Bismita Sahoo

Abstract

5.0  

Bismita Sahoo

Abstract

ନୂଆବର୍ଷ

ନୂଆବର୍ଷ

2 mins
569


ଟିକି ଝିଅଟିଏ ମନଖୁସିରେ ଡେଇଁ ଡେଇଁ ମା ପାଖକୁ ଆସି କହିଲା- ମା ନୂଆବର୍ଷ ଆସିବ। କେତେ ମଜା ହେବ। 

ମା କହିଲେ- ନୂଆବର୍ଷ ମାନେ କଣ କହିଲୁ?

ଝିଅଟି ଓଠରେ ଧାରେ ହସ ଖେଳେଇ କହିଲା-ଉଁ ମୁଁ ଜାଣିନି କି? ନୂଆବର୍ଷ ମାନେ ଟିଭିରେ ନୂଆଁ ନୂଆଁ ଫିଲିମ ଦେବ। ଘରେ ମଟନ ବିରିୟାନି, କଚୁମ୍ବର,ପାମ୍ପଡ଼ କେତେ କଣ ହେବ। ଆମେ ଖାଇ ପିଇ ଖାଲି ମସ୍ତି କରିବା।

     

 ସ୍ୱାମୀ ଅଫିସରୁ ଘରେ ପହଞ୍ଚୁ ପହଞ୍ଚୁ ଦୌଡ଼ିଗଲା ସ୍ତ୍ରୀ। ନିଜ ହାତରେ ଗୋଡ଼ରୁ ଜୋତା ଖୋଲି ହାତକୁ ଟାୱେଲ ଧରେଇ ଦେଇ କହିଲା -ଗରମ ପାଣି ବାଲ୍ଟିରେ ଭରି ଦେଇଛି। ଜଲଦି ଜଲଦିି ରେଡି ହେଇଯାଅ। 

ସ୍ୱାମୀର ପ୍ରଶ୍ନିଳ ଚାହାଣୀ ଦେଖି କହିଲା- ଆରେ ବାବା। କାଲି ପରା ନୂଆବର୍ଷ। ନୂଆବର୍ଷରେ କଣ ମୁଁ ପୁରୁଣା ପିନ୍ଧିବି। ତେଣୁ ସପିଂ ମଲ ଯିବା। ନୂଆବର୍ଷର ବଢ଼ିଆ ଅଫର ବି ଅଛି। ଆଚ୍ଛା ଠିକ୍ ଅଛି ତମ ପାଇଁ ଗୋଟିଏ ଟୋପି ବି କିଣିଦେବା। ତମର ବି ନୂଆବର୍ଷରେ କିଛି ନୂଆଁ ପିନ୍ଧିବା ଦରକାର ନା।

       

୧୩/୧୪ବର୍ଷର ପୁଅଟେ ଘରେ ଧଡ଼ାସ୍ କରି ପଶିଗଲା। ମା'କୁ କହିଲା ମା ଦୁଇଶହ ଟଙ୍କା ଦେଲୁ। ମା କହିଲେ କଣ କରିବୁ। ପୁଅ କହିଲା କଣ କରିବି ମାନେ। ନୂଆବର୍ଷ ଆସୁଛି। ମୋ ନେଟପ୍ୟାକ ସରି ଯାଇଛି। ରିଚାର୍ଜ ନ କଲେ ସମସ୍ତଙ୍କୁ ଉଇଶ୍ କେମିତି କରିବି?

        

କଲେଜ ପଢ଼ୁଆ ଝିଅ ମା'କୁ କଅଁଳେଇ କି କହିଲା-ମା କାଲି ନୂଆବର୍ଷ। ଆମେସବୁ ପିକନିକ ଯିବୁ। ବିଜୟ ବି ଯାଉଛି। ମୁଁ ନଗଲେ ଚଳିବନି। 

ମା କହିଲେ- ସେ ବିଜୟ ପୁଣି କିଏ?

ଝିଅ କହିଲା- ଆରେ ମା ତୋତେ ଆଉ ପାରି ହେବନି। ସବୁଥିରେ ତ ସନ୍ଦେହ କଲୁ। ବିଜୟ ମାନେ ବିଜୟାଲଷ୍ମୀ, ମୋ ସାଙ୍ଗ।

       

    ନୂଆବର୍ଷ ଦିନ ବସ୍ କୁ ଅପେକ୍ଷା କରିଥିବା ଯାତ୍ରୀଟିଏ ଟାଇମ୍ ପାସ୍ କରିବା ପାଇଁ ବାଦାମ ଭଜା ଖୋଜିଲା। ହେଲେ ମିଳିଲାନି। ଦେଖିଲା ବାଦାମବିକାଳି ଦଳ ଖୁସିଗପରେ ମାତିଛନ୍ତି। ସେ କହିଲା ଆରେ ଭାଇ ବାଦାମ ପୁଡ଼ାଟିଏ ଦେଲ। ସେମାନେ କହିଲେ ଜାଣିପାରୁନ ଆଜି ପରା ନୂଆବର୍ଷ। ଆମେ କଣ ମଜା କରିବୁନି। ଖାଲି ତୁମମାନଙ୍କୁ ଖୁଆଉଥିବୁ। ରଣବୀର ସିଂ ର ଗୋଟେ ଝକାସ୍ ଫିଲିମ ପଡିଛି। ଆମେ ଦେଖିବାକୁ ଯାଉଛୁ। ଆମକୁ ବିରକ୍ତ କରନି।

       

ମଟରସାଇକେଲଟିକୁ ୧୦ଥର ଗୋଟିଏ ବାଇଶି ବର୍ଷର ପୁଅଟିଏ ପୋଛୁଥାଏ। ହଜାରଥର କଳାଚଷମା ଲଗେଇ ବିଭିନ୍ନ ଭଙ୍ଗୀରେ ମଟରସାଇକେଲ ଦର୍ପଣରେ ମୁହଁ ଦେଖୁଥାଏ ଆଉ ମନକୁ ମନ କହୁଥାଏ -ମୁଁ ସୁନ୍ଦର ଦେଖାଯାଉଛି ତ? ନୂଆବର୍ଷଟାରେ ମୋ ଗାର୍ଲଫ୍ରେଣ୍ଡକୁ ପ୍ରୋପୋଜ କରିବି। ସେ ଯେମିତି ହଁ ହିଁ କରିବ।

            

ହୋଟେଲରେ ବାସନ ମାଜୁଥିବା ପିଲାଟେ ଅଇଁଠା ପ୍ଲେଟକୁ ନାକ ପାଖକୁ ନେଇ ବାରମ୍ବାର ଶୁଂଘୁଥିଲା ଓ ମନେମନେ ଗୁଣୁଗୁଣୁ ହେଉଥିଲା ତା ପରି କେତେ ପିଲା ଆଜି ବାପା, ମାଙ୍କ ସହିତ ଆସି କେତେ ବଢ଼ିଆ ଜିନିଷ ଖାଉଛନ୍ତି ଆଉ ସେ ନୂଆବର୍ଷଟାରେ ସଭିଙ୍କ ଅଇଁଠା ମାଜୁଛି। ଏମିତି ଏକ ନୂଆବର୍ଷ କେବେ ଆସିବ ଯେବେ ସିଏ ବି ଗୋଡ଼ରେ ଗୋଡ଼ ପକେଇ ହୋଟେଲରେ ବସି ବାବୁ ମାନଙ୍କ ପରି ସୁଆଦିଆ ଚିଜ ସବୁ ଖାଇବ।

          

ଟିକି ପିଲାଟିଏ ଅଝଟ ଆଖିରେ ତା ବାପାଙ୍କୁ ପଚାରୁଥିଲା-ବୈଶାଖ ମାସର ସଂକ୍ରାନ୍ତି ଦିନ ନୂଆବର୍ଷ ଆରମ୍ଭ ହୁଏ ବୋଲି ଆମ ଗୁରୁଜୀ କହୁଥିଲେ ତେବେ ଏଇ ପୌଷ ମାସରେ ପୁଣି କେମିତି ନୂଆବର୍ଷ ପାଳନ ହେଉଛି ଯେ?

       କେଉଁଠି ଥିଲା ପାଗେଳୀଟାଏ ପିଲାଟି କଥା ଶୁଣି ଫିକ୍ କରି ହସିଦେଇ କହିଲା ଫିରିଙ୍ଗିମାନେ ସିନା ପଳେଇଲେ ଆମେ କିନ୍ତୁ ତାଙ୍କୁ ପରା ଧରି ରଖିଛେ।


Rate this content
Log in

Similar oriya story from Abstract