Leena Pani

Abstract Drama

4.8  

Leena Pani

Abstract Drama

ଭିନ୍ନ ପ୍ରେମ

ଭିନ୍ନ ପ୍ରେମ

6 mins
404


ଆରୁଷି ଭାବୁଥିଲା ସତରେ କଣ ପ୍ରେମ ବିନା ମଣିଷ ବଞ୍ଚି ପାରିବ ନାହିଁ । ସବୁ ମଣିଷ କଣ ପ୍ରେମ କରେ ? ପ୍ରେମ ବିନା ବି ମଣିଷ ବଞ୍ଚିରହେ, ବୋଧେ ତାକୁ ବଞ୍ଚିବା କୁହାଯାଏ ନାହିଁ । ପ୍ରେମ ଏକ ମିଠା ଅନୁଭଵ। ଅନୁଭବ କରିବାର କ୍ଷମତା ତ ଭଗବାନ ସମସ୍ତଙ୍କୁ ଦେଇଛନ୍ତି । କିନ୍ତୁ ଏହି ଅନୁଭବ କାହାପାଇଁ ମିଠା ତ କାହାପାଇଁ ଖଟା । ଏହି ମିଠା ଅନୁଭବ ଯଦି ମଣିଷ ପାଖରେ ନଥାନ୍ତା, ତେବେ ଜୀବନ ମୂଲ୍ୟହୀନ ଲାଗନ୍ତା ।

ଅରୁଷି ବି ପ୍ରେମ କରିଥିଲା । ସ୍କୁଲ ସମୟରୁ ସେ ଆକାଶ କୁ ଭଲ ପାଏ । କିନ୍ତୁ ସେ କେବେ ତାର ଭଲପାଇବାକୁ ବ୍ୟକ୍ତ କରିନି ଆକାଶ ଆଗରେ । ସେ ଡରେ କାଳେ ତାର ଭଲପାଇବାକୁ ଆକାଶ ବୁଝିପାରିବନି । ଆକାଶ ଏତେ ଭଲ ଦେଖିବାକୁ ଥିଲାଯେ, ସେ ସବୁ ଝିଅଙ୍କର କ୍ରସ ଥିଲା । ତେଣୁ ଅରୁଷି ନିଜର ଅନୁଭବ କୁ ନିଜ ଭିତରେ ସାଇତି ରଖିଥିଲା । ଏକାଠି ସ୍କୁଲ ଯିବା, ଖାଇବା, ବସିବା, ଗପମରିବା ସବୁ କଲେବି, ଅରୁଷି ତାର ଫିଲିଙ୍ଗସ କୁ ନା କହିପାରେ ନା ଆକାଶ ବୁଝିପାରେ ।ଏମିତି ସ୍କୁଲର ପାଠପଢା ସରିଯାଇଥିଲା ।

ଏହାପରେ ସମସ୍ତଙ୍କର ନୂତନ ଜୀବନ ର ଆରମ୍ଭ ।ସମସ୍ତେ ଆଡ଼ମିସନ ରେ ବ୍ୟସ୍ତ ।ଆକାଶ ର ବାପା ତାକୁ ଇଂଜିନିୟରିଂ ପଢିବା ପାଇଁ ପଠାଇଥିଲେ ଦିଲ୍ଲୀ ।ଆରୁଷି ଗାଁ ପାଖ କଲେଜରେ ନାଁ ଲେଖାଇଥିଲା ।ସେ ପାଠପଢ଼ାରେ ଏତେ ଭଲ ନଥିଲା,ତେଣୁ ତାର ବାପା ତାର ବାହାଘର ପାଇଁ ଦେଖିବା ଆରମ୍ଭ କରିଦେଇଥିଲେ ।କିନ୍ତୁ ଅରୁଷିର ମନ ଆକାଶ ପାଖରେ ଥାଏ ।କିନ୍ତୁ କାହାକୁ କହିବାକୁ ସାହସ ନଥାଏ । ଏମିତି ତାର ଭଲପାଇବାକୁ ନିଜମନ ଭିତରେ ରଖି ସେ ଦିନ କାଟୁଥାଏ ,ଆଉ ଭାବୁଥାଏ ସେ ଯଦି ଏତେ ପ୍ରେମ କରୁଛି ଆକାଶ କୁ ତେବେ ଦିନେନାଦିନେ ସେ ବୁଝିପାରିବ ।ଏମିତି ଅରୁଷି ର ଗ୍ରାଜୁଏସନ ସାରିଯାଇଥିଲା ।ଖରାଛୁଟିରେ ଆକାଶ ବି ଆସିଥାଏ ଗାଁକୁ ।ତାର ସାଥିରେ ଆସିଥାଏ ତାର ବେଷ୍ଟ ଫ୍ରେଣ୍ଡ ପ୍ରତୀକ ।ଆକାଶ ଆସିବା ଶୁଣି ଅରୁଷି ର ଗୋଡ ତଳେ ଲାଗୁନଥାଏ ।ସେ ଯାଇ କିପରି ଆକାଶ ସାଥିରେ ଦେଖାକରିବ ଭାବୁଥାଏ ।କିନ୍ତୁ ଏତେଦିନ ପରେ ସେ ଆକାଶକୁ କଣ କହିବ ।ସେମିତି ବି ସେ ଆକାଶ ଘରକୁ ବହୁତ ଦିନ ହେଲା ଯାଇନାହିଁ ,କି କାହାର ଭଲମନ୍ଦ କେବେ ବୁଝିନାହିଁ ।ଆଉ ଏମିତି ଅଚାନକ ତାଙ୍କ ଘରକୁ ଯିବା ତାକୁ ଠିକ ଲାଗୁନଥିଲା ।କିନ୍ତୁ ମନ ବ୍ୟାକୁଳ ହେଉଥିଲା ଆକାଶ ର ଗୋଟିଏ ଝଲକ ଦେଖିବା ପାଇଁ ।

ସକାଳୁ କାମ ସାରି କଣ କରିବ ଭାବୁ ଭାବୁ ଫୋନ ରିଙ୍ଗ ହୋଇଥିଲା ।କିନ୍ତୁ ଅଜଣା ନମ୍ବର ଥିବା ଦେଖି ସେ ଉଠାଇ ନଥିଲା ।ତାପରେ କିଛିସମୟ ପରେ ତାର ସାଙ୍ଗ ଆସୀମା ର ଫୋନ ଆସିଥିଲା ।ସେ କହିଲା ,ତୋ ପାଖକୁ ଆକାଶ ଫୋନ କରିଥିଲା କାହିଁକି ଉଠାଇଲୁନାହିଁ ।ତାହାହେଲେ ଏବେ ଶୁଣ କାଲି ସକାଳ ଦଶ ଟା ରେ ଅମେସବୁ ଗାଁ ସ୍କୁଲରେ ଏକାଠିହେବା ।ଯେତେସବୁ ସାଙ୍ଗ ଛୁଟିରେ ଗାଆଁକୁ ଆସିଛନ୍ତି ,ସମସ୍ତଙ୍କୁ ଆକାଶ ଫୋନ କରି ଡାକିଛି ।ଆରୁଷି ପାଇଁ ଆଉ କେଉଁ ସାଙ୍ଗ ଜରୁରୀ ନଥିଲେ ତାର ମନ ବଡ଼ ବ୍ୟାକୁଳ ଥିଲା ଆକାଶ କୁ ଦେଖିବା ପାଇଁ ।କୌଣସି କାମରେ ତାର ମନ ଲାଗୁନଥାଏ ।ସେ କାଲି କଣ ପିନ୍ଧି କରି ଯିବ ଆଉ କେଉଁ ରଙ୍ଗର ପିନ୍ଧିବ ସେ କଥା ଭାବୁଥାଏ ।ସେ ଜାଣିଥିଲା ଆକାଶ ର ଫେବରାଇଟ କଲର ବ୍ଲୁ ।ତେଣୁ ତାର ବ୍ଲୁ କଲର ଡ୍ରେସ ଟିକୁ ପ୍ରେସ କରି ,ତା ସାଥିରେ କାନର ଇଅରରିଙ୍ଗ ବି ମ୍ୟାଚିଂ କରି ରଖିଲା ।ରାତିରେ ସେ ଠିକରେ ନା ଖାଇପାରିଥିଲା ନା ସୋଇପାରିଥିଲା ।ଆରୁଷି ଭାବୁଥିଲା ସେ ଆକାଶ କୁ କଣ କହିବ ,କେମିତି କହିବ ।ଏତେ ଦିନରୁ ଲୁଚାଇ ରଖିଥିବା ଫିଲିଙ୍ଗସ କୁ ଆକାଶ ବୁଝିପାରିବତ ? ଯଦି ଆକାଶ ର ଆଉ କେଉଁ ଗାର୍ଲଫ୍ରେଣ୍ଡ ଥିବ ।ଏମିତି ଭାବି ଭାବି ସେ କେତେବେଳେ ଖୁସି ତ କେତେବେଳେ ଉଦାସ ହେଉଥାଏ ।

ସକାଳ ଆଠଟାରେ ଆରୁଷି ର ମାଆ ଆସି ତାକୁ ନିଦରୁ ଉଠାଇ ଥିଲେ । ଆରୁଷି ଧଡପଡ କରି ଉଠି ଘଣ୍ଟା କୁ ଦେଖିଲା ,ତାପରେ ଅଶ୍ୱସ୍ତି ରେ ନିଶ୍ୱାସ ମାରିଲା ।ସେ ଫ୍ରେସ ହୋଇ ଆସିବା ପରେ ମାଆ ଚ କପ ଟି ଦେଇଥିଲେ ।କିନ୍ତୁ ଆଜି ଚା ପିଇବାକୁ ଇଚ୍ଛା ନଥିଲା ।ସେ କେମିତି ଜଲଦି ରେଡି ହୋଇ ଆକାଶ ପାଖରେ ପହଞ୍ଚିବ ଭାବୁଥାଏ ।ତେଣୁ ସେ ଆଉ ଡେରି ନକରି ଗାଧେଇବା ପାଇଁ ଯାଇଥିଲା ।ସେହି ବ୍ଲୁ ରଙ୍ଗର ଡ୍ରେସ ସହିତ ,ମ୍ୟାଚିଂ କାନଫୁଲ ତାକୁ ବେଶ ମାନୁଥିଲା ।ଆଉ ତାର ବାଳ କୁ ସେ ଖୋଲା ରଖିଥିଲା ।ଖୋଲା ବାଳ ସହ ଆଖିରେ ଲଗାଇଥିବା କାଜଲ କାହାକୁ ବି ମଦହୋସ କରିଦେବ ।ଆଜି ଆରୁଷି ନିଜକୁ ଦର୍ପଣ ରେ ଦେଖି ହସି ଦେଇ ଥିଲା ।

ତେଣୁ ଆରୁଷି ପୁରା ମନସ୍ଥ କରିଥିଲା ଯେ ,ତାର ଭାବନା କୁ ଯେମିତି ହେଲେ ଆକାଶ ଆଗରେ ବ୍ୟକ୍ତ କରିବ ।ତାପରେ ଆକାଶ ର ଇଚ୍ଛା ।ତାର ହାତରେ ବେଶି ସମୟ ନଥିଲା ।କାରଣ ଘରେ ତାରବାହାଘର ପାଇଁ ପୁରା ଯୋଜନା ଚାଲିଥାଏ ।

ଅସୀମା ଆସି ତାର ହାତକୁ ହଲାଇ ଦେଇ କହିଥିଲା ,କେଉଁ ରାଇଜ ରେ ତୁ ଅଛୁ ,ଚାଲ ଲେଟ ହେଲାଣି ଯିବା । ଆରୁଷି ତାର ଭାବନା ରୁ ଫେରି ଆସିଥିଲା ।ସେମାନେ ସ୍କୁଟି ଧରି ସ୍କୁଲ ଆଡେ ଗଲେ ।ଯେତିକି ସ୍କୁଲ ପାଖେଇ ଆସୁଥାଏ ,ତାର ହାଟବିଟ ବଢିଚାଲିଥାଏ ।ସ୍କୁଲ ଗେଟ ପାଖରେ ସ୍କୁଟି ପାର୍କ କରି ସେମାନେ ଦେଖିଲେ ଯେ ସ୍କୁଲର ଗାଡେନରେ ସବୁ ଏକାଠି ବସିଛନ୍ତି ।ଆରୁଷି ଓ ଅସୀମା ହାତ ଧରା ଧରି ହୋଇ ସେଠାକୁ ଯାଇଥିଲେ । ସେମାନଙ୍କୁ ଦେଖି ଆକାଶ ଉଠିଆସି ,ଆରୁଷି କୁ ଜୋରରେ କୁଣ୍ଢାଇ ପକାଇଥିଲା ।ଆରୁଷି କୁ ଲାଗିଥିଲା ତାକୁ ହାଟଆଟାକ ଆସିଯିବ ।ବହୁତ କଷ୍ଟରେ ନିଜର ହୃଦୟ ର ଗତି କୁ ସମ୍ଭାଳି ଥିଲା ।ଆକାଶ ତାକୁ ନେଇ ପାଖରେ ବସାଇ ଥିଲା ।ତାର ହାତକୁ ନିଜ ହାତରେ ରଖି ବସି ରହିଥିଲା ।ଆରୁଷି ତାର ହାତକୁ ଆଣିବା ପାଇଁ ବି ଚାହୁନଥିଲା ।କାରଣ ତାର ପୁରା ଶରୀରରେ ଏକ ମିଠା ଶିହରଣ ଖେଳିଯାଉଥିଲା ।କାହିଁକି କେଜାଣି ତାକୁ ଭଲ ବି ଲାଗୁଥିଲା ।ଆକାଶ ଗପମାରି ଚାଲିଥାଏ ,ଆଉ ଆରୁଷି ତାକୁ ଅନାଇ ରହିଥାଏ ।କିଛିସମୟପରେ ଆକାଶ ସାଥିରେ ଆସିଥିବା ତାର ସାଙ୍ଗ ପ୍ରତୀକ କୁ ସମସ୍ତଙ୍କ ସାଥିରେ ମିଶାଇଥିଲା ।ପ୍ରତୀକ ବି ଗୁଡ଼ଲୁକିଙ୍ଗ ଥିଲା ।ସେ ଆଉ ଆକାଶ ବହୁତ କ୍ଲୋଜ ଫ୍ରେଣ୍ଡ ବୋଲି ଜଣାପଡୁଥିଲେ ।

ସମସ୍ତେ ସମସ୍ତଙ୍କର ପାଠପଢା କ୍ୟାରିୟର ଓ ଭବିଷ୍ୟତ କଥା ହୋଇ ବହୁତ ହସଖୁସି ହୋଇଥିଲେ ।ଆକାଶ ଚା ଓ ଜଳଖିଆ ର ବନ୍ଦୋବସ୍ତ ବି କରିଥିଲା ।କିନ୍ତୁ ଆରୁଷି ମନରେ ଗୋଟିଏ କଥା ଚାଲୁଥାଏ ଯେ ସେ କିପରି ତାର ମନର କଥା ଆକାଶ ପାଖରେ ବ୍ୟକ୍ତ କରିବ ।

ସମସ୍ତେ ଖାଇପିଇ ସାରିବା ପରେ ଆକାଶ କହିଥିଲା ,ତାକୁ ସମସ୍ତଙ୍କ ର ସହଯୋଗ ଦରକାର ।ସମସ୍ତେ କିଛି ସମୟ ପାଇଁ ଚୁପ ହୋଇଯାଇଥିଲେ ,କାରଣ ଆକାଶ ର ସେମିତିକିଛି ଅସୁବିଧା ନଥିଲା ।ଘରେ ସେ ଗୋଟିଏ ବୋଲି ପୁଅ ,ତାର କଥା ମାଆ ବାପା ଅକ୍ଷରେ ଅକ୍ଷରେ ପାଳନ କରନ୍ତି ।ଟଙ୍କାପାଇଁସା କି ଗାଡି କୌଣସି ଜିନିଷରେ ତାର ଅଭାବ ନଥିଲା ।ତାହାହେଲେ ତାର ଦରକାର କଣ ,ଯାହାକି ସାଙ୍ଗମାନେ ସାହାର୍ଯ୍ୟ କରିପାରିବେ ।ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଆକାଶ ଦେଖୁଥିଲେ ।

ଆରୁଷି ଭାବୁଥିଲା ବୋଧହୁଏ ଆକାଶ କୌଣସି ଝିଅକୁ ଆକାଶ ଭଲ ପାଉଛି ,ଘରେ ଜାତି ଗୋତ୍ର କୁ ନେଇ ରାଜି ନାହାନ୍ତି ।ତେଣୁ ସାଙ୍ଗମାନଙ୍କ ମାଧ୍ୟମରେ ଘରେ ରାଜିକରାଇବ ।ଏହା ଭାବି ଆରୁଷି ମନ ଉଦାସ ହୋଇଗଲା ।ତାର ମନ ହେଉଥିଲା ସେହି ଜାଗା ଛାଡି ପଳାଇଯିବାପାଇଁ ।ତାର ହୃଦୟ ଭିତରଟା ଖିନ ଭିନ ହୋଇଯାଉଥାଏ ।ତାର ଆଖିରୁ ବାହାରି ଆସୁଥିବା ଲୁହକୁ ବଡ଼ କଷ୍ଟ ରେ ଅଟକାଇଥିଲା ।

କିଛି ସମୟ ଚୁପ ରହିବା ପରେ ଆକାଶ କହିବା ଆରମ୍ଭ କରିଥିଲା । ସେ କହିଲା ,ମୁଁ ଯେଉଁକଥା କହିବାକୁ ଯାଉଛି ,ତାହା ଆଜି ପର୍ଯ୍ୟନ୍ତ କାହାକୁ ବୁଝାଇପାରୁନାହିଁ ।ଯେଉଁ ବାପାମା ମୋର ପ୍ରତେକ କଥା ମାନୁଥିଲେ ,ସେମାନେ ବି ବୁଝିପାରୁନାହାନ୍ତି ମୋର ପ୍ରେମ ଓ ଭଲପାଇବାକୁ ।ଯାହାବିନା ମୁଁ ବଞ୍ଚିପାରିବି ନାହିଁ ଗୋଟିଏ କ୍ଷଣ ,ତା ଠାରୁ ଅଲଗା ହେବାପାଇଁ କହୁଛନ୍ତି ।ତେଣୁ ମୁଁ ଚାହୁଁଛି ତୁମେସମସ୍ତେ ମୋତେ ଏତେ ସହଯୋଗ କର କି ପୁରା ସମାଜ ଓ ମୋ ଘର ଲୋକ ବି ବାହାଘର କରିବାକୁ ବାଧ୍ୟ ହେବେ ।ସବୁ ସାଙ୍ଗମାନେ ଆକାଶ ର କଥା ଶୁଣି ବହୁତ ଇମୋସ୍ନାଲ ହୋଇଯାଇଥିଲେ ।ସମସ୍ତେ ଆକାଶ ର ହାତ ଉପରେ ହାତ ଦେଇ କହିଲେ ,ତୁ ଯାହା କହିବୁ ,ଯେପରି କହିବୁ ଆମେ ସେମିତି କରିବୁ ।ଆରୁଷି ଭାବୁଥିଲା ସେ କଣ କରିବ ,ଶେଷରେ ବାଧ୍ୟହୋଇ ତାର ହାତଟି ସମସ୍ତ ଙ୍କ ହାତ ଉପରେ ରଖିଲା ।

ତାପରେ ଆରୁଷି ଆକାଶକୁ ପଚାରିଥିଲା ତୁ କେଉଁ ଝିଅକୁ ଏତେ ଭଲ ପାଉଛୁ । ତାର ନାଁ ଓ ତା ବିଷୟରେ କିଛି କହ । ଆକାଶ ଟିକିଏ ଚୁପ ହୋଇ ,କହିଲା ଏଇଟା ହି ସବୁଠାରୁ ବଡ଼ ସମସ୍ୟା ।କାରଣ ମୁଁ କେଉଁ ଝିଅକୁ ନୁହେଁ ମୋର ସାଙ୍ଗ ପ୍ରତୀକ କୁ ବହୁତ ଭଲ ପାଏ । ଆମେ ଦୁଇଜଣ ପରସ୍ପରକୁ ଭଲପାଉ ଓ ବାହାହେବା ପାଇଁ ଚାହୁଁଛୁ । ତେଣୁ ପୁରା ସମାଜ ଆମ ବିରୁଦ୍ଧରେ ।ଆଜିକି ସମୟରେ ବି କେହି ଆମର ରିଲେସନ କୁ ବୁଝିପାରୁନାହାନ୍ତି ।

ସବୁସାଙ୍ଗମାନେ ଅବାକ ହୋଇ ଆକାଶ ଓ ପ୍ରତୀକ କୁ ଦେଖୁଥିଲେ ।ସମସ୍ତଙ୍କ ହାତ ଧୀରେଧୀରେ ଖସିଯାଇଥିଲା ଆକାଶର ହାତ ଉପରୁ ।ଆଉ ଆକାଶ ହାତ ଉପରେ ଆରୁଷି ର ହାତ ରହିଯାଇଥିଲା ।ସମସ୍ତେ ଇଏ କି ପ୍ରକାରର ପ୍ରେମ ଭାବୁଥିଲେ ।ସତରେ କଣ ଗୋଟିଏ ପୁଅ ଆଉ ଗୋଟିଏ ପୁଅକୁ ପ୍ରେମ କରିପାରେ ।ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅସମ୍ଭବ ।ଏହାକୁ କଣ ପ୍ରେମ କୁହାଯାଏ ।ଯୁଗେଯୁଗେ ଆମେ ପ୍ରେମ ପୁଅଝିଅ ଭିତରେ ଦେଖିଆସିଛୁ ।କିନ୍ତୁ ଆଜି ଆମେ କିପରି ସ୍ୱୀକାର କରିବୁ ଏପରି ପ୍ରେମକୁ ।ଧୀରେଧୀରେ ସବୁ ସାଙ୍ଗମାନେ ସେହି ଜାଗା ଛାଡି ଚାଲିଯାଇଥିଲେ ,ଆଉ ଠିଆହୋଇ ରହିଥିଲା ଆରୁଷି । ଆରୁଷି ବୁଝିପାରୁନଥିଲା ଏହି ପ୍ରେମକୁ କିନ୍ତୁ ସେ ତାର ନିଜ ପ୍ରେମକୁ ବୁଝିଥିଲା । ଯାହାକୁ ସେ ଏତେବର୍ଷ ହେଲା ପ୍ରେମକରି ଆସିଛି ,ତା ପାଇଁ ସେ କିଛିବି କରିପାରିବ । ତେଣୁ ଆକାଶ ଓ ପ୍ରତୀକ ର ପ୍ରେମକୁ ପୁରା ସମାଜରେ ବୁଝାଇବାକୁ ଚେଷ୍ଟାକରିବ ବୋଲି ପ୍ରତିଶ୍ରୁତି ଦେଇ ସେ ସେଠାରୁ ପଳାଇ ଆସିଥିଲା ନିଜ ଆଖିରେ ଆଖିଏ ଲୁହ ନେଇ ।


Rate this content
Log in

Similar oriya story from Abstract