Bismita Sahoo

Romance Tragedy

4.7  

Bismita Sahoo

Romance Tragedy

ସ୍ୱପ୍ନସୁନ୍ଦରୀ

ସ୍ୱପ୍ନସୁନ୍ଦରୀ

5 mins
680


"ଭାଇ, କଣ ଚିହ୍ନି ପାରୁନୁ ମ । ଇଏ ହେଉଛି ମୀରା । ମୋ ସାଙ୍ଗ, ଯିଏ ତିନିବର୍ଷ ତଳେ କଲେଜ କୁଇନ୍ ହେଇଥିଲା ।  ତୁ ପରା ନିଜେ ତାକୁ ସମ୍ମାନିତ କରିଥିଲୁ । " ସୀମା ଠାରୁ ଏକଥା ଶୁଣି ସମ୍ବିତ ଭାବୁଥିଲା

 

- ଏହା କେମିତି ସମ୍ଭବ? ଯେଉଁ ଝିଅ କଲେଜ କୁଇନ ହେଇଥିଲା ସେ ଯେ ଅପୂର୍ବ ସୁନ୍ଦରୀ ଥିଲା । ସେ ତ ନିଜେ ସେଦିନ 'କଲେଜ କୁଇନ' ପ୍ରତିଯୋଗିତାର ମୁଖ୍ୟ ବିଚାରପତି ଥିଲା ଓ ମୀରାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ତାକୁ ଅନ୍ୟ ପ୍ରତିଯୋଗୀମାନଙ୍କଠାରୁ ଅଧିକ ମାର୍କ ଦେଇଥିଲା । ଯାହାଫଳରେ ମୀରା ମୁଣ୍ଡରେ କୁଇନର କ୍ରାଉନ୍ ଶୋଭାପାଇଥିଲା । ଅଥଚ ଆଜି ,,ଏପରି ଭାବରେ ,, ଏହି ରୂପରେ !!!


 ସମ୍ବିତର ମୁଣ୍ଡ କଣ ହେଇଯାଉଥିଲା । ସେ ନିଜ ଆଖିଦୁଇଟିକୁ ବିଶ୍ୱାସ କରିପାରୁନଥିଲା । ତାର ଗୋଟି ଗୋଟି ହେଇ ସବୁକଥା ଆଖି ଆଗରେ ନାଚି ଯାଉଥିଲା ।


ଏକ ଅପୂର୍ବ ସୁନ୍ଦରୀ ଷୋଡ଼ବୟସୀ ରାଜକୁମାରୀ ଗୋଲାପ ବଗିଚାରେ ଗୋଲାପ ଶେଯରେ ଅତି ଆରାମରେ ସମ୍ବିତ କୋଳରେ ମୁଣ୍ଡ ରଖି ଶୋଇଛି । ରାଜକୁମାରୀ ଶୋଇ ରହି ନିଦରେ ବି ସ୍ମିତହାସ୍ୟ କରୁଛି ଯାଫଳରେ ତା ଗଣ୍ଡଦେଶରେ ଛୋଟିଆ ଭଉଁରିଟିଏ ଖେଳି ଯାଉଛି ।  ସେ ରାଜକୁମାରୀର ସୁନେଲି କେଶରେ ନିଜ ଆଙ୍ଗୁଠି ଚାଳନା କରୁଥିଲାବେଳେ କେଉଁଠି ଥିଲା ଦୁଷ୍ଟ ଭ୍ରମରଟିଏ ତା ପ୍ରିୟାର ମୁହଁ ପାଖରେ ଅତି ଜୋରରେ ଭଣ ଭଣ କରିବାକୁ ଲାଗିଲା । ଅତି ଆନନ୍ଦରେ ନିଦ୍ରାଦେବୀ କୋଳରେ ଆଶ୍ରୟ ନେଇଥିବା ତା ପ୍ରେୟସୀର ସୁନିଦ୍ରାରେ କାଳେ ବ୍ୟାଘାତ ହେବ ସେଥିପାଇଁ ସେ ଦୁଷ୍ଟ ଅଳିନ୍ଦକୁ ଘଉଡେଇବା ପାଇଁ ତତ୍ପର ହେଇ ଉଠିଲା । ଠିକ୍ ସେ ସମୟରେ ତା ଦରଜା ର ଘଣ୍ଟି ବାଜି ଉଠିଲା । ଚମକି ଉଠିଲା ସମ୍ବିତ । ଏସବୁ ତାହାହେଲେ ସ୍ୱପ୍ନ ଥିଲା । ଅତ୍ୟନ୍ତ ବିରକ୍ତ ଭାବରେ କବାଟ ଖୋଲିଲା ସେ ।


     ଦରଜା ଖୋଲି ଆଖି ମଳି ମଳି ବାହାରକୁ ଅନେଇଲା । ଆରେ ଏ କଣ! ତା ସ୍ୱପ୍ନସୁନ୍ଦରୀ ସତରେ ତା ସାମ୍ନାରେ । ଏ ସତ ନା ସ୍ୱପ୍ନ! ସେ ନିଜକୁ ଚିମୁଟିବାକୁ ଲାଗିଲା । ଆଃ---ତାକୁ କଷ୍ଟ ଲାଗିଲା । ମାନେ ସ୍ୱପ୍ନରେ ଦେଖିଥିବା ରାଜକୁମାରୀ ତା ଆଗରେ ଉପବିଷ୍ଟ ଅଥଚ ସେ ତାକୁ ସ୍ୱାଗତ ନକରି ଅଯଥାରେ ସମୟ ଅପଚୟ କରୁଛି ।


- ଆଜ୍ଞା ନମସ୍କାର । ମୁଁ ମୀରା । ନନ୍ଦିପୁର କଲେଜର ଉଦ୍ଭିଦବିଜ୍ଞାନ ବିଭାଗର ଦ୍ଵିତୀୟ ବର୍ଷର ଛାତ୍ରୀ । ଇଏ ମୋ ସହପାଠୀ ମେଘା । ଆପଣଙ୍କ ନବଉନ୍ମୋଚିତ  କବିତା ସଂକଳନ 'ସ୍ୱପ୍ନ ସୁନ୍ଦରୀ' ଆମ କଲେଜ ପିଲାଙ୍କ ମଧ୍ୟରେ ଚହଳ ପକେଇ ଦେଇଛି । କବିତାଗୁଡ଼ିକର ଭାଷା ଅବର୍ଣ୍ଣନୀୟ । ଏତେ ସୁନ୍ଦର, ସରଳ, ସାବଲୀଳ ଭାବରେ ଆପଣ କବିତାଗୁଡ଼ିକୁ ଏପରି ନିଖୁଣ ଭାବରେ ଲେଖିଛନ୍ତି ଯେ, କେହି ବି ପ୍ରେମରେ ପଡ଼ିଯିବେ । ସେଥିପାଇଁ ଆପଣଙ୍କ ପରି ଉଦିୟମାନ ଯୁବଲେଖକଙ୍କୁ ଆମ ମହାବିଦ୍ୟାଳୟର ବାର୍ଷିକ ମହୋତ୍ସବରେ ମୁଖ୍ୟଅତିଥି କରିବାକୁ ଆମେ ଛାତ୍ରଛାତ୍ରୀଗଣ ଅତ୍ୟନ୍ତ ଇଛୁକ । ଆଶାକରୁ ନିରାଶ କରିବେନି ।


   ଗଡ଼ ଗଡ଼ ହେଇ କହିଯାଉଥିଲା ମୀରା । ପ୍ରଥମ ଦେଖାରେ ସମ୍ବିତ ତା ପ୍ରତି ଆପଣାଛାଏଁ ଆକର୍ଷିତ ହେଇ ଉଠିଥିଲା । ସେ ସ୍ୱଳ୍ପ ହସି ମୀରା କଥାରେ ହଁ ଭରିଥିଲା । ମୀରା ତା କଥାରେ ଖୁସି ହୋଇ ବିନା ବାଦଲରେ ମୟୂରୀଟିଏ ହେଇ ନାଚୁଥିଲା । ସେ ମୀରାର ଫେରନ୍ତା ପଥକୁ ଅପଲକ ନୟନରେ ଅନେଇ ରହିଲା ।

   

   ନିଜକୁ ବହୁତ ରୋକିବାକୁ ଚେଷ୍ଟା କରି ମଧ୍ୟ ସମ୍ବିତ ବାର୍ଷିକ ଉତ୍ସବ ଆରମ୍ଭ ହେବାର ଅନେକ ସମୟ ପୂର୍ବରୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପହଞ୍ଚି ଯାଇଥିଲା । ମେଘା ଓ ଚାରିଜଣ ଯୁବତୀ ଗୋଲାପ ଫୁଲ ଏବଂ ଚନ୍ଦନର ତିଳକରେ ତାକୁ ସ୍ୱାଗତ ଜଣାଇଥିଲେ, କିନ୍ତୁ ତା ଆଖି ଦୁଇଟି ମୀରାର ସାନ୍ନିଧ୍ୟ ପାଇବା ପାଇଁ ଉଦବିଗ୍ନ ହୋଇ ଉଠୁଥିଲେ । ସେ ମେଘାକୁ ମୀରା ବିଷୟରେ ପଚାରିବାକୁ ଚାହିଁ ବି ପଚାରିପାରିନଥିଲା ।  କାର୍ଯ୍ୟକ୍ରମ ଯଥା ସମୟରେ ଆରମ୍ଭ ହୋଇଥିଲା । ସେ ତା 'ସ୍ୱପ୍ନ ସୁନ୍ଦରୀ' କବିତା ପୁସ୍ତକରୁ କିଛି କବିତା ଶୁଣାଇଥିଲା । କବିତା ଶୁଣି ନିଶ୍ଚୟ ମୀରା ତାର ସମ୍ମୁଖକୁ ଆସିଯିବ ବୋଲି ତାର ବହୁତ ଅଶାଥିଲା । ହେଲେ ସେମିତି କିଛି ଘଟିନଥିଲା । ତା ସ୍ୱପ୍ନସୁନ୍ଦରୀର ଦେଖାନଥିଲା ।  ଗୋଟିଏ ପରେ ଗୋଟିଏ ସାଂସ୍କୃତିକ କାର୍ଯ୍ୟକ୍ରମ ଆଗେଇଚାଲିଥିଲା । ଅତ୍ୟନ୍ତ ମନମୁଗ୍ଧକର କାର୍ଯ୍ୟକ୍ରମ ଥିଲେ ବି ସେ ଅଣନିଃଶ୍ୱାସୀ ହୋଇଉଠିଲା ।  


-ନା ଆଉ ବସି ହେବନି । ଯାହା ପାଇଁ ସେ ଏଠାକୁ ଆସିଛି ଯଦି ତାକୁ ଦେଖି ପାରିବନି ତେବେ ଏଠି ବସିରହି ଲାଭ କଣ?


ସମ୍ବିତ ମନକୁମନ ଭାବିବାକୁ ଲାଗିଲା ।  ବହୁ ପ୍ରତୀକ୍ଷିତ 'କଲେଜ କୁଇନ ' ପ୍ରତିଯୋଗିତାର ଚୂଡାନ୍ତ ପର୍ଯ୍ୟାୟ ବର୍ତ୍ତମାନ ଅନୁଷ୍ଠିତ ହେବ ଏବଂ ମୁଖ୍ୟ ଅତିଥି ଉତ୍ତୀର୍ଣ୍ଣ ପ୍ରତିଭାକୁ ସମ୍ମାନିତ କରିବେ ବୋଲି  ବିଦ୍ୟାଳୟର ଅଧ୍ୟକ୍ଷ ଘୋଷଣା କରିଲେ । ଇଚ୍ଛା ନଥାଇ ମଧ୍ୟ ସମ୍ବିତ ନିଜ ଆସନରେ ବସି ରହିଲା ।


   ଏକ ରୁ ଆରେକ ସୁନ୍ଦରୀ ମାନେ ଅତ୍ୟନ୍ତ ଉଗ୍ର ଆଧୁନିକ ପୋଷାକରେ ମଞ୍ଚ ଉପରେ ନିଜର ସୌନ୍ଦର୍ଯ୍ୟକୁ ପ୍ରକାଶ କରୁଥାନ୍ତି । ତାଳି ମାଡ଼ରେ ସଭାମଞ୍ଚ ଫାଟି ପଡୁଥାଏ । ସର୍ବଶେଷରେ ଝିଅଟିଏ ସମ୍ପୂର୍ଣ୍ଣ ଓଡ଼ିଆଣି ପରିପାଟିରେ ନିଜକୁ ସୁସଜ୍ଜିତ କରି କାନିରେ ବନ୍ଧା ଚାବି ନେନ୍ଥାକୁ ଗୋଟିଏ ଆଙ୍ଗୁଠିରେ ହଲେଇ  ଅଣ୍ଟା ନଚେଇ ମୃଗୁଣୀ ଚାଲିରେ ପ୍ରବେଶ କରିଲା । ତା ଅଙ୍ଗ ଭଙ୍ଗୀ ଏତେ ସୁନ୍ଦର ଥିଲା ଯେ ସବୁ ଦର୍ଶକ ଠିଆ ହୋଇ କରତାଳି କରିବାକୁ ଲାଗିଲେ ।


- ଆରେ ଏ ତ ତା ମନମୋହିନୀ ମୀରା । ତା ହୃଦୟ ରାଣୀ । ଯାହାକୁ ଟିକିଏ ଦେଖିବ ବୋଲି ଚାତକସମ ଚାହିଁ ରହିଛି ।  ସମ୍ବିତ ଖୁସିରେ ଫାଟି ପଡୁଥିଲା । ତାରି ହାତରେ ବିଜୟିନୀ ମୁକୁଟ ପିନ୍ଧିଥିଲା ମୀରା ।  


   ୟୁ ପି ଏସ ସି ପରୀକ୍ଷା ପ୍ରସ୍ତୁତି କରିବା ପାଇଁ ସେ ଦିଲ୍ଲୀ ଚାଲି ଯାଇଥିଲା । ଆଇ ଏ ଏସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଟ୍ରେନିଂ ସାରି ତାର ନିଜ ଜିଲ୍ଲାରେ ସଦ୍ୟ ପୋଷ୍ଟିଂ ହେଇଛି । ଘରକୁ ପାଦ ଦେବାପରେ ମୀରାର ସ୍ମୃତି ପୁଣି ତା ହୃଦୟରେ ଉଜ୍ଜୀବିତ ହେଇଉଠିଥିଲା । ହେଲେ କାହାକୁ ତା ବିଷୟରେ ପଚାରିବ ଜାଣି ନପାରି ସେ ସବୁ ଭଗବାନଙ୍କ ଉପରେ ଛାଡ଼ିଦେଇଥିଲା । ମୀରା ସହିତ ଏପରି ଭାବରେ ଏହି ଅବସ୍ଥାରେ ତାର ସାକ୍ଷାତ ହେବ ତାହା କଳ୍ପନା ବାହାରେ ଥିଲା । ମୀରା ସମ୍ବିତ କୁ ଦେଖି ନିଜ ଚେହେରାକୁ ହାତରେ ଲୁଚେଇବାକୁ ଚେଷ୍ଟା କରିଲା ।  


  ମୀରାର ପଡୋଶୀ ଯାହାକୁ ସେ ବଡ଼ଭାଇ ପରି ସମ୍ମାନ ଦେଖାଏ ସେ ତାକୁ ଏକତରଫା ପ୍ରେମ କରୁଥିଲେ । ସେ ମୀରାକୁ ବିବାହ କରିବାକୁ ଯେତେବେଳେ ପ୍ରସ୍ତାବ ଦେଲେ ଅତି ସରଳ ଭାବରେ ମୀରା ପ୍ରତ୍ୟାଖ୍ୟାନ କରିଥିଲା । ଏଥିରେ ହିଂସାପରାୟଣ ହୋଇ ମୀରା କଲେଜ ଯିବା ସମୟରେ ତା ମୁହଁକୁ ଏସିଡ଼ ଢାଳି ଦେଇଥିଲେ । ପାଖରେ ଥିବା ଲୋକମାନେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ତାକୁ ନେଇଗଲେ । ସେ ତ ବଞ୍ଚିଗଲା, କିନ୍ତୁ ତା ସୁନ୍ଦର ଆକର୍ଷଣୀୟ ଚେହେରା କଦାକାର ହେଇଗଲା । ସୀମାଠାରୁ ଏସବୁ ଶୁଣି ସମ୍ବିତ କିଛି କ୍ଷଣ ପାଇଁ ବାକ୍ ଶୁନ୍ୟ ହେଇଗଲା । ହେଲେ ନିଜ ସଂବିତ ଫେରିପାଇବା ପରେ ସେ ମୀରାକୁ ବିବାହ ପ୍ରସ୍ତାବ ଦେଲା । ମୀରାକୁ ସେ ଅନେକ ବର୍ଷ ତଳୁ ପ୍ରେମ କରୁଛି ବୋଲି ଜଣାଇଥିଲା । ଏତେବଡ଼ ଜିଲ୍ଲାପାଳ ଯାହାକୁ ବିବାହ କରିବା ପାଇଁ ସୁନ୍ଦରୀ ମାନଙ୍କ ଧାଡ଼ି ଲାଗି ରହିବ ସେ ପୁଣି ତା ପରି କୁତ୍ସିତ ଚେହେରା ଥିବା ଝିଅକୁ କିପରି ବିବାହ କରିପାରିବେ ବୋଲି ମୀରା ପ୍ରଶ୍ନ କରିଥିଲା । ମୀରାର ପ୍ରଶ୍ନ ଶୁଣି ସମ୍ବିତ କହିଥିଲେ ।


- ମୁଁ ଏହିକଥା ନିଜକୁ ଏବେ ବାରମ୍ବାର ପଚାରିଛି । ଯଦି ତୁମ ପ୍ରତି ମୋ ଭଲ ପାଇବା କେବଳ ଶାରିରୀକ ଆକର୍ଷଣ ହେଇଥାନ୍ତା ତେବେ ମୁଁ ତୁମକୁ ଚିହ୍ନିଲା ପରେ ମୋର ହୃତସ୍ପନ୍ଦନ ବଢି ନଥାନ୍ତା । ମାନୁଛି ତୁମ ସୌନ୍ଦର୍ଯ୍ୟ ପ୍ରତି ମୁଁ ଆକର୍ଷିତ ହୋଇଥିଲି, କିନ୍ତୁ ତୁମ ବ୍ୟକ୍ତିତ୍ବ ଆଜିଯାଏ ମୋତେ ବାନ୍ଧି ରଖିଛି । ତୁମର ଶାରିରୀକ ସୌନ୍ଦର୍ଯ୍ୟ ନଷ୍ଟ ହେଇଯାଇଥାଇପାରେ ହେଲେ ତୁମ ମନ ଏବେ ବି ସଦ୍ୟ ପ୍ରସ୍ଫୁଟିତ ଗୋଲାପ ପରି ସତେଜ ଅଛି । ତୁମେ ମୋ ସ୍ୱପ୍ନସୁନ୍ଦରୀ । ଆଜିଠାରୁ ମୋ ଶରୀର, ମୋ ମନ ସବୁ ତୁମର । ତୁମେ ମୋ ସ୍ବପ୍ନପୁରୀର ରାଣୀ । ଏ ଦାସର ପ୍ରେମକୁ ସ୍ୱୀକାର କର ।


    ଏହା କହି ସ୍ମିତହାସ୍ୟ କରି ସମ୍ବିତ ଫୁଲଦାନୀରୁ ଗୋଲାପ ଫୁଲଟିଏ ଆଣି ମୀରା ହାତରେ ଧରାଇ ଦେଲା । ମୀରା ଲାଜେଇ ଗଲା । ତା ଗଣ୍ଡଦେଶରେ ଭଉଁରି ଖେଳି ଉଠିଲା ଠିକ୍ ଯେମିତି ତା ସ୍ବପ୍ନସୁନ୍ଦରୀ କପୋଳରେ ଖେଳିଯାଏ ।



Rate this content
Log in

Similar oriya story from Romance