Sachidananda Kar

Others

4  

Sachidananda Kar

Others

ଭୋଟ୍ ଦେବା କାହାକୁ

ଭୋଟ୍ ଦେବା କାହାକୁ

2 mins
295


------------------------------------

      ।। ଭୋଟ୍ ଦେବା କାହାକୁ ।।

       ---------------------------------------------

    - ଟଙ୍କା ନିଅ,ଟଙ୍କା ନିଅ। 


    ହଠାତ୍ ଏତିକି ଶୁଣିପାରିଲା ଚକରା।ନିଦ ଭାଙ୍ଗି ଉଠିବସିଲା। 


    ରାତି ସେତେବେଳକୁ କେତେ ହେବ କେଜାଣି!ଚାରିଆଡ଼େ ଅନ୍ଧାର।ତା'ର ମନେହେଲା କେହି ଯେମିତି ତା' ଦାଣ୍ଡ ଦୁଆରେ ଆସି ତାକୁ ଟଙ୍କା ଦେବା ପାଇଁ ଡାକୁଛି। 


    ରାତି ପାହିଲେ ନିର୍ବାଚନ।ନିଦ ମଳମଳ ଆଖିରେ ସେ ଦୁଆର ଆଡ଼କୁ ଉଠିଆସିଲା।କବାଟ ଖୋଲିଲା।କେହି ସେଠାରେ ନ ଥିଲେ। 


    - ' କୁଆଡ଼େ ଯାଇଥିଲ?ରାତି ପାହିଲାଣି? ' ସେ ଫେରିଲାରୁ ତାକୁ ପ୍ରଶ୍ନ କଲା ତା'ର ସ୍ତ୍ରୀ ରମା। 


    - ' କେହିଜଣେ ଟଙ୍କା ଦେବାକୁ ଡାକୁଥିବା ଶୁଣିପାରିଲି।ଉଠି ଯାଇଥିଲି ଯେ ଦେଖିଲି କେହି ନାହାନ୍ତି। ' ଚକରା କହିଲା। 


    - ' ଆଉ କିଏ ଆସିବ ବୋଲି ତୁମେ ଭାବୁଛ?ସେମାନେ ପରା ଓ୍ବାର୍ଡମେମ୍ଵର ହାତରେ ଟଙ୍କା ପଠାଇଥିଲେ।ଆମ ଦୁଇ ଜଣକ ପାଇଁ ସେ ଦୁଇ ହଜାର ଟଙ୍କା ଦେଇଗଲା।କେତେ ଥର ଦେବ କି?ତୁମେ ସ୍ୱପ୍ନ ଦେଖୁଥିଲ ବୋଧହୁଏ। ' ରମା କହିଲା। 


    ଚକରାକୁ ଏତେବେଳେ ଲାଗିଲା କି ସେ ସ୍ୱପ୍ନ ଦେଖୁଥିଲା ବୋଲି।କହିଲା - ' ହଁ ଲୋ,ମୁଁ ସ୍ୱପ୍ନ ଦେଖୁଥିଲି ନା କ'ଣ!ତଥାପି ଭାବିଲି କାଳେ ଆଉ କୋଉ ପାର୍ଟିର ଲୋକ ଆସିଥିବ। ' 


    - ' ତୁମ ପାଖରେ ସେଇ ଖଡ଼ଖଡ଼ିଆ ଦି' ହଜାର ଥିବା ଯାଏ ତୁମେ କ'ଣ ଶାନ୍ତିରେ ଶୋଇପାରିବ?ଏମିତି ସ୍ୱପ୍ନ ଦେଖୁଥିବ।ଯିଏ ପାଏ ସିଏ ପରା ଆଉ ଆଉ ପାଇବାକୁ ଖୋଜେ। ' ରମା କହିଲା। 


    ଚକରା କହିଲା - 'ହଁ, ଇଏ ଗୋଟେ ଆଶା ନୁହେଁ ତ ଆଉ କ'ଣ ! କାଳେ ଆଉ କିଏ ଦେବ ! ଆଉ କେଉଁଠୁ ମିଳିଯିବ!' 


    - ' କାଲି ହାଟକୁ ଯାଅ।ଶାଗୁଆତି ଆଣିବ।ମହୁଲି ଦି' ବୋତଲ ନେଇ ଆସିବ।ଟଙ୍କାଟା ଖର୍ଚ୍ଚ ହୋଇଗଲେ ଯାଏ।ସେ ଲାଞ୍ଚ ଟଙ୍କା ପାଖରେ ରହିବା ଆଦୌ ଭଲ ନୁହେଁ।ଭୂତ ହୋଇ ତୁମକୁ ସବୁ ଦିନ ରାତିରେ ନିଦରୁ ଉଠେଇ ହଲାପଟା କରିବ। ' ରମା କହିଲା। 


    - ' ହଁ ଲୋ, ରାତି ପାହୁ।ସେୟା କରିବା। ' ଚକରା କହିଲା। 


    ପରଦିନ ଗାଆଁ ହାଟ ଥିଲା।ସକାଳୁ ସକାଳୁ କାମସାରି ସେ ହାଟକୁ ବାହାରି ପଡ଼ିଲା।ଗୋଟେ ନୂଆ ଜୋସ୍ ସେତେବେଳକୁ ଆସି ଯାଇଥାଏ ତା' ଭିତରେ। ତା' ହାତକୁ ବ୍ୟାଗ୍ ବଢ଼ାଇ ଦେଉ ଦେଉ ରମା କହିଲା - ' ତୁମେ ଶୀଘ୍ର ଆଣି ଆସିଲେ ମୁଁ ରନ୍ଧାରନ୍ଧି କରିବି।ଖାଇପିଇ ଭୋଟ୍ ଦେବାକୁ ଯିବା। ' 


    ଘରୁ ବାହାରି ଆସିଲା ଚକରା।ଅଭାବରୁ ହାଟକୁ କେବେ ଆସି ପାରେନାହିଁ ସେ।ବହୁଦିନ ପରେ ଆଜି ହାଟକୁ ଆସିଥିଲା।ପକେଟରେ ପୂରା ଦୁଇ ହଜାର ଟଙ୍କା ଧରିଥିଲା। 


    ହାଟରେ ବେପାରୀ, ଗରାଖ ସମସ୍ତେ ଖୁବ୍ ଭିଡ଼ ଜମେଇଥାନ୍ତି।ପନିପରିବା, ମାଛ, ମାଂସ,ମହୁଲି, ଶାଗ,ମୁଗ,ଛତୁ ସବୁ ବିକ୍ରି ଚାଲିଥାଏ।କୋଳାହଳରେ ଫାଟି ପଡୁଥାଏ ହାଟ। 


    ଏବେ ତ ସବୁଠି କୋଳାହଳ।ଜୀବନ ପାଇଁ କୋଳାହଳ।ଜୀବିକା ପାଇଁ କୋଳାହଳ।ଯନ୍ତ୍ରଣା ପାଇଁ କୋଳାହଳ।ଭୋଟ୍ ପାଇଁ କୋଳାହଳ।ନୋଟ୍ ପାଇଁ କୋଳାହଳ।ସବୁଠି ଖାଲି କୋଳାହଳ ଆଉ କୋଳାହଳ। 


    ଏତେ କୋଳାହଳ ଭିତରେ ଚକରା ପରି ଜଣେ ସାଧାରଣ ମଣିଷ ହଜିଯିବା କିଛି ବଡ଼ କଥା ନୁହେଁ।ହାଟ ଭିତରେ କେଉଁଠି ହଜିଗଲା ସେ,ସତେ ଯେମିତି ସେ ଗୋଟେ ଜନ୍ଦା କି ପିମ୍ପୁଡ଼ି। 


    ଭିଡ଼ର ସୁଯୋଗରେ ହାଟ ଭିତରେ ତା'ର ପକେଟମାର୍ ହୋଇଗଲା।ମାଂସବିକାଳି ପାଖରେ ସେ ପହଞ୍ଚି ଦେଖେ ତ ତା' ପକେଟରେ ଆଉ ଗୋଟେକି ଟଙ୍କା ନାହିଁ। 


    ଏପରି ସ୍ଥିତିରେ କ'ଣ କରେ ଚକରା!ଭକୁଆ ହୋଇ ଆପଣା ମନ୍ଦ ଭାଗ୍ୟକୁ ଆଦରି ଖାଲି ବ୍ୟାଗ୍ ଧରି ଘରକୁ ଫେରିବା ଛଡ଼ା ତା'ର ଆଉ ଅନ୍ୟ କିଛି ବାଟ ନ ଥିଲା।ସେ ଘରକୁ ଫେରିଆସିଲା। 


    - ' କିଛି ନ ଆଣି ଫେରିଆସିଲ ଯେ? ' ରମା ପଚାରିଲା। 


    - ' ଟଙ୍କା ପକେଟମାର୍ ହୋଇଗଲା।କେମିତି ସବୁ ଆଣିଥାନ୍ତି? ' ଚକରା ମନଦୁଃଖରେ କହିଲା। 


    - ' ହଉ,ଝାଳବୁହା ଟଙ୍କା ତ ନୁହେଁ, ତେଣୁ ମନଦୁଃଖ କରିବା ଦରକାର ନାହିଁ।ଟଙ୍କା ଯେମିତି ଆସିଥିଲା ସେମିତି ଚାଲିଗଲା।ଯାଇଛି ଭଲ ହୋଇଛି।କିଏ ଉପଯୁକ୍ତ ପ୍ରାର୍ଥୀ, ଏବେ ଚିନ୍ତା କରିବାକୁ ସୁଯୋଗ ମିଳିଲା।କାହାକୁ ଭୋଟ୍ ଦେଲେ ଠିକ୍ ହେବ ସେକଥା ଚିନ୍ତା କର। ' ରମା କହିଲା। 


    - ' ଭୋଟ୍ ଦେବା କାହାକୁ!କିଏ ଉପଯୁକ୍ତ ପ୍ରାର୍ଥୀ! ' ଏବେ ଏଇ କଥାଟିକୁ ଗୁରୁତ୍ୱର ସହ ଭାବିବାକୁ ଲାଗିଲା ଚକରା। 


    ସେପଟେ ପୂରାଦମରେ ଭୋଟ୍ ଚାଲିଥିଲା। 



Rate this content
Log in