Leena Pani

Drama

4.5  

Leena Pani

Drama

ଷ୍ଟାରବକ୍ସ ର କଫି

ଷ୍ଟାରବକ୍ସ ର କଫି

5 mins
382


ଷ୍ଟାର ବକ୍ସରେ କଫି ପିଉ ପିଉ ଶିଳ୍ପୀ ଭାବୁ ଥିଲା ,କଫି ସେମିତି କିଛି ଲାଗୁନଥିଲା କି ସେମିତି କିଛି ସ୍ପେସିଆଲ ଫିଲ ବି ହେଉନଥିଲା ।ଏହି ଷ୍ଟାରବକ୍ସ ବାହାରେ ବସି ସେ ବହୁତ ଚା ଓ କଫି ପିଇଛି ।ଥଣ୍ଡା ବର୍ଷା ଗରମ ସବୁ ଋତୁର ମଜା ନେଇଛି ।ଷ୍ଟାରବକ୍ସ ଦିଲ୍ଲୀର କନାଟପ୍ଲେସ ର ବହୁତ ନାମିଦାମୀ କ୍ୟାଫେ ।ସେଠାରେ ବସି ବିଭିନ୍ନ ପୋଗ୍ରାମ ସହିତ କଫି ର ମଜା ନିଆଯାଏ ।ଶିଳ୍ପୀ ର ଅଫିସ ଥିଲା କନାଟପ୍ଲେସ ରେ ।ତେଣୁ ସାଙ୍ଗ ମାନଙ୍କ ସାଥିରେ ଆସି ସେ କଫିର ମଜା ନିଏ ।କିନ୍ତୁ ଷ୍ଟାରବକ୍ସରେ ନୁହେଁ ,ତାର ଠିକ ସାମ୍ନାରେ ଥିବା କଫି ଷ୍ଟଲରେ ।ରାସ୍ତା ସାଇଡ ରେ ପଡିଥିବା ବେଞ୍ଚରେ ବସି ସାଙ୍ଗ ମାନଙ୍କ ସାଥିରେ ଚା ଓ କଫି ର ଯେଉଁ ମଜା ଥାଏ ,ଜଣାନାହିଁ ସେହି ମଜା କ୍ୟାଫେ ଭିତରେ ଆସୁଥିବକି ନାହିଁ ?

ଶିଳ୍ପୀ ସାଙ୍ଗ ମାନଙ୍କ ସହିତ ଆସି ଷ୍ଟାରବକ୍ସ ର ସାମ୍ନାରେ ବସି ଚା, କଫି ପିଇବା ଭିତରେ ତାର ଧୀରେଧୀରେ ଗୌରବ ସାଥିରେ ପରିଚୟ ହୋଇଥିଲା ।ଗୌରବ ର ଅଫିସ ସେ ପାଖାପାଖି ଥିଲା ।ତେଣୁ ସବୁଦିନେ ଲଞ୍ଚ ଟାଇମ ରେ ସେ ଦୁଇଜଣଙ୍କର ଦେଖାହୁଏ ।ଏମିତି ଧୀରେଧୀରେ ତାଙ୍କର ସମ୍ପର୍କ ବଢିଥିଲା ।ସେମାନେ ଆଉକାହାକୁ ସାଥିରେ ନ ଆଣି ସେମାନେ ଦୁଇଜଣ ସାଙ୍ଗ ହୋଇ ଆସନ୍ତି ।ଚା ,କଫି ପିଇ ଗପସପ କରି ପୁଣି ନିଜ ଅଫିସ କୁ ଫେରି ଯାଆନ୍ତି ।ଶିଳ୍ପୀ ଓ ଗୌରବ ଦୁଇଜଣ ବାହାରୁ ଆସିଥିଲେ ଦିଲ୍ଲୀରେ ଚାକିରୀ କରିବା ପାଇଁ ।ନୂଆ ଚାକିରୀ ,ଦରମା କମ ,ସେଥିରେ ପୁଣି ଘରଭଡା ଆଉ ଯାବତୀୟ ଖର୍ଚ୍ଚ ।ତେଣୁ ସେମାନେ ରାସ୍ତାକଡ଼ରେ ଥିବା ଚା ଵାଲା ଠାରୁ ଚା ପିଇବା ପସନ୍ଦ କରନ୍ତି । କିନ୍ତୁ ସବୁବେଳେ ଶିଳ୍ପୀ ର ନଜର ଷ୍ଟାରବକ୍ସ ଭିତରେ ଥାଏ ।କେତେ ଷ୍ଟାଇଲରେ ପୁଅ ଝିଅମାନେ ଭିତରକୁ ଯାଆନ୍ତି ଓ ବସି ଗପ ମାରି କଫି ପିଅନ୍ତି ।ଶିଳ୍ପୀ ଭାବେ ,ସେ କଣ କେବେ ଏତେ ଷ୍ଟାଇଲରେ ଷ୍ଟାରବକ୍ସ ଭିତରେ ବସି କଫି ପିଇପାରିବ?ଥରେ ଦୁଇଥର ସେ ଗୌରବ କୁ କହିଛି ଭିତରେ ବସି କଫି ପିଇବା ପାଇ ।କିନ୍ତୁ ଗୌରବ ସିଧାସଳଖ ମନା କରିଦିଏ ।ଶିଳ୍ପୀ ଚୁପ ହୋଇଯାଏ ।ଗୌରବ ପାଇଁ ଏକ ଏକ ପଇସା ମୂଲ୍ୟବାନ ଥିଲା ।କାରଣ ସେ ଜାଣିଛି ତାର ଘରର ସ୍ଥିତି ।ପୁରା ପରିବାର ତାଉପରେ ନିର୍ଭରଶୀଳ ।ସେ ଶିଳ୍ପୀ ର ସବୁକଥା ମାନେ ,କିନ୍ତୁ ଏପରି କଫି ପଛରେ ଏତେ ଖର୍ଚ୍ଚର ବିପକ୍ଷରେ ଥାଏ ସବୁବେଳେ ।

ଶିଳ୍ପୀ ବି ଗୌରବ ସାଥିରେ ରାସ୍ତା କଡରେ ଚା କଫି ପିଇବାରେ ବି ଆନନ୍ଦ ଅନୁଭବ କରେ ।ସେମାନେ କେବେ ଦୁଇଟା କପ ରେ ଚା ଆଣନ୍ତି ନାହିଁ ।ଗୋଟିଏ କପ ରେ ଆଣି ମିଶିକି ପିଅନ୍ତି ,ସରିଗଲେ ପୁଣି ଆଉ ଏକ କପ ଆଣନ୍ତି ।ଏମିତିବି ଶୀତ ଦିନେ ଚାରି ପାଞ୍ଚ କପ ହୋଇଯାଏ ।ସେହି ଚା ଓ କଫି କେତେ ଟେଷ୍ଟି ଥାଏ ଜଣାନାହିଁ ,କିନ୍ତୁ ସେହି ଦୁଇଜଣଙ୍କର ଭଲ ପାଇବା ଚା କଫି କୁ ଆହୁରି ଟେଷ୍ଟି କରିଦେଇଥାଏ ।

ଶିଳ୍ପୀ ବାପାମାଆ ଙ୍କର ଗୋଟିଏ ବୋଲି ଝିଅ ଥିଲା ।ତେଣୁ ତାଉପରେ ବାହାଘର ପାଇଁ ପୁରା ପ୍ରେସର ଥିଲା ।କିନ୍ତୁ ଗୌରବ କଣ କରିବ ଜାଣିପାରୁନଥିଲା ।ତାର ଉପରେ ତାର ବଡ ଭଉଣୀ ର ବାହାଘରର ଦାୟିତ୍ୱ ।ଯେଉଁଟାକି ତାକୁ ପ୍ରଥମେ କରିବାକୁ ପଡିବ ,ତାପରେ ସେ ନିଜକଥା ଭାବିପାରିବ ।ଶିଳ୍ପୀ ବି ବୁଝିପାରେ ଗୌରବ ର ମଜବୁରୀ ।ସେ ଗୌରବ ର ଆହୁରି ପାଖକୁ ଘୁଞ୍ଚି ଯାଇ ତାବେକ ରେ ମୁଣ୍ଡଦେଇ ଧୀରେସେ କହେ ବେସ୍ତ ହୁଅନି ,ସବୁ ଠିକ ହୋଇଯିବ ।ଶିଳ୍ପୀ କୁ ଭଲଲାଗେ ଗୌରବ ସାଥିରେ ସମୟ ବିତାଇବାକୁ ।ଗୌରବ କାନ୍ଧରେ ମୁଣ୍ଡଦେଇ ତା ହାତରେ ହାତ ଦେଇ ଘଣ୍ଟା ଘଣ୍ଟା ବସି ରହିବାକୁ ଭଲପାଏ ।କିନ୍ତୁ ଗୌରବ ନିଜ ପ୍ରବ୍ଲେମ ଭିତରେ ଘାଣ୍ଟି ହେଉଥାଏ ।

ଶିଳ୍ପୀ ର ମନ ସବୁବେଳେ ଷ୍ଟାରବକ୍ସ ଭିତରେ ଥାଏ ।ତାର ଭିତରୁ ବାହାରୁ ଥିବା ପ୍ରତେକ ପୁଅଝିଅ ଙ୍କୁ ସେ ନିରେଖି ନିରେଖି ଦେଖୁଥାଏ ।ପ୍ରତେକ ଝିଅର ଡ୍ରେସ ଓ ଡ୍ରେସିଂଗ ସେନ୍ସ ତାକୁ ବହୁତ ଭଲ ଲାଗେ ।ସେମିତି ଦେଖିବାକୁ ଗଲେ ଶିଳ୍ପୀର କୌଣସି ମନୀଟାରୀ ପ୍ରବ୍ଲେମ ନଥିଲା କି ଘର ତରଫରୁ କୌଣସି ଭାର ନଥିଲା ।ସେ ନିଜଦରମା ରେ ଆରାମରେ ଚଳି ଯାଉଥିଲା ।କେବେକେବେ ଗୌରବ କୁ କିଛି ଭଲ ଉପହାର ଦେଇଦେଉଥିଲା ।ସେ ଜାଣେ ଗୌରବ କୁ ଭଲ ଲାଗେନି ତାଠାରୁ ଗିପ୍ଟ ନେବା ପାଇଁ ।କିନ୍ତୁ ସେ ରାଣ ପକାଇ ବାଧ୍ୟ କରେ ନବାପାଇଁ ।

କିଛିଦିନ ହେଲା ଶିଳ୍ପୀ ଲକ୍ଷ କରୁଥିଲା ,ଗୌରବ ବହୁତ ଚୁପଚାପ ରହୁଛି ।ସେ ଆଗପରି ସବୁକଥାରେ ଖୁସି ହେବା ,କି ଛୁଟିରେ କୁଆଡେ ବୁଲିଯିବାରେ ତାର ଆଉ ଇଣ୍ଟରେଷ୍ଟ ନଥିଲା ।ଶିଳ୍ପୀ ଯେତେ ପଚାରିଲେ ସେ ଚୁପ ରହେ ।

ଦିନେ ଶିଳ୍ପୀ ସନ୍ଧ୍ୟାରେ ଅଫିସରୁ ଆସି ଷ୍ଟାରବକ୍ସ ଆଗରେ ବସିରହିଥିଲା ଗୌରବ ର ଅପେକ୍ଷାରେ ।ଗୌରବର ଫୋନ ବି ଲାଗୁନଥାଏ ।ସବୁଦିନ ଗୌରଵ ଆଗେ ଆସି ଅପେକ୍ଷା କରିଥାଏ ,ଆଉ ଶିଳ୍ପୀ ଲେଟରେ ଆସେ ।କିନ୍ତୁ ଆଜି ସାତଟା ଉପରେ ବାଜିଲାଣି ଅଥଚ ତାର ଦେଖାନାହିଁ ।ହଠାତ ଝଡ ତୋଫାନ ଓ ବର୍ଷା ବି ଆରମ୍ଭ ହୋଇଯାଇଥିଲା ।ଶିଳ୍ପୀ କଣ କରିବ ଭାବିପାରିଲାନାହିଁ ।ସମସ୍ତେ ଯିଏ ଯୁଆଡ଼େ ପଳାଇଗଲେ ।ଶିଳ୍ପୀ ଏକୁଟିଆ କଣକରିବ ଭାବୁ ଭାବୁ ,ତା ନଜର ପଡିଥିଲା ଷ୍ଟାରବକ୍ସ ଉପରେ ।ସେ ଆଉକିଛି ନଭାବି ତା ଭିତରକୁ ପଶି ଯାଇଥିଲା ।ସେ ଏକୁଟିଆ ଥିବା ଯୋଗୁଁ ତାକୁ ଭଲ ଲାଗୁନଥିଲା ।ତେଣୁ ସେ ଯାଇ ସାଇଡ ସିଟ ରେ ବସିଥିଲା । ସେଠିକାର ବେଷ୍ଟ କଫି Venti coffee ର ନାଁ ସେ ଶୁଣିଥିଲା ।ସେ କଫି ମଗେଇ ତାର ମଜା ନେଇ ,ମନେମନେ ଭାବୁଥିଲା ନେଷ୍ଟ ଟାଇମ ସେ ଗୌରବ କୁ ଜବରଦସ୍ତି କରି କ୍ୟାଫେ ଭିତରକୁ ନେଇଆସିବ ।ସବୁଦିନ ନହେଲେ ବି ମାସେ ଦୁଇ ମାସରେ ଥରେ ତ ଏଠାରେ କଫି ପିଇ ହେବ ।ତାକୁ ଆଜି ବହୁତ ଭଲ ଫିଲ ହେଉଥିଲା ।ବହୁତ ଦିନର ଆଶା ପୂରଣ ହୋଇଥିଲା ।ହଠାତ ଶିଳ୍ପୀ କୁ ଫିଲ ହୋଇଥିଲା କେହିଜଣେ ତା କାନ୍ଧରେ ହାତ ରଖିଛି ।ସେ ମନେମନେ ଖୁସ ହୋଇ ଭାବିଥିଲା ନିଶ୍ଚିନ୍ତ ଗୌରବ ହୋଇଥିବ ।ସେ ପଛକୁ ବୁଲି ଦେଖିଲା ,ତାକୁ ମୁହଁଟା ଚିନ୍ହା ଚିନ୍ହା ଲାଗିଲା ।ତଥାପି ସେ ସେ ଚିନ୍ହି ପାରିନଥିଲା ।ଶିଳ୍ପୀ କଣ କହିବ ଭାବୁଭାବୁ ,ସେ କହିଥିଲା ମୁଁ ତୁମ କ୍ଲାସମେଟ ବିବେକ ।ଶିଳ୍ପୀ କୁ ଖରାପ ଲାଗିଥିଲା ,କାରଣ ସେ ଆଜି ବିବେକ କୁ ଚିନ୍ହି ପାରିଲାନାହିଁ ।ସେ ଆଉ ବିବେକ କଲେଜ ରେ ସବୁବେଳେ ଏକାଠି ବୁଲାବୁଲି,ଖାଇବପିଇବା ଥିଲା ।ତାଙ୍କ ଗ୍ରୁପରେ ବିବେକ ସବୁଠାରୁ ପଇସା ଵାଲା ଥିଲା ।ତେଣୁ ସେ ବହୁତଥର ସମସ୍ତଙ୍କର ବିଲ ପେ କରିଛି ।ପଢ଼ାସାରିଲା ପରେ ବିବେକ ଆମେରିକା ଚାଲିଯାଇଥିଲା ।ଆଉ ଏତେଦିନପରେ ତାର ବିବେକ ସାଥିରେ ଦେଖା ହେବବୋଲି ସେ କେବେ ଭାବିନଥିଲା ।ବିବେକ ବି ଆଗ ଅପେକ୍ଷା ଆହୁରି ହ୍ୟାଣ୍ଡସମ ଦେଖାଯାଉଥାଏ ।ବିବେକ ବି ଭାବି ନଥିଲା ଶିଳ୍ପୀ ସାଥିରେ ଏମିତି ଦେଖାହେବବୋଲି ।ଦୁଇଜଣ ଏତେଦିନପରେ ଦେଖା ହୋଇଥିବା ଯୋଗୁଁ ଗପମାରିବା ସହିତ କଫି ର ବି ମଜା ନେଇଥିଲେ ।ଆଉ ଶିଳ୍ପୀ ଯେବେ ଷ୍ଟାରବକ୍ସ ରୁ ବାହାର କୁ ବାହାରିଲା ତାର ମନରେ ଖୁସିର ଲହରୀ ଖେଳିଯାଇଥିଲା ।

ଗୋଟେଘଣ୍ଟା ହେଲା ଗୌରବ ବାହାରେ ଓ ଯେଉଁ ଜାଗାରେ ସେମାନେ ସବୁଦିନ ବସନ୍ତି ,ସେହି ଜାଗାରେ ବସି ଶିଳ୍ପୀ କୁ ଅନାଇ ରହିଥିଲା ।ସେ ଜାଣିଥିଲା ଶିଳ୍ପୀର ବହୁତ ମନ ଥିଲା ଷ୍ଟାରବକ୍ସ ଭିତରେ ବସି କଫି ପିଇବା ପାଇଁ ।କିନ୍ତୁ ଗୌରବ ପାଇଁ ସେ କେବେ ଯାଇନାହିଁ ।ଆଜି ଶିଳ୍ପୀ କୁ ଷ୍ଟାରବକ୍ସ ଭିତରେ ଦେଖି ଗୌରବ ମନରେ ରାଗ କି ଅଭିମାନ ଆସିନଥିଲା ।ଶିଳ୍ପୀ ମନର ଖୁସିକୁ ଗୌରବ ପଢିପାରିଥିଲା ।ତେଣୁ ସେ ଡିସାଇଡ଼ କରିଥିଲା ଯେ ,ସେ ଆଉ ଶିଳ୍ପୀ ସାଥିରେ ମିଶିଵ ନାହିଁ ।ଏହାଦ୍ୱାରା ଶିଳ୍ପୀ ଖୁସିରେ ନିଜଇଚ୍ଛା ପୂରଣ କରିପାରିବ ।ଆଉ ଗୌରବ ତାର କର୍ତ୍ତବ୍ୟ ପୁରା କରିପାରିବ ।

ଏମିତି ଦଶ ବର୍ଷ ବିତିଯାଇଛି ।ଶିଳ୍ପୀ ବିବେକକୁ ବାହା ହୋଇ ସାରା ଦୁନିଆଁ ବୁଲିଛି ।ବହୁତ ବଡ଼ ବଡ଼ କ୍ୟାଫେ ରେ ବହୁତ ଭେରାଇଟି ର କଫି ବି ପିଇଛି ।କିନ୍ତୁ ଷ୍ଟାରବକ୍ସ ବାହାରେ ସେ କରିଡୋର ରେ ବସି ସବୁ ମୌସମ ରେ ଗୌରବ ସାଥିରେ ଚା କଫି ପିଇବା ରେ ଯେଉଁ ମଜା ଓ ଖୁସି ଥିଲା ,ସେ ଆଉ କେଉଁଠାରେ କି କୌଣସି କଫିର ସେ ପାଇପାରିନାହିଁ ।


Rate this content
Log in

Similar oriya story from Drama