Sachidananda Kar

Others

3  

Sachidananda Kar

Others

ନୂଆ ବର୍ଷ : କିଛି ନୂଆ

ନୂଆ ବର୍ଷ : କିଛି ନୂଆ

3 mins
203


    କାଲି ରାତିରେ ମୁଁ ଏମିତି ଏକ ସ୍ୱପ୍ନ ଦେଖିଲି ।  


    ସ୍ୱପ୍ନରେ କିଏ ଜଣେ ଆସି ମୋ ପାଖରେ ଠିଆ ହେଲେ । ଖୁବ୍ ନୂଆ ନୂଆ ଲାଗୁଥିଲେ ସେ । ମୁଁ ତାଙ୍କୁ ଆଦୌ ଚିହ୍ନି ପାରୁନଥିଲି ।  


    - ' ନୂଆ ଲାଗୁଛି ନା?ହଁ,ମୁଁ ପରା ନୂଆ ବର୍ଷ । ' ସେ ହସିଦେଇ କହିଲେ ।  


    - ' ନୂଆ ବର୍ଷ! ' ମୁଁ ଖୁସିଖୁସିରେ କହିଲି । ମନେହେଲା ଯେମିତି ମୋ ଚାରିପାଖରେ ସୁନ୍ଦର ସୁନ୍ଦର ଗୋଲାପ ଫୁଲମାନେ ଫୁଟିଗଲେ । ସେଇ ସବୁ ଫୁଲର ବାସ୍ନାରେ ମୁଁ ବିଭୋର ହେବାକୁ ଲାଗିଲି ।  


    ସେତିକିବେଳେ ହଠାତ୍ ନବଘନକୁ ଦେଖି ମୁଁ ସେଆଡ଼କୁ ଆଖି ନେଇଗଲି । ତା' ଆଡ଼କୁ ଆଖି ଟାଣି ହୋଇଯିବାର ଯଥେଷ୍ଟ କାରଣ ଥିଲା । ସୁଟ୍, ବୁଟ୍ ପିନ୍ଧି ଗୋଟେ କାର୍ ପାଖରେ ଠିଆ ହୋଇଥିଲା ସେ ।  


    ମୂଲ ଲାଗିଲେ ପରିବାର ଚଳାଏ ଏଇ ନବଘନ । ପଇସା ଅଭାବରୁ ଝିଅ ବାହାଘର କରିପାରୁନି । ଦୁଇ ଦୁଇଟି ଝିଅ ଖୁଣ୍ଟରେ ବୁଢ଼ୀ ହେଲେଣି । ଇଏ କୋଉଦିନ କାର୍ କିଣିଲା!ସୁଟ୍,ବୁଟ୍ ପିନ୍ଧିଲା!ୟାର ଲଟେରୀ ଲାଗିଗଲା ନା କ'ଣ! 


    ମୁଁ ତା' ପାଖକୁ ଆସିଲି । ଗୋଡ଼ରୁ ମୁଣ୍ଡ ଯାଏ ତାକୁ ଦେଖିବାକୁ ଲାଗିଲି । ସେତିକିବେଳେ ସେ କହିଲା - 'ମୁଁ ଆଉ ଆଗର ସେଇ ନବଘନ ନାହିଁରେ । ନବଘନ ବାବୁ । ମୁଁ ଏବେ ଖୁବ୍ ରୋଜଗାର କରୁଛି । ଲୋକେ ମୋତେ ଏବେ ଖୁବ୍ ଖାତିର୍,ସମ୍ମାନ କରୁଛନ୍ତି । ' 


    - ' ହଁ, ଅଭାବୀ ଲୋକକୁ ଏଠି କିଏ ପଚାରେ!ତେଣୁ କିଏ ବା କାହିଁକି ଏଠି ସବୁଦିନେ ଅଭାବରେ ରହିବାକୁ ଚାହିଁବ ଯେ!ଯାହା ହେଉ ଭଲ ହେଲା । ଏମିତି ହେବା କଥା ନା! ' ମୁଁ ତାକୁ କହିଲି ।  


    ରାତି ଘନେଇ ଆସୁଥାଏ । ଚାରିଆଡ଼େ କଳା କିଟିକିଟି ଅନ୍ଧାର । ମୁହଁକୁ ମୁହଁ ଦିଶୁ ନଥାଏ । ଏତିକିବେଳେ କାହା ପାଉଁଜିର ଛମଛମ ସ୍ଵର ମୋ କାନରେ ପଡ଼ିଲା । ରାତି ଅନ୍ଧାରରେ ଝିଅଟିଏ କୁଆଡ଼େ ଯାଉଛି ନା କ'ଣ!ମନକୁମନ କହିଲି । ପାଉଁଜିର ସ୍ୱର ମୋର ନିକଟତର ହେଉଥାଏ । ମୋର ଉଦବେଗ ବଢ଼ିବାରେ ଲାଗିଥାଏ । ଦେଖିଲି ସେ ଝିଅକୁ । ଅନ୍ଧାରରେ ଦିଶୁ ନ ଥିଲା ତା'ର ମୁହଁ । ପଚାରିଲି - ' ତୁ କିଏ?ଏତେ ରାତିରେ କୁଆଡ଼େ ଯାଉଛୁ? ' 


    - ' ଆଉ ସେ ସମୟ ନାହିଁ । ଏବେ ଆମ ପାଇଁ ରାତି ଦିନ ସବୁ ସମାନ । ନାରୀକୁ ଏବେ ସମସ୍ତେ ସମ୍ମାନ କରୁଛନ୍ତି । କେହି ଝିଅ ବୋହୂଙ୍କୁ ଖରାପ ନଜରରେ ଦେଖୁନାହାନ୍ତି । ମୁଁ ନିରାପଦ ଅଛି । ତୁମେ କାହିଁକି ଭୟ କରୁଛ?ମୁଁ ପରା ଯୋଗୀ ପଧାନର ଝିଅ ଝୁନା । ' ସେ କହିଲା ।  


    ଝୁନା କେଡ଼େ ସୁନ୍ଦର ଝିଅଟା!ଚୁଲବୁଲି ପ୍ରଜାପତିଟିଏ ସତେ ଯେମିତି!ତା'ର ଆତ୍ମବିଶ୍ୱାସ ମୋତେ ଅଭିଭୂତ କଲା । ସେ ନିରାପଦ ଥିବାରୁ ଖୁସି ହେଲି । । ସମୟ ବଦଳିଛି । ସମୟର ଏଇ ନୂଆପଣକୁ ସ୍ୱାଗତ କଲି ।  


    ସେ ତା' ନିଜ ବାଟରେ ଚାଲିଗଲା । ମୁଁ ଆକାଶକୁ ଚାହିଁଲି । ହଠାତ୍ ଆଲୋକିତ ହୋଇଗଲା ପୃଥିବୀ । ଦେଖିଲି ବନମାଳୀ ସାର୍ ହସିହସି ଆସୁଛନ୍ତି । ପାଖରେ ପହଞ୍ଚିଲାରୁ ନମସ୍କାର କରି ତାଙ୍କୁ ପଚାରିଲି - ' ସାର୍!ଆପଣ ପେନସନ୍ ପାଇଗଲେଣି ନା? ' 


    - ' ଆଉ ସେ ସମୟ ନାହିଁରେ । ସେମାନେ ମୋର ପେନସନ୍ କାମ ବିନା ପଇସାରେ କରିଦେଲେ । ଆଜି ମୋର ସବୁ ପଇସା ମୋତେ ମିଳିଗଲା । ' 


    ଏବେ ତାଙ୍କ ଖୁସିର କାରଣ ବୁଝିପାରିଲି । ସତରେ ସମୟ ଯେ ବଦଳିଛି, ମୋତେ ସେପରି ଲାଗିଲା । କଥାଟି ମଧ୍ୟ ମୋତେ ଖୁବ୍ ନୂଆ ନୂଆ ଲାଗିଲା । ଦେଶଟା ସୁନା ହୋଇଗଲା ଭାବିଲି ।  


    ଭଲ କଥା । ପେନସନ୍ ପାଇଁ କେତେ ଦୌଡ଼ାଦୌଡ଼ି କରୁ ନ ଥିଲେ ବନମାଳୀ ସାର୍!ଦୌଡ଼ି ଦୌଡ଼ି ତ ତାଙ୍କର ଚଟି ଅଧା ଘୋରି ହୋଇ ଯାଇଥିଲା । - ' ଭଲ ହେଲା, ସାର୍ । ଗୋଟେ ନୂଆ ସକାଳର ସୂର୍ଯ୍ୟ ଉଇଁଲା ।' ମୁଁ କହିଲି । ସାର୍ ହସି ହସି ମୋ ମୁଣ୍ଡରେ ଟିକେ ହାତ ବୁଲେଇ ଦେଇ ତାଙ୍କ ବାଟରେ ଚାଲିଗଲେ ।  


    ଏବେ ମୋ ଆଖି ଆଗରେ ପଢ଼ାବହିର ଅକ୍ଷରମାନ ଦିଶୁଥିଲେ । ସେସବୁ ସତ ହୋଇଥିବା ପରି ଲାଗୁଥିଲା । ମୁଁ ମୋ ଚାରିପାଖକୁ ଚାହିଁଲି । ଝରଣା ଖୁସିଖୁସିରେ ବହୁଥିଲା । ଗଛଲତା ହସୁଥିଲେ । ଦରିଆପାରି ଦେଶକୁ ଯାଇଥିବା ପିଲାମାନେ ନିଜ ଦେଶକୁ ଆନନ୍ଦରେ ଫେରୁଥିଲେ । ମାଟି ଗୀତ ଗାଉଥିଲା ଫୁଲିଫୁଲି । ଆଉ ଟିକେ ଆଗକୁ ଯାଉ ଯାଉ ମୁଁ ଝୁଣ୍ଟିପଡ଼ିଲି ଯେ ମୋର ନିଦ ଭାଙ୍ଗିଗଲା । ସ୍ୱପ୍ନ ତୁଟିଗଲା ।  


    ପରଦିନ ସତକୁସତ ଦେଖିଲାବେଳକୁ ନୂଆ ବର୍ଷ ଆସି ମୋ ଦୁଆରେ ଠିଆହୋଇଛି । ସ୍ୱପ୍ନ ସତ ହୋଇଛି ଭାବି ଖୁସି ହେଲି । ଆଉ ଯାହା ଯାହା ସ୍ୱପ୍ନରେ ଦେଖିଥିଲି ସେସବୁ ନିଶ୍ଚେ ସତ ହେବ ବୋଲି ଭାବିବାକୁ ଲାଗିଲି । କାହିଁକି କେଜାଣି ମୋତେ ସେଦିନର ସକାଳଟା ବେଶ୍ ନୂଆ ନୂଆ ପରି ଲାଗୁଥିଲା ।  


    ସମୟ ପଥର ପରି ଗୋଟିଏ ଜାଗାରେ ପଡ଼ି ରହେନାହିଁ । ବଦଳିଯାଏ । ବଦଳୁ । ଵଦଳିବା ଭଲ । ଆସିଛି ନୂଆ ବର୍ଷ । ଏଇ ନୂଆ ବର୍ଷରେ ଯଦି କିଛି ନୂଆ ନ ହେବ ତା' ହେଲେ ତାହା କି ନୂଆ ବର୍ଷ!କିଛି ନୂଆ ହେବା କଥା ନା! 


    କାଲି ରାତିର ସ୍ଵପ୍ନ ସତ ହୋଇଯାଉ । ଏ ନୂଆ ବର୍ଷରେ କିଛି ତ ନୂଆ ହେଉ! 



Rate this content
Log in