ପ୍ରେମରେ ପିଏଚ୍.ଡ଼ି
ପ୍ରେମରେ ପିଏଚ୍.ଡ଼ି
ପ୍ରେମ କେମିତି ହୁଏ?କେମିତି ହୁଅନ୍ତି ପ୍ରିୟତମା?ପ୍ରିୟତମା ପୂର୍ଣ୍ଣତମା ହୁଏ କେମିତି?ହୃଦୟ ମନ୍ଦିରରେ କେମିତି ଜାଳିବାକୁ ହୁଏ ପ୍ରେମ ଦୀପ?
ଦିନେ ଏହି ସବୁ ପ୍ରଶ୍ନ ତନ୍ଦ୍ରାର ମନକୁ ଆସିଲା।ଏବଂ ପ୍ରଶ୍ନ ସବୁ ଏକାଠି ହୋଇ ତା'ର ନିଦ ଉଡ଼ାଇଦେଲେ।
ଏଇ ମାତ୍ର ଯୌବନରେ ପାଦ ଦେଇଥିଲା ସେ।ତା'ର ଦେହ ସମୁଦ୍ରରେ ଅଚାନକ ଆସିଥିଲା ଏକ ଲଘୁଚାପ।ପ୍ରଥମ ମୌସୁମୀ ବର୍ଷାରେ ଓଦା ହୋଇ ଯାଇଥିଲା ତା'ର ଦେହ।ଏକ ଅପୂର୍ବ ବାସ୍ନାରେ ମହକି ଉଠିଥିଲା ସେ।
ଏବେ ତାକୁ ଦେଖିଲେ ଲାଜେଇ ଯାଉଥିଲା ବର୍ଷା।ଶୀତେଇ ଉଠୁଥିଲା ଜହ୍ନ।ତା' ଶୋଇବାଘରର ଝର୍କା ପାଖରେ ଜ୍ୟୋତ୍ସ୍ନା ବୁଣି ତାକୁ ଅପେକ୍ଷା କରୁଥିଲା।ଫୁଲର ବାସ୍ନାରେ ଭିଜି ପବନ ବି ତା' ଆଡ଼କୁ ଆସୁଥିଲା।ତା'ର ନିଜର ହୋଇ ରହିବାକୁ ତାକୁ କଥା ଦେଉଥିଲା।
ଆଗରୁ କେବେ ଆନମନା ହୋଇ ନ ଥିଲା ସେ।ଏବେ କିନ୍ତୁ ତା'ର ସମସ୍ତ ସମୟ ଆନମନାର ସମୟ ଥିଲା।ନୀରବତା ଭିତରେ ହଜି ସେ ଅଫୁରନ୍ତ ଆନନ୍ଦ ପାଉଥିଲା।ମନେମନେ ଗୋଟେ ପ୍ରେମିକର ଛବି ଆଙ୍କୁଥିଲା।ମୁର୍କି ମୁର୍କି ହସୁଥିଲା।
ନିଜ ମନରେ ଯେଉଁ ସବୁ ପ୍ରଶ୍ନ ଉଠିଥିଲା, ସେଇ ପ୍ରଶ୍ନ ସବୁର ଉତ୍ତର ତାକୁ ଏବେ ଖୁବ୍ ଲୋଡ଼ା ପଡୁଥିଲା।ନିଜେ ନିଜେ ଖୋଜି ପାଉ ନ ଥିଲା ସେ।ଯିଏ ଉତ୍ତର ଦେଇପାରିବ ,ମନେମନେ ସେମିତି କାହାକୁ ଜଣକୁ ସେ ଖୋଜୁଥିଲା।
ହଠାତ୍ ତା'ର ତା' ବଉଳର କଥା ମନେପଡ଼ିଲା।ବଉଳକୁ ବେଳେବେଳେ ପ୍ରେମ ସରସର ଥିବା ଦେଖେ ସେ।ତେଣୁ ତା' ପାଖକୁ ଯାଇ ତା' ସହିତ ଏ ବାବଦରେ କଥାବାର୍ତ୍ତା ହେବାକୁ ତା'ର ଇଚ୍ଛା ହେଲା।ଆସିଲା ତା' ପାଖକୁ।
ବିଛଣାରେ ପେଟେଇ ପଡ଼ି ଖଣ୍ଡିଏ ବହି ଉପରେ ଦୃଷ୍ଟି ନିବଦ୍ଧ କରିଥିଲା ତା' ବଉଳ। " ବୈବାହିକ ଜୀବନର ଆନନ୍ଦ " - ବହିଟିର ପ୍ରଚ୍ଛଦ ଉପରେ ତା'ର ନଜର ପଡ଼ିଲା। - ' ଆଲୋ!ତୁ କ'ଣ ଏ ବହି ପଢୁଛୁ?କେଉଁଠି ପାଇଲୁ ଏ ବହି? ' ସେ ଚିଲେଇଲା ଭଳି କହିଲା।
ବଉଳ ଚମକିପଡ଼ି ଚାହିଁଲା।ବହିଟାକୁ ତରବରରେ ଲୁଚେଇ ଦେବାକୁ ଯାଉ ଯାଉ କହିଲା - ' ଏଇଟା ମୋ ଦିଦିର ବହି।ସିଏ ତ ଏବେ ଏବେ ବାହାହୋଇ ତା' ଶାଶୁଘରକୁ ଚାଲିଗଲା।ବହିଟା ମୁଁ ତା' ବିଛଣା ତଳୁ ପାଇଛି।ସମୟ ମିଳିଲେ ପଢ଼ୁଛି।ଭାରି ଭଲ ଲାଗୁଛି ବା! '
- ' ହଉ।ତୁ ପଢ଼ିସାରିଲେ ମତେ ଟିକେ ପଢ଼ିବାକୁ ଦେବୁ ତ!କ'ଣ ସେଥିରେ ଲେଖାଅଛି ଦେଖିବି! ' ସେ କହିଲା।
- ' ମୋର ଆ
ଗ ସରୁ,ତତେ ଦେବି।ବୁଝିଲୁ,ଏମିତିକା ବହି ଆମ ଭଳିଆ ଝିଅମାନେ ପଢ଼ିବା ଦରକାର।ଥାଉ ସେକଥା।ଏବେ କ'ଣ ପାଇଁ ଆସିଥିଲୁ କହ। ' ବଉଳ କହିଲା।
ଏହାପରେ ସେ ତା' ମନକୁ ଆସିଥିବା ପ୍ରଶ୍ନଗୁଡ଼ିକ ବଉଳ ଆଗରେ ଉପସ୍ଥାପନ କଲା।ସେସବୁର ଉତ୍ତର ବଉଳ ପାଖରେ ଅଛି କି ନାହିଁ ତାହା ଜାଣିବାକୁ ଚାହିଁଲା।
- ' ଆଲୋ,ତୁ ନବମ ଶ୍ରେଣୀ ଝିଅଟା!ନୂଆ କରି ଫୁଲ ହୋଇ ଫୁଟୁ ଫୁଟୁ ପ୍ରଜାପତିକି ଅପେକ୍ଷା କରି ବସିଲୁଣି ନା କ'ଣ? ' ବଉଳ କହିଲା।
ସେ କହିଲା - ' ତତେ କାହିଁକି ଏଡ଼େ ବିଚିତ୍ର ଲାଗୁଛି, କିଲୋ?ନୂଆ ହେଲେ କ'ଣ ହେଲା,ମତେ ତ ଗୋଟେ ବୁଢ଼ିଆଣି ଜାଲରେ ପଡ଼ିଗଲା ପରି ଲାଗୁଛି।କ'ଣ ଜାଣିଛୁ କହ,ନ ହେଲେ ମୁଁ ଚାଲିଲି। '
ବଉଳ କହିଲା - ' କହୁଛି ଶୁଣୁ।କିଛି ପାଇବାକୁ ଆଶା କରିବୁନି।ତା' ହେଲେ ଯାଇ ପ୍ରେମ ହେବ।ନିଜକୁ ଗୋଟାପଣେ ସମର୍ପି ଦେଲେ ଯାଇ ପ୍ରିୟତମା ହେବୁ।ହେଲେ ଜାଣିଥା' ପ୍ରେମିକ ପାଇଁ ରୋମାଞ୍ଚର ଝରଣା ଯେତେ ଝରାଇଦେଲେ ବି ପ୍ରିୟତମାରୁ ପୂର୍ଣ୍ଣତମା କେବେ ବି ହୋଇ ପାରିବୁନି।ପ୍ରେମରେ ପ୍ରେମିକ ପାଇଁ ସବୁବେଳେ ସରାଗର ସଳିତାରେ ହୃଦୟ ମନ୍ଦିରରେ ଦୀପ ଜାଳିବାକୁ ହୋଇଥାଏ। ଜାଣିଲୁ ତ? '
ସେ କହିଲା - ' ମତେ ଏଇନା ନବମ ଶ୍ରେଣୀ ଝିଅଟା ବୋଲି କହୁଥିଲୁ ନା?ତୋର ଆଉ କୋଉ ଶ୍ରେଣୀ କି?ତୁ ବି ନବମ ଶ୍ରେଣୀ ଝିଅଟା ହୋଇ ଏତେ କଥା କେଉଁଦିନ ଜାଣିଗଲୁ ମ?କେମିତି ଜାଣିଲୁ?ମୁଁ ତ ଆଦୌ ଭାବି ନ ଥିଲି। '
ବଉଳ ହସିଦେଇ କହିଲା - ' ଏସବୁ ବିଷୟରେ ଜ୍ଞାନ ଆମର ଦରକାର ନା ନାହିଁ?ଆମ ଶ୍ରେଣୀର କୋଉ ଝିଅଟା ଏସବୁ ଜାଣେନାହିଁ କହ ତ?ସମସ୍ତେ ତ କେବେଠୁ ପ୍ରେମରେ ପିଏଚ୍. ଡ଼ି. କରି ସାରିଲେଣି।ତୁ ଯାହା ପଛରେ ପଡ଼ିଛୁ।ଶୁଣୁ,ପଢ଼ିସାରିଲେ ମୁଁ ଏ ବହି ତତେ ନିଶ୍ଚୟ ଦେବି।ଏ ବହି ପଢ଼ିଲେ ନା,ତୁ ବି ପ୍ରେମରେ ପିଏଚ୍. ଡ଼ି. ପାଇଯିବୁ ଯେ। '
ଏହାପରେ ଏକ ବିଭୋର ଆବେଗରେ ଦୁହେଁ କୁଣ୍ଢାକୁଣ୍ଢି ହୋଇ ହସି ହସି ଗଡ଼ିଗଲେ।
- ' ହଁ,ଠିକ୍ କଥା।ତୁମେ ସମସ୍ତେ ପ୍ରେମରେ ପିଏଚ୍. ଡ଼ି. କରି ସାରିଲଣି ଯେତେବେଳେ ,ମୁଁ ଆଉ କାହିଁକି ବାକି ରହିବି?ମୋର ବି ଏଇ ନବମରୁ ପ୍ରେମରେ ପିଏଚ୍. ଡ଼ି. ପାଇଯିବା ଦରକାର। ' ସେ ମଜାରେ ମଜାରେ ହସି ହସି କହିଲା।
ତା'ର ଏଇ କଥା ପରେ ବଉଳର ମିଠା ହସ ପୁଣି ଫିଟିପଡ଼ିଲା।
ବାଃ!ପ୍ରେମରେ ପିଏଚ୍. ଡ଼ି.!!ପୁଣି ନବମ ଶ୍ରେଣୀରୁ!!!