Kulamani Sarangi

Drama

3  

Kulamani Sarangi

Drama

ସରଯୂ ନଦୀର ତୀରେ(୯୫)

ସରଯୂ ନଦୀର ତୀରେ(୯୫)

4 mins
193



କାହିଁ ଗଲେ ଜନକ ନନ୍ଦିନୀ !!


"ଲଙ୍କାଦେବୀ" ରାବଣର ପରିଚାରିକା ନଥିଲେ;ସେ ଥିଲେ ଲଙ୍କାଗଡର ଆତ୍ମା। ରାବଣର ଅନାଚାର ବଢିଯିଵାରୁ ସେ ଲଙ୍କାଗଡ ପରିତ୍ୟାଗ କରି ଚାଲିଗଲେ।ଲଙ୍କାଦେବୀ ହନୁମାନଙ୍କୁ ବାଟ ଛାଡିଦେବା ପରେ ଛଦ୍ମବେଶରେ ଲଙ୍କାଗଡରେ ପ୍ରବେଶ କଲେ ଆଞ୍ଜନେୟ।ଗଡର ସୁଉଚ୍ଚ ପ୍ରାଚୀର ଲମ୍ଫ ଦେଇ ଆରୋହଣ କଲେ ମହାବଳୀ। ଲଙ୍କା ଗଡକୁ ସମୂଳେ ଧ୍ବଂସ କରିବା ପ୍ରତିବଦ୍ଧତା ମନରେ ରଖି ପ୍ରଥମେ ବାମ ପାଦ ଆଗକୁ ବଢାଇ ଲଙ୍କାରେ ପ୍ରବେଶ କଲେ ମାରୁତି,କାରଣ ଶାସ୍ତ୍ର ଅନୁଯାୟୀ ବାମ ପାଦ ବଢାଇ ଅଭିଯାନ ଆରମ୍ଭ କଲେ ଶତ୍ରୁର ପରାଜୟ ସୁନିଶ୍ଚିତ। ବିଧିବଦ୍ଧ ଭାବରେ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ଏହା ଥିଲା ରାମବାହିନୀର ରାବଣ ବିରୁଦ୍ଧରେ ପ୍ରଥମ ଅଘୋଷିତ ଯୁଦ୍ଧ ଯାତ୍ରା।


ଲଙ୍କାଗଡର ରାଜପଥରୁ ଆରମ୍ଭ କରି ଭିନ୍ନ ଭିନ୍ନ ଗଳିକନ୍ଦିରେ ସୀତାଙ୍କୁ ଖୋଜୁଥିଲେ ହନୁମାନ। ଶେଷରେ ରାବଣର ରାଜପ୍ରସାଦ ଭିତରକୁ ଯିବାପାଇଁ ଚାହିଁଲେ ହନୁମାନ।ସବୁଠାରୁ ଉଚ୍ଚ ମନୋରମ ଏକ ବିଶାଳ ପ୍ରାସାଦ ଦେଖି ତାଙ୍କର ସନ୍ଦେହ ରହିଲା ନାହିଁ ଯେ ତାହାହିଁ ରାବଣର ଭବନ।ଭବନର ସୌନ୍ଦର୍ଯ୍ୟ ଦେଖି ହନୁମାନଙ୍କର ଆଖି ଖୋସି ହୋଇଗଲା।ତ୍ରିଭୁବନରେ ଏପରି ସୁନ୍ଦର ପ୍ରାସାଦ ଥିବ କି ନାହିଁ ସନ୍ଦେହ। ପ୍ରାସାଦକୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ରାକ୍ଷସମାନେ ଦିବାରାତ୍ରି ଜଗି ରହିଥିଲେ।ମାଛି ରୂପ ଧାରଣ କରି ମହାବଳୀଙ୍କୁ ଭିତରେ ପ୍ରବେଶ କରିବାପାଇଁ ପଡ଼ିଲା।ପୁତ୍ର କନ୍ୟା ବଧୂ ଓ ଅସଂଖ୍ୟ ପରିଜନଙ୍କ ଦ୍ବାରା ପରିପୂର୍ଣ୍ଣ ଥିଲା ରାଜପ୍ରାସାଦ। ସେମାନଙ୍କ ବ୍ୟତୀତ ଅସଂଖ୍ୟ ପରିଚାରକ ଓ ପରିଚାରୀକାଙ୍କ ପାଇଁ ରହିଥିଲା ଅଗଣିତ ପ୍ରକୋଷ୍ଠ। ଅସଂଖ୍ୟ ସୁନ୍ଦରୀ ରମଣୀଙ୍କ ପାଇଁ ର଼ହିଥିଲା ବିଶାଳ ରାଣୀହଂସପୁର।


ପ୍ରାସାଦରେ ଶୋଭା ଅବର୍ଣ୍ଣନୀୟ। ସ୍ଫଟିକ ପଥରରେ କାନ୍ଥଗୁଡିକ ନିର୍ମିତ ହୋଇଥିଲା;ତା ମଝିରେ ଧାଡ଼ି ଧାଡ଼ି ହୋଇ ସୁନାର ଇଟା ଖଞ୍ଜା ଯାଇଥିଲା।ତୋରଣ ଓ ଖମ୍ବ ଗୁଡ଼ିକରେ ହୀରା,ନୀଳା ମୋତି ମାଣିକ୍ୟ ଆଦି ଖଞ୍ଜାଯାଇ ଅପୂର୍ବ ଜ୍ୟୋତି ବିଚ୍ଛୁରିତ ହେଉଥିଲା। ନର୍ତ୍ତକୀମାନଙ୍କ ଘୁଙ୍ଗୁର ଶବ୍ଦ,ଗୀତ,ବାଦ୍ୟ ସହିତ ରମଣୀ ମାନଙ୍କର ହାସ୍ୟରୋଳରେ ପରିବେଶ କମ୍ପି ଉଠୁଥିଲା। ଛଦ୍ମବେଶରେ ହନୁମାନ ପ୍ରାସାଦରେ ବିଭିନ୍ନ ଅଳିନ୍ଦ ପରିକ୍ରମଣ କରି ଆଶ୍ଚର୍ଯ୍ୟ ଚକିତ ହୋଇ ରହିଗଲେ। ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ପ୍ରହରୀମାନେ ପ୍ରାସାଦକୁ ଜଗି ରହିଥିଲେ। ସେମାନଙ୍କ ମଧ୍ୟରେ ଗୁପ୍ତଚର ମଧ୍ୟ ରହିଥିଲେ। ରାକ୍ଷସ ମାନଙ୍କର ଶରୀରର ବିଭିନ୍ନତା ହନୁମାନଙ୍କୁ ଆମୋଦିତ କଲା। କେଉଁ ରାକ୍ଷସର କୁମ୍ଭାରଚକ ଭଳି ତିନୋଟି ଆଖି ଘୁରୁଥିଲା ତ କାହାର ଅଗ୍ନି ଭଳି ଜଳୁଥିଲା ଗୋଟିଏ ନେତ୍ର।କେଉଁ ରାକ୍ଷସର କଦଳୀ ଗଛ ଭଳି ଦାନ୍ତପନ୍ତି ତ କାହାର ମୁଖ ଏକ ଦନ୍ତହୀନ ଗିରିଗହ୍ଵର ଭଳି ଦେଖା ଯାଉଥିଲା।କାହାର ଘୋଡା ମୁହଁ ଭଳି ଚାରୋଟି ମୁଖ ତ କାହାର ପର୍ବତ ଭଳି ବିଶାଳ ଶରୀର ଉପରେ ନଡ଼ିଆ ଭଳି ମୁଣ୍ଡଟିଏ। ହାତୀର ଶୁଣ୍ଢ ଭଳି କାହାର ମୁହଁ ଦେଖା ଯାଉଥିଲା ତ କାହାର ହାତ ଯାଗାରେ ପକ୍ଷୀ ଭଳି ଦୁଇଟି ଡେଣା ରହିଥିଲା।


କେବଳ ସେମାନଙ୍କର ଚେହେରା ଭିନ୍ନ ଭିନ୍ନ ନଥିଲା, କାର୍ଯ୍ୟ କଳାପ ମଧ୍ୟ ଅଦ୍ଭୁତ ଓ ଭିନ୍ନ ଭିନ୍ନ ଥିଲା। କେଉଁ ରାକ୍ଷସ ବେଦ ପୋଥି ଧରି ବେଦ ଉଚ୍ଚାରଣ କରୁଥିଲା ତ କେଉଁ ରାକ୍ଷସ ତନ୍ତ୍ର ମନ୍ତ୍ର ପାଠକରି ଅଗ୍ନିରେ ଆହୂତି ଦେଉଥିଲା;ଆଉ କେଉଁ ରକ୍ଷ ଅଗ୍ନି ଜାଳି ଉପରକୁ ପାଦ ଓ ତଳକୁ ମୁଣ୍ଡ କରି ଅଗ୍ନି ଶିଖା ଉପରେ ଝୁଲୁଥିଲା।ମଦ୍ୟପ ବେଦ ପାଠ କଲେ କ'ଣ ବା ତା'ର ମୂଲ୍ୟ ଅଛି ! ରାବଣ ମହାଜ୍ଞାନୀ ଥିଲା ଏବଂ ଶିବତାଣ୍ଡବ ସ୍ତୋତ୍ର ରଚନା କରିଥିଲା। କିନ୍ତୁ ଉଚ୍ଚାରଣ ଓ ଆଚରଣରେ ତାର ଚରିତ୍ରରେ ଆକାଶ ପାତାଳ ପ୍ରଭେଦ ରହିଥିଲା। ଯେଉଁ ଜ୍ଞାନ ଅନାଚାର ଦ୍ବାରା ଆବୃତ ତାହା ରାହୁଗ୍ରସ୍ଥ ପୂର୍ଣ୍ଣଚନ୍ଦ୍ର ସହିତ ସମାନ। ସେହିପରି ଥିଲା ରାବଣ ନଗ୍ରରେ ଥିବା ରାକ୍ଷସମାନଙ୍କ ଚରିତ୍ର ଚିତ୍ର। 


ହନୁମାନ ଦେଖିଲେ ପ୍ରାସାଦରେ କେଉଁଠି ମଦ୍ୟପାନ କରି ପ୍ରମତ୍ତ ରାକ୍ଷସ ଦମ୍ପତି ରତି କ୍ରୀଡ଼ାରେ ମଗ୍ନ ତ କେଉଁଠାରେ ଅପ୍ସରା ମାନଙ୍କ ନୃତ୍ୟଗୀତର ଆସରରେ ରାବଣର ପରିଜନମାନେ ବିଭୋର।କ୍ଷୁଦ୍ର ମକ୍ଷୀକା ରୂପ ଧାରଣ କରି ହନୁମାନ ରାବଣର ରାଜପ୍ରାସାଦର କୋଣ ଅନୁକୋଣ ବୁଲି ବୁଲି ସୀତାଙ୍କୁ ଖୋଜୁଥିଲେ।କାହାନ୍ତି ଜନକ ନନ୍ଦିନୀ ?ପବନରେ କଣ ମିଳେଇଗଲେ ମାତା ! ସତରେ ରାବଣ କଣ ତାଙ୍କୁ ହତ୍ୟା କରିଛି ? କେଉଁଠାରେ ମିଳିବେ ଜନକ ନନ୍ଦିନୀ !


ରାବଣର ଅନ୍ତଃପୁରର ମଧ୍ୟଭାଗର ଶୋଭା ଅତ୍ୟନ୍ତ ମନଲୋଭା।ସୁନିର୍ମଳ ଚନ୍ଦ୍ରକିରଣରେ ବିଧୌତ ଭବନର ପ୍ରାଙ୍ଗଣ। ଅମାବାସ୍ୟା ରାତିରେ ମଧ୍ୟ ଚନ୍ଦ୍ର ରାବଣ ଭୟରେ ଲଙ୍କାଗଡ଼ରୁ ଆଲୋକିତ କରନ୍ତି। ମନ୍ଦର ପର୍ବତ ଉପରେ ସିଂହ ମହାବିକ୍ରମରେ ବିଚରଣ କଲାଭଳି ଧବଳହସ୍ତୀ ଆରୋହଣ କରି ପ୍ରହରୀମାନେ ପ୍ରାସାଦର ଚନ୍ଦ୍ରାତପ ବିଧୌତ ପ୍ରାଙ୍ଗଣରେ ବିଚରଣ କରୁଥାନ୍ତି।


ରାତିର ବୟସ ବଢିବା ସଙ୍ଗେ ସଙ୍ଗେ ମଦ୍ୟ ପାନକରି ରାକ୍ଷସ ରାକ୍ଷସୀ ମାନେ ଶୃଙ୍ଗାର ରସରେ ମାତିଗଲେ।ରାକ୍ଷସ ନାରୀ ମାନଙ୍କର ରତିକ୍ଲାନ୍ତ ନଗ୍ନ ଓ ଅର୍ଦ୍ଧନଗ୍ନ ଅବୟବ ଦେଖି ଆଜୀବନ ବ୍ରହ୍ମଚାରୀ ମାରୁତିଙ୍କ ମନ ତିଳେ ମାତ୍ର ବିଚଳିତ ହେଲାନାହିଁ। ହନୁମାନଙ୍କ ଭିତରେ ଶିବଶକ୍ତି ବିଦ୍ୟମାନ ଥିଲେ।ସତୀଙ୍କ ଘୋର ତପସ୍ୟା ଯେଉଁ ଶିବଙ୍କୁ ବିଚଳିତ କରିପାରି ନଥିଲା, ଯେଉଁ ଶିବ ପଞ୍ଚବାଣରେ ପ୍ରପୀଡ଼ିତ ନହୋଇ କନ୍ଦର୍ପକୁ ଜୀବନ୍ତ ଦଗ୍ଧ କରିଦେଇଥିଲେ, ସେହି ଶିବଙ୍କ ଶକ୍ତିକୁ ଧାରଣ କରିଥିବା ହନୁମାନଙ୍କ ମନରେ ରକ୍ଷ ସୁନ୍ଦରୀ ମାନଙ୍କର ନଗ୍ନ ଅବୟବ କିପରି ବା ବିକାର ସୃଷ୍ଟି କରି ପାରନ୍ତା ?


ପ୍ରାସାଦର ଆହୁରି ଭିତରକୁ ପ୍ରବେଶ କରି ହନୁମାନ ରାବଣର ଶୟନ କକ୍ଷ ଭିତରେ ପ୍ରବେଶ କଲେ।ଘୋର ନିଦ୍ରାରେ ଅଭିଭୂତ ଥିଲା ଲଙ୍କେଶ।ପଲ୍ୟଙ୍କ ଉପରେ ପର୍ବତ ସମାନ ବିଶାଳ କଦର୍ଯ୍ୟ ଶରୀର ପଡ଼ିଥିଲା।ନାଶାରୁ ନିର୍ଗତ ନିଃଶ୍ବାସ ପ୍ରଶ୍ବାସ ମେଘ ଘଡଘଡି ଭଳି ଶୁଣା ଯାଉଥିଲା।ଅନେକ ସୁନ୍ଦରୀ ରମଣୀ ରାବଣର ପର୍ଯ୍ୟଙ୍କ ମଣ୍ଡନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ରମ୍ଭା ମେନକାଙ୍କ ଠାରୁ ବଳି ସୁନ୍ଦରୀ ସୁରକନ୍ୟା, ନାଗକନ୍ୟା ଓ ମାନବୀ ମଧ୍ୟ। ସୃଷ୍ଟିର ସମସ୍ତ ସୁନ୍ଦରୀ ମାନଙ୍କୁ କରାୟତ କରି ଉପଭୋଗ କରୁଥିଲା ରାବଣ।


ମଦ୍ୟପାନ କରି ନଗ୍ନ ଓ ଅର୍ଦ୍ଧନଗ୍ନ ଅବସ୍ଥାରେ ସେମାନେ ରାବଣର ଶୟନକକ୍ଷରେ ପଡ଼ିଥିଲେ।ମତ୍ତହସ୍ତୀ ପରି ସେମାନଙ୍କୁ ରତିକ୍ରୀଡାରେ ରାଵଣ ଦଳିତ ମଥିତ କରି କ୍ଲାନ୍ତ କରି ଦେଇଥିଲା। ରାବଣ କୋଳରେ ଶୟନ କରିଥିଲା ଏକ ଅନିନ୍ଦ୍ୟ ସୁନ୍ଦରୀ ନାରୀ।ନାରୀର ଅପୂର୍ବ ସୌନ୍ଦର୍ଯ୍ୟ ଦେଖି ହନୁମାନ ଭାବିଲେ ଏ ବୋଧହୁଏ ଜନକ ନନ୍ଦିନୀ ସୀତା। ଛି ! ଏହି ନାରୀ ପାଇଁ ପ୍ରଭୁ ଶ୍ରୀରାମ ଏତେ ମାନସିକ ଯନ୍ତ୍ରଣା ଭୋଗ କରୁଛନ୍ତି ! ଏ ଯେବେ ବାସ୍ତବରେ ଜନକନନ୍ଦିନୀ ସୀତା,ଏହାଙ୍କର ଚରିତ୍ର ବିଷୟରେ ଜାଣି ଶ୍ରୀରାମ ଏହାଙ୍କର ମୁଖ ଦର୍ଶନ କରିବେ ତ ! ଏହି ନାରୀ ପାଇଁ କଣ ବାନରରାଜ ବାଳିଙ୍କୁ ଇହଲୋକ ତ୍ୟାଗ କରିବାକୁ ପଡିଲା ! ଏହାଙ୍କ ପାଇଁ କଣ ବିଶାଳ ବାନର ସେନା ବିଭିନ୍ନ ଦିଗକୁ ଅନୁସନ୍ଧାନରେ ଯାଇ ଅସୀମ କଷ୍ଟ ଭୋଗକଲେ ! ଏହାଙ୍କ ପାଇଁ କଣ ମୋତେ ସାଗର ଲଂଘନ କରିବାକୁ ପଡିଲା !"


ପରମୁହୂର୍ତ୍ତରେ ହନୁମାନ ଭାବିଲେ... ନାଁ ଏ ସୀତା ହୋଇ ନପାରନ୍ତି; ସୀତାଙ୍କ ବିଷୟରେ ମୁଁ ଯେତିକି ଶୁଣିଛି ସେ ଜଣେ ମହାସତୀ ମହିୟସୀ ମହିଳା।ସେ ନିଜକୁ ଏପରି ରାବଣ ପାଖରେ ଆତ୍ମସମର୍ପଣ କରିବେ ନାହିଁ।" ରାବଣ କୋଳରେ ଶୟନ କରିଥିବା ନାରୀ ନିକଟକୁ ଗଲେ ହନୁମାନ। ମୁହଁରୁ ତାର ମଦ ଗନ୍ଧ ବାହାରୁଥିଲା।ନିଜକୁ ଧିକ୍କାର କଲେ ମାରୁତି,ଭାବିଲେ.. ଶୁଣିଛି ମାତା ସୀତାଙ୍କ ଶରୀରରୁ ପଦ୍ମଫୁଲର ସୁଦୂର ପ୍ରସାରୀ ସୁଗନ୍ଧ ନିର୍ଗତ ହୁଏ। ସେଥିପାଇଁ ତାଙ୍କ ନାମ ଯୋଜନଗନ୍ଧା। ମୁଁ ମୂର୍ଖ କିପରି ଏହା ଚିନ୍ତା କରି ପାରିଲି ନାହିଁ !"


ସମୟ ଅତିକ୍ରାନ୍ତ ହେବା ସହିତ ନିରାଶା ହନୁମାନଙ୍କ ମନକୁ ଧୀରେ ଧୀରେ ଗ୍ରାସ କରିବାକୁ ଲାଗିଲା।ଅସଫଳ ହୋଇ କେଉଁ ମୁହଁ ନେଇ ସେ କିଷ୍କିନ୍ଧ୍ୟାକୁ ଫେରିବେ?ତାଙ୍କ ଉପରେ ଅନେକ ଆଶା ରଖିଛନ୍ତି ଶ୍ରୀରାମ। ସୀତାଙ୍କ ସନ୍ଧାନ ନପାଇଲେ ନିଶ୍ଚିତ ଭାବରେ ଜୀବନ ହାରିଦେବେ ରଘୁବଂଶୀ। ନାଁ, ସେ ଫେରିବେ ନାହିଁ।ଲଙ୍କାଗଡରେ ତନ୍ନ ତନ୍ନ କରି ସୀତାଙ୍କୁ ଖୋଜିବେ।ନପାଇଲେ କ୍ଷୁଦ୍ର ମର୍କଟ ରୂପ ଧରି ଲଙ୍କାର ବଣ ଜଙ୍ଗଲରେ ପଛେ ବାକି ଜୀବନ ବିତାଇଦେବେ, କିନ୍ତୁ ଫେରିଯାଇ ନିର୍ଲଜ ମୁହଁ କିଷ୍କିନ୍ଧ୍ୟାରେ କାହାକୁ ଦେଖାଇବେ ନାହିଁ।


ଏପରି ବିଚାର କରୁ କରୁ ହଠାତ୍ ପ୍ରାସାଦ ସଂଲଗ୍ନ ଏକ ଉଦ୍ୟାନ ଉପରେ ହନୁମାନଙ୍କର ଦୃଷ୍ଟି ପଡ଼ିଲା।ଭାବିଲେ..ଆରେ ! ଏହି ଉଦ୍ୟାନ ଭିତରକୁ ମୁଁ ତ ଯାଇନାହିଁ। ନିଶ୍ଚିତ ଭାବରେ ମାତା ଏହି ଉଦ୍ୟାନରେ ହିଁ ଥିବେ।


କ୍ରମଶଃ....

(କୁଳମଣି ଷଡଙ୍ଗୀ)


Rate this content
Log in

Similar oriya story from Drama