Sachidananda Kar

Others

4  

Sachidananda Kar

Others

ସହଧର୍ମିଣୀ

ସହଧର୍ମିଣୀ

3 mins
303


    ଏ ଭିତରେ ଅନେକ ଦିନ ବିତି ଯାଇଥିଲା।ଘଟଣା, ଦୁର୍ଘଟଣା ସବୁ ଯାଇ ବହୁ ପଛରେ ରହିଥିଲେ। 

    ଗୋଟିଏ ଅଭାବ, କେବଳ ଗୋଟିଏ ଅଭାବ ହିଁ ଲିତାକୁ କଷ୍ଟ ଦେଉଥିଲା ସବୁବେଳେ।କେତେବେଳେ ତାହା ଆଶାଟେ ହୋଇ ବଉଳି ଉଠୁଥିଲା ତ କେତେବେଳେ ତାହା ଶୀତ ସକାଳର କୁହୁଡ଼ି ପରି ମିଳେଇ ଯାଉଥିଲା। 

    ପୁରୁଷଟିଏ ଯେମିତି ବଞ୍ଚେ ନାରୀଟିଏ ସେମିତି ବଞ୍ଚି ପାରେନାହିଁ।ଭିନ୍ନ ଉପାଦାନରେ ଗଢ଼ା ତା'ର ଜୀବନ।ପାଏନାହିଁ ସିନା,ହେଲେ ସବୁବେଳେ ସୁଖ ଆଶାରେ ଦୌଡୁଥାଏ।ଦୁଃଖକୁ ସାଥି କରି ବଞ୍ଚେ। 

    ଦିନେ ତା'ର ଭଲପାଇବା ପୁଣି କଡ଼ ଲେଉଟାଇଲା।ଗୋଟେ ଆବେଗରେ ରଞ୍ଜନ ପାଖକୁ ଫେରିବାକୁ ଚାହିଁଲା ସେ। 

    ସେ ଶୁଣିଲା ରଞ୍ଜନ କୁଆଡ଼େ ସୁଖର ଗୋଟେ ହାଟ ବସେଇଛି।ତା' ଠାରୁ କିଛି ସୁଖ କିଣିବାକୁ ତା'ର ଇଚ୍ଛା ହେଲା। 

    ରଞ୍ଜନର ନୂଆ ଠିକଣା ଖୋଜିଲା ସେ।ଖୋଜିଲା ବି ତା'ର ନୂଆ ମୋବାଇଲ୍ ନମ୍ବର।ଖୋଜିପାରିଲେ ବହୁତ କିଛି ମିଳିଥାଏ ଏଠି।ସବୁ ତାକୁ ମିଳିଗଲା।ସେ ଟିକେ ଖୁସି ହେଲା।ଖୁସିରେ ରଞ୍ଜନକୁ ଗୋଟେ ମିସ୍ କଲ୍ ଦେବାକୁ ଚାହିଁଲା। 

    ତା'ର ଦମ୍ଭ, ମାନ-ଅଭିମାନ କେବେଠୁଁ ପୋଡ଼ି ପାଉଁଶ ହୋଇ ସାରିଥିଲେ।ବଡ଼ଘର ଝିଅ ବୋଲି ଦେଖେଇହେବାର ଆସ୍ପର୍ଦ୍ଧା ବି ଆଉ ତା'ର ନ ଥିଲା।ତା' ଜୀବନ ବହିର ପ୍ରତ୍ୟେକ ପୃଷ୍ଠା ନିଦରେ ଶୋଇ ପଡ଼ିଥିଲେ।ଏବେ କେବଳ ନିଜର ହଜି ଯାଇଥିବା ସକାଳକୁ ଖୋଜୁଥିଲା ସେ।ନିଜର ଜୀବନକୁ ବଦଳାଇବାକୁ ଚାହୁଁଥିଲା। 

    ରଞ୍ଜନର ନୂଆ ନମ୍ବରରେ ସେ ଗୋଟେ ମିସ୍ କଲ୍ ଦେଲା।ସେ କିଏ ବୋଲି ତାକୁ ଭାବିବାକୁ ଦେବାକୁ ଦେଇଥିଲା ଏଇ ମିସ୍ କଲ୍।ହେଲେ ଅନ୍ୟମନସ୍କତାରେ ଫୋନ୍ କାଟିବାକୁ ଭୁଲିଗଲା। 

    - ' ହ୍ୟାଲୋ . . ! ' 

    ରଞ୍ଜନର ଏଇ ସ୍ୱର ତା'ର ଅନ୍ୟମନସ୍କତା ଭାଙ୍ଗିଦେଲା।ହେଲେ ହଠାତ୍ ମୁହଁ ଖୋଲି ପାରିଲାନି ସେ। 


    - ' କିଏ?କିଏ ତୁମେ? ' 

    - ' ମୁଁ କିଛି ସୁଖ କିଣିବାକୁ ଚାହେଁ।ଶୁଣିଲି ତୁମେ କୁଆଡ଼େ ସୁଖର ହାଟ ବସେଇଛ?କେମିତି ବିକୁଛ?କେତେ ଦାମ୍ ନେଉଛ? ' ସେ ମୁହଁ ଖୋଲିଲା।ତା'ର ଏଇ ପ୍ରଶ୍ନ ଜଣେ ଆପଣା ମଣିଷର ପ୍ରଶ୍ନ ଭଳି ଥିଲା। 

    ରଞ୍ଜନ କହିଲା - 'ମୁଁ ସୁଖର ହାଟ ବସେଇଛି ବୋଲି ତୁମକୁ ଯିଏ କହିଛି, ଭୁଲ୍ କହିଛି।ଏଠି ଅନେକ କିଛି ଆଖିକୁ ସୁଖ ଭଳି ଦିଶେ।ହେଲେ ବାସ୍ତବରେ ତାହା ସୁଖ ନୁହେଁ।ମୋର ସବୁତକ ସୁଖକୁ ମୁଁ କେବେଠଁ ବିନା ମୂଲ୍ୟରେ ବିକିଦେଇଛି।ମୋ ନିଜ ପାଇଁ ବି ଆଉ କାଣିଚାଏ ସୁଖ ରଖିନି।ତେଣୁ କେମିତି ବିକୁଛି,ତା'ର ଦାମ୍ କେତେ ବୋଲି ପଚାରିଲେ ମୁଁ ତୁମକୁ କ'ଣ କହିବି? ' 

    ରଞ୍ଜନ ତାକୁ ଜାଣିପାରିଛି ବୋଲି ଏବେ ବୁଝିଗଲା ସେ।ଆହା!କେଡ଼େ ବୋକୀ ମୁଁ ସତରେ!କଥା କେଉଠୁ ଯାଇ କୋଉଠି ପହଞ୍ଚିଗଲା!ତେବେ କ'ଣ ବୁଝିବାକୁ ହେବ ଯେ ଜୀବନ ମାନେ ହିଁ ଯନ୍ତ୍ରଣା। - ସେ ମନକୁମନ କହିଲା।କ'ଣ କହିବ ଭାବି ହଠାତ୍ ତା'ର ମୁହଁ ଖୋଲିଲାନି। 

    - ' ତୁମେ ଯେଉଁ ସୁଖ ସବୁ ରଖିଥିଲ,ସେସବୁ ସରିଗଲା ନା କ'ଣ?ପୁଣି ସୁଖ କିଣିବାକୁ ବାହାରିଲ ଯେ?ମୋ ପାଖରୁ ବି ସୁଖ ସରିଗଲାଣି।ମୋ ଅହଂକାର କେବେଠଁ ମରିସାରିଛି।ଦୁଃଖର ପ୍ରବାହରେ ମୁଁ ଏବେ ଯେଉଁ ନର୍କ ଭୋଗୁଛି,ସେକଥା କେମିତି କହିବି ତୁମକୁ?ଦୁଃଖ ସାଥିରେ ମୁଁ ଘର କରିଛି। ' ରଞ୍ଜନ ପୁଣି କହିଲା। 

    ରଞ୍ଜନ ଠାରୁ ଏତିକି ଶୁଣି ଲିତାର ଆଖି ଲୁହ ଛଳଛଳ ହୋଇଗଲା।ଛାତିରେ କିଛି କଷ୍ଟ ଅନୁଭବ କଲା ସେ।ସବୁଦିନ ମରୁଥିବା ଅନାବୃତ ମନର ଯନ୍ତ୍ରଣା,ଦେହ ସହୁଥିବା ଅବ୍ୟକ୍ତ ତାଡ଼ନାକୁ ଖୋଲିବାକୁ ସେ ଆଉ ଟିକେ ବି ଇଚ୍ଛା କରିପାରିଲାନି।ନୀରବ ଥିଲା, ନୀରବ ରହିଲା। 

    - 'ତୁମର ଯଦି କିଛି ଆପତ୍ତି ନାହିଁ, ତେବେ ଆସ।ଦୁହେଁ ମିଶି ଦୁଃଖକୁ ଭାଗବଣ୍ଟା କରିନେବା।ମୋ ପାଖରେ ଯେତେ ଦୁଃଖ ଅଛି ସବୁ ଭାଗବଣ୍ଟା କରିବାକୁ ମୁଁ ରାଜି।ହେଲେ ତୁମେ କ'ଣ ଆସିବ?କାହିଁକି ଆସିବ?ଦୁଃଖକୁ କେହି ସଉଦା କରିବାକୁ ଚାହେଁ କ'ଣ! ' ରଞ୍ଜନ ପୁଣି କହିଲା।ଏଥର ବେଶ୍ କରୁଣ ଲାଗୁଥିଲା ତା'ର ସ୍ୱର। 

    ଏଠି ସୁଖର ସଉଦା ପାଇଁ ସମସ୍ତେ ବାହାରନ୍ତି।ଦୁଃଖର ସଉଦା ପାଇଁ କିଏ ବାହାରେ ଯେ!ହେଲେ ସେ ରାଜି ହୋଇଗଲା।ରଞ୍ଜନ ସହ ଦୁଃଖ ଭାଗବଣ୍ଟା କରିବାକୁ ନିଜର ସହମତି ପ୍ରକାଶ କରି କହିଲା - 'ତୁମ ଦୁଃଖରେ ଦୁଃଖୀ ହେବା ମୋର ଧର୍ମ।ତେଣୁ ତୁମ ପ୍ରସ୍ତାବରେ ମୁଁ ରାଜି।ମୁଁ କ'ଣ କେବେ ସୁଖ କିଣିପାରେ!ଏମିତି କହୁଥିଲି ନା!ମୁଁ ପରା ତୁମର ସହଧର୍ମିଣୀ - ତୁମ ଦୁଃଖର ସାଥି, ସୁଖର ସାଥି ବି। ' 

    ସହଧର୍ମିଣୀ!ସବୁବେଳେ ସାଥିରେ ରହି ଧର୍ମ ଆଚରଣ କରିଥାଏ ସେ।କାହିଁକି କରିବ କେବଳ ସୁଖର ସଉଦା!ଏଠି ଦାମ୍ପତ୍ୟରେ ଭଲପାଇବାର ସୁନ୍ଦର ଆବେଗଟିକୁ କେଉଁ ସହଧର୍ମିଣୀ ରୋକିପାରେ କ'ଣ! 



Rate this content
Log in