Kulamani Sarangi

Classics

4  

Kulamani Sarangi

Classics

ସରଯୂ ନଦୀର ତୀରେ (୧୦୦)

ସରଯୂ ନଦୀର ତୀରେ (୧୦୦)

5 mins
220



ଶ୍ରୀରାମଙ୍କ ଦୂତ ହନୁମାନଙ୍କୁ ନିକଟରେ ପାଇ ଆନନ୍ଦରେ ଆତ୍ମହରା ହୋଇଗଲେ ଜାନକୀ;ସତେ ଯେପରି ମୃତ ବ୍ୟକ୍ତିଙ୍କୁ କିଏ ଅମୃତ ଖୁଆଇ ଦେଲା,ଅନ୍ଧକୁ ଚକ୍ଷୁ ଦାନ କଲା, ବୁଭୁକ୍ଷୁକୁ ଭୁରି ଭୋଜନ ଏବଂ ତୃଷାର୍ତ୍ତକୁ ଜଳ ଦାନ କଲା।କୋହ ଲୁହ ଓ ଆନନ୍ଦ ଏକ ସଙ୍ଗରେ ସୀତାଙ୍କ କଣ୍ଠରୋଧ କରିଦେଲେ।ପଣତ କାନିରେ ଆଖି ପୋଛି ରୁଦ୍ଧ କଣ୍ଠରେ ବୈଦେହୀ କହିଲେ..ପୁତ୍ର ହନୁମାନ ! ଗଭୀର ଆନନ୍ଦ ଏବଂ ଗଭୀର ଦୁଃଖରେ ଛାତି ମୋର ରୁନ୍ଧି ହୋଇଯାଉଛି। ମୁଁ ଆନନ୍ଦିତ ଯେ ପ୍ରଭୁ ମୋତେ ଭୁଲି ନାହାଁନ୍ତି; ଅତି ଶୀଘ୍ର ଲଙ୍କାଗଡକୁ ଆସି ମୋତେ ଉଦ୍ଧାର କରିବେ।ତା ସଙ୍ଗେ ସଙ୍ଗେ ମନରେ ମୋର ଗଭୀର ଦୁଃଖ ଯେ ମୋ ପାଇଁ କେତେ କଷ୍ଟ ସତେ ପାଉଛନ୍ତି ମୋର ପ୍ରାଣେଶ୍ବର ରାମଚନ୍ଦ୍ର ଏବଂ ଦେବୋପମ ଦେବର ଲକ୍ଷ୍ମଣ।

ସାଗର ଝଡରେ ଦୋଦୁଲ୍ୟମାନ ପୋତ ଭଳି ମୋ ପ୍ରଭୁଙ୍କ ମାନସିକ ସ୍ଥିତି ହୋଇଥିବ;ମୋର ବିରହରେ କ୍ଷୀଣ ତନୁ ହୋଇଯାଇଥିବେ ମୋର ପ୍ରଭୁ।ଅହରହ ଅଶ୍ରୁମୋଚନ କରୁଥିବେ ଦାଶରଥି।କ୍ଷଣମାତ୍ର ପାଇଁ ସେ ମୋତେ ନିକଟରୁ ଦୂର କରୁନଥିଲେ।ମୋ ଅନୁପସ୍ଥିତିରେ ଏବେ ପାହାଡ଼ ଭଳି ଲାଗୁଥିବ ଜୀବନ। କେତେ କଷ୍ଟ ସତେ ଦେଲି ମୁଁ ତାଙ୍କୁ ଜୀବନରେ !

ଦେବପୁତ୍ରଙ୍କ ଭଳି ପବିତ୍ରମନା ମୋ ଦେବର ଲକ୍ଷ୍ମଣ।ମୋ ପ୍ରଭୁ ତାଙ୍କୁ ଜୀବନରୁ ବଳି ଭଲ ପାଆନ୍ତି।ଅନୁଜଙ୍କ ମୁହଁକୁ ଚାହିଁ ବନବାସର ଦୁଃଖ ଭୁଲି ଯାଆନ୍ତି ମୋ ପ୍ରଭୁ।ସେପରି ଦେବରଙ୍କୁ ମୁଁ ସନ୍ଦେହକରି ଅପଶବ୍ଦ ପ୍ରୟୋଗ କଲି।ସେ ସମୟରେ କେତେ କଷ୍ଟ ସତେ ନ'ହୋଇଥିବ ମୋ ପ୍ରିୟ ଦେବରଙ୍କୁ ! ମୋ ବାକ୍ୟବାଣର ବିଷରେ ଜର୍ଜରିତ ହୋଇଥିବ ତାଙ୍କର ମନ; ପୁତ୍ର ହନୁମାନ, ସେହି ପାପର ପ୍ରାୟଶ୍ଚିତ ପାଇଁ ବୋଧହୁଏ ମୁଁ ଆଜି ଅଶୋକ ବନରେ ବନ୍ଦିନୀ।

ମୋ ପାଇଁ ଏ ବନ୍ଦିନୀ ଜୀବନ ଦୁର୍ବିସହ ହୋଇ ପଡ଼ିଲାଣି ପୁତ୍ର ହନୁମାନ।ମୋ ପତି ଓ ଦେବରଙ୍କୁ ଜଣାଇବ ମୋ ଅପରାଧ କ୍ଷମା କରିଦେବେ।ମାତ୍ର ଦୁଇମାସ ସମୟ ମୋ ପାଖରେ ବଞ୍ଚିବା ପାଇଁ ଅଛି। ଏହି ଦୁଇମାସ ଭିତରେ ଶ୍ରୀରାମ ଲକ୍ଷ୍ମଣଙ୍କୁ ଲଙ୍କାକୁ ଆଣି ନପାରିଲେ ରାବଣ ନିଶ୍ଚୟ ମୋତେ ବଧ କରିବ। ଅବଶ୍ୟ ମୁଁ ଶ୍ରୀରାମଙ୍କ ଧନୁର ଟଙ୍କାର ଶୁଣି ପାରୁଛି ହନୁମାନ, ମୁଁ ଜାଣି ପାରୁଛି ରାବଣର ମୃତ୍ୟୁ ଆସନ୍ନ।ରାବଣର ଅହଂକାର ସମସ୍ତ ସୀମା ଅତିକ୍ରମ କରି ସାରିଲାଣି।ଅନୁଜ ବିଭୀଷଣ ଭଳି କିଛି ଉତ୍ତମ ରାକ୍ଷସଙ୍କ ଉପଦେଶ ତାକୁ ପିତା ଲାଗିଲାଣି।ରାବଣ ପାଇଁ ଯମାଳୟର ପଥ ଉନ୍ମୁକ୍ତ। ମୁଁ ସ୍ଥିର ନିଶ୍ଚିତ ଯେ ମୋ ପ୍ରଭୁ ରାବଣକୁ ବିନାଶ କରି ମୋତେ ଏ ନର୍କରୁ ଉଦ୍ଧାର କରିବେ।ମୋ ବିଶ୍ବାସ କଦାପି ମୋତେ ପ୍ରତାରଣା ଦେବନାହିଁ; କିନ୍ତୁ ପୁତ୍ର ହନୁମାନ ! କେବେ ସେ ସୁ'ଦିନ ମୋ ଜୀବନରେ ଆସିବ ?bସତେ କଣ ଦୁଇମାସ ଭିତରେ ଲଙ୍କାଗଡର ଧ୍ବଂସ ହେବ ଏବଂ ମୁଁ ପ୍ରଭୁଙ୍କ ଚରଣାରବିନ୍ଦରେ ମଥା ରଖିବି ! ପୁତ୍ର ହନୁମାନ,ଶୀଘ୍ର ମୋ ସ୍ବାମୀ ଓ ଦେବରଙ୍କୁ ଲଙ୍କାଗଡକୁ ନେଇ ଆସ।"

ସୀତାଙ୍କ ଅବାରିତ ଅଶ୍ରୁମୋଚନ ହନୁମାନଙ୍କ ହୃଦୟକୁ ଆଦ୍ର କରିଦେଲା।ଯୋଡହସ୍ତରେ ମହାବୀର କହିଲେ ମୁଁ ଅତି ଶୀଘ୍ର ରାମଚନ୍ଦ୍ର ଏବଂ ଲକ୍ଷ୍ମଣଙ୍କୁ ଲଙ୍କାକୁ ନେଇ ଆସିବି। ଅଳ୍ପଦିନ ଭିତରେ ଲଙ୍କାର ଧ୍ବଂସ ସୁନିଶ୍ଚିତ। କିନ୍ତୁ ସେ ପର୍ଯ୍ୟନ୍ତ ଆପଣ କାହିଁକି କଷ୍ଟରେ ଜୀବନ ଯାପନ କରିବେ ? ଆପଣ ଚାହିଁଲେ ମୁଁ କାନ୍ଧରେ ବସାଇ, ଆକାଶରେ ଉଡ଼ି ଆପଣଙ୍କୁ ଶ୍ରୀରାମଙ୍କ ପାଖରେ ପହଞ୍ଚାଇ ଦେବି। ସେହି ସେବା କରିବାପାଇଁ ପୁତ୍ରକୁ ସୁଯୋଗ ଦିଅନ୍ତୁ ଜନନୀ ।ମୋ ଶକ୍ତି ଉପରେ ସନ୍ଦେହ କରନ୍ତୁ ନାହିଁ। ମୁଁ ଚାହିଁଲେ ରାବଣର ସୁବର୍ଣ୍ଣ ଲଙ୍କା ଗଡକୁ ଉତ୍ପାଟିତ କରି ସମୁଦ୍ର ମଧ୍ୟକୁ ଫିଙ୍ଗି ଦେଇପାରିବି;ରାବଣକୁ ଶ୍ରୀରାମଙ୍କ ପାଦତଳେ କ୍ଷମା ଯାଚନା କରାଇ ପାରିବି। ଯେପରି ଲମ୍ଫ ଦେଇ ମୁଁ ସମୁଦ୍ର ଲଂଘନ କରି ଲଙ୍କାଗଡରେ ପ୍ରବେଶ କରିଛି, ସେହିପରି ଆପଣଙ୍କୁ କାନ୍ଧରେ ବସାଇ, ଲମ୍ଫଦେଇ ସାଗର ଅତିକ୍ରମ କରି ଶ୍ରୀରାମଙ୍କ ନିକଟରେ ଆପଣଙ୍କୁ ପହଞ୍ଚାଇବି।"

ହନୁମାନଙ୍କର କ୍ଷୁଦ୍ର ମର୍କଟ ରୂପ ଦେଖି ସୀତା ଭାବୁଥିଲେ ଏତେ କ୍ଷୁଦ୍ର ପ୍ରାଣୀ ପକ୍ଷରେ ଏହା କିପରି ସମ୍ଭବ ! ହନୁମାନ ବୃଥା ଆସ୍ଫାଳନ କରୁନାହାନ୍ତି ତ ?ଜାନକୀଙ୍କ ଆଖିରେ ତାଙ୍କ ମନରେ ସନ୍ଦେହ ପଢିପାରିଲେ ହନୁମାନ।ମଣ୍ଡପ ତଳକୁ ଓହ୍ଲାଇ ନିଜର କାୟା ବିସ୍ତାର କଲେ ବାୟୁପୁତ୍ର। ଆକାଶକୁ ଲାଗିଗଲା ବିଶାଳ ଶରୀର।ପର୍ବତ ଭଳି ଦେଖାଗଲେ ହନୁମାନ।

ହନୁମାନଙ୍କ ରୂପ ଦେଖି ସୀତା ଆଶ୍ଚର୍ଯ୍ୟ ହୋଇ କହିଲେ ମୋର ଏବେ ବିଶ୍ବାସ ହେଲା ବାୟୁନନ୍ଦନ ଯେ ତୁମପାଇଁ କିଛି ଅସମ୍ଭବନୁହେଁ। କିନ୍ତୁ ତୁମ କାନ୍ଧରେ ବସି ଯିବାପାଇଁ ମୁଁ ଚାହେଁନାହିଁ।ରାବଣ ମୋତେ ଚୋରାଇ ଆଣି ଅଶୋକ ବନରେ ରଖିଛି।ତୁମେ ସେହି ଚୋର ଭଳି ମୋତେ ନେଇଗଲେ ପ୍ରଭୁଙ୍କର ଯଶବାନା କଳଙ୍କିତ ହେବ।କ୍ଷତ୍ରିୟୋଚିତ ହେବନାହିଁ ସେହି କାର୍ଯ୍ୟ। ଇକ୍ଷ୍ବାକୁ ବଂଶରେ କଳଙ୍କ ଲାଗିବ। ମୁଁ ଚାହେଁ ଶ୍ରୀରାମ ସଦଳବଳ ଲଙ୍କାଗଡ ଆକ୍ରମଣ କରି ,ରାବଣକୁ ବିନାଶ କରି ମୋତେ ଉଦ୍ଧାର କରନ୍ତୁ।"

ସୀତାଙ୍କ କଥାରେ ସମ୍ମତ ହେଲେ ହନୁମାନ। କିଛି ଚିନ୍ତା କରି ପୁଣି କହିଲେ କିନ୍ତୁ ଫେରିଯାଇ ରାମଚନ୍ଦ୍ରଙ୍କୁ ମୁଁ କଣ କହିବି ? ଆପଣଙ୍କ ସହିତ ସାକ୍ଷାତ ହୋଇଛି ବୋଲି ପ୍ରଭୁ ରାମଚନ୍ଦ୍ର କାହିଁକି ଓ କିପରି ବିଶ୍ବାସ କରିବେ ? ଆପଣ ଓ ପ୍ରଭୁଙ୍କ ଭିତରେ ଘଟିଥିବା କିଛି ଅଭୁଲା ସ୍ମୃତିର ଅବତାରଣା କରନ୍ତୁ ମାତା ! ତାହା ଶୁଣି ଶ୍ରୀରାମଙ୍କ ମନରେ ବିଶ୍ବାସ ଆସିବ ଯେ ମୁଁ ଆପଣଙ୍କୁ ସାକ୍ଷାତ କରିଛି।"

  ହନୁମାନଙ୍କଠାରୁ ଏହା ଶୁଣି ଅତୀତର କିଛି ମଧୁର ସ୍ମୃତି ସୀତାଙ୍କ ହୃଦୟ ତଟରେ ଲହଡ଼ି ମାରିଲା। ସେହି ଘଟଣା ଗୁଡ଼ିକ ସୀତା ଏବଂ ରାମଙ୍କ ମଧ୍ୟରେ ଅନ୍ତରଙ୍ଗ ମୁହୂର୍ତ୍ତର ସ୍ମୃତି ଥିଲା। ତାହା ଦୁଇଜଣଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତି ଜାଣି ନଥିଲେ।ସମ୍ଭ୍ରମତା ରକ୍ଷା କରି ଯାହା କୁହାଯାଇ ପାରିବ ସେହିଭଳି ଦୁଇଟି ଘଟଣା ସୀତା ହନୁମାନଙ୍କ ଆଗରେ ବର୍ଣ୍ଣନା କରି କହିଲେ ପୁତ୍ର ହନୁମାନ ! ଏକଦା ଦଣ୍ଡକାରଣ୍ୟରେ ଭ୍ରମଣ କରୁ କରୁ କ୍ଲାନ୍ତ ହୋଇ ଶ୍ରୀରାମ ମୋ କୋଳରେ ମୁଣ୍ଡ ରଖି ନିଦ୍ରାରେ ହଜିଗଲେ। ଏହି ସମୟର ସୁଯୋଗ ନେଇ ଏକ ବାୟସ ମୋର ବକ୍ଷକୁ ଚଞ୍ଚୁରେ ବାରମ୍ବାର ଆଘାତ କଲା। ମୋତେ କଷ୍ଟ ହେବାରୁ ମୁଁ କ୍ରନ୍ଦନ କରିବା ଆରମ୍ଭ କରିଦେଲି।ପ୍ରଭୁଙ୍କ ନିଦ୍ରା ଭଙ୍ଗ ହେବାପରେ ମୋଠାରୁ ବାୟସର କର୍ମ ଶୁଣି ପ୍ରଥମେ ହସିଦେଲେ ରଘୁନାଥ, କହିଲେ ସାମାନ୍ୟ ବାୟସକୁ ଏତେ ଡରୁଛ ଜାନକୀ !"କିନ୍ତୁ ପରେ ଯେତେବେଳେ ମୋର ରକ୍ତାକ୍ତ ବକ୍ଷକୁ ଲକ୍ଷ୍ୟ କଲେ ମନରେ ତାଙ୍କର କ୍ରୋଧ ଜାତ ହେଲା।ସେ ଜାଣିବାକୁ ପାଇଲେ ଯେ ବାୟସ ଏକ ଛଦ୍ମବେଶୀ ରାକ୍ଷସ ହିଁ ଥିଲା।ବାୟସ ପ୍ରତି ବାଣ ପ୍ରହାର କଲେ ରଘୁନାଥ।ବାୟସ ତ୍ରିଭୁବନ ଉଡ଼ି ବୁଲିଲେ ମଧ୍ୟ ବାଣ ତାକୁ ଗୋଡାଇଲା। ଶେଷରେ ବାୟସ ଶ୍ରୀ ରାମଙ୍କ ପାଦତଳେ ଶରଣ ଗଲା।ଦୟାପରବଶ ହୋଇ ପ୍ରଭୁ ତାକୁ କ୍ଷମା ଦେଇଥିଲେ।

ଆଉ ଥରେ ଅରଣ୍ୟରେ ଭ୍ରମଣ ସମୟରେ ସ୍ବେଦ ଯୋଗୁଁ ମୋ ମଥାର ସିନ୍ଦୂର ଧୋଇ ହୋଇ ଗଲା। ପ୍ରଭୁ ନିକଟରେ ଥିବା ରକ୍ତବର୍ଣ୍ଣର ଖଣିଜ ପଦାର୍ଥରୁ ଟୋପାଏ ଆଣି ମୋ ସୀମନ୍ତ ଭରିଦେଇଥିଲେ। ଏହି ଘଟଣା ପ୍ରଭୁଙ୍କୁ ଜଣାଇବ ହନୁମାନ,ସେ ନିଶ୍ଚୟ ବିଶ୍ବାସ କରିବେ।" କହୁ କହୁ ସୀତା ଛୋଟ ଛୁଆଙ୍କ ଭଳି କାନ୍ଦିବା ଆରମ୍ଭ କରିଦେଲେ। କହିଲେ କଣ ବା ମୁଁ ଅଧିକ କହିବି,କଣ ସେ ନଜାଣନ୍ତି ? ଅଧିକ କହି ତାଙ୍କ ମନରେ ଦୁଃଖ ଏବଂ ଆଖିରେ ଅଶ୍ରୁ ଆସୁ ବୋଲି ମୁଁ ଚାହେଁନା ହନୁମାନ, କେବଳ ଏତିକି ମାତ୍ର ମୋ ପ୍ରଭୁଙ୍କୁ କହିବ ଶ୍ରୀଚରଣର ଦାସୀ ତାର ମଥାଲୋଟା ପ୍ରଣାମ ଜଣାଇଛି।ମୋର ପୁତ୍ରପ୍ରତିମ ଲକ୍ଷ୍ମଣକୁ କହିବ ଏକ ଦୁଃଖିନୀ ମା' ଅପେକ୍ଷା କରିଛି ପୁତ୍ର ଲକ୍ଷ୍ମଣ ଆସି ଲଙ୍କାଗଡ଼ରୁ ତାକୁ ଉଦ୍ଧାର କରିବେ।"

ସୀତା ହନୁମାନଙ୍କୁ ଛାଡ଼ିବା ପାଇଁ ଚାହୁଁନଥିଲେ।ନିରାଶ ହୋଇ ଯେତେବେଳେ ସେ ଜୀବନ ହାରିଦେବା ପାଇଁ ବସିଥିଲେ ସେତେବେଳେ ହନୁମାନ ଦେବଦୂତ ଭଳି ତାଙ୍କ ପାଖରେ ପହଞ୍ଚି ଅମୃତ ବର୍ଷା କରିଥିଲେ। କିପରି ପ୍ରିୟତମ ଶ୍ରୀରାମଙ୍କ ଦୂତକୁ ଏତେ ସହଜରେ ସେ ଦୂରେଇ ଦିଅନ୍ତେ। ଇଚ୍ଛା ହେଉଥିଲା ଯୁଗ ଯୁଗ ହନୁମାନଙ୍କୁ ପାଖରେ ବସାଇ ଶ୍ରୀରାମ ଲକ୍ଷ୍ମଣଙ୍କ ଭଲମନ୍ଦ କଥା ଶୁଣିବା ପାଇଁ। କିନ୍ତୁ ନିଦ୍ରାଗତା ରାକ୍ଷସୀମାନେ ଉଠିପଡିଲେ ହନୁମାନଙ୍କ ପ୍ରତି ବିପଦ ଆସିବ।ତା ଛଡା ସୀତା ଚାହୁଁଥିଲେ ହନୁମାନ ଶୀଘ୍ର ଶ୍ରୀରାମଙ୍କ ନିକଟକୁ ଯାଇ ତାଙ୍କ ସନ୍ଦେଶ ଦିଅନ୍ତୁ।

ନିଜ ମଥାମଣି କାନି ଗଣ୍ଠିରୁ ଖୋଲି ହନୁମାନଙ୍କ ହାତରେ ଧରାଇ ଦେଇ ସୀତା କହିଲେ ପୁତ୍ର ହନୁମାନ ! ଏହି ଅଳଙ୍କାର ମୋ ବିବାହ ସମୟରେ ମୋ ମାତା ସ୍ନେହରେ ମୋତେ ଦେଇଥିଲେ।ମୋ ଶ୍ବଶୁର ଦଶରଥ ଏହି ଅଳଙ୍କାରକୁ ମୋ ମଥାରେ ପିନ୍ଧାଇ ଦେଇଥିଲେ।ଏହା ମୋ ପ୍ରଭୁଙ୍କର ଅତି ପ୍ରିୟ।ସ୍ନେହାଧିକରେ ଏହି ମଥାମଣିକୁ ପ୍ରଭୁ ମୋର ବାରମ୍ବାର ଚୁମ୍ବନ ଦିଅନ୍ତି। ଅଶୋକ ବନରେ ବନ୍ଦିନୀ ହେବା ପରଠାରୁ ମଥାରୁ ବାହାର କରି କାନିରେ ବାନ୍ଧି ରଖିଥିଲି। ଏହାକୁ ଦେଖି ପ୍ରଭୁ ନିଶ୍ଚୟ ବିଶ୍ବାସ କରିବେ ଯେ ତୁମେ ମୋ ସହିତ ସାକ୍ଷାତ କରି ଫେରିଛ।ଆଉ ବିଳମ୍ବ କରନାହିଁ ପୁତ୍ର।ଶୀଘ୍ର ଫେରିଯାଇ ପ୍ରଭୁଙ୍କୁ ମୋର ସନ୍ଦେଶ ଦିଅ।"

ସୀତାଙ୍କ ମଥାମଣି ପାଇ ଗର୍ବ ଏବଂ ଆନନ୍ଦରେ ହନୁମାନଙ୍କ ମନ ପୂର୍ଣ୍ଣ ହୋଇଗଲା।ବିଦାୟ ପୂର୍ବରୁ ଯୋଡହସ୍ତରେ ହନୁମାନ କହିଲେ ମନରୁ ସମସ୍ତ ଦୁଃଖ ଦୂର କରନ୍ତୁ ମାତା ! ଅଚିରେ ପ୍ରଭୁ ଶ୍ରୀରାମଙ୍କ ବାନର ସେନାବାହିନୀ ଲଙ୍କା ଗଡରେ ପ୍ରବେଶ କରି ରାବଣକୁ ସବଂଶ ବିନାଶ କରିବେ।


କ୍ରମଶଃ....


Rate this content
Log in

Similar oriya story from Classics