Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ(୧୦୩)

ସରଯୂ ନଦୀର ତୀରେ(୧୦୩)

4 mins
405



ଅଶୋକ ବନକୁ ଧ୍ବସ୍ତ ବିଧ୍ବସ୍ତ କରିଥିବା ଏବଂ ଅତି ପ୍ରିୟ ଅନୁଜ ଅକ୍ଷୟ କୁମାରକୁ ବଧ କରି ଲଙ୍କା ଗଡରେ କୋକୁଆ ଭୟ ସୃଷ୍ଟି କରିଥିବା ଅଦ୍ଭୁତ ମର୍କଟକୁ ତାର କୃତକର୍ମର ଦଣ୍ଡ ଦେବାପାଇଁ ରାବଣର ଅନୁମତି ପାଇବା ପରେ,ମେଘନାଦ,ମେଘ-ଘଡଘଡି ଭଳି ଗର୍ଜଜ ତର୍ଜନ କରି ରଥ ଆରୋହଣ କଲା। ଚାରିଗୋଟି ବିଶାଳକାୟ ସିଂହ ଦ୍ବାରା ଚାଳିତ ସୁବର୍ଣ୍ଣ ରଥ ଉପରେ ଆସୀନ ମେଘନାଦ ଦେବରାଜ ଇନ୍ଦ୍ର ସମାନ ପ୍ରତୀୟମାନ ହେଉଥିଲା।


ତ୍ରିଲୋକ ବିଜୟୀ ଥିଲା ରାବଣର ଏହି କୁଳନନ୍ଦନ। ପାଟରାଣୀ ମନ୍ଦୋଦରୀ ଗର୍ଭରୁ ଜାତ ରାବଣର ଏହି ଜ୍ୟେଷ୍ଠପୁତ୍ର ଅନେକ ସୁଲକ୍ଷଣରେ ପରିପୂର୍ଣ୍ଣ ଥିଲା। ଯେଉଁ ସମୟରେ ମନ୍ଦୋଦରୀ ଗର୍ଭବତୀ ଥିଲେ,ସେ ସମୟରେ ରାବଣ ତ୍ରିଲୋକ ବିଜୟୀ କରି ଦେବ ଦାନବ ରକ୍ଷ ଗନ୍ଧର୍ବ ବିଦ୍ୟାଧର ବିଦ୍ୟାଧରୀ , ଏପରିକି ଗ୍ରହ ନକ୍ଷତ୍ର ମାନଙ୍କୁ ନିଜ ଅଧୀନରେ ଦାସ-ଦାସୀ ଭଳି ନିୟୋଜିତ କରୁଥିଲା।ରାବଣର ଆଜ୍ଞାକୁ ଅବଜ୍ଞା କରିବାର ସାହସ ଗ୍ରହ,ନକ୍ଷତ୍ର ମାନଙ୍କର ମଧ୍ୟ ନଥିଲା। ତେଣୁ ମେଘନାଦ ଯେଉଁ ସମୟରେ ଭୂମିଷ୍ଠ ହେଲା,ରାବଣ ଗ୍ରହ ନକ୍ଷତ୍ର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲା ସେ‌ହି କ୍ଷଣରେ ନିଜ ନିଜର ସର୍ବମଙ୍ଗଳମୟ ସ୍ଥାନରେ ରହିବା ପାଇଁ।କେବଳ ଶନି ଗ୍ରହଙ୍କ ବ୍ୟତୀତ ରାବଣର ଆଦେଶ ସବୁ ଗ୍ରହ,ନକ୍ଷତ୍ର ଡରିମରି ମାନି ନେଇଥିଲେ।ଶନିଗ୍ରହ ଯେବେ ମେଘନାଦର ଜାତକର ମଙ୍ଗଳ ଘରେ ରହିଥାନ୍ତେ, ସଂସାରର ସମସ୍ତ ସଦ୍'ଗୁଣର ଅଧିକାରୀ ହୋଇ ଚିରଞ୍ଜିବୀ ହୋଇଥାନ୍ତା ମେଘନାଦ।


ଜନ୍ମ ହେବା ସମୟରେ ମେଘ ଘଡଘଡି ଭଳି ଭୟଙ୍କର ଶବ୍ଦରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରିଥିଲା ରାବଣର ଏହି ପୁତ୍ର। ସେଥିପାଇଁ ଜନ୍ମରୁ ତାର ନାମ ରଖାଯାଇଥିଲା ମେଘନାଦ। ଯୌବନ ପ୍ରାପ୍ତି ବେଳକୁ ମେଘନାଦ ,ଗୁରୁ ଶୁକ୍ରାଚାର୍ଯ୍ୟଙ୍କଠାରୁ ସମସ୍ତ ଶସ୍ତ୍ର ଓ ଶାସ୍ତ୍ର ବିଦ୍ୟା ପ୍ରାପ୍ତ ହୋଇ ମହାନ ବୀର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲା।


ଦେବତା ଏବଂ ରାକ୍ଷସ ମାନଙ୍କ ଭିତରେ ମଝିରେ ମଝିରେ ଯୁଦ୍ଧ ଚାଲିବା ସାଧାରଣ କଥା ଥିଲା। ଏକଦା ରାକ୍ଷସ ଓ ଦେବତା ମାନଙ୍କ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧରେ ଦେବତାମାନଙ୍କ ପକ୍ଷ ଭାରି ପଡ଼ିଲା।ରାବଣ ଇନ୍ଦ୍ରଙ୍କ ଦ୍ବାରା ପରାସ୍ତ ହୋଇ ବନ୍ଦୀ ହେବାକୁ ଯାଉଥିଲା। ଏହି ସମୟରେ ମେଘନାଦ ଇନ୍ଦ୍ରଙ୍କ ସହିତ ଭୟଙ୍କର ଯୁଦ୍ଧରେ ତାଙ୍କୁ ପରାସ୍ତ କରି ରାବଣକୁ ଉଦ୍ଧାର କଲା।ଇନ୍ଦ୍ରଙ୍କୁ ବନ୍ଦୀକରି ଲଙ୍କା କଟକକୁ ନେଇ ଆସିଲା ମେଘନାଦ। ସ୍ବର୍ଗରେ ଭାଳେଣି ପଡ଼ିଗଲା।ରାବଣ ସ୍ୱର୍ଗକୁ ଅଧିକାର କରିନେଲେ ରାକ୍ଷସ ଶାସନ ଚାଲିବ ସ୍ବର୍ଗରେ।ସମସ୍ତ ଦେବତା ବ୍ରହ୍ମାଙ୍କ ପାଖରେ ଶରଣ ପଶି କିଛି ଉପାୟ କରିବାପାଇଁ ଅନୁରୋଧ କଲେ।


ଏକ ସନ୍ଧି ପ୍ରସ୍ତାବ ନେଇ ଲଙ୍କାଗଡରେ ପହଞ୍ଚିଲେ ବ୍ରହ୍ମା।କୋମଳ ବଚନରେ ମଘନାଦକୁ ସନ୍ତୁଷ୍ଟ କରି ବ୍ରହ୍ମା କହିଲେ...ପୁତ୍ର ! ଇନ୍ଦ୍ରଙ୍କୁ ପରାସ୍ତ କରିଥିବାରୁ ଆଜିଠାରୁ ତୁମର ନାମ ଇନ୍ଦ୍ରଜିତ।ତୁମର ଏହି ନାମ ଦେବକୁଳ ଉପରେ ରାକ୍ଷସ କୁଳର ବିଜୟର ପ୍ରତୀକ ଭାବରେ ପରିଗଣିତ ହେବ।।ଇନ୍ଦ୍ରଙ୍କୁ ମୁକ୍ତି ଦିଅ ପୁତ୍ର !ପ୍ରତିବଦଳରେ ତୁମେ ଯେଉଁ ବର ଚାହିଁବ ତାହା ମୁଁ ଦେବାପାଇଁ ପ୍ରସ୍ତୁତ।


ବ୍ରହ୍ମାଙ୍କ ସନ୍ଧି ପ୍ରସ୍ତାବରେ ସମ୍ମତି ପ୍ରକାଶ କରି ଇନ୍ଦ୍ରଜିତ କହିଲା..ପ୍ରତି ବଦଳରେ ମୋତେ ଅମର ବର ପ୍ରଦାନ କରନ୍ତୁ ବେଦପତି।ମୋର ଅନ୍ୟ କିଛି ଆବଶ୍ୟକ ନାହିଁ।" ବ୍ରହ୍ମା କହିଲେ..ଏହା ଅସମ୍ଭବ ପୁତ୍ର ଇନ୍ଦ୍ରଜିତ,କାରଣ ମର୍ତ୍ତ୍ୟଲୋକରେ ଦେହ ଧାରଣ କଲେ ଦେବତା ହେଲେ ମଧ୍ୟ ମୃତ୍ୟୁ ମୁଖରେ ଦିନେ ନା ଦିନେ ପଡିବା ନିଶ୍ଚିତ।ଅମର ବର ପ୍ରତିବଦଳରେ ତୁମେ ମୋଠାରୁ ଅଜେୟ ବର ମାଗିନିଅ। ତୁମକୁ ସଂସାରରେ କେହି ଯୁଦ୍ଧରେ ଜୟ କରିପାରିବେ ନାହିଁ। ସେଥିପାଇଁ ଗୋଟିଏ ମାତ୍ର ସର୍ତ୍ତ ରହିବ ଯେ ଯୁଦ୍ଧକୁ ଯିବା ପୂର୍ବରୁ,ନିରସ୍ତ୍ର ହୋଇ ତୁମେ ନିକୁମ୍ଭିଲା ଠାକୁରୀଣୀଙ୍କୁ ପୂଜାରେ ସନ୍ତୁଷ୍ଟ କରିବ।ମୁଁ ତୁମ୍ଭଙ୍କୁ ଏକ ବ୍ରହ୍ମାସ୍ତ୍ର ପ୍ରଦାନ କରୁଛି।ତୁମ ନିକଟରେ ଏହି ଅସ୍ତ୍ର ଥିବା ପର୍ଯ୍ୟନ୍ତ ତୁମେ ସଂସାରରେ ଅଜେୟ ରହିବ।"


ସେହି ଦିନ ଠାରୁ ବ୍ରହ୍ମାସ୍ତ୍ର ବଳରେ ବଳୀୟାନ ରାବଣର ଏହି କୁଳନନ୍ଦନ, ଇନ୍ଦ୍ରଜିତ ନାମ ଧାରଣ କରି ଲଙ୍କାର ଗୌରବ ବୃଦ୍ଧି କରୁଛି। ଆଜି ଅଶୋକ ବନରେ ଅଦ୍ଭୁତ ବାନର ହନୁମାନଙ୍କ ସହିତ ଯୁଦ୍ଧ କରିବା ପାଇଁ ଇନ୍ଦ୍ରଜିତ ନିଜର ସୁସଜ୍ଜିତ ସ୍ୟନ୍ଦନ ଆରୋହଣ କରିବା ଦେଖି ଆକାଶରେ ଦେବତାମାନେ ମଧ୍ୟ ଉତ୍ସୁକତାର ସହିତ ଚାହିଁ ରହିଲେ ଦେଖିବାପାଇଁ, କିପରି ପବନପୁତ୍ର ହନୁମାନ ଏହି ମହାନ ଯୋଦ୍ଧାର ସମ୍ମୁଖୀନ ହେଉଛନ୍ତି।


ଇନ୍ଦ୍ରଜିତକୁ ଯୁଦ୍ଧ ବେଶରେ ଦେଖି ରାବଣର ଛାତି ଫୁଲି ଉଠିଲା। ମେଘନାଦକୁ ଆଲିଙ୍ଗନ କରି ଲଙ୍କେଶ କହିଲା..ବୀରପୁତ୍ର ! ସମସ୍ତ ଅସ୍ତ୍ରଶସ୍ତ୍ର ଚାଳନାରେ ତୁମେ ବ୍ୟୁତ୍ପତ୍ତି ଲାଭ କରିଛ।ଯୁଦ୍ଧର ସମସ୍ତ ନୀତି ନିୟମରେ ତୁମେ ପାରଙ୍ଗମ।ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ତୁମେ ବ୍ର‌୍ରହ୍ମାସ୍ତ୍ର ଲାଭ କରିଛ। ଅଦ୍ୱିତୀୟ ତୁମର ରଣ କୌଶଳ।ମେଘ ଅନ୍ତରାଳରେ ଗୋପ୍ୟ ରହି ତୁମେ ଅସଂଖ୍ୟ ଶତ୍ରୁସେନାଙ୍କୁ ବିନାଶ କରିପାର। କିନ୍ତୁ ପୁତ୍ର ଯାହା ସହିତ ତୁମେ ଯୁଦ୍ଧ କରିବାପାଇଁ ଯାଉଛ,ସେ ସାଧାରଣ ବାନର ନୁହେଁ। ଜମ୍ବୁମାଳି ଏବଂ ପ୍ରବଳ ପରାକ୍ରମୀ ପାଞ୍ଚଜଣ ସେନାନାୟକଙ୍କୁ ଯେ ବଧ କରିପାରେ, ଯୁଦ୍ଧ ନିପୁଣ ମୋର ପ୍ରିୟ ପୁତ୍ର ଅକ୍ଷୟ କୁମାରକୁ ଯେ ବିନାଶ କରିପାରେ,ତାକୁ ସାଧାରଣ ମର୍କଟ ବୋଲି ହେୟଜ୍ଞାନ କରିବା ଉଚିତ ନୁହେଁ।ବଳରେ ନହେଲେ ତାକୁ କଳରେ ଆୟତ୍ତ କରାଯାଇ ପାରିବ। ଯାଅ ପୁତ୍ର! ମୁଁ ସ୍ଥିରନିଶ୍ଚିତ ଯେ ତୁମ ହାତରେ ସେ ମର୍କଟ ବନ୍ଦୀ ହେବ ଅଥବା ପରଲୋକ ପ୍ରାପ୍ତ ହେବ। ବିଜୟୀ ଭବ।"


ପିତାର ଆଶୀର୍ବାଦ ନେଇ ଯୁଦ୍ଧ କ୍ଷେତ୍ରକୁ ଲମ୍ଫ ଦେଲା ମେଘନାଦ। ସିଂହ ଦ୍ବାରା ପରିଚାଳିତ ସ୍ୟନ୍ଦନରେ ମେଘନାଦର ଦେବୋପମ ଠାଣି ଦେଖି ହନୁମାନ ଭାବିଲେ ଏ ନିଶ୍ଚିତ ଭାବରେ ରାବଣର ସୁପୁତ୍ର ଇନ୍ଦ୍ରଜିତ। ପୂର୍ବରୁ ଏହାର ଅନେକ ବୀରତ୍ବ କାହାଣୀ ଶୁଣିଛି। ଏହାକୁ ଲଙ୍କାଗଡର ଦୁର୍ଭେଦ୍ୟ ଦୁର୍ଗ ବୋଲି କୁହାଯାଏ।ଏହା ସହିତ ଯୁଦ୍ଧ କଲେ ରାବଣର ପ୍ରକୃତ ଶକ୍ତିର ଆକଳଣ ହୋଇ ପାରିବ। 


ଭୟଙ୍କର ସଂଗ୍ରାମ ଲାଗିଗଲା ଦୁଇ ମହାବୀରଙ୍କ ମଧ୍ୟରେ।ମେଘ ଅନ୍ତରାଳରେ ରହି ମେଘନାଦ ଯେତେ ସବୁ ଦିବ୍ୟ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରୁଥିଲା, ତାକୁ କରାୟତ କରି ଖଣ୍ଡ ଖଣ୍ଡ କରି ଦୂରକୁ ଫିଙ୍ଗି ଦେଉଥିଲେ ମାରୁତି। ଦେବତା,ନାଗ ଓ ଗନ୍ଧର୍ବମାନେ ଆକାଶ ମାର୍ଗରେ ରହି ଏହି ଅଦ୍ଭୁତ ଯୁଦ୍ଧ ଦର୍ଶନ କରୁଥିଲେ। ମାରୁତିଙ୍କ ଭୟଙ୍କର ଗର୍ଜନରେ ପ୍ରକମ୍ପିତ ହେଉଥିଲା ଗଗନ ମଣ୍ଡଳ।


ଅନେକ ସମୟ ଯୁଦ୍ଧ ହେବାପରେ ଇନ୍ଦ୍ରଜିତ ଅନୁଭବ କଲା ଯେ ହନୁମାନଙ୍କ ଶକ୍ତି ଅତୁଳନୀୟ। ସହଜରେ ତାଙ୍କୁ ଯୁଦ୍ଧରେ ପରାସ୍ତ କିମ୍ବା ବିନାଶ କରି ହେବନାହିଁ।ବ୍ରହ୍ମାସ୍ତ୍ର ପ୍ରୟୋଗ କରି ତାଙ୍କୁ ବନ୍ଦୀ କରାଯାଇପାରିବ। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କଲା ଲଙ୍କା-ଯୁବରାଜ।ସେ ଅସ୍ତ୍ର ହନୁମାନଙ୍କୁ ଛୁଇଁବା ସଙ୍ଗେ ସଙ୍ଗେ ବଳହୀନ ହୋଇ ସେଥିରେ ବନ୍ଦୀ ହୋଇଗଲେ ମାରୁତି।

ହନୁମାନଙ୍କର ପୂର୍ବ କଥା ମନେ ପଡ଼ିଲା....

ଉଦିତ ସୂର୍ଯ୍ୟଙ୍କୁ ଲଡୁ ମନେକରି ସେ ଯେତେବେଳେ ଭକ୍ଷଣ କରିବାକୁ ଯାଉଥିଲେ, କ୍ରୋଧିତ ହୋଇ ଇନ୍ଦ୍ର ତାଙ୍କୁ ବଜ୍ର ପ୍ରହାର କରି ମୃତପ୍ରାୟ କରିଦେଇଥିଲେ।ପୁତ୍ରର ଏ ଅବସ୍ଥା ଦେଖି ପବନ ଚଳ ପ୍ରଚଳ ହେବା ବନ୍ଦ୍ କରିଦେଇଥିଲେ।ଜଗତ ଅଣନିଃଶ୍ବାସୀ ହୋଇ ପଡିଥିଲା। ସବୁଆଡେ ହାହାକାର ପଡିଗଲା। ଜଗତକୁ ରକ୍ଷା କରିବା ପାଇଁ ବ୍ରହ୍ମା ହନୁମାନଙ୍କୁ କେବଳ ଜୀବଦାନ ନୁହେଁ, ଅମର ବର ମଧ୍ୟ ଦେଇଥିଲେ।ସେ ସମୟରେ ବ୍ରହ୍ମା କହିଥିଲେ ଯେ ବ୍ରହ୍ମାସ୍ତ୍ର ମଧ୍ୟ ତାଙ୍କର କିଛି କ୍ଷତି କରିପାରିବେ ନାହିଁ।ତାଙ୍କ ଦେହରେ ବ୍ରହ୍ମାସ୍ତ୍ର ବାଜିଲେ ତାର ପ୍ରଭାବ ମାତ୍ର କିଛି ଦଣ୍ଡ ପାଇଁ ରହିବ।


ଅଗତ୍ୟା ହନୁମାନ ଚାହିଁଥିଲେ ବ୍ରହ୍ମାସ୍ତ୍ରକୁ ସହଜରେ ଅତିକ୍ରମ କରି ମେଘନାଦ ସହିତ ଯୁଦ୍ଧ କରିପାରିଥାନ୍ତେ। କିନ୍ତୁ ସେ ରାବଣର ରାଜସଭାରେ ଉପସ୍ଥିତ ବୀର ମାନଙ୍କୁ ଦେଖି ସେମାନଙ୍କ ବଳ କଳନା କରିବାକୁ ଚାହୁଁଥିଲେ। ଶ୍ରୀରାମଙ୍କ ଦୂତ ହିସାବରେ ପ୍ରଭୁଙ୍କ ବାର୍ତ୍ତା ରାବଣକୁ ଦେବାପାଇଁ ଚାହୁଁ ଥିଲେ ହନୁମାନ। ତେଣୁ ସେ ବ୍ରହ୍ମାସ୍ତ୍ର ଫାଶରେ ସହଜରେ ଧରାଦେଇ ନୀରବ ହୋଇ ବସି ରହିଲେ।


କ୍ରମଶଃ


Rate this content
Log in

Similar oriya story from Classics