Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Bismita Sahoo

Abstract

4.4  

Bismita Sahoo

Abstract

ଭାଇ

ଭାଇ

4 mins
52



ତାର କୁଆଁ କୁଆଁ ରାବ ଶୁଣି ଘର ଆମର ପୁରି ଉଠିଥିଲା। ଘରର ପ୍ରତ୍ୟେକ ସଦସ୍ୟ ସହିତ କାନ୍ଥ ବାଡ଼ ବି ଯେମିତି ଖୁସିରେ ଝୁମି ଉଠୁଥିଲେ। ବାପାଙ୍କ ନିଶ ଆଗ ଅପେକ୍ଷା ଟିକିଏ ଅଧିକ ଘଞ୍ଚ ହୋଇଯାଉଥିଲା। ଜେଜେବାପା ଛାତି ଫୁଲେଇ ରାସ୍ତାରେ ଚାଲିଲା ବେଳେ ଜେଜେମାର ହାତ ଅଣ୍ଟା ଆପେ ଆପେ ହଲି ଯାଉଥିଲା। ମା ର ମୁହଁରେ ଖୁସିର ଲହଡ଼ି ଭାଙ୍ଗୁଥିଲା ଆଉ ଆମେ ସାତ ଭଉଣୀ ସେଥିରେ ଗାଧେଇବା ପାଇଁ ସଜବାଜ ହେଉଥିଲୁ। 


   ସେୟା ନୁହେଁ ଆଉ କଣ? ରାକ୍ଷୀ ପୂର୍ଣ୍ଣମୀରେ ଭାଇଟିଏ ନାହିଁ ବୋଲି କମ୍ ଦହଗଞ୍ଜ ହେଇଛୁ? ସାଙ୍ଗମାନେ ଛୋଟ ଛୋଟ କଥାରେ ଛିଗୁଲାନ୍ତି ଏଇ ମୋ ସାଙ୍ଗେ ଲାଗେନା କହୁଛି ମୁଁ ମୋ ଭାଇକୁ କହିଦେବି ଯେ ସେ ତୋତେ ଖୋବି ପକେଇବ। ଭାଇର ଅନୁପସ୍ଥିତି ଆମକୁ ଖୁବ୍ କଷ୍ଟ ଦେଉଥିଲା ଯେମିତିକି ଜେଜେମା ମା 'କୁ କୁହେ .....


 - ନ ଦେଖିଲା ଲୋକ ଦେଖ ନା କଇଁଛ କାଟୁଛି ବେକ। ମୁହଁକୁ ଟିକିଏ ଲାଜ ସରମ ନାହିଁ। ସାତ ସାତଟା ଝିଅ ବେଇକି ଝିଅ ସୁଆଗିଆ ଦେଖଉଛି। ମୋ ପୁଅ ନିର୍ବଂଶ ହେଉଛି ତାର କଣ ସେଥିପ୍ରତି ଟିକିଏ ନିଘା ଅଛି।


 ଏସବୁ ଶୁଣି ମା'ର ଆଖିରୁ ଲୁହ ଝରୁ କି ନଝରୁ ମୋ ଅନ୍ତରରେ କିନ୍ତୁ ଆଗ୍ନେୟଗିରିଟିଏ ଜନ୍ମ ହୁଏ। ତାର ଉତ୍ତପ୍ତ ଲାଭା ମୋତେ ଅହରହ ସିଝାଉଥାଏ। ଆରେ ପୁଅ କି ଝିଅ ଜନ୍ମ ହେବା ସେ କଣ ହାତର କଥା? ଏହି ପୁଅର ଆଶାରେ ବର୍ଷକୁ ବର୍ଷ ମା ଭୋଗେ ଗର୍ଭ ଯନ୍ତ୍ରଣା। ବାର ମାସରୁ ପ୍ରତି ନଅ ମାସ ତା ଗର୍ଭାଶୟ ପୂର୍ଣ୍ଣ ରୁହେ। ସେ ବି ବିନା ପ୍ରତିବାଦରେ ପୁଅ ସୁଖ ଦେବା ଆଶାରେ କଷ୍ଟ ଭୋଗିଚାଲେ। ଭଗବାନ ତା ସହିବା ଶକ୍ତିର ପରୀକ୍ଷା ନିଅନ୍ତି। ଗୋଟିଏ ପରେ ଗୋଟିଏ ଏମିତି ସାତ ସାତଟା ଝିଅ ଜନ୍ମ ନିଅନ୍ତି। ତଥାପି ସେ ଥକେନି। ଆଖି ଦିଟା କୋରଡରେ ପଶିଲାଣି। ମାତ୍ର ତିରିଶି ବର୍ଷରେ ପଚାଶ ବର୍ଷର ବୁଢ଼ୀ ପରି ଦୃଶ୍ୟମାନ ହେଉଥିଲେ ବି ପୁଅ ଜନ୍ମ କରିବାର ଜିଦ କମୁନଥିଲା। ସତରେ କଣ ମା ପୁଅଟିଏ ଚାହୁଁଥିଲା? ଆମେ ତା ପାଇଁ ମୂଲ୍ୟହୀନ ଥିଲୁ? ରାତିରେ ଆମେ ଛ ଭଉଣୀ ଜେଜେମା ପାଖରେ ସପରେ ଗଡ଼ିଲା ବେଳେ ସାନ ଭଉଣୀ ପାଟିରେ ଜେଜେମା ତା ଶୁଖିଲା ଥନ ଦେଇ ଚୁପ୍ କରାଏ। କାଳେ ଆମ ଛାଇ ପଡ଼ିଲେ ମା'ର ପୁଣି ଝିଅଟିଏ ହେବ ସେଥିପାଇଁ ମା ପାଖକୁ ଯିବା ଆମକୁ ସମ୍ପୂର୍ଣ୍ଣ ମନା। ଭାତ କଂସା ଆମ ଭଉଣୀମାନଙ୍କ ପାଖରେ ରଖିଲାବେଳେ ମା ଓଠରୁ ଏକ ନୀରସ ହସ ଝରିଆସେ। ବାସ୍ ସେତିକି। ଛୋଟ ବେଳୁ ନିଜେ ନିଜକୁ ସଜାଡ଼ିବା ଆମେ ଶିଖି ଯାଇଥିଲୁ। ଇଏ ତାର, ସିଏ ତାର ଏପରିକି ନିଜେ ନିଜର ଦାୟିତ୍ୱ ନେଉଥିଲୁ ସେଥିପାଇଁ ବୋଧହୁଏ ବୟସ ଠାରୁ ଅଧିକ ବୟସ୍କ ଦିଶୁଥିଲୁ। ସବୁଠାରୁ ବଡ଼ ଝିଅ ହେଇଥିବାରୁ ପାଞ୍ଚ ବର୍ଷରୁ ଘର ଝାଡ଼ୁ କରିବା, ଲୁହା ନଳରେ ଚୁଲି ଫୁଙ୍କିବା, ଚାଉଳରୁ ଗୋଡ଼ି ବାଛିବା , ବାପାଙ୍କ ପାଇଁ ପିଢ଼ା ପାଣି ରଖିବା ଏଥିରେ ପାରଙ୍ଗମ ହେଉଥିଲି। ଏହି ଦକ୍ଷତା ବି ଗୋଟିଏ ପରେ ଗୋଟିଏ ତଳ ଭଉଣୀଙ୍କ ପାଖକୁ ସ୍ଥାନାନ୍ତରଣ ହେଉଥିଲା।

  


   ସେଥିପାଇଁ ଯେଉଁ ଦିନ ଭାଇଟିଏ ଆମ ଘରେ ଜନ୍ମ ହେଲା ଆମ ଖୁସି କହିଲେ ନସରେ। ତାର ଏକୋଇଶା ଅତି ଧୁମ୍ ଧାମ୍ ରେ ପାଳନ ହେଲା। ଜେଜେବାପା ଗାଁ ବାଲାଙ୍କୁ ଭୋଜି ଦେଲେ। ଜେଜେମା ନୂଆ ଶାଢ଼ୀ ପିନ୍ଧି ସାଆନ୍ତାଣୀ ସାଜି ପାଟିରେ ପାନ ଖିଲେ ମାରି ଚାଲିଗଲା ସାହି ମାଇପେଙ୍କ ପାଖକୁ। ପ୍ରଥମ କରି ଆମ ସମସ୍ତଙ୍କ ପାଇଁ ଏକା ସମୟରେ ନୂଆ ପୋଷାକ ଅଣା ଯାଇଥିଲା। ଆମକୁ ଆମ କୁନି ଭାଇକୁ ଦେଖିବାକୁ ଭାରି ଇଚ୍ଛା ହେଉଥିଲା। ମୁଁ ସବୁଠାରୁ ବଡ଼ ଥିବାରୁ ମୋତେ ତାକୁ ଧରିବାକୁ ପ୍ରଥମେ ସୁଯୋଗ ମିଳିଲା। ମୁଁ ତାର ଚୁଟି ସହିତ ମୋ ଚୁଟିର ରଙ୍ଗ ମିଶାଉଥିଲି। ତା ହାତର ଆଙ୍ଗୁଠି ଓ ମୋ ଆଙ୍ଗୁଠିକୁ ବାରମ୍ବାର ଗଣୁଥିଲି। ତା ପାଟି , ତା ଓଠ, ତା ଆଖି, ତା କାନ ସବୁ ଗୋଟିଏ ପରେ ଗୋଟିଏ ଅଙ୍ଗକୁ ଛୁଉଁଥିଲି। କାଇଁ କିଛି ତ ଫରକ ନଥିଲା। ମୋ ସାନ ଭଉଣୀଙ୍କୁ କୋଳରେ ଧରିଲା ବେଳେ ଯେପରି ଶିହରଣ ସୃଷ୍ଟି ହେଉଥିଲା ଏବେ ବି ସେମିତି ଲାଗୁଥିଲା। ତେବେ କଣ ପାଇଁ ମା ବାପାଙ୍କ ଏ ପୁଅର ପ୍ରତୀକ୍ଷା? 


   ସେ ମୋଠାରୁ ପାଖା ପାଖି ନଅ ବର୍ଷର ସାନ ଥିଲେ ମଧ୍ୟ ମୁଁ ତାକୁ ଭାଇ ଡାକୁଥିଲି। ମୋ ଦେଖା ଦେଖି ମୋ ସାନଭଉଣୀମାନେ ମଧ୍ୟ ଭାଇ ଡାକୁଥିଲେ। ଭାଇ ଶଶୀ କଳା ପରି ବଢ଼ିବାକୁ ଲାଗିଥିଲା। ସେପଟେ ଲଗାତାର ଛୁଆ ଜନ୍ମ କରି ମା'ର ସ୍ୱାସ୍ଥ୍ୟ କ୍ଷୀଣ ହେଇଯାଇଥିଲା। ନାତି ଜନ୍ମ ପରେ ପରେ ଜେଜେବାପା ଜେଜେମାଙ୍କର ବୋଧେ ଆଉ କୌଣସି ଆଶା ମନରେ ବାକି ନଥିଲା। ଦୁହେଁ ହାତ ଧରାଧରି ହେଇ ଏକା ସମୟରେ ଆର ପାରିକି ଚାଲିଗଲେ। 


 ଭାଇକୁ ଏବେ ଦଶ ବର୍ଷ। ମାଟ୍ରିକ ପାସ୍ ପରେ ମୋର ଓ ମୋ ତଳ ଭଉଣୀର ପଢ଼ାରେ ଡୋରି ବନ୍ଧା ହେଇଥିଲା। ମା ର କାଶ ଦିନକୁ ଦିନ ବଢ଼ୁଥିଲା। ଦଶ ପ୍ରାଣୀଙ୍କ କୁଟୁମ୍ବ ସମ୍ଭାଳୁ ସମ୍ଭାଳୁ ବାପାଙ୍କ ଅଣ୍ଟା ନଇଁ ଯାଇଥିଲା। ଘରର ସମସ୍ତ ଦାୟିତ୍ବ ବର୍ତ୍ତମାନ ମୋ ଉପରେ। ସାନ ଭଉଣୀମାନେ ପାଠ ସହିତ ଘରର କାମରେ ସାହାଯ୍ୟ କରୁଥିଲେ କିନ୍ତୁ ଭାଇ ଏବେ ବି ରାଜା ଥିଲା। ସେ ରାଜା ଥିଲା ଓ ରାଜା ହିଁ ରହିବ ଏହି ଭାବଟି ତା ମନକୁ ଅଧିକ ଜାବୁଡ଼ି ଧରିଥିଲା। ତାର ଠାଣି ବାଣୀ ଦେଖି ଆମ ମନରେ ଇର୍ଷା ଘନୀଭୂତ ହେବାକୁ ଲାଗୁଥିଲା। ଆମେ ପଛେ ନ ଖାଇ ପେଟରେ ଓଦା କନା ପକେଇ ଶୋଇବୁ ତା ପାଇଁ କିନ୍ତୁ ରାଜକୀୟ ଭୋଗ ଲାଗୁଥିଲା। ଭଳିକି ଭଳିକି ଖେଳନା, ପୋଷାକ ତା ପାଖରେ ଥାକ ମରାଯାଉଥିଲା। ସତରେ ସେ ଯେମିତି ଘରର ରାଜା ଆଉ ଆମେ ଦାସୀ। 


   ଭାଇ ବଡ଼ ହେବା ସହିତ ଆମେ ଭଉଣୀମାନେ ଯୁବତୀ ହେଉଥିଲୁ ସେକଥା ଭାବିବା ପାଇଁ ଆମ ପାଖରେ ସମୟ ନଥିଲା। ବୋଧହୁଏ ଯୌବନର ଉଦ୍ଦୀପନା ପାଇଁ ଉତ୍ତମ ପରିବେଶ ଦରକାର। ପର୍ଯ୍ୟାବରଣ ଠିକ୍ ନଥିଲେ ଯୌବନର ଅଙ୍କୁରୋଦ୍ଗମ ହେଇପାରେନି। ଭାଇ ଏବେ ସତରେ ଆମ ବଡ଼ ଭାଇ ରୂପରେ ପରିଣତ ହେଇଯାଇଥିଲା। ଇଆଡ଼େ ଯା ନା, ସେଠି ଠିଆ ହୁଅନା, ଏମିତି ଚାଲେନା, ସେମିତି କରନା .......


  ଏଡ଼ିକି ବକଟେ ଛୁଆ ଏବେ ଆମକୁ ଜଗୁଥିଲା। ଆମ ଉପରେ ତା ବଡ଼ ଭାଇର କର୍ତ୍ତୃତ୍ୱ ଜାହିର କରୁଥିଲା। ଏବେ ଭାଇକୁ ଦେଖିଲେ ଦେହରେ ଘୃଣା ସଞ୍ଚରୁଥିଲା। ମା ର କାଶ ସେମିତି ବଢ଼ି ଚାଲିଥିଲା। ଘରୁ ଦୋକାନ, ଦୋକାନରୁ ଘର। ବାପାଙ୍କ ପୃଥିବୀଟି ଏତିକିରେ ସୀମିତ ହେଇଯାଇଥିଲା। ଆମେ ସବୁ ଭଉଣୀ ଅବାଞ୍ଛିତ ଭାବେ ସମୟର ଇଶାରାରେ ଆଗକୁ ବଢ଼ି ଚାଲିଥିଲୁ। 


  ମନରେ ଭାଇ ପାଇଁ ଭଲ ପାଇବା ଥାଉ ବା ନଥାଉ ରାକ୍ଷୀ ପୁନେଇଁ ଖୁବ୍ ଜାକ ଜମକରେ ପାଳୁଥିଲୁ। ବାପା ଭାଇ ପାଇଁ ନୂଆଁ ଡ୍ରେସ ଆଣନ୍ତି। ଆଲମାରୀରେ ଚଉତା ହେଇ ରହିଥିବା ଡ୍ରେସ୍ ଆମେ ପିନ୍ଧୁ। କେବଳ ପୂଣ୍ୟ ପର୍ବାଣୀରେ ଏସବୁ ନିଃଶ୍ୱାସ ନେବାକୁ ସୁଯୋଗ ପାଆନ୍ତି । ନଚେତ ମାଡ଼ି ମକଚି ପଡ଼ିଥାନ୍ତି ଆଲମାରୀ ଭିତରେ। ଫୁଲ, ବରକୋଳି ପତ୍ର, ଅରୁଆ ଚାଉଳ, ଦୀପ, ରାକ୍ଷୀ, ମିଠା ସବୁ ଥାଳିରେ ସଜା ହେଇଥିଲା। ଭାଇ ବସିବା ଜାଗାରେ ନୂଆଁ ଆସନ ବିଛା ଯାଇଥିଲା। ହେଲେ ଭାଇର ଦେଖା ନଥିଲା। ସବୁ ଚିଜ ଠିକ୍ ଅଛି କି ନାହିଁ ମା ତଦାରଖ କରୁଥିଲା। 


- ଏତେବଡ଼ ଝିଅ ହେଇ ପୂଜା ଥାଳି ସଜାଡ଼ି ଆସିଲାନି? ଦୁବ କାଇଁ? 


ଏହା କହି ମା ମୋତେ ମାରିବାକୁ ଆସିଲାବେଳେ ତା ହାତକୁ ପଛ ପାଖକୁ ହଠାତ କିଏ ଟାଣି ନେଲା। ଆମେ ପଛକୁ ଚାହିଁ ଦେଖୁତ ଭାଇର ଆଖିରେ ନିଆଁ ଜଳୁଥିଲା। ତୁ କାହିଁକି ମୋ ଦିଦି ଉପରେ ହାତ ଉଠେଇଲୁ କହି ସେ ଚିତ୍କାର କରୁଥିଲା। ତା ଚିତ୍କାର ସହିତ ଆମ ମନରେ ତା ପ୍ରତି ଥିବା ଘୃଣା, ଇର୍ଷା, ହିଂସା ସବୁ ବାଷ୍ପୀଭୁତ ହେଇ ଆକାଶରେ ମିଶି ଯାଉଥିଲେ। ଭାଇ ବରଗଛଟିଏ ସାଜି ଆମକୁ ତା କୋରଡରେ ଆଶ୍ରା ଦେଉଥିଲାବେଳେ ପ୍ରେମର ଟୁପ୍ ଟୁପ୍ ବର୍ଷା ବରଗଛକୁ ଓଦା କରୁଥିଲା। 




    



Rate this content
Log in

More oriya story from Bismita Sahoo

Similar oriya story from Abstract