ସରପଞ୍ଚ
ସରପଞ୍ଚ


ପ୍ରପଞ୍ଚରେ ଯିଏ ମାଷ୍ଟର ସେ ସରପଞ୍ଚ! କିଛି ଭୁଲ୍ କହିଦେଲି କି? ନାଇଁ ବିଲକୁଲ୍ ଭୁଲ୍ କହିନି ମୁଁ। ବରଂ ଭୁଲ୍ ଥିଲି ମୁଁ ଗୋଟାପଣେ। ମୁଁ ଭାବୁଥିଲି କି ଦୁନିଆ ଯାକର ସବୁ ମଣିଷ ମୋ ଭଳି ସରଳିଆ। ଶୁଣିଥିଲି ପିଲାଦିନେ ଗଣ୍ଠିଆ ହେଲେ କାଳେ ଚୁଲି ମୁଣ୍ଡକୁ ଯୋଗ୍ୟ, ସେଥିପାଇଁ ମୁଁ ସରଳିଆ ହୋଇକି ରହିଗଲି।
ଏଇ ଦେଖୁନାହାନ୍ତି ମୋ ପିଲାଦିନର ସାଙ୍ଗ ବୈରାଗୀ କେମିତି ଆଜି ସୁପର ସ୍ମାର୍ଟ ହୋଇଯାଇଛି ପୁଣି ଗାଁରେ ରହି ରହି। ଆମ ସହ ପଢୁଥିଲା ସେ।ମୋର ସବୁଠାରୁ ପ୍ରିୟ ସାଙ୍ଗ ଥିଲା ଦିନେ। ଏକାଠି ବସାଉଠା, ଖିଆପିଆ, ବୁଲାବୁଲି। ମାଟ୍ରିକ ପରୀକ୍ଷାରେ ତିନିଥରରେ ପାସ୍। ଯାହିତାହି ଗାଁ କଲେଜରୁ ବି.ଏ. ପାସ୍ କରି ସମାଜସେବା କରୁଛି ଗାଁରେ। କ୍ଲାସର ପଛ ବେଞ୍ଚରେ ବସୁଥିବା ପିଲାଟା ଆଜି ଆଗ ଧାଡିର ବଡପଣ୍ଡା।
ଗଲା ସନ ପଞ୍ଚାୟତ ଇଲେକ୍ସନରେ ସରପଞ୍ଚ ପ୍ରାର୍ଥୀ ହେଲାବେଳକୁ କେତେ ଥର ମୋ ବସାକୁ ଦୋଉଡିଥିବ କଟକ ତାର ହିସାବ କଲେ ବି ମିଳିବନି। ମୋଠାରୁ ପଚାଶ ହଜାର ଟଙ୍କା ଧାର ନେଇ ଲଢୁଥିଲା ସେ ନିର୍ବାଚନ। ମୋ ନୂଆ ହିରୋହୋଣ୍ଡା ସ୍ପ୍ଲେଣ୍ଡର ଗାଡି ନେଇ କରୁଥିଲା ପ୍ରଚାର। ଦୈବାତ୍ ହାରୁ ହାରୁ ଜିତିଗଲା ମାତ୍ର ଦଶ ଖଣ୍ଡ ଭୋଟରେ। ଗାଁରେ ସମସ୍ତେ ଦୋମେଳି ହୋଇଥିଲେ। ଆମ ପରିବାରଟା ଯାହା ଗୋଷ୍ଠୀ ନିରପେକ୍ଷ ଆଉ ଆମର ଦଶ ଖଣ୍ଡ ଭୋଟ ଘରେ। ବୈରାଗୀ ମୋ ସାଙ୍ଗ ହୋଇଥିବା ହେତୁ ତାକୁ ହିଁ ଭୋଟ ଦେଇଥିଲୁ ଆଗ ପଛ ବିଚାର ନକରି। ସିଧାସାଧା କଥାରେ କହିଲେ, ମୋ ପଇସା ଆଉ ଆମ ଘର ସମର୍ଥନରେ ସେ ଆଜି ସରପଞ୍ଚ।
ମୋ ଠାରୁ ଧାର ନେଲାବେଳେ କଣ୍ଟ ହୋଇଥିଲା ଚାରି ମାସ ପରେ ଟଙ୍କା ଫେରସ୍ତ ପାଇଁ। ଚାରି ମାସ ଯାଇ ଛଅମାସ ହେଲା ବୈରାଗୀ ଧାର ଶୁଝିବାର ଧାର ଧରିଲାନି। ଏମିତିରେ ତ ତାର କିଛି ବି ଅଭାବ ଅସୁବିଧା ନଥାଏ ପୁଣି ପଞ୍ଚାୟତର ସବୁ କାମରେ ସିଂହଭାଗ ତା ପକେଟରେ। କାଗଜପତ୍ରରେ ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଯାଉଛି ଆଉ ବିଲ୍ ବି ପାସ୍ ହେଉଛି ବିନା କାମରେ। ଏତିକିରେ ବି ପେଟ ପୁରୁନି ଯେ ଗରିବ ଗୁରୁବାଙ୍କ ପାଇଁ ଆସୁଥିବା ଭତ୍ତା ପଇସା ବି ବାଟମାରଣା ହେଉଛି। ବିନା ହାତଗୁଞ୍ଜାରେ ହିତାଧିକାରୀଙ୍କୁ ମିଳୁନାହିଁ କୌଣସି ବି ସରକାରୀ ସହାୟତା।
ବୈରାଗୀ ଏବେ ଖଣ୍ଡିଆ ଲୁନାକୁ ଛାଡି ବୁଲେଟ୍ ଚଢି ବୁଲୁଛି। ବେକରେ ଲଙ୍ଗଳ ଦଉଡି ମୋଟର ସୁନା ଚେନ୍ ହାତରେ ବ୍ରେସଲେଟ୍, ଏମିତି କେତେ କଣ। ଯାହାର ଜମି ବୋଲି ଗୁଣ୍ଠେ ନଥିଲା, ଏବେ ଲକ୍ଷପତି। ଆଗରେ ପଛରେ ତାର ଯେତକ ବାତେରା ଟୋକା ଗାଁର। ସେମାନଙ୍କ ବାହୁବଳରେ ବୈରାଗୀ ରାଜା! ମଦ ମାଂସ ଦେଇ ପୋଷିକି ରଖିଛି ସେମାନଙ୍କୁ। ତାର ଗୋଟିଏ ଇସାରାରେ ବିନା କୌଣସି ଦ୍ବିଧାରେ ରକ୍ତର ନଦୀ ବୁହାଇବା ପାଇଁ ସବୁବେଳେ ତୟାର ଏ ପରାଙ୍ଗପୁଷ୍ଟ ଗୋଷ୍ଠୀ। ଗାଁର ନିରିହ ଓ ଭଦ୍ର ଲୋକମାନେ ଏମାନଙ୍କ ଅତ୍ଯାଚାରରେ ଅତିଷ୍ଠ କିନ୍ତୁ ଭୟରେ କେହି ବି ମୁହଁ ଖୋଲନ୍ତି ନାହିଁ।
ପଚାଶ ହଜାର ଟଙ୍କାର କରଜ ଶୁଝିବାଟା ତା ପାଇଁ କିଛି ବଡ କଥା ନୁହେଁ। ହେଲେ ଫେରଉନି କାହିଁକି? ମୁହଁ ଚାହାଁରେ କିଛି ମୁଁ କହିପାରେନି ତାକୁ। ଭଉଣୀ ବାହାଘର ଥିବାରୁ ମୁଁ ମୁହଁ ଖୋଲି ମାଗିଲି ତାକୁ। କହିଲା ମଙ୍ଗନ ଦିନ ଦେବ ବୋଲି। ହେଲେ ମଙ୍ଗନ ଗଲା, ବାହାଘର ସରିଲା କିନ୍ତୁ ପଇସା ଫେରେଇଲାନି ବୈରାଗୀ । ଅବଶ୍ୟ ବାହାଘର ଭୋଜିକୁ ଆସି ସରପଞ୍ଚ ଖାତିରରେ ଖନ୍ଦାଶାଳରେ ଚେୟାର ଟେବୁଲ ଉପରେ ବସି ଖାଇକରି ଗଲା। ମନଟା ବଡ କଷ୍ଟ ପାଉଥିଲା ତାର ଏପରି ଖାମଖିଆଲି ମନୋଭାବ ପାଇଁ। ହେଲେ ତାର ଗୁଣ୍ଡାପଲଙ୍କୁ ଡରି ମୁଁ କିଛି କରି ପାରୁନଥିଲି। ସହି ବି ପାରୁନଥିଲି ତାର ଏ ପ୍ରକାର ବେଇମାନିକୁ।
ଭଉଣୀ ବାହାଘର ପାଇଁ ଖର୍ଚ୍ଚ ଆମ ଅଣ୍ଟା ଭାଙ୍ଗି ଦେଇଥିଲା। ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ବେଳେ ଆସିଲା ପ୍ରଳୟଙ୍କରୀ ବନ୍ୟା ଦେବୀ ନଦୀରେ । ଘରଦ୍ବାର ସବୁ ଭାସିଗଲା ଆମର। ସବୁ ପଛ କଥା ଭୁଲି ଏ ବିପଦ ସମୟରେ ମୁଁ ଯାଇ ନେହୁରା ହେଲି ମୋର ପିଲାଦିନ ସାଙ୍ଗ ସରପଞ୍ଚ ବୈରାଗୀକୁ ଘର ତୋଳା ପାଇଁ ସରକାରୀ ସାହାଯ୍ଯ କରାଇଦେବାକୁ ଆଉ ମନେ ପକେଇଦେଲି ତାର ଉଧାର ପଇସା ଫେରାଇବାକୁ।
ହଠାତ୍ ରାଗରେ ପାଚି ଲାଲ୍ ହୋଇଗଲା ବୈରାଗୀର ମୁହଁ । ମୋତେ ଗାଳି ଗୁଲଜ କରି କହିଲା, "ମୋତେ ତ ଭୋଟ ଦେଇନୁ, ଯାହାକୁ ଭୋଟ ଦେଇଥିଲୁ ତାକୁ ମାଗିବୁ ଯା ଘର ତୋଳା ପଇସା। ଉଧାର କଥା ଭୁଲି ଯା, ମୁଁ ତୋ ଠୁଁ କିଛି ନେଇନି ବୋଲି ଭାବେ। ଗାଁରେ ରହିବାର ଅଛି ତ ଚୁପଚାପ୍ ରହ, ନହେଲେ ତିନି ପାଞ୍ଜିରୁ (ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ) ନାଁ କାଟିଦେବି ତୋର ଆଉ ପୁରା ପରିବାରର । କାହା ଆଗରେ କି ମିଡିଆରେ ମୁହଁ ଖୋଲିବୁ ତ ମୋତେ ଚିହ୍ନିବୁ।"
ମୁଁ କାନମୁଣ୍ଡା ଆଉଁସି ଆଉଁସି ଫେରିଲି ଘରକୁ। ବୈରାଗୀ ପରି ଅପାରଗ ପରାଙ୍ଗପୁଷ୍ଟ ବେଇମାନ ସ୍ବାର୍ଥପର ସମାଜଦ୍ରୋହୀ ଲୋକକୁ ସାହାଯ୍ୟ କରିଥିବାର ପାପ ଲାଗି ପ୍ରାୟଶ୍ଚିତ ଓ ଅନୁତାପ କରୁଥିଲି ନୀରବରେ ।