lLeena Pani

Drama

2.0  

lLeena Pani

Drama

ତୁମ ସ୍ମୃତି

ତୁମ ସ୍ମୃତି

4 mins
369


ଗୁଞ୍ଜନ ଠିଆ ହୋଇ ଦେଖୁଥିଲା ଆକାଶକୁ। ଆକାଶରେ ବାଦଲ ନଥିଲା କିନ୍ତୁ ଥଣ୍ଡା ଥଣ୍ଡା ପବନ ବହୁଥିଲା ।ଦେହ ଶୀତେଇ ଯାଉଥିଲା ।ସେ ତାର ସଲ ଟିକୁ ଭଲକରି ଘୋଡେଇ ହୋଇଥିଲା । ସେ ଜାଣିଥିଲା ତା ପାଇଁ ଆଜି କେହି ଆସିବେନି ।ତାକୁ ଏକୁଟିଆ ରାସ୍ତା ଅତିକ୍ରମ କରିବାକୁ ପଡିବ ।ସେ ବି ଚାହୁଁନଥିଲା ତା ପଛରେ କେହି ଆସନ୍ତୁ ବୋଲି ।ତାର ମନରେ ସେମିତି କିଛି ମାନ ଅଭିମାନ ନଥିଲା କାହାପ୍ରତି ।ସେ କାହା ଉପରେ ମାନ ଅଭିମାନ କରିବ ।ଯାହା ଉପରେ କରିଥାନ୍ତା ସେତ ଆଜି ବହୁତ ଦୂରରେ ।ସେଥିପାଇଁ ଗୁଞ୍ଜନ କାହାକୁ କିଛି କହେନି ।ଗୁଞ୍ଜନ କିଛିବାଟ ଯିବାପରେ ପଛକୁ ଫେରି ଚାହିଁଲା ।

ସେଦିନ ଅନିମେଶ ଆସିଥିଲେ ତା ପଛରେ ।ସେ ଯେତିକି ଆଗକୁ ଯାଉଥାଏ ତା ପଛରେ ଅନିମେଶ ସେତିକି ଚାଲୁଥାନ୍ତି ।ସେ କିଛିବାଟ ଯିବାପରେ ଅଟକି ଯାଇ ପଛକୁ ଦେଖିଲା କେହି ନଥିଲେ ପାଖରେ ।ସେ ଏପଟ ସେପଟ ହୋଇ ଖୋଜୁଥିଲା ଅନିମେଶଙ୍କୁ ।ତାଙ୍କୁ ନପାଇଁ ଟିକେ ଡ଼ରିଯାଇଥିଲା ।କାରଣ ଚାରିଆଡେ ଅନ୍ଧାର ଥିଲା ।ଆଉ ଯେବେ ତାକୁ ଅନୁଭବ ହେଲାଯେ ତାର ଗୋଡ଼କୁ କିଏ ଜୋରରେ ଜାବୁଡ଼ି ଧରିଛି ,ସେ ଚିତ୍କାର କରୁ କରୁ ତଳକୁ ଦେଖିଲା ଅନିମେଶ ବସିଛନ୍ତି ।ସେ ରାଗିବ କଣ ଅନିମେଶଙ୍କ ପିଠିକୁ ଦୁଇ ବିଧା ଦେଇଥିଲା ।ଅନିମେଶ ତାକୁ ସରି ସରି କହି ଟେକିନେଇଥିଲେ ଗାଡି ପାଖକୁ ।ଗୁଞ୍ଜନ ର ଅଭ୍ୟାସ ସେ ରାଗିଲେ ଘରୁ ପଳାଇଯାଏ ।କିନ୍ତୁ ଆଜି ଅନିମେଶ ଆସିବେନି ତାର ଗୋଡ଼ ଧରିବା ପାଇଁ କି ଟେକିଟେକି ନେବାପାଇଁ ।

ଅନିମେଶ ଯିବାର ବର୍ଷେ ଉପରେ ହୋଇଗଲାଣି ।ଆଜିବି ତାର ମନେ ଅଛି ଅନିମେଶ ଙ୍କ ସାଥିରେ ଯେବେ ତାର ବାହାଘର ପ୍ରସ୍ତାବ ପଡିଥିଲା ,ସେ ସିଧାସିଧା ମନାକରି କହିଥିଲା ଯେ ମୁଁ ଆର୍ମି ଅଫିସର କୁ ବାହାହେବିନି ।ସେମାନଙ୍କର କେତେବେଳେ କଣ ହେବ କିଛି ଜଣାନାହିଁ ,ଆଉ ସବୁ ବେଳେ ଘରୁ ବାହାରେ ।କିନ୍ତୁ ବାପା କହିଥିଲେ ଥରେ ଦେଖ ,ଭଲ ଲାଗିଲେ ହଁ କରିବା ନୋଚେତ ନାହିଁ ।

ଗୁଞ୍ଜନ ସେଦିନ କଲେଜରୁ ଫେରିଲା ପରେ ଘରଭିତରକୁ ଯାଉ ଯାଉ ମାଆ କହିଥିଲେ ,ସୋଫାରେ ନବସି ତୋ ରୁମକୁ ସିଧା ଯାଆ ।ଆଉ ବ୍ୟାଗ ବି ସାଥିରେ ନେଇକିଯା ।ତାର ନିତିଦିନିଆ ଅଭ୍ୟାସ କଲେଜରୁ କ୍ଲାସ ସାରି ଆସିଲେ ଡ୍ରଇଂରୁମ ରେ ହ୍ୟାଣ୍ଡବ୍ୟାଗକୁ ଫୋପାଡ଼ି ସୋଫା ଉପରେ ଲମ୍ବା ହୋଇ ପଡ଼ିଯାଏ ।ତାପରେ ମାଆ ଚା ଦେଲାପରେ କିଛିସମୟ ପରେ ନିଜ ରୁମକୁ ଯାଏ ।ଆଉ ମାଆ ପ୍ରତିଦିନ ବକବକ ହୁଏ ,କିଏ ଶୁଣୁଛି ତାର କଥା ।ଆଜି କିନ୍ତୁ ମାଆ ସିଧା ଆସି ଆଗରେ ଠିଆ ହୋଇଗଲା ।ସିଧା ରୁମକୁ ଯାଇ ଡ୍ରେସ ବଦଳାଇ ଭଲ ଡ୍ରେସ ପିନ୍ଧିବାପାଇଁ ଆଦେଶ ଥିଲା ।ତାକୁ ବି ଆଜି ଘରଟି ସୁନ୍ଦର ଦେଖାଯାଉଥିଲା ।ସେ ନିଜ ରୁମକୁ ଯାଇ ଦେଖିଲା ମାଆ ତା ପାଇଁ ପିଙ୍କ ରଙ୍ଗର ସୁନ୍ଦର ଶାଢ଼ୀ ଟିଏ ବାହାର କରି ରଖିଛନ୍ତି ।ସେବି ମନେମନେ ବଡ଼ ଏକ୍ସାଇଟେଡ଼ ଥିଲା ଅନିମେଶଙ୍କୁ ଦେଖିବା ପାଇଁ ।

ସନ୍ଧ୍ୟାରେ ଅନିମେଶ ଏକୁଟିଆ ଆସିଥିଲେ ଝିଅ ଦେଖି ।ସେ ତ ପୁରା ମନସ୍ଥ କରିଥିଲା ଯେ ଏହି ପିଲାକୁ ବିଲକୁଲ ନୁହେଁ ।ଯେଉଁ ପିଲାର ସାଙ୍ଗସାଥି କେହି ନାହିଁ ଏକୁଟିଆ ଆସିଛି ତାର ସାଥିରେ ବାହାଘର ହୋଇପାରିବ ନାହିଁ ।ବାପାମାଆ ଅନିମେଶଙ୍କ ସାଥିରେ କଥାବାର୍ତ୍ତା ହେଉଥିଲେ ,ସେ କହିଲେ ତାଙ୍କ ବାପାମାଆଙ୍କର କିଛି ଜରୁରୀ କାମ ଥିବାରୁ ସେମାନେ ଆସିପାରିଲେ ନାହିଁ ।ସେମାନେ ପୋଗ୍ରାମ କ୍ୟାନସେଲ କରିବା ପାଇଁ କହୁଥିଲେ କିନ୍ତୁ ମୁଁ କହିଲି ଏକାଯାଇ ଦେଖା କରିଆସିବି ।ବାପା ସାଙ୍ଗେ ସାଙ୍ଗେ କହିଥିଲେ, ଭଲ ହେଲା ତୁମେ ଆସିଲ ବାପାମାଆ ପୁଣି କେବେ ଆସିଯିବେ ।ବାପା ଅନିମେଶଙ୍କୁ ଯାହା ସବୁ ପଚାରୁଥିଲେ ସେ ଭଦ୍ରାମିର ସହିତ ଉତ୍ତର ଦେଉଥିଲେ ।ଗୁଞ୍ଜନକୁ ଅନିମେଶଙ୍କର କଥା ବାର୍ତା ବହୁତ ଭଲ ଲାଗିଥିଲା ।ସେ ତାପରେ କଫି ନେଇ ଯାଇଥିଲା ।କିଛି ସମୟପରେ ବାପା କହିଥିଲେ ତୁମେ ଦୁଇଜଣ କଥା ହୁଅ ଆମେ ଭିତରେ ଅଛୁ ।ଅନିମେଶ ଓ ଗୁଞ୍ଜନ କିଛି ସମୟ ଚୁପଚାପ ବସିବା ପରେ ଯେବେ କଥା ଆରମ୍ଭ ହେଲା ଆଉ ଶେଷ ହେବାର ନା ନେଉନଥିଲା ।ମାଆ ଆସି କହିଥିଲେ ,ସେତିକି ଥାଉ ସବୁ କଥା ସରିଗଲେ ଆଗକୁ ଆଉ କଣ କଥା ହେବ ।

ଗୁଞ୍ଜନ ଆଖିରୁ ଲୁହ ବୋହି ଚାଲିଥିଲା ।ସେ ବସିପଡ଼ିଲା ରାସ୍ତା କଡରେ ପଡିଥିବା ଏକ ଵେଞ୍ଚ ଉପରେ ।ସତରେ ବହୁତ କଥା ରହିଗଲା ଅନିମେଶ ସାଥିରେ କଥା ହେବାପାଇଁ ।କାହିଁକି ଚାଲିଗଲେ ଏତେ ଦୂର ।ଭଲ ମଣିଷକୁ ଭଗବାନ ଜଲଦି ଡାକି ନିଅନ୍ତି ତାଙ୍କ ପାଖକୁ ।ଆଉ ଅନିମେଶ ମଣିଷ ନଥିଲେ ଭଗବାନ ଥିଲେ ।ସେ ସମସ୍ତଙ୍କୁ ସାହାଯ୍ୟ କରନ୍ତି ,କାହା ଉପରେ କେବେ ରାଗନ୍ତି ନାହିଁ ।ସେ କାହାର ଦୋଷ ଦେଖନ୍ତି ନାହିଁ ,ନିଜେ ଦୋଷୀ ହୋଇଯାଆନ୍ତି ।ଗୁଞ୍ଜନ ଅନିମେଶଙ୍କ ସାଥିରେ ପାଞ୍ଚ ବର୍ଷ ବିତାଇଛି ।ଏହି ପାଞ୍ଚ ବର୍ଷ ତାପାଇଁ ପଚାଶ ବର୍ଷ ସଂଗେ ସମାନ ।ଅନିମେଶ ଗୁଞ୍ଜନକୁ ଏତେ ଭଲପାଉଥିଲେ ଯେ ,ସେ ନଥିଲେ ବି ସେହି ଭଲପାଇବାକୁ ସେ ଏବେବି ଅନୁଭବ କରେ ।ଘରେ ସମସ୍ତେ ତାକୁ ବହୁତ ଭଲ ପାଉଥିଲେ ।ଅନିମେଶ ଗଲାପରେ ଶାଶୁଶଶୁର ଝିଅଠାରୁ ଅଧିକ ଭଲପାଉଥିଲେ ।ସେ ଆଗରୁ ଯେପରି ଗେଲ୍ଲୀ ବୋହୁ ଥିଲା ଏବେ ଗେଲ୍ଲୀ ଝିଅ ହୋଇଯାଇଛି ।

କିନ୍ତୁ ଆଜି ତାକୁ ସମସ୍ତଙ୍କ ଉପରେ ରାଗ ଆସୁଥିଲା ।ସେ କେତେ ରାଗି ସେଇଟା ଖାଲି ଅନିମେଶ ଜାଣିଥିଲେ ।ତାହା ଆଉ କାହାକୁ ଜଣାନଥିଲା ।ଘରେ ସମସ୍ତେ ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଯେ ତାକୁ ସେଠାରେ କ୍ଷଣେ ବି ରହିବାକୁ ମନ ନଥିଲା ।ତାକୁ ବେଶି ରାଗଲାଗିଥିଲା ଯେବେ ଶାଶୁଶଶୁରଙ୍କ ସାଥିରେ ବାପାମାଆ ବି ମିଶି ଯାଇଥିଲେ ।ସେମାନେ ସମସ୍ତେ ଜାଣିଛନ୍ତି ଯେ , ସେ ଅନିମେଶକୁ କେତେ ଭଲପାଏ ।ତଥାପି ସେମାନେ ଗୁଞ୍ଜନର ଆଉଥରେ ବାହାଘର କରିବା ପାଇଁ ଚେଷ୍ଟା ଚଲାଇଥାନ୍ତି ।ସେ ତ ଏକୁଟିଆ ନୁହେଁ ।ଭଗବାନ ତାକୁ ଅନିମେଶଙ୍କର ସନ୍ତକଟିଏ ଦେଇଛନ୍ତି ।ସେବି ଗୋଟେ କଲେଜରେ ପାଠ ପଢ଼ାଉଛି ।ଏସବୁ ସ୍ୱତେ ସେ କଣ ବିନା ବାହାଘର ରେ ରହି ପାରିବନି ।ବାକି ଜୀବନ ବଞ୍ଚି ବାକୁ ହେଲେ ବାହାଘର ହେବା କଣ ଜରୁରୀ ।ସେ ଅନିମେଶଙ୍କୁ ଭଲ ପାଇଥିଲା ଜନ୍ମଜନ୍ମାନ୍ତର ପାଇଁ ।

ଗୁଞ୍ଜନ କୁ ଆଜି ବେଶି ରାଗ ଲାଗିଥିଲା କାରଣ ସେ କଲେଜରୁ ଫେରିଲା ପରେ ପୁରା ପ୍ଲାନ କରିରଖିଛନ୍ତି ଯେ ତାକୁ ମଲକୁ ନେଇ ଗୋଟିଏ ପୁଅ ସାଥିରେ ଦେଖା କରାଇବେ ।ତେଣୁ ସେ ସିଧା କାହାକୁ କିଛି ନକହି ଘରୁ ବାହାରି ଆସିଥିଲା ।ସେ ଚାହୁଁଛି ଅନିମେଶଙ୍କ ସ୍ମୃତିକୁ ନେଇ ବଞ୍ଚିବାକୁ ,ଆଉ ତାଙ୍କୁ ଜୀବନ୍ତ ରଖିବାକୁ ।କାହିଁକି ସିଏ ବାହା ହେବ ,ଏକୁଟିଆ କଣ ବଂଚିବା ସମ୍ଭବ ନୁହେଁ ?ସେ ବେଞ୍ଚରେ ବସି କାନ୍ଦୁଥିଲା ।

କିଛି ସମୟ ପରେ ତାକୁ ଅନୁଭବ ହେଲା ଯେପରି ତାର ପାଖରେ କେହି ବସିଛି ।ସେ ଜାଣିଲା ତାପାଖରେ ଅନିମେଶ ଅଛନ୍ତି ।ସେ ତା ଲୁହ ପୋଛି ଦେଖିଲା ତାର ଆଗରେ ଘରର ସମସ୍ତେ ଠିଆହୋଇଛନ୍ତି।ତାର ମୁହଁରୁ ହସ ବାହାରି ଆସିଥିଲା ।ଶାଶୁଶଶୁର କହିଥିଲେ ତୁ ଆଜିଠାରୁ ଆମ ଝିଅନୁହେଁ ,ଆମ ମାଆ ।ତୁ ଯାହା କହିବୁ ଆମେ ତାହା କରିବୁ ।କିନ୍ତୁ ତୁ ଘର ଛାଡି କେବେ ଯିବୁନାହିଁ ।ଗୁଞ୍ଜନ ଖୁସିଖୁସି ଯାଇ ଗାଡି ରେ ବସିଥିଲା ।ଆଉ ତାକୁ ଅନୁଭବ ହୋଇଥିଲା ଅନିମେଶ ବି ଖୁସିରେ ହସୁଛନ୍ତି ।


Rate this content
Log in

Similar oriya story from Drama