Ajaya Mahala

Romance

2.5  

Ajaya Mahala

Romance

ମିତୁର ମୀ ଠୁ

ମିତୁର ମୀ ଠୁ

7 mins
184



        ସମୁଦ୍ର ପତନଠାରୁ ସାତ ହଜାର ଫୁଟ ଉଚ୍ଚତାରେ ଏଇ କ୍ୟାମ୍ପ । ପଛପଟରେ ଅପରିକଳ୍ପନୀୟ ବିଶାଳ ଧଉଳଧର ପର୍ବତ ଶୃଙ୍ଖଳା । ବରଫ ଉପରେ ପଡି ଜହ୍ନର ପ୍ରତିଫଳନ ଦୂରରୁ ବେଶ ସୁନ୍ଦର ଦିଶୁଛି । ତଳେ କାଙ୍ଗଡା ଉପତ୍ୟକା । ଗୋଟିଏ ଅବା ଦୁଇଟି ଟେଣ୍ଟକୁ ଛାଡିଦେଲେ ପିଲାମାନଙ୍କର ଟେଣ୍ଟଗୁଡିକରେ ଆଲୁଅ ନିର୍ବାପିତ ହୋଇ ସାରିଲାଣି । ଆକାଶରେ ମିଟ ମିଟ କରୁ୍ଥିଲେ ଲକ୍ଷାଧିକ ତାରା ।


- ସରୀ ଅମେୟ ! ବିନା ନକ କରି ତୁମ ଟେଣ୍ଟ ଭିତରକୁ ପଶି ଆସିଲି । 


- ୟୁ ଆର ଅଲୱେଜ୍ ୱେଲକମ୍ । ଟେଣ୍ଟରେ କେଉଁ କାଠ କବାଟ ଅଛି ଯେ ନକ କରି ଥାଆନ୍ତୁ ।", ଅମେୟ ନିଜର ତୁଳୀରୁ କଳା ରଙ୍ଗ ଧୋଉ ଧୋଉ ମିତୁ ଆଡକୁ ଚାହିଁ କହିଲା ।  


 - "ଗୋଟିଏ କଥା ପଚାରିବାକୁ ଆସିଥିଲି ମ "


 - " ନିସଙ୍କୋଚ ପଚାରି ପାର"


 - " ଆରେ କିଛି ନୁହେଁ ମ, ଏଇ ଯେଉଁ ...ଆଜି କାଲି ଖବରକାଗଜରେ ଯେଉଁ....", କଥାକୁ ଅଧା ରୋକି ଅନିଚ୍ଛା ସତ୍ତ୍ୱେ ପ୍ରସଙ୍ଗ ବଦଳାଇବାକୁ ଚେଷ୍ଟା କଲା ମିତୁ ।


 - " ଖୋଲି କରି କୁହ, ମିତୁ "


 - " ଏଇ ଯେଉଁ ' ମୀ ଠୁ' 'ମୀ ଠୁ' ଚାଲିଛି ମ !" - 


   ପାହାଚ ପାହାଚ ପ୍ରଶ୍ନ ଚଢି ମିତୁ ତା ଇପ୍ସିତ ପ୍ରଶ୍ନ ଅମେୟକୁ ପଚାରି ସାରିଥିଲା ।  


     ମିତୁ ସିଂହ ଅବିବାହିତା । ସେ ଜେ. ଜେ. ସ୍କୁଲ ଆଫ ଆର୍ଟସ୍ , ମୁମ୍ବାଇରେ ଫାଇନ ଆର୍ଟ ବିଭାଗରେ ଜୁନିୟର ଲେକଚରର । ଅମେୟ ଭଟନାଗର ସେହି ବିଭାଗରେ ସିନିୟର ପ୍ରାଧ୍ୟାପକ । ଅମେୟ ଆଉ ମିତୁ ଏକା କଲେଜରେ କାମ କରୁଥିଲେ ହେଁ ଏତେ ଅଧିକ ପାଖରୁ ଜାଣି ନ ଥିଲେ ପରସ୍ପରକୁ । କରିଡରରେ ଚାଲିଲାବେଳେ ଅଧା ମୁରୁକା ହସ ହସି ଯାହା ରାସ୍ତା କାଟନ୍ତି ପରସ୍ପରର । କେବେ କେବେ ଦୁହିଁଙ୍କୁ ନେଇ ସହକର୍ମୀମାନେ ଇସାରାରେ ହସ ମଜା କରନ୍ତି ।


    ଅଧ୍ୟାପନାକୁ ଯଦି ଭୁଲିଯିବା, ନିରପେକ୍ଷ ରୂପରେ ଅମେୟ ଗୋଟିଏ ବଡ଼ ଆର୍ଟିଷ୍ଟ । ତାର ଅନେକ ପେଣ୍ଟିଙ୍ଗ ଅନେକ ପାଞ୍ଚ ତାରକା ହୋଟେଲର ମୂଖ୍ୟ ଲବିରେ ଏବେ ବି ସଜ୍ଜିତ ।


     କଲେଜର ପିଲାମାନେ ଫାଇନ ଆର୍ଟସ କ୍ୟାମ୍ପରେ ଆସିଛନ୍ତି ହିମାଚଳ । ଏବେ କାଙ୍ଗଡାରେ କ୍ୟାମ୍ପ ଲାଗିଛି । ଅମେୟ ଭଟନାଗର ଟିମ ଲିଡର । ଷ୍ଟୁଡେଣ୍ଟ ମାନଙ୍କୁ ଅଲଗା ଅଲଗା ଜାଗାରେ ବସି ଲ୍ୟାଣ୍ଡସ୍କେପ ପେଣ୍ଟିଙ୍ଗ କରିବା ପାଇଁ ନିର୍ଦ୍ଦେଶ ଦେଉଥାଏ । ଅମେୟ ଦିନ ବେଳେ ଅନେକ ଗୁଡିଏ ସ୍କେଚ କରି ଆଣେ ଲ୍ୟାଣ୍ଡସ୍କେପର । ରାତିରେ ରଙ୍ଗ ଭରେ ସେଗୁଡିକରେ ନିଜ କଳ୍ପନାରେ - କିଛି ଅନୁଭୁତିରୁ ବି । ସତରେ ଜଣେ ଅବିଶ୍ୱସନୀୟ ରୂପେ ସିଦ୍ଧହସ୍ତ କଳାକାର ସେ । 


     ଅମେୟର ଗୋଟେ ଗୁଣ ଏହା ଯେ ଯେଉଁ ଜିନିଷ ବା ଘଟଣା ଲୋକପ୍ରସିଦ୍ଧ ହେଉଥାଏ ସେ ଆଡକୁ ସେ ଧ୍ୟାନ ଦିଏନା । ନିଜ ପେଣ୍ଟିଙ୍ଗରେ ବୁଡି ରହିଥାଏ । ତାକୁ ଏ ସବୁ ଫାଲତୁ ବିଷୟ ପାଇଁ ସମୟ କାହିଁ ? ବୋଧେ ଏହା ସବୁ ବାସ୍ତବିକ କଳାକାରଙ୍କ ସାଧାରଣ ଲକ୍ଷଣ । ଆଉ ରହିଲା 'ମୀ ଠୁ' କଥା, ସିଏ ନିଜେ ତ ହାଲକା କରି ଜାଣିଥିଲା ୟା ବିଷୟରେ । ମିତୁକୁ ବା ବୁଝେଇବ କଣ ? ସେମାନେ ଯେଉଁ ଉଚ୍ଚ ପାର୍ବତ୍ୟ ଘାଟିରେ ବର୍ତ୍ତମାନ ଅଛନ୍ତି ସେଠୁଁ କେବଳ ସାଟେଲାଇଟ ଫୋନରୁ ନିକଟସ୍ଥ ଥାନାକୁ ଜରୁରୀ ଖବର ପଠାଇହୁଏ । ସେଠି ଇଣ୍ଟରନେଟ ବିଷୟରେ ଭାବିବା ସ୍ୱପ୍ନ । ନ ହେଲେ ଇଣ୍ଟରନେଟ ଦେଖିବାକୁ କହି ମିତୁର ପ୍ରଶ୍ନରୁ ଦୂର ରଖି ପାରିଥାନ୍ତା ନିଜକୁ । କିନ୍ତୁ ବାହାରକୁ ଯିବାର କୌଣସି ରାସ୍ତା ନ ଥିଲା । ସୁତରାଂ ଜିନିଷଟିକୁ ନିଜ ଭାଷାରେ ବୁଝାଇବାକୁ ଚେଷ୍ଟା କଲା ସେ ।


 - " ସେତିକି ଜାଣିନୁ, ଵୋକୀ !"


      ସହକର୍ମୀ ହେଲେ ବି ଏହି କଥା ପଦକରେ ଭିନ୍ନ ଏକ ପ୍ରଗାଢ ଆମୀୟତା ଥିଲା । ତା ଛଡା ମୁମ୍ବାଇରୁ ପ୍ଲେନରେ ବସିଲା ପରେ ମିତୁର ଅମେୟ ପ୍ରତି କିଛି ଅଧିକ ଆକର୍ଷଣ ଜାଗି ଉଠିଥିଲା ଗୋଟିଏ ମାତ୍ର ଘଟଣା ନେଇ । ଯେତେବେଳେ ଦିଲ୍ଲୀରେ ପହଞ୍ଚିବା ପରେ ଦୁଇଟି ଛାତ୍ର ଅସୁସ୍ଥ ହୋଇ ପଡିଲେ, ଅନ୍ୟମାନେ ସେମାନେ ଘରକୁ ଫେରିଯାଆନ୍ତୁ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ଅମେୟ ନିଜକୁ ଜଣେ ବିଚାରବନ୍ତ ଶିକ୍ଷକର ପରିଚୟ ଦେଇ ଅଧିକ ଦୁଇଦିନ ଦିଲ୍ଲୀରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ପିଲାମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ସୁସ୍ଥ କରି ଏବେ ହିମାଚଳ ଆଣିଛନ୍ତି ।


    ତେଣୁ ସେ ଅମେୟ କଥାର ସଙ୍କୁଚିତ ଜବାଵ ଟିଏ ଦେଲା - "ଉଁଉ... କୁହ କଅଣ ମୀ ଠୁ ? " 


 - " ଶୁଣ , ଏବେ ଗୋଟିଏ ପରେ ଗୋଟିଏ ମହିଳା କର୍ମକ୍ଷେତ୍ରରେ ଥିଲାବେଳେ ବସ୍ କିମ୍ବା ନିଯୁକ୍ତିଦାତାଙ୍କ କାରଣରୁ ତାଙ୍କ ଜୀବନରେ ଘଟିଥିବା ଯୌନ ଉତ୍ପୀଡ଼ନର କାହାଣୀ ସୋସିଆଲ ମେଡିଆ ମାଧ୍ୟମରେ ଲୋକଲୋଚନକୁ ଆଣିବାକୁ ଚେଷ୍ଟିତ ହେଲେଣି । ସେଥିପାଇଁ ସେମାନଙ୍କୁ ବେଶ ସାହସ ବି ମିଳୁଛି ଜନସାଧରଣଙ୍କ ସମର୍ଥନ କାରଣରୁ ।", ଅମେୟ ନିଜ ଜ୍ଞାନରୁ ଏତିକି କହିଲା । 


    ଆଖିରେ ତନ୍ମୟତା ଆଉ କିଛି ରୋମାଣ୍ଟିକ ଭାବ ରଖି ଶୁଣୁଥିଲେ ଏ ସବୁ ମିତୁ ସିଂହ । 


 - "ଆଁ ...ଏତିକି ନା ଆଉ ! ମୁଁ କିଛି ଭୁଲ ଦେଖୁନି ବସ୍ ବା ନିଯୁକ୍ତିଦାତାଙ୍କ ବ୍ୟବହାରରେ ।", ନିତୁ ସିଧା ନକାରି ଦେଲା ଅମେୟକୁ ।


- ସେମାନେ ଚାକିରୀ ବା କ୍ୟାରିୟର ଦେଇଛନ୍ତି ବୋଲି ମଣିଷକୁ କିଣି ନେଇଛନ୍ତି ନା କଣ ?


 - ଯଦି ତୁମେ ମୋ ଗାଇଡ଼, ବସ୍ ବା ମାଲିକ ଆଉ ତୁମେ ମୋ ମନ କିଣି ସାରିଛ ତେବେ ନିୟମର ସୀମା ଅତିକ୍ରମ କରିବାରେ ଭୁଲ କଣ ?", ମିତୁ ବଡ ଆକର୍ଷକ ଢଙ୍ଗରେ ଆଖି ନଚାଇ ଏହି ସଫେଇ ଦେଲା । 


      ଅମେୟ ଠିକ ବୁଝି ସାରିଥିଲା ଯେ ମିତୁ "ମୀ ଠୁ' କଂସେପ୍ଟ ତ ବୁଝି ସାରିଲାଣି । ଏବେ ସେ ତା ପ୍ରତି ତା ନିଜ ଆକର୍ଷଣକୁ ପ୍ରତିରୋପିତ କରିବାକୁ ଯାଇ ଏହି ରୋମାଣ୍ଟିକ ଅନ୍ଦାଜ଼ରେ କଥା କହିବା ଆରମ୍ଭ କରିଦେଇଛି ଯାହା ।  ସାତ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ ହିମାଚଳ ପାହାଡୀ କ୍ୟାମ୍ପର ନିର୍ଜ୍ଜନ ସୁନ୍ଦର ବାତାବରଣରେ ଅମେୟର ଯୁବାମନକୁ ବି ଗ୍ରାସ କରି ଆସୁଥିଲା ନିଜର ଜୁନିଅର ମିତୁ ସିଂହର ଏ କଥା। 


     କଥାକୁ ଗତି ଦେଇ ସେ କହିଲା, "ମିତୁ, ଭାବି ନିଅ ଏଇଟା ସତ ଯେ ତୁମେ ମୋ ମନ କିଣି ନେଇଛ , କିନ୍ତୁ ମତେ ତ କିଣି ନେଇନ ! "


 - " କରି ପାରୁଥିଲେ ସେତକ ବି କରି ଦିଅନ୍ତି - କିନ୍ତୁ ମିସେସ ଭଟନାଗର ନିର୍ଧୁମ କୁଟିବେନି ମତେ ହେମ୍ ଦସ୍ତାରେ ପୂରାଇ ! କହିବେ, କିଣିବୁ ପରା , ଆଇଲୁ ଦେଖି ତୋ ମୁହଁ ଟିକେ ଦେଖେ " ହସି କହିଲେ ନିତୁ । 


 - " କୁଟା ଖାଇବାର ଯଦି ଥାଏ ଦୁହେଁ କୁଟା ଖାଇବା" ଅନୁକମ୍ପା ଦେଖାଇ କହିଲେ ଅମେୟ । ପୁଣି ମିତୁର ବେକ ତଳ ଗୋରା ସୁନ୍ଦର ଶରୀରକୁ ଅନାଇ ହସି କହିଲେ, " ତୁମେ ତ ଚିକଣ ଚହଟ ଗୋରୀ ରସୁଣ, ହେମ୍ ଦସ୍ତା ଭିତରେ ଠିକ ଭାବରେ କୁଟା ହେବ ।" 


 - " ଆଉ ତୁମେ ? " କଟାକ୍ଷ କରି ମିତୁ କହିଲା ।


 - " ହା ହା ହା ..ମୁଁ .... ମୁଁ ଗଣ୍ଠିଆ ଅଦା "


- "ଆହା ରେ ମେରେ ଗଣ୍ଠିଆ ଅଦରକ ! ...ବନ୍ଦରିଆ କି ଜାନେ ଅଦରକ କି ସ୍ୱାଦ !" ଗୋଟିଏ ପ୍ରକାର ଆନନ୍ଦରେ ଏତେକ କଥା ଚିଲ୍ଲେଇ ପକେଇଲା ମିତୁ । ଅମେୟ ବୁଝୁଥିଲା ମିତୁ ଭାଷାର ଭାରସାମ୍ୟ ହରାଇ ମିସେସ ଭଟନାଗରଙ୍କୁ ପରୋକ୍ଷରେ ବନ୍ଦରିଆ କହି ସାରିଥିଲା । ସେ ଏହି ରୋମାଣ୍ଟିକ ମୁଡରେ ବ୍ରେକ ଲଗାଇ ମିତୁକୁ ପଚାରି ବସିଲେ, " ମୁଁ ଜାଣି ପାରେକି, ତୁମେ ଏତେ ଖୁସି କାହିଁକି ?"


 - "ଏକାଠି କୁଟା ହୋଇ ଅଦା ଆଉ ରସୁଣ ଝୋଳ ହେବା - ଏହି ଖୁସିରେ ", ମିତୁ ବଡ଼ ବେପରୱା ଢଙ୍ଗରେ ଜବାଵ ଦେଲା । ସେତେବେଳକୁ ସେ ଅମେୟର ବହୁତ ପାଖକୁ ଲାଗି ଆସିଥିଲା । ତା କାନ୍ଧରୁ ଶାଢ଼ୀ ଖସି ସାରିଥିଲା । ତାପରେ ଅମେୟର ଆଖିରେ ଆଖି ମିଶେଇ ଗମ୍ଭୀର ହୋଇ କହିଲା, "ଜୀବନ ଯେଉଁଠି ଦୁଇଟି ମନକୁ ମିଶିବାକୁ ଦେଉନି ଏମିତି ଦୁର୍ଗତିର କ୍ଷଣ ତ ଅନ୍ତତଃ ମିଶିବାକୁ ଦେବ । " 

     କହିଲା ବେଳେ ମିତୁର କଣ୍ଠ ରୁଦ୍ଧ ହୋଇ ଆସୁଥିଲା । ତା ପ୍ରେମାସକ୍ତ ଆଖି ଲାଲ ଦିଶୁଥିଲା । ଆଉଜିବାକୁ ଉଦ୍ୟତ ହେଉଥିଲା ସେ ଅମେୟର ଛାତିରେ । ଅମେୟ ତାକୁ ଚେତନାର ସମତଳକୁ ଆଣିବାକୁ ଯାଇ ଚାଲୁଥିବା ବାକ୍ୟ ଅଭିନୟରେ ସାମାନ୍ୟ ହାସ୍ୟ ଆଣିବାକୁ ଚେଷ୍ଟା କରି କହିଲା, " ଆଛା ଯେତେବେଳେ ତୁମ ଅଦା ହେମ୍ ଦସ୍ତାରେ କୁଟା ଖାଉଥିବ ତୁମେ ପ୍ରେମିକା ଚିକ୍କଣି ରସୁଣ କଣ କରିବ କହିଲ ?"


 - " ଏଇ ରସୁଣ ଅଦାର ଛାତି ଉପରେ ଜାବୁଡି ହୋଇ ସବୁ ଛେଚା ଖାଇବ ଆଉ କହିବ, ଉନହେ ବଚା ଲୋ ...ମୁଝେ ମାରୋ ... କୋଇ ପଥର ସେ ନା ମାରେ ମେରେ ଦିୱାନେ କୋ "


     ମିତୁ ସ୍ୱରରେ ଗାଇଥିବା ଲଇଲା ମଜନୁ ଫିଲ୍ମର ଏଇ ଗୀତରେ ଉଭୟ ଅମେୟ ଆଉ ମିତୁ ଜୋରରେ ହସିଲେ । ସେତେବେଳକୁ ହାତ ଧରାଧରି ହୋଇ ଗୋଟିଏ ପ୍ରକାର ଝୁଲି ଝୁଲି ନାଚିବାକୁ ଆରମ୍ଭ କରିଦେଇଥିଲେ ଟେଣ୍ଟ ଭିତରେ । ସତକୁ ସତ ଦୁହେଁ ଲଇଲା ମଜନୁ ପାଳଟିବାକୁ ଲାଗିଥିଲେ ମନ୍ଦ ଆଲୋକିତ ଟେଣ୍ଟର କ୍ଷୁଦ୍ର ଦୁନିଆଟିରେ । ଅମେୟ କଥାର ଖିଅ ଆଗକୁ ବଢ଼ାଇ କହିଲା, " ତୁ ଚିକ୍କଣି ରସୁଣ ମାଡ଼ ପଡୁ ପଡୁ ଛିଡ଼କି ବାହାରକୁ ଡେଇଁ ପଳେଇବୁ ଆଉ ମୁଁ ଅଦା ସେଇଠି ପଡି ରହି ସବୁ ଛେଚା କୁଟା ଖାଇବି !"


 - "ଏତେ ଶୀଘ୍ର କେଉଁଠି ଛିଡ଼କି ଯିବି ମ, ଯେ ପର୍ଯ୍ୟନ୍ତ ମୋ ଚୋପା ଛାଡିନି", ଏତକ କହି ଦୁଷ୍ଟାମୀ ଭରା ଆଖି ମାରି ଦେଲା ମିତୁ । ବର୍ତ୍ତମାନ ସେ ଅସମ୍ଭାଳ ଥିଲା । ତା ସଫେଦ ଗୋରା ଦେହରେ ତାର ଟସର ସିଲକ ଶାଢ଼ୀ ରସୁଣରୁ ଅଲଗା ହେବାକୁ ବସିଥିବ ଚୋପା ପରି ଲାଗୁଥିଲା । ଅମେୟ ଟେଣ୍ଟର ଗୋଟିଏ କୋଣରେ ଜଳୁଥିବା ବଡ଼ କ୍ୟାଣ୍ଡଲଟିକୁ ଲିଭାଇବାକୁ ଯାଉ ଯାଉ ମିତୁ ତାକୁ ରୋକି କହିଲା, 

 - ଯାହା କରୁଛ କର, କିନ୍ତୁ ଆଲୁଅ ଜଳିବାକୁ ଦିଅ ଅମେୟ ! ମୁଁ ତୁମ ପରି ଏତେ ବଡ଼ ଆର୍ଟିଷ୍ଟ ନୁହେଁ ଯେ କଳ୍ପନାରେ ସବୁ କିଛି ରଙ୍ଗ ଆଉ ଆକାରର ଅନୁଭବ କରିନେବି ଅନ୍ଧାରରେ । ମୁଁ ତୁମକୁ ତିଳ ତିଳ ଦେଖିବାକୁ ଚାହେଁ ଆଲୁଅରେ।


       ନିଶାର ଅପରାର୍ଦ୍ଧ । ଷ୍ଟୁଡେଣ୍ଟ ମାନଙ୍କ ଟେଣ୍ଟ ଗୁଡିକ କାଦୁଅରେ ଫୁଟି ଥିବା ଛତୁ ପରି ପ୍ରାନ୍ତର ସେ ପଟେ ଜହ୍ନ ଆଲୁଅରେ ଦିଶୁଛନ୍ତି । କାଲି କ୍ୟାମ୍ପ ସାଇଟ ଚେଞ୍ଜ ହେବ । ଦଳର ଚାଳିଶ ଜଣ ଶିକ୍ଷକ, ଛାତ୍ର, ରୋଷେୟା କାଙ୍ଗଡା ଛାଡି ଡ୍ୟାଲହାଉସୀ ଯିବେ । 


ଘଣ୍ଟାଏ ପରେ ......


     ସେପଟକୁ ଅନାଇ ମିତୁ କଣ କିଛି ଭାବୁଥିଲା । ମନରେ ଦୋଷ ଭାବନା - ଅମେୟ ଏୟା ଭାବୁନି ତ ସିଏ ତାଙ୍କୁ କାମଜାଲରେ ଫସାଇଛି ବୋଲି । ଯାହା ହୋଇଗଲା ସବୁ ତ ଅଜାଣତରେ । 


   ଅପର ପକ୍ଷରେ ଅମେୟର ମନ ଧଉଳଧର ପର୍ବତ ପରି ଗମ୍ଭୀର, ନିଶ୍ଚଳ ଥିଲା । ତା ପାଇଁ ଏ ଆକର୍ଷଣ ଆଉ ଉଦ୍ଦୀପନା ସ୍ୱାଭାବିକ ମାନବୀୟ ଘଟଣା ଥିଲା । ସେ ବିଚଳିତ ହେଉ ନ ଥିଲା ମିତୁ ପରି ।


    ବିଛଣାରେ ପଡି ରହି ସେ ମିତୁର ଲଙ୍ଗଳା ପିଠିକୁ ପଛପଟୁ ଦେଖୁଥିଲା । ଟେଣ୍ଟ ପରଦାରେ ଆଣ୍ଠୁ ଉପରେ ଭରା ଦେଇ ନଇଁ ପଡିଥିବା ମିତୁର ନିଷ୍ପ୍ରଭ କଳା ଛାଇକୁ ଦେଖୁଥିଲା । ଲାଗୁଥିଲା - ଛାଇଟି ବି ଯେମିତି ଦୋଷ ଵୋଝେ ମୁଣ୍ଡରେ ଲଦି ବସିଛି । ଏହି ଭାବନା କମ୍ କରିବାକୁ ଅମେୟ ମିତୁକୁ ପାଖକୁ ଆଉଜାଇ ଆଣି ତା ଓଠରେ ଚୁମାଟିଏ ଦେଇ ଦେଲା । 


 - ଆଜି ବୁଝିଗଲ 'ମୀ ଠୁ' କଣ ?" 


ଏବେ ହସିଲା ମିତୁ ।


 - ଇଏ କେଉଁ ମୀ ଠୁ ମ ! ଏଥିରେ ଉତ୍ପୀଡନ କେଉଁଠି ?


 - "ଉତ୍ପୀଡନ ନୁହେଁ ତ ଆଉ କ'ଣ ?"


 - " ହଁ ହଁ, ...ସତରେ ଗୋଟିଏ ମିଠା ଉତ୍ପୀଡନ ଥିଲା ....ଆଉ ତୁମେ ସେଥିରେ ମାହୀର, ଅମେୟ !", କଥା ମିଶାଇ ମିତୁ କହିଲା । 


      ତା ମନରୁ ଦୋଷ ଭାବନା ଅଧିକାଂଶ ଅପସରି ଯାଇଥିଲା, ଅମେୟର ଅପେକ୍ଷାଠୁଁ ଅଧିକ ସୁନ୍ଦର ଏପରି ବ୍ୟବହାରରେ ।


      ଦୁହେଁ ଟେଣ୍ଟ ପଛ ଝରକା ଖୋଲି ଦେଖିବାକୁ ଚେଷ୍ଟା କଲେ ବାହାର ଦୃଶ୍ୟ । ପର୍ବତ ଶିଖରରେ ବରଫ ଉପରେ ଧୂଆଁ ଉଠୁଥିଲା । ଉପତ୍ୟକାରେ ପ୍ରବହମାନ ଥିଲା କାଙ୍ଗଡା ନଦୀ - ଚିରାଚରିତ ରୀତିରେ । 


      ଅମେୟ ମୁହଁ ବୁଲାଇ ଚାହିଁଲା ମିତୁ ଆଡେ । ଆଉ ମିତୁ ତା ଆଡେ। ଅନେକ ସମୟ ପର୍ଯ୍ୟନ୍ତ ଅନାଇ ରହିଲେ ପରସ୍ପରକୁ ଆଖି ମିଶାଇ । ଅମେୟ ଅନାବଶ୍ୟକ ପ୍ରେମାକୁଳ ଜିଜ୍ଞାସା ଦେଖାଇ ପଚାରି ବସିଲା," ମିତୁ, ତମେ ପଚିଶ ତିରିଶ ବର୍ଷ ପରେ ମୋ ବିରୁଦ୍ଧରେ ଏମିତି 'ମୀ ଠୁ' ପରି କିଛି ତଥ୍ୟ ଉନ୍ମୋଚନ କରିବ ନାହିଁ ତ ?" 


 - "... ଇଟ ଡିପେଣ୍ଡସ ", ପାଖ ଟେବୁଲରୁ ଚେରୀଟିଏ ପାଟିକୁ ନେଉ ନେଉ ମିତୁ ହସି କରି କହିଲା ।


 - "ମାନେ ?" ନିଜ ପ୍ରଶ୍ନରେ ଛନ୍ଦି ହୋଇ ଯାଇଥିଲା ଅମେୟ ।


-" ମୁମ୍ବାଇ ଫେରିବା ପୂର୍ବରୁ ବାକି ନଅ ଦିନ ଯେଉଁ କ୍ୟାମ୍ପ ରହିଲା ସେଥିରେ ସୁନା ପିଲା ପରି ଯଦି ମୋର ସବୁ କଥା ମାନି ଯାଅ"


 - "ୟୁ ବୀଚ !", ଏତକ କହି କୋଳାଗ୍ରତ କରିନେଲା ଅମେୟ ମିତୁକୁ ।


   ଏଥର ଅଳ୍ପ ବଳିଥିବା କ୍ୟାଣ୍ଡଲଟିକୁ ଲିଭାଇଲା ଅମେୟ । 


      ଆକାଶର ଗୋଟିଏ କୋଣରେ ତାରା ମାନେ ଲିଭି ସାରିଥିଲେ । ଜହ୍ନ ଗୋଟିଏ ଉଚ୍ଚା ପାହାଡ଼ ପଛେ ଲୁଚି ଯାଇଥିଲା । ହିମାଚଳ ପାର୍ବତ୍ୟ ଇଲାକାର କୋହଲା ରାତିଟି କମ୍ବଳ ଭିତରେ ପଶି ଛୁଇଁବାକୁ ଚେଷ୍ଟା କରୁଥିଲା ଦୁଇଟି ଆତ୍ମାକୁ ।


ପାହାଡ଼ି ମୌସମ ତାହାର ପ୍ରତିଶ୍ରୁତି ଭାଙ୍ଗି ସାରିଥିଲା ।


           


Rate this content
Log in

Similar oriya story from Romance