Ajaya Mahala

Romance

2.0  

Ajaya Mahala

Romance

ସରଳ ସୁନ୍ଦରୀ

ସରଳ ସୁନ୍ଦରୀ

20 mins
339



"ମାନୁ ମାର, ମାର !"


ମାନୁ ବୁଲି ପଡି ଚାହିଁବାରୁ ଇସା ଆଙ୍ଗୁଳି ଦେଖାଇ କହୁଥିଲା, 


"କିରଣ ଗାଲରେ ଦେଖିଲୁ କେତେ ବଡ଼ ମଶା ଟିଏ !" 


"କାହିଁ, କାହିଁ, କାହିଁ ?", ଉତ୍କଣ୍ଠାରେ ପାଟି କରିଲା ମାନୁ । ଏବେ ସେ ମଶାଟିକୁ ସ୍ପଷ୍ଟ ଦେଖି ପାରିଥିଲା ।

ଝରକା ଖୋଲି ସକାଳର ତାଜା ଆଲୁଅରେ ଉପନ୍ୟାସ ପଢୁ ଥିବା ବେଳେ ଇସାକୁ କିରଣ ଗାଲରେ ବସିଥିବା ଏହି ବୃହଦାକାର ମଶାଟି ଦିଶି ଯାଇଥିଲା । ନିଜ ଜାଗାରୁ ଉଠେ ନା କେବେ ଇସା । ସିଏ ନିର୍ଦ୍ଦେଶ ଦିଏ ଯାହା । ତା ଆଦେଶ ଅବା ଇଚ୍ଛାର ତ୍ୱରିତ ପାଳନ ନ ହେଲେ ସେ କଥାଟିକୁ କୂଟନୈତିକ ନୀରବତା ଭିତରେ ଛାଡିଦିଏ ଆଉ ସେହି ଅଖଣ୍ଡ ନୀରବତା ଫଳରେ ମିଛଟାରେ ବାନ୍ଧବୀ ମାନଙ୍କ ଭିତରେ ମାନସିକ ପୀଡା ସୃଷ୍ଟି ହୋଇଥାଏ । ସେମାନେ ତା କଥା ମାନି କାମ କରନ୍ତି । ଏହା ଇସାର କାର୍ଯ୍ୟ କରିବାର ପଦ୍ଧତି ।


ତା ଛଡା ମାନୁ ଏଠି ସମସ୍ତଙ୍କ ବୋଲକରା । ସେଥିପାଇଁ ଇସାର ଆଜ୍ଞାକାରିଣୀ ନ ସାଜିବା ଛଡା ତା ପାଖରେ ଆଉ କେଉଁ ବିକଳ୍ପ ନ ଥାଏ । ସେଥିପାଇଁ କୌଣସି କୁଣ୍ଠା ଦେଖାଇବା ମିଛଟାରେ ତା ନିଜ ସ୍ଥିତିକୁ ଅସୁରକ୍ଷିତ କରି ଦେବ । କିରଣର ବିଛଣା ପାଖକୁ ସନ୍ତର୍ପଣରେ ଚାଲିଗଲା ସେ । ବର୍ତ୍ତମାନ ମଶାପରି ତୁଚ୍ଛ ଜୀବଟି ଉପରେ ତାର ଫୋକସ- ସେ ମୂଖ୍ୟ ଆଉ କିରଣ ଗୌଣ । ତାର ସମସ୍ତ ଦୃଷ୍ଟି ସେ ମଶା ଉପରେ କେନ୍ଦ୍ରିତ କଲା । କିରଣର ଗାଲ ଆଉ ବେକ ମଧ୍ୟର ସେହି କଷ୍ଟକର ଭୌଗୋଳିକ ସ୍ଥିତିରେ ବସିଥିବା ମଶାକୁ ନିର୍ଭୁଲ ଭାବରେ ଚାପୁଡ଼ା ଟିଏ ମାରି ଧରାଶାୟୀ କରିଦେଲା ଗୋଟିଏ ସେକେଣ୍ଡରେ । 


ମାନୁ ଭାବିଥିଲା କିରଣର ଅଜାଣତରେ ତା ପାଇଁ କରିଥିବା ଏଇ ମହତ କାର୍ଯ୍ୟପାଇଁ ତାକୁ ତା ଠାରୁ ସ୍ମିତ ହସରେ ଜୁଡୁ ବୁଡୁ ଧନ୍ୟବାଦ ଟିଏ ମିଳିବ । ସଦ୍ୟ ବସନ୍ତର ଏହି ସକାଳଟିକୁ ବାନ୍ଧବୀର ନିଦବୋଳା ହସ ଆହୁରି ସୁନ୍ଦର କରିଦେବ । ସୁନ୍ଦର ଦିନଟିଏର ମୂଳଦୁଆ ପଡିବ ଗୋଟିଏ ରୁମରେ ରହୁଥିବା ଚାରି ବାନ୍ଧବୀ ମାନଙ୍କ ଖିଲି ଖିଲି ହସରେ। ଏହି ଛୋଟ ଛୋଟ ଖୁସିର ସ୍ୱପ୍ନ ନେଇ ତ ହଷ୍ଟେଲରେ ଝିଅମାନଙ୍କ ଜୀବନ ! 


କିନ୍ତୁ ସେପରି କିଛି ହେଲାନି ।


ମାନୁର ଏହି ଆକସ୍ମିକ ଆଉ ଅନପେକ୍ଷିତ ପଦକ୍ଷେପରେ ଚମକି ପଡି ଖଟ ଉପରେ ଉଠି ବସି ପଡ଼ିଲା କିରଣ । ମାନୁକୁ ଆଗରେ ଦେଖି ଚିତ୍କାର କରି କହିଲା,


"କହ, ତୁ ମତେ ଚାପୁଡ଼ା କାହିଁ ମାରିଲୁ ?"


କିରଣଠାରୁ ଏପରି ବ୍ୟବହାର ଦେଖ ମାନୁ ଖଟ କଡରେ ପଥରଟି ପରି ଠିଆ ହୋଇଥାଏ ।


"ଆରେ ଚାପୁଡ଼ା ମାରିନି, ତୋ ଦେହରେ ମଶା ଟିଏ ବସିଥିଲା", ନିଜ ସଫେଇରେ ନରମ ସ୍ୱରରେ କହୁଥିଲା ମାନୁ । 


ତା ନରମ ସ୍ୱରର ଉତ୍ତର ପ୍ରତିବଦଳରେ କିରଣର କଠୋର ଉଚ୍ଚ ସ୍ୱର ସେମିତି ଲାଗି ରହିଥାଏ । ସେ କହୁଥିଲା, 

"ତୋର ଯାଏ କଣ ଆସେ କଣ । ମୋ ଦେହରେ ଯଦି ମଶା ବସିଥିଲା, ସିଏ ଉଡି ଯାଇ ଥାଆନ୍ତା କିଛି ସମୟ ପରେ ।"


ମାନୁ ସରଳ ଗାଁ ଝିଅ । ଆଜି ସକାଳର ଘଟଣା ଭିତରୁ ନିଜକୁ ସହଜରେ ମୁକୁଳେଇ ପାରୁ ନ ଥିଲା । ତାର ସୁନ୍ଦର ଗୋରା ଚେହେରା ଭାଦ୍ରବ ମାସର ହରଗୌରା ଫୁଲ ଗଛ ପରି ଝାଉଁଳି ପଡିଥିଲା କିରଣର କଥାରେ । ତାର ଏପରି କାକୁସ୍ଥ ଭାବ ଦେଖି ଇସା ମଝିରେ ସେମାନଙ୍କ କଥାରେ ଦଖଲ ଦେଲା । ମାନୁକୁ ଗୋଟିଏ ପ୍ରକାର ନିଜ ପଛ ପଟେ ଛୁପାଇ ଦେଇ ସେ ଠିକ କିରଣ ପରି ଉଚ୍ଚ ସ୍ୱରରେ କହିଲା, 


"କାହିଁ ଏତେ ପାଟି କରୁଛୁ ? ତୋ ରକ୍ତ ପିଇ ଥାଆନ୍ତା ସେହି ମଶା ।"


କିରଣର ନିଦ୍ରାଭଙ୍ଗ ଜନିତ କ୍ଷୋଭ ଥମିବାର ନାଁ ନେଉ ନ ଥାଏ । କ୍ରୋଧରେ କାହା ମୁହଁକୁ ବି ଦେଖୁ ନ ଥାଏ ସେ । ଏପରି ଅବସ୍ଥାରେ ସେ ଇସାର ମଧ୍ୟସ୍ଥତାକୁ ବିଲକୁଲ ପସନ୍ଦ କଲାନି । ନିଜ କଥାକୁ ଆହୁରି କଠୋର କରି କହିଲା, "


"ମଶା ଟି ପିଇଥିଲେ କେତେ ରକ୍ତ ପିଇ ଥାଆନ୍ତା ମ । । ଚାମଚଟିଏ ଅତି ଜୋରରେ ! କଣ ଫରକ ପଡି ଥାଆନ୍ତା ତୁମ ଦୁହିଁଙ୍କୁ ମୋ ଦେହର ଦଶ ଲିଟର ରକ୍ତରୁ ଚାମଚଟିଏ ବାହାରି ଯାଇଥିଲେ ?"


ଅନେକ କଟାକ୍ଷ ଥିଲା ଏତକରେ । ଏବେ ଦୁହିଁଙ୍କ ଲାଗି ଏ ଗୋଟେ ଆକ୍ଷେପ ଥିଲା ଯେମିତି। 

ଭାବି ହେଉଥିଲେ ସେମାନେ ଏପରି ସମ୍ବେଦନହୀନ ସାଙ୍ଗପାଇଁ ମଶା ମାରିବା ପରି ସମାଜସେବା ପ୍ରକଳ୍ପ ହାତକୁ କାହିଁ ନେଲେ ବୋଲି । ନ କରିଥିଲେ ବୋଧେ ଚଳି ଥାଆନ୍ତା ।


ଅନ୍ୟ ଝିଅଙ୍କ କଥା କହି ହେବନି; କିନ୍ତୁ କିରଣ ନିଆରା ଝିଅଟିଏ ।  ରାଉରକେଲାର ଧନାଢ୍ୟ ପରିବାରରେ ଜନ୍ମ ନେଇଛି । ତା ବହି ଥାକରେ ବହି କମ୍ ପ୍ରସାଧାନ ସାମଗ୍ରୀ ଅଧିକ । ଯେତେକ ବି ବହି ଅଛି ତାହା ପୁଣି ସବୁଠୁଁ ତଳ ଥାକରେ ରଖି ଥାଏ ସେ । ବାର୍ଷିକ ପରୀକ୍ଷା ପନ୍ଦର ଦିନ ଆଗରୁ ମାତ୍ର କେତୋଟି ପଢାବହି କିଣିଛି । ବହିକୁ ଛୁଇଁ ନାହିଁ ଆଜି ଯାଏଁ ।

ହାତ ପାହାନ୍ତାର ଉପର ଦୁଇ ଥାକ ଅତି ଦାମୀ ବିଦେଶୀ ପ୍ରସାଧାନ ସାମଗ୍ରୀରେ ଭର୍ତ୍ତି । 

ମାନୁକୁ ଲାଗେ ଏହି ବିଦେଶୀ କସମେଟିକ୍ସ ହିଁ କିରଣର ନିଖୁଣ ସୌନ୍ଦର୍ଯ୍ୟର କାରଣ । ଏ ସବୁ ସମସ୍ତଙ୍କ ଭାଗ୍ୟରେ ନ ଥାଏ । ସେଇଥିପାଇଁ ତ ଗାଁ ଝିଅ ସୌନ୍ଦର୍ଯ୍ୟରେ କେବେ ବାଜି ମାରି ପାରନ୍ତିନି । କିରଣ ଥରେ ଅଧେ ରୁମରେ ରହୁଥିବା ଅନ୍ୟ ଝିଅ ମାନଙ୍କୁ ତାର ପ୍ରସାଧାନ ସାମଗ୍ରୀ ଲଗାଇବାକୁ ଅନୁମତି ଦେଇଥାଏ । ହାତରେ ଦେଲେ କିଏ ଖରାପ ଭାବିବେ ବୋଲି 'ନିଜେ ନିଜେ ଆସି ନେଇ ଯା' ବୋଲି କହିଦିଏ । କେଡ଼େ ଉଦାର ଲାଗେ ସେ ସେତେବେଳେ । ବୋଧେ ସମ୍ଭ୍ରାନ୍ତ ପଣିଆ ଆଉ ଉଦାରତା ପିତାମାତାଙ୍କ ପଇସା ଆଉ ଅର୍ଥନୈତିକ ସ୍ୱଚ୍ଛଳତାରୁ ପ୍ରାପ୍ତ ହୋଇଥାଏ । ଆଉ ଦାରିଦ୍ର୍ୟର କଷାଘାତ ସହିଥିବା ଲୋକମାନେ ସଂକୀର୍ଣ୍ଣମନା ଲାଗନ୍ତି ଧୀରେ ଧୀରେ। କାରଣ ସେମାନଙ୍କ ପାଖରେ କାହାକୁ ଦେବାପାଇଁ କିଛି ନ ଥାଏ । ସେ ଯାହା ହେଉ, ବିଦେଶୀ କ୍ରିମରୁ ବାହାରି ଆସୁଥିବା ହାଲକା ହାଲକା ମନମୋହକ ବାସ୍ନା କାହାକୁ ବି ଆକର୍ଷିତ କରିନେବ । ମାନୁ ଜାଣେ, ସେପରି କ୍ରିମ ଥରୁଟିଏ ଲଗାଇଦେଲେ କେହି ସୁନ୍ଦରୀ ହୋଇ ଯିବେ ନାହିଁ । 


ଅନ୍ୟ ଝିଅ ମାନେ ଯେତେବେଳେ ମାସିକ ରୂପେ ଘରୁ ଆସୁଥିବା ମନି ଅର୍ଡର ପଇସା ପାଇଁ ବାରମ୍ବାର ପୋଷ୍ଟ ଅଫିସ ଦୌଡୁଥିଲେ, କିରଣକୁ ସେପରି କିଛି କରିବାକୁ ପଡେନା । ତା ପର୍ସ ରେ ସବୁ ବେଳେ ପୁଳା ପୁଳା ଟଙ୍କା । ତାର ତିନି ତିନୋଟି କକା ଭୁବନେଶ୍ୱର ଆଖ ପାଖ କେଉଁ ଜାଗାରେ ବୃତ୍ତି ବ୍ୟବସାୟ କରନ୍ତି । ମଝିରେ ମଝିରେ ଆସନ୍ତି ଆଉ ଶ୍ରଦ୍ଧା ବଶତଃ ଆବଶ୍ୟକତାରୁ ଅଧିକ ପଇସା ଦେଇ ଯାଆନ୍ତି ।  ହଷ୍ଟେଲରେ ଯଦି କାହାର ବିଳମ୍ବରେ ପଇସା ଆସିବାର ଥାଏ, ତେବେ କିରଣକୁ ଉଧାର ମଗା ଯାଏ । କିରଣ କାହାକୁ ନିରାଶ କରେନା । ସେଥିପାଇଁ ତାକୁ ସମସ୍ତେ ୱାର୍ଲଡ଼ ବ୍ୟାଙ୍କ କହନ୍ତି । ୟା ତା ପାଖରୁ ଛୋଟ ଛୋଟ ରକମ ଉଧାର ମାଗିବା ଅପେକ୍ଷା ଗୋଟିଏ ଜାଗାରୁ ଏକାଠି ସହଜରେ ମିଳି ଯାଉଥିବା ୱାର୍ଲଡ଼ ବ୍ୟାଙ୍କ ଲୋନ ସମସ୍ତଙ୍କ ପାଇଁ ଶ୍ରେୟସ୍କର ହୋଇଥାଏ । କିରଣ କାହାକୁ କେତେ ଉଧାର ଦେଇଛି ମନେ ରଖେନା । ହେଲେ ସମସ୍ତେ ତାକୁ ତା ପଇସା ଫେରେଇ ଦିଅନ୍ତି । ହଷ୍ଟେଲର ଅର୍ଥବ୍ୟବସ୍ଥାରେ ତାର ଏହି ମହତ୍ତ୍ୱପୂର୍ଣ୍ଣ ଭୂମିକା ଲାଗି ତାର ଅନେକ ନୀରବ ସମର୍ଥକ ଥିଲେ । ତେଣୁ ତାକୁ କଥା ଦ୍ୱାରା ଦବେଇ ଦିଆ ଯାଇ ନ ପାରେ ।


 ବାର୍ଷିକ ପରୀକ୍ଷା ମୁଣ୍ଡ ଉପରେ ଥିଲେ ବି କିରଣର ଏବେ ଆଉ ପଢ଼ାପଢିରେ ମନ ନାହିଁ। ତାହାର ବାହାଘର କାନାଡ଼ାରେ ରହୁଥିବା ରୋମିଲ କାନୁନଗୋ ସହିତ ଏକ ପ୍ରକାର ଛିଣ୍ଡି ସାରିଛି ଯେମିତି । ସେମାନଙ୍କ ସମ୍ଭାବିତ ବାହାଘର ଲଭ ଆଉ ଆରେଞ୍ଜଡ଼ ଉଭୟ ଉପାଦାନ ମିଶ୍ରିତ ରହିବ । ସେଥିପାଇଁ ଅନ୍ୟମାନେ ପରୀକ୍ଷା ପାଇଁ ତତ୍ପର ହେଲା ବେଳେ ସେ ସୁଖନିଦ୍ରା ଯାଉଛି । ମାନୁ ଓ ଇସା ଉଭୟ ଜାଣିଛନ୍ତି ସେମାନେ ମଶା ପାଇଁ କିରଣର ସୁଖ ନିଦ୍ରା ଭଙ୍ଗ କରିଛନ୍ତି । ସେ ଯାହାହେଉ, ନିଦରୁ ଉଠି ପଡି କିରଣ ଯେଉଁ ନିର୍ବୋଧ କର୍କଶ ବ୍ୟବହାର ଦେଖାଇଛି ସେଥିରେ ସମସ୍ତେ ଆହତ । ଆଗକୁ ଏସବୁ ବିଷୟରେ କଣ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ହେବ ତାହା ରୁମ ସମ୍ବିଧାନ ହିସାବରେ ଥୟ । ଏଥିପାଇଁ ପୃଥକ କିଛି ଆଲୋଚନା କରିବାକୁ ପଡେନି । ଆଜି ଆଉ ତା ସହ କେହି ବି କଥା ହେବେନି । 


କାମ ପ୍ରତି ଆଳସ୍ୟ ଥିଲେ ବି ଇସା ବହୁତ ସମଝଦାର । ତାର ବି ପରୀକ୍ଷା ପ୍ରତି ଚିନ୍ତା ନ ଥାଏ କେବେ । ନ ହେଲେ ପାଠ୍ୟ ପୁସ୍ତକ ଛାଡି ସକାଳୁ ଉପନ୍ୟାସ ପଢୁ ନ ଥାନ୍ତା । କିରଣର ଅହଙ୍କାର ଆଗରେ ସିଏ ସେମିତି ପ୍ରତି ବନ୍ଧକ ସାଜି ଛିଡା ହୋଇଛି ଆଜି । ସିଷ୍ଟର ନିବେଦିତା ମହିଳା ହଷ୍ଟେଲର ରୁମ ନମ୍ବର ୧୨ ଭିତରର ଛୋଟ ଛୋଟ ମହାଭାରତ ଗୁଡିକ ପାଇଁ ସେ କୃଷ୍ଣ , ଆଉ ସେ ହିଁ କେଶବ । ମଝିରେ ମଝିରେ ଆବିର୍ଭାବ ହୋଇ ପରିତ୍ରାଣ କରୁ ନ ଥିଲେ ମାନୁ ପରି ସରଳ ପ୍ରାଣୀ ଧରା ପୃଷ୍ଠରୁ ଲୋପ ପାଇ ସାରନ୍ତେଣି । କିନ୍ତୁ ଆଜିର ବିତି ଯାଇଥିବା ଘଟଣା ପାଇଁ କୃଷ୍ଣକେଶବ ସ୍ୱୟଂ ଦାୟୀ । ମଶା ମାରିବାକୁ ସେ ହିଁ ମାନୁକୁ ପ୍ରରୋଚିତ କରିଥିଲା । ପ୍ରତ୍ୟକ୍ଷ ରୂପରେ ମାନୁ ଅଭିଯୁକ୍ତ । କିନ୍ତୁ ସେ ସାମାନ୍ୟ ପଦାତିକ ମାତ୍ର। ନୈତିକ ଦାୟିତ୍ୱ କାରଣରୁ ଇସା କିରଣ କରିଥିବା କଟାକ୍ଷର ଉତ୍ତର ଦାୟିତ୍ୱ ଶତ ପ୍ରତିଶତ ନିଜ ଉପରକୁ ନେଇ ଥିଲା ।


ତା ବାହାଘର ସ୍ଥିର ହେବା ପରେ କିରଣ ଆଉ କଲେଜ ଛାତ୍ରୀ ପରି ଲାଗୁନି କାହାକୁ । ନିକଟ ଭବିଷ୍ୟତରେ ଘଟିବାକୁ ଯାଉଥିବା ମଧୁ ଚନ୍ଦ୍ରିକା ଆଉ ଅନ୍ୟ ମିଳନ ରାତ୍ରି ଗୁଡିକର କାଳ୍ପନିକ ଚିତ୍ର ନେଇ ସିଏ ଆଉ ତା ସାଙ୍ଗମାନେ କେତେ କଅଣ ଭାବୁଥିଲେ । ପରସ୍ପରକୁ ଚିଡାଇ କଥା ହେଉଥିଲେ ବି ।


 ଅନ୍ୟମାନେ ଆଲୋଚନା କଲାବେଳେ ହଷ୍ଟେଲ ରୁମର ଐଶାନ୍ୟ କୋଣରେ ସିଟ ଜମାଇଥିବା ବୈଜୟନ୍ତୀ ଓରଫ ବିଜୁ ନୀରବରେ ସବୁ ଶୁଣେ । କିରଣର ବିବାହୋତ୍ତର ରୋମାଣ୍ଟିକ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚାରେ ସେ ସାମିଲ ନ ହୋଇ ରହି ପାରିଲା ନାହିଁ । ବହୁତ ଅନୁଭବୀ ରଙ୍ଗ ଦେଇ ସେ କହିଥିଲା, "ଦେଖିବ, ଗୋଟିଏ ମାସ ଭିତରେ କିପରି କିରଣର ହୁଲିଆ ଚେଞ୍ଜ ହୋଇଯିବ !" 


ମାନୁ ଭାବୁଥିଲା, ବାହାଘର ପରେ ସତରେ ସେମିତି କିଛି ବିରାଟ ପରିବର୍ତ୍ତନ ହୋଇଯାଏ ଝିଅଙ୍କ ଜୀବନରେ ! ସେ ଭାବୁଥିଲା, ଯେମିତି ଏହି ପାଠ ପଢ଼ା ପଢି ଗୋଟିଏ ନର୍କ । ଏଥିରୁ ମୁକ୍ତି ପାଇଁ ଯେତେ ଶୀଘ୍ର ସମସ୍ତଙ୍କୁ ବାହା ହୋଇ ପଡିବା କଥା ।

ତା ନିଜ ପାଇଁ ବି ତାଙ୍କ ପାଖ ଗାଆଁର ପୁଅଟେ ଅପେକ୍ଷା କରି ବସିଛି । ଗାଁରେ ତାଙ୍କର ଦଶ ମାଣ ଜମି । ବିରାଟ ବାଡ଼ି ଆଉ ପୋଖରୀ । ବାଡ଼ିରେ ବହୁତ ଫଳନ୍ତି ଗଛ । ପୁଅ କଟକରୁ କଷ୍ଟିଂ ଡିଗ୍ରୀ କରିଛି । ଏବେ ନ ହେଲେ ବି କେବେ ଚାକିରୀ ଟିଏ ମିଳି ଯିବ । ମାନୁ ସେ କଥା କେବେ ଗମ୍ଭୀରତା ସହ ଭାବିନି । ଏଇଟା ସତ, ତାର ସ୍ୱପ୍ନକୁ ବାଡ଼ି, ପୋଖରୀ ବା ଫଳନ୍ତି ଗଛ ନିୟନ୍ତ୍ରିତ କରି ପାରିବେ ନାହିଁ ।


ଆଜି ଶିବରାତ୍ରି ସବୁ ସାଙ୍ଗ ଦଳ ଦଳ ହୋଇ ମନ୍ଦିରରୁ ଫେରି ଆସି ସାରିଲେଣି । କେବଳ ରୁମ ନମ୍ବର ୧୨ ର କୌଣସି ଅନ୍ତେବାସୀ ଯାଇ ନାହାନ୍ତି । ସକାଳେ ଘଟି ଯାଇଥିବା ମନୋମାଳିନ୍ୟ କାରଣରୁ


ଚିଠି ଆସିଥିଲା ରୋମିଲର କାନାଡ଼ାରୁ । ତାହାର ବାହାଘର ସ୍ଥଗିତ ହୋଇଗଲା । ସେମାନେ ଭାରତ ଆସିବେନି । ସେଥିପାଇଁ କିରଣର ଆଖିରେ ଲୁହ ବାହାରକୁ ଆସିବାକୁ ଉଦ୍ୟତ ଥିଲେ ଯାହା।

ଇସା ଆଉ ମାନୁ ସ୍ପଷ୍ଟ ଦେଖି ପାରୁଥିଲେ ଟେବୁଲ ଉପରେ ଚିରା ହୋଇ ବାହାରି ଥିବା ଏୟାର ମେଲ କଭରକୁ । ସବୁଥର ପରି ଖୁସିରେ ନାଚି ଯାଉନି ସେ । କିରଣ ଖୁସି ହେଲେ ସମସ୍ତଙ୍କୁ ଟ୍ରିଟ ଦିଏ । ପେଟ ଭରି ଜଳଖିଆ ଖୁଆଏ । ବେଶୀ ଖୁସିଥିଲେ ସିନେମା ଦେଖାଏ ବି । ତା ମୁହଁ ଦେଖି ଯାହା ଏବେ ଲାଗୁଛି, କେଶରୀ ଟକିଜ ପଛ ପଟକୁ ଥିବା କେଫେକୁ ଯିବାର ସମ୍ଭାବନା ଆଦୌ ଆଜି ନାହିଁ । ରୋମିଲ ବିବାହ ପ୍ରସ୍ତାବକୁ ନା କରି ଦେଲା କି ?


କିରଣର ପ୍ରେମ କଥା ସମସ୍ତେ ଜାଣନ୍ତି । ଏଇ ପଛ ସପ୍ତାହରେ ସିଏ ଜିଦ କରି ବସିଥିଲା ରୋମିଲ ଆଗରେ - ଥରେ ତାକୁ ଗୁପ୍ତ ରୂପରେ ଭାରତ ଆସି ଦେଖି ଯିବାକୁ । ରୋମିଲ ହଁ ବି କରିଥିଲା । କାନାଡ଼ାରେ ବଢି ବଡ଼ ହୋଇଥିବା ରୋମିଲ ସତରେ ଦେଖିବାକୁ କେମିତି ହୋଇଥିବ ସମସ୍ତେ ଦେଖିବାକୁ ବ୍ୟଗ୍ର ଥିଲେ । ଏକଦମ ଧଳା ଗୋରା ଦିଶେ ଫୋଟୋରେ । ମାନୁ ବି ଦେଖି ବହୁତ ଖୁସି ହୋଇଥିଲା ଫୋଟୋଟିକୁ । ଭାବୁଥିଲା ଏପରି ଧଳା ଘୋଡାଟିଏ ତା ଜୀବନରେ ଆସିଥିଲେ ସେ କଅଣ ତାକୁ ଲଗାମ ଲଗାଇ ରଖି ପାରିଥାନ୍ତା !


ଦିନ ବାରଟା ବାଜିଲାଣି । ଶିବ ମନ୍ଦିର ଯିବା ପାଇଁ କେତେ ଥର ମାନୁ ଚିମୁଡ଼ି ସାରି ଲାଣି ଇସାକୁ । କିନ୍ତୁ ଇସା ମୁଣ୍ଡ ଉଠାଇ ତାକୁ କିଛି କହୁନି ।

ଏମିତି କେବେ ହୋଇନି ସେମାନେ କେବେ ଏକା ଏକା ମନ୍ଦିର ଯାଇଛନ୍ତି । କିରଣ ବହୁତ ଆଧୁନିକା ହେଲେ ବି ମନ୍ଦିର ଯାଏ । ଜିନ୍ସ ପିନ୍ଧିବା କାରଣରୁ ଛିଡା ହୋଇ ନମସ୍କାର କରେ ସତ, କିନ୍ତୁ ଭକ୍ତି ସହକାରେ କରେ । ମାନୁ ହାମ୍ବୁଡେଇ ପ୍ରଣତି ଢାଳି ଉଠି ସାରିବା ପରେ ବି ସେ ଭକ୍ତିପ୍ଳୁତ ମୁଦ୍ରାରେ ଆଖି ବୁଜି ଠିଆ ହୋଇଥାଏ । 


ସତରେ ଦେଖିବାକୁ ଗଲେ କିରଣ ଏତେ ଖରାପ ନୁହେଁ ସ୍ୱଭାବରେ । ଆଜି ସକାଳେ ତା ମୁଣ୍ଡକୁ କେଉଁ ପୋକ କାମୁଡ଼ିଲା କେଜାଣି ଅକାରଣରେ ରାଗିଗଲା ଯାହା । ସେ ଯାହା ବି ହେଉ, ମନ୍ଦିର ଯିବା ଏବେ ସମସ୍ୟା ନୁହେଁ । ଶିବରାତ୍ରି ପାଇଁ ରାତି ଯାଏଁ ଖୋଲା ରହିବ ମନ୍ଦିର । 


ପ୍ରକୃତ ଚିନ୍ତାର କାରଣ କିରଣର ବିଷାଦ ବୋଳା ମୁହଁ । ଯେତେବେଳେ ବିବାହକୁ ନେଇ ସେ ଖୁସି ହୁଏ, ସାମାନ୍ୟ ଈର୍ଷ୍ୟା ହୁଏ ଅନ୍ୟ ସବୁ ସାଙ୍ଗଙ୍କୁ । କିନ୍ତୁ ଆଜିର ଘଟଣା ନେଇ ସମସ୍ତେ ମର୍ମାହତ । ଯଦି ସତରେ କିଛି କୁସମାଚାର ଥାଏ, ସେମାନେ କେହି କ୍ଷମା କରିବେନି ରୋମିଲକୁ । ଶିବରାତ୍ରିରେ ସମସ୍ତେ ଶିବଙ୍କୁ ମାଗି ବସିବେ ବରଦାନ ସାଙ୍ଗ କିରଣ ଲାଗି ।


ଅପରାହ୍ନ ହେଲାଣି । 

ମନ୍ଦିର ଦିନ ସାରା ଖୋଲା ଥିଲେ ବି ସକାଳ ବେଳା ହିଁ ଶିବଦର୍ଶନର ପ୍ରକୃଷ୍ଟ ସମୟ । ମନ୍ଦିରକୁ ଡେରିରେ ଆସୁଥିବା ଖାମଖିଆଲି ସ୍ୱଭାବର ଭକ୍ତଙ୍କୁ ଦେଖି ଶିବ ରାଗିବେନି ! ଯେତେବେଳେ କିରଣ ଗାଧୋଇ ଯାଇଥିଲା, ସମସ୍ତେ ଆଶାୟୀ ହୋଇ ପଡ଼ିଥିଲେ ସେ ମନ୍ଦିର ଯିବାକୁ ବାହାରିବ ବୋଲି । କିନ୍ତୁ ସେ ଯେତେବେଳେ ପୁରୁଣା ଗାଉନ ପିନ୍ଧି ବସିଗଲା ସମସ୍ତେ ଭାବି ନେଇଥିଲେ ଅସହଯୋଗ ଆନ୍ଦୋଳନର ସୀମା ବଢିଗଲା ବୋଲି ।


ଇସା ଆଉ ମାନୁ କିରଣର ଏ ବେମୌସମ ବିବାହର ଉତ୍ପତ୍ତି ଓ ଉଦ୍ଭବ ନେଇ ଚର୍ଚ୍ଚା କରୁଥିଲେ ଗୋଟିଏ କୋଣରେ ବସି । କିରଣର ବାପାହିଁ ବାଲ୍ୟ କାଳର ବନ୍ଧୁତ୍ୱ ନେଇ ରୋମିଲର ବାପା ସହ ଝିଅର ବିବାହ ନେଇ କଥା ହୋଇଥିଲେ । ଗୋଟିଏ ପିଢୀରୁ କାନାଡ଼ାରେ ଘର ବସାଇଥିବା ରୋମିଲର ବାପାଙ୍କର ଜିଦଥିଲା ନିଜ ପୁଅ ସହ ଓଡ଼ିଆ ଝିଅଟିଏ କୁ ବାହା କରେଇ ଦେବାକୁ । ବିଦେଶ ମାଟିରେ ଓଡ଼ିଆ ସଭ୍ୟତା ବଞ୍ଚେଇ ରଖିବାକୁ । ଇସା ମଜା ନେଇ କହୁଥିଲା, 

"ଆଉ ଏପଟେ ଦେଖୁନ, କିରଣର ସଭ୍ୟତା ବଞ୍ଚେଇବାକୁ କି ଚେଷ୍ଟା । ଶିବରାତ୍ରି ପରି ଦିନରେ ମନ୍ଦିର ନ ଯାଇ ଗାଉନ ପିନ୍ଧି ବୁଲୁଛି ।"


ମୁହଁ ମୋଡ଼ି କିରଣ ଆଡେ ଦେଖିବାରୁ ତା ମୁହଁରେ କିଛି ଅଦ୍ଭୁତ ହଲଚଲ ଦିଶୁଥିଲା । ଦ୍ରୁତତାର ସହ ଆଙ୍ଗୁଳି ଚାଳନା କରି ସେ ଲ୍ୟାପ ଟପ ଚଳାଉଥିଲା ।

ହଠାତ କିଛି ସୁସମାଚାର ମିଳିଥିଲା କିରଣର ଇ-ମେଲରେ। ରୋମିଲ ଆଗରୁ ବୁକିଂ କରିଥିବା ପ୍ଲେନ ଟିକେଟ କ୍ୟାନ୍ସଲ ନ କରି ଭାରତ ବୁଲି ଆସୁଛି । ସକାଳେ ଦିଲ୍ଲୀରେ ପହଞ୍ଚି ଅପରାହ୍ନରେ ଭୁବନେଶ୍ୱର ରେ ପହଞ୍ଚିବ । ତା ବଂଶର କିଛି ଲୋକେ ନିଆଳିରେ ରୁହନ୍ତି । ସେମାନେ ଆସିବେ କି ନାହିଁ ସ୍ପଷ୍ଟ ନୁହେଁ । ଦେଖିବାକୁ ଗଲେ, ବସ୍ତୁତଃ ତାକୁ ଏୟାର ପୋର୍ଟରେ ରିସିଭ କରିବାକୁ କେହି ନାହାନ୍ତି । ଏମିତି ବି ଆଗମନର ସମୟ ହୋଇ ସାରିଲାଣି । ସେ ସିଧା ହୋଟେଲ ମେ ଫେୟାର ଯିବ ଯେଉଁଠି ତା ଏଜେଣ୍ଟ ରୁମ ବୁକ କରିଛନ୍ତି । 


 " ଶାଲ ମୀଟ ଅଟ ଦ ଟେମ୍ପଲ । ଶାଲ ଗାଇଡ଼ ୟୋର ଡ୍ରାଇବର", ଇ- ମେଲର ପ୍ରତ୍ୟୁତ୍ତରରେ କିରଣ ଏତକ ଲେଖି ଦେଲା , ପହଁଚିଲା ପରେ ଏହି ଖବର ସେ ମେଲ ଖୋଲି ଦେଖି ପାରିବ । 


କିରଣ ମୁହଁରେ ଏବେ ଆନନ୍ଦର ବିରାଟ ଲହରୀ ଖେଳୁଥିଲା । ସେଥିରେ କୁଟା ଖିଅ ପରି ଭାସି ଯାଇଥିଲା ମଶକ-ମାରଣ ଜନିତ ସକାଳର କ୍ଷୁଦ୍ର ଘଟଣାଟି । ଉଠି ପଡି କହିଲା, 

"ଚାଲ ମନ୍ଦିର ଯିବା ।" 

ଏଥର ତା ତୁଳନାରେ ଇସା ଆଉ ମାନୁର ତରାଜୁ ଭାରି ଥିଲା । ସେମାନେ ଡେରି କଲେ କିରଣ ଚିଡି ଯାଉଥିଲା । ଇସା ତାକୁ ଆହୁରି ଚିଡାଇବାକୁ ପଚାରୁ ଥିଲା, "ଆବେ, ସେ ଓଡ଼ିଆ ଜାଣିଛି ନା ?"


କିଛି ସମୟ ରୁମରେ ଫ୍ରେଶ ହୋଇ ରୋମିଲ ବାହାରିବ ତା ପୂର୍ବ ପୁରୁଷଙ୍କ ମାଟି ଓଡିଶା ଭିତରକୁ । ପ୍ରଥମ ଥର ଏକୁଟିଆ ଆସିଛି । ଜେଜି ମା ଶିଖେଇ ଥିବା ଖଣ୍ଡି ଓଡ଼ିଆ କହି ଜାଣେ । ଖଣ୍ଡି ଉଡା ଚଢେଇ ପରି ତାର ସ୍ଥିତି । ହୋଟେଲ ମେ ଫେୟାର ମ୍ୟାନେଜର ସହ କଥା ହୋଇ କିରଣ ନବାଗତ ଅତିଥିଙ୍କ ପାଇଁ ଇଶାନେଶ୍ୱର ମହାଦେବ ମନ୍ଦିରର ରାସ୍ତା କହିଦେଉଥିଲା । ସେଇଠି ସିଏ, ଇସା ଆଉ ମାନୁ ମିଳିବେ ।


ମନ୍ଦିରରେ ପହଞ୍ଚିବାକୁ ରାସ୍ତା ନ ପାଇ ଡେରି କରିଥିବା ଡ୍ରାଇବରକୁ ପହଁଚିଲା ପରେ କିରଣ ବେଶ କିଛି ଶୁଣାଇଲା ବିଦେଶୀ ଆଗନ୍ତୁକଙ୍କ ସମ୍ମୁଖରେ । ରୋମିଲ ହାଲକା ହସୁଥିଲା ଏ ସବୁ ଦେଖି । ବର୍ତ୍ତମାନ ତା ପାଇଁ ପ୍ରତ୍ୟେକ ଘଟଣା ଅନୁଧ୍ୟାନଯୋଗ୍ୟ ।  କିରଣ ମୁହଁର କଟୂଭାବ କମ୍ କରିବା ପାଇଁ ସ୍ମିତ ହସଟିଏ ଖେଳାଇ ରୋମିଲକୁ କହିଲା, "ହ୍ୟାଲ୍ଲୋ ରୋମିଲ, ମୀ କିରଣ । ଦେ ଆର ମାୟ ଫ୍ରେଣ୍ଡସ ଇସା ଆଣ୍ଡ ମାନୁ "


" ୟେସ, ଆୟ ନୋ ଦେମ", ରୋମିଲ ଇସା ଆଉ ମାନୁ ସହ ହାତ ମିଳାଉ ମିଳାଉ କହିଲା। ମାନୁକୁ ଲାଗୁଥିଲା ଯେପରି ରୋମିଲ ହାତ ମିଳେଇବା ବେଳେ ଆବଶ୍ୟକତାରୁ ଅଧିକ ଦୁଇ ସେକେଣ୍ଡ ତା ହାତ ଧରି ରଖିଥିଲା । ହେଲେ ଯେହେତୁ ସେ ବିଦେଶୀଙ୍କ ସହ ମିଳିବା ସମୟରେ ହେଉଥିବା କାୟଦା ଆଉ ଆଚରଣ ବିଷୟରେ ଅନଭିଜ୍ଞ ଥିଲା, ସେ ଏହି କଥାଟିକୁ ତା ମନ ଭିତରେ ରଖିଲା ।


କିରଣ ଆଉ ରୋମିଲ ମନ୍ଦିର ପରିସର ଭିତରକୁ ଯାଉଥିଲେ । ସେମାନଙ୍କୁ ଇସା ଆଉ ମାନୁ ଅନୁସରଣ କରୁଥିଲେ । ମନ୍ଦିର ଦ୍ୱାରଦେଶରେ ଯେତେବେଳେ ରୋମିଲ ମାଟିରେ ମୁଣ୍ଡ ଲଗାଇ ଶିବଙ୍କୁ ପ୍ରଣାମ କଲା, ତେବେ ଲାଗୁଥିଲା ତା ପଛରେ ଛପି ରହିଥିଲା କେଉଁ ଅଜ୍ଞାତ ମାଆର କରୁଣା । ସେ ମନ୍ଦିର ଗର୍ଭ ଗୃହ ଭିତରକୁ ଗଲାନି । ମାନୁ ବି କୌଣସି କାରଣରୁ ଗଲା ନାହିଁ । ଇସା ଆଉ କିରଣ ମନ୍ଦିର ଭିତରେ ଥିଲା ବେଳେ ରୋମିଲ ଆଉ ମାନୁ ବାହାରେ ମାର୍ବଲ ପାହାଚରେ ବସି ରହିଥିଲେ ।


 ସେତିକିବେଳେ, ରୋମିଲ ମାନୁକୁ ଲକ୍ଷ୍ୟ କରି କହିଥିଲା, "ୟୁ ଆର ବ୍ୟୁଟିଫୁଲ । ମାୟ ଗ୍ରାଣ୍ଡମା ଲାଇକ୍ସ ୟୁ ବେରୀ ମଚ"


ରୋମିଲର କଥା ଶୁଣି ମାନୁ ଲାଜରେ ଜଡସଡ଼ ହୋଇ ଯାଉଥିଲା । ଜାଣିଥିଲା କିରଣ ପଠାଇଥିବା ଗ୍ରୁପ ଫୋଟୋ ଗୁଡିକରେ ସେ ଥିଲା । ରୋମିଲର ଗ୍ରାଣ୍ଡ ମା ସେଥିରେ ତାକୁ ଦେଖି ଥିବେ । ମନେ ମନେ କହୁଥିଲା, "ଇସା, ତୁ ମରି ଗଲୁ ...ଏତିକିବେଳେ ମତେ ଛାଡି କୁଆଡେ ଗଲୁ !" 


ରୋମିଲ ଆଡକୁ ଯେତେବେଳେ ସେ ମୁହଁ ଉଠାଇ ଦେଖିଲା, ସେ ଆହୁରି ଭିଜିଗଲା ତା ପ୍ରୀତିପୂର୍ଣ୍ଣ ଚାହାଣୀରେ । ଫୋଟୋ ରେ ଦେଖିଥିବା ରୂପ ଠାରୁ ଆହୁରି ସୁନ୍ଦର ତାର ରୂପ । ଆଖି ଦୁଇଟି ନୀଳ । କେହି କହିବେନି ସେ ଦେଶୀ ଓଡ଼ିଆ ବୋଲି । ଆଖି ଦୁଇଟିରେ ଯେମିତି ଲେଖାଥିଲା, ରୋମିଲର ଅନ୍ୱେଷଣ ସରି ଯାଇଛି । ତାର ଇପ୍ସିତ ଜୀବନ ସଙ୍ଗିନୀ ଯେମିତି ତା ପାଖରେ ବସିଛି - ମାତ୍ର ଚାରି ଇଞ୍ଚ ଦୂରରେ ।


ମାନୁ ମନରେ ସାହସ ସଞ୍ଚୟ କରି କହିଲା,"ସୋ ଓନଲି ୟୋର ଗ୍ରାଣ୍ଡମା ଲବସ୍ ମୀ ..."


ରୋମିଲ କଥା ଛଡେଇ ନେଇ କହିଲା, " ନୋ, ନୋ ଏବ୍ରୀ ୱାନ ...ମୀ ଟୁ"


ତା ଜବାଵ ଶୁଣି ମାନୁ କେବଳ ହସିଲା ।


 ଦକ୍ଷିଣ ଦିଗରୁ ଇଶାନେଶ୍ୱର ମହାଦେବ ମନ୍ଦିରର ମାର୍ବଲ ପାହାଚ ଆଡକୁ ସୁଲୁ ସୁଲୁ ସୁଶୀତଳ ପବନ ବହୁଥିଲା । ମାନୁର ଝାଳେଇ ଆସିଥିବା ଦେହକୁ ଧୀରେ ଧୀରେ ଛୁଇଁ ଯାଉଥିଲା ସେହି ପବନ । ଶିହରି ଉଠୁଥିଲା ସେ ଏକ ଅଜଣା ପୁଲକରେ ।


ଇସା ଆଉ କିରଣ ମନ୍ଦିର ବାହାରକୁ ଆସିଲେ । କିରଣ ସିନ୍ଦୂର ପିନ୍ଧାଇଦେଲା ରୋମିଲକୁ ।

ମାନୁ ମୋବାଇଲରେ ସମସ୍ତଙ୍କ ଫୋଟୋ ଉଠାଇବାକୁ ଲାଗିଗଲା। ଫୋଟୋ ଉଠିଲା ବେଳେ

ଇସା ଆଉ କିରଣ ମଝିରେ ଛିଡା ହୋଇଥିଲା ରୋମିଲ । ତା ପଛକୁ ବାସୁଆ ବଳଦ। ମୁଣ୍ଡ ଉପରେ ବିଶାଳ ପିତଳ ଘଣ୍ଟା । ତାଙ୍କ ପଛକୁ ଶିବ ମନ୍ଦିରର ଅନ୍ଧାରିଆ ଗର୍ଭଗୃହ । ମାନୁ ଜାଣୁଥିଲା, ଫୋଟୋ ନେଲା ବେଳେ ରୋମିଲ ନିଜେ ପୋଜ ଦେବା ପରିବର୍ତ୍ତେ ବେଶୀ ଚାହୁଁଥିଲା ଫୋଟୋଗ୍ରାଫର ମାନୁ ଆଡେ । ଯେତେବେଳେ ନିଜର ଦାମୀ କ୍ୟାମେରାକୁ ତା ହାତକୁ ଧରେଇ ଦେଇ କ୍ଲିକ କରିବା ଶିଖେଇ ଦେଉଥିଲା, ମାନୁ ତାର ନିଶ୍ୱାସ ପଛପଟେ ଅନୁଭବ କରୁଥିଲା । ଛଅ ଫୁଟ ଦୁଇ ଇଞ୍ଚ ରେଖାଟିଏ ଯେପରି ନଇଁ ପଡି ନିଜ ଭିତରେ ଆବୋରି ନେଉଥିଲା ମାନୁର ପାଞ୍ଚ ଫୁଟ ଦୁଇ ଇଞ୍ଚ ଉଚ୍ଚତାକୁ ।


ଏମାନଙ୍କ ପାଇଁ ଏହା ଗୁପ୍ତ ମିଳନ କାର୍ଯ୍ୟକ୍ରମ ହେଲେ ବି ରୋମିଲ ତା ଘରେ କହି ଆସିଛି ସବୁ କଥା । ସେ ତା ସାଥିରେ ବହୁତ ଫୋଟୋ ଉଠାଇ ନେଇ ଯିବାକୁ ଚାହେଁ - ମା ଆଉ ଜେଜି ମାକୁ ଦେଖେଇ ବାକୁ । ସେଥିପାଇଁ ସମସ୍ତଙ୍କର ବହୁତ ଫୋଟୋ ଉଠାଇଥିଲା ସେ । ଜୁମ କରି ସେ ମାନୁର ଅଧିକ ଫୋଟୋ କୈଦ କରି ନେଇଥିଲା ତା ଦାମୀ କ୍ୟାମେରାରେ । ମାନୁ ବି ଜାଣୁଥିଲା ରୋମିଲ ଅଧିକ ସମୟରେ କେବଳ ତା ଫୋଟୋ ଉଠାଉଛି ବୋଲି ।


ରୋମିଲର ଭାରତ ଯାତ୍ରା ସଂକ୍ଷିପ୍ତ ପ୍ରୋଗ୍ରାମଟିଏ ଥିଲା ମାତ୍ର । ସେ ଫେରିଯିବ । ତା ଫ୍ଲାଇଟ କାଲି ସକାଳେ। ମାନୁକୁ ରୋମିଲ ଅନୁରୋଧ କରିଥିଲା ତା ପାଖେ ପାଖେ ରହିବା ପାଇଁ । ପାଶ୍ଚାତ୍ୟ ଜଗତ ପାଇଁ କାହା ସହ ରାତିଟିଏ କାଟିଦେବା ବଡ଼ କଥା ନୁହେଁ । କିନ୍ତୁ ମାନୁ ପରି ଗାଉଁଲି ଝିଅ ରୋମିଲକୁ ମନ ଭରି ଗୋଟିଏ ରାତିର ଅନୁରାଗ ଦେଇ ପାରିବ - ଏହା ସମସ୍ତ ପରିକଳ୍ପନାର ବାହାରେ ଥିଲା ।  ସାମାନ୍ୟ ଦେଖା ଚାହାଁ ପରେ ଏହା ଏକ ବିରାଟ ପଦକ୍ଷେପ ହୋଇଥାଆନ୍ତା । ତାହା ପୁଣି ଗୋଟିଏ ବାନ୍ଧବୀର ସ୍ବପ୍ନର କବର ଉପରେ ଚାଲି ଯାଇ । ହଷ୍ଟେଲରେ ଗୋଟିଏ ରାତିର ତାର ଅନୁପସ୍ଥିତି ସ୍ୱପ୍ନରେ ବି ଭାବି ହେବନି ତା ଦ୍ୱାରା। ମୂଳରୁ ସମ୍ଭାଳି ରଖି ଆସିଛି ସେ ନିଜର ଚରିତ୍ରକୁ । ଆଜି ତାର ଏହି ଗୁଣ ଯୋଗୁଁ ହୁଏ ତ ସେ ରୋମିଲର ହୃଦୟ ଜିତି ପାରିଛି ।


 ସେ ସିଧା ମନା କରି ଦେଇଥିଲା, "ନା, ସମ୍ଭବ ନୁହେଁ" । ରୋମିଲକୁ ନେଇ ସମସ୍ତେ ସେଦିନ ମେ ଫେୟାର ହୋଟେଲ ଯାଇଥିଲେ । ରେସ୍ତୋରାଁରେ କଫି ପିଇ ଫେରି ଆସିଥିଲେ ସମସ୍ତେ । କିରଣର ବ୍ୟବହାର କିଛି ଖାପଛଡ଼ା ଲାଗୁଥିଲା । ତଥାପି ସେ ସମସ୍ତଙ୍କ ସହ ହସୁ ଥିଲା । କାର୍ ରେ ଗଲାବେଳେ ଆଉ ରେସ୍ତୋରାଁରେ କିରଣକୁ ରୋମିଲ ପାଖରେ ବସିବାକୁ ଦେଇଥିଲେ ଇସା ଆଉ ମାନୁ ।


ମାନୁ ଆଉ ଇସା କଥା ହେଉଥିଲେ ରାତିରେ । ଇସାର ଗୋଟିଏ କଥା ଚମକାଇ ଦେଇଥିଲା ମାନୁକୁ । ଇସା କହୁଥିଲା ଏୟାରପୋର୍ଟ ଡ଼ିପାର୍ଚର ଲାଉଞ୍ଜରେ ଯେତେବେଳେ ରୋମିଲ ଯାଉଥଲା, ସେତେବେଳେ ସେ ଶେଷଥର ପାଇଁ କିରଣ ଆଡେ ନ ଚାହିଁ କେବଳ ମାନୁ ଆଡେ ଚାହିଁଥିଲା । ସେତିକିରୁ ସବୁ କଥା ସ୍ପଷ୍ଟ ହେଉଥିଲା । ମାନୁକୁ ଚିଡାଇବା ସ୍ୱରରେ କହିଲା,

"ଉଁ ହୁଁ ଉ ଉ ...ଜ୍ୟାଦା ସ୍ୟାଣି ମତ ବନ....ବୋଲୋ କ୍ୟା ଯାଦୁ ଚଲାୟା ତୁ ୱ ଫରେନର ଲୋଣ୍ଡେ ପର !"

ମାନୁ ଲାଜରେ ଝାଉଁଳୁ ଥିଲା । ଇସା କୌଣସି ମଉକା ଛାଡୁ ନ ଥିଲା ତାକୁ ଅଧିକ ଝାଉଁଳେଇବାକୁ । ଇସା କେବଳ ମାନି ଥିଲା, ମନ୍ଦିର ପ୍ରାଙ୍ଗଣରେ ଥିବା ବଗିଚାରୁ ଗୋଲାପଟିଏ ଛିଣ୍ଡାଇ ଦେଇଛି ସେ ରୋମିଲକୁ । ରୋମିଲ ଗୋଲାପଟିକୁ ଚୁମ୍ବନଟିଏ ଦେଇ ତା କୋର୍ଟ ପକେଟରେ ରଖି ନେଇଥିଲା ।


ରୋମିଲ ଯିବା ପରେ ଦୁଇ ଦିନ ହୋଇଗଲାଣି ।ମାନୁ ଯେତେବେଳେ ଲ୍ୟାପଟପ ଖୋଲିଲା ସେ ଦେଖିଲା ତା ପାଇଁ ଇ- ମେଲ ଆସିଛି ରୋମିଲର । ଗୋଟିଏ ମାତ୍ର ଲାଇନ ଲେଖିଛି ସେ ।


"ଉଇଲ ୟୁ ମ୍ୟାରୀ ମି ?"


ଚମକି ପଡିଲା ମାନୁ । ଆଗକୁ ପଡିଥିବା ଦୀର୍ଘ ଜୀବନ ପାଇଁ ଏ ସଂକ୍ଷିପ୍ତ ପ୍ରଶ୍ନଟି କେତେ ଯେ ମହତ୍ତ୍ୱପୂର୍ଣ୍ଣ । ସେ ଭାବୁଥିଲା, କାନାଡ଼ାରେ ପହଁଚିବା ପରେ ରୋମିଲ ପାଗଳ ହୋଇଗଲା ନା କଅଣ । ମନ୍ଦିର ପ୍ରାଙ୍ଗଣରୁ ଛିଣ୍ଡାଇ ଦେଇଥିବା ଗୋଲାପକୁ ସମ୍ଭାଳି ନେଇ ଯାଇଛି ସେ କାନାଡ଼ା । ସେହି ଫୁଲକୁ ଧରି ଫୋଟୋଟିଏ ପଠାଇଛି ମାନୁ ପାଖକୁ । ଏ ପର୍ଯ୍ୟନ୍ତ ସେ ମନ୍ଦିରରେ ରୋମିଲକୁ ନେଇ ହୋଇଥିବା ସଂକ୍ଷିପ୍ତ ଭାବର ଆଦାନପ୍ରଦାନକୁ ସେଇଠି ଜନ୍ମ ନେଇ ସେଇଠି ସରି ଯାଇଥିବା ଘଟଣାଟିଏ ପରି ଭାବି ନେଇଥିଲା । କିନ୍ତୁ ଆଜି ଯାହା ଲାଗୁଛି, ତାହା ପ୍ରେମର ଅଂକୁରଣର ଘଡି ଥିଲା ଯାହା । ନିଜକୁ କହୁଥିଲା, "ହେ ଭଗବାନ ! କିରଣ ସହ ତା ପ୍ରେମର ମହାନଦୀ ଶୁଷ୍କ ପଡିଗଲା ଏତେ ଶୀଘ୍ର ...ଆଉ ସେହି ନଈର ଅନାମଧେୟ ଏହି ଶାଖାକୁ ଆଜି ପ୍ରେମର ବିରୂପା ସଜେଇ ଦେଇଛି ରୋମିଲ । ଏ ସବୁ କିଛି ମୂର୍ଖତା ନୁହେଁ ତ ଆଉ କଅଣ !


 

ମାନୁ ବହୁତ ଭାବିଚିନ୍ତି ଇ- ମେଲ ରେ ଲେଖିଥିଲା , "ଦିସ ଇଜ ଇମୋରଲ, ରୋମିଲ । ଉଇ ଆର କ୍ଲୋଜ ଫ୍ରେଣ୍ଡସ୍ "


ସଙ୍କୁଚିତ ନ ହୋଇ ରୋମିଲ ପୁଣି ପଚାରିଥିଲା, 

"ପ୍ଲିଜ଼ ଥିଙ୍କ ଓବର । ଆଇ ଶାଲ ୱେଟ"


ମାନୁ ସାହସ କରି ପଚାରିଥିଲା, " ମେ ଆୟ ନୋ ଦ ରିଜନ ? ମାୟ ଫ୍ରେଣ୍ଡ କିରନ ଇଜ ସୋ ବ୍ୟୁଟିଫୁଲ"


ସେପଟୁ ଜବାଵ ଆସିଥିଲା, " ୟୋର ସିମ୍ପ୍ଲିସିଟି । ଏବ୍ରୀୱାନ ଇନ ମାୟ ଫ୍ୟାମିଲି ଲାଇକ୍ସ ୟୁ " 


ମାନୁ ନୀରବ ରହିଲା । 


ରୋମିଲ ତା କ୍ୟାମେରାରେ ଉଠାଇଥିବା ମାନୁର ବହୁତ ଗୁଡିଏ ଫୋଟୋ ପଠାଇଥିଲା । ବାସ୍ତବିକ ସେଗୁଡିକ ବହୁତ ଭଲ ଥିଲେ । ଇସାକୁ ଦେଖାଇ ପାରୁ ନ ଥିଲା ସେ ଲାଜରେ।


ତା କଳ୍ପିତ ଦୁନିଆଁର ସ୍ୱପ୍ନ ଯେପରି ଏବେ ତା ହାତ ମୁଠାରେ ଥିଲା । ଯେଉଁ ଭାଗ୍ୟକୁ ନେଇ କିରଣ ପାଇଁ ତା ମନରେ କେବେ ସାମାନ୍ୟ ଈର୍ଷ୍ୟା ଜନ୍ମ ନେଇଥିଲା, ଆଜି ସେହି ଭାଗ୍ୟ ତାକୁ ସିରସ୍ତ୍ରାଣ ପିନ୍ଧାଇ ସିଂହାସନରେ ବସାଇବାକୁ ଆସିଛି ।


କିନ୍ତୁ ସାଙ୍ଗ କିରଣର ଯେଉଁ ଅଧା ଫରେନର ଓଡ଼ିଆ ଯୁବକଟିଏକୁ ବିବାହ କରିବାର ଇଚ୍ଛା, ତାହା ସଫଳ ହେବ କେମିତି ? ତା ଛଡା କେବଳ ଗ୍ରୁପ ଫୋଟୋ ଟିଏରେ ତା ଚିତ୍ର ଦେଖି ରୋମିଲର ଘର ଲୋକେ କିପରି ସ୍ଥିର କରି ନେଲେ ସେ ସରଳତାର ମୂର୍ତ୍ତିଟିଏ ବୋଲି । ସେ ସତରେ ସରଳ ? ଫୋଟୋ କଣ ସବୁ କଥା କହି ଥାଏ ? ସେ ବି ତ ସାମାନ୍ୟ ଈର୍ଷ୍ୟା କରି ବସିଥିଲା କିରଣର ସୌଭାଗ୍ୟକୁ ନେଇ ।


ବିଶ୍ୱାସ ହେଉ ନ ଥିଲା କିଛି ତାର । ସରଳତା ଜିତିଯିବ ଐଶ୍ଚର୍ଯ୍ୟ ଆଗରେ ? ଯଦି ବାହାଘର ହୋଇଯାଏ, ତାଙ୍କ ଗାଁ ମାଟିଘରେ ରୋମିଲ କିମ୍ବା ତା ପରିବାର ଲୋକଙ୍କୁ ବସିବାକୁ ଜାଗା ଦେଇ ପାରିବେ ନା ? ଯଦି ସେ ରୋମିଲକୁ ମନା କରିଦିଏ, ତାହେଲେ ରୋମିଲ ଆଗପରି କିରଣକୁ ସହଜରେ ଗ୍ରହଣ କରି ପାରିବ କି ?


ରୋମିଲ ପାଇଁ ଏବେ କିରଣ 'ସେକେଣ୍ଡ ବେଷ୍ଟ ' ବିକଳ୍ପ । ଜୀବନରେ କେତେ ଜଣ ସେକେଣ୍ଡ ବେଷ୍ଟକୁ ପାଇ ଖୁସିରେ ରହି ପାରନ୍ତି ? କିନ୍ତୁ ସେ ନିଜେ ସେପରି । ସବୁବେଳେ ସବୁଠୁଁ ଭଲ ଜିନିଷ ଆଶା କରିବା ବି ବୋକାମୀ । ନିଜ ଇପ୍ସିତ ଜିନିଷଠୁଁ ଟିକିଏ କମ୍ କିଛି ମିଳିଗଲେ ବହୁତ କିଛି ଭାରସାମ୍ୟ ହଜି ଯିବନି ଜୀବନରେ । ମାନୁ କ୍ଲାସର ଆଗ ଧାଡିରେ ବସେ ନାହିଁ । ତା ମାନେ ନୁହେଁ କି ସେ ଜଣେ ବ୍ୟାକ୍ ବେଞ୍ଚର । ସେ ଦ୍ଵିତୀୟ ଧାଡିରେ ବସିବାକୁ ପସନ୍ଦ କରେ ।


କିନ୍ତୁ କିରଣ କଥା ଅଲଗା । ସେ ସବୁବେଳେ ଜୀବନର ସବୁ ସର୍ବୋତ୍ତମ ଜିନିଷକୁ ଚାହେଁ । ନ ପାଇଲେ ଚୁର ଚୁର ଭାଙ୍ଗି ଯିବନି ସେ ? ମାନୁ ପୁଣି ଭାବୁଥିଲା, ଏ ରୋମିଲକୁ ଆଉ କେଉଁଠି ଝିଅ ମିଳୁ ନ ଥିଲେ । ନିବେଦିତା ହଷ୍ଟେଲର ୧୨ ନମ୍ବର ରୁମର ଝିଅ ସାଙ୍ଗମାନଙ୍କ ଭିତରେ ଦ୍ବନ୍ଦ୍ୱ ଆଉ ଝଡ଼ ଉପୁଜେଇବା ପାଇଁ ସେ କଣ ଆସିଛି ସେମାନଙ୍କ ଜୀବନକୁ। ତାହା ପୁଣି ବି. ଏ. ଫାଇନାଲ ପରୀକ୍ଷା ସମୟରେ । ହେଲେ ତାର ବି ଦୋଷ ନାହିଁ । ଗୁରୁଜନ ଓ ଅଭିଭାବକ ଯାହା ସ୍ଥିର କରିଛନ୍ତି ।

ଯାହା ହେଲେ ବି ଏଥିପାଇଁ କିରଣର ରୋମିଲ ଉପରେ ସର୍ବପ୍ରଥମ ଅଧିକାର । କିନ୍ତୁ ନିଜ ପିତାମାତାଙ୍କ ବାଲ୍ୟବନ୍ଧୁତ୍ୱ କଣ ଗୋଟିଏ ସମ୍ପର୍କ ଲାଗି ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇପାରେ ।


 ସକାଳର ଚା ପିଇଲା ବେଳେ ମାନୁ ପ୍ରେମର ଦୈର୍ଘ୍ୟ ମାପୁଥିଲା । ରୋମିଲ ମାତ୍ର ଏଇ ଦୁଇ ତିନି ମାସ ଧରି କିରଣ ସହ କଥା ହେବାକୁ ଆରମ୍ଭ କରିଥିଲା । ବହୁତ ଭାବର ଆଦାନ ପ୍ରଦାନ କରିଥିଲେ ସେମାନେ ଟେଲିଫୋନ ଆଉ ଇଣ୍ଟରନେଟରେ । ଅବଶ୍ୟ ତାର ପୃଷ୍ଠ ଭୂମିରେ ସେମାନଙ୍କ ପିତାମାତାଙ୍କ ବହୁ ପୁରୁଣା ବାଲ୍ୟ ବନ୍ଧୁତ୍ୱର ଦୈର୍ଘ୍ୟ ବହୁତ ବଡ଼ ଥିଲା । ଅନ୍ୟ ପକ୍ଷରେ ରୋମିଲ ସହ ତା ପ୍ରେମର ଦୈର୍ଘ୍ୟ ନିହାତି ନଗଣ୍ୟ । ପାଞ୍ଚ ମିନିଟ ହୋଇ ଥିବ କି ନା । ଏତେ କମ୍ ସମୟକୁ ନେଇ ପ୍ରେମର ଗଭୀରତା ମାପିବା ବି ମୂର୍ଖତା । ଏହା କୌଣସି ବିଚାର ଯୋଗ୍ୟ ତଥ୍ୟ ନ ହୋଇପାରେ । ତେବେ କେଉଁ କାରଣରୁ ରୋମିଲ ତାକୁ ଭଲ ପାଇ ବସିଛି ? ପ୍ରେମର ସେହି ଅଦୃଶ୍ୟ ଡାଇମେନସନ କଅଣ ହୋଇପାରେ - ମାନୁ ତା ନିଜ ଭିତରେ ଖୋଜୁଥିଲା ଏହି ପ୍ରଶ୍ନ ଗୁଡିକର ଉତ୍ତର ।


ଏବେ ତ ନିଜେ ରୋମିଲ ଆଉ ତା ପରିବାର ଲୋକେ ତାକୁ ପସନ୍ଦ କରି ସାରିଛନ୍ତି । ତା ନିଜ ଘରଲୋକେ ଏ ବିଷୟରେ କିଛି ବି ଜାଣି ନାହାନ୍ତି । ସିଏ ଆଉ ତା ଘର ଲୋକେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ସେ ନିଜେ ବୁଝି ପାରୁନି ।

ନା ତା ପାଖରେ ଅଛି ସହରରେ ବାହାଘରଟିଏ ଆୟୋଜନ କରିବାର ସାମର୍ଥ୍ୟ । ପାସପୋର୍ଟଟିଏ ବି ନାହିଁ ତାର । 


ସେଦିନ ଉପରବେଳା ସବୁ ସାଙ୍ଗ ଚାଆ ପିଇବା ବାହାନାରେ ଏକାଠି ବସିଥିଲେ । କିରଣ ବାପାଙ୍କ ଫୋନ ଆସିଲା ।

"କିଏ ସେ ତୋ ଗାଉଁଲି ରୁମମେଟ ଯିଏ ସାହସ କରି ବସିଲା ଏ ସବୁ କରିବାକୁ ?" ଟେଲିଫୋନରୁ କିରଣର ବାପାଙ୍କ ଉଚ୍ଚା ଆବାଜ ଶୁଭୁଥିଲା । 

ମାନୁ ପାଖରେ ଏ କଥା ଠିଆ ହୋଇ ଶୁଣୁଥିଲା । ତାହା ଜାଣି କିରଣ ତା ବାପାଙ୍କୁ ପ୍ରତିବାଦ କରି କହିଲା, "ସେମିତି ତୁମେ ମୋ ସାଙ୍ଗଙ୍କ ବିଷୟରେ କହି ପାରିବନି, ବାପା "

ତା ବାପା "ତୋ କଥା ତୁ ଜାଣ !" କହି ଫୋନ ରଖି ଦେଲେ ।


ମାନୁ ଅଧିକ କିଛି ଶୁଣିବାକୁ ଚାହୁଁ ନ ଥିଲା । ସେ ହଠାତ ଉଠି ଚାଲି ଯାଉ ଯାଉ କିରଣ ତା ହାତ ତା ଟାଣି ଧରି ପାଖରେ ବସାଇଲା । ପଚାରିଲା, " ଭଲ ପାଉଛୁ ରୋମିଲକୁ ?"


ଯଦି ଏହି ପ୍ରଶ୍ନ ଗୋଟିଏ ସପ୍ତାହ ଆଗରୁ ପଚରା ଯାଇ ଥାନ୍ତା ମାନୁ ବଡ ପାଟିରେ ଚିତ୍କାର କରି କହି ଥାନ୍ତା, " ନା ନା ନା" । କିନ୍ତୁ ଆଜି ସତ କଅଣ, ମାନୁ ନିଜେ ବି ଜାଣି ନ ଥିଲା । ତଥାପି ଜବାଵ ଦେଲା, 


"ନା ତ"


ଏଭଳି ଏକ ସ୍ଥିତିରେ ପଡି ଡରରେ ଥରି ଯାଉଥାଏ ମାନୁ । କିରଣ ସହ ଆଖିରେ ଆଖି ମିଳେଇ ପାରୁ ନ ଥାଏ ସେ । ଏ ସବୁ ପାଇଁ ସେ ନିଜେ ବିଲକୁଲ ଦାୟୀ ନ ଥିଲା ।

ଆଗରୁ ବି କିରଣକୁ ଡରେ । ଇସା ଆଉ ମାନୁ ସକାଳୁ ଅଦା ଚା ପିଇବାକୁ ଭଲ ପାଆନ୍ତି । ଯେତେବେଳେ ସକାଳ ଛଅଟା ପାଖାପାଖି ଛୋଟ ହେମ ଦସ୍ତାଟିରେ ଅଦା କୁଟି ବାକୁ ଆରମ୍ଭ କରେ କିରଣ ବହୁତ ରାଗେ। ଥରେ ଉଠି ହେମ ଦସ୍ତା ଉଠାଇ ତଳକୁ ଫୋପାଡ଼ି ଦେଇ ଥିଲା ମଧ୍ୟ। ସେହି ଦିନଠୁଁ ଅଳ୍ପ ଶବ୍ଦ ହେବାପାଇଁ ସେ କମ୍ବଳରେ ହେମ ଦସ୍ତା ଢାଙ୍କି ଅଦା କୁଟେ । କିନ୍ତୁ ସେ ଡର ଅନ୍ୟ ପ୍ରକାରର ଥିଲା । ଏ ଡର ଅନ୍ୟ ପ୍ରକାର ।


ମାନୁ ନିଜ ନୀରିହ ପଣର ଶିକାର ହୋଇଥିଲା । ଏତେ ବଡ ସହରରେ କେହି ତାର ଅଭିଭାବକ ନ ଥିଲେ । ତା ନିଜ ସତ୍ତା ବି ଅଭିଭାବକହୀନ ହୋଇ ଯାଇଥିଲା ଯେମିତି । କୌଣସି ମତେ ଏ ମାନସିକ ଦ୍ବନ୍ଦ୍ୱରୁ ରକ୍ଷା ପାଇ ପରୀକ୍ଷା ଦେବାକୁ ଚାହୁଁ ଥିଲା । କିରଣ ମାନୁର ମନକୁ ନିର୍ଭୁଲ ପଢି ପାରୁଥିଲା ।


ସେଦିନ ପ୍ରଥମ କରି ବହି କାଢି ପଢିଲା କିରଣ । ଜଣା ନାହିଁ ବହୁତ କିଛି ଇ-ମେଲରେ ଲେଖୁଥିଲା ରୋମିଲକୁ । ରାତିରେ କେତେ ବେଳେ ଶୋଇଲା କେହି ଜାଣନ୍ତିନି । ବହୁତ ଡେରି ପର୍ଯ୍ୟନ୍ତ ଶୋଇ ରହିଥିଲା ସକାଳେ ।


ଘଟି ଯାଇଥିବା ଘଟଣା ସବୁକୁ ଇସା ସହ କଥା ହେଉ ହେଉ ନର୍ଭସ ହେଉଥିଲା ମାନୁ ।ମାନୁର ଏକ ମାତ୍ର ଦୋଷଥିଲା ତାହାର ସରଳତା । ମାନୁ କହୁଥିଲା, ବୁଝିଲୁ, ଇସା ! ପ୍ରେମ ଏକ ଅନ୍ୟ ପ୍ରକାରର ଘୂର୍ଣ୍ଣି ବାତ୍ୟା । ଘୂର୍ଣ୍ଣି ବାତ୍ୟା ରାସ୍ତା ବଦଳେଇ ଚାଲି ଗଲା ପରେ ବି ଯେଉଁ କ୍ଷତି କରି ଚାଲିଯାଏ, ତାହା କିଏ ଜାଣେ !" ମାନୁ ଜାଣିଛି ରୋମିଲକୁ ମନରୁ ପୋଛି ଦେଲା ପରେ, ସାଙ୍ଗସାଥୀ ପଚାରୁ ଥିବେ ସେହି ଝଡର କ୍ଷୟ କ୍ଷତି । ଆଉ ସେ କହୁଥିବ "କିଛି ତ ହୋଇନି" ।  


ରୋମିଲ ଭୁବନେଶ୍ୱରରୁ ଗଲାପରେ ଆଠ ଦିନ ହେଲାଣି । ମାନୁ ଆଜି ବି କିଛି ଖାଇନି । ଇସାର ବାଆଁ ହାତକୁ ଜୋରରେ ଧରି ସେ କହୁଥିଲା, "ଗତବର୍ଷ ତିନି ମହଲାରୁ ଦେଵଦାରୁ ଗଛ ମୂଳକୁ ଡେଇଁ ପଡି ସୁଇସାଇଡ଼ କରିଥିବା ହେମାଙ୍ଗି କଥା ମୋର ବାରମ୍ବାର ମନେ ପଡୁଛି" 

ଇସା ତା ଗାଲରେ ହାଲକା ଚାପୁଡ଼ା ମାରି କହୁଥିଲା,

" ଛେନାଗୁଡ଼ ନା ! ତୁ ଜଲଦି ବାହାରିଲୁ । ଆଜି ଯାଇ କେଫେ ରେ ଦୋସା ଖାଇ ଆସିବା"

ମାନୁ କିନ୍ତୁ ଜୋରରେ ପାଟି କରି ଇସାକୁ ପଚାରୁଥିଲା, "ମୁଁ କଅଣ କରିବି କହ, ମୁଁ କଅଣ କରିବି କହ ।"


ଏତକ କହୁ କହୁ ଟଳି ପଡିଲା ନିଜ ଜାଗାରେ ।


 ଆମ୍ବୁଲାନ୍ସରେ ମାନୁକୁ ହସ୍ପିଟାଲ ନେଇ ଆସିଲା ପରେ ଇସା ରୋମିଲ ପାଖକୁ ଫୋନ କରି ସିଏ ଭାରତ ଛାଡି ଯିବାର ପରବର୍ତ୍ତୀ ଘଟଣା ସବୁ କହି ଦେଇଥିଲା । 


ରୋମିଲ ଜବାଵ ଦେଇଥିଲା, " ଆଇ ଏମ କମିଙ୍ଗ !"


କଳିଙ୍ଗ ହସ୍ପିଟାଲ ପ୍ରାଇବେଟ ୱାର୍ଡ ନମ୍ବର ନଅ ।

ମାନୁ ଅଦ୍ଭୁତ ସ୍ବପ୍ନଟିଏ ଦେଖି ବସି ଗଲା । ତାକୁ ଦିଆଯାଇଥିବା ଟ୍ରାନକୁଇଲାଇଜ଼ରର ପ୍ରଭାବ ଏବେ ବି ବଳବତ୍ତର ଅଛି । କମଳା ପାଖୁଡା ଛଡେଇ ଦେଉ ଦେଉ ଇସା ତା ସ୍ୱପ୍ନ କଥା ଶୁଣୁଥିଲା ....


ତିନି ତିନିଟା ଛୁଆର ମାଆ ସେ। କଟନ ଶାଢ଼ୀ ଖଣ୍ଡେ ପିନ୍ଧି ଗୋଟିଏ ମାଟି ଘରେ ନସର ପସର ହେଉଥିଲା କିଛି ସମୟ ଆଗରୁ । ଖଳାରେ ତାର ଆଠ ଦଶଟି ବଡ ଧାନ ଗଦା । ଘର ଆଗରେ ଦୁଇ ହଳ ବଡ଼ ବଡ଼ ବଳଦ । ବାଡ଼ିରେ ଅସରନ୍ତି ଫଳନ୍ତି ଆମ୍ବ, ଗୁଆ ଆଉ ପଣସ ଗଛ । ଆଉ ଗୋଟିଏ ସୁନ୍ଦର ଅଗଣାରେ ବସିଥିଲେ ରୋମିଲର ଜେଜି ମା । ଆଶୀର୍ବାଦ ଦେଉଥିଲେ ମାନୁକୁ । ସ୍ୱର କରି ଗାଇବାକୁ କହୁଥିଲେ ଗାୟତ୍ରୀ ମନ୍ତ୍ର । ରୋମିଲ ତା ବିନା ହୂଡ଼ ଥିବା ସ୍ପୋର୍ଟସ କାର୍ ବାହାର କରି ରଖିଥିଲା ମାନୁକୁ ବସାଇ ମଣ୍ଟ୍ରିଲ ସହର ବୁଲାଇ ନେବାକୁ .....ଠିକ ମୈନେ ପ୍ୟାର କିୟାର ସଲମାନ ଖାଁ ପରି ।


ଇସା ତା ପିଠି ଥାପୁଡ଼େଇ ଦେଉଥିଲା । ଡାକ୍ତର ତା ଦେହର ରକ୍ତଚାପ ଦେଖୁଥିଲେ ।

ଆଖି ଆଗରେ ରୋମିଲ ଠିଆ ହୋଇ ହସୁଥିଲା । କିରଣ ତା ଗାଲରେ କିସଟିଏ ଦେଉଥିଲା । 

ରୋମିଲର ଜେଜି ମା ତା ପିଠି ଆଉଁସି କହି ଦେଉଥିଲେ, " ଉଠ ମାନୁ, ଆଗକୁ ତୋର ପରୀକ୍ଷା "। ମାନୁ ଜାଣି ପାରୁ ନ ଥିଲା ଏବେ ଯାହା ଦେଖୁଛି ଏଇଟା ସ୍ୱପ୍ନ ନା ସ୍ୱପ୍ନ ତାହା ଥିଲା ଯାହା ସେ ଇସାକୁ ଟିକିଏ ଆଗରୁ କହୁଥିଲା । 


ଦେହ କାହାର ଅସୁସ୍ଥ ହେଲେ ସବୁକିଛି ଓଲଟ ପାଲଟ ହୋଇଯାଏ । ରହିବା, ଶୋଇବା ଆଉ ଖାଇବାର ଠିକଣା ନ ଥାଏ । ସେଦିନ ରାତିରେ କାହାଣୀର ଚରିତ୍ର ଗୁଡିକ ଏହିପରି ଅବସ୍ଥାନ କରିଥିଲେ ।


ହୋଟେଲ: ଇସା ରୋମିଲର ଜେଜି ମାଆଙ୍କୁ ନେଇ ରହିଲା । ମାନୁ ବିଷୟରେ ଅନେକ ତଥ୍ୟ ସଂଗ୍ରହ କଲେ କଥା ଛଳରେ ।


ହଷ୍ଟେଲ: କିରଣ ଏକୁଟିଆ । ବୈଜୟନ୍ତୀ ଚିକେନ୍ ପକ୍ସ୍ କାରଣରୁ ହଷ୍ଟେଲ ଛାଡି ସାରିଥିଲା ।


ହସ୍ପିଟାଲ: ରୋମିଲ ଆଉ ମାନୁ । ରୋମିଲ ଜିଦ କଲା ହସ୍ପିଟାଲରେ ରହି ମାନୁର ଯତ୍ନ ନେବ ବୋଲି । ତା ଜେଜି ମା ବି ହସି ହସି ତାକୁ ସେଥିପାଇଁ ଅନୁମତି ଦେଇଥିଲେ । କଥା ହେବାର ମୌକା ଦୁହିଁଙ୍କୁ ମିଳିନି । କେବଳ ରାତି ଅଧରେ ମାନୁ ଉଠି ଚାହିଁଥିଲା ରୋମିଲ ଆଡେ । ରୋମିଲ ତା ହାତକୁ ଉଠାଇ ନେଇ ନିଜ ପାପୁଲିରେ ରଖିଥିଲା । ପନ୍ଦର ମିନିଟ ପର୍ଯ୍ୟନ୍ତ ପରସ୍ପରକୁ ଚାହିଁ ରହିଥିଲେ ବିନା କିଛି କଥା କହି । ନିଶା ଔଷଧ କାରଣରୁ ମାନୁର ତର୍କ କାମ କରୁ ନ ଥିଲା । ସେ ଶୋଇ ଯାଇଥିଲା ତା ପରେ ।


ପରଦିନ ସକାଳ । ମାନୁ ବହୁ ପରିମାଣରେ ସୁସ୍ଥ ହୋଇ ସାରିଥାଏ । ମୁହଁରେ ସକାଳର ଖରା ପରି ତାର ହସ । କିରଣ ହସ୍ପିଟାଲ ୱାର୍ଡରେ ପହଞ୍ଚି ସାରିଥିଲା । ସେଠି ଇସା ଆଉ ରୋମିଲର ଜେଜି ମାଆ ଥିଲେ । ରାତି ଅନିଦ୍ରା କାରଣରୁ ରୋମିଲ ହୋଟେଲ ଚାଲି ଯାଇଥିଲା ବିଶ୍ରାମ କରିବାକୁ ।


କିରଣ ମାନୁର ବିଛଣା ପାଖକୁ ଯାଇ ତାକୁ ଗଳାରେ ଲଗାଇ କିସ କଲା । ଯେତେବେଳେ କିଛି କାଗଜ ଦସ୍ତଖତ କରିବାକୁ କହିଲା ମାନୁ ସେ କଅଣ କରିବାକୁ ଯାଉଛି ବୋଲି ବୁଝି ପାରୁ ନ ଥିଲା । ସେ ଆଖି ଦେଖେଇ ମାନୁକୁ କହୁଥିଲା, "ଚୁପଚାପ ସାଇନ ମାର" । 

ପାସପୋର୍ଟ ଦରଖାସ୍ତରେ ଲାଗୁଥିବା କାଗଜ ଗୁଡିକ ସାଇନ ସରିଲା ପରେ ତାକୁ ବାହାରେ ଅପେକ୍ଷା କରିଥିବା ଏଜେଣ୍ଟକୁ ଦେଇସାରି କିରଣ ପୁଣି ଫେରିଲା ହସ୍ପିଟାଲ ୱାର୍ଡକୁ । ନଇଁପଡି ଜେଜି ମା'ର

ପାଦ ଛୁଇଁଲା କିରଣ। ତା ବ୍ୟବହାର ଦେଖି ଲାଗୁଥିଲା ସେ ତରବରରେ ଅଛି ।


ଇସାକୁ ବାହାରକୁ ଡାକି ତା ସହ କିଛି ସମୟ ଗପିଲା । ସେ ପରୀକ୍ଷା ଡ୍ରପ କରି ରାଉରକେଲା ଫେରି ଯାଉଛି । ଏଗାରଟା ବେଳେ ଟ୍ରେନ ଅଛି ।


ଲିଫ୍ଟ ଉପରକୁ ଆସୁ ଆସୁ ଇସା କିରଣକୁ କହୁଥିଲା, " ରୋମିଲ ଆସିବା ଯାଏଁ ତ ଅପେକ୍ଷା କର । ସେ ହୋଟେଲ୍ ରୁ ବାହାରି ସାରିଛି - ପହଞ୍ଚି ଯିବ ଟିକିଏ ସମୟରେ " 


ଏହାର ଜବାବ କ'ଣ ବା ଦେଇଥାନ୍ତା କିରଣ । ଚାହିଁ ରହିଲା ସେ ଇସାକୁ ଗୋଟେ ଲୟରେ । ଇସାକୁ ପଚାରିଲା, "ତୁ ମୋଠୁଁ ବେଶୀ ଭଲ ପାଉନା ମାନୁକୁ ?" 

ଇସାର ମୁହଁରୁ ବାହାରି ଗଲା, " ନା ଲୋ !" 


ଦୁହିଁଙ୍କ ଆଖିରୁ ଏକ ସମୟରେ ଲୁହ ବାହାରିବାକୁ ଉଦ୍ୟତ ହେଉଥିଲା । ନିୟନ୍ତ୍ରିତ ମିଛ ହସଟିଏ ମୁହଁରେ ଫୁଟାଇ ଲିଫ୍ଟ ଭିତରେ ଲୁଚିଗଲା କିରଣ ।


                


Rate this content
Log in

Similar oriya story from Romance