ହଟିଆ କାଳିଆ
ହଟିଆ କାଳିଆ


ଏଇ ସପ୍ତାହ ପରେ ଶୀତ ଛୁଟି ଆରମ୍ଭ ହେଇଯିବ। ଡିସେମ୍ବର ମାସରେ ୨୪ ତାରିଖ ପୂର୍ବରୁ ଗୋଟିଏ ବି ଛୁଟି ନାହିଁ। ତେଣୁ ମୋ ସହିତ ପିଲା ଦୁଇଟାଙ୍କ ନଜର ଏଇ କ୍ରିସମାସ ଛୁଟି ଉପରେ। ମାତ୍ର ୭ ଦିନ ଛୁଟି ମିଳେ। ବିଭିନ୍ନ ପ୍ରକାର ଜାଗାର ନାଁ କାଟ୍ ଖାଇଲା ପରେ ପୁରୀ ଯିବାପାଇଁ ସ୍ଥିର କରାଗଲା। ମୋର ନୂଆବର୍ଷ ଦିନ କାଳିଆକୁ ଦେଖିବାକୁ ଭାରି ଇଚ୍ଛା , କିନ୍ତୁ ମୋ ସ୍ୱାମୀ ଓ ଛୁଆ ଦିଜଣଙ୍କ ମନ ସମୁଦ୍ର କୂଳରେ। କେମିତି ସେଠି ଗାଧେଇବେ, ଲହଡ଼ିରେ ଉତ୍ପାତ ହେବେ , ଗରମ ଗରମ ରସଗୋଲା ଖାଇ ଓଟ ପିଠିରେ ବୁଲିବେ ସେଇ ଆଲୋଚନାରେ ମଗ୍ନ ରହିଲେ। ଜାନୁଆରୀ ୧ ତାରିଖ ଦିନ ସକାଳୁ ସକାଳୁ ଆମେ ଗାଧେଇ ପାଧେଇ ବାହାରିଲୁ। ପ୍ରଥମେ ଠାକୁର ଦର୍ଶନ ଓ ତା ପରେ ସମୁଦ୍ର ବୁଲିବୁ। ଯୋଜନା ମୁତାବକ ଠିକ୍ ୧୧ ଟାରେ ମନ୍ଦିରରେ ପହଁଚିଗଲୁ।
ବାପ୍ ରେ କି ଭିଡ଼। ସେ ଜନ ସମୁଦ୍ର ଦେଖି ମୋତେ ବ୍ୟସ୍ତ ଲାଗିଲା। ପୁଅମାନେ ଓ ସେମାନଙ୍କ ବାପା ମନା କରୁଥିଲେ ମନ୍ଦିର ଭିତରେ ପଶିବାକୁ। ମୁଁ ଜିଦ୍ କରି ସମସ୍ତଙ୍କୁ ନେଇ ମନ୍ଦିରକୁ ଗଲି। ପିମ୍ପୁଡ଼ି ମାନଙ୍କ ପରି ଲମ୍ବା ଧାଡ଼ି ଲାଗିଛି। ପାଖା ପାଖି ଦେଢ଼ ଘଣ୍ଟା ଲାଇନ୍ ରେ ରହିଲା ପରେ ଆମକୁ ଠାକୁରଙ୍କ ପାଖକୁ ଯିବାର ସୁଯୋଗ ମିଳିଲା। ମୁଁ ବଡ଼ପୁଅର ଓ ମୋ ସ୍ୱାମୀ ସାନପୁଅର ହାତ ଖୁବ ଜୋରରେ ମୁଠେଇ ଧରିଥାଉ। ଏତେ ଲୋକ ଗହଳିରେ କିଛି ଦିଶୁନଥାଏ। ମୁଁ ସେଇ ଭିଡ଼ରେ ଆଗକୁ ଆଗକୁ ମାଡି ଚାଲିଲି। ମୋ ସ୍ୱାମୀ ମୋତେ ଠାକୁରଙ୍କୁ ନଦେଖି ଫେରି ଯିବାପାଇଁ ପ୍ରବର୍ତ୍ତେଇଲେ। ସାନପୁଅକୁ ଖୁବ୍ ଜୋରରେ ଶୋଷ ଲାଗିଲାଣି। ଏତେ ଗହଳିରେ ଅଣନିଃଶ୍ୱାସୀ ହେଇ ବଡ଼ପୁଅ ମଧ୍ୟ ମମି ଆଉ କେବେ ଆସି ଠାକୁରଙ୍କୁ ଦର୍ଶନ କରିବା ବୋଲି ମୋତେ ବୁଝାଉଥାଏ। ମୁଁ ବି ହଉ ଚାଲ , ଫେରିଯିବା କହି ପଛକୁ ଅନାଉଛି ହଠାତ ଦଳେ ଲୋକ ଆମ ଉପରକୁ ମାଡ଼ି ଆସିଲେ। ମୋତେ ଲାଗିଲା ମୁଁ ଶୂନ୍ୟେ ଶୂନ୍ୟେ ଭାସୁଛି। ତଳେ ପଡ଼ିଗଲି। ଡରରେ ମୋର ଆଖି ଆପଣାଛାଏଁ ବନ୍ଦ ହେଇଗଲା। ଆଖି ଖୋଲିଲା ବେଳକୁ ମୁଁ ପୁରା ଠାକୁରଙ୍କ ସାମ୍ନାରେ। ମୋତେ ଦେଖି ସତେ ଯେମିତି କାଳିଆ ହସୁଛି। ପ୍ରଭୂ ଜଗନ୍ନାଥଙ୍କ ଚକା ଚକା ଆଖିରେ ମୁଁ ଯେମିତି ସାରା ବ୍ରହ୍ମାଣ୍ଡ ଦେଖୁଥିଲି। ମୋର ଗୋଟି ଗୋଟି କରି କୃଷ୍ଣ ଲୀଳା ମନେ ପଡ଼ି ଯାଉଥିଲା। ସେ କେମିତି ମାତା ଯଶୋଦାଙ୍କୁ ଦଧି ମନ୍ଥିଲା ବେଳେ ହଇରାଣ କରୁଥିଲେ ମୋତେ ସେ ଦୃଶ୍ୟ ଆଖି ପଟଳରେ ଉଦ୍ଭାସିତ ହେବାକୁ ଲାଗିଲା। ମୁଁ ତାକୁ ନଦେଖି ଫେରିଯାଉଥିଲି ଅଥଚ ହଟିଆ କାଳିଆ ମୋତେ ଦେଖା ଦେଇଦେଲା ଏହା ଭାବି ଖୁସିରେ ମୁଁ ଗଦଗଦ ହେଇଗଲି।
ଆଗକୁ ଚାଲ, ଆଗକୁ। ପୋଲିସର ପାଟି ଶୁଣି ମୁଁ ସତେ ଯେମିତି ସଂବିତ ଫେରି ପାଇଲି। ହେଲେ ଏ କଣ? ମୋ ସ୍ୱାମୀ ଓ ପିଲାଦୁହେଁ କୁଆଡ଼େ ଗଲେ? ହେ ଭଗବାନ। ମୁଁ ଏବେ କଣ କରିବି? ଏ ଲୋକାରଣ୍ୟରେ ମୁଁ ସେମାନଙ୍କୁ କେଉଁଠି ଖୋଜିବି? ମୋ ସାନ ପୁଅ ପାଣି ପାଣି ହେଉଥିଲା , ସେ ପାଣି ପିଇଲା ତ? ଛୁଆ ଦିଟା ଯାକ ତାଙ୍କ ବାପାଙ୍କ ସହିତ ଅଛନ୍ତି ତ? ଅନେକ ଗୁଡ଼ିଏ ଅସମାହିତ ପ୍ରଶ୍ନ ମୋ ମନରେ ଆନ୍ଦୋଳିତ ହେଉଥିଲା। ମୁଁ ଇଆଡ଼େ ସିଆଡ଼େ ଦୌଡ଼ିବାକୁ ଲାଗିଲି। ସେମାନେ ମନା କରୁଥିଲେ ମୁଁ ଚଣ୍ଡୀ କାହିଁକି ଜବରଦସ୍ତି ସେମାନଙ୍କୁ ନେଇ ଆସିଲି? ଚାରିଆଡ଼େ ଖୋଜି ଖୋଜି ଥକି ଗଲିଣି କିନ୍ତୁ କାହାର ପତ୍ତା ମିଳୁନଥିଲା। ଶେଷରେ ନିରାଶ ହେଇ କଳ୍ପବଟ ବୃକ୍ଷ ତଳେ ବସିଗଲି। କାଳିଆରେ ତୁ ହିଁ ମୋ ସାହା ଭରସା। ମୁଁ କୁଆଡ଼େ ଯିବି? ସଭିଙ୍କୁ କୋଉଠି ଖୋଜିବି? ତୁ ମୋତେ ତୋ ପାଖକୁ ଡାକିଛୁ, ତୁ ହିଁ ମୋତେ ମୋ ଘର ଲୋକଙ୍କ ସହିତ ଭେଟ କରେଇବୁ। ମନକୁ ମନ ମୁଁ ଗୁଣୁଗୁଣଉଥାଏ।
ଏକ ଲୟରେ ମୁଁ ନୀଳଚକ୍ରକୁ ଅନେଇ ଥାଏ। ଆଖିରୁ ଅନବରତ ଲୁହ ଗଡ଼ି ଚାଲୁଥିଲା। ଏଣେ ଶୋଷରେ ତଣ୍ଟି ଅଠା ହେଇଗଲାଣି। ମୁଣ୍ଡ ଘୁରାଇ ଦେଉଥାଏ। ଦେହ ହାତ ଝିମଝିମ କଲାଣି। ସେ ସମୟରେ ଜଣେ ବୁଢ଼ାଲୋକ ଆସି କହିଲେ
- ମା ରେ ଏକୁଟିଆ କାହିଁକି ବସିଛୁ? ପାଣି ପିଇବୁ।
- ନା ମଉସା, ମୋ ଘର ଲୋକଙ୍କୁ ପାଉନି। ମୁଁ କଣ କରିବି, ମୋତେ ବୁଦ୍ଧି ଦିଶୁନି।
- ଚିନ୍ତା କରନା। ନେ ଏ ପାଣି ପିଇଦେ। ସବୁ ଠିକ୍ ହେଇଯିବ।
ବାଧ୍ୟ ଝିଅଟିଏ ପରି ମୁଁ ଢକ ଢକ କରି ସବୁ ପାଣି ପିଇଦେଲି।
- ମଉସା, ନିଅ ତୁମ ଢାଳ।
କାଇଁ କୁଆଡ଼େ ଗଲେ ମଉସା। ମୁଁ ବିକଳ ହେଇ ଅନେଇଲି।
- ଆରେ ତମେ ଏଠି। ମୁଁ କାହିଁ କୁଆଡ଼େ ତୁମକୁ ଖୋଜିଲିଣି।
ଏହା କହି ମୋ ସ୍ୱାମୀ ମୋ ହାତକୁ ଧରି କହିଲେ।
- କଣ, ଛୁଆଙ୍କୁ ଖୋଜୁଛ କି? ସେମାନେ ଠିକ୍ ଅଛନ୍ତି। ଭୋକ ଲାଗିବାରୁ ମହାପ୍ରସାଦ ଖାଉଛନ୍ତି।ତୁମେ ବି ଚାଲ। ତୁମ ପ୍ରିୟ ଅବଢ଼ା ଖାଇବ।
- ମଉସା କୁଆଡ଼େ ଗଲେ?
- କୋଉ ମଉସା। ଏଠି ତ କେହି ନାହାନ୍ତି। ମୁଁ ଆସିଲା ବେଳେ ତୁମେ ତ ଏକୁଟିଆ ବସିଥିଲ। ଚାଲ ଚାଲ ଖାଇବା। ଭୋକ ଲାଗିଲାଣି।
ମୋ ଆଖିରୁ ଅମାନିଆ ଲୁହ ବହି ଚାଲିଥିଲା। ଏ ହଟିଆ କାଳିଆର ଏଇଟା ଗୋଟାଏ ହଟ ବୋଲି ବୁଝିବାକୁ ବାକି ରହିଲାନି। କାଳିଆରେ ଏମିତି ସଦାବେଳେ ତୋ କୃପା ମୋ ପରିବାର ଉପରେ ରଖିଥା କହି ତା ଉଦ୍ଦେଶ୍ୟରେ ହାତ ଯୋଡ଼ିଲି