ସ୍ଵତନ୍ତ୍ର ପରିଚୟ
ସ୍ଵତନ୍ତ୍ର ପରିଚୟ
ପ୍ରାତଃ ଭ୍ରମଣ ସାରି ଘରେ ପହଞ୍ଚି ଗଲି,ଶ୍ରୀମତୀ ସୁମିତ୍ରାଙ୍କୁ ଚା' କପେ ଦେବାକୁ କହି ପେପର ପଢିବାକୁ ବସିଗଲି।ସକାଳୁ ସକାଳୁ ମନ ପ୍ରଫୁଲ୍ଲ ଥାଏ।ତା ପରେ ପୁଣି ଶ୍ରୀମତୀଙ୍କ ହାତରୁ ଗରମାଗରମ ଅଦାଛେଚା ସ୍ପେଶାଲ ଚା' କପ୍।ଆଃ ସକାଳଟା ବେଶ୍ ଜମିଯାଏ।ଏସବୁ ପରେ ଯଦି ବାଲ୍ୟବନ୍ଧୁଟିଏ ପାଖରେ ଥାଏ ନା ,ଲାଗେ ପରା ମୋ ଗାଆଁ ମାଟିର ବାସ୍ନା ସୁ ସୁ ହୋଇ ପେଲି ଆସୁଛି ବୋଲି।ମୋ ଗାଆଁ, ମୋ ମାଆ, ମୋ ଗାଆଁରେ ଥିବା ମୋ ବାଲ୍ୟବନ୍ଧୁ ।ଓଃ କି ଚମତ୍କାର ପରିବେଶ।
ଏମିତି ତ ଭାବୁ ଭାବୁ ପାଖ ପଡୋଶୀ ରମେଶ ଭାଇ ପହଞ୍ଚି ଗଲେ।
ଭାଉଜ ମୋ ପାଇଁ ଗୋଟିଏ କପ୍ ଚା' ଦେବେ।ଖାସ୍ ଏହି ଚା' ପିଇବା ପାଇଁ ବେଳ ଅବେଳରେ ଆସି ପହଞ୍ଚି ଯାଏ ପରା ମୁଁ ଆପଣଙ୍କ ହାତ ତିଆରି ସ୍ପେଶାଲ ଚା' ପିଇବା ପାଇଁ ।ହଁ ଆପଣଙ୍କ ଘରକୁ ଆସୁ ଆସୁ ଚିଠିଟିଏ ମୋ ହାତରେ ପିଲାଟିଏ ଦେଇଛି ଆପଣଙ୍କୁ ଦେବା ପାଇଁ।ନିଅନ୍ତୁ ,କଣ ଗୋଟିଏ ନିହାତି ଦରକାରୀ ଚିଠି ବୋଲି ପିଲାଟି କହିଲା।
ରମେଶ ଭାଇଙ୍କ ହାତରୁ ଚିଠି ନେଇ ପଢିଲି,ଖୁବ୍ ସୁନ୍ଦର ଗପଟିଏ ଥିଲା ତା ଭିତରେ।ବିଷୟ ବସ୍ତୁ ଥିଲା ଏହିପରି କି ...
ବଡ଼ ଆଦରରେ ବାପା ମାଆଙ୍କ ଗେହ୍ଲା ପୁଅ ହୋଇ ସପ୍ତମ ଶ୍ରେଣୀ ପାସ କଲା ପ୍ରଥମ ସ୍ଥାନରେ।ଧୀରେ ଧୀରେ ଶାରୀରିକ ଗଠନ ବୃଦ୍ଧି ହୋଇ ପୁଅଟିର କଣ୍ଠ ପରିବର୍ତ୍ତନ ହୋଇଥିଲା ।
ଏବଂ ପରବର୍ତ୍ତୀ ସମୟରେ ସେ ସମାଜରେ ସମସ୍ତଙ୍କ ପାଖରେ ଆଲୋଚନା ତଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଗଲା।ଘରେ ବାପା ତଥା କକା ଖୁଡୀଓ ଅନ୍ୟମାନଙ୍କ ଅଲଗା ନଜର ,ଚିଡଚିଡା ବ୍ୟବହାର ଲକ୍ଷ୍ୟ କଲା ପିଲାଟି।ଏମିତି ଏମିତି ଦଶମ ପାସ କରିବା ପରେ ସମସ୍ତଙ୍କ ନଜର ପରିସରରୁ ବାହାରି ପଳେଇ ଆସିଲା ସମାଜର ତୃତୀୟ ବର୍ଗର ଲୋକଙ୍କ ପାଖକୁ।ଯେଉଁଠି ପାଇଛି ମାଆର ଆଦର ,ପରିବାରର ସ୍ନେହ ତଥା ସାଙ୍ଗସାଥି ମାନଙ୍କ ସାହଚର୍ଯ୍ୟ।
ଏକା ନିଶ୍ଵାସରେ ଗପଟି ପଢିସାରି ଚାଲିଲି ଉତ୍କଳ କାର୍ଟୁନ ର ମାଲିକଙ୍କ ପାଖକୁ।ଏଥିପାଇଁ କି ନଟିଆ କମେଡିର ପରବର୍ତ୍ତୀ ବିଷୟ ପାଇଁ ସ୍କ୍ରିପ୍ଟ ଲେଖିବା ଦାୟିତ୍ୱ ଥିଲା ମୋର।ତେଣୁ ସ୍କ୍ରିପ୍ଟ ନେଇ ଦେଖେଇବା ପରେ ସେଠାରେ ଉପସ୍ଥିତ କମେଡି ନଟିଆ ଚରିତ୍ର ଓ ଉତ୍କଳ କାର୍ଟୁନ ଓ୍ଵାର୍ଲ୍ଡ ର ମାଲିକ ବି ବେଶ୍ ଉତ୍ସାହିତ ହୋଇଥିଲେ ଏଭଳି ଷ୍ଟୋରିକୁ କାର୍ଯ୍ୟକ୍ରମ ରେ ସ୍ଥାନୀତ କରିବାକୁ।
ଆରମ୍ଭ ହୋଇଥିଲା ତାର ସୁଟିଂ ଇତ୍ୟାଦି।ଦର୍ଶକ ମହଲରେ ବି ନଟିଆ ଚରିତ୍ର କୁ ଖୁବ ସୁନ୍ଦର ଭାବରେ ସମ୍ପାଦନା କରିଥିଲେ ସେହି ଭିଡିଓ ରେ।ଅନେକ ସଫଳତା ହାସଲ କରିବା ପରେ ଉତ୍କଳ କାର୍ଟୁନ ଓ୍ଵାର୍ଲ୍ଡ ର ମାଲିକ ଏକ ଉତ୍ସବ ପାଳନ କରିବାକୁ ମନସ୍ଥ କଲେ ଏବଂ ସେହି ସ୍କ୍ରିପ୍ଟ ର ଲେଖକ ଙ୍କୁ ସମ୍ମାନୀତ କରିବା ପାଇଁ ମୋତେ ପ୍ରସ୍ତାବ ଦେଇଥିଲେ।ମୋତେ ସେହି ଦାୟିତ୍ୱ ଦିଆଯାଇଥିଲା।
ଘରକୁ ଆସି ଖୋଜିଲି ସେହି ଚିଠିକୁ।ଯେଉଁ ଥିରେ ଥିଲା ଉକ୍ତ ଲେଖକଙ୍କ ଠିକଣା।ଆଜିକୁ ୫/୬ ମାସ ତଳର କଥା।କେଉଁଠି ଖୋଜିବି ତାଙ୍କ ଠିକଣା।ବହି ଥାକ,ଟେବୁଲ ସବୁଆଡେ ଖୋଜି ଚାଲିଲି।ଯାହା ହେଉ ଘଣ୍ଟାଏ ଦୁଇଘଣ୍ଟା ଖୋଜାଖୋଜି ପରେ ସେ ଖୋଳଟିକୁ ପାଇଲି।ମୂଳ ଲେଖା କାଗଜଟି ତା ଭିତରେ ରଖି ଦେଇଥିଲି।
ଗପର ପଛପଟେ ଲେଖକଙ୍କ ନାମ ଓ ଠିକଣା ସହ ଧାଡିଟିଏ ଥିଲା ଯେ,ଆବଶ୍ୟକ ଭାବିଲେ ଏହି ନମ୍ବରରେ ଯୋଗାଯୋଗ କରିବେ।
ନିଜକୁ ବଡ଼ ଲଜ୍ଜିତ ବୋଧ କରି ଫୋନ ନମ୍ବର ଲଗେଇଲି।ସେପାଖରୁ ଯିଏ ବି ଫୋନ ଉଠେଇଲେ ଆମ ଉତ୍ସବ କଥା କହି ଆପଣଙ୍କୁ ସମ୍ବର୍ଦ୍ଧିତ କରାଯିବ ,ଆସିବାକୁ ନିବେଦନ କଲି।
ବହୁ ପ୍ରତୀକ୍ଷିତ ଉତ୍ସବ ଦିନ ଉପସ୍ଥିତ।ମଞ୍ଚରେ କମେଡି ନଟିଆ ନିଜ ଅଭିନୟ ମାଧ୍ୟମରେ ଲେଖକଙ୍କ ଲେଖାକୁ ଦର୍ଶକ ଙ୍କୁ କିଛି ସମୟ ପାଇଁ ଦେଖାଇ ଉକ୍ତ ଲେଖକଙ୍କ ନାମ ଘୋଷଣା କରି ମଞ୍ଚକୁ ଆସିବାକୁ ଅନୁରୋଧ କରିଥିଲେ।
ମଞ୍ଚରେ ଆସି ଉପସ୍ଥିତ ହୋଇଥିଲେ ଯିଏ ମୁଁ ଦେଖି ଅବାକ ହୋଇଗଲି।ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା ।କିନ୍ତୁ ମୋତେ ମଧ୍ୟ କିଛି କହିବାକୁ କୁହାଯାଇଥିଲ।ମୁଁ କେବଳ ଏତିକି ତାଙ୍କ ପାଇଁ କହିଥିଲି ଯେ,ଆପଣଙ୍କ ଚରିତ୍ର, ଲେଖନୀ ତଥା ଜ୍ଞାନ କୁ ସମ୍ମାନ ଜଣାଇ କହୁଛି କି କେଉଁ ଗୁଣରେ ଏମାନେ କମ୍ ଯେ ସମାଜରେ ଏମାନେ ଚର୍ଚ୍ଚା ର ପରିସରକୁ ଆସନ୍ତି ଭଗବାନଙ୍କ ସୃଷ୍ଟିରେ ବି ଏମାନେ ଥିଲେ,ଅଛନ୍ତି ଓ ରହିବେ ମଧ୍ୟ ।ସମସ୍ତଙ୍କ ଭଳି ସବୁ କରି ପାରିବା ଭଳି କ୍ଷମତା ଏମାନଙ୍କର ତ ଅଛି।ତେଣୁ ଏମାନଙ୍କୁ ସରକାରୀ ସ୍ତରରେ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବା ଦରକାର।
ଏଥର ଥିଲା ସେହି ଲେଖକଙ୍କ ବକ୍ତବ୍ୟ।ତାଙ୍କ ବକ୍ତବ୍ୟରେ ସେ କହିଥିଲେ, ଗୋଟିଏ ଟି .ଭି କାର୍ଯ୍ୟକ୍ରମ ରେ ଅଭିଜିତ ଦାଦାଙ୍କ ଦାଦାଗିରି ରେ ନଟିଆ ଚରିତ୍ର ସେଠାରେ ଉପସ୍ଥିତ ଥିଲେ।ସେଠାରେ ଗୋଟିଏ ଗୀତରେ ନଟିଆଙ୍କୁ ନାଚିବାକୁ କୁହାଯାଇଥିଲା।ଗୀତ ଥିଲା ,ଦିନରେ ବସନ୍ତ ଆମେ ରାତିରେ ବାସନ୍ତୀ ...ବାସ୍ ସେହି ଅନୁଭୁତିର ଲେଖା ମୋର ଏ।
ଶେଷରେ ମଞ୍ଚରେ ନଟିଆ, ମୁଖ୍ୟ ଅତିଥି, ମାଲିକ ଓ ଦର୍ଶକ ବି କହି ଉଠିଲେ ବାସ୍ତବିକ ଭଗବାନ ଏମାନଙ୍କୁ ଶୁଭାର୍ଶ୍ରିବାଦ ଦେଇଛନ୍ତି, ଯାହା ଫଳରେ ଏଭଳି ଅନନ୍ୟ ପ୍ରତିଭା ନଟିଆ ଚରିତ୍ର ମାଧ୍ୟମରେ ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଲେ।
