STORYMIRROR

lLeena Pani

Abstract

4  

lLeena Pani

Abstract

ମୋ କାଳିଆ

ମୋ କାଳିଆ

3 mins
35

ଜଗନ୍ନାଥ ମହାପ୍ରଭୁ ଙ୍କୁ ଦେଖିବାକୁ ବହୁତ ମନହେଉଥିଲା ଅରୁଣୀମା ର ।ସେ ଜାଣିଥିଲା ବହୁତ ଭିଡ ହୋଇଥିବ କିନ୍ତୁ ତା ମନ ମାନୁ ନଥିଲା ।ସକାଳୁ ଉଠି ଗାଧୋଇପାଧୋଇ ବାହାରି ପଡିଥିଲା ପୁରୀ ଅଭିମୁଖେ ।ସେ ବହୁତ ଥର ପୁରୀ ଯାଇଛି ।କାହିଁକି କେଜାଣି ତାକୁ ପୁରୀରେ ଅହେତୁକ ଆନନ୍ଦ ମିଳେ ।ଏବେ ବୟସ ର ଶେଷ ସୋପାନରେ ବି ପୁରୀ ଯିବାକୁ ମନ ବ୍ୟାକୁଳ ହୁଏ ।ଏହି କାଳିଆ କୁ ଦେଖିଦେଲେ ମନ ଭରିଯାଏ ।ସବୁ ମାସରେ ଥରଟିଏ ବୁଲି ଆସିଲେ ଲାଗେ ଯେମିତି ସବୁ କାମ ଠିକଠାକ ଚାଲିଛି ।କାଳିଆ କୁ କୌଣସି କଥା ଜଣାଇବାକୁ ପଡେନି ,ସେ ବୁଝିଯାଏ ସବୁ ମନର କଥା ।ଛୋଟ ବେଳୁସବୁବେଳେ ମାଆ ବାପାଙ୍କ ସାଥିରେ ପୁରୀ ଯାଇ ଯାଇ ମହାପ୍ରଭୁ ଜଗନ୍ନାଥ ଙ୍କ ସାଥିରେ ଆତ୍ମୀୟତା ବଢିଯାଇଥିଲା ।ସେ ପୁରୀ ଯାଇ ମନ୍ଦିର ବେଢାରେ ଘଣ୍ଟା ଘଣ୍ଟା ବସିରହେ ,ଆଉ ଦେଖୁଥାଏ ପତିତପାବନ କୁ ।

ଛୋଟ ବେଳେ ଅରୁଣୀମା ବାପା ଙ୍କ ସାଥିରେ ପୁରୀ ଆସି ତାଙ୍କର ହାତ ଧରି ପୁରା ମନ୍ଦିର ବୁଲୁଥିଲା ।ବାପା ବେଢା ଭିତରେ ଥିବା ସବୁ ମନ୍ଦିର କୁ ନେଇ ସେହି ଭଗବାନଙ୍କର ମାହାତ୍ମ୍ୟ କହି ଚାଲିଥାନ୍ତି ।ଯେବେ ଜଗନ୍ନାଥ ଙ୍କ ମନ୍ଦିର ଭିତରକୁ ଯାଉ ସେତେବେଳେ ବାପା କହନ୍ତି ,ଝିଅ ଏଠାରେ କିଛି କହିବାକୁ ପଡେନି ଖାଲି ଅନୁଭବ କରିବାକୁ ହୁଏ ।ସେହି ଅନୁଭବ ରୁ ଜଣାପଡେ ଜଗା କେତେ ଆପଣାର ।ଏହି ମନ୍ଦିର ଭିତରେ ସମସ୍ତେ ସ୍ଵାର୍ଥପର ।କାରଣ ସମସ୍ତେ କହନ୍ତି କାଳିଆ ମୋର ।ସେଦିନ ଅରୁଣୀମା ବି ଅନୁଭବ କରିଥିଲା ଯେ କାଳିଆ ତାକୁହିଁ ଦେଖୁଛି ଆଉ ମୁରୁକି ମୁରୁକି ହସୁଛି ।ସେହି ଛୋଟ ବେଳୁ ତାର ଅଭ୍ୟାସ ରେ ପଡି ଯାଇଥିଲା ସେ ସବୁ ସୁଖଦୁଃଖ ରେ କାଳିଆ ପାଖକୁ ଆସେ ।ଆଖି ବନ୍ଦ କରି ବେଢା ଭିତରେ ବସି ରହି କଳିଆକୁ ସବୁ ଜଣାଇ ଘରକୁ ଫେରେ ।

ଆଜି ବି ତାର ଭାରି ମନ ହେଉଥିଲା କାଳିଆ କୁ ଟିକିଏ ଦେଖି ,ତା ସାଥିରେ କଥା ହୋଇ ଆସିବା ପାଇଁ ।ସେ ସକାଳୁ ସକାଳୁ ପହଞ୍ଚି ଯାଇଥିଲା ମଂଦିରରେ ।ଭୀଷଣ ଭିଡ଼ ଥିଲା ମନ୍ଦିରର ବାହାରେ ଓ ଭିତରେବି । କୌଣସି ନୀତି ଚାଲୁଥିବା ଯୋଗୁ ମନ୍ଦିର ବନ୍ଦ ଥିଲା ।ଅରୁଣୀମା ଆଖି ବନ୍ଦ କରି କାଳିଆ କୁ ଧ୍ୟାନକରି ବସିରହିଲା ।ଧ୍ୟାନରେ ଭଗବାନ ତାକୁ ପଦ୍ମବେଶ ରେ ଦର୍ଶନ ଦେଇଥିଲେ ।ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଯେ ଭଗବାନ କେମିତି ଜାଣିଲେ ତାର ମନର କଥା ।ସେ ଭାବିଲା ସତରେ କଣ କାଳିଆ ଆଜି ପଦ୍ମବେଶ ହୋଇଛି ।ଏହି ସମୟରେ ଜଣେ କେହିଆସି କହିଲେ ଯାଉନ ଦର୍ଶନ କରି ଆସିବ ।ଅରୁଣୀମା ଆଖି ଖୋଲି ଦେଖିଲା ତାର ପାଖାପାଖି କେହିନାହିଁ ।ସେ ଉଠି ଠିଆହୋଇ ଦେଖିଲା ତାର ବ୍ୟାଗ ଟି ତାପାଖରେ ନାହିଁ ।ତା ବ୍ୟାଗରେ ଫୋନ ,ଟଙ୍କା ପଇସା ସବୁକିଛି ଥିଲା ।ସେ ଏବେ କରିବ କଣ ?ଅରୁଣୀମା ଭାବିଲା ଯାହା ହେବ ଦେଖାଯିବ କାଳିଆ ଶାହା ଭରସା ।ଏବେ ଆଗେ କାଳିଆ କୁ ଦେଖିବାକୁ ଅଛି ।ସତରେ କଣ କାଳିଆ ଆଜି ପଦ୍ମବେଶ ହୋଇଛି ।ସେ ତରତର ହୋଇ ଲାଇନ ରେ ଠିଆହୋଇଥିଲା ।ଲାଇନ ରେ ଠିଆହୋଇ ଭାବିଲା ,ସେ ବସ ରେ ଆସିଲା ବେଳେ ରାସ୍ତାକଡ଼ରେ ଥିବା ପୋଖରୀରେ ପଦ୍ମଫୁଲ କୁ ଦେଖି ସେ କଳ୍ପନା କରିଥିଲା କଳିଆକୁ ପଦ୍ମବେଶରେ ।ସେ ଭାବିଥିଲା ଗୋଲାପୀ ରଙ୍ଗର ଫୁଲର ପାଖୁଡା ରେ ମୋର ଜଗାକାଳିଆ କେତେ ସୁନ୍ଦର ଦେଖାଯିବ ।ଧୀରେଧୀରେ ଅରୁଣୀମା ଯେତେବେଳେ କାଳିଆ ଆଡକୁ ଅଗ୍ରସର ହେଉଥିଲା ସେ ବିଶ୍ୱାସ କରିପାରୁନଥିଲା ନିଜ ଆଖିକୁ ,କାରଣ ସେ ଧ୍ୟାନରେ ଯେଉଁ ରୂପ ବେଶ ଥିଲା ଠିକ ସେହିପରି ଥିଲା ଭକ୍ତର ଜଗକାଳିଆ ।ସେ ସ୍ତବ୍ଧ ହୋଇଯାଇଥିଲା ।ସେ ଆଜି ଭାବିଥିଲା ମନ୍ଦିର କୁ ଆସି କାଳିଆ କୁ ତାର ସବୁ ଦୁଃଖ ଜଣାଇବ ।କିନ୍ତୁ କାଳିଆ ଜଣାଇଦେଲା ଯେ ତୋର ଖାଲି ଦୁଃଖ ନୁହେଁ ,ତୋର ମନର କଥାବି ମୁଁ ଜାଣିପାରେ ।

ଅରୁଣୀମା ଆଖିବନ୍ଦ କରି ବସିରହିଥିଲା ,ଆଉ ତାର ଆଖିରୁ ଧାରଧାର ଲୁହ ବୋହିଚାଲିଥିଲା ।ସେ ଅନୁଭବ କଲା କେହିଜଣେ ତାକୁ ଡାକୁଛି ।ସେ ଆଖିଖୋଲି ଦେଖିଲା ଯେ ଜଣେ ସ୍ତ୍ରୀଲୋକ ତାକୁ କହିଲେ ମାଆ ଆସ ଖାଇବ । ଆଉ ଖାଇସାରିଲେ ତୁମକୁ ଆମେ ନେଇ ତୁମ ଘରେ ଛାଡ଼ି ଦେବୁ ।ଅରୁଣୀମା କହିଲା ମୁଁ ତ ତୁମକୁ ଆଗରୁ କେବେଦେଖିନି କି ଜାଣିନି ।ସେ କହିଲା ଜଣେ ପୋଲିସ ଅଫିସର ଆସି ଆମକୁ କହିଲେ ,ତୁମର ବ୍ୟାଗ ଚୋରି ହୋଇଯାଇଛି ତେଣୁ ତୁମକୁ ପ୍ରସାଦ ଖୁଆଇ ଘରେ ଛାଡିବା ପାଇଁ ।ଆଉ ସେ ପୋଲିସ ଅଫିସର କହିଲେ ଯେ ଆପଣଙ୍କ ଘର ବି କଟକ ରେ ।ଅରୁଣୀମା ଭାବିଲା ସେ ନା କାହାକୁ କହିଛି ନା ସେ ପୋଲିସ ପାଖକୁ ଯାଇଛି ।ତେଣୁ ସେହି କଳିଆର ସବୁ ଲୀଳା ।ଅରୁଣୀମା ତାଙ୍କ ସାଥିରେ ଯାଇ ପ୍ରସାଦ ଖାଉଥିଲା ,ଆଉ ତାର ଆଖିରୁ ଲୁହ ବୋହି ଚାଲିଥିଲା ।ତାର ପାଖରେ ବସିଥିବା ଲୋକମାନେ କହିଲେ ମାଆ କାନ୍ଦନି କାଳିଆ ତୁମକୁ ବହୁତ କିଛିଦେଵ ।ଅରୁଣୀମା କହିଲା ମୁ ବ୍ୟାଗ କି ମୋବାଇଲ ପାଇଁ କାନ୍ଦୁନି ,ଏହି ଜଗାର ଲୀଳା ଦେଖି କାନ୍ଦୁଛି ।ମୁଁ ଭାବୁଥିଲି ଏହି ଦୁନିଆଁ ରେ ମୋର କେହି ନାହିଁ ,କିନ୍ତୁ ଆଜି କାଳିଆ ଜଣIଇଦେଲା କି ସେ ମୋ ସାଥିରେ ସବୁବେଳେ ଅଛି ।ଅରୁଣୀମା କହିଲା ଆଜିଠାରୁ ମୋର କେହି ଦରକାର ନାହିଁ କାରଣ ଜଗାକାଳିଆ ମୋର ।


Rate this content
Log in

Similar oriya story from Abstract