lLeena Pani

Drama

3  

lLeena Pani

Drama

ଏକ କପ ଚା ☕

ଏକ କପ ଚା ☕

8 mins
141


ପଚାଶ ବର୍ଷ କିଛି କମ୍ ସମୟ ନୁହେଁ ।ପଚାଶ ବର୍ଷ ଅତିକ୍ରମ କଲାପରେ ମଣିଷ ଭାବେ ତା'ର ଜୀବନରେ ସେ କ'ଣ ଭୁଲ୍ କରିଛି ଓ ଠିକ୍ କରିଛି। ପଚାଶ ବର୍ଷ ବାର୍ଦ୍ଧକ୍ୟର ପ୍ରଥମ ସୋପାନ ।ବହୁତ କିଛି ଜିନିଷର ଶେଷ ଏବଂ ଆରମ୍ଭ ବି ଥାଏ ।ସରିତା ତା'ର ପଚାଶ ତମ ଜନ୍ମଦିନରେ ବହୁତ ଖୁସି ହୋଇ ରାତି ବାରଟାରେ କେକ୍ କାଟି ଓ ସେଲିବ୍ରେଟ୍ କରି ଥକିଯାଇ ଶୋଇପଡ଼ିଥିଲା ।ସକାଳୁ ସକାଳୁ ସାକେତଙ୍କ ଡାକରେ ତା'ର ନିଦ ଭାଙ୍ଗିଥିଲା ।ସେ ଚା' ଦୁଇ କପ୍ ସାଥୀରେ ଲାଲ ଗୋଲାପଟିଏ ବଢ଼ାଇ ଦେଇଥିଲେ ।ସରିତା ସାକେତଙ୍କୁ ଏମିତି ଅନାଇ ରହିଥାଏ ।କାରଣ ସାକେତ ହିଁ ସବୁ ସୁଖଦୁଃଖର ସାଥୀ ।ସେ ଚୁପଚାପ୍ ଚା' କପ୍ ଟି ଉଠାଇ ମୁହଁରେ ଲଗାଇଛି କି ନାହିଁ ,ତା ଆଖିରୁ ଲୁହର ଧାର ବୋହିଚାଲିଥିଲା ।ସାକେତ ପାଖକୁ ଘୁଞ୍ଚି ଆସି ସରିତାକୁ ନିଜ ଛାତିରେ ଆଉଜାଇ ନେଇଥିଲେ ।ସରିତା ବି ନିବିଡ଼ ଭାବରେ ତାଙ୍କୁ କୁଣ୍ଢାଇ ଧରିଥିଲା ।ସରିତା ଆଖିର ଲୁହ ସବୁ ତାଙ୍କ ଛାତିକୁ ଓଦା କରିଦେଇଥିଲା ।ସାକେତ ଚିଡାଇବା ପାଇଁ କହିଥିଲେ ,ଏହା ଲୁହ କି ସିଂଘାଣି ।ସରିତା ହସି ଦେଇଥିଲେ ।ତା' ପରେ ଦୁହେଁ ମିଶିକି ଚା'ର ମଜା ନେଇଥିଲେ ।ସବୁଦିନ ସକାଳେ ସରିତା ଆଉ ସାକେତ ମିଶିକି ଚା' ପିଅନ୍ତି ।ଦୁଇଜଣଙ୍କର ଏହି ସମୟଟି ବଡ ସ୍ପେଶାଲ୍ ଥାଏ ।ସବୁଦିନ ଚା' ପିଇବା ଆରମ୍ଭରେ ସରିତା ଆଖିରେ ଲୁହ ଆସିଯାଏ ।ଚବିଶ ବର୍ଷ ହେଲା ସେ କେବେ ସକାଳୁ ଠିକ୍ ସମୟରେ ସାକେତଙ୍କୁ ଚା ପିଆଇ ନାହିଁ ।କିନ୍ତୁ ସାକେତ ବର୍ଷେକାଳ ସବୁଦିନ ସକାଳୁ ଉଠି ସରିତାକୁ ଉଠାଇ ସାଥୀରେ ବସି ଚା' ପିଆନ୍ତି ।

        ସରିତାର ମନେ ଅଛି ସେ ନୂଆକରି ବାହାହୋଇ ଆସିଥାଏ ଶାଶୂଘରକୁ । ତା'ର ସକାଳୁ ଚା' ପିଇବାର ଅଭ୍ୟାସ ଥାଏ ।କାଳେ ଶାଶୁଘର ଲୋକ କ'ଣ କହିବେ ସେହି ଡରରେ ଶାଶୁ ଯେବେ ପଚାରିଥିଲେ ଚା' ପିଅ କି ନାହିଁ ,ସେ ମୁଣ୍ଡ ହଲାଇ ମନା କରିଦେଇଥିଲା । ସେହି ଦିନଠାରୁ ସକାଳୁ ଚା' ହେଲେ ,କେହି ଚା' ଦିଅନ୍ତି ନାହିଁ ।କିନ୍ତୁ ସାକେତ ବୁଝିପାରିଥିଲେ ସରିତାର ମନର କଥା ।ତେଣୁ ସାକେତ ଚା' କପ୍ ଟି ଧରି ନିଜ ରୁମ୍ କୁ ପଳାଇ ଆସନ୍ତି ।ତା'ପରେ ସେହି ଚା' କୁ ଅଧା ଅଧା କରି ପିଅନ୍ତି ।ସେହି ଦିନଠାରୁ ଏକାଠି ଚା' ପିଇବା ଆରମ୍ଭ ହୋଇଥିଲା ।ଏବେ ସବୁଦିନ ସାକେତ ଚା' କରି ଆଣନ୍ତି ।ସରିତା ଭାବେ ସକାଳୁ ଉଠି ଚା' କରିବାପାଇଁ ।କିନ୍ତୁ ସେ ଚେଷ୍ଟା କଲେବି ଶରୀର ସାଥ ଦିଏନି ।ଶତଚେଷ୍ଟା କଲେବି ସେ ଉଠି ଠିଆହୋଇ ପାରେନି ।ସରିତାର ନିଦ ସକାଳ ପାଞ୍ଚଟାରୁ ଭାଙ୍ଗିଯାଏ ।ସେ ସକାଳୁ ଉଠି ଠାକୁରଙ୍କୁ ମୁଣ୍ଡିଆ ମାରିଲା ବେଳେ ଭାବେ ,ଭଗବାନ ତାକୁ କାହିଁକି ବଞ୍ଚାଇ ରଖିଛନ୍ତି ,ଅଧାପଙ୍ଗୁ ହୋଇ କେତେଦିନ ବଞ୍ଚିରହିବ ।ଡାକ୍ତର କହିଛନ୍ତି ଚେଷ୍ଟା କଲେ ପୁଣି ଆଗପରି ଚାଲିପାରିବ ।କିନ୍ତୁ ବର୍ଷେହେଲା ସେ କୌଣସି ସୁଧାର ଲକ୍ଷ୍ୟ କରୁନି ।ଖାଲି ସକାଳୁ ସଞ୍ଜ ଯାଏ ସେ ସାକେତଙ୍କୁ ହଇରାଣ କରେ ।ଆଉ ସାକେତ ହସି ହସି ସବୁ କରିଚାଲିଥାନ୍ତି ।

          ସାକେତ ସବୁବେଳେ ସରିତାର ପୁରା ଧ୍ୟାନ ରଖିଥାନ୍ତି ।ଖାଲି ସରିତାଙ୍କର ନୁହେଁ ସେ ପରିବାରର ସମସ୍ତଙ୍କର ପୁରା ଖବର ରଖନ୍ତି ।ସେ କାହାକୁ ଅବହେଳା କରନ୍ତି ନାହିଁ ।ସମସ୍ତଙ୍କୁ ଫୋନ୍ କରିବା ,ସମସ୍ତଙ୍କର ସୁଖ ଦୁଃଖରେ ଠିଆ ହେବା ତାଙ୍କର ଅଭ୍ୟାସ ।ସରିତା ଭାବେ ସେ କାହିଁକି ଏସବୁ କରିପାରେନି ? ସେ କେବେ ସାକେତଙ୍କୁ ଗୁରୁତ୍ୱ ଦେଇନି ।ସରିତାକୁ ନିଜ ଉପରେ ରାଗ ଆସେ ।ସେଦିନ ସେ କାହିଁକି ସାକେତଙ୍କ କଥା ମାନିନଥିଲା ।ଯଦି ସେ ସାକେତଙ୍କ କଥା ମାନିଥାନ୍ତା ଆଜି ତା'ର ଏଦଶା ହୋଇନଥାନ୍ତା ।ସରିତାକୁ ସାକେତ କେବେ କିଛି କହନ୍ତି ନାହିଁ,ଆଉ ସେ ତା'ର ଗଲତ୍ ଫାଇଦା ବହୁତ ଥର ଉଠାଇଛି ।ସରିତା ଭାବେ ତାକୁ ତା'ର କର୍ମର ଫଳ ମିଳିଛି ,କିନ୍ତୁ ସାକେତ କାହିଁକି ତାଙ୍କ ସହିତ ହଇରାଣ ହେଉଛନ୍ତି ।

        ସାଙ୍ଗମାନଙ୍କ ସାଥୀରେ ବୁଲିବା ପାର୍ଟି ସାର୍ଟି କରିବା ତା'ର ଏକ ଅଭ୍ୟାସରେ ପରିଣତ ହୋଇଯାଇଥିଲା ।ଏଥିପାଇଁ ସେ କେବେ ସାକେତଙ୍କଠାରୁ ଅନୁମତି ଦରକାର କରେନି । ଅନୁମତି ଛାଡ଼ ,କେବେକେବେ ଜଣାଇବା ବି ଜରୁରୀ ଭାବେ ନାହିଁ ।ସରିତା ସବୁ କାମ ତା'ର ଇଚ୍ଛାରେ କରେ । ତା'ର ପାଖରେ ଭଲ ଚାକିରୀ ଥିବା ଯୋଗୁଁ ,ଭଲ ପଇସାବି ପାଉଥିଲା ।ତେଣୁ ସେ ନିଜ ସ୍ୟାଲେରିରେ ଖୁବ ଏଞ୍ଜୟ୍ କରେ ।କେବେ ମନହେଲେ ସାକେତ ଓ ପୁଅ ନିର୍ବାଣ ପାଇଁ କିଛି ଗିପ୍ଟ୍ ନେଇଆସେ ।ନିର୍ବାଣ ବି ତା'ର ବାପା ପରି ।କେବେ କିଛି ଡିମାଣ୍ଡ୍ କରେନାହି ।କିନ୍ତୁ ନିର୍ବାଣ ଯାହା ଚାହେଁ ସେ ତାକୁ କେବେ ଦେଇନାହିଁ । ଯେଉଁଟାକି ସେ ନିଜ ବ୍ୟତୀତ ସେ କାହାକୁ ଦେଇନି ,ସେଇଟା ହେଉଛି ସମୟ ।

      ସରିତା ଭାବେ ମଣିଷ କେବେକେବେ କେତେ ସ୍ୱାର୍ଥପର ହୋଇଯାଏ ଯେ ସେ ନିଜ ବ୍ୟତୀତ ଆଉ କାହାକୁ ଦେଖେନାହିଁ କି ଦେଖିବାକୁ ଚାହେଁନାହିଁ ।ସରିତାକୁ ଛୁଟି ମିଳିଲେ ଭ୍ୟକେସନରେ ବହାରିଯାଏ ସାଙ୍ଗମାନଙ୍କ ସାଥୀରେ ।ସାକେତଙ୍କ କଥା କେବେହେଲେ ଭାବେନାହିଁ ।ସେହିଥର ସରିତା ନୂଆବର୍ଷ ଛୁଟିରେ ଗୋଆ ବୁଲିଯିବାର ପ୍ଲାନ୍ କରିଥିଲା ।ସବୁ ସାଙ୍ଗମାନଙ୍କ ନାମ ଲିଷ୍ଟ୍ ରେ ଥିଲା କିନ୍ତୁ ସାକେତ ଙ୍କ ନାଁ ନଥିଲା ।ସେ ଜାଣିଥିଲେ ସାକେତଙ୍କୁ ଖରାପ ଲାଗିବ ,କିନ୍ତୁ ସେଥି ପ୍ରତି ତା'ର ଧ୍ୟାନ ନଥିଲା ।କାରଣ ତାଙ୍କ ଗ୍ରୁପରେ ଥିବା ତା'ର ସାଙ୍ଗ ରାଜୀବ ତାକୁ ବହୁତ ଭଲଲାଗେ ।ରାଜୀବ ସାଥୀରେ ସମୟ ବିତାଇବାକୁ ତାକୁ ଭଲଲାଗେ ,ତାକୁ କ'ଣ ଭଲଲାଗେ କ'ଣ ନଲାଗେ ସେଥିପାଇଁ ସେ ବହୁତ କେୟାରଫୁଲ୍ ଥାଏ ।କିନ୍ତୁ ସାକେତଙ୍କ ବିଷୟରେ ଥରେ ବି ଭାବେନି ।ସେଇଥର ପୁରା ଗୋଟିଏ ସପ୍ତାହର ପୋଗ୍ରାମ୍ ଥିଲା ଗୋଆରେ ।ସରିତା ସାଙ୍ଗମାନଙ୍କ ସାଥୀରେ ମିଶି ପୁରା ସପିଙ୍ଗ୍ କରି ରେଡି ହୋଇଥିଲା ଗୋଆ ଯିବାପାଇଁ ।ସାକେତ ଏୟାରପୋର୍ଟ୍ ଯାଇଥିଲେ ସରିତାକୁ ଛାଡିବାକୁ ।ପୁରା ରାସ୍ତା ସେ ସାଙ୍ଗମାନଙ୍କ ସାଥୀରେ ଫୋନ୍ ରେ କଥା ହୋଇଚାଲିଥାଏ ।ସେ ଥରଟିଏ ବି କହିନଥିଲା ଯେ ତୁମେ କିପରି ରହିବ ଓ କ'ଣ ଖାଇବ ।ସାକେତ କଥା ଛାଡ ସେ ଥରଟିଏ ନିର୍ବାଣ କଥା ଚିନ୍ତା କରିନଥିଲା ।ଗାଡି ଏୟାରପୋର୍ଟ୍ ରେ ପହଞ୍ଚିଲା ପରେ ସେ ସାକେତଙ୍କ ଗାଲରେ ଗୋଟିଏ କିସ୍ ଦେଇ ସେ ଚାଲିଯାଇଥିଲା ।

        ସାକେତ ଘରକୁ ଫେରି କିଛି ସମୟ ଚୁପଚାପ୍ ବସିରହିଥିଲେ ।ତାପରେ ଲାପଟପ୍ ଖୋଲି ଦୁଇଟା ଟିକେଟ୍ ବୁକ୍ କରିଥିଲେ ସିଙ୍ଗାପୁର୍ ପାଇଁ । ସେ ନିର୍ବାଣକୁ ଫୋନ୍ କରି ଜଣାଇଥିଲେ ତାଙ୍କ ପୋଗ୍ରାମ୍ ବିଷୟରେ ।ନିର୍ବାଣ ଚୁପ୍ ରହିଥିଲା ,କାରଣ ସେ ଅଲରେଡି ବାହାରକୁ ବୁଲିଯିବାର ପ୍ଲାନ୍ କରିଥିଲା ତାର ଗାର୍ଲଫ୍ରେଣ୍ଡ୍ କନିକା ସାଥୀରେ ନୂଆବର୍ଷ ସେଲିବ୍ରେଟ୍ କରିବାପାଇଁ ।ତେଣୁ ନିର୍ବାଣ ମନାକରିଥିଲା ଯିବାପାଇଁ ।ସାକେତ ପୁରା ମନସ୍ଥ କରିଥିଲେ ,ତେଣୁ ସେ ଜିନିଷ ପ୍ୟାକ୍ କରି ବାହାରିଯାଇଥିଲେ ଏୟାରପୋର୍ଟ୍ ଅଭିମୁଖେ ।ଫ୍ଲାଇଟ୍ ସନ୍ଧ୍ୟା ପାଞ୍ଚଟାରେ ଥିଲା , କିନ୍ତୁ ସାକେତ ସକାଳ ଦଶଟାରୁ ଆସି ଚେକିଙ୍ଗ୍ ସାରି ବସିରହିଥିଲେ ।ତାଙ୍କ ମନରେ ଯେଉଁ ଦୁଃଖଥିଲା ସେ ସେଥିରୁ ପଳାୟନ କରିବାକୁ ଚାହୁଁଥିଲେ ।ବାର ବାର ତାଙ୍କ ମନ ଅସ୍ଥିର ହେଉଥିଲା ।ସେ ଯେତେ ଚେଷ୍ଟା କଲେବି ମନକୁ ବୁଝାଇ ପାରୁନଥିଲେ ।ବାରମ୍ବାର ସରିତା ପ୍ରତି ଖରାପ ଧାରଣା ସୃଷ୍ଟି ହେଉଥିଲା ।ସାକେତ ଆଖି ବନ୍ଦ କରି କାନରେ ଇୟରଫୋନ୍ ଦେଇ ଗୀତ ଶୁଣିବାକୁ ଚେଷ୍ଟା କରୁଥିଲେ।କାହାର ହାତର ସ୍ପର୍ଶରେ ସାକେତ ଆଖି ଖୋଲି ଦେଖିଲେ ଯେ ,ତାଙ୍କ ସାମ୍ନାରେ ଠିଆହୋଇଛି ନିର୍ବାଣ ।ସେ ଖୁସି ଓ ଅଭିମାନରେ ପଚାରିଥିଲେ ତୁ କାହିଁକି ଆସିଲୁ ।ନିର୍ବାଣ କନିକାକୁ ଆଗକୁ ଆଣି କହିଲା ,ପାପା ଆମେ ଦୁଇଜଣ ନୁହେଁ ତିନିଜଣ ମିଶିକି ଯିବା ଓ ଫୁଲ୍ ମସ୍ତି କରିବା ।ସାକେତ କ'ଣ କହିବେ ନ କହିବେ ଭାବୁଥିଲେ ,କିନ୍ତୁ ନିର୍ବାଣ ଓ କନିକା ତାଙ୍କୁ ଟାଣି ନେଇଥିଲେ କ୍ୟାଫେ ପାଖକୁ ।

         ସିଙ୍ଗାପୁରରେ ପହଞ୍ଚି ବହୁତ ଏଞ୍ଜୟ୍ କରିଥିଲେ ତିନିଜଣଯାକ ।ସାକେତଙ୍କୁ ବି ଭଲଲାଗିଥିଲା କନିକା ।କାରଣ କନିକାର ବ୍ୟବହାର ବହୁତ ଭଲଥିଲା ।ବହୁତ ଶାନ୍ତଶିଷ୍ଟ ସ୍ଵଭାବର ଥିଲା।ନିର୍ବାଣର ପସନ୍ଦକୁ ସେ ମନେମନେ ପ୍ରଶଂସା କରିଥିଲେ ।ନିର୍ବାଣ ଓ କନିକା ସାକେତଙ୍କୁ କେବେ ଏକୁଟିଆ ଛାଡ଼ନ୍ତି ନାହିଁ ।ଫେରିବାର ଦୁଇଦିନ ଆଗରୁ ସାକେତଙ୍କର ଦେହଟିକିଏ ଭଲ ଲାଗୁନଥିଲା ।ସେ ରୁମ୍ ରେ ରେଷ୍ଟ୍ ନେଇଥିଲେ ,ନିର୍ବାଣ ଓ କନିକାକୁ ଜବରଦସ୍ତି ପଠାଇଥିଲେ ବୁଲିବା ପାଇଁ ।ଏତେଦିନ ଭିତରେ ସରିତା ଥରଟିଏ ବି ଭଲମନ୍ଦ ପଚାରିନି ।ଇନସ୍ଟାଗ୍ରାମ୍ ଓ ଫେସବୁକ୍ ରେ ସବୁ ଫଟୋ ଦେଖନ୍ତି ସାକେତ ।ରାଜୀବ ସାଥିରେ ସରିତାର କ୍ଲୋଜ୍ ଫଟୋ ଦେଖିଲେ ତାଙ୍କୁ ଜମା ଭଲ ଲାଗେନି ।ବାହାଘର ଯେତେବର୍ଷ ହେଲେବି ମଣିଷ ଇନ୍ସିକିଓର ଫିଲ୍ କରେ ।ଦେହ ସାଥୀରେ ମନ ବି ଭଲ ନଥିଲା ।କିନ୍ତୁ ନିର୍ବାଣ ଓ କନିକାକୁ ସାଥୀରେ ଦେଖିଲେ ତାଙ୍କ ମନ ଖୁସିରେ କୁଣ୍ଢେମୋଟ ହୋଇଯାଏ ।ତାଙ୍କ ଭିତରେ ଥିବା କେମେଷ୍ଟ୍ରିକୁ ଦେଖି ତାଙ୍କୁ ଏକ ଆନନ୍ଦ ମିଳେ ।ଏମିତି ସବୁ କଥା ଭାବିଭାବି ସାକେତଙ୍କର ଆଖି ଲାଗିଯାଇଥିଲା ।ହଠାତ୍ ଫୋନ୍ ରିଙ୍ଗ୍ ହେବାରୁ ନିଦ ଭାଙ୍ଗିଯାଇଥିଲା ।ସେ ଦେଖିଲେ ଏକ ଅଜଣା ନମ୍ବର୍ ,ଉଠାଇବେ କି ନାହିଁ ଭାବୁଭାବୁ କଟିଯାଇଥିଲା ।କିନ୍ତୁ କିଛିସମୟ ପରେ ସେହି ନମ୍ବରରେ ପୁଣି ଫୋନ୍ ଆସିଥିଲା ।ସାକେତ ଫୋନ୍ ରିସିଭ୍ କରିଥିଲେ ,କେହିଜଣେ ଅଜଣା ଲୋକ କହିଥିଲେ ,ସରିତାଙ୍କର ଗୋଆରେ ଆକ୍ସିଡେଣ୍ଟ୍ ହୋଇଯାଇଛି ।ଏଠିକାର ହସ୍ପିଟାଲ୍ ଦିଲ୍ଲୀର ଆପୋଲ ହସ୍ପିଟାଲ୍ କୁ ପଠାଇଦେଇଛନ୍ତି ।ସାକେତଙ୍କ ହାତରୁ ଫୋନ୍ ଖସି ପଡ଼ିଥିଲା ।ସେ ସାଙ୍ଗେସାଙ୍ଗେ ସରିତା ଫୋନ୍ ରେ ଫୋନ୍ କରିଥିଲେ ।କିନ୍ତୁ ଫୋନ୍ ବନ୍ଦ ଆସୁଥିଲା ।ସାକେତ ନିର୍ବାଣ ପାଖକୁ ଫୋନ୍ କରିଥିଲେ ।ନିର୍ବାଣ ସବୁ ଶୁଣି ସଙ୍ଗେସଙ୍ଗେ ଦିଲ୍ଲୀ ଟିକେଟ୍ ବୁକ୍ କରିଥିଲା ।

        ସାକେତ ଦିଲ୍ଲୀରେ ପହଞ୍ଚି ସିଧା ହସ୍ପିଟାଲ୍ କୁ ଗଲେ ସେତେବେଳକୁ ରାତି ଦୁଇଟା ।ନିର୍ବାଣ କହିଥିଲା ପାପା ଏବେ ହସ୍ପିଟାଲ୍ ରେ ଏଣ୍ଟ୍ରି ଦେବେନାହିଁ ,ତେଣୁ ଘରକୁ ଚାଲ କାଲି ସକାଳେ ଆସିବା ।କିନ୍ତୁ ସାକେତ କହିଥିଲେ କନିକାକୁ ଘରେ ଛାଡି ସକାଳେ ଆସିବା ପାଇଁ ।ସାକେତ ନିଜ ଦେହ କଥା ଭୁଲି ଯାଇ ହସ୍ପିଟାଲ୍ ରେ ବସି ରହିଥିଲେ ।ସକାଳୁ ସକାଳୁ ନିର୍ବାଣ ଓ କନିକା ଚା' ନେଇ ପହଞ୍ଚିଥିଲେ ହସ୍ପିଟାଲରେ ।ଦେଖାକରିବାର ଟାଇମ ୧୦ ଟାରେ ଥିଲା ।ସାକେତ ଓ ନିର୍ବାଣ ଡକ୍ଟର୍ କୁ ଦେଖାକରି ସରିତାର କଣ୍ଡିସନ୍ ବିଷୟରେ ପଚାରିଥିଲେ ।ଡକ୍ଟର୍ କହିଥିଲେ ସରିତା ଆଉଟ୍ ଅଫ୍ ଡେଞ୍ଜର୍, କିନ୍ତୁ ସ୍ପାଇନାଲ କଡ଼୍ ରେ ଆଘାତ ଲାଗିଥିବା ଯୋଗୁ ଦୁଇଟି ଯାକ ଗୋଡ଼ ପାରାଲାଇଜ ହୋଇଯାଇଛି ।ଚେଷ୍ଟା କଲେ ଧୀରେ ଧୀରେ ଠିକ୍ ହୋଇ ଯାଇପାରେ ।ନିର୍ବାଣ ଟିକିଏ ଆଶ୍ୱସ୍ତ ହୋଇଥିଲେ ।କିନ୍ତୁ ସରିତାଙ୍କ ପାରଲିସିସ୍ ଶୁଣି ସାକେତ ଆଖିରେ ଲୁହ ଆସିଯାଇଥିଲା ।ସେ ଭାବୁଥିଲେ ସରିତା କିପରି ଏହି ଅବସ୍ଥାରେ ରହିବ ।ସେ ନିଜ ମନକୁ ଟିକିଏ ଶକ୍ତ କରି ସରିତାଙ୍କ ପାଖକୁ ଗଲେ ।ସାକେତ ନିଜେ ଆଗେ ନଯାଇ ନିର୍ବାଣକୁ ଆଗେ କହିଥିଲେ ଯିବାପାଇଁ ।ସରିତା ନିର୍ବାଣକୁ ଦେଖି ଭୋ ଭୋ ହୋଇ କାନ୍ଦିଥିଲା ।ସାକେତ ଆଉ ନିଜକୁ ସମ୍ଭାଳି ପାରିନଥିଲେ ,ଦୌଡ଼ି ଯାଇ କୁଣ୍ଢାଇ ପକେଇ ଥିଲେ ସରିତାଙ୍କୁ ।ସରିତା ସାକେତଙ୍କୁ ପାଇଁ ସବୁ ଦୁଃଖ କଷ୍ଟ ଭୁଲି ଯାଇଥିଲା ଓ ତାଙ୍କୁ ଧରି ବହୁତ ଜୋର୍ ରେ କାନ୍ଦିବାକୁ ଲାଗିଲା ।ସେପରି ସରିତାର ଦେହ ଭଲ ନଥିଲା ,ତେଣୁ ଡକ୍ଟର ସମସ୍ତଙ୍କୁ ବାହାରକୁ ଯିବାକୁ କହିଥିଲେ ।ସାକେତ ସରିତାଙ୍କ ପାଖରେ ରହି ,ନିର୍ବାଣ ଓ କନିକାକୁ ଘରକୁ ଯିବାପାଇଁ କହିଥିଲେ ।ସେ ସରିତା ପାଖରେ ବସି ବହୁତ ବୁଝାଇଥିଲେ ।ଆଉ କହିଥିଲେ ତୁମେ ଭାବ ତୁମର ଦୁଇଗୋଡ ଆଜିଠାରୁ ମୁଁ ।ତୁମେ ତୁମ ଗୋଡ଼ରେ ଚାଲି ଯାହା କରିଥାନ୍ତ, ସବୁ ମୋତେ କହିବ ସେ ସବୁ ମୁଁ କରିବି । ହସ ଟିକିଏ ଆସିଥିଲା ସରିତାଙ୍କ ମୁହଁରେ ।

        ଧୀରେଧୀରେ ସରିତା ଠିକ୍ ହୋଇଆସୁଥାଏ ।ଦିନରାତି ସେବାରେ ଲାଗିଥାନ୍ତି ସାକେତ ।ଆଉ ଯେଉଁ ସାଙ୍ଗମାନଙ୍କୁ ସରିତା ଏତେ ଇମ୍ପୋଟାନ୍ସ୍ ଦେଉଥିଲା ସେମାନେ ଥରଟିଏ ବି ଆସି ଭଲମନ୍ଦ ପଚାରିନାହାନ୍ତି କି ଫୋନ୍ ବି କରିନାହାନ୍ତି ।କାରଣ ସେମାନେ ଭଲଭାବେ ଜାଣିଛନ୍ତି ସରିତା ଏବେ ପଙ୍ଗୁ ,ପଙ୍ଗୁ ମଣିଷ ସମସ୍ତଙ୍କୁ ବୋଝ ।କିନ୍ତୁ ସାକେତ କେବେ ବୋଝ ଭାବିନାହାନ୍ତି ।ସାକେତ ଥକି ଗଲେବି କେବେ କିଛି କହନ୍ତିନାହିଁ ,ସବୁବେଳେ ମୁହଁରେ ହସ ଥାଏ । କିନ୍ତୁ ସାକେତ ଏହିଭିତରେ ବହୁତ ଝଡି ଯାଇଥିଲେ ।ସରିତା ଭାବୁଥାଏ ସେ ଟିକିଏ ଭଲ ହୋଇଗଲେ ସାକେତଙ୍କର ପୁରା ଧ୍ୟାନ ରଖିବ ଓ ତାଙ୍କୁ ଛାଡି କୁଆଡେ ଯିବନାହିଁ ।

         ଦିନେ ହଠାତ୍ ସରିତାର ଆଖି ରାତି ଦୁଇଟା କି ତିନିଟାରେ ନିଦ ଭାଙ୍ଗି ଯାଇଥିଲା ,ସେ ଲକ୍ଷ୍ୟ କଲା ତା'ର ଗୋଡ଼ ଦୁଇଟି ଭଲଭାବରେ କାମ କରୁଛି ।ସେ ଚୁପଚାପ୍ ରେଜେଇ ଭିତରୁ ବାହାରି ଆସି ବେଡ଼୍ ସାଇଡ୍ ରେ ଠିଆହେଲା ।ସେ ପୁରା ଭଲଭାବରେ ଠିଆ ହୋଇପାରୁଥିଲା ।ମନକୁ ଟିକିଏ ଦମ୍ଭକରି ଚାଲିବାକୁ ଚେଷ୍ଟା କଲା ,ଚାଲିବି ପାରୁଥିଲା ସିଏ ।ସରିତାର ଖୁସିର ଠିକଣା ନଥିଲା ।ସେ ଦୌଡ଼ି ଯାଇଥିଲା ସାକେତଙ୍କ ପାଖକୁ ,କିନ୍ତୁ ସେ ଗାଢ଼ ନିଦରେ ଶୋଇଥିବାର ଦେଖି ସରିତା ଭାବିଲା ଏବେ ଉଠାଇବ ନାହିଁ ।ସେ ନିଜେ ଶୋଇପାରୁନଥିଲା କି ସାକେତଙ୍କୁ ଉଠାଇବାକୁ ଚାହୁଁନଥିଲା ।ସେ ମନେମନେ ଭାବିଲା ସରପ୍ରାଇଜ୍ ଦେବ ସାକେତଙ୍କୁ ।

       ସରିତା ସକାଳ ପାଞ୍ଚଟାରେ ଉଠି ଗାଧୋଇପାଧୋଇ ଏକ ରେଡ଼୍ କଲର୍ ଶାଢ଼ୀ ,ଯେଉଁଟା କି ସାକେତଙ୍କର ବହୁତ ଫେବରାଇଟ୍ ଥିଲା ,ତାକୁ ପିନ୍ଧି ରୋଷେଇ ଘରକୁ ଯାଇଥିଲା ।ତାର ମନେଅଛି ବହୁତ ଦିନ ତଳେ ସାକେତ ବହୁତ ଖୁସିରେ ଏହି ଶାଢ଼ୀଟି ଆଣିଥିଲେ ତା' ପାଇଁ ।କିନ୍ତୁ ସରିତା ଶାଢ଼ୀର ରଙ୍ଗ ଦେଖି ଫିଙ୍ଗିଦେଇଥିଲା ।ତେଣୁ ସାକେତ ଶାଢ଼ୀଟିକୁ ରଖିଥିଲେ ନିଜ ଆଲମାରୀ ଭିତରେ ।ସରିତା ଆଜି ସେହି ଶାଢ଼ୀକୁ ପିନ୍ଧି ସାକେତଙ୍କ ପାଇଁ ଚାହା ତିଆରିକରିଥିଲା ।ସେ କାଳେ ଉଠିପଡିବେ ସେଥିପାଇଁ ବଡ଼ ଯତ୍ନରେ ଧୀରେଧୀରେ ବିନା ଶବ୍ଦରେ ଚା' ତିଆରି କରି ଟ୍ରେରେ ଚା ବିସ୍କୁଟ୍ ରଖି ରୁମ୍ କୁ ଆସିଥିଲା ସରିତା ।

        ସରିତାର ଖୁସିର ସୀମା ନଥିଲା ।ସେ ଭାବୁଥାଏ ସାକେତ ତାକୁ ଦେଖି କିପରି ରିଆକ୍ଟ୍ କରିବେ , କ'ଣ କହିବେ ।ଏହିସବୁ ଭାବି ସେ ବେଡ଼୍ ସାଇଡ଼୍ ରେ ଚା' ରଖି ସାକେତଙ୍କୁ ଉଠାଇଥିଲା ।କିନ୍ତୁ ସାକେତ ଶୁଣିନଥିଲେ ।ସରିତା ଆଶ୍ଚର୍ଯ୍ୟ ହୋଇଥିଲା ,କାରଣ ସେ ରାତିରେ କଡ଼ ଲେଉଟାଇଲେ ବି ସାକେତ ଉଠିପଡନ୍ତି ,ଆଜି କାହିଁକି ଉଠୁନାହାନ୍ତି ।ସେ ଟିକିଏ ଜୋର୍ ରେ ହଲାଇଦେବାରୁ ସେ ଗୋଟେ ପଟକୁ ଢଳି ପଡ଼ିଥିଲେ ।ସରିତା ଜୋର୍ ରେ ଚିତ୍କାର କରିଥିଲା ।ପାଟି ଶୁଣି ନିର୍ବାଣ ଦଉଡିକି ଆସି ଦେଖିଲା ମାମା ଠିଆହୋଇଛି । ସେ ଖୁସିରେ ସରିତାକୁ କୁଣ୍ଢେଇ ପକାଇଲା ।ସରିତା କହିଲା ନିର୍ବାଣ ପାପାଙ୍କୁ ଦେଖ ,ସେ ଜମା ଉଠୁନାହାନ୍ତି ।ନିର୍ବାଣ ସାକେତଙ୍କୁ ଜୋର୍ ରେ ହଲାଇଲା , ଛାତିକୁ ଦବାଇଲା ,କିନ୍ତୁ କିଛି ଲାଭ ହେଲାନି ।ସେ ସଙ୍ଗେସଙ୍ଗେ ଡକ୍ଟର୍ ଙ୍କୁ ଫୋନ୍ କଲା ।

        ଡକ୍ଟର୍ ଆସି ପୁରା ଚେକଅପ୍ କରି ମୃତ ଘୋଷଣା କରିଥିଲେ ।ଆଉ କହିଥିଲେ ସାକେତ ଗୋଆରୁ ଫେରିଲା ପରେ ତାଙ୍କ ଦେହ ବହୁତ ଖରାପ ଥିଲା ।ମୁଁ ତାଙ୍କୁ ସବୁବେଳେ ବେଡ଼୍ ରେଷ୍ଟ୍ ପାଇଁ ଓ ରେଗୁଲାର୍ ମେଡ଼ିସିନ୍ ଖାଇବାକୁ କହେ ।କିନ୍ତୁ ମୋ କଥାକୁ ସେ ଧ୍ୟାନ ଦିଅନ୍ତି ନାହିଁ ।

         ସରିତା ଚୁପ୍ ହୋଇ ବସିରହିଥିଲା ।ଆଜି ଭଗବାନ ତାକୁ ତା'ର କର୍ମର ଏତେବଡ଼ ଦଣ୍ଡ ଦେଇଛନ୍ତି ।ଥରଟିଏ ସାକେତ ତା'ର ହାତରୁ ଚାହା କପ୍ ଟିଏ ପିଇଥିଲେ ସେ ଖୁସି ହୋଇଥାନ୍ତା ।ସାକେତଙ୍କୁ ନେଇ ଭଗବାନ ତାକୁ ପୁଣି ଥରେ ପଙ୍ଗୁ କରିଦେଇଥିଲେ ।

       

           


Rate this content
Log in

Similar oriya story from Drama