Sachidananda Kar

Tragedy

3  

Sachidananda Kar

Tragedy

ବାପା ଓ କଳାଚଷମା

ବାପା ଓ କଳାଚଷମା

2 mins
160



       ଲୁହ ଛଳଛଳ ଆଖି।ଧରା ପଡ଼ିଯିବାର ଭୟ।ତେଣୁ ବାପା ଗୋଟେ କଳାଚଷମା ପିନ୍ଧୁଥିଲେ। 


       ଭୋକ ସହିଥିଲେ।ଦୁଃଖ ଭୋଗିଥିଲେ।ତଥାପି ସେ ଥିଲେ ଅବିଚଳିତ - ସ୍ଥିତପ୍ରଜ୍ଞ।କେହି କେବେ ତାଙ୍କୁ ଭାଙ୍ଗି ପଡ଼ିବାର ଦେଖି ନ ଥିଲେ କି ଦେଖି ନ ଥିଲେ ତାଙ୍କ ଆଖିରେ ଲୁହ। 


       ଏବେ କିନ୍ତୁ ପରିସ୍ଥିତି ଅଲଗା ଥିଲା।ଦିନେ ଆକାଶକୁ ମୁଣ୍ଡ ଟେକି ମହାଦ୍ରୁମ ଭଳି ଠିଆ ହୋଇପାରୁଥିବା ବାପାଙ୍କର ମୁଣ୍ଡ ଏବେ ତଳକୁ ଥିଲା।ବାପାଙ୍କ ସମ୍ପତ୍ତି ପାଇଁ ଦୁଇ ପୁଅଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ତୀବ୍ର ବିବାଦ ଥିଲା ଏହାର କାରଣ। 


       ଧୀରେ ଧୀରେ ଅଲୋଡ଼ା ହୋଇ ପଡ଼ିଥିଲେ ବାପା।ଘରେ ଆଉ ତାଙ୍କର ସମ୍ମାନ ବୋଲି କିଛି ନ ଥିଲା।କେହି ତାଙ୍କୁ ଶୁଣୁ ନ ଥିଲେ। 


       ମଣିଷ ବେଳେବେଳେ ଅସହାୟ ହୋଇଯାଏ।ତାଙ୍କର ସେପରି ଅବସ୍ଥା ଆସି ଯାଇଥିଲା।ପୁଅ ଦୁହେଁ ତାଙ୍କୁ ଚୁପ୍ ରହିବାକୁ ବାଧ୍ୟ କରିଥିଲେ।ସେ ଚୁପ୍ ଥିଲେ। 


       ବିବାଦ ଥମିବାର ନାଁ ଧରୁ ନ ଥିଲା।ଭିନ୍ନ ଏକ ମହାଭାରତ ଭଳି ତାହା ପ୍ରତୀୟମାନ ହେଉଥିଲା।ବିବାଦ ଚରମ ସୀମାରେ ପହଞ୍ଚିଥିଲା। 


       ଦୁଇ ପୁଅଙ୍କର ମତାନ୍ତର ଓ ମନାନ୍ତର ଖୁବ୍ ଅସହ୍ୟ ଲାଗୁଥିଲା ବାପାଙ୍କୁ।ମନସ୍ତାପ ଭିତରେ ଥିଲେ ବାପା।ପୁଅଙ୍କ ବିବାଦକୁ ନେଇ ଚିନ୍ତାରେ ଚିନ୍ତାରେ ତାଙ୍କର ଦିନ ବିତୁଥିଲା।ବଢ଼ିବାରେ ଲାଗିଥିଲା ମାନସିକ ଚାପ।କଳାଚଷମା ଭିତରେ କେତେ ଦିନ ବା ସେ ଏସବୁକୁ ରୋକି ପାରିଥାନ୍ତେ!ଦିନେ ତାଙ୍କର ନିଃଶ୍ବାସ ପ୍ରଶ୍ବାସ ବନ୍ଦ ହୋଇଗଲା।ସେ ଶବ ପାଲଟିଗଲେ। 


       ବାପାଙ୍କୁ ହତାଦର କରିଥିବା, ସମ୍ମାନ ଦେଇ ନ ଥିବା ଦୁଇ ପୁଅ ଏବେ କ'ଣ କ'ଣ ସବୁ ଦେଇ ତାଙ୍କୁ ଖୁସି ଓ ସନ୍ତୁଷ୍ଟ କରିବେ,ସେଥିପାଇଁ ଲାଗିପଡ଼ିଲେ।ଜୀବନରେ ଯାହା ଯାହା ସେ ପାଇ ନ ଥିଲେ ସେସବୁ ଦେବାକୁ ଦୁହିଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା। 


       ଲୋକଙ୍କୁ ଦେଖିଲେ ଏବେ ପୁଅ ଦୁହିଙ୍କ ଆଖିରୁ ଲୁହ ବହି ଯାଉଥିଲା।- ' ମୋତେ ଅଭାଗା କରି ବାପା ତୁମେ କୁଆଡ଼େ ଗଲ? ' ଜଣେ ପାଗଳର ପ୍ରଳାପ ପରି ଦୁହିଙ୍କ ପାଟିରୁ ଏଇ ପ୍ରଶ୍ନ ସ୍ବତଃ ବାହାରି ଯାଉଥିଲା। 


       ଦୁଇ ପୁଅ ଏବେ ନିଜ ନିଜକୁ ଚିହ୍ନୁଥିଲେ।ଅମୁକର ପୁଅ ବୋଲି କହି ଗର୍ବ ଅନୁଭବ କରୁଥିଲେ।ବାପାଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲପାଇବାକୁ ଅନ୍ୟ ଆଗରେ ବଖାଣୁଥିଲେ। 


       ତଥାପି ବାପାଙ୍କ ପ୍ରତି କରିଥିବା ଅସମ୍ମାନ ଓ ଅବହେଳା ଦୁହିଙ୍କୁ ଗୋଡ଼ାଇ ଖାଉଥିଲା।ସୁଖ ନ ଥିଲା, ବରଂ ଦୁହିଙ୍କ ମନରେ ବେଶ୍ ଭାରି ଭାରି ଅନୁଭବ ଖେଳୁଥିଲା। 


       ବାପାଙ୍କୁ କ'ଣ ଦେବି?ବାପାଙ୍କ ପାଇଁ କ'ଣ କରିବି?ତାଙ୍କୁ କ'ଣ ଦେଲେ ସେ ସନ୍ତୁଷ୍ଟ ହେବେ? - ଏବେ ଇଏ ଥିଲା ଦୁଇ ପୁଅଙ୍କର ବଡ଼ ଚିନ୍ତାର ବିଷୟ। 


       ପୁଅଙ୍କର ଚିନ୍ତା।ଏହାକୁ କୋଉ ବାପା ନିଜ ମୁଣ୍ଡକୁ ନ ନେଇ ଶାନ୍ତିରେ ରହିପାରେ!ପୁଅ ପାଇଁ ବାପା ତ ସବୁବେଳେ ଜଟିଳ ଗଣିତର ସରଳ ସମାଧାନ,ପ୍ରାପ୍ତିର ପୃଥିବୀ, ଶତସିଂହର ବଳ, ପାଦତଳର ଶକ୍ତ ଚଟାଣ।ତେଣୁ ଦିନେ ରାତିରେ ସ୍ବପ୍ନରେ ସ୍ବପ୍ନରେ ଦୁଇ ପୁଅଙ୍କ ପାଖକୁ ଆସିଲେ ବାପା। 


       ବାପା!ପୁଅ ଦୁହେଁ ଚମକିପଡ଼ିଲେ। 


       - ' ସତରେ ମୁଁ କେଡ଼େ ଅଭାଗା!ତୁମକୁ କିଛି ଦେଇପାରିଲିନି।ମୋ ପାଇଁ କେତେ ଦୁଃଖ କଷ୍ଟ ସହି ନ ଥିଲ ତୁମେ!ଏବେ କ'ଣ ଦେଇ ତୁମକୁ ଖୁସି, ସନ୍ତୁଷ୍ଟ କରିବି ଜାଣିପାରୁନି।କୁହ,କ'ଣ ପାଇଲେ ତୁମେ ଖୁସି ହେବ।ସନ୍ତୁଷ୍ଟ ରହିବ।ଆହୁରିକୁହ,ତୁମ ପାଇଁ ମୋତେ କ'ଣ କରିବାକୁ ପଡ଼ିବ। ' 


       ଏ ଥିଲା ବାପାଙ୍କ ପ୍ରତି ଦୁଇ ପୁଅଙ୍କର ନିଜ ନିଜର କରୁଣ ସ୍ବର।ଆହା!କେତେ ଶ୍ରଦ୍ଧା,କେତେ ଆତ୍ମୀୟତା,କେତେ ଆଦର ମୃତ ବାପାଙ୍କ ପ୍ରତି! 


       ବାପା ଆନନ୍ଦରେ ଅଭିଭୂତ ହେଲେ।ପୁଅର ଏଭଳି ଶ୍ରଦ୍ଧା, ଆତ୍ମୀୟତା, ଆଦରରେ କେଉଁ ବାପା ଆନନ୍ଦିତ ନ ହେବ ସତରେ!ପୁଅଙ୍କର କଥା ଶୁଣିସାରି ସେ କହିଲେ - ' ପାରୁଛୁ ଯଦି ମୋତେ ଏତିକି ପ୍ରତିଶ୍ରୁତି ଦେ' ଯେ ଦିନ କେତେଟାରେ ତୁ ମୋତେ ଭୁଲିଯିବୁ।ସେତିକି ମୋତେ କୋଟିନିଧି ପରି ମନେହେବ। ' 


       ବାପାଙ୍କର ଏଇ କଥା ପରେ ପରେ ନିଦ ଭାଙ୍ଗି ଉଠିବସିଲେ ଦୁଇ ପୁଅ।- ' ବାପା କାହିଁକି ଏମିତି କହିଲେ? ' ଦୁହେଁ ନିଜ ନିଜକୁ ପଚାରିଲେ ଏ ପ୍ରଶ୍ନ।ଏବଂ ଏଇ ପ୍ରଶ୍ନ ଦୁହିଙ୍କର ନିଦ ହଜାଇଦେଲା।ବାପାଙ୍କୁ ଏଇ ପ୍ରତିଶ୍ରୁତି ଦେବେ କି ନାହିଁ,ଏବେ ତାହା ଥିଲା ଦୁଇ ପୁଅଙ୍କ ଆଖିରେ ବଡ଼ ପ୍ରଶ୍ନ। 


       ଦୁହିଙ୍କର ଆଖି ଲୁହରେ ଛଳଛଳ ହେଲା।ଲଜ୍ଜାରେ ଦୁହିଙ୍କର ମୁଣ୍ଡ ତଳକୁ ନଇଁଗଲା।ବାପାଙ୍କୁ କ'ଣ ଦେବି?ପୁଅ କେହି ଏମିତି ଆଉ ଭାବୁ ନ ଥିଲେ। 


       ଆଶ୍ଚର୍ଯ୍ୟର କଥା ଏହି ଯେ ତା' ପରଦିନ ଦୁଇ ପୁଅଙ୍କୁ କଳାଚଷମା ପିନ୍ଧି ବୁଲୁଥିବାର ଦେଖିବାକୁ ମିଳିଥିଲା। 


Rate this content
Log in

Similar oriya story from Tragedy