Leena Pani

Tragedy

4.4  

Leena Pani

Tragedy

ଗତାନୁଗତିକ ଚିନ୍ତାଧାରା ଓ ନାରୀ

ଗତାନୁଗତିକ ଚିନ୍ତାଧାରା ଓ ନାରୀ

7 mins
469


ମଣିଷ ଭାବେ ଦୁନିଆଟା ବହୁତ ବଦଳି ଗଲାଣି, ଆଉ ମଣିଷଙ୍କ ଚିନ୍ତାଧାରା ବି ଅନେକ ମାତ୍ରାରେ ବଦଳିଛି ।ମଣିଷ ରୀତିନୀତି, ଚାଲିଚଳନରେ ବହୁତ ଆଗରେ । ସେ ଛାଡ଼ିଆସିଛି ସେହି ପୁରୁଣା ଗାଉଁଲି ଚିନ୍ତାଧାରାକୁ ।କିନ୍ତୁ ଏଇଟା କଣ ସତ୍ୟ ।ଦେଖିବାକୁ ଗଲେ ଆମେ ପଚାଶ ବର୍ଷ ତଳେ ଯେଉଁଠି ଥିଲେ, ଆଜି ବି ସେଇଠାରେ ।ପରିବର୍ତ୍ତନ ଆସିଛି ତା ଖାଲି ପୋଷାକରେ ।

ମିଷ୍ଟର ଦାସ ଜଣେ ରିଟାୟାର୍ଡ ଆର୍ମି ଅଫିସର ।ଆମର ଧାରଣା ଆର୍ମିଅଫିସର ମାନେ ସିଭିଲିୟାନମାନଙ୍କ ଠାରୁ ଅଲଗା ।ଆମର ଯେଉଁଠି ନମସ୍କାରରୁ ସକାଳ ଆରମ୍ଭ ହୁଏ, ତାଙ୍କର ଗୁଡ଼ମର୍ଣ୍ଣିରେ ।ପାର୍ଟିସାର୍ଟି ତାଂକଘରେ ସବୁବେଳେ, ଆଉ ଆମର ଜନ୍ମଦିନ ଓ ଆନିଭର୍ସରିରେ ହି ପାର୍ଟି ହୋଇଥାଏ ।ସେ ପୁଣି ବଡ଼ କଷ୍ଟରେ ସମସ୍ତଙ୍କୁ ରାଜି କରାଇବାକୁ ପଡେ ।ଆଉ ତାଙ୍କର ପାର୍ଟିସାର୍ଟିରେ ଡ୍ରିଙ୍କସ ତ ସାଧାରଣ, ଆଉ ଆମର ହୁଏ କୋଲଡ଼ଡ୍ରିଂକ୍ସ, ସିଙ୍ଗଡ଼ା ପାର୍ଟି ।ତେଣୁ ଆମେ ଭାବୁ ଅର୍ମୀମାନେ ଆମଠାରୁ ସମ୍ପୂର୍ଣ୍ଣ ଅଲଗା ଓ ତାଙ୍କର ଚିନ୍ତାଧାରା ବହୁତ ଉପରେ ।

ଏମିତି ମିଷ୍ଟର ଦାସ ବି ଆର୍ମିଅଫିସର ଥିବାରୁ ନିଜକୁ ଗର୍ବିତ ମନେ କରନ୍ତି ।ସେଦିନ ମିଷ୍ଟର ଦାସ ତାଙ୍କ ସ୍ତ୍ରୀ ନିରୁପମା ଓଡିଶା ଯାଉଥିଲେ ରାଜଧାନୀ ଏକ୍ସପ୍ରେସରେ ।ଟ୍ରେନରେ ଯିବାର ଅଭ୍ୟାସ ନଥିଲେବି, ଅଧିକା ଜିନିଷପତ୍ର ଥିବା ଯୋଗୁଁ ସେମାନେ ଟ୍ରେନରେ ଟିକଟ କାଟିଥିଲେ ।ନିରୁପମା ବିରକ୍ତ ହୋଇ କହୁଥିଲେ, ଆଉ କାହା ହାତରେ ଜିନିଷପତ୍ର ପଠାଇ ଆମେ ଫ୍ଲାଇଟରେ ଯାଇଥିଲେ ଭଲ ହୋଇଥାନ୍ତା ।କିନ୍ତୁ ମିଷ୍ଟର ଦାସ ବଡ଼ ଡିସପ୍ଲିନ ଲୋକ ।ନିଜ କାମ ନିଜେ କରିବାକୁ ଭଲ ପାଆନ୍ତି ।ସେ କହିଥିଲେ କାହିଁକି ଥରଟିଏ ଟ୍ରେନରେ ଗଲେ ଆମର କଣ ଅସୁବିଧା ହୋଇଯିବ । ନିରୁପମା ଚୁପ ହୋଇ ଷ୍ଟେସନରେ ବସି ଫୋନ ପ୍ରତି ଧ୍ୟାନ ଦେଇଥିଲେ । ସେ ଭାବିଲେ ଏହି ଫୋନ ହିଁ ଏକମାତ୍ର ସାହାରା ସମୟ କଟାଇବା ପାଇଁ ।ଗାଡି ଯଥା ସମୟରେ ଆସିଥିଲା, କୁଲି ଦ୍ୱାରା ଜିନିଷପତ୍ର ସେଟ କରି ମିଷ୍ଟର ଦାସ ଓ ନିରୁପମା ନିଜ ବର୍ଥରେ ବସିଥିଲେ ।ତାଙ୍କର ସେକେଣ୍ଡ ଏସିରେ ଟିକଟ ଥିଲା, ତେଣୁ ନିରୁପମା ଭାବୁଥିଲେ ତାଙ୍କ ସାମ୍ନା ସିଟରେ କେଉଁ ପ୍ରକାରର ଲୋକ ଆସିବେ ।କାରଣ ଭଲ ଲୋକ ନଆସିଲେ ଚବିଶ ଘଣ୍ଟାର ଯାତ୍ରା ବଡ଼ କଷ୍ଟ ଦାୟକ ହୋଇଯିବ ।କିଛି ସମୟପରେ ଜଣେ ବୃଦ୍ଧ ବ୍ୟକ୍ତି ଆସି ତାଙ୍କ ସାମ୍ନା ସିଟଟିକୁ ଅକ୍ତିଆର କରିଥିଲେ ।ଗୋଟିଏ ପଟେ ମିଷ୍ଟର ଦାସ ଓ ନିରୁପମାଙ୍କ ସିଟ ଥିଲା, ଆରପଟେ ବୃଦ୍ଧ ଜଣଙ୍କୁ ଛାଡି ଆଉ ଗୋଟିଏ ସିଟ ଥିଲା ।ଏପର୍ଯ୍ୟନ୍ତ ସେଇ ସିଟକୁ କେହି ଆସିନଥିଲେ ।ଗାଡି ଛାଡିବାକୁ ଆଉ ଦୁଇ ତିନିମିନିଟ ଥାଏ ।ପାସେଞ୍ଜରମାନଙ୍କୁ ଛାଡିବା ପାଇଁ ଆସିଥିବା ଲୋକମାନେ ବି ଟ୍ରେନରୁ ଓହ୍ଲାଇ ସାରିଲେଣି ।ବର୍ଥରେ ଆଉ ଭିଡ଼ ନଥିଲା । ପାସେଞ୍ଜେର ମାନେ ବି ନିଜ ଜିନିଷକୁ ସେଟ କରି ନିଜ ନିଜ ଜାଗାରେ ବସି ଫୋନରେ ଲାଗିପଡ଼ିଥିଲେ ।ନିରୁପମା ଭାବିଲେ ଯାହାହେଉ ଭଲହେଲା ଆଉ କେହି ଆସିଲେ ନାହିଁ ।କିନ୍ତୁ ହଠାତ ଝିଅଟିଏ ତାର ଆଟାଚି ଓ ବ୍ୟାଗକୁ ଟାଣି ଟାଣି ଆଣି ତାଙ୍କ ଆଗ ସିଟରେ ଲତ କରି ବସିପଡ଼ିଲା ।ସେ ପୁରା ଝାଳନାଳ ହୋଇ ଯାଇଥାଏ ।ନିରୁପମା ତାକୁ ଦେଖୁଥାନ୍ତି ।ଝିଅଟିର କାହା ପ୍ରତି ଧ୍ୟାନ ନଥାଏ ।ସେ ତାର ଜିନିଷପତ୍ରକୁ ସେଟ କରି,ମୁହଁରୁ ଝାଳ ପୋଛି, ପାଣିବୋତଲ ଖୋଲି ପିଇବାକୁ ଲାଗିଲା ।ସେ ପୁରା ଥକି ଯାଇଥିଲା, ତେଣୁ କିଛି ସମୟ ଆଖି ବନ୍ଦ କରି ବସିରହିଲା ।

କିଛିସମୟ ପରେ ସେ ଯେବେ ଆଖି ଖୋଲିଲା, ନିରୁପମା ତାକୁ ପଚାରିଥିଲେ, ଟ୍ରେନ ଟାଇମ ଅନୁସାରେ ଆସିବାକଥା ।ଲାଷ୍ଟ ମୋମେଣ୍ଟ ଆସିଲେ ଏମିତି ସବୁ ହଇରାଣ ହେବାକୁ ପଡେ । ତୁମ ନୂଆ ଜେନେରସନ ଟାଇମରେ କାମ କରିବା ଅଭ୍ୟାସ ନାହିଁ ।ଝିଅଟି ହସିଦେଇ କହିଲା, ଅଫିସର କାମ ସାରି ଆସୁ ଆସୁ ରାସ୍ତାରେ କ୍ୟାବ ଖରାପ ହେବା ଯୋଗୁଁ ଆଉଗୋଟିଏ କ୍ୟାବ କରି ଆସିବାକୁ ପଡିଲା ।ଏଥିପାଇଁ ପହଞ୍ଚିବାରେ ଡେରି ହେଲା ।ଏହା ଶୁଣି ନିରୁପମାଙ୍କୁ ଟିକିଏ ଖରାପ ଲାଗିବାରୁ ସେ ଚୁପ ହୋଇ ବସିରହିଲେ ।ମିଷ୍ଟର ଦାସ ବି ଚୁପ ରହିବାକୁ ଇସାରା କରିଥିଲେ ।ଦ୍ରୁତ ଗତିରେ ଟ୍ରେନ ଚାଲିଥାଏ ।ଏହିଭିତରେ ଚାହା ଓ sandwich ବି ଦେଇଯାଇଥିଲା ।ନିରୁପମା ଚାହା ପିଇବା ସାଥିରେ ଝିଅଟିକୁ ଦେଖୁଥାନ୍ତି ।ସେ ଚୁପଚାପ ଆଖି ବନ୍ଦ କରି ବସିଥାଏ ।ନିରୁପମା ତାକୁ ଡାକି କହିଲେ, ଚା ପିଇନିଅ ଭଲଲାଗିବ ।ସେ ହଁ କରି ପିଇବା ଆରମ୍ଭ କରିଥିଲା ।ଏହିସମୟରେ ନିରୁପମା ତା ନା ପଚାରିଥିଲେ ।ସେ ଶ୍ରାବଣୀ ବୋଲି କହିଥିଲା ।ନିରୁପମାଙ୍କୁ ନାଁ ଟି ବହୁତ ଭଲ ଲାଗିଥିଲା ।ଝିଅଟି ଦେଖିବାକୁ ବହୁତ ସୁନ୍ଦର ଥିଲା । କେହି ବି ଥରେ ଦେଖିଲେ ଆଖି ଫେରେଇ ପାରିବନାହିଁ ।ନିରୁପମା ଲକ୍ଷ୍ୟ କରୁଥିଲେ ଝିଅଟି, ପାଖରେ ବସିଥିବା ବୃଦ୍ଧ ଜଣଙ୍କୁ ସବୁପ୍ରକାର ସାହାଯ୍ୟ କରୁଥାଏ ।ଏକ ସୁନ୍ଦର ହସଟିଏ ତା ମୁହଁରେ ସବୁବେଳେ ଥାଏ ।ଯାହାକି ତାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇ ଦେଉଥାଏ ।ନିରୁପମାଙ୍କର ବହୁତ ମନ ହେଉଥାଏ ତାର ସାଙ୍ଗରେ କିଛି କଥା ହେବାପାଇଁ ।କିନ୍ତୁ ସେ କାଳେ କଣ ଭାବିବ ଆଉ ମିଷ୍ଟର ଦାସଙ୍କର ଆଖି ଦେଖି ସେ ଚୁପ ବସିଥାନ୍ତି ।କାରଣ ମିଷ୍ଟର ଦାସ ନିରୁପମାଙ୍କର ଅଭ୍ୟାସ ଜାଣିଛନ୍ତି ।କଥା ଆରମ୍ଭ ହେଲେ ଆଉ ସରିବ ନାହିଁ ।ରାତି ନଅଟା ପାଖାପାଖି ହୋଇଆସୁଥାଏ, ଡ଼ିନର ବି ଅସିଯାଇଥାଏ ।ଡ଼ିନର କରିବା ଭିତରେ ସେ ଶ୍ରାବଣୀକୁ ପଚାରିଥିଲେ କଣ କରୁଛ ଓ କେଉଁଠିକୁ ଯିବ ।ସେ କହିଲା ଦିଲ୍ଲୀରେ ସଫ୍ଟୱେର ଇଂଜିନିଅର ଅଛି ଓ ଘର ପୁରୀରେ ।ନିରୁପମା ବହୁତ କିଛି ପଚାରି ନେଇଥିଲେ ।ଶ୍ରାବଣୀ ବି ଖୁସି ଖୁସି ସବୁ କଥା କହୁଥାଏ ।ନିରୁପମାର ମୁହଁର ଖୁସିକୁ ମିଷ୍ଟର ଦାସ ପଢିପାରୁଥିଲେ ।ଆଉ ତାଙ୍କୁ ବି ଝିଅଟି ବହୁତ ଭଲ ଲାଗିଥିଲା ।ଖିଆପିଆ ସରିବା ପରେ ଶ୍ରାବଣୀ ତାର ଥିବା ତଳ ସିଟକୁ ସେହି ବୃଦ୍ଧ ଜଣକୁ ଦେଇ ତାଙ୍କ ପାଇଁ ଚଦର ଆଉ କମ୍ବଳ ପାରି ଦେଇଥିଲା ।ସେ ନିଜେ ଉପର ସିଟକୁ ଯାଇ ନିରୁପମା ଓ ମିଷ୍ଟର ଦାସଙ୍କୁ ଗୁଡ଼ନାଇଟ କହି ଶୋଇଥିଲା ।ନିରୁପମା ମିଷ୍ଟର ଦାସଙ୍କ ପାଖକୁ ଘୁଞ୍ଚି ଆସି ତାଙ୍କ କାନ ପାଖରେ କହିଥିଲେ, ମୁଁ ଯାହା ଭାବୁଛି ତୁମେ ବି ସେୟା ଭାବୁଥିବ ନିଶ୍ଚିନ୍ତ ।ସେ ଟିକିଏ ହସିଦେଇ କହିଲେ ବାହାଘର 28 ବର୍ଷ ହେଲାଣି, ତେଣୁ ପରସ୍ପରଙ୍କର ଚିନ୍ତାଧାରା ବି ସମାନ ।ନିରୁପମା ଆଉ ଟିକିଏ ପାଖକୁ ଆସି କହିଲେ ଆମେ ଯେମିତି ଝିଅ ଖୋଜୁଥିଲେ ଠିକ ସେହିପରି ଝିଅଟି ।ଭଗବାନ ବୋଧେ ଆମ ଶୁଭମ ପାଇଁ ଏହି ଟ୍ରେନରେ ଦେଖାକରାଇଛନ୍ତି । ଝିଅଟି ଯେତିକି ସୁନ୍ଦର, ସେତିକି ଶାନ୍ତଶିଷ୍ଟ ଓ ଭଦ୍ର ।ଚାକିରୀ ବି ଦିଲ୍ଲୀରେ । ଶୁଭମ ଓ ଶ୍ରାବଣୀର ଯୋଡ଼ି ବି ରାମସୀତାଙ୍କ ଯୋଡି ଭଳି ଦେଖାଯିବ ।

ଆଜିକାଲି ଭଲ ଝିଅଟିଏ ପାଇବା କଷ୍ଟକର କଥା ।ଯଦି ନିଜ ମନ ପସନ୍ଦର ଝିଅଟିଏ ମିଳିଛି, ତେବେ ଆଉ ଡେରି କରିବା ଉଚିତ ନୁହେଁ ।ମିଷ୍ଟର ଦାସ କହିଲେ ଟିକିଏ ଥୟ ଧର ।କାଲି ପୁରା ଦିନ ଅଛି, ତାର ସହିତ ଭଲକରି କଥହୁଆ, ତାପରେ ଆଗକୁ ବଢିବା ।କିନ୍ତୁ ନିରୁପମା ଭାବନା ରାଜ୍ୟରେ ଥାଇ, ଶ୍ରାବଣୀକୁ ନିଜ ବୋହୁ ରୂପରେ କଳ୍ପନା କରୁଥିଲେ ।ନିଜ ପୁଅ ଶୁଭମ ସହିତ କେତେ ସୁନ୍ଦର ଦେଖାଯିବ ଭାବୁଥିଲେ ।ନିରୁପମା ଭାବୁଥିଲେ ପୁରା ରାମସୀତା ପରି ଯୋଡି ହେବ ।ଆଉ ଲୋକମାନେ ଏପରି ଯୋଡି ଦେଖି ଆଶ୍ଚର୍ଯ୍ୟ ହୋଇଯିବେ ।ଶ୍ରାବଣୀ ପରି ସୁନ୍ଦର ଏବଂ ଗୁଣର ଝିଅ ଆଜିକି ସମୟରେ ପାଇବା ଏତେ ସହଜ ନୁହେଁ ।ଏମିତି ବହୁତ କଥା ଭାବି ଭାବି ନିରୁପମା କେତେବେଳେ ଶୋଇପଡିଥିଲେ ସେ ଜାଣିପାରିନଥିଲେ ।

ସକାଳୁ ଶ୍ରାବଣୀର ଡାକରେ ନିରୁପମାଙ୍କ ନିଦ ଭାଙ୍ଗିଥିଲା ।ସେତେବେଳକୁ ଟ୍ରେନ ଵୋକାର ଷ୍ଟେସନରେ ପହଞ୍ଚିଥିଲା ।ଶ୍ରାବଣୀ ଚାହା ବାଲାକୁ ରଖି ବଢିଆ ଚାହା ସମସ୍ତଙ୍କୁ ପିଇବାକୁ ଦେଇ, ନିଜେ ପେମେଣ୍ଟ ବି କରିଥିଲା ।ଆଉ କହିଲା ସକାଳ ଚାହାଟା ଭଲ ହେଲେ ପୁରା ଦିନ ମୁଡ ଠିକ ରହିବ ।ଟ୍ରେନର ଚାହା ତ ଏମିତି ଯେ ମୁଡ ଠିକ ହେବା ବଦଳରେ ଖରାପ ହୋଇଯାଏ ।ନିରୁପମା ଶ୍ରାବଣୀର କଥାରେ ହସିଦେଇ ଚା ପିଇଥିଲେ ।ଖାଲି ଚାହା ନୁହେଁ ତା ସାଥିରେ ଭଲ ବେକେରୀ ବିସ୍କିଟ ବି ଦେଇଥିଲା ସମସ୍ତଙ୍କୁ ।ଚା ସାଥିରେ ଶ୍ରାବଣୀର ମିଠା ମିଠା କଥା ଚାହାକୁ ଆହୁରି ଟେଷ୍ଟି କରିଦେଇଥିଲା ।

ଟ୍ରେନ ଦ୍ରୁତ ଗତିରେ ଆଗେଇ ଚାଲିଥାଏ ।ନିରୁପମା ଶ୍ରାବଣୀ ସାଥିରେ ଗପି ଚାଲିଥାନ୍ତି ।ମିଷ୍ଟର

ଦାସ ଓ ସେହି ବୃଦ୍ଧ ଜଣଙ୍କ ବି ମିଶି ଯାଇଥାନ୍ତି ଗପ କରିବାରେ ।ଗପ କରିବା ଭିତରେ ନିରୁପମା ଶ୍ରାବଣୀର ଫୋନ ନମ୍ବର ବି ସେବ କରିସାରିଥିଲେ ।ଶ୍ରାବଣୀର ନମ୍ବରକୁ ନିରୁପମା ନୂଆବୋହୁ ଲେଖି ସେଭ୍ ବି କରିଥିଲେ ।ମିଷ୍ଟର ଦାସ ବି ମନେ ମନେ ଖୁସି ହେଉଥାନ୍ତି ।ଏହିପରି ଗପସପ ଭିତରେ ଟ୍ରେନ ପହଂଚିଥିଲା ବାଲେଶ୍ୱର ଷ୍ଟେସନରେ ।ଦିନ ଦୁଇଟା ପାଖାପାଖି ହୋଇଥିବ, ଶ୍ରାବଣୀ ଟିକିଏ ବ୍ୟସ୍ତ ହୋଇ ଜିନିଷ ସବୁକୁ ଏକାଠି କରିଥିଲା ।ନିରୁପମାଙ୍କର ଲଞ୍ଚ କଲାପରେ ଟିକିଏ ଆଖି ଲାଗିଯାଇଥିଲା ।ହଠାତ ସେ ଉଠି କହିଲେ ଏତେ ବ୍ୟସ୍ତ କାହିଁକି, ଆହୁରି ଦୁଇତିନି ଘଣ୍ଟା ଲାଗିବ ।ଶ୍ରାବଣୀ ଟିକିଏ ହସି ଚୁପଚାପ ବସିରହିଲା ।ନିରୁପମା ଲକ୍ଷ କଲେ ଯେତିକି ଭୁବନେଶ୍ୱର ପାଖେଇ ଆସୁଥାଏ, ଶ୍ରାବଣୀ ସେତିକି ଉଦାସ ଲାଗୁଥାଏ ।ଧୀରେଧୀରେ ଶ୍ରାବଣୀର ହସହସ ମୁହଁଟି ଗମ୍ଭୀର ଦେଖାଯାଉଥାଏ ।ସେ ଆଉ କାହାରି ସାଥିରେ ବେଶିକିଛି କଥା ହେଉନଥାଏ ।ନିରୁପମା ଭାବୁଥିଲେ ଘର ପାଖେଇ ଆସିଲେ ସମସ୍ତଙ୍କ ମନ ଖୁସିରେ ଭରିଯାଏ, କିନ୍ତୁ ଶ୍ରାବଣୀ ଦୁଃଖି କାହିଁକି ।ସେ କିଛି ପଚାରିବାକୁ ସାହସ କରୁନଥିଲେ ।ଟ୍ରେନ ଖାଲି ହୋଇ ଆସୁଥାଏ ।ବହୁତ ଲୋକ ନିଜ ନିଜ ଗନ୍ତବ୍ୟ ସ୍ଥଳରେ ଓହ୍ଲାଇ ସାରିଥିଲେ ।କିଛି ସମୟପରେ ଟ୍ରେନ କଟକ ଷ୍ଟେସନରେ ଆସି ରହିଥିଲା ।ଲୋକମାନେ ଟ୍ରେନରୁ ଓହ୍ଲାଇ ନିଜ ଲୋକଙ୍କୁ ଭେଟ କରି ଖୁସିରେ କୁଣ୍ଢାକୁଣ୍ଢି ହେଉଥାନ୍ତି ।ଆଉ ଶ୍ରାବଣୀ ଚୁପଚାପ ଉପର ସିଟରେ ବସିରହିଥାଏ ।

କିଛିସମୟ ପରେ ଟ୍ରେନ ଷ୍ଟେସନ ଛାଡିବା ପରେ ଶ୍ରାବଣୀ ତଳକୁ ଆସି ତାର ବ୍ୟାଗରୁ ଓଢଣୀଟିଏ ବାହାର କରି ମୁଣ୍ଡରେ ଦେଇ ବେକ ଚାରିପଟେ ଗୁଡ଼ାଇ ଦେଇଥିଲା ।ନିରୁପମା ଚୁପ ହୋଇ ବସିପାରିନଥିଲେ ।ସେ ପଚାରିଥିଲେ ମାଆ ଶ୍ରାବଣୀ ତୁମକୁ କେହି ନେବାପାଇଁ ଆସିବେ ।ସେ ମୁଣ୍ଡ ହଲାଇ ହଁ କରିଥିଲା ।ନିରୁପମା ପୁଣି ପଚାରିଲେ କିଏ ଆସିବେ ? ଶ୍ରାବଣୀ ମୁହଁ ଖୋଲି କହିଥିଲା ମୋ ଶାଶୁ ଶଶୁର ।ନିରୁପମା ଚମକି ପଡ଼ିଥିଲେ ।ଖାଲି ନିରୁପମା ନୁହେଁ ମିଷ୍ଟର ଦାସ ମଧ୍ୟ ।ନିରୁପମା କହିଥିଲେ, ତୁମେ ବିବାହିତ କିନ୍ତୁ ତୁମ ପାଖରେ କୌଣସି ସଧବାର ଚିହ୍ନ ନାହିଁ ।ଆଜିକାଲି ଝିଅମାନେ ବାହାଘର ହେଲାପରେବି ଚୁଡ଼ି ଓ ସିନ୍ଦୁର ଲଗାଇବାକୁ ଚାହୁଁନାହାନ୍ତି ।ଶ୍ରାବଣୀ ସମ୍ଭାଳି ପାରିନଥିଲା ନିଜକୁ,ତାର ଆଖିରୁ ଧାର ଧାର ଲୁହ ବୋହିଆସିଥିଲା ।ନିରୁପମା ତାର ପାଖକୁ ଯାଇ ପଚାରିଥିଲେ, କାହିଁକି କାନ୍ଦୁଛ ?ତୁମ ଶାଶୁଘର ଲୋକ ଭଲ ନୁହଁନ୍ତିକି ।ଶ୍ରାବଣୀ ଆଖିରୁ ଲୁହ ପୋଛି କହିଲା, ଆଣ୍ଟି ମୋ ଶାଶୁଶଶୁର ବହୁତ ଭଲ ।ସେମାନେ ମୋତେ ଝିଅ ପରି ରଖିଛନ୍ତି ।କିନ୍ତୁ ଆଣ୍ଟି ମୁଁ ସଧବା ନୁହେଁ ବିଧବା ।ନିରୁପମାଙ୍କ ଆଖିରୁ ଧାର ଧାର ଲୁହ ବୋହିଚାଲିଥିଲା ।ସେ ଶ୍ରାବଣୀକୁ କଣ ଚୁପ କରାଇବେ, ସେ ନିଜେ ତାକୁ କୁଣ୍ଢାଇ କାନ୍ଦୁଥିଲେ ।ଏତେ ସୁନ୍ଦର ଝିଅର ଭାଗ୍ୟ ପୁଣି ଏମିତି ଥାଇପାରେ ।ଶ୍ରାବଣୀ କହିଥିଲା ମୋ ସ୍ୱାମୀ ଜଣେ ଆର୍ମିଅଫିସର ଥିଲେ ।ବାହାଘର ପରେ ତାଙ୍କର କାଶ୍ମୀରରେ ପୋଷ୍ଟିଙ୍ଗ ହୋଇଥିଲା ।ବାହାଘରର ଗୋଟିଏ ବର୍ଷପରେ ସେ ଆତଙ୍କବାଦୀଙ୍କ ଦ୍ଵାରା ସହୀଦ ହୋଇଯାଇଥିଲେ ।ଆଜି ଶାଶୁଶଶୁରଙ୍କ ସପୋର୍ଟ ଯୋଗୁଁ ମୁଁ ଦିଲ୍ଲୀରେ ଚାକିରୀ କରୁଛି ।ଆଉ ଏବେ ମୋ ସ୍ୱାମୀଙ୍କର ବର୍ଷିକୀୟା ।ସେଥିପାଇଁ ମୁଁ ଯାଉଛି ଘରକୁ ।ନିରୁପମାଙ୍କ ମୁହଁରେ ଭାଷା ନଥିଲା, ସେ କଣ କହିବେ କିଛି ବୁଝିପାରୁନଥିଲେ ।ମିଷ୍ଟର ଦାସ ବି ଚଷମା ଖୋଲି ନିଜ ରୁମାଲରେ ଲୁହ ପୋଛୁଥିଲେ ।ଏହି ସମୟରେ ଟ୍ରେନ ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିଥିଲା ।ଶ୍ରାବଣୀ ଦୁଇଜଣଙ୍କ ପାଦ ଛୁଇଁ ଓହ୍ଲାଇ ଯାଇଥିଲା ।

ନିରୁପମା ଓ ମିଷ୍ଟର ଦାସ ଚୁପ ହୋଇ ବସିରହିଥିଲେ ।କୁଲି ଆସି କହିଥିଲା, ବାବୁ ଓହ୍ଲାଇବେନାହିଁକି ? ନିରୁପମା ଓ ମିଷ୍ଟର ଦାସ ଟ୍ରେନରୁ ଓହ୍ଲାଇ ଟ୍ୟାକ୍ସି କରି ପୁରୀ ଅଭିମୁଖେ ଚାଲିଥିଲେ ।ନିରୁପମାଙ୍କ ସ୍ୱପ୍ନ ଚୁରମାର ହୋଇଯାଇଥିଲା ।ନିରୁପମା କହିଲେ ଆମେ ନିଜକୁ ଏତେ ସ୍ମାଟ ଭାବୁଛେ, ସବୁବେଳେ କହୁଛେ ଦୁନିଆଁ ବହୁତ ବଦଳି ଗଲାଣି ଓ ଲୋକଙ୍କ ଚିନ୍ତାଧାରା ବି ।ତେବେ ଆମେ ଆମ ଚିନ୍ତାଧାରାକୁ ବଦଳାଇବା ନାହିଁ କାହିଁକି ।ଆମେ ଶ୍ରାବଣୀକୁ ବୋହୁ କରି ଆଣିପାରିବକି ? ନିରୁପମା ମିଷ୍ଟର ଦାସଙ୍କୁ ଦେଖୁଥିଲେ ।କିନ୍ତୁ ମିଷ୍ଟର ଦାସ ଚୁପ ରହିଥିଲେ ।ନିରୁପମା ଭାବୁଥିଲେ ଆର୍ମିଅଫିସର ହେଉ କି ସିଭିଲିୟାନ ହେଉ ସମସ୍ତଙ୍କର ଚିନ୍ତାଧାରା ସମାନ ।ମିଷ୍ଟର ଦାସ କାହା ସହିତ କଥାହେଉଥିଲେ ଶୁଭମ ପାଇଁ ଝିଅ ଦେଖିଯିବା ପାଇଁ ।ନିରୁପମା ଚୁପହୋଇ ଜଗନ୍ନାଥଙ୍କ ପାଖରେ ଶ୍ରାବଣୀ ପାଇଁ ଶୁଭକାମନା କରୁଥିଲେ । 



Rate this content
Log in

Similar oriya story from Tragedy