Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bismita Sahoo

Romance

5.0  

Bismita Sahoo

Romance

ସରପ୍ରାଇଜ

ସରପ୍ରାଇଜ

8 mins
179


ନଦୀର କୁଳୁକୁଳୁ ମିଠା ଧ୍ୱନି ସୃଷ୍ଟି କରୁଛି ସୁନ୍ଦର ସଙ୍ଗୀତର ମୂର୍ଚ୍ଛନା। ସେହି ମୂର୍ଚ୍ଛନାର ତାଳେ ତାଳେ ଆମ୍ରବୃକ୍ଷରେ ଥିବା କୋଇଲିଟି ଗାଉଛି ମିଳନର ସଙ୍ଗୀତ। ନାଲି ନେଳୀ ମିଶ୍ରିତ ରଙ୍ଗର ଦୁଇଟି ଶୁଆ ଅପୂର୍ବ ଆନନ୍ଦରେ ଠକ୍ ଠକ୍ କରି ଚାଲିଛନ୍ତି ପକ୍ଵ ଫଳକୁ। କଣ୍ଟାକୁ ଖାତିର ନକରି ଗୁଣ୍ଡୁଚିମୂଷାଟିଏ ଖପ୍ କରି ଚଢ଼ି ଯାଉଛି କୋଳି ଗଛ ଉପରକୁ। କୋଳିଟିଏ ଧରି ତଳକୁ ଓହ୍ଲାଇ ଆସି ତାକୁ ମାଟିରେ ଲୁଚେଇ ପୁଣି ଖପ୍ ଖପ୍ କରି ଚଢ଼ି ଯାଉଛି ଗଛ ଉପରକୁ। ପବନର ମନ୍ଦ ମନ୍ଦ ସ୍ପର୍ଶକୁ ମୁଣ୍ଡ ହଲେଇ ଆନନ୍ଦରେ ଉପଭୋଗ କରୁଛନ୍ତି ବୃକ୍ଷରାଜି। ହଂସ ହଂସୀନି ନଦୀର ନିର୍ମଳ ଜଳରେ କ୍ରୀଡ଼ାରତ। ନିଜର ଅର୍ଦ୍ଧେକ ଶରୀର ପାଣି ଭିତରେ ବୁଡ଼େଇ ଅତ୍ୟନ୍ତ ମସୃଣ ଗୋଲାକାର ପ୍ରସ୍ତର ଉପରେ ମୁଣ୍ଡ ରଖି ଏସବୁ ଦୃଶ୍ୟ ଉପଭୋଗ କରୁଛି ସନ୍ଦୀପ। ବର୍ଷାର କିଛି ବୁନ୍ଦା ବହିଗଲା ତା ଚିବୁକରେ। ଓଃ କି ପରମ ତୃପ୍ତି। ଆଜି ଏମିତି ବି ମନ ତାର ଖୁସିରେ ଡେଣା ମେଲେଇ ଆକାଶରେ ଉଡ଼ୁଛି। ସେ ସ୍ଥିରଚିତ୍ତରେ ନିରୀକ୍ଷଣ କଲା ହଂସଯୋଡ଼ିକୁ। କି ସୁନ୍ଦର ଭାବରେ ସେମାନେ ପରସ୍ପର ମଧ୍ୟରେ ପ୍ରେମରେ ମଜ୍ଜି ରହିଛନ୍ତି। କୁହାଯାଏ ହଂସ ହଂସୀନି କେବେ ବିଚ୍ଛେଦ ବେଦନା ସହ୍ୟ କରିପାରନ୍ତିନି। ଯଦି ଜଣେ ଅନ୍ୟକୁ ଛାଡ଼ି କେଉଁଆଡ଼େ ଚାଲିଯାଏ କିମ୍ବା କାହାର ମୃତ୍ୟୁ ଘଟେ ତେବେ ବିରହୀ ସାଜି ବିହଙ୍ଗଟି ତା ପ୍ରେୟସୀ କିମ୍ବା ପ୍ରେମିକର ପଥକୁ ନଖାଇ ନପିଇ ଚାହିଁ ରହେ ହୃଦୟର ଶେଷ ସ୍ପନ୍ଦନ ଯାଏ।


     ସିଏ ବି ତ ଠିକ୍ ଏହିପରି ଗଭୀର ଭାବରେ ଭଲପାଏ ସୁନନ୍ଦାକୁ। ସୁନନ୍ଦା ତା ବାସହୀନ ଜୀବନରେ ଭରି ଦେଇଛି ସୁମଧୁର ପ୍ରେମର ବାସ୍ନା। ସେଇ ବାସ୍ନାରେ ମତୁଆଲା ହେଇ କୁଳୁ କୁଳୁ ହେଇ ବହି ଚାଲୁଛି ତା ଜୀବନ ରୂପକ ନଈ। ଦୁହେଁ ଚକୋର ଚକୋରି ସାଜି ନିଜ ସଂସାରକୁ ଖୁବ୍ ଉପଭୋଗ କରୁଛନ୍ତି। ସୁନନ୍ଦାର ସବୁଠାରୁ ବଡ଼ ଆକାଂକ୍ଷାକୁ ପୂରଣ କରିଥିବାରୁ ମନେ ମନେ କୁରୁଳି ଉଠୁଛି। ବିବାହର ପାଞ୍ଚବର୍ଷ ବିତିଯାଇଥିଲେ ମଧ୍ୟ ଛୁଆ ପାଇଁ ସୁନନ୍ଦା କେବେ ମନ ବଳାଇନି। ତାର କହିବାର କଥାହେଲା ତା ସନ୍ତାନ ଏ ଭଡ଼ାଘରେ ଜନ୍ମଗ୍ରହଣ କରିବନି। ତାକୁ ଲାଗେ ଭଡ଼ାଘରେ ରହୁଥିବା ଲୋକମାନେ ଖୁବ୍ ଦୁଃଖୀ। ସେମାନଙ୍କର ସ୍ୱାଧୀନତା ନଥାଏ। ନିଜ ଇଛା ଅନୁଯାୟୀ ସାମାନ୍ୟ କଣ୍ଟାଟିଏ ଫୋଟୋ ଟାଙ୍ଗିବା ପାଇଁ ବି ପିଟି ପାରିବେନି। ନିଜ ଘରକୁ ଇଚ୍ଛା ମୁତାବକ ରଙ୍ଗ ଦେଇପାରିବେନି କି ସଜେଇ ପାରିବେନି। ସବୁଥିରେ ଗୃହମାଲିକଙ୍କ ନାଲି ଆଖି। 


    ସୁନନ୍ଦାର ବାଲ୍ୟଜୀବନ ଏହିପରି ଏକ ଭଡ଼ାଘରେ କଟିଛି। ଘରମାଲିକ ହିଟଲରଙ୍କଠାରୁ କୌଣସି ଗୁଣରେ କମ୍ ନଥିଲେ। ପ୍ରତିଟି କ୍ଷେତ୍ରରେ କଟକଣା ଜାରି କରିବା ତାଙ୍କର ଏକ ସ୍ଵଭାଵ ଥିଲା। ଅସହ୍ୟ ଗରମରୁ ନିଜକୁ ବଞ୍ଚେଇବା ପାଇଁ ଯଦି ସକାଳେ ସନ୍ଧ୍ୟାରେ ଦୁଇଥର ଗାଧେଇଲେ ତେବେ ସେମାନେ ପାଣିର ଅଯଥା ଅପଚୟ କରୁଛନ୍ତି ବୋଲି ଦୋଷାରୋପ କରିବେ। ଘର ଟିକିଏ ଧୂଳି ହେଲେ ଅସନା କାହିଁକି ରଖୁଛ କହି କୈଫିୟତ ମାଗିବେ ଅଥଚ ସଫା ରଖିବା ପାଇଁ ଘର ଧୋଇଲେ ତାଙ୍କ ଦେହରେ ଯାଉନଥିଲା। ଏମିତିକି ଅଧିକ କୁଣିଆ କିମ୍ବା ସାଙ୍ଗସାଥି ଆସିବାକୁ ସେ ପସନ୍ଦ କରୁନଥିଲେ। ଏହି କାରଣରୁ ସେ ଓ ତା ଭାଇ ନିଜ ନିଜ ଜନ୍ମଦିନରେ ସାଙ୍ଗମାନଙ୍କୁ ଘରକୁ ନିମନ୍ତ୍ରଣ କରିପାରୁନଥିଲେ। ଅତି ଛୋଟବେଳୁ ବାପାଙ୍କୁ ହରେଇଥିଲା ସୁନନ୍ଦା। ମା ପୋଷାକ ସିଲେଇ କରି ସେହି ପଇସାରେ ସେମାନଙ୍କୁ ପ୍ରତିପାଳିତ କରୁଥିଲେ। ରାତ୍ରୀ ରାତ୍ରୀ ଉଜାଗର ରହି ବରାଦ ମୁତାବକ ସମୟରେ ନିଜ ପୋଷାକ ଦେଇ ମା ଗ୍ରାହକଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରନ୍ତି, କିନ୍ତୁ କେବେ ଯଦି ସେଥିରେ ଖିଲାପ ହୁଏ ତେବେ ବିନା ଦ୍ବିଧାରେ ସେମାନେ ଅନ୍ୟ କେଉଁ ଦରଜି ପାଖକୁ ଚାଲିଯିବାର ଧମକ ଦିଅନ୍ତି। ମା ଏପରି ନକରିବାକୁ ଅନେକ କାକୁତି ମିନତୀ ହୁଏ। ଅଥଚ ଘରମାଲିକାଣି ନିଜର ଚିରା ଫଟା ମାଙ୍କ ଠାରୁ ଅନାୟସରେ ବିନା ପଇସାରେ ସିଲେଇ କରିନିଅନ୍ତି। ମା ବିନା ବାକ୍ୟବ୍ୟୟରେ ସଦାବେଳେ ତାଙ୍କ କାମ ଆଗ କରିଦିଅନ୍ତି। ତାଙ୍କ ଭାଷାରେ ଗୃହମାଲିକ ଭଗବାନ ସହିତ ସମାନ। ଭଡ଼ାଘରେ ରହିବାକୁ ହେଲେ ଏହିପରି ଛୋଟ ଛୋଟ କଥାରେ ବ୍ୟସ୍ତ ହେବା ଅନୁଚିତ ବୋଲି ବୁଝାନ୍ତି। 


   ସୁନନ୍ଦା ବାହାହେଇ ଆସିଲା ପରେ ଯେତେବେଳେ ଜାଣିଲା ସନ୍ଦୀପ ମଧ୍ୟ ଭଡ଼ାଘରେ ରୁହନ୍ତି ତା ଆଖିରୁ ଲୁହ ଶୁଖିବାର ନାଁ ଧରିଲାନି। ଚତୁର୍ଥୀ ଶେଯରେ ତାକୁ ନୂଆଘରଟିଏ ଯଥାସମ୍ଭବ ଉପହାର ଦେବେ ବୋଲି ସନ୍ଦୀପ କଥା ଦେବାପରେ ତା ଲୋତକଧାର ବନ୍ଦ ହେଇଥିଲା। ଏମିତିରେ ସୁନନ୍ଦା ବହୁତ ଆଡ୍ଜଷ୍ଟିଭ। କୌଣସି କଥାରେ ଜିଦ୍ ଧରେନି। ତାର ପିନ୍ଧିବାରେ, କି ଖାଇବାରେ କୌଣସି ଝୁଙ୍କ ନାହିଁ। ତେଣୁ ସନ୍ଦୀପ ସୁନନ୍ଦାର ଏହି ଗୋଟିଏ ମନୋକାମନା ପୂରଣ କରିବା ପାଇଁ ଅହରହ ଚେଷ୍ଟା ଚଲେଇଛି। ଭାଗ୍ୟକୁ ବିବାହର ଦୁଇମାସ ନ ପୁରୁଣୁ ତାର ଚାକିରୀରେ ପ୍ରମୋଶନ ହେଇଗଲା। ସୁନନ୍ଦା ଛଡ଼ା ତାର କେହି ନାହାନ୍ତି। ବାପା, ମା ଡେଙ୍ଗୁରେ ପଡ଼ି ଏକାବେଳେ ଇହଧାମ ତ୍ୟାଗ କରିଥିଲେ। ଅଜାଙ୍କ ପାଖରେ ସେ ବଡ଼ ହେଇଛି। ଅଜାଙ୍କ ମୃତ୍ୟୁ ପରେ ସେ ସମ୍ପୂର୍ଣ୍ଣ ଏକା। ଏହି ଏକାକୀ ଜୀବନ କେତେ କଷ୍ଟ ତା'ଠାରୁ କିଏ ଭଲରେ ଜାଣେ? ଅଫିସରୁ ଥକି ଘରେ ପହଞ୍ଚିଲେ ପାଣି ଗିଲାସେ ହାତକୁ ଦେଇ ଝାଳ ପୋଛିବାକୁ କେହି ନଥିବେ, ତୁମେ ଖାଇଲ କି ନଖାଇଲ କେହି ପଚାରିବାକୁ ନଥିବେ। ଏକୁଟିଆ ଘରଟାରେ ପଡ଼ି ପଡ଼ି ତାକୁ ଭାରି ବିରକ୍ତ ଲାଗେ। ହେଲେ ଏବେ ସୁନନ୍ଦା ତା ବେରଙ୍ଗୀ ଜୀବନରେ ଭରି ଦେଇଛି ଇନ୍ଦ୍ରଧନୁର ସପ୍ତରଙ୍ଗ। 


    ଦୀର୍ଘ ପାଞ୍ଚ ବର୍ଷ ଲାଗିଗଲା ସନ୍ଦୀପକୁ ଗୋଟିଏ ନୂଆଘର କିଣିବା ପାଇଁ। ଗତକାଲି ଅଫିସରୁ ଫେରିଲା ବେଳେ ସେ ସୁନନ୍ଦା ହାତରେ ଧରାଇଦେଇଥିଲା ଘରର ପଟ୍ଟା। ସୁନନ୍ଦା ଆଖିରୁ ଝରି ଯାଇଥିଲା ଅମାନିଆ ଅଶ୍ରୁ। ତାକୁ କୁଣ୍ଢେଇ ଛୋଟ ପିଲା ଭଳି କଇଁ କଇଁ ହେଇ କାନ୍ଦିବାକୁ ଲାଗିଲା। ଠାକୁରଘରୁ ନାଲି ଛିଟ କପଡ଼ାଟିଏ ଆଣି ଘରର ପଟ୍ଟାକୁ ତା ଭିତରେ ଗୁଡେ଼ଇ ରଖିଲା। କାଲି ସୁନନ୍ଦାକୁ ସନ୍ଦୀପ ତା ଜୀବନର ସବୁଠାରୁ ବଡ଼ ଉପହାର ଦେଇଥିଲା ତେଣୁ ପରୋକ୍ଷରେ ସେ ମଧ୍ୟ ଏମିତି କିଛି ଆଶା କରୁଥିଲା। ରବିବାର ଆସିଲେ ସୁନନ୍ଦା ତା ମନ ପସନ୍ଦର ଖାଇବା ତିଆରି କରେ। ତା ଜନ୍ମଦିନରେ ନିଜ ହାତ ତିଆରି କେକ୍ ବନାଏ। ତା ଶୋଇବା ଘରକୁ ବେଲୁନରେ ଓ ନାନା ରଙ୍ଗର କ୍ୟାଣ୍ଡେଲରେ ସଜାଏ। ତାକୁ ବିଭିନ୍ନ ପ୍ରକାର ସରପ୍ରାଇଜ ଦିଏ। ଯେହେତୁ ସେ ସୁନନ୍ଦାର ମନସ୍କାମନା ପୂର୍ଣ୍ଣ କରିଛି ତେବେ ସୁନନ୍ଦା ଆଜି ନିଶ୍ଚୟ ତା ପାଇଁ କିଛି ସରପ୍ରାଇଜ ପ୍ଲାନ କରିଥିବ। ସେ ତା ପତ୍ନୀର ସପ୍ରାଇଜ କଥା ଭାବି ଭାବି ଏତେ ଖୁସି ହେଇଯାଇଥିଲା ଯେ ଲଞ୍ଚ ଟାଇମରୁ ହାଫ ଡେ ଲିଭ ନେଇ ସିଧା ଆସିଯାଇଥିଲା ଏଇ ନଦୀକୂଳକୁ। ଘରକୁ ଜଲଦି ଯାଇ ସୁନନ୍ଦାର ପ୍ଲାନରେ ସେ ବ୍ୟାଘାତ ସୃଷ୍ଟି କରିବାକୁ ଚାହୁଁନଥିଲା। 


    ଧୀରେ ଧୀରେ ବର୍ଷାର ଗତି ବଢିଥିଲା। ସନ୍ଦୀପ ନିଜକୁ ଆଉ ରୋକି ପାରିଲାନି। ଏପରି ରୋମାଣ୍ଟିକ ପରିବେଶରେ ତାକୁ ଖାଲି ସୁନନ୍ଦାର ସୁନ୍ଦର ମୁହଁ ଦେଖାଗଲା। ତାକୁ ନିଜ ବାହୁ ବନ୍ଧନରେ ଭିଡ଼ି ରଖିବାକୁ ତା ମନ ଉଚ୍ଛନ୍ନ ହେଲା। ସେ ଆଉ କାଳ ବିଳମ୍ବ ନକରି ଘରେ ପହଞ୍ଚିଲା। ପାଞ୍ଚ ମିନିଟ ହେଲାଣି କଲିଂ ବେଳ ମାରି ମାରି ସନ୍ଦୀପ ଥକି ଗଲାଣି କିନ୍ତୁ ସେପଟୁ କିଛି ପ୍ରତ୍ୟୁତ୍ତର ନଥିଲା। ଏମିତି କଣ ସରପ୍ରାଇଜ ପ୍ଲାନ ତା ପାଇଁ କରୁଛି ଯେ ସେ କବାଟ ଖୋଲିବାକୁ ତାକୁ ସମୟ ହେଉନି। ସେ ତ ଭାବିଥିଲା ବେଲ୍ ବାଜିବା ମାତ୍ରେ ସୁନନ୍ଦା ତା ପ୍ରିୟ ନୀଳ ରଙ୍ଗର ଶାଢ଼ୀ ପିନ୍ଧି ନୀଳପରୀଟିଏ ସାଜି ତାକୁ ଭିଡ଼ି ନେବ ତା ଛାତି ଉପରକୁ। ଶେଷରେ ତାର ଧେର୍ଯ୍ୟଚ୍ୟୁତି ଘଟିଲା।


    ସେ କବାଟକୁ ଜୋରରେ ଗୋଇଠା ମାରିଲା। ଏ କଣ ? କବାଟଟି ଆପଣାଛାଏଁ ଖୋଲିଗଲା। ଏସବୁ ସୁନନ୍ଦାର ଚାଲ। ସେ କବାଟଟି ଖୋଲା ରଖି ନିଶ୍ଚୟ ତାକୁ ସରପ୍ରାଇଜ ଦେବାକୁ ଲୁଚି ଯାଇଛି। ହେଲେ ରୋଷେଇଘରୁ ନା ସୁଆଦିଆ ବ୍ୟଞ୍ଜନର ବାସ୍ନା ଆସୁଛି ନା ତା ଶୋଇବା ଘରକୁ ରଙ୍ଗୀନ ଆଲୁଅରେ ସଜା ହେଇଛି! କାଇଁ ସୁନନ୍ଦାର ଦେଖା ବି ନାହିଁ। ସେ ଗଲା କୁଆଡ଼େ? ସନ୍ଦୀପର ଛାତି ଥରିବାକୁ ଲାଗିଲା। ଛାତି ଧଡ଼ ଧଡ଼ କଲା। ସେ ବିକଳ ହୋଇ ଗାଧୁଆ ଘର, ବାଡ଼ି ପଟ, ଛାତ ଉପର ଚାରିଆଡେ ଖୋଜିଲା। ହେଲେ ସୁନନ୍ଦା ନାହିଁ। ତା ମୁଣ୍ଡ ଚିନ୍ତାରେ ଘୁରେଇବାକୁ ଲାଗିଲା। ଲଥ କରି ବସି ପଡ଼ିଲା ଶୋଇବା ଘର ଚେୟାର ଉପରେ। ତା ଦୃଷ୍ଟି ଗଡ଼ରେଜ ଉପରେ ପଡ଼ିଲା। ଏ କଣ ଗଡ଼ରେଜ ଲକର ପୁରା ଖୋଲା। ସୁନନ୍ଦାର ଗଡ଼ରେଜ ସନ୍ଦୀପ କେବେ ଖୋଲେନି। ଲକର ଖୋଲାଥିବାରୁ ସନ୍ଦୀପ ତା ଭିତରକୁ ଦୃଷ୍ଟି ନିକ୍ଷେପ କଲା। ଆରେ ଘରର ପଟ୍ଟା କୁଆଡ଼େ ଗଲା? ସୁନନ୍ଦା ତ ତା ଆଖି ସାମ୍ନାରେ କାଲି ୟା ଭିତରେ ରଖିଥିଲା। ତା ଦେହରୁ ଗମ୍ ଗମ୍ ହେଇ ଝାଳ ବୋହିବାକୁ ଲାଗିଲା। ଗଡ଼ରେଜ ଘାଣ୍ଟୁ ଘାଣ୍ଟୁ ତାକୁ ଏକ ଗୋଲାପୀ ଲଫାପା ମିଳିଲା। ନାଲି ସ୍ୟାହିରେ ଖୁବ୍ ସୁନ୍ଦର ଭାବେ ଲେଖା ହେଇଥିଲା


    ମୋ' ମନର ମଣିଷ।

ତୁମେ ମୋ ଇହକାଳ ଓ ପରକାଳର ଦେବତା। ତୁମଠାରୁ ଏବେ କ୍ଷଣକ ପାଇଁ ଦୂରରେ ରହି ବଞ୍ଚିବା ମୋ ପାଇଁ ଅସମ୍ଭବ। ମୁଁ ତୁମ ଆସିବା ପଥକୁ ଚାତକ ପରି ଚାହିଁ ରହିଛି। ତୁମେ ମୋତେ ଏ ପ୍ରେମାଗ୍ନିରେ ଛଟପଟ ନ କରି ତୁମ ପ୍ରେମବାରି ମୋ ଉପରେ ଶୀଘ୍ର ସିଞ୍ଚନ କର। ତୁମ ଆସିବା ପଥକୁ ଚାହିଁ ରହିଲି। ତୁମେ ମୋତେ ଅଧିକ କଷ୍ଟ ନଦେଇ ଜଲଦି ମୋ ପାଖକୁ ଫେରି ଆସି ମୋତେ ଆବଦ୍ଧ କର ତୁମ ବାହୁ ବନ୍ଧନରେ। ଆମେ ଦୁହେଁ ପ୍ରେମପକ୍ଷୀ ସାଜି ଉଡ଼ି ଯିବା ପ୍ରେମଆକାଶକୁ। 

  ଇତି

ତୁମ ପ୍ରେମ ପିପାସୀ

'ସୁନନ୍ଦା'


 ଚିଠିଟି ପଢ଼ି ହତବମ୍ବ ହେଇଗଲା ସନ୍ଦୀପ। ଏସବୁ କଣ ଲେଖିଛି ସୁନନ୍ଦା? ବିବାହର ପାଞ୍ଚ ବର୍ଷ ମଧ୍ୟରେ କାଇଁ ତାକୁ କେବେବି ତ ପ୍ରେମପତ୍ରଟିଏ ଦେଇନି? ସିଏ ଅଫିସ କାମରେ ବେଳେ ବେଳେ ଆଠ ଦଶ ଦିନ ବାହାରେ ରୁହେ। ସୁନନ୍ଦା ତାକୁ ଫୋନରେ ଶୀଘ୍ର ଘରକୁ ଆସିବାକୁ କୁହେ। ହେଲେ କେବେବି ତ ଏମିତି ତା ସାଙ୍ଗେ ପ୍ରେମାଳାପ କରେନି। ସେ ଯେବେ ସୁନନ୍ଦାକୁ ନିଜ ପ୍ରେମରେ ମତୁଆଲା କରିବାକୁ ଚାହେଁ ସୁନନ୍ଦା ତତ୍କ୍ଷଣାତ ଆଲୁଅ ଲିଭାଇଦିଏ। କହେ ତାକୁ ଲାଜ ମାଡୁଛି। ସ୍ୱାମୀ ସହିତ ପ୍ରେମ କଲେ ଲାଜ ମାଡୁଛି ହେଲେ ନିର୍ଲଜଙ୍କ ପରି ଏପରି ଚିଠି ପ୍ରେମିକ ପାଖକୁ ବାହାଘର ପରେ ଲେଖିବାକୁ ଲାଜ ମାଡୁନି। ସୁନନ୍ଦାର ତା ପ୍ରତି ଥିବା ଭଲପାଇବା କଣ ପ୍ରତାରଣା ଥିଲା? ସେଥିପାଇଁ କଣ ସେ ଜିଦ୍ କରିଥିଲା ତା ନାଁ ରେ ହିଁ ଘରଟିଏ କିଣିବାପାଇଁ? ଆଉ ସେ ସୁନନ୍ଦା ପ୍ରେମରେ ଏତେ ବିବଶ ହେଇଗଲା ଯେ ନିଜ କଷ୍ଟାର୍ଜିତ ଟଙ୍କାରେ ତା ପାଇଁ ଘର କିଣିଦେଲା? ଏବେ ସୁନନ୍ଦା ଘରର କାଗଜପତ୍ର ସହିତ ଉଡନ ଛୁ। 


    ଓଃ ଏସବୁ କଣ ଯେ ସେ ଭାବୁଛି? ନିଜ ସନ୍ଦେହ ଉନ୍ମୋଚନ କରିବା ପାଇଁ ସେ ଗହଣା ବାକ୍ସ ଖୋଲିଲା। ହେଲେ ସବୁ ଖାଲି। ଗୋଟେ ବି ନାହିଁ। ସେ ତତ୍କ୍ଷଣାତ ସୁନନ୍ଦାକୁ ଫୋନ ଲଗେଇଲା। ହେଲେ ସୁନନ୍ଦାର ମୋବାଇଲ ସୁଇଚ ଅଫ ଆସିଲା। ପଡ଼ିଶା ଘରକୁ ଯାଇଥାଇପାରେ ଭାବି ସେମାନଙ୍କ ଘରେ ପଚାରିଲା, କିନ୍ତୁ କେହି ବି ସୁନନ୍ଦାକୁ ଦେଖି ନାହାନ୍ତି କି ସେ କେଉଁଠି ଅଛି ଜାଣିନାହାନ୍ତି ବୋଲି କହିଲେ। ସୁନନ୍ଦାର ପ୍ରିୟ ବାନ୍ଧବୀ ରମେୟା ନିଶ୍ଚୟ ଜାଣିଥିବ ଭାବି ତାକୁ ଫୋନ ଲଗେଇଲା। ସେଠାରୁ ବି ତାକୁ ନିରାଶ ହେବାକୁ ପଡ଼ିଲା। ସନ୍ଦୀପର ମୁଣ୍ଡ ଗୋଳମାଳ ହେଇଯାଉଥିଲା। ସୁନନ୍ଦାକୁ ସେ ପ୍ରତି ମାସରେ କିଛି କିଛି ଟଙ୍କା ରଖିବାକୁ ଦିଏ। ସୁନନ୍ଦା ଗୋଟିଏ ଛୋଟ ବ୍ୟାଗରେ ସବୁ ଟଙ୍କା ରଖି ଖଟ ଗଦି ତଳେ ରଖିଦିଏ। ତେଣୁ ସେ ଗଦି ଟେକି ଦେଖିଲା। ସେଠି ଟଂକାଏ ବି ନଥିଲା। ସେ କଣ କରିବି ନକରିବ ବୁଝିପାରିଲାନି। ପୋଲିସରେ ଖବର ଦେବ କି? ଯଦି ଏହା କୌଣସି ଚୋରର କାମ ତେବେ କଣ ସେ ଖାଲି ସୁନନ୍ଦାର ଆଲମାରୀରୁ ଗହଣା ଚୋରି କଲା ହେଲେ ତା ଆଲମାରୀରେ ହାତ ବି ଦେଲାନି। ଏହା କିପରି ସମ୍ଭବ? ସନ୍ଦୀପ ତା ଆଲମାରୀ ଚାବିକୁ ସଦାବେଳେ ପଇତାରେ ବାନ୍ଧି ରଖେ। ସେଥିପାଇଁ ସୁନନ୍ଦା ବୋଧହୁଏ ତା ଆଲମାରୀ ଖୋଲି ପାରିଲାନି। 


   ତା'ର ଅସହାୟତାକୁ ଦେଖି ୱାଚ୍ ମ୍ୟାନ ପଚାରିଲା 


- ବାବୁ, ବାବୁଆଣୀଙ୍କୁ ଖୋଜୁଛନ୍ତି କି?

 ସନ୍ଦୀପ ହଁ କରିବାରୁ ସେ କହିଲା

- ବାବୁଆଣୀ ତ ଆପଣ ଅଫିସ ଯିବା ପରେ ପରେ ଘରୁ ବାହାରିଗଲେ।

- ସେ ହାତରେ କିଛି ଜିନିଷ ଧରିଥିଲା କି?

- ହଁ ଆଜ୍ଞା। ନାଲି କପଡ଼ା ଗୁଡ଼େଇଥିବା କଣ ଗୋଟାଏ ଧରିଥିଲେ। ଆଉ ମୁଁ କିଛି ଜାଣିନି।


  ସୁନନ୍ଦାକୁ ସନ୍ଦେହ କରୁଥିବାରୁ ତା ବିବେକ ତାକୁ ବାରମ୍ବାର ଧିକ୍କାର କରୁଥିଲା। ଏପରି ବି ହେଇଥାଇପାରେ ଯେ ସୁନନ୍ଦା ଘର କାଗଜପତ୍ର ଠାକୁରଙ୍କ ମୁଣ୍ଡରେ ଛୁଆଁଇବା ପାଇଁ ମନ୍ଦିର ନେଇଥିବ। ସେ ଅଯଥା ଡେରି ନକରି ମନ୍ଦିରରେ ପହଁଚିଲା। ମନ୍ଦିର ପହଡ଼ ପଡ଼ିଛି। ଲୋକବାକର ଚିହ୍ନ ବର୍ଣ୍ଣ ନାହିଁ। କାହାକୁ ସେ ପଚାରିବ ସୁନନ୍ଦା ବିଷୟରେ? ହାତଘଣ୍ଟାକୁ ଅନେଇଲା। ଚାରିଟା ବାଜିଲାଣି। ତା ସ୍ତ୍ରୀ ଯଦି ନିର୍ଦ୍ଦୋଷ ଓ ସେ ଅକାରଣରେ ଯଦି ସନ୍ଦେହ କରୁଛି ତେବେ ଏତେ ସବୁ ଗହଣାଗାଣ୍ଠି, ଟଙ୍କା ଓ ଘରର ପଟ୍ଟା ନେଇ ସେ ଗଲା କୁଆଡ଼େ? ତା ମନକୁ ବାରମ୍ବାର ପାପ ଛୁଉଁଥିଲା। ସେ ନିରୁପାୟ ହୋଇ ପୁନଶ୍ଚ ଘରକୁ ପ୍ରତ୍ୟାବର୍ତ୍ତନ କରିଲା। ସେ ପୁଣିଥରେ ସୁନନ୍ଦାର ପ୍ରେମପତ୍ରଟି ପଢିଲା। ଚିଠିରେ ତ ସ୍ପଷ୍ଟ ଲେଖା ଯାଇଛି ଉଡ଼ିଯିବା ପ୍ରେମଆକାଶକୁ।ସୁନନ୍ଦାକୁ ସନ୍ଦେହ ନକରିବାର କାରଣ ସେ ପାଉନଥିଲା। ଆଉ ବିଳମ୍ବ କରି କିଛି ଲାଭ ନାହିଁ। ତା ଆଖି ଆଗରେ ନାଚି ଯାଉଥିଲା ସୁନନ୍ଦା ଓ ତାର କାଟିଥିବା ସବୁ ସ୍ମରଣୀୟ ମୁହୂର୍ତ୍ତ। ତାର ନିଜ ଉପରକୁ ଘୃଣା ଆସିଲା। ପାଞ୍ଚ ବର୍ଷ ହେଲା ଗୋଟିଏ ନାରୀ ତା ସହିତ ପ୍ରବଂଚନା କରୁଥିଲା ଅଥଚ ସେ ସମ୍ୟକ ଧାରଣା ବି ପାଇପାରିଲାନି? ତା ନିଜ ପୁରୁଷତ୍ୱ ଉପରେ ସନ୍ଦେହ ଆସିଲା। ସେ ବାରମ୍ବାର ଚିଠିଟିକୁ ପଢ଼ିବାକୁ ଲାଗିଲା। ତାର ମନଟା ଘୃଣା ଓ ରାଗରେ ଜର୍ଜରିତ ହେବାକୁ ଲାଗିଲା। ସେ ପୋଲିସ ଷ୍ଟେସନକୁ ଫୋନ ଲଗେଇବାକୁ ମୋବାଇଲ ଉଠେଇଲା। 


    ହଠାତ ଘର ଭିତରକୁ ପଶି ଆସିଲା ସୁନନ୍ଦା। ତାକୁ ଏପରି ଅବସ୍ଥାରେ ଦେଖି କହିଲା


- କାହାକୁ ଫୋନ ଲଗାଉଛ? ମୋତେ କି? ସରି, ଫୋନ ଚାର୍ଜରେ ବସେଇବାକୁ ଭୁଲିଯାଇଥିଲି। ସୁଇଚ ଅଫ ହେଇଯାଇଛି। ଏଇ ଦେଖିଲ ଟିକେ, ଏ ନୀଳରଙ୍ଗର କୋଟ୍ ଟି ତୁମକୁ ମାନିବ ତ?


- ଏତେବେଳଯାଏଁ କୁଆଡେ ଥିଲ? 


- ଆରେ କୁହନି ସେକଥା। ଘରର କାଗଜ ପୂଜା କରିବାକୁ ମନ୍ଦିର ଯାଇଥିଲି। ସେଠି ଦେଖାହେଇଗଲା ମୋ ପିଲାଦିନର ବାନ୍ଧବୀ ସୁଜାତା ସହିତ। ଦୁଇ ସାଙ୍ଗ ଗପୁ ଗପୁ ଡେରି ହେଇଗଲା।


- ସନ୍ଧ୍ୟା ୭ଟା ଯାଏଁ ଦୁହେଁ ଗପୁଥିଲ?


-ଓଃ ଏମିତି ବାୟାଙ୍କ ପରି କଣ କହୁଛ? ମୁଁ ମୋର ସବୁ ଗହଣା ନେଇ ବଣିଆ ପାଖକୁ ଯାଇଥିଲି। ତାକୁ ଚକ୍ ଚକ୍ କରି ମଜେଇ ଆଣିଛି। ମୋତେ ଖାଲି ଅଧଘଣ୍ଟା ସମୟ ଦିଅ। ନିଅ ପିନ୍ଧି ପକାଅ ଏ ନୀଳ କୋଟ୍ କୁ। ମୁଁ ତୁମ ପସନ୍ଦର ନୀଳ ଶାଢ଼ୀ ପିନ୍ଧି ସବୁ ଗହଣା ଲଗେଇ ନୂଆ ବୋହୂ ପରି ସଜେଇ ଆସୁଛି। ତୁମେ ଚତୁର୍ଥୀ ରାତିରେ କରିଥିବା ପ୍ରମିସ୍ କୁ ମୋ ପାଇଁ ପୂରଣ କରିଛ। ମୁଁ କଣ ତୁମପାଇଁ ଆଉଥରେ ନୂଆବୋହୂ ସାଜି ପାରିବିନି।


 - ଏ ଗୋଲାପୀ ଲଫାପା?

ଥତମତ ସ୍ୱରରେ ସନ୍ଦୀପ କହିଲା।


- ଆରେ, ଏଇଟା ତୁମକୁ କେଉଁଠୁ ମିଳିଲା? ମୁଁ ତ ଲୁଚେଇକି ରଖିଥିଲି। ମନେଅଛି ଆମର ନୂଆ ନୂଆ ବାହାଘର ହେଇଥିଲା। ତୁମେ ମୋତେ ପ୍ରଥମଥର ପାଇଁ ଘରେ ଏକୁଟିଆ ଛାଡ଼ି ଅଫିସ କାମରେ ଦିଲ୍ଲୀ ଯାଇଥିଲ। ତୁମପାଇଁ ଏ ଚିଠି ଟି ଲେଖିଥିଲି, କିନ୍ତୁ ଲାଜ ଲାଗିଲା ଯେ ତୁମକୁ ଦେଇପାରିନଥିଲି। ବେକାରଟାରେ ସମୟ ନଷ୍ଟ କରନି। ମୁଁ ତୁମପାଇଁ ସରପ୍ରାଇଜ ରଖିଛି।


- ଆହୁରି ସରପ୍ରାଇଜ ବାକି ଅଛି?

ଏହାକହି ସନ୍ଦୀପ ଗାଧୁଆଘରେ ପଶିଗଲା। କାନ ମୋଡ଼ି ନିଜ ଗାଲକୁ ଚାପୁଡ଼ା ମାରି ଠାକୁରଙ୍କଠାରେ ସ୍ତ୍ରୀକୁ ସନ୍ଦେହ କରିଥିବାରୁ ଭୁଲ ମାଗିଲା। ଏପରି ସରପ୍ରାଇଜ କାହା ଜୀବନରେ ନ ଆସୁ ବୋଲି ଭଗବାନଙ୍କୁ ପ୍ରାର୍ଥନା କଲା ଓ ଡରି ମରି ଅପେକ୍ଷା କରି ରହିଲା ସୁନନ୍ଦାର ସରପ୍ରାଇଜକୁ।


Rate this content
Log in

More oriya story from Bismita Sahoo

Similar oriya story from Romance