lLeena Pani

Drama

4  

lLeena Pani

Drama

ଜୀବନ ର ଚଲା ପଥେ

ଜୀବନ ର ଚଲା ପଥେ

5 mins
371


ସମୃଦ୍ଧି ବସିରହି ଅନନ୍ତ ଜଳରାଶି କୁ ଦେଖି ଭାବୁଥିଲା ତାର ଏହି ପରିସ୍ଥିତି ପାଇଁ ଦୋଷୀ କିଏ ?କାହାକୁ ସେ ଦୋଷ ଦେବ ।ବୟସ ଥିଲେ ମଣିଷ ଇନ୍ଦ୍ର ଚନ୍ଦ୍ର ମାନେନାହିଁ ।କିନ୍ତୁ ବୟସ ସବୁବେଳେ ନଥାଏ ।ବୟସ ବଢିଲେ ମଣିଷ ଭାବେ ସେ କାହିଁକି ଏମିତି ଭୁଲ କଲା ।ସମୃଦ୍ଧି ଦେଖୁଥିଲା ବହୁତ ଲୋକ ଏହି ଗୋଆ କୁ ଆସୁଛନ୍ତି ,ଆଉ ମଜା କରି ,ଖୁସିହୋଇ ଘରକୁ ଫେରୁଛନ୍ତି ।କିନ୍ତୁ ସମୃଦ୍ଧି ଫେରିପାରିନଥିଲା ।କାହାପାଇଁ ଫେରିବ ,କାହିଁକି ଫେରିବ ?ଦିନେ ସେ କାହାକୁ ଗୁରୁତ୍ୱ ଦେଇନଥିଲା ।ବାପମାଆ ଙ୍କ କଥାକୁ ଖାତିର କରୁନଥିଲା ।କୌଣସି ସମ୍ପର୍କକୁ ସେ କେବେ ସଂମାନ ଦେଇନି ।ତେବେ ତାକୁ ଘର ଲୋକ କାହିଁକି ଖୋଜିବେ ।ସେ ନିଜକୁ ସମସ୍ତଙ୍କ ପାଖରେ ଅଦରକାରୀ କରିଦେଇଛି ।ତା ଆଖିରେ ଲୁହ ଆସିଯାଇଥିଲା ।ଲୁହ ନିରନ୍ତର ବୋହି ଚାଲିଥିଲା ।ସମୃଦ୍ଧି ଲୁହ ପୋଛିବାକୁ ଚାହୁଁଥିଲା ।ସେ ଥକି ଯାଇଥିଲା ଆଉ ଚାହୁଥିଲା କେହି ଜଣେ ଆସି ତାର ପାଖରେ ବସି ଲୁହ ପୋଛିଦିଅନ୍ତାକି ।

ଦିନେ ସମୃଦ୍ଧି ବାପାମାଆ ଙ୍କୁ କିଛି ନକହି ସାଙ୍ଗ ମାନଙ୍କ ସାଥିରେ ଆସିଥିଲା ଗୋଆ ଟ୍ରିପ ରେ । ସମୃଦ୍ଧି ବହୁତ ଥର ମିଛକହି ଯାଇଛି ସାଙ୍ଗମାନଙ୍କ ସାଥିରେ ।କଲେଜ ସମୟରେ ବୁଲାବୁଲି ପାଇଁ ଟଙ୍କା ଦରକାର ହେଲେ ମାଆ ଙ୍କୁ ବହୁତ କହି ଗୋଡ଼ହାତ ଧରି ବ୍ୟବସ୍ଥାା କରୁଥିଲା ।ଆଉ କେବେକେବେ ମାଆ ଙ୍କ ପର୍ସରୁ କିଛିଟଙ୍କା ବାହାର କରିନିଏ ।ଧରା ପଡିଲେ ମାଡ଼ବି ଖାଏ ।କିନ୍ତୁ ସେଥିପାଇଁ ସେ କିଛି ଭାବେନାହିଁ କି କିଛି ଫରକ ପଡେନି ତାକୁ ।ଏବେତ ସେ ନିଜେ ଚାକିରୀ କରୁଛି ।ତାକୁ ଆଉ କାହାକୁ ମାଗିବାକୁ ପଡୁନି କି ସେ ବାପମାଆ ଙ୍କ କଥାକୁ ଖାତିର କରେନି ।ବାପମାଆ ଙ୍କୁ ଜଣାଇବା ଜରୁରୀ ଭାବେନି ।ସେ ଭାବେ ଏମାନେ ନିଜ ଜୀବନରେ କେବେ ତ ମଜା କରିନାହାନ୍ତି,ତେଣୁ ତାକୁ ମଜା କରିବାକୁ ଛାଡୁନାହାନ୍ତି ।

ସମୃଦ୍ଧି ର ବାପା ଏକ ବ୍ୟାଙ୍କ ରେ କ୍ଲାର୍କ ଚାକିରୀ କରୁଥିଲେ ,ଆଉ ମାଆ ପ୍ରାଇମେରୀ ସ୍କୁଲ ଟିଚର ।ଯେତିକି ପଇସା ଘରକୁ ଆସେ ,ସେଥିରେ ବିନା ଆଡମ୍ବରରେ ଚଳି ଯାଉଥିଲେ ସେମାନେ ।ସେମାନେ ମାନେ ସମୃଦ୍ଧି ,ତାର ସାନ ଭଉଣୀ ଆଉ ବାପାମାଆ ।କିନ୍ତୁ ସମୃଦ୍ଧି କୁ ଭଲଲାଗେନି ଏମିତି ସାଧାରଣ ଜୀବନ ।ସେ ଭାବେ ଏ କଣ ଗୋଟେ ଲାଇଫ ।ସପିଙ୍ଗ କରିଗଲେ ଆଗେ କେତେ ଦାମ ଅଛି ଦେଖ ,ତାପରେ ବଜେଟ ରେ ଆସିଲେ ଅନୁମତି ମିଳିବ କିଣିବାକୁ ।ନଚେତ କିଛି ବାହାନା କରି ଫେରିଆସ ।ଆଉ ବାହାରକୁ ଖାଇବାକୁ ଗଲେ ମେନୁ ସାଥିରେ ରେଟ ବି ଦେଖ ।ସମୃଦ୍ଧି ବିରକ୍ତ ହୋଇଯାଇଥିଲା ,ଏପରି ଜୀବନ ଶୈଳୀ ତାକୁ ପସନ୍ଦ ନଥିଲା ।ତେଣୁ ସେ ଚାହୁଁଥିଲା ବହୁତ ଟଙ୍କା ରୋଜଗାର କରିବାପାଇଁ ।ଗ୍ରାଜୁଏସନ ପରେ ସେ ଆଗକୁ ପଢିବାକୁ ଚାହୁନଥିଲା ।କାରଣ ତାର ଗୋଟିଏ ଲକ୍ଷ୍ୟ ଥିଲା ଚାକିରୀ ।ଚାକିରୀ ବି ମିଳିଲା ,କିଛି ବର୍ଷ ପରେ ଦରମା ବି ଭଲ ମିଳୁଥିଲା ।ସେ ସେଥିରେ ବହୁତ ଖୁସ ବି ଥିଲା ।କିନ୍ତୁ ତାକୁ ଭଲ ଲାଗୁନଥିଲା ଯେ ଚାକିରୀ କଲାପରେ ବି କୁଆଡେ ଯିବାପାଇଁ ହେଲେ ବାପମାଆ ଙ୍କ ପରମିଶନ ନେବାକୁ ପଡୁଥିଲା ।କେଉଁଠି ରାତିରେ ରହିଗଲେ ହଜାର ଏକ୍ସପ୍ଲାନେସନ ଦେବାକୁ ପଡେ ।ତେଣୁ ସେ ନିଷ୍ପତ୍ତି ନେଲା ଅଫିସ ପାଖରେ ଘର ନେଇ ରହିବ ।ଘରେ କହିଥିଲା ଯିବା ଆସିବାରେ ଅସୁବିଧା ହେଉଛି ,ତେଣୁ ସେ ଅଫିସ ପାଖରେ ଘର ନେବ ।

ସମୃଦ୍ଧି ଦୁଇ ବେଡ଼ରୁମ ର ସୁନ୍ଦର ଘର ଟିଏ ଭଡା ନେଇ ,ତାର ମନ ମୁତାବକ ସଜାଇ ଥିଲା ।ସେ ଘରକୁ ଆସିବା ପରଠାରୁ ସବୁ ଶନିବାର ରାତିରେ ପାର୍ଟି ।ଖାଇବା ପିଇବା ସବୁ ଚାଲେ ।କାରଣ କେହି ରୋକ ଠୋକ କରିବାକୁ ନାହିଁ ।ସାଙ୍ଗ ସାଥି ଆସନ୍ତି ମଉଜ ମଜଲିସ କରି ଯାଆନ୍ତି ।ସମୃଦ୍ଧି କୁ ଘରେ ବାହାଘର ହେବ ପାଇଁ ବହୁତ କହୁଥିଲେ ,କିନ୍ତୁ ସେ ଚାହୁନଥିଲା ବାହା ହେବା ପାଇଁ ।ସେ ଜାଣିଥିଲା ବାହାଘର ପରେ ସବୁ ବନ୍ଧନ ଏବଂ ଦାଇତ୍ୱ ଆସିଯିବ ।ଆଉ ଉଡୁଥିବା ପକ୍ଷୀକୁ ପିଞ୍ଜରା ରେ ବନ୍ଦ କରିଦେଲେ ତାର ଯେପରି ଶ୍ୱାସ ରୁଦ୍ଧ ହୋଇଯିବ, ସମୃଦ୍ଧି ଭାବୁଥିଲା ତାର ଅବସ୍ଥା ବି ସେୟାହେବ ।ତେଣୁ ଅତି ଜରୁରୀ ନହେଲେ ସେ ଘରକୁ ଯାଏନି ।ଏହିପରି ପାଞ୍ଚ ବର୍ଷ ବିତିଯାଇଥିଲା ।ଘରେ ସାନ ଭଉଣୀ ର ବାହାଘର କରିଦେଇଥିଲେ ।ସମୃଦ୍ଧି ଘରକୁ ଯିବା ପୁରା ବନ୍ଦ କରିଦେଇଥିଲା ।

ସମୃଦ୍ଧି ର ସବୁ ସାଙ୍ଗ ଗୋଆ ଯିବାର ପ୍ଲାନ କରିଥିଲେ ।ପୁଅ ଝିଅ ମିଶି ଦଶ ଜଣର ଗ୍ରୁପ ଥିଲା ।ପନ୍ଦର ଦିନର ପ୍ଲାନ କରି ବାହାରିଥିଲେ ସେମାନେ ଏବଂ ପୁରା ଏନଜୟ କରିବାର ମୁଡ ରେ ।ଖାଇବା ପିଇବା ଓ କ୍ୟାସିନୋ ରେ ରାତି ରାତି ଜୁଆ ଖେଳିବା , ଡ୍ୟାନ୍ସ କରିବା ଚାଲିଥାଏ ।ସେମାନେ ଆଉ ଗୋଟିଏ ଗ୍ରୁପ ସାଥିରେ ମିଶି ଥିଲେ ।ସମୃଦ୍ଧି ର ସବୁଠାରୁ ଭଲ ସାଙ୍ଗ ରାଜୀବ ସେମାନଙ୍କୁ ଆଣି ତାଙ୍କ ସାଥିରେ ମିଶାଇଥିଲା ।ସମୃଦ୍ଧି ରାଜୀବ କୁ ଆଖି ବନ୍ଦ କରି ବିଶ୍ୱାସ କରେ ଓ ଭାବେ ଦୁନିଆରେ ସେ ସବୁଠାରୁ ଭଲ ପିଲା ।ସମୃଦ୍ଧି ରାଜୀଵ କୁ ବହୁତ ଭଲପାଏ ବି ।ସେ ମନେ ମନେ ଭାବୁଥାଏ ଯେ ,ଏହି ଟ୍ରିପ ସରିଲେ ସେ ରାଜୀଵ କୁ ନେଇ ବାପମାଆ ଙ୍କ ସାଥିରେ ଦେଖା କରାଇବ ।ସମସ୍ତ ଙ୍କର ମନ ଥାଏ ବାହାହେବା ପାଇଁ ।ସମୃଦ୍ଧି ବି ରାଜୀଵ କୁ ନେଇ ଦେଖୁଥିଲା ବହୁତ ସ୍ୱପ୍ନ ।ଆଉ କେତେ ଦିନ ଏପରି ବୁଲିବ ।ତାର ସାଙ୍ଗ ସାଥି ମାନଙ୍କର ବାହା ହୋଇ ପିଲାଛୁଆ ହୋଇସାରିଲାଣି ।ତେଣୁ ସେ ଆଉ ଡେରି କରିବାକୁ ଚାହୁନଥିଲା ।

ସମୃଦ୍ଧି କୁ ଗୋଆ ଆଉ ଏତେ ଭଲ ଲାଗୁନଥିଲା ।କିନ୍ତୁ ଗ୍ରୁପରେ ଆସିଥିବା ଯୋଗୁ କିଛି କହିପାରୁନଥିଲା ।ସେଦିନ ରାତିରେ ଦୁଇ ଗ୍ରୁପ ଏକାଠି Bigdaddy casino ଯିବାର ପ୍ଲାନ କଲେ ।ପୁରା ରାତି ଡ୍ୟାନ୍ସ ,ଡ୍ରିଙ୍କ ଚାଲିଥାଏ ।ପିଇବାରେ କଣ ମିଶିଥିଲା କେଜାଣି ସମୃଦ୍ଧି କୁ ଭଲ ଲାଗୁନଥିଲା ।ସେ ରାଜୀବକୁ ଖୋଜୁଥିଲା ,ସେଠାରୁ ପଳାଇଯିବା ପାଇଁ ।କିନ୍ତୁ ସବୁଆଡେ ଧୂଆଁ ଧୂଆଁ ,କାହାରି ମୁହଁ ଭଲକରି ଦେଖାଯାଉନଥିଲା ।ତାକୁ ଲାଗିଲା ଯେପରି ଡ୍ରଗ୍ସ ର ଗନ୍ତାଘର ,କାହାର ହୋସ ନଥାଏ ।ସମୃଦ୍ଧି ର ମୁଣ୍ଡ ବୁଲାଇ ଦେଲା ,ସେ ପଡୁ ପଡୁ କାହାକୁ ଧରି ପକାଇଲା ।ତାପରେ ତାର ଆଉ କିଛି ମନେ ନାହିଁ ।

ଯେବେ ହୋସ ଆସିଲା ,ସେ ଥିଲା ଗୋଟିଏ ଅନ୍ଧାର ରୁମ ଭିତରେ ।ସେ ଉଲଂଗ ଅବସ୍ଥାରେ ପଡିରହିଥିଲା ।ବୁହୁତ ଚେଷ୍ଟା କଲା ଉଠିବା ପାଇଁ ,କିନ୍ତୁ ଉଠିପାରିଲାନି ।ଏମିତି ଦିନରାତି ବିତି ଚାଲିଥାଏ ।ତା ସହିତ କଣ ହେଉଛି ,ସେ ନିଜେ ଜାଣିପାରୁନଥାଏ ।କେହିଜଣେ ଆସି ତାକୁ କିଛି ଖୁଆଇ ଦିଏ ଆଉ ଇଂଜେକସନ ଦେଇଚାଲିଯାଏ ।ସେ ସେପରି ବେଡ଼ ରେ ପଡି ରହିଥାଏ ।ମଝିରେ ମଝିରେ କେତେଜଣ ଆସି ତାର ଦେହକୁ ଖିନଭିନ କରି ଚାଲିଯାଉଥିଲେ ।ସେ ଲାସ ପରି ପଡ଼ିରହିଥାଏ ,ସେ କାହାକୁ କିଛି କହିପାରୁନଥାଏ କି ବାଧା ଦେଇପାରୁନଥାଏ ।ତାକୁ ନା ସମୟ ନା ଦିନରାତି କିଛି ଜଣା ପଡୁନଥିଲା ।ତା ପାଖକୁ କେତେ ଲୋକ ଆସିଲେ କେତେ ଗଲେ ତାର ହିସାବ ସେ ପାଏନି ।ଖାଲି ତା ଆଖିରୁ ବୋହି ଚାଲିଥାଏ ଲୁହ ।ମନ ଓ ମୁଣ୍ଡ କାମ କରିବା ବନ୍ଦ କରିଦେଇଥାଏ ।

ହଠାତ ସମୃଦ୍ଧି ଲକ୍ଷ କଲା ତା ପାଖକୁ ଲୋକଆସିବା କମ ହୋଇଯାଇଥିଲା ।ଧୀରେଧୀରେ ସେ ନିଜକୁ ସମ୍ଭାଳି ନେଉଥିଲା କିଛିଦିନ ପରେ ସେ ନିଜକୁ ସମୁଦ୍ର କୂଳରେ ପାଇଥିଲା ।ତାକୁ କିଛି ଲୋକ ଆଣି ସେଠାରେ ପକାଇ ଦେଇଯାଇଥିଲେ ।ସେ ସବୁଆଡେ ଦେଖିଲା କେହିକୁଆଡ଼େ ଦେଖା ଯାଉନଥିଲେ ।ସେ ପ୍ରଥମେ ଭାବିଲା କୌଣସି ଦୀପରେ ଅଛି ବୋଧେ ।ବହୁତ କଷ୍ଟରେ ସେ କିଛିବାଟ ଆସିଲାପରେ, ସେ ଦେଖିଲା ଗୋଟିଏ ବୋର୍ଡ ରେ ଲେଖା ହୋଇଛି ବାଘା ବିଚ ।ତେଣୁ ସେ କନଫର୍ମ ହେଲା ଯେ ଏଇଟା ଗୋଆ ।କିନ୍ତୁ ଗୋଆରେ କେହି ଜଣେ ଦେଖାଯାଉନଥିଲେ ।କାଉ ଓ କୁକୁର ବିନା କେହି କୁଆଡେ ନଥିଲେ ।କଣ ପରିସ୍ଥିତି ସେ କିଛି ବୁଝିପାରୁ ନଥିଲା ।ତାକୁ ବହୁତ ଭୋକ ଓ ଶୋଷ ଲାଗୁଥିଲା । ସେ କୁଆଡେ ଯିବ ଭାବିପାରିଲାନି ସେ ସେଇଠାରେ ବେହୋସ ହୋଇ ପଡିଗଲା ।

ତାପରେ ଯେବେ ତାକୁ ହୋସ ଆସିଲା ,ସେ ନିଜକୁ ଏକ ସରକାରୀ ହସ୍ପିଟାଲ ରେ ପାଇଲା ।ତାକୁ ଟିକିଏ ଭଲ ଲାଗୁଥିଲା ,ସେ ଦେଖିଲା ହସ୍ପିଟାଲ ରେ ସମସ୍ତେ ନିଜକୁ ପୁରା କଭର କରି ପେସେଣ୍ଟ ପାଖକୁ ଆସୁଥିଲେ।ନିଜର ଆତ୍ମୀୟ ସ୍ଵଜନ ଙ୍କୁ ବି ଭିତରକୁ ପ୍ରବେଶ ନଥିଲା ।ସେ ଆଶ୍ଚର୍ଯ୍ୟ ହୋଇ ପାଖ ବେଡ଼ରେ ଥିବା ସ୍ତ୍ରୀଲୋକ କୁ ପଚାରିଥିଲା ।ସେ ସମୃଦ୍ଧି କୁ ଟିକିଏ ଚାହିଁ କହିଲା ,ବର୍ତ୍ତମାନ ଦୁନିଆଁ ରେ କଣ ଚାଲିଛି ତୁମେ କିଛି ଜାଣିନ ।ସମୃଦ୍ଧି କଣ କହିବ ବୁଝିପାରୁନଥିଲା ।ସେହି ସ୍ତ୍ରୀ ଲୋକଟି ସବୁ ବୁଝାଇଥିଲା କୋରନା ବିଷୟରେ ।ଏହି ସାଙ୍ଘାତିକ ବିମାରୀ ଦ୍ୱାରା କେତେଲୋକ ମୃତ୍ୟୁବରଣ କଲେଣି ,ସବୁ ଶୁଣୁଥିଲା ସମୃଦ୍ଧି ,ତାଆଖିରେ ଲୁହ ଆସିଯାଇଥିଲା ।

ସମୃଦ୍ଧି ଧୀରେଧୀରେ ଭଲ ହୋଇ ଆସୁଥିଲା ।ସେ ଭାବୁଥିଲା ଘରକୁ ଫୋନ କରିବକି ନାହିଁ ।ସେ କେଉଁ ମୁହଁରେ ଘରକୁ ଯିବ ,ଘରେ କହିବ କଣ ।କିନ୍ତୁ ହସ୍ପିଟାଲ ରୁ ଯିବ କୁଆଡ଼େ ?ସେ ଦେଖିଲା ବହୁତ ସମାଜସେବୀ ଆସି ଲୋକଙ୍କର ସେବା କରୁଛନ୍ତି ।ତେଣୁ ସେ ମନେମନେ ଭାବିଲା ଭଲ ହେଲାପରେ ଏଠାରେ ରହି ସମସ୍ତଙ୍କର ସେବାକରିବ ।ସେ ଭଲହୋଇ ସମାଜସେବୀକା ଙ୍କ ସାଥିରେ ମିଶି ଗାଁ ଗାଁ ବୁଲି ସମସ୍ତଙ୍କର ସେବା କରିଥିଲା ।କୋଭିଡ ର ଭୟଙ୍କର ତାଣ୍ଡବ ଯୋଗୁଁ ବହୁତ ପିଲା ଅନାଥ ହୋଇଯାଇଥିଲେ ।ସେମାନଙ୍କ ଦୁଃଖ ଦେଖି ସମୃଦ୍ଧି ନିଜ ଦୁଃଖ ଭୁଲିଯାଇଥିଲା ।

ସମୃଦ୍ଧି ଭାବୁଥିଲା ଖାଇବା ପିଇବା ଓ ବୁଲିବାରେ ସେ ଯେଉଁ ଖୁସି ପାଇନଥିଲା ,ତାହା ଆଜି ତାକୁ ସେବାକରିବା ରେ ହି ମିଳିଥିଲା ।ଏକ ଅହେତୁକ ଆନନ୍ଦ ସେ ଅନୁଭବ କରୁଥିଲା ।ସେ ଜାଣିପାରିଥିଲା କୌଣସି ଜାଗାକୁ ଯାଇ ଏଂଜୟ କର ,କିନ୍ତୁ ସବୁର ନିର୍ଦିଷ୍ଟ ସମୟ ଓ ସୀମା ରହିବା ଜରୁରୀ ।ସମୃଦ୍ଧି ମୁହଁରେ ପ୍ରକୃତ ହସ ଆସିଯାଇଥିଲା ।ସେ ସମାଜ ସେବୀଙ୍କ ସାଥିରେ ମିଶି ଲୋକକଲ୍ୟାଣ ଅଭିଯାନରେ ବାହାରି ଯାଇଥିଲା।


Rate this content
Log in

Similar oriya story from Drama