STORYMIRROR

Kulamani Sarangi

Classics Children

3  

Kulamani Sarangi

Classics Children

ସରଯୂ ନଦୀର ତୀରେ (୪୪)

ସରଯୂ ନଦୀର ତୀରେ (୪୪)

4 mins
680


(ରାମାୟଣର ଅମର କଥା)


ଏ ତୁ କ'ଣ କଲୁ ରାକ୍ଷସୀ !


ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଭରତଙ୍କ ମନ ଆଶଙ୍କାରେ ଉଦ୍ବେଳିତ ହେଲା। ବାର୍ତ୍ତାବହମାନଙ୍କ କୁଣ୍ଠିତ ଓ ଅବଗୁଣ୍ଠିତ କଥାରୁ ସନ୍ଦେହର ଗନ୍ଧ ସେ ବାରିପାରୁଥିଲେ।ସତ୍ୟକୁ ଗୋପନ ରଖିବାପାଇଁ ମଧ୍ୟ ବଡ଼ କଷ୍ଟ ସ୍ବୀକାର କରିବାକୁ ପଡ଼ୁଥିଲା ଅଯୋଧ୍ୟାର ବାର୍ତ୍ତାବହମାନଙ୍କୁ।ସେମାନ ମାତ୍ର ଏତିକି କହୁଥିଲେ..ମନରେ କୌଣସି ଦ୍ୱିଧା ରଖନ୍ତୁ ନାହିଁ କୁମାର,ଆପଣଙ୍କ ନିଜ ବ୍ୟକ୍ତିମାନେ ସକୁଶଳରେ ଅଛନ୍ତି। ଅଯୋଧ୍ୟାର ରାଜଲକ୍ଷ୍ମୀ ଆପଣଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଅପେକ୍ଷା କରି ରହିଛନ୍ତି।

  

ପଥମଧ୍ୟରେ ଅନେକ ଅଶୁଭ ଦୃଶ୍ୟ ଦେଖି ଭରତ, ଉପରକୁ ଶାନ୍ତ ଜଣାଯାଉଥିଲେ ମଧ୍ୟ ଭିତରେ ଭିତରେ ଆଗ୍ନେୟଗିରିର ଲାଭାର ଜ୍ବଳନ ଅନୁଭବ କରୁଥିଲେ।କ୍ଷିପ୍ର ବେଗରେ ପ୍ରତ୍ୟାବର୍ତ୍ତନ କଲେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିବାପାଇଁ ତାଙ୍କୁ ସାତଦିନ ଲାଗିଗଲା।ନଗ୍ରର ବିଜୟ ଦ୍ବାରରେ ପହଞ୍ଚି ଆଶ୍ଚର୍ଯ୍ୟ ହେଲେ ଭରତ, ଜନସାଧାରଣଙ୍କ ମୁହଁରେ ସେ ଖୁସି ଦେଖି ପାରିଲେ ନାହିଁ। ସମସ୍ତଙ୍କ ମୁହଁ ଦୁଃଖରେ ପୂର୍ଣ୍ଣ ଓ ତଳମୁହାଁ ଦେଖି ମନରେ ତାଙ୍କର ଆଶଙ୍କା ଭରିଗଲା।ରାଜପଥ ଶୂନଶାନ ଜଣାଗଲା। ମନ୍ଦିରର ଘଣ୍ଟା ବାଦନରେ କାରୁଣ୍ୟ ସ୍ପଷ୍ଟ ବାରି ହୋଇଯାଉଥିଲା।ନଗରରେ ଥିବା ଉପବନ ଗୁଡ଼ିକ ଜନମାନବଶୂନ୍ୟ ହୋଇ ପଡ଼ିଥିଲା,ସତେ ଯେପରି ସମଗ୍ର ଅଯୋଧ୍ୟା ଶୋକ ପାଳନ କରୁଛି।


ରାଜପ୍ରାସାଦରେ ପହଞ୍ଚି ପ୍ରଥମେ ସେ ରାଜା ଦଶରଥଙ୍କ ପ୍ରକୋଷ୍ଠରେ ପ୍ରବେଶ କଲେ। ଆଶ୍ଚର୍ଯ୍ୟ କଥା,ରାଜାଙ୍କ ପ୍ରକୋଷ୍ଠ ଶୂନ୍ୟ।ବ୍ୟଗ୍ର ମନରେ ସେ ମାତା କୈକେୟୀଙ୍କ ଭବନରେ ପ୍ରବେଶ କଲେ। ଏହିଠାରେ ହିଁ ସେ ଅଧିକାଂଶ ସମୟ ପିତାଙ୍କୁ ପାଆନ୍ତି।ଭରତଙ୍କୁ ଦେଖି କୋଳେଇ ନେଇ ଦେହରୁ ଧୂଳି ଝାଡିଦେଇ କପାଳରେ ଚୁମ୍ବନ ଦିଅନ୍ତି ପିତା। କିନ୍ତୁ ଏଠାରେ ମଧ୍ୟ ନାହାଁନ୍ତି ପିତା, ଆଶ୍ଚର୍ଯ୍ୟ ! କୁଆଡେ ଗଲେ ପିତା !


ମାତାଙ୍କ ପାଦ ସ୍ପର୍ଶ କରି ସରଳମନା ଭରତ ପ୍ରଶ୍ନକଲେ..ମୋ ପିତା କାହାନ୍ତି ଜନନୀ ? ତାଙ୍କ ଶରୀର ସୁସ୍ଥ ଅଛି ତ ?


ଭରତଙ୍କୁ କୋଳେଇ ନେଇ କପାଳରେ ଚୁମ୍ବନ ଦେଉ ଦେଉ କୈକେୟୀ କହିଲେ...ମାତୁଳ ଗୃହରେ ସବୁ କୁଶଳ ତ ଭରତ ! ମାତାମହ ଅଶ୍ବପତି ଏବଂ ମାତୁଳ ଯୁଦ୍ଧାଦିତ୍ୟ କୁଶଳରେ ଅଛନ୍ତି ତ ? ପ୍ରତ୍ୟାବର୍ତ୍ତନ ସମୟରେ କିଛି ବାଧାର ସମ୍ମୁଖୀନ ହୋଇ ନାହଁ ତ ପୁତ୍ର ?

ଭରତ କହିଲେ...ମାତୁଳାଳୟରେ ସବୁ କୁଶଳ ଜନନୀ ! କିନ୍ତୁ ଦୂତ ପଠାଇ ଏତେ ବ୍ୟଗ୍ରତା ସହିତ ମୋତେ ଡକାଇବାର କାରଣ କ'ଣ ମାତେ ! କାହାନ୍ତି ମୋ ପିତା ! କାହାନ୍ତି ମୋ ପ୍ରାଣସମ ଅଗ୍ରଜ ରାମଚନ୍ଦ୍ର ? କାହିଁ ମୋ ଅନୁଜ ଲକ୍ଷ୍ମଣ।ପିତା କଣ ମୋ ଉପରେ କ୍ରୋଧ କରିଛନ୍ତି ! କାହାନ୍ତି ସେ ?


ଭରତଙ୍କ ପ୍ରଶ୍ନବାଚୀର ପାହାଡ଼କୁ ଏଡ଼ାଇବା ସମ୍ଭବ ନଥିଲା କୈକେୟୀଙ୍କ ପାଇଁ। ବିଶ୍ଵର ଶ୍ରେଷ୍ଠ ଦାର୍ଶନିକଙ୍କ ଭଳି କୈକେୟୀ କହିଲେ...ଭାଗ୍ୟକୁ କିଏ ଅନ୍ୟଥା କରିବ ପୁତ୍ର !ତୋର ପିତା ମହାନ୍ ଯଶସ୍ବୀ ରାଜା ଜୀବନରେ ସବୁ ପ୍ରକାର ଯଶ ଅର୍ଜନ କରି ଦେବତାମାନଙ୍କ ଆଶୀର୍ବାଦ ଲାଭ କରିଛନ୍ତି। ଦିଗବିଜୟ କରି ରାଜ୍ୟ ବର୍ଦ୍ଧନ କରିଛନ୍ତି ଏବଂ ପ୍ରଜାନୁରଞ୍ଜନରେ ତାଙ୍କ ସମକକ୍ଷ ଜମ୍ବୁ ଦ୍ବୀପରେ କେହି ନାହାନ୍ତି।ଦାନଧର୍ମ ଓ ପୁଣ୍ୟ କର୍ମରେ ଯଶସ୍ବୀ ତୋ ପିତା ସଂସାରର ମହାସତ୍ୟକୁ କିପରି ବା ଏଡାଇ ପାରିଥାନ୍ତେ ?ଜନ୍ମ ହେବା ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ।ସେହି ମହାସତ୍ୟକୁ ପ୍ରାପ୍ତହୋଇଛନ୍ତି ତୋର ପିତା।"


ସ୍ଥିରମନା ଭରତଙ୍କ ମାନସିକ ଭାରସାମ୍ୟ ଦୋହଲାଇ ଦେବାପାଇଁ କୈକେୟୀଙ୍କର ଏହି ଦୁଇପଦ କଥା ଯଥେଷ୍ଟ ଥିଲା।ଉତ୍ପାଟିତ ବିଶାଳ ବୃକ୍ଷ ଭୂମିରେ ପଡିବା ଭଳି ଚେତନାଶୂନ୍ୟ ହୋଇ ତଳେ ପଡିଗଲେ ରାଜକୁମାର ଭରତ।ବିକଳରେ କ୍ରନ୍ଦନ କରୁଥାନ୍ତି ଭରତ ... କେଡେ ହତଭାଗ୍ୟ ମୁଁ ସତେ ପିତା ! ଶେଷ ସମୟରେ ଆପଣଙ୍କ ଦର୍ଶନ ପାଇ ପାରିଲି ନାହିଁ।ଶେଷ ମୁହୂର୍ତ୍ତରେ କେତେ ବିକଳରେ ଆପଣ ମୋତେ ଦେଖିବାପାଇଁ ଚାହିଁ ନଥିବେ ସତେ !କିଏ ମୋପରି ହତଭାଗା ଅଛି ?କୁହ ମାତା ! କଣ ହେଉଥିଲା ମୋ ପିତାଙ୍କର ? ମୁଁ ମାତୁଳାଳୟ ଯିବା ସମୟରେ ସେ ଠିକ୍ ଥିଲେ।ତାଙ୍କ ଶାରୀରିକ ଅସୁସ୍ଥତା କାହିଁକି ମୋତେ ଜଣାଇଲ ନାହିଁ?"


ଭରତଙ୍କୁ ବିକଳରେ କ୍ରନ୍ଦନ କରିବା ଦେଖି କୈକେୟୀ କହିଲେ..ଉଠ ମୋର ବୀର ପୁତ୍ର ! ଏଭଳି ଧୈର୍ଯ୍ୟହୀନ ହୋଇ କ୍ରନ୍ଦନ କରିବା ଜଣେ ରାଜା ପାଇଁ ଶୋଭା ପାଏ ନାହିଁ।ତୁମ ଜୀବନକୁ ଗୌରବମୟ କରିବାପାଇଁ ଅଯୋଧ୍ୟାର ରାଜଲକ୍ଷ୍ମୀ ଅପେକ୍ଷା କରିଛନ୍ତି।


ଭରତଙ୍କ ମନ ଓ ହୃଦୟ ନିର୍ମଳ ଥିଲା। କୈକେୟୀଙ୍କ କହିବା ଅର୍ଥ ସେ ସଙ୍ଗେ ସଙ୍ଗେ ବୁଝି ପାରିଲେ ନାହିଁ। କିଛି ସମୟ ପରେ ନିଜକୁ ସମ୍ଭାଳି ଭରତ ପଚାରିଲେ.. କିପରି ଏ ବିପଦ ଆମ ପରିବାର ଉପରକୁ ମାଡ଼ି ଆସିଲା ଜନନୀ ! ମୁଁ ମାତୁଳାଳୟ ଯିବା ପୂର୍ବରୁ ଶୁଣୁଥିଲି ଅଗ୍ରଜ ଶ୍ରୀରାମଚନ୍ଦ୍ର ଅଳ୍ପଦିନରେ ଅଯୋଧ୍ୟାର ରାଜା ହେବେ।ଆଶା କରିଥିଲି ଫେରିଆସି ମୋ ଦେବୋପମ ଭ୍ରାତାଙ୍କ ଅଭିଷେକ ମହୋତ୍ସବରେ ଯୋଗଦେଇ ନିଜକୁ ଭାଗ୍ୟବାନ ମନେକରିବି ।କଣ ସବୁ ଘଟିଗଲା ଜନନୀ ! ଅଗ୍ରଜଙ୍କ ଅଭିଷେକ ପୂର୍ବରୁ ପିତା ଆମ ସମସ୍ତଙ୍କୁ ଛାଡି କୁଆଡେ ଚାଲିଗଲେ ! ତାଙ୍କ ଅବର୍ତ୍ତମାନରେ ଅଗ୍ରଜ ରାମଚନ୍ଦ୍ର ମୋର ପୂଜନୀୟ ପିତା ସମାନ।କାହାନ୍ତି ମୋ ଅଗ୍ରଜ ? କାହିଁକି ମୁଁ ତାଙ୍କୁ ଦେଖି ପାରୁନାହିଁ !"


ଭରତଙ୍କ ପ୍ରଶ୍ନର କଣ ଉତ୍ତର ଦେବେ ଚିନ୍ତା କରିପାରୁନଥିଲେ କୈକେୟୀ।ଭରତ ଅତିଷ୍ଠ ହୋଇ ପ୍ରଶ୍ନ କଲେ..ଶେଷ ସମୟରେ ମୋ ପାଇଁ ପିତାଙ୍କର କଣ ନିର୍ଦ୍ଦେଶ ଥିଲା ଜନନୀ ! ଆଃ ! କେତେ ଖୋଜୁ ନଥିବେ ସେ ମୋତେ !"


ଏହି ମୁହୂର୍ତ୍ତ ପାଇଁ ସତେ ଯେପରି କୈକେୟୀ ଅପେକ୍ଷା କରିଥିଲେ। କହିଲେ..ଶେଷ ସମୟରେ ପିତାଙ୍କ ପାଟିରେ ତୋ ନାମ ନଥିଲା ଭରତ।ସେ କେବଳ "ହେ ରାମ ହେ ରାମ" କହି ପ୍ରାଣତ୍ୟାଗ କଲେ,ସତେ ଯେପରି ତାଙ୍କର ଅନ୍ୟ କେହି ପୁତ୍ର ନୁହଁନ୍ତି।


ଆଶ୍ଚର୍ଯ୍ୟ ହେଲେ ଭରତ ; କହିଲେ.. ପିତାଙ୍କ ଶେଷ ସମୟରେ କ'ଣ ଅଗ୍ରଜ ରାମଚନ୍ଦ୍ର ମଧ୍ୟ ପାଖରେ ନଥିଲେ ! କୁଆଡେ ଯାଇଥିଲେ ସେ ସମୟରେ? କାହିଁକି ପିତା ଏଭଳି ବିକଳ ହୋଇ ଶେଷ ସମୟରେ ତାଙ୍କ ନାମ ଉଚ୍ଚାରଣ କରୁଥିଲେ ?


ନିର୍ଲ୍ଲିପ୍ତ କଣ୍ଠରେ କୈକେୟୀ କହିଲେ...ସେ ସମୟରେ ରାମ ଯୋଗୀବେଶ ଧାରଣ କରି ସୀତା ଓ ଲକ୍ଷ୍ମଣଙ୍କ ସହିତ ଦଣ୍ଡକାରଣ୍ୟ ଅଭିମୁଖେ ଚାଲି ଯାଇଥିଲେ।


ଭରତଙ୍କ ମଥାରେ ସତେ ଯେପରି ଆକାଶ ଛିଣ୍ଡିପଡିଲା। ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ ତାଙ୍କ ମନରେ। ଅଶ୍ରୁଳ ନୟନରେ ପ୍ରଶ୍ନକଲେ ଭରତ... କାହିଁକି ମା' କାହିଁକି ? କେଉଁ ଅପରାଧରେ ମୋ ଅଗ୍ରଜଙ୍କୁ ବନବାସ ଯିବାପାଇଁ ପଡ଼ିଲା ! କେଉଁ ପାପର ଫଳ ତାଙ୍କୁ ଭୋଗ କରିବାକୁ ପଡିଲା ?କାହାର କଣ ସେ ଗୃହ ଲୁଣ୍ଠନ କରିଥିଲେ କିମ୍ବା କେଉଁ ବ୍ରାହ୍ମଣକୁ ହତ୍ୟା କରିଥିଲେ କିମ୍ବା ପରଦାରା ପ୍ରତି ଲୋଲୁପ ଦୃଷ୍ଟି ପକାଇଥିଲେ ମୋ ଅଗ୍ରଜ ! ମର୍ଯ୍ୟାଦା ପୁରୁଷୋତ୍ତମ ମୋର ଅଗ୍ରଜଙ୍କ ମନରେ ସଂସାର ମଙ୍ଗଳ ବ୍ୟତୀତ ଆଉ କିଛି ଚିନ୍ତା ନଥାଏ।ସେ ପୁଣି କ'ଣ ଏଭଳି ଜଘନ୍ୟ ପାପ କଲେ ଯେ ପିତା ତାଙ୍କୁ ବନୌକା ବେଶରେ ଅରଣ୍ୟକୁ ଯିବାପାଇଁ ଆଦେଶ ଦେଲେ ?"


କୈକେୟୀ ପୂର୍ବଭଳି ନିର୍ଲିପ୍ତ କଣ୍ଠରେ କହିଲେ.. ରାମଚନ୍ଦ୍ର କୌଣସି ପାପ କରି ଅରଣ୍ୟକୁ ଯାଇନାହିଁ ଭରତ କିମ୍ବା ରାଜା ତାକୁ ନିର୍ବାସନ ଦଣ୍ଡ ଦେଇ ନାହାଁନ୍ତି। ରାମଚନ୍ଦ୍ରର ରାଜ୍ୟାଭିଷେକ ଆୟୋଜନ ଦେଖି ତୁମକୁ ରାଜା କରିବାପାଇଁ ମୁଁ ତୁମ ପିତାଙ୍କୁ ସତ୍ୟ କରାଇ ତାଙ୍କଠାରୁ ପୂର୍ବେ ପୂରଣ ହୋଇନଥିବା ଦୁଇଟି ବର ମାଗିନେଇଛି।ପ୍ରଥମ ବର ଅନୁଯାୟୀ ତୁମେ ଅଯୋଧ୍ୟାର ରାଜା ହେବ ଏବଂ ଦ୍ବିତୀୟ ବର ଅନୁଯାୟୀ ରାମଚନ୍ଦ୍ର ଯୋଗୀ ବେଶରେ ଚଉଦ ବର୍ଷ ପାଇଁ ବନବାସରେ ଯିଵ। ପିତୃସତ୍ୟ ପାଳନ କରି ରାମଚନ୍ଦ୍ର ବନବାସରେ ଚାଲିଯାଇଛି। ସୀତା ଏବଂ ଲକ୍ଷ୍ମଣ ମଧ୍ୟ ନିଜ ନିଜର ଇଛାନୁସାରେ ରାମଚନ୍ଦ୍ର ସହିତ ବନ ଗମନ କରିଛନ୍ତି।ଏ ସବୁ ମୁଁ ତୁମ ମଙ୍ଗଳ ପାଇଁ କରିଛି ପୁତ୍ର ! ଏବେ ଶୋକ ପରିତ୍ୟାଗ କରି ଅଯୋଧ୍ୟାର ରାଜସିଂହାସନ ଗ୍ରହଣ କର। କୁଳଗୁରୁ ବଶିଷ୍ଠ,ମହାମନ୍ତ୍ରୀ ସୁମନ୍ତ୍ର ଏବଂ ଅନ୍ୟ ସୁଯୋଗ୍ୟ ଅମାତ୍ୟମାନଙ୍କ ସହଯୋଗରେ ଉତ୍ତର କୋଶଳର ରାଜା ହୋଇ ଅଖଣ୍ଡ କୀର୍ତ୍ତି ଅର୍ଜନ କର, ଇକ୍ଷ୍ବାକୁ ବଂଶର ନାମ ଉଜ୍ଜଳ କର।"


ରାଜପ୍ରାସାଦର ଷଡଯନ୍ତ୍ର ଏବେ ଭରତଙ୍କ ଆଖି ଆଗରେ ଦିବାଲୋକ ଭଳି ସ୍ପଷ୍ଟ ଦେଖାଗଲା। ପରିବାର ଉପରେ ପଡ଼ିଥିବା ବିପଦର କାରଣ ଯେ ନିଜ ମାତା କୈକେୟୀ, ଏହା ଜାଣିବା ପରେ କ୍ରୋଧର ବିଦ୍ୟୁତ ତରଙ୍ଗ ଭରତଙ୍କ ଧମନୀରେ ଖେଳିଗଲା। ଅଗ୍ନି ଭଳି ସହଜେ ତେଜୋବନ୍ତ ଶରୀର କ୍ରୋଧର ଲେଲିହାନ ଅଗ୍ନିଶିଖାରେ ପରିଣତ ହେଲା। କୈକେୟୀଙ୍କ ପାଖରୁ ଦୁଇ ପାହୁଣ୍ଡ ପଛକୁ ଘୁଞ୍ଚିଯାଇ ଘୃଣାପୂର୍ଣ୍ଣ ଦୃଷ୍ଟିରେ ଭରତ କହିଲେ... ରଘୁବଂଶର କଳଙ୍କ ହେ ରାକ୍ଷସୀ ! ଏ ତୁ କ'ଣ କଲୁ !


କ୍ରମଶଃ....


Rate this content
Log in

Similar oriya story from Classics