ପରୀକ୍ଷା ପ୍ରତୀକ୍ଷା
ପରୀକ୍ଷା ପ୍ରତୀକ୍ଷା
ଗୁଡୁ ଭାବୁଛି। କେତେବେଳେ ଶୋଇ ଶୋଇ ଭାବୁଛି ତ ଆଉ କେତେବେଳେ ଚାଲି ଚାଲି ଭାବୁଛି। ପରୀକ୍ଷା ଦୁଇଦିନ ରହିଲା। ଦୁଇଦିନ ପରେ ସେ ଦଶମ ବୋର୍ଡ଼ ପରୀକ୍ଷା ଦେବ। ଏଇ ପରୀକ୍ଷା କାହିଁକି ଆସେ କେଜାଣି? ପରୀକ୍ଷା ନ ହେଲେ କଣ ଚଳନ୍ତାନି? ପ୍ରତିବର୍ଷ ସ୍କୁଲରେ ଯେମିତି ପାଠପଢା ହୁଏ ସେମିତି ପାଠପଢ଼ା ହୁଅନ୍ତା କିନ୍ତୁ ପରୀକ୍ଷା ହୁଅନ୍ତାନି। ପରୀକ୍ଷା ପାଇଁ ସେ ଖେଳି ପାରୁଛି ନା ବୁଲି ପାରୁଛି? ବୋଉ, ବାପାଙ୍କ କଡ଼ା ହୁକୁମ ପରୀକ୍ଷାରେ ଶତକଡ଼ା ୯୦ରୁ ଅଧିକ ନମ୍ବର ରଖିବାକୁ ହେବ। ମାମୁଁ ବାରମ୍ବାର ଫୋନ କରି କହୁଛନ୍ତି ପ୍ରତିଦିନ ଏକ ଘଣ୍ଟା ଗଣିତ କଷିବାକୁ। ଆରେ ଗଣିତ କଣ ମାଂସ ହେଇଛି ଯେ ତାକୁ କଷି କଷି ତରକାରି କରିବି? ଯେତେସବୁ ବାଜ୍ୟେ କଥା।
ହେ ଜଗନ୍ନାଥ, କାଳିଆ ସାଆନ୍ତ। ଆଈ କହେ ତୁମେ ପରା ସମସ୍ତଙ୍କ ଦୁଃଖ ହରଣ କର, ତେବେ ମୋ ଦୁଃଖକୁ ଟିକେ ହରି ଦିଅନ୍ତିନି? ଖାଲି ଯୋଗ ପରେ ଯୋଗ କରୁଛ। ଏତେ ବଡ଼ ବଡ଼ ଆଖି ଦିଇଟାରେ କଣ ମୋ ଦୁଃଖ ତୁମକୁ ଦେଖା ଯାଉନି, ମୋ କଥା ତୁମକୁ ଶୁଭୁନି ନା ଶିକ୍ଷକ ପାଠ ପଢେଇଲା ବେଳେ ଯେପରି ମୋର ଏ କାନରେ ପଶି ସେ କାନରେ ବାହାରି ଯାଉଛି ତୁମର ସେପରି ହେଉଛି। ହେ ଚକାଆଖି କେମିତି ଗୋଟେ କରି ସବୁ ଶ୍ରେଣୀରୁ ଏଇ ପରୀକ୍ଷାଟି ଉଠେଇ ଦିଅନ୍ତନି?
ଆରେ ଏ କଣ! ଚାରିଆଡ ହଠାତ ଆଲୁଅ ହେଇଗଲା କେମିତି? ମୁଁ ଏ କଣ ଦେଖୁଛି.......... ସ୍ୱୟଂ ଜଗନ୍ନାଥ ମୋ ଆଗରେ। ହଁ ବଡ଼ଠାକୁର, ତୁମର ବଡ଼ ନାଁ। ସେଥିପାଇଁ ମୋ ଦୁଃଖ ଶୁଣି ଆସିଗଲ ବୋଧେ।
-ହେ ଠାକୁର, ଏମିତି ଦେଖିଲେ ମୋର କିଛି ଦୁଃଖ ନାହିଁ, ଖାଲି ପରୀକ୍ଷାଟିକୁ ସବୁ ଶ୍ରେଣୀରୁ ଉଠେଇ ଦିଅ। ପରୀକ୍ଷା ପାଇଁ ଆମେ ପିଲାମାନେ ନାକେଦମ ହେଇ ସାରିଲୁଣି। ଶାନ୍ତିରେ ନିଃଶ୍ବାସ ବି ନେଇପାରୁନୁ।
- ବାବା ଗୁଡୁ! ତୁ ଯାହା କହୁଛୁ ସେପରି କରିବା, କିନ୍ତୁ କହିଲୁ ତୋ ବାପା ପ୍ରତିଦିନ ଅଫିସକୁ ଯାଇ କାମ କରୁଛନ୍ତି। ଯଦି ମାସ ଶେଷରେ ତାଙ୍କୁ ଦରମା ନ ମିଳିବ ତେବେ କଣ ହେବ?
ଠାକୁରଙ୍କ ଏପରି ଅବାନ୍ତର ପ୍ରଶ୍ନ ଶୁଣି ଗୁଡ଼ୁ ଧୀର କଣ୍ଠରେ କହିଲା
- ଏ କଣ କହୁଛନ୍ତି ପ୍ରଭୁ! ମୋ ବାପା ଏତେ ପରିଶ୍ରମ କରିବେ ତାର ପ୍ରାପ୍ୟ ତାଙ୍କୁ ମିଳିବନି, ଏ ତ ଅନ୍ୟାୟ କଥା?
ଠାକୁର ହସି ହସି କହିଲେ
- ତାହାହେଲେ ତୁ ତୋର ପ୍ରାପ୍ୟ ନେବାକୁ କାହିଁକି ଡରୁଛୁ? ବର୍ଷସାରା ତୁମେ ପିଲାମାନେ ବିଦ୍ୟାଳୟରେ ଏତେ ପାଠ ପଢ଼ୁଛ, ପୁଣି ଘରେ ଏସବୁ ଅଭ୍ୟାସ କରୁଛ। ପାଠ ମନେ ରଖିବା ପାଇଁ ଦିନରାତି ଅନିଦ୍ରା ରହି କେତେ ପରିଶ୍ରମ କରୁଛ, ଯଦି ପରୀକ୍ଷା ନହେବ ତୁମକୁ ତୁମର ପ୍ରାପ୍ୟ କିପରି ମିଳିବ?
- ବୁଝିପାରିଲିନି ପ୍ରଭୁ! ପରୀକ୍ଷାରୁ ଆମକୁ ଆମର ପ୍ରାପ୍ୟ କିପରି ମିଳିବ?
ନ ବୁଝିଲା ଆଖିରେ ଗୁଡୁ ପ୍ରଶ୍ନ କଲା।
ସ୍ମିତହାସ୍ୟ କରି ଠାକୁର କହିଲେ
- ଆରେ ବାୟା, ପରୀକ୍ଷା ହେଲେ ସିନା ତୁମକୁ ତୁମର ଫଳ ମିଳିବ, ଯେଉଁଥିରୁ ତୁମର ଯୋଗ୍ୟତା ସମ୍ପର୍କରେ ଜଣା ପଡ଼ିବ। କେଉଁ ବିଷୟରେ ଅଧିକ ଜ୍ଞାନ ଅଛି ତାହା ଜାଣିପାରିବ। ଏଇ ପରୀକ୍ଷା ହେଉଛି ତୁମ ଯୋଗ୍ୟତାର ମାନଦଣ୍ଡ। ଏଇ ମାନଦଣ୍ଡ ହିଁ ତୁମ ଜୀବନର ମାର୍ଗଦର୍ଶକ ହେବ।
- ତା ମାନେ ପ୍ରଭୂ ଏଇ ପରୀକ୍ଷା ଆମେ ବର୍ଷ ସାରା କରିଥିବା ପରିଶ୍ରମର ପ୍ରାପ୍ୟ ଆମକୁ ଦେବ। ଆଉ ଏଇ ପ୍ରାପ୍ୟକୁ ନେଇ ଆମର ଜୀବନରଥ ଆଗକୁ ଆଗକୁ ମାଡ଼ି ଚାଲିବ। ତାହାହେଲେ ଏହାର ତ ଖୁସି ମନରେ ଆମେ ପ୍ରତୀକ୍ଷା କରିବା କଥା। ପ୍ରାପ୍ୟ ଭଲ ମିଳିବା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା କଥା। ଠିକ୍ ଅଛି ପ୍ରଭୂ ମୁଁ ଏଥର ଖୁସି ମନରେ ପରୀକ୍ଷାର ପ୍ରତୀକ୍ଷା କରିବି। ହଁ ହଁ ମୁଁ ମୋ ପରୀକ୍ଷାର ପ୍ରତୀକ୍ଷା କରିବି।
- ଆରେ ଏ କଣ ହେଉଛି.......... ଶୋଇକି ଚିଲ୍ଲଉଛୁ କାହିଁକି?
ସେପଟୁ ବାପାଙ୍କ କଣ୍ଠସ୍ୱର। ଆଉ ଏପଟେ ଆମ ଗୁଡୁ ଖାଲି ମୁଚୁକି ମୁଚୁକି ହସୁଛି।