ଖୁସିର ଦୁନିଆଁ
ଖୁସିର ଦୁନିଆଁ
ସୁପ୍ରିୟା କୁ କିଛି ଭଲ ଲାଗୁନଥିଲା ।ତାର ଦେହ ଭଲ ନଥିଲା କି ମନ ଭଲ ନଥିଲା ସେ ଜାଣିନି ।ମଣିଷ ର ଯେବେ ମନ ଭଲ ନଥାଏ ,ତାକୁ ପୁରା ଦୁନିଆଁ ବିଷ ଲାଗେ ।କାହାରି ସାଥିରେ ନା କଥା ହେବା ପାଇଁ ଇଚ୍ଛା ହେଉଥିଲା ନା କୁଆଡେ ଯିବାପାଇଁ ମନ ଥିଲା ।ଖାଲି ବେଡ଼ ରେ ପଡିରହିଥିଲା ସୁପ୍ରିୟା ।ସେ ନିଜ ମନ କୁ ବୁଝାଉଥିଲା କିନ୍ତୁ କଣ କରିବ ,ମନ ବୁଝିଲେତ ।ଘରେ ଏକୁଟିଆ ରହି ସେ ବିରକ୍ତ ହୋଇଯାଇଥିଲା ।ସେ ଏକୁଟିଆ ତ ନଥିଲା ତାର ପତିଦେବ ସମୀର ବି ରହୁଥିଲେ ତା ସାଥିରେ କିନ୍ତୁ ଛୁଆ ନଥିବାର ଦୁଃଖ ତାକୁ ବହୁତ କଷ୍ଟ ଦେଉଥିଲା ।ବହୁତ ଚେଷ୍ଟା ପରେ ବି ଭଗବାନ ପିଲାଛୁଆ ର ଖୁସି ଦେଇନଥିଲେ ।ଆଗରୁ ଶାଶୁଶଶୁର ଆସି ରହୁଥିଲେ ।ଏବେ ସେମାନେ ବି ଆସୁନାହାନ୍ତି ।କାରଣ ଘରେ ଛୁଆପିଲା ନଥିଲେ ତାଙ୍କୁ ଭଲ ଲାଗୁନି ।ସେମାନେ ବି କଣ କରିବେ ।କିନ୍ତୁ ସମୀର କୁ କିଛି ଫରକ ପଡେନି ,ସେ ସବୁବେଳେ ନିଜ ଅଫିସ କାମରେ ବ୍ୟସ୍ତ ଥାଏ ।ଜଣାନାହିଁ ବୋଧେ ସେ ସୁପ୍ରିୟା କୁ ନିଜ ଦୁଃଖ ଜଣାଇବାକୁ ଚାହୁଁନଥିବ ।
ବାହାଘରର ଦୁଇବର୍ଷ ପର୍ଯ୍ୟନ୍ତ ଛୁଆପିଲା କରିବେନି ବୋଲି ଭାବିଥିଲେ ସେମାନେ ।ଦୁଇତିନି ବର୍ଷ ଯାଏ ପିଲାଛୁଆ କଥା ଭାବିଲେ ଡରୁଥିଲେ ।ଏତେବଡ଼ ଭାର ସେ ଉଠାଇପାରିବେକି ନାହିଁ ସେମାନେ ଭାବି ପାରୁନଥିଲେ ।ଆଜିକାଲି ସମୟରେ ଦୁଇଜଣ ଚାକିରିଆ ହୋଇଥିବା ଯୋଗୁଁ କୌଣସି ଦାୟିତ୍ୱ ନେବାକୁ କେହି ଚହୁଁନାହାନ୍ତି ।ଆଉ ବାପାମା ଦାୟିତ୍ଵ ତ ସବୁଠାରୁ ବଡ ଦାୟୀତ୍ୱ ।ତିନି ବର୍ଷ ଗଲାପରେ ତାଙ୍କୁ ଲାଗିଥିଲା ପିଲାଛୁଆ ହେବା ଜରୁରୀ ।କିନ୍ତୁ ମଣିଷର ପ୍ଲାନ ଏବଂ ଭଗବାନଙ୍କ ପ୍ଲାନ ଅଲଗା ଥାଏ ।ସେମିତି ଦେଖିବାକୁ ଗଲେ ମଣିଷ ହାତରେ କିଛିନଥାଏ ।ବାହାଘର ପାଞ୍ଚ ବର୍ଷ ବିତିଯିବାପରେ ସେମାନେ ହସ୍ପିଟାଲ ଆଉ ମନ୍ଦିର ଚକର କାଟିଥିଲେ ।କେତେ ବ୍ରତ ଉପବାସ କରିଥିଲା ସୁପ୍ରିୟା ।ପ୍ରତ୍ୟେକ ମାସର ଆରମ୍ଭ ରେ ନୂଆ ଆଶା ନେଇ ଦୁଇଜଣ ଅପେକ୍ଷା କରନ୍ତି ,କିନ୍ତୁ କିଛି ଲାଭ ହୁଏନାହିଁ ।ସୁପ୍ରିୟା କାହାର ଛୁଆ ଦେଖିଲେ ଖୁସି ହେବା ବଦଳ ରେ ଦୁଃଖୀ ହୋଇଯାଏ ।
ତାଙ୍କ ଘରର ବାଲକୋନି ସାମ୍ନାରେ ପାର୍କ ଟିଏ ଥିଲା ।ସେମାନେ ଦୁଇଜଣ ଯେବେ ଏହିଘରଟି କିଣିଥିଲେ କେତେ ଖୁସି ହୋଇଥିଲେ କାରଣ ପାର୍କ ଟିରେ ବହୁତ ଛୁଆ ମାନେ ଆସି ଖେଳାଖେଳି କରୁଥିଲେ ।କେବେକେବେ ସମୀର ଓ ସୁପ୍ରିୟା ଯାଇ ଖେଳୁଥିଲେ ସେମାନଙ୍କ ସାଥିରେ ।ଆଉ ଛୁଆମାନଙ୍କ ସାଥିରେ ଛୁଆ ହୋଇଯାଉଥିଲେ ।କିନ୍ତୁ ଆଜି ସୁପ୍ରିୟା ବାଲକୋନି ଆଡକୁ ଦେଖିବାକୁ ଇଛା କରୁନଥିଲା ।
ସେଦିନ ସମୀର ଅଫିସରୁ ଆସି ଦେଖିଲା ସୁପ୍ରିୟା ଅଫିସ ନଯାଇ ବେଡ଼ରେ ପଡି ରହିଛି ।ସେ ବୁଝି ପାରେନି କଣ କହି ସେ ତାକୁ ବୁଝାଇବ ।ସମୀର ସୁପ୍ରିୟା କୁ କୁଣ୍ଢାଇ ଧରି କହିଲା ତୁମେ ଏପରି ମନ ଦୁଃଖ କଲେ କେମିତି ହେବ ,ଚାଲ କେଉଁଆଡ଼େ ଯାଇ ବୁଲିଆସିବା ।ସୁପ୍ରିୟା ସେମିତି ନଶୁଣିଲା ପରି ମୁହଁ ତଳକୁ କରି ପଡିରହିଥିଲା ବେଡ଼ରେ ।ଆଗରୁ ସେ ବୁଲିବା ନାଁ ଶୁଣିଲେ ଡେଇଁବୁଲେ ସବୁଆଡେ ।ସମୀର ତାକୁ ଜବରଦସ୍ତି କରି ନିଜ ବାଇକ ରେ ବସାଇ ନେଇଯାଇଥିଲା ।ଯେବେ ତାର ମନ ଭଲ ଥାଏ ସେ ସମୀର କୁ ପଛରେ ବସାଇ ବାଇକ କୁ ନିଜେ ଚଲାଏ ।କିନ୍ତୁ ଆଜି ସୁପ୍ରିୟା ଚୁପଚାପ ସମୀର ପଛରେ ବସିଥିଲା ।ଶ୍ରାବଣ ମାସ ଥିବା ଯୋଗୁଁ ଝିପିଝିପି ବର୍ଷା ବି ହେଉଥାଏ ।ସୁପ୍ରିୟା ସମୀର ପିଠିରେ ମୁଣ୍ଡ ଦେଇ ସବୁ ଦୁଃଖ କୁ ଭୁଲି ବାକୁ ଚାହୁଁ ଥିଲା ।
ତାପରଦିନ ସକାଳୁ ସୁପ୍ରିୟା ଉଠି ଦେଖିଲା ସମୀର ପୁରା ରେଡି ହୋଇ ଜଳଖିଆ ବନଉଛନ୍ତି ।ସେମିତି ସେ ସକାଳୁ ଉଠିପାରେନି ,ତେଣୁ ବ୍ରେକଫାଷ୍ଟ ତିଆରି କରିବା ଦାଇତ୍ୱ ସମୀର ର ଥାଏ ।ଆଉ ଲଞ୍ଚ ଦୁଇଜଣ ଅଫିସ ରେ କରନ୍ତି ,ଡିନର ତିଆରି କରନ୍ତି ଦୁଇଜଣ ମିଶିକି ।ସମୀର ସୁପ୍ରିୟା କୁ କହିଥିଲା ଜଲଦି ରେଡି ହୋଇ ବ୍ରେକଫାଷ୍ଟ କର ,ତାପରେ ଆମେ ଗୋଟିଏ ସପ୍ତାହ ପାଇଁ ଗୋଟେ ଜାଗାକୁ ଯିବା ।ସୁପ୍ରିୟା ଚିଡିଯାଇ କହିଲା,ମୁଁ ଶହେ ଥର କହିଛି କାହାରି ଘରକୁ ଯିବି ନାହିଁ ।ଯାହାଘରକୁ ଗଲେ ସମସ୍ତେ ସେହି ଗୋଟିଏ କଥା ଆଉ ତା ସାଥିରେ ସିମ୍ପାଥି ।ମୋତେ ଜମା ଭଲ ଲାଗେନି କାହାରି ସିମ୍ପାଥି ,କହିଥିଲା ସୁପ୍ରିୟା ।ସମୀର କହିଥିଲା ମୁଁ ତୁମକୁ କାହାରି ଘରକୁ ନେବିନି ,ଯେଉଠିକି ଯିବା ସେଇଟା ତୁମ ପାଇଁ ସରପ୍ରାଇଜ ।ତାପରେ ସୁପ୍ରିୟା ଟିକିଏ ଖୁସି ହୋଇ ରେଡି ହୋଇଥିଲା ।
ସମୀର ସୁପ୍ରିୟା କୁ ଗାଡ଼ିରେ ବସାଇ ତାଙ୍କର ଜର୍ନିଂ ଆରମ୍ଭ କରିଥିଲା ।ସେମାନେ ରାସ୍ତାରେ ରହି ଖାଇପିଇ ଚାଲିଥାନ୍ତି ।ସୁପ୍ରିୟା କିଛିସମୟ ପାଇଁ ସବୁକିଛି ଭୁଲି ଜର୍ନିଂ କୁ ଭଲକରି ଉପଭୋଗ କରୁଥିଲା ।ଗୋଟିଏ ଗୋଟିଏ ଜାଗାରେ ଗାଡି ରଖି ଫୋଟୋ ନେଉଥିଲେ ।ସମୀର କୋରାପୁଟ ର ଦିଓମାଲି ଯିବା ପାଇଁ ପ୍ଲାନ କରିଥିଲେ ।ବାର ଘଣ୍ଟାର ଲମ୍ବା ରାସ୍ତା ଅତିକ୍ରମ କରି ସେମାନେ ପହଞ୍ଚି ଥିଲେ ତାଙ୍କ ଗାନ୍ତବ୍ୟ ସ୍ଥଳରେ ।ସେମାନେ ଥକିଯାଇଥିଲେ ସତରେ କିନ୍ତୁ ହଜିଯାଇଥିଲେ ପ୍ରକୃତି ଭିତରେ ।ଚାରିଆଡେ ଜଙ୍ଗଲ ଆଉ ପାହାଡ଼ ।ସେମାନେ ଗୋଟିଏ ଛୋଟ ଗାଁ ରେ ଆସି ପହଞ୍ଚିଥିଲେ ।ଏହି ଗାଁ ଟି ସମୀର ଅଫିସରେ ସମସ୍ତଙ୍କୁ ଚାପାଣି ପିଆଉଥିବା ପିଲାଟିର ଗାଁ ଥିଲା ।ସେ ବହୁତ ଥର ତାର ଗାଁ ବିଷୟରେ ଶୁଣାଇଥାଏ ବହୁତ କଥା ।ପାହାଡ଼ ,ଜଙ୍ଗଲ ଝରଣା ବିଷୟରେ ସେ ବହୁତ କହେ କିନ୍ତୁ ସବୁଠାରୁ ବେଶୀ କହେ ତାଙ୍କ ଗାଁ ପାଖ ଜଙ୍ଗଲ ଭିତରେ ଥିବା ଆଶ୍ରମ ବିଷୟରେ ।ବଡ଼ ଲୋକମାନେ ସହରରୁ ଆସି ଗାଁରେ ରହି ପ୍ରକୃତିକୁ ଉପଭୋଗ କରିବା ସହିତ ଏଠାରେ ଥିବା ଶାନ୍ତ ସରଳ ଆଦିବାସୀ ଝିଅଙ୍କୁ ଉପଭୋଗ କରିଥାନ୍ତି ।ଆଉ ଛୁଟି ସରିଲେ ତାଙ୍କ ହାତରେ କିଛି ଟଙ୍କା ଗୁଞ୍ଜି ଦେଇ ଚାଲିଯାନ୍ତି ।ସେହି ଅସହାୟ ଝିଅମାନଙ୍କର ଛୁଆ ମାନେ ଏହି ଆଶ୍ରମ ରେ ରୁହନ୍ତି ।
ସମୀର ଓ ସୁପ୍ରିୟା ସେ ଅଫିସ ରେ ଥିବା ପିଲା ରୁମଟା ର ଘରେ ପହଞ୍ଚିଥିଲେ ।ଛୋଟଘର ହୋଇଥିଲେ ବି ବେଶ ସାଫ ସୁତୁରା ଥିଲା ।ରୁମଟା ର ମାଆ ଓ ଭାଇ ରହୁଥିଲେ ସେହି ଘରେ ।ସେହି ଗାଁ ର ଚାରିପଟେ ଜଙ୍ଗଲ ଘେରି ରହିଥିଲା ।ସେମାନେ ସନ୍ଧ୍ୟା ସମୟରେ ପହଁଚି ଥିଲେ ।ଏତେ ଲମ୍ବା ରାସ୍ତା ଥିବାଯୋଗୁଁ ସେମାନେ ବହୁତ ଥକି ପଡ଼ିଥିଲେ ।ରୁମଟା ର ଭାଇ ତାକୁ ଗୋଟିଏ ଛୋଟ ବଖରା ଟିଏ ଦେଇଥିଲେ ରହିବା ପାଇଁ ,ଆଉ ତାଙ୍କ ପାଇଁ ଭାତ ଡାଲି ଆଣିଦେଇଥିଲା ଖାଇବା ପାଇଁ ।ସେହି ଜଙ୍ଗଲରେ ଭାତଡାଲି ମିଳିବାବି ବଡ କଥା ।ଦୁଇଜଣଙ୍କୁ ବହୁତ ଜୋରରେ ଭୋକବି ଲାଗୁଥିଲା ।ତେଣୁ ଭାତଡାଲି ବି ତାଙ୍କୁ ଅମୃତ ଭଳି ଲାଗିଲା ।ସେ ରାତିରେ ଏତେ ନିଘୋଡ଼ ନିଦରେ ସୋଇପଡିଲେ ଯେ ସକାଳ ୯ଟାରେ ନିଦ ଭାଙ୍ଗିଥିଲା ।
ସକାଳୁ ଉଠି ନିଜ ନିତ୍ୟକର୍ମ ସାରି ସମୀର ଓ ସୁପ୍ରିୟା ବାହାରିଥିଲେ ଟିକିଏ ଆଖ ପାଖରେ ବୁଲିଆସିବାପାଇଁ।କିଛିବାଟ ଯିବାପରେ ସେମାନେ ଦେଖିଲେ ଗୋଟିଏ ଝରଣା ।ତାର ପାଣି ଏତେ ସଫା ଥିଲା ଯେ ଛୋଟ ଛୋଟ ମାଛ ବି ପରିସ୍କାର ଦେଖାଯାଉଥିଲା ।ଏତେ ସୁନ୍ଦର ଜାଗା କେବେ ଆଗରୁ ଦେଖିନଥିଲେ ସେମାନେ । ସୁପ୍ରିୟା ଝରଣା ଭିତରକୁ ଯାଇ ଗୋଟିଏ ପଥର ଉପରେ ବସି ରହିଥିଲା ।କିଛିସମୟ ପରେ ମଧୁର ସ୍ୱର ତାଙ୍କୁ ଶୁଭିଥିଲା ।ସେମାନେ ଦେଖିଲେ ଛୋଟ ଛୋଟ ପୁଅଝିଅ ଡେଇଁ ଡେଇଁ ଗୀତ ଗାଇ ଚାଲିଛନ୍ତି ।ସେମାନଙ୍କୁ ଦେଖି ସୁପ୍ରିୟା କୁ ଏତେ ଭଲ ଲାଗିଥିଲାଯେ ,ତାଙ୍କ ପଛେପଛେ ଚାଲିଥିଲା ସେ ।ସମୀର ବି ତାଙ୍କୁ ଅନୁସରଣ କରିଥିଲା ।କିଛିଦୂର ଯିବାପରେ ସେମାନେ ଖୁସିର ଦୁନିଆଁ ଆଶ୍ରମ ଆଗରେ ପହଞ୍ଚିଥିଲେ ।ଛୁଆମାନେ ଗେଟ ଭିତରକୁ ଚାଲିଯାଇଥିଲେ ,ଆଉ ବାହାରେ ରହିଯାଇଥିଲେ ସମୀର ସୁପ୍ରିୟା ।ବାହାରୁ ଆଶ୍ରମଟି ବହୁତ ସୁନ୍ଦର ଦେଖାଯାଉଥିଲା ।ସେମାନେ ଗେଟ ପାଖକୁ ଯାଇ ଗାର୍ଡ କୁ ଅନୁମତି ମାଗିଥିଲେ ଭିତରକୁ ଯିବାପାଇଁ ।ଗାର୍ଡ ପ୍ରଥମେ ମନାକରିଥିଲା ସେମାନେ ବହୁତ ଅନୁରୋଧ କରିବାରୁ ,ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିଥିଲା ।ସେମାନେ ଭିତରକୁ ଯାଇ ଦେଖିଲେ ଏହା ଏକ ଅଲଗା ଦୁନିଆଁ ଥିଲା ।ଏତେ ସୁନ୍ଦର ସଫାସୁତରା ରାସ୍ତା ,ଚାରିପଟେ ବିଭିନ୍ନ ରଙ୍ଗର ଫୁଲ ତାଙ୍କୁ ସ୍ୱର୍ଗ ପରି ଲାଗୁଥିଲା ।ସ୍କୁଲ, ପାର୍କ ,ହସ୍ପିଟାଲ ,ମନ୍ଦିର ସବୁକିଛି ଥିଲା ,ଆଉ ଲୋକ ମାନେ ଗୋଟିଏ ରଙ୍ଗର ଡ୍ରେସ ପିନ୍ଧି ନିଜକାମ କରିଚାଲିଥାନ୍ତି ।କିଛିଦୂର ଯିବାପରେ ସେମାନେ ଦେଖିଲେ ଯେ ଗୋଟିଏ ବଡ ଘର ଉପରେ ଲେଖାଯାଇଛି ଆଗନ୍ତୁକ ଙ୍କ ଆବାସ ।ତାହା ଦେଖି ଖୁସି ହୋଇଯାଇଥିଲେ ସେମାନେ ।ଆଶ୍ରମ ର ଅଫିସ କୁ ଯାଇ ଗୋଟିଏ ସପ୍ତାହ ରହିବାର ବ୍ୟବସ୍ଥା କରିଥିଲେ ।ଆଶ୍ରମ ରେ ରହିବାକୁ ହେଲେ ତାଙ୍କର ନିୟମ କାନୁନ ମାନିବାକୁ ପଡିବ ବୋଲି ତାଙ୍କୁ ନିର୍ଦ୍ଧେଶ ମିଳିଥିଲା ।ସେମାନେ ଖୁସିରେ ରାଜି ହୋଇଥିଲେ ।ସେଠାରେ ସମସ୍ତେ ସମାନ ।ତେଣୁ ସମସ୍ତ ଙ୍କୁ କିଛିନା କିଛି କାମ କରିବାକୁ ବାଧ୍ୟ ଥିଲା ।ସମସ୍ତେ ଏକାଠି ତଳେ ବସି ଖାଇବେ ,ନିଜ କାମ ନିଜେ କରିବେ ।ଯେଉଁ କାମ ଯାହାର ପସନ୍ଦ ସେ ସେହି କାମ କରିପାରିବ ।ସମୀର କମ୍ପ୍ୟୁଟର ପିଲାମାନଙ୍କୁ ଶିଖାଇଥିଲା ,ଆଉ ସୁପ୍ରିୟା ପିଲା ମାନଙ୍କ ସାଥିରେ ପିଲା ହୋଇଯାଇଥିଲା ।ଘର ସଫା ,ବାସନ ମଜା ଆଦିସବୁ କାମ ସୁପ୍ରିୟା ପିଲାଙ୍କ ସାଥିରେ ମିଶି କରିଚାଲିଥାଏ ।ତାକୁ ବହୁତ ଖୁସି ଲାଗୁଥାଏ ।ସକାଳ ଚାରିଟା ରୁ ଉଠି ଗାଧୋଇସାରି ଯାଉଥିଲେ ପ୍ରାର୍ଥନା କରିବାପାଇଁ ।ତାପରେ କିଛି ସମୟ ଯୋଗ କରି ସମସ୍ତେ ଯାଉଥିଲେ ବ୍ରେକଫାସ୍ଟ କରି ।ସେଠାରେ ଖାଇବା ର ବହୁତ ବଢିଆ ବ୍ୟବସ୍ଥା ଥିଲା ।ଏମିତି ଗୋଟିଏ ସପ୍ତାହ ବିତି ଯାଇଥିଲା ତାଙ୍କୁ ଜଣାପଡିନଥିଲା ।ଫେରି ଯିବାକୁ ମନବି ନଥିଲା ,କିନ୍ତୁ ଆଶ୍ରମ ର ନିୟମ ଅନୁସାରେ କେହି ସପ୍ତାହ ରୁ ଅଧିକା ରହିପାରିବେ ନାହିଁ ।ଶେଷ ଦିନ ରାତିରେ ସୁପ୍ରିୟା ଆଖିରେ ନିଦ ନଥିଲା ।ସେମାନେ ସବୁ ଜିନିଷ ପ୍ୟାକିଙ୍ଗ କରିଦେଇଥିଲେ ।ସେ ସମୀର କୁ କହିଥିଲା ଗୋଟିଏ କଥା କହିବି ତୁମେ ମନାକରିବନିତ ,ସମୀର ସୁପ୍ରିୟା ର ମନ କଥା ଜାଣିପାରିଥିଲା ।ସମୀର କହିଲା ମୁଁ ଜାଣିଛି ତୁମେ କଣ କହିବାପାଇଁ ଚାହୁଁଛ ,ମୁଁ ବି ସେହିକଥା ଭାବୁଛି ।ଯଦି ହବ ଆମେ ଏହି ଆଶ୍ରମ ରୁ ଗୋଟିଏ ଛୁଆ ଆଡ଼ପ୍ଟ କରିବା ।ସୁପ୍ରିୟା ସମୀର କୁ କୁଣ୍ଢାଇ ପକାଇଥିଲା ଅତି ଖୁସିରେ ।
ତାପରଦିନ ସକାଳୁ ସବୁକାମ ସାରି ଆଶ୍ରମ ର ଯିଏ ମୁଖ୍ୟ ତାଙ୍କୁ ଦେଖା କରିଥିଲେ ।ତାଙ୍କୁ ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।କାରଣ ସେ ଜଣେ ଶାନ୍ତ ଓ ଶୋମ୍ୟ ଯୁବକ ଥିଲେ ।ଏତେ କମ ବୟସରୁ ଏପରି ସେବା କାମ କରୁଥିବାରୁ ତାଙ୍କ ପାଖରେ ଆପେ ଆପେ ମୁଣ୍ଡ ନଇଁ ଯାଇଥିଲା ।ଗୁରୁଜୀ ତାଙ୍କୁ ଡାକି ପାଖରେ ବସାଇଥିଲେ ।ସମୀର ସୁପ୍ରିୟା ନିଜର ମନ କଥା ତାଙ୍କୁ କହିଥିଲେ ।ସେ କିଛିସମୟ ଚୁପ ରହି କହିଲେ ,ଆପଣ ଗୋଟିଏ ଛୁଆକୁ ନେବେ କିନ୍ତୁ ଆଉ ସବୁ ଛୁଆଙ୍କର ମନର ଭାବନା କଣ ହେବ ଭାବନ୍ତୁ ।ଆମେ କୌଣସି ଛୁଆମାନଙ୍କ ମନରେ ଦୁଃଖ ଦେବାକୁ ଚାହୁଁନି ।ତେଣୁ ଆମ ଆଶ୍ରମ ର ନିୟମ ଯେ ଆପଣମାନେ ଆସି ସବୁ ଛୁଆମାନଙ୍କ ସାଥିରେ ରହିପାରିବେ ।ସମସ୍ତଙ୍କ ପାଇଁ ଯାହା ଚାହିଁବେ ଆଣିବେ ,ତାଙ୍କୁ ଖୁସି ଦେବେ ଆଉ ଖୁସି ନେବେ ।ଆପଣ ଦୁଇ ଜଣ ନିଜ ନାମ ରେଜିଷ୍ଟ୍ରେସନ କରନ୍ତୁ ,ଆଜିଠାରୁ ଆପଣ ଛୁଆମାନଙ୍କ ର ବାପାମାଆ ହୋଇଯିବେ ।ଗୁରୁଜୀ କହିଲେ ଆପଣ ଗୋଟିଏ ଛୁଆର ବାପାମାଆ କାହିଁକି ହେବେ ,ଆଜି ଠାରୁ ସବୁ ପିଲାମାନଙ୍କ ର ବାପାମାଆ ଆପଣ ।ସମୀର ସୁପ୍ରିୟା ଏତେକଥା କେବେ ଭାବିନଥିଲେ ।ସେମାନେ ଏହା ଶୁଣି ଖୁସିରେ କାନ୍ଦି ପକାଇଥିଲେ ।
ତାପରେ ସେମାନେ ସବୁ ପିଲାମାନଙ୍କ ଠାରୁ ବିଦାୟ ନେଇ ବାହାରି ଥିଲେ ନିଜ ଗନ୍ତବ୍ୟ ସ୍ଥଳ କୁ ।ସୁପ୍ରିୟା କେବେ ଆଗରୁ ଏତେ ଖୁସି ହୋଇନଥିଲା ।ସେ ପ୍ରଥମ ଥର ପାଇଁ ମାତୃତ୍ୱ କୁ ମନଭରି ଅନୁଭବ କରିଥିଲା ।ସେ ମନେମନେ ସବୁପିଲାଙ୍କୁ ମାନେପକାଉଥିଲା ।ସପ୍ତାହ ଭିତରେ ସେ ସବୁ ପିଲାଙ୍କର ନାମ ମନେ ରଖିନେଇଥିଲା ।ସେ ଭାବୁଥିଲା ଆଉଥରେ ଗଲେ କାହାପାଇଁ କଣ ନେଇକରି ଯିବ ।ତେଣୁ ଆଗକୁ ଛୁଟି ମିଳିଲେ ସେମାନେ ବାହାରି ପଡନ୍ତି ତାଙ୍କର ଖୁସିର ଦୁନିଆଁ କୁ।
ଆଜି ଭଗବାନ ତାଙ୍କୁ ଗୋଟେ ନୁହେଁ ବହୁତ ଛୁଆଁ ଦେଇଛନ୍ତି ।ତାଙ୍କ ଖୁସିର ସୀମା ନଥିଲା ।ଆଉ ଖୁସିର ଦୁନିଆଁ ତାଙ୍କୁ ସ୍ୱର୍ଗ ପରି ଲାଗୁଥିଲା ।
