STORYMIRROR

Sachidananda Kar

Classics

3  

Sachidananda Kar

Classics

ପଚାରନା ସେପରି ପ୍ରଶ୍ନ

ପଚାରନା ସେପରି ପ୍ରଶ୍ନ

2 mins
210


       ଏକଲାପଣରେ ବଞ୍ଚୁଥିଲା ସେ। 


       ମଣିଷ ଏକା ଏକା ବଞ୍ଚିବାକୁ ପସନ୍ଦ କରି ନ ଥାଏ।ସାଙ୍ଗସାଥି, ପ୍ରିୟ ପରିଜନ,କୋଳାହଳ, ଭାବପ୍ରୀତି - ଏମିତି କେତେ କ'ଣ ତାକୁ ଲୋଡ଼ା ପଡ଼ିଥାଏ। 


       କୋଳାହଳ ଭିତରେ ବି ଅନେକ ଏଠି ନିଃସଙ୍ଗ ଜୀବନ ବଞ୍ଚନ୍ତି।ଉଚ୍ଚ ଭାବନାରେ ରହି କେତେକ ନିଜେ ନିଜେ ନିଜକୁ ନିଃସଙ୍ଗ କରିଦିଅନ୍ତି।ଏକା ଏକା ବଞ୍ଚନ୍ତି। 


       ନିଜର ସ୍ବାର୍ଥ ଦେଖିବା,ନିଜ ପାଇଁ କାମ କରିବା,ନିଜେ ଉପରକୁ ଉଠିବା - ଏସବୁ ଭାବନା ଆଜି ଅନେକଙ୍କୁ ନିଃସଙ୍ଗ ଜୀବନ ଭିତରକୁ ଠେଲି ଦେଇଛି।ଜାଣି ବୁଝି ନିଃସଙ୍ଗ ଜୀବନ ବିତାଉଛନ୍ତି କେତେକ। 


       ସେ କିନ୍ତୁ ସେପରି ନ ଥିଲା।ତା'ର ସମୟ ଓ ପରିସ୍ଥିତି ତାକୁ ଏକା କରି ଦେଇଥିଲେ।ତା'ର କେହିଜଣେ ନିଜ ଲୋକ ତା' ପାଖରେ ନ ଥିଲେ। 


       ବଞ୍ଚିବାକୁ ବାଧ୍ୟ ହୋଇ ଅନେକ ଏଠି ନିଃସଙ୍ଗ ଜୀବନ ବଞ୍ଚନ୍ତି।ପାନ୍ଥଶାଳା,ଅନାବିଷ୍କୃତ ଦ୍ବୀପ, ମଧ୍ୟ ରାତ୍ରୀର ପକ୍ଷୀ,ଗର୍ଭଗୃହରେ ଜଳୁଥିବା ଦୀପ, ଉଚ୍ଚା ଉଚ୍ଚା ପାହାଡ଼ - କିଏ ଦୃଶ୍ୟରେ ହେଉ କିଏ ଅଦୃଶ୍ୟରେ ବଞ୍ଚନ୍ତି ନିଃସଙ୍ଗ ଜୀବନ।ହେଲେ ସେମାନେ ଦୁଃଖୀଥିବାର କ୍ଵଚିତ ଦେଖାଯାଏ। 


       ଜୀଇ ଜାଣିଲେ ନିଃସଙ୍ଗ ଜୀବନ ବି ଭଲଲାଗେ।ଦୁଃଖ ନ ଥାଏ। 


       ଅନେକ ବିନା ନିମନ୍ତ୍ରଣରେ ଚାଲିଆସନ୍ତି।ଆସି ନିଃସଙ୍ଗ ଜୀବନର ସାଥି ହୁଅନ୍ତି।ସଂପର୍କ ବଢ଼ାନ୍ତି।ହୃଦୟରେ ଘର ତୋଳନ୍ତି।ପୁଣି ନିଜ ନିଜ ବାଟରେ ଚାଲିଯାନ୍ତି। 


       ହେଲେ ଏମିତି ଜୀବନ ବଞ୍ଚୁ ନ ଥିଲା ସେ।ନିମନ୍ତ୍ରଣରେ ହେଉ ଅବା ବିନା ନିମନ୍ତ୍ରଣରେ କେହି ତା' ପାଖକୁ ଆସିବାର ଦେଖାଯାଉ ନ ଥିଲା।ଏପରିକି ସ୍ବପ୍ନମାନେ ମଧ୍ୟ ତା' ପାଖକୁ ଆସୁ ନ ଥିଲେ।ଗୋଟେ ଏକଦମ୍ ନିଃସଙ୍ଗ ଜୀବନ ବଞ୍ଚୁଥିଲା ସେ। 


       ମଧୁର ସ୍ମୃତି ବେଳେବେଳେ ମଣିଷର ସାଥି ପାଲଟେ।ସ୍ମୃତିକୁ ଆଶ୍ରୟ କରି ମଣିଷ ବି ବଞ୍ଚିପାରେ କୋଳାହଳପୂର୍ଣ୍ଣ ଜୀବନ।ଜୀବନର ବାକି ପଥ ସୁଖରେ, ସ୍ଵଚ୍ଛନ୍ଦରେ ଚାଲିପାରେ।ହେଲେ ସେପରି ଅବସ୍ଥା ତା'ର ନ ଥିଲା।କାରଣ ତା' ଜୀବନରେ ମଧୁର ସ୍ମୃତି ବୋଲି କିଛି ନ ଥିଲେ। 


       ସଂପର୍କଟା ତ ସବୁବେଳେ ଗୋଟେ ସୂତାଖିଅ ଭଳି।ନ ଚାହିଁବା ଯାଏଁ ଯେମିତି ସେମିତି ଥାଏ,ଚାହିଁଲେ ଅକ୍ଳେଶରେ ଛିଡ଼ିଯାଏ।ଇଚ୍ଛାରେ ସମସ୍ତେ ତା' ସହିତ ସଂପର୍କର ସୂତାଖିଅକୁ ଛିଡେଇଦେଇ ଯିଏ ଯାହା ବାଟରେ ଚାଲି ଯାଇଥିଲେ।ସେ ବିଚାରୀ ଗୋଟେ ଭଙ୍ଗା ହୃଦୟ ଧରି ପଡ଼ି ରହିଥିଲା।ବଡ଼ ଦୁଃଖରେ ଦିନ କାଟୁଥିଲା। 


       ଏବେ ତା'ର ସମସ୍ତ ସମୟ ଥିଲା ଜୀବନକୁ ଅନୁଭବ କରିବାର ସମୟ।ସମୟକୁ ଅନୁଭବ କରିବାର ସମୟ।ମେଘମାନଙ୍କ ଉହାଡ଼ରୁ ଉତୁରୁଥିବା ଇନ୍ଦ୍ରଧନୁକୁ ଦେଖିବାର ସମୟ।ସମସ୍ତଙ୍କୁ ନିଜର ଭାବିବାର ସମୟ।ଏକାନ୍ତରେ ବସିଗଲେ ସେ କେବଳ ତା' ନିଜକୁ ଭଲପାଇବାରେ ଲାଗିଥିଲା।ନିଜ ଦେହରେ ନିଜର ନାଁ ଲେଖୁଥିଲା।ନୀରବତାର ଆଇନାରେ ନିଜ ମୁହଁ ଦେଖୁଥିଲା। 


       କେବେ ଦିନେ ଅନ୍ୟକୁ ବୁଝିବା ,ଜାଣିବା ତା' ପାଇଁ କଷ୍ଟ ଥିଲା।ହେଲେ ଏବେ ଆଉ ତାହା ସେପରି ନ ଥିଲା।ଏବେ ସେ ପଢ଼ି ପାରୁଥିଲା ପଥର ଓଠର ଭାଷା।ଦୂରରୁ ଭାସି ଆସୁଥିବା ବଂଶୀସ୍ବନ କ'ଣ କହୁଛି ଜାଣି ପାରୁଥିଲା।ଅନ୍ଧାର ଭେଦ କରି ପାରୁଥିଲା ସେ।ଗଢ଼ି ପାରୁଥିଲା କଳ୍ପନାର ବାଲିଘର।ଏବେ ଯେମିତି ସବୁକିଛିକୁ ଅନୁଭବ କରିବାର ଶକ୍ତି ତା'ର ବଢ଼ି ଯାଇଥିଲା ଖୁବ୍।ନିଶାର୍ଦ୍ଧରେ ଆକାଶକୁ ଚାହିଁ ମନେମନେ କେତେ କ'ଣ ଗପୁଥିଲା ସେ। 


       ଦୁଃଖ ତା' ହୃଦୟରେ ଥିଲା।ସେ ଥିଲା ଦୁଃଖୀ ମଣିଷମାନଙ୍କ ସହିତ।ଏଠି ଦୁଃଖୀ ଜଣେ ତ ଏକା ପଢ଼ିପାରେ ଦୁଃଖୀ ହୃଦୟର କଥା।ସାଥି ହୋଇପାରେ ଦୁଃଖୀଟିଏ ସହିତ।ଏକା ବୋଲି ସିନା ପ୍ରତ୍ୟେକଟି ଦୁଃଖୀ ଆତ୍ମା ସହିତ ଭଲରେ ମନ୍ଦରେ,ସୁଖରେ ଦୁଃଖରେ,ରହି ପାରୁଥିଲା ସେ।ଯୁଆଡ଼େ ଚାହିଁଲେ ତାକୁ ଦିଶୁଥିଲା ଦୁଃଖୀ ମଣିଷର ମୁହଁ। 


       ଜୀବନରେ ସେ ପାଇଥିବା ମେଞ୍ଚା ମେଞ୍ଚା ଦୁଃଖ ଥିଲା ତା' ପ୍ରତି ତା'ର ନିଃସଙ୍ଗ ଜୀବନର ଉପହାର।ଛାତିକୁ ପାଷାଣ କରି ସେ ସେସବୁକୁ ସାଇତି ରଖୁଥିଲା।କେବେ ଦୂରେଇ ଦେଉ ନ ଥିଲା।ଦୁଃଖ ସହିତ ବି ଥିଲା ଖୁବ୍ ଭଲରେ। 


       - ' ଏକା ଏକା କେମିତି ଅଛୁ? ' ଏମିତି ପ୍ରଶ୍ନ ତାକୁ କେହି ପଚାରୁ ସେ କେବେ ବି ଚାହୁଁ ନ ଥିଲା।ହେଲେ ଦିନେ ଆକାଶ ତାକୁ ପଚାରିଲା ସେଇ ପ୍ରଶ୍ନ।ଚମକିଗଲା ସେ ଆକାଶର ସେଇ ପ୍ରଶ୍ନରେ।କହିଲା - ' ସେପରି ପ୍ରଶ୍ନ କାହିଁକି ପଚାରୁଛ ମୋତେ?ପଚାରନା ସେପରି ପ୍ରଶ୍ନ।ପାରୁଛ ତ ପଚାର ମୁଁ କେମିତି ହସହସ ଦିଶୁଛି! ' 


       ଆକାଶ ଚମକିଗଲା।ନିର୍ବାକ୍ ହେଲା। 


       - ' ଏକା ଏକା ଜୀବନ।ତେଣୁ ପଚାରନା ସେପରି ପ୍ରଶ୍ନ। - ସେ ପୁଣି କହିଲା। 


       ଆକାଶର ନିର୍ବାକ୍ ଚେହେରା ତାକୁ ପୁଣି ନିଃସଙ୍ଗ କରିଦେଲା।ସେ ପୁଣି ଦୁଃଖୀ ହୋଇପଡ଼ିଲା। 



Rate this content
Log in

Similar oriya story from Classics