lLeena Pani

Drama

4.5  

lLeena Pani

Drama

ନୁଆ ସଦସ୍ୟ

ନୁଆ ସଦସ୍ୟ

4 mins
290


କିଏ କେତେବେଳେ କଣ ଶିକ୍ଷା ଦେବ ,ତାହା ଜାଣିବା ଏତେ ସହଜ ନୁହେଁ ।ଶିକ୍ଷା ତ ସବୁଠାରୁ ମିଳିଥାଏ ,କିନ୍ତୁ ତାହା କେତେ ଗ୍ରହଣ କରୁଛନ୍ତି ସେଇଟା ବି ଗୋଟିଏ କଥା ।ସେଦିନ ମୁଁ ଶିରୋ କୁ ଦେଖି ମନେମନେ ଭାବୁଥିଲି ,ଦେଲୁ ମୋତେ ମହାଶିକ୍ଷା ।ଶିରୋ ହେଉଛି ଆମର ଅତିପ୍ରିୟ କୁକୁର ।କୁକୁର କହିଲେ ଭଲ ଲାଗେନାହିଁ ।ସେ ଘରେ ଓ ବାହାରେ ସମସ୍ତଙ୍କର ଅତି ଆପଣାର ।ସେ ମୋତେ ଏତେ ଗୁରୁତ୍ୱ ଦିଏନାହିଁ ।ମୋର କୌଣସି କଥା ସେ ମାନେ ନାହିଁ ।ଖାଇବା ଟାଇମ ରେ ମୋ ପାଖକୁ ଆସି ଲାଞ୍ଜ ହଲାଇ ନେସି ହୋଇ ତା ଭାଷାରେ ସବୁ କିଛି କହିଯାଏ ।ଖାଇସାରିବା ପରେ ପୁଣି ଚାଲି ଯାଏ ନିଜ ସ୍ଥାନକୁ ।ଶିରୋ ଆମଘରର ଦୁଇବର୍ଷର ଆଗନ୍ତୁକ । ଶିରୋ ଘରକୁ ଆଗମନ ହେବ ପୂର୍ବରୁ ଶାଶୁଶଶୁର ବର୍ଷେ ଦୁଇବର୍ଷ ରେ ଥରେ ଆସି ରହିକି ଯାଆନ୍ତି ।ଶଶୁର ଙ୍କର ସ୍ୱର୍ଗବାସ ହେବାପରେ ଶାଶୁ କେବେକେବେ ଆସନ୍ତି ।କାରଣ ଗାଁ କୁ ଯାଇ ତାଙ୍କୁ ଆଣିବାକୁ ପଡେ ।ଗୋଟିଏ ବର୍ଷ ଶାଶୁଙ୍କ ଦେହ ଭଲନଥିଲା ତେଣୁ ତାଙ୍କୁ ନେଇଆସିଥିଲୁ ।ବେଶି ବୟସ ଯୋଗୁ ତାଙ୍କ ଦେହବି ଭଲ ରହୁନଥିଲା ।ସ୍ୱାମୀଙ୍କ କାର୍ଯ୍ୟବ୍ୟସ୍ତତା ପାଇଁ ମୋତେ ହିଁ ଶାଶୁଙ୍କର ପୁରା ଧ୍ୟାନ ରଖିବାକୁ ପଡୁଥିଲା ।କିନ୍ତୁ ହଠାତ ଦିନେ ଶାଶୁଙ୍କ ଦେହ ଖରାପ ହୋଇଥିଲା ।ବୟସ ଯୋଗୁଁ ଉଠି ପାରୁନଥିଲେ ବେଡ଼ରୁ ।ମୁଁ ଭାବିପାରୁନଥିଲି କଣ କରିବି ।ଖାଇବା ପିଇବା ଠିକ ଟାଇମ ରେ ଦେବା ,ଡକ୍ଟର କୁ ଦେଖାଇବା ସବୁ କରିବା ସହଜ ।କିନ୍ତୁ ଝାଡା ପରିସ୍ରା ସଫା କରିବା ଏତେ ସହଜ ନୁହେଁ ।ସ୍ୱାମୀ କହିଥିଲେ ବ୍ୟସ୍ତ ହୁଅନି ଗୋଟିଏ ସ୍ତ୍ରୀ ଲୋକ କୁ ଏଥିପାଇଁ ରଖିବା ।କିନ୍ତୁ କେବେ କେବେ କାମବାଲି ନଆସିଲେ ମୁଁ ସେହି ଝାଡା ପରିସ୍ରା ଲୁଗାପଟା କୁ ଜରି ରେ ଭର୍ତ୍ତି କରି ଫିଙ୍ଗି ଦିଏ ।ମୋର ମାଆ ବି ମଝିରେ ମଝିରେ ଫୋନ କରି ଶାଶୁଙ୍କର ଭଲମନ୍ଦ ବୁଝନ୍ତି ।ମା ବି କହେ ତୁ ନିଜେ ଶାଶୁଙ୍କର ସବୁ କାମ କର ।ଆଉ ମୁଁ ମାଆ ଙ୍କୁ କହେ ମୋ ଦ୍ୱାରା ହେବନାହିଁ ,ତୁମେ ଆସିକର ।

କିଛି ଦିନପରେ ଶାଶୁ ଠିକ ହୋଇ ଗାଁକୁ ଯାଇଥିଲେ ।ତା ପରବର୍ଷ ଶାଶୁ ଆସିବାର ଥିଲା କିନ୍ତୁ କୋରନା ର ପ୍ରୋକପ ଯୋଗୁଁ ତାଙ୍କୁ ଦିଲ୍ଲୀ ଆଣିବା ଠିକ ଭାବି ନଥିଲୁ ।ସେତେବେଳକୁ ଦିଲ୍ଲୀରେ କୋରନା ବହୁତ ଜୋରରେ ବ୍ୟାପିଥାଏ ।ସମସ୍ତେ ନିଜ ନିଜ ଘରେ ବନ୍ଦ ହୋଇରହିଥାନ୍ତି ।ସମସ୍ତ ଙ୍କ ଘରେ ଏହି ରୋଗରେ କେହିନା କେହି ଆକ୍ରାନ୍ତ ଥାନ୍ତି ।ଆମର ପୁରା ପରିବାର ଏହି କୋରନା ରୁ ରକ୍ଷା ପାଇ ପାରିନଥିଲୁ ।ତେଣୁ ଆମେ ଶାରୀରିକ ଏବଂ ମାନସିକ ଅସୁସ୍ଥତା ରୁ ବାହାରି ପାରୁନଥିଲୁ ।କାରଣ ଘର ଭିତରେ ବନ୍ଦ ରହି ଅଣନିଶ୍ୱାସୀ ହୋଇପଡିଥିଲୁ ।ଏମିତି ପରିସ୍ଥିତି ରେ ମୋ ଝିଅ ମୁଣ୍ଡ କୁ କଣ ଆସିଲା କେଜାଣି ,ସେ ହଠାତ ଗାଡି ଧରି କହିଲା ମୁଁ ଏହି ପାଖରୁ ଆସୁଛି ।ସେତେବେଳେ ବାହାର କୁ ବାହାରିଲେ ଡର ଲାଗୁଥାଏ ।ମେଡ଼ିସିନ ଆଣିବା ପାଇଁ ବାହାରକୁ ଯିବାପାଇଁ ଅନୁମତି ଥିଲା କିନ୍ତୁ ପୋଲିସଙ୍କର କଡା ନଜର ଥିଲା ।ତେଣୁ ମୁଁ ବାରମ୍ବାର ଫୋନ କରୁଥାଏ ଜଲଦି ଆସିବାପାଇଁ ।ଝିଅ ଫୋନ କରି କହିଲା ମାମା ତୁମ ପାଇଁ ଗିପ୍ଟ ଆଣିଛି ।ମୁଁ ଆହୁରି ବିରକ୍ତ ହେଲି ,କାରଣ ବାହାର ର କୌଣସି ଜିନିଷ ସେଫ ନଥିଲା ।ତେଣୁ କହିଲି ତୁ ଚୁପଚାପ ଘରକୁ ପଳାଇ ଆସେ ।କିଛିସମୟ ପରେ ସେ ଏକ ବାସ୍କେଟ ଆଣି ରଖିଦେଇଥିଲା ମୋ କୋଳରେ ।ମୁଁ ଧୀରେ କି ଖୋଲି ଦେଖିଲି ତା ଭିତରେ କୁକୁର ଛୁଆଟିଏ ମୁଟୁମୁଟୁ କରି ଅନାଉଥିଲା ।ମୁଁ ତାକୁ ଦେଖି କି ନା ରାଗିପାରୁଥିଲି ନା ତାକୁ ଗେଲ କରିପାରୁଥିଲି ।

ସେହି ଦିନଠାରୁ ଆରମ୍ଭ ହେଲା ନୂଆ ଅତିଥୀଙ୍କର ସେବା ।ତାର ନାଆଁ ରଖାଯାଇଥିଲା ଶିରୋ ।ଅତି ଛୋଟ ଥିବା ଯୋଗୁଁ ଡକ୍ଟର କହିଥିଲେ ପ୍ରତି ଚାରିଘଣ୍ଟା ଥରେ କ୍ଷୀର ପିଆଇବ ।ଖୁଆଇବ ଯଦି ଝାଡା ପରିସ୍ରା ବି ହେବ ।ତେଣୁ ତାର କୌଣସି ଟାଇମ ନଥିଲା।ସେ ଘରର କୌଣସି ଜାଗାରେ ଆଉ କେଉଁ ସମୟରେ ବି ହେଉ ଝାଡା ପରିସ୍ରା କରିଦିଏ ।ଆଉ ତାକୁ ସଫା କରିକରି ମୁଁ ନାକେଦମ ।ଏମିତି ବି କେବେକେବେ ହୋଇଛି ଯେ ବେଡ଼ ରୁ ଉଠି ତଳେ ଗୋଡ଼ ଦେଲେ ଶିରୋ ର ଝାଡା ନହେଲେ ପରିସ୍ରା ଉପରେ ଗୋଡ ପଡିବ ।ତେଣୁ ସକାଳୁ ଆଖି ମଳିମଳି କି ନଦେଖି ଆଖିକୁ ବଡ଼ବଡ଼ କରି ତଳକୁ ଦେଖିବାକୁ ପଡେ ।ଝାଡା ପରିସ୍ରା ସାଥିରେ କେବେକେବେ ବାନ୍ତି ବି ସଫା କରିବାକୁ ପଡେ ।ସେମିତି ବି କୋରନା ସମୟରେ କେହି କାମ କରିବାକୁ ଆସୁନଥିଲେ ,ତା ସାଥିରେ ଶିରୋ ର କାମ ।ତାକୁ ଦେଖିଲେ ଖୁସି ତ ଲାଗେ କିନ୍ତୁ ଏହି ସଫା ସଫି କାମ ଯୋଗୁଁ ଝିଅ ଉପରେ ବିରକ୍ତ ହୁଏ ।ଚାରି ମାସ ପଯ୍ୟନ୍ତ ଏମିତି ଚାଲିଥାଏ ।

ଶିରୋ କୁ ପାଞ୍ଚ ମାସ ଚାଲିଲାପରେ ସେ ଧୀରେଧୀରେ ଝାଡା ପରିସ୍ରା ସକାଳ ଓ ସଞ୍ଜ ରେ ଦୁଇଥର ଆଉ ବାହାରେ କଲା ।ଦିନକୁ ଦୁଇଥର ବୁଲେଇ ନେଲେ ସେ ସବୁ ବାହାରେ କରିଆସେ ।ତାପରେ ଆମେ ଆଶ୍ୱସ୍ତ ହେଲୁ ।ସେ ଏବେ ଆମ ଘରର ପ୍ରିୟ ସଦସ୍ୟ ।

କୋରନା ବି ଧୀରେଧୀରେ କମିଆସିଥିଲା ।ପୁରୁଣା ଜୀବନ ଶୈଳୀ ଫେରି ଆସିଥିଲା ।ବହୁତ ଦିନପରେ ଆମେସବୁ ଓଡିଶା ଯାଇ ଶାଶୁଙ୍କୁ ସାଥିରେ ନେଇଆସିଥିଲୁ ।ତାଙ୍କର ଦେହ ସେତେ ଭଲ ରହୁନଥିଲା ।ତଥାପି ତାଙ୍କୁ ବାଧ୍ୟକରି ନେଇଆସିଥିଲୁ ।କାରଣ ଆଜିକାଲି ଦୁଇଘଣ୍ଟାରେ ମଣିଷ ଦିଲ୍ଲୀରେ ପହଁଚୁଛି ,ତା ସାଥିରେ ହୁଇଲଚେୟାର ର ସୁବିଧା ।ସେ ଯାହାହେଉ ଶାଶୁ ଘରେ ଭଲରେ ପହଁଚିଥିଲେ ।କିଛିଦିନ ପରେ ସେ ପୁଣି ଅସୁସ୍ଥ ହୋଇପଡିଲେ ।ତେଣୁ ତାଙ୍କୁ ଆଡ଼ମିଟ କରିବାକୁ ପଡିଲା ।କିଛିଦିନ ପରେ ସେ ଘରକୁ ଫେରିଲେ ।କିନ୍ତୁ ଏତେ ଦୁର୍ବଳ ହୋଇଯାଇଥିଲେ ଯେ ,ସେ ଉଠିକି ଠିଆହେବା ପାଇଁ ସକ୍ଷମ ନଥିଲେ ।ତେଣୁ ଝାଡା ପରିସ୍ରା ଶେଯରେ ନହେଲେ ତଳେ ହୋଇଯାଏ ।କିନ୍ତୁ ଏଥର ମୁଁ ନିଜେ ଲକ୍ଷ କଲି ,ଏହି କାମ ପାଇଁ ମୋତେ ଘୃଣା ଲାଗୁନଥିଲା କି ସ୍ୱାମୀଙ୍କୁ ଡାକୁନଥିଲି ସାହାଯ୍ୟ ପାଇଁ ।ନିଜେନିଜେ ସବୁ ସଫାକରି ଦେଉଥିଲି ।ଶାଶୁଙ୍କ ଉପରେ ରାଗ ବି ଆସୁନଥିଲା ।ସବୁକାମ ହସିହସି କରିଦେଉଥିଲି ।ଶାଶୁ ବି ଖୁସି ହେଉଥିଲେ ।ଶାଶୁଙ୍କର ଏପରି ସେବା କଲାପରେ ମନ ବି ସବୁବେଳେ ଉତ୍ଫୁଲିତ ରହୁଥିଲା ।

ଆଉ ଏହିସବୁ ପରିବର୍ତ୍ତନ ଶିରୋ ପାଇଁ ସମ୍ଭବ ହୋଇପାରିଥିଲା ।ଶିରୋ ବହୁତ କିଛି ଶିଖାଇ ଦେଇଥିଲା ।ତେଣୁ ମୋର ବିନମ୍ର ଅନୁରୋଧ ସମସ୍ତେ ଦେଶୀ ହେଉ ବା ବିଦେଶୀ ଗୋଟିଏ କୁକୁର ରଖିବା ଜରୁରୀ ।ସେମାନେ ଘରଟିଏ ପାଇବେ ଆଉ ଆମେ ସଦସ୍ୟ ଟେ ପାଇ ଖୁସି ହେବା ।


Rate this content
Log in

Similar oriya story from Drama