Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bismita Sahoo

Tragedy

4.8  

Bismita Sahoo

Tragedy

କୁକୁର

କୁକୁର

4 mins
520


- ହଁ ମୁଁ କୁକୁର। ମୋତେ ସମସ୍ତେ କୁକୁର କୁକୁର ବୋଲି ଡାକ। ହେଇ ଦେଖ, ମୋ ପଛପଟେ କୁକୁର ପରି ଛୋଟିଆ ବଙ୍କା ଲାଞ୍ଜ ଅଛି। ଯାହାକୁ ନଳୀରେ ପୁରେଇ ବାର ବର୍ଷ ରଖିଲେ ବି ସିଧା ହେବନି। ମୁଁ ବି ଦେଖ କୁକୁର ପରି ଭୋ... ଭୋ.... କରୁଛି। ଅଇଁଠା ଚଟା କୁକୁର ମୁଁ।


ଲୋକଟି ଏହା କହି କେତେବେଳେ ହସୁଥିଲା ତ ଆଉ କେତେବେଳେ ସତକୁ ସତ କୁକୁର ପରି ଭୋ ଭୋ କରି ରାସ୍ତାରେ ଗଡି ଯାଉଥିଲା। ତାକୁ ଦେଖି ଗାଁ ପିଲାମାନେ ତାଳି ମାରି ନାଚୁଥିଲେ। କେହି କେହି ଟେକା ବି ଫିଙ୍ଗୁଥିଲେ। ଟେକା ବାଜି ମୁଣ୍ଡରୁ ଧାର ଧାର ରକ୍ତ ବହିଲେ ବି କିଏ ଆହା ଟିକିଏ ବି କରୁନଥିଲେ। କିଛି ଲୋକ ଦେଖଣାହାରୀ ସାଜି ଏହି ଦୃଶ୍ୟକୁ ମନଭରି ଉପଭୋଗ କରୁଥିଲେ ତ ଥୋକେ ଚୁପଚାପ ବାଟଭାଙ୍ଗି ଚାଲିଯାଉଥିଲେ। ଏପରି ଅଭାବନୀୟ ଦୃଶ୍ୟ ମୋ ଛାତିକୁ କଷ୍ଟ ଦେଲା। ମୁଁ ଦୌଡିଯାଇ ଲୋକଟିକୁ ପିଲାଙ୍କ କବଳରୁ ମୁକ୍ତି କଲି। ତାକୁ ଘରକୁ ଆଣି ତାର ଲମ୍ବି ଯାଇଥିବା ଦାଢ଼ି ଓ ଚୁଟିସବୁ କାଟିଲି। ନିଜ ହାତରେ ଗାଧେଇ ଦେଇ ସଫାସୁତର ପୋଷାକ ପିନ୍ଧେଇ ଦେଲି।


   ଆରେ ଏ କଣ! ଇଏ ତ ଆର ଗାଁ ରାଧୁ ମିଶ୍ର। ହଁ ମୁଁ ଠିକ୍ ଚିହ୍ନିଛି। ଇଏ ହିଁ ରାଧୁ ମିଶ୍ର। ଦିଲ୍ଲୀରେ ଗୋଟେ ବଡ଼ କମ୍ପାନୀରେ ଅଫିସର ଥିଲେ। ହାଉଜାଉ ପଇସା। ପାଞ୍ଚବର୍ଷ ତଳେ ଗାଁ ରେ ପାଠାଗାର ବନେଇବା ପାଇଁ ଯେତେବେଳେ ଟଙ୍କାର ଅଭାବ ହେଲା, କେଉଁ ସୂତ୍ରରୁ ଜାଣିପାରି ସ୍ବେଚ୍ଛାକୃତ ଭାବେ ଆମର ଅଭାବ ପୂରଣ କରିଥିଲେ ଏବଂ ଆମ ଗାଁ ର ଭଲମନ୍ଦରେ ସର୍ବଦା ସାହାଯ୍ୟ କରିବେ ବୋଲି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ବି ଦେଇଥିଲେ। ଏତେ ବଡ଼ ମହାନ ବ୍ୟକ୍ତିଙ୍କର ଏପରି ଦୁରାବସ୍ଥା ମୋ ପାଇଁ ଅସହନୀୟ ଥିଲା। ସେ ମଧ୍ୟ ମୋତେ ଚିହ୍ନି ପାରୁନଥିଲେ। ତାଙ୍କୁ କିଛି ଭଦ୍ରବ୍ୟକ୍ତିଙ୍କ ଜିମା ଦେଇ ଯୁବସଂଘର ଅନ୍ୟ ସଦସ୍ୟମାନଙ୍କ ସହିତ ମିଶି ଆମେ ବାହାରିଗଲୁ ରାଧୁ ମିଶ୍ରଙ୍କ ଗାଁକୁ। ତାଙ୍କ ଘର ଖୋଜିବାକୁ ଆମକୁ ବେଶି କଷ୍ଟ କରିବାକୁ ପଡ଼ିଲାନି। ଦି ବଖରାର ଚାଳ ଘର। ବିନା ଛପରରେ ଭୁଷୁଡିବାକୁ ବସିଲାଣି। ରାଧୁ ମିଶ୍ରଙ୍କ ଘର ଏଇଟା କି ପଚାରିବାରୁ ଘରଭିତରୁ ପଶିଆସିଲେ ପାଖାପାଖି ୭୦ବର୍ଷର ବୃଦ୍ଧ ଜଣେ। ଆମକୁ ଦେଖି ଚିଲ୍ଲେଇଲେ , କଣ ତୁମମାନଙ୍କ ଠାରୁ ବି ମୋ ପୁଅ ପଇସା ଧାର ନେଇଛି। ମୋ ପାଖରେ ଶୁଝିବାକୁ ଟଙ୍କା ପାହୁଲିଟେ ବି ନାହିଁ। ପାରୁଛ ଯଦି ଏ ଘର ଖଣ୍ଡିକ ନେଇଯାଅ। 


   ବୃଦ୍ଧଙ୍କ ଆଖିରୁ ଅନବରତ ଲୁହ ବହୁଥାଏ। ତାଙ୍କୁ ଆମେ ଏଠାକୁ ଆସିବାର ଉଦ୍ଦେଶ୍ୟ ଜଣେଇଲୁ। ତାଙ୍କ ପୁଅ ବଞ୍ଚିଛି ଶୁଣି ତାଙ୍କର ଆନନ୍ଦର ସୀମା ରହିଲାନି। ସେ ଆମ କୌତୁହଳରୁ ପରଦା ଉଠେଇଲେ। ସେ ଆରମ୍ଭ କଲେ ------


 ପିଲାଦିନୁ ରାଧୁ ପରୋପକାରୀ ଥିଲା। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଗୁଣ ଚାରିଆଡେ ଚହଟୁଥିଲା। ଭୋକିଲା ଲୋକଙ୍କ ମୁହଁରେ ଆହାର ଦେବା, ଦୁଃଖୀ ଲୋକଙ୍କୁ ସାହାଯ୍ୟ କରିବା , ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ଏସବୁ ତାର ଅଭ୍ୟାସ ଥିଲା। ସେ ଯେତିକି ବଡ଼ ହେବାକୁ ଲାଗିଲା ତାକୁ ଲୋକମାନେ ବେଶି ଭଲ ପାଇଲେ। ମୁଣ୍ଡରେ ବସେଇଲେ। ତାର ଟିକିଏ ଇଶାରାରେ ସାରା ଗାଁ ଏକଜୁଟ ହେଇଯାଉଥିଲା। କଥାରେ ଅଛି ଯାହାର ମିତ୍ର ଅଧିକ, ତାର ଶତ୍ରୁ ବି କମ୍ ନଥାନ୍ତି। ଗାଁ ପ୍ରଧାନଙ୍କୁ ରାଧୁର ଖ୍ୟାତି ହଜମ ହେଉନଥିଲା। କାଳେ ସରପଞ୍ଚ ଆସନ ଟି ରାଧୁଆ ହସ୍ତଗତ କରିନେବ ସେହି ଚିନ୍ତାରେ ସେ ବୁଡ଼ି ରହୁଥିଲେ। ରାଧୁଆ ବଡ଼ ଚାକିରି ଓ ଆରାମଦୟକ ଜୀବନ ଛାଡି ଗାଁ ଲୋକଙ୍କ କଲ୍ୟାଣ କରିବାକୁ ବାହାରିଲା।ଘର ଘର ବୁଲି ପଇସା ମାଗି ସେ ପଇସାରେ ଗାଁ ପାଇଁ ସ୍କୁଲଟିଏ ଖୋଲିଲା। ନିଜ ବାପ ଅଜା ସମ୍ପତ୍ତିକୁ ବିକ୍ରୀ କରି ଗାଁ ରେ ପାଠାଗାର ଖୋଲିଲା। ଲୋକଙ୍କ ସୁବିଧା ନିମନ୍ତେ କୂଅ ଓ ପୋଖରୀ ଖୋଳେଇଲା । ଭଲ ପାଠ ପଢୁଥିଲେ ବି ଚାକିରି ନକରି ଚାଷୀମାନଙ୍କୁ ନୂତନ ପ୍ରଣାଳୀରେ ଚାଷ ଶିଖାଇଲା। ଯାହାଦ୍ୱାରା ସେମାନେ ଅଳ୍ପ ଟଙ୍କା ବ୍ୟୟ କରି ଅଧିକ ଫସଲ ଅମଳ କଲେ। ଗାଁ ସ୍ତ୍ରୀଲୋକଙ୍କୁ ନେଇ ମହିଳା ସଂଘ ସ୍ଥାପିତ କରିଲା। ଆଚାର, ବଡି, ପାମ୍ପଡ଼ , ଧୂପକାଠି ତିଆରି ଶିଖାଇ ସେମାନଙ୍କୁ ସ୍ୱାବଲମ୍ବୀ କଲା। ଗାଁର ପ୍ରତ୍ୟେକଟି ଘରେ ଖୁସିର ଫୁଆରା ଝରୁଥିଲା। ଗାଁ ଲୋକମାନେ ସ୍ଥିର କଲେ ଏଥର ପଂଚାୟତ ନିର୍ବାଚନରେ ରାଧୁ ଭାଗ ନେବ। ଏବଂ ସମସ୍ତେ ତାକୁ ଭୋଟ ଦେବେ। ସବୁ ଠିକଠାକ ଚାଲିଥିଲା। ହେଲେ ନିର୍ବାଚନ ପୂର୍ବ ଦିନ ହଠାତ ରାଧୁଆ ତିଆରି କରିଥିବା ବିଦ୍ୟାଳୟରେ ପୋଲିସ ପହଞ୍ଚିଗଲେ। ସେମାନେ ପିଲାଙ୍କ ବହି ଖାତା ଦରାଣ୍ଡି ବାକୁ ଲାଗିଲେ। କେହି କିଛି ବୁଝି ପାରୁନଥାନ୍ତି। ହେଡମାଷ୍ଟ୍ରେ ପଚାରିବାରୁ କହିଲେ ଏହି ସ୍କୁଲରେ କୁଆଡ଼େ ଅଶ୍ଳୀଳ ପୁସ୍ତକ ପଢ଼ା ହେଉଛି ବୋଲି ଅଭିଯୋଗ ଆସିଛି। ପ୍ରତ୍ୟେକଟି ପିଲାର ବସ୍ତାନୀ ତଦାରଖ କରାଗଲା। ସତକୁସତ ଚାରିଟା ପିଲାଙ୍କ ପାଖରୁ ଅଶ୍ଳୀଳ ପୁସ୍ତକ ମିଳିଲା। ତନ୍ମଧ୍ୟରୁ ଗାଁ ପଧାନେଙ୍କ ପୁଅ ଜଣେ ଥିଲା। ପଧାନେ ପୋଲିସ ବାବୁଙ୍କ ଆଗରେ ଢୋ ଢୋ କରି ମୁଣ୍ଡ ପିଟିଲେ। ତାଙ୍କ ପୁଅର ଭବିଷ୍ୟତ ଏ ସ୍କୁଲ ଅନ୍ଧାରମୟ କରିଦେବ ବୋଲି କହି କାନ୍ଦି କାନ୍ଦି ଚେତା ବୁଡ଼ିଗଲେ। ମହିଳାସଂଘରେ ମଧ୍ୟ ଅନୀତିକର କାର୍ଯ୍ୟକଳାପ ଚାଲିଛି ବୋଲି ପ୍ରମାଣ ମିଳିଲା। ବିଚ ରାସ୍ତାରେ ହାତକଡ଼ି ପକେଇ ରାଧୁଆକୁ ଟାଣି ଟାଣି ପୋଲିସ ନେଲା। ରାଧୁଆ ନିଜକୁ ଯେତେ ନିର୍ଦ୍ଦୋଷ କହିଲେ ବି ତା କଥା କେହି ଶୁଣିଲେନି। ଏପରିକି ଲୋକଙ୍କ ମଧ୍ୟରୁ ଜଣେ ଆସି ତାକୁ କୁକୁର କହି ସର୍ବସମ୍ମୁଖରେ ତା ଉପରକୁ ଛେପ ପକେଇଲା। 


   ରାଧୁର ମା ପୁଅର ନିନ୍ଦା ସହି ନପାରି ରାଧୁ ବନେଇଥିବା ପୋଖରୀକୁ ଡେଇଁ ପଡ଼ିଲା। ତା ମା ର ଦଶାହ କର୍ମକୁ ରାଧୁ ଗାଁକୁ ପୋଲିସ ମେଳରେ ଆସିଲା। ସମସ୍ତଙ୍କୁ ଖାଲି ବଲବଲ କରି ଅନେଇଲା। ଯେତେ ପଚାରିଲେ ବି ପଦୁଟିଏ କହିଲାନି। ଖାଲି ଆକାଶକୁ ଚାହିଁ ରହିଲା। ତା କେସ୍ ଲଢ଼ିବା ପାଇଁ କେହି ରାଜି ହେଲେନି। ପାଖରେ କୋଉ ପଇସା ଥିଲା ଯେ ସେ ରାଧୁର ବାପା ହିସାବରେ କୋଉ ଓକିଲକୁ ଦେଇଥାନ୍ତେ। ପୁଅ ତ ଯାହା ରୋଜଗାର କରୁଥିଲା ସବୁ ସମାଜସେବାରେ ଲଗେଇ ଦେଉଥିଲା। ଯାହା ବି କିଛି ଥିଲା ତା ମା' ର ଅନ୍ତେଷ୍ଟିରେ ସାରିଦେଇଥିଲେ। ଏତେବଡ଼ ଭେଣ୍ଡା ପୁଅ ପାଇଁ ସେ କିଛି କରିପାରିଲେନି। ପଧାନେ ପୁଣି ସରପଞ୍ଚ ହିସାବରେ ନିର୍ବାଚିତ ହେଇସାରିଥିଲେ। ପୁଅକୁ ଜେଲରୁ ମୁକୁଳେଇବାକୁ ଅନୁରୋଧ କରିବାକୁ ସେ ସରପଞ୍ଚଙ୍କ ପାଖକୁ ଗଲେ। ତାଙ୍କୁ ଦେଖି ପୁଅ ତାଙ୍କର ବିଛା ମନ୍ତ୍ର ନଜାଣି ସାପ ବିଳରେ ହାତ ମାରିଛି କହି ଘରୁ ଧକ୍କା ଦେଇ ତଡିଦେଲେ। ଯେଉଁ ଗାଁ ଲୋକେ ପୁଅକୁ ମୁଣ୍ଡରେ ବସେଇଥିଲେ ସେମାନେ ତାକୁ କୁକୁର କହି ଡାକିବା ଆରମ୍ଭ କରିଦେଇଥିଲେ। ତାଙ୍କ ପୁଅ ପାଞ୍ଚବର୍ଷ ଜେଲରେ ରହିବା ପରେ ଯେବେ ମୁକୁଳିକି ଆସିଲା ଏଇ ଗାଁ ଲୋକେ ଯା କୁକୁର ଏଠୁ ଯା କହି ତାକୁ ମାରିବାକୁ ତଡିଲେ। ସେବେଠୁ ସେ ତାଙ୍କ ପୁଅ ବଞ୍ଚିଛି କି ମରିଛି କିଛି ଜାଣି ନାହାନ୍ତି। 


   ଆମେ ରାଧୁ ମିଶ୍ରଙ୍କ ବାପାଙ୍କୁ ଗାଁକୁ ନେଇ ଆସିଲୁ। ପୁଅକୁ ଦେଖି ସେ ଜାବୁଡ଼ି ଧରିଲେ। ପୁଅ ବି ବାପାକୁ ଦେଖି ଭୋ ଭୋ କରି ରଡ଼ିବାକୁ ଲାଗିଲା। ଅନ୍ୟର ଭଲ କରିବାକୁ ଯାଇ ବେଳେବେଳେ ଏପରି ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡ଼େ ଭାବିଲାବେଳକୁ ଦେହ ଶିହିରୀ ଉଠୁଥିଲା। କୁକୁରର ବିନା ସହାୟତାରେ ଧର୍ମରାଜ ଯୁଧିଷ୍ଠିର ସ୍ୱର୍ଗକୁ ବି ଯାଇପାରିନଥିଲେ। ବିନା ଦୋଷରେ ଗାଁରୁ ନିର୍ବାସିତ କରିଥିବା ଲୋକଙ୍କୁ କୁକୁରର ମହାତ୍ମ୍ୟ ଜଣେଇବା ବାକି ଥିଲା। ଅନ୍ୟାୟ ବିରୁଦ୍ଧରେ ଲଢୁ ଲଢୁ କେତେବେଳେ ଅନ୍ୟାୟର ଶିକାର ହେଇଗଲେ ସେ ସିନା ଜାଣିପାରିଲେନି, କିନ୍ତୁ  ଆମର ଦରକାର ସମୟରେ ରାଧୁ ବାବୁ ଆମକୁ ଯେଉଁ ସାହାଯ୍ୟ କରିଥିଲେ ତାକୁ ଫେରେଇବାର ପାଳି ଆସି ଯାଇଥିଲା। 


Rate this content
Log in