙ୍ଗିପଡୁଛୁ କାହିଁକି?ଇଚ୍ଛା ଆୟତରେ ରହୁ।ଦିନେ ନା ଦିନେ ତୋ ପ୍ରେମ ଫେରିବ।ପ୍ରେମ ଫେରିଲେ ଉଷ୍ମତା ଫେରିବ।ତୁ ପୁଣି ତୋର ଶୀତରାତିକୁ ଉପଭୋଗ କରିବୁ। ' ମୋ ମନକଥା ବୁଝିପାରି ସୋରିଷ ଫୁଲ କହିଲା।
- ' ଭଙ୍ଗା ମନ।ଭଙ୍ଗା ହୃଦୟ।ଥରଥର ଦେହ।ଶୀତରାତି।ଇଚ୍ଛାକୁ ଚାପି ରଖିପାରୁଛି କ'ଣ!ସେ ବି ଏ ସମୟରେ ମୋତେ ଲୋଡୁନାହାନ୍ତି।ମୁଁ ବି ମୋ ନିଜକୁ ମୁକୁଳେଇ ତାଙ୍କ ପାଖକୁ ଯାଇପାରୁନି। ' ମୁଁ କହିଲି।
ମୋ ସ୍ଥିର ମନରେ ଭରି ଯାଉଥିଲା ଅସ୍ଥିରତା।ତାହା ପୁଣି ଧୀରେ ଧୀରେ ବଢ଼ିବାରେ ଲାଗିଥିଲା।ଅଧୈର୍ଯ୍ୟରେ ମୋ ସରଳପଣ ସବୁ ସଳିତା ହୋଇ ଜଳୁଥିଲେ।ବଦଳି ସାରିଥିଲା ମୋ ପାଇଁ ପ୍ରେମର ସଜ୍ଞା।ଏବେ କେବଳ ହାରିବାରେ ଲାଗିଥିଲି ମୁଁ।ବୋଧହୁଏ ହାରିଯିବି ଭାବୁଥିଲି।
ଦିନ ଥିଲା ସବୁ ରାତିରେ ସେ ମୋ ଠାରୁ ହାରୁଥିଲେ।ଏଇ ହାରିବାଟା ସେତେବେଳେ ତାଙ୍କ ପାଇଁ ଥିଲା ଶ୍ରେଷ୍ଠ।ହେଲେ କାହିଁକି ଏବେ ସେ ମୋତେ ହରାଇବାକୁ ବ୍ୟସ୍ତ ବୁଝିପାରୁ ନ ଥିଲି।ବ୍ୟସ୍ତପଣରେ ମୁଁ କେବଳ ଅପେକ୍ଷା କରୁଥିଲି ତାଙ୍କ ସୋରିଷଫୁଲିଆ ପ୍ରେମକୁ।
ଜାଣିଥିଲି ମହୁମାଛି କେଉଁଠି ବାନ୍ଧି ହୋଇ ରହିପାରେ ନାହିଁ।ତା'ର ମଧୁ ଲୋଡ଼ା ହୁଏ।ଲୋଡ଼ାପଡ଼େ ଉଷ୍ଣତା।ଫୁଲ ପାଖକୁ ସେ ଆସେ ନିଶ୍ଚୟ।ଏବେ ଭାବୁଥିଲି ସେ କେମିତି କେଉଁଠି ବାନ୍ଧି ହୋଇ ରହିଛନ୍ତି ବୋଲି।ମନେମନେ ଆଙ୍କୁଥିଲି ତାଙ୍କ ଛବି।ଗୋଟେ ନିଖୁଣ ସ୍ବର୍ଗୀୟ ସୁଖର ସକାଳର ଚେହେରା ସାମ୍ନାରେ ଦେଖୁଥିଲି।
ଏତିକିବେଳେ ଦଳେ ମହୁମାଛି ଉଡ଼ିଆସିଲେ।ସୋରିଷ ଫୁଲରେ ବସିଲେ।ଗୁଣୁଗୁଣୁ ଗୀତ ଗାଇଲେ।ସଂସାରମନସ୍କ ହେଲେ।ପ୍ରେମରେ ମାତି ଗୋଟେ ଉଷ୍ଣତାର ପରିବେଶ ଗଢ଼ିଲେ।
ହଠାତ୍ ପବନ ବଦଳିଗଲା।ଉଷ୍ଣତା ଭରିଗଲା ମୋ ଦେହରେ, ମନରେ।ମୋର ମନେହେଲା ଯେମିତି ସେ ତାଙ୍କର ସବୁ ଅଭିମାନ ଭୁଲି ମୋ ପାଖକୁ ଫେରି ଆସିଛନ୍ତି।ସାଙ୍ଗରେ ମୋ ପାଇଁ ଆଣିଛନ୍ତି ମେଞ୍ଚା ମେଞ୍ଚା ଉଷ୍ଣତା।ପ୍ରଚଣ୍ଡ ପ୍ରେମ ଆବେଗରେ ମୋତେ ପଛଆଡୁ ଭିଡ଼ି ଧରି କହୁଛନ୍ତି - ଦେଖ,ମୁଁ ଆସିଛି।ଏବେ ବହୁତ ଶୀତ।କେବଳ ତୁମରି ଉଷ୍ଣତା ଟିକେ ପାଇବାକୁ ମୁଁ ଚାଲିଆସିଛି।ମାନ ଅଭିମାନରୁ କ'ଣ ମିଳିବ ଯେ!
ମୁଁ ମୁର୍କି ମୁର୍କି ହସିଲି।ନୀରବରେ ତାଙ୍କ ପ୍ରେମ ଉଷ୍ଣତାର ମଜା ଉଠାଇଲି।ଗୋଟାପଣେ ଝାଳରେ ଭିଜିଲି।
- ' ତୋତେ କହୁଥିଲି ନା,ମୁଁ ଅଛି ମାନେ ଜୀବନ ଅଛି।ଜୀବନ ଅଛି ମାନେ ପ୍ରେମ ଅଛି।ପ୍ରେମ ଅଛି ମାନେ ଉଷ୍ଣତା ଅଛି।ତୁ ଏତେ ଭାଙ୍ଗି ପଡୁଛୁ କାହିଁକି? ଏବେ ଦେଖିଲୁ ତ? ' ସୋରିଷ ଫୁଲ ପୁଣି ମୋତେ କହିଲା ଏତିକିବେଳେ।
ଆଉ ଉଦାସ ନ ଥିଲା।ମୋର ଫିକା ମନ ମୋତେ ଏବେ ଖୁବ୍ ଗୋଲାପୀ ଗୋଲାପୀ ଲାଗୁଥିଲା।