Ajaya Mahala

Horror Others

1.0  

Ajaya Mahala

Horror Others

ପ୍ରେତିନୀର ବ୍ଲାଉଜ

ପ୍ରେତିନୀର ବ୍ଲାଉଜ

9 mins
296



 ଏ ଗରିବ ଲୋକମାନେ ବଡ଼ ଅଭଦ୍ର ଶୈଳୀରେ ନିଜ କୌତୁହଳ ଦୂର କରନ୍ତି । ଘରେ ପହଁଚିବା ପରେ ମହିଳାଟିର ମଜୁରିଆ ସ୍ୱାମୀ ନିଜ ସ୍ତ୍ରୀକୁ ଏପରି ଦାମିକା ବନାରସୀ ସିଲକ ବ୍ଲାଉଜରେ ଦେଖି ଟିକିଏ ଚିନ୍ତାରେ ପଡି ଯାଇଥିଲା। ନିଜ ସ୍ତ୍ରୀକୁ ଚିଡାଇ କହିଲା, " କେଉଁ ବଡ଼ ବାବୁ ଦେଇ ଦେଲେ ନା କେଉଁଠୁଁ ଚୋରେଇ ଆଣିଲୁ ? " 


"ହକ ଅଢେ଼ଇ ଶହ ଟଙ୍କାରେ କିଣିଛି । ସେ ଓବର ବ୍ରିଜ ତଳ ଲାଲପରୀ ଲେଡିଜ ଟେଲର ପାଖରୁ" 

ମହିଳାଟିର ଉଚ୍ଚ ସ୍ୱରରେ ଜବାଵ ଦେବାଟା ତା ଚରିତ୍ର ପ୍ରତି ସ୍ୱାମୀ ଲଗେଇଥିବା ଅବିଶ୍ୱାସର ଏକମାତ୍ର ଉପାୟ ଥିଲା ।


"ଏ ବ୍ଲାଉଜର ଅସଲ ମାଲିକାଣୀ ମରି ଯାଇନି ତ", ସନ୍ଦେହରେ ହସି କହିଲା ତା ମଜୁରିଆ ସ୍ୱାମୀ ।


" ହେ , ଏମିତି କିଆଁ କହୁଛ ?"


" ଟିକେ ଭାବ, କିଏ କାହିଁ ଏଡ଼େ ସୁନ୍ଦର ବ୍ଲାଉଜ ଅଳ୍ପ ପଇସାରେ ଦେଇଦେବ"


ଗରିବ ମହିଳା ଜଣଙ୍କ ମନରୁ ଖୁସିର ରଙ୍ଗ ଉଡ଼ିଗଲା । ଚେଷ୍ଟା କରି ବି ମନରୁ ଦୂର କରିପାରିଲାନି ସେହି ଅଶୁଭ ଭାବନା- ସେ ଗୋଟିଏ ମୃତ ମହିଳାର ବ୍ଲାଉଜ ପିନ୍ଧିଛି ବୋଲି । ହାୟ ! କଅଣ ହେବ ତାର ଆଉ ତା କ୍ଷୀର ପିଉଥିବା ଛଅ ମାସିଆ ଛୁଆଟିର । ବିଚରା ମହିଳା ଜଣକ ଅସୁସ୍ଥ ହୋଇ ଗଲା ସେଇ ଗୋଟିଏ ଚିନ୍ତାରେ । ତିନି ରାତି ସେଇ ଗୋଟିଏ ପ୍ରକାର ଦୁଃସ୍ବପ୍ନ ଦେଖିଲା - ବଡ଼ କଳା ଚଷମା ପିନ୍ଧି ମହିଳାଟିଏ ତାକୁ ଧମକେଇ କହୁଛି, " ମୋ ବ୍ଲାଉଜ ପିନ୍ଧିଛୁ - କେଡ଼େ ସାହସ ତୋର !"


ଜୀବନ ଅସହ୍ୟ ହୋଇ ଯାଇଥିଲା ଗରିବ ବସ୍ତିରେ ରହୁଥିବା ମହିଳା ଜଣକ ପାଇଁ । ତିନି ଦିନ ପରେ ଜଗା ଟେଲର୍ ପାଖରେ ପହଞ୍ଚି କହିଲା, 

"ଏ ବ୍ଲାଉଜ ଦରକାର ନାହିଁ । ନିଅ ଆଉ କାହାକୁ ବିକି ଦେବ "


" ଆରେ କଅଣ ହେଲା?"


"ନା ମୋ ସ୍ୱାମୀ ପଇସା ଦେଉ ନାହାନ୍ତି "


"ମାତ୍ର ଆଉ ଶହେ ଟଙ୍କା ତ"


"ସେତକ ବି ଦେଉ ନାହାନ୍ତି"


"ହଉ ତତେ ନିଜ ଭଉଣୀ ଭାବି ଦେଉଛି । ସେମିତି ରଖି ନେ"


ଏବେ ମହିଳା ଜଣକ ଜଗା ଆଗରେ ସତ କଥା ଲୁଚାଇବାକୁ ଚାହୁଁ ନ ଥିଲା । ପଚାରିଲା ଜଗାକୁ,

"ସତ କୁହ ଏ ବ୍ଲାଉଜ କାହାର । ଯାହାର ବି ହେଉ ସେ ନିଜେ କାହିଁକି ନେଲେନି "


"ଛାଡ଼ ! ଏତେ କଥା ପଚାର ନା । ତୋ ଦେଢ଼ ଶହ ଟଙ୍କା ନେଇ ଚାଲି ଯାଅ"


"ମତେ ବହୁତ ଡର ଲାଗୁଛି ଏ ବ୍ଲାଉଜ ପିନ୍ଧି । ମୋ ଦେହ ଭଲ ରହୁନି । ଖରାପ ଭାବିବନି, ମୋର କ୍ଷୀର ପିଉଥିବା ଛୋଟ ଛୁଆଟିଏ ଅଛି "


"ତୋ ମୁଣ୍ଡରେ କିଏ ମିଛରେ କିଛି ନା କିଛି ପୂରେଇ ଦେଇଥିବ"


"ଜାଣିନି । ଗଲା ତିନି ଦିନ ଧରି ବଡ଼ କଳା ଚଷମା ପିନ୍ଧା ମ୍ୟାଡ଼ମ କିଏ ସ୍ୱପ୍ନରେ ମତେ ଧମକାଉଛନ୍ତି "


ମହିଳା ଜଣକ ଫେରି ଯିବା ପରେ ଜଗା ଏକୁଟିଆ ବସି ଭାବୁଥିଲା ଏମିତି ଅଲୌକିକ ଘଟଣାର ସତ୍ୟାସତ୍ୟ ବିଷୟରେ ।


ଏଇ କେଇ ଦିନ ତଳେ ମାତ୍ର ବଡ଼ କାଚ ଵାଲା କଳା ଚଷମା ପିନ୍ଧି ମହିଳାଟିଏ ଆସି ଥିଲେ ତା ଦୋକାନକୁ । ହାତରେ ଦାମୀ ବନାରସୀ ସିଲ୍କର ଜରୀ କାମ ହୋଇଥିବା ନବେ ପଏଣ୍ଟ କପଡା । ତା ସହ ଭିତର ଲାଇନିଂ ପାଇଁ ଉଚ୍ଚ କ୍ୱାଲିଟିର ଅସ୍ତର କପଡା । କହୁଥିଲେ, "ତିନି ଦିନ ଭିତରେ କାମ କରିବାକୁ ପଡିବ। ବସନ୍ତ ପଞ୍ଚମୀ ଦିନ ସାହିତ୍ୟ ସଭାକୁ ଯିବାର ଅଛି ।" 


"କରି ଦେବି, ମ୍ୟାଡ଼ମ ! କିନ୍ତୁ ସେହି ଦିନ ସକାଳକୁ ହିଁ ଦେଇ ପାରିବି । "


"ନ କରି ପାରିବୁ ଯଦି ଏବେଠୁଁ କହି ଦେ" 


- " ଦୀର୍ଘ ହାତ । ବେକ ପାଖରେ କଲାର୍ ଅଧ ଆଙ୍ଗୁଳି ଚୌଡା। ପିନ୍ଧିଲେ ଯେମିତି ପଣ୍ଡିତିଆଣି ପରି ଦିଶିବେ - ଏଇୟା ନା? ଏହି ଗଳି ସେପଟେ ରହୁଥିବା ଆମ ମିତା ଭାଉଜ ବି ସାହିତ୍ୟ ସଭାକୁ ଯାଆନ୍ତି।"


"ହଁ, ଠିକ କହିଲୁ । ହାତ କିନ୍ତୁ ଏତେ ଦୀର୍ଘ ନୁହେଁ । କହୁଣୀ ଯାଏଁ କରିବୁ । ଅବାଗିଆ ହେଲେ କପଡା ମୁହଁକୁ ଫୋପାଡ଼ି ଦେବି ।" ମହିଳା ଜଣକ ଏତକ କଥା କଡା କରି କହିଲେ, ଦରଜୀ ତା କାମରେ ହେଳା ନ କରିବ ବୋଲି ବୋଧେ। କଳା ଚଷମା ଯୋଗୁଁ ତାଙ୍କ ମୁହଁର ଭାବ ଠିକ ରୂପେ ପଢି ପାରି ନ ଥିଲା ଜଗା ।


"ଆହା, ମିତା ଭାଉଜ !", କଣ ଭାବି ସିସକି ଉଠିଲା ଜଗା ଟେଲର୍।


ଆଗନ୍ତୁକା ମହିଳାଙ୍କ ଦେହର ମାପ ନେଉ ନେଉ ଜଗା ମନ ଭିତରେ ଶିକ୍ଷିତା ଅଥଚ ଦେବୀ ପରି ସରଳ ଗାଁ ହିସାବରେ ଭାଉଜ ମିତା ଗଡ଼ନାୟକଙ୍କ ବିଷୟରେ ଭାବୁଥିଲା । ଏଇ କଟକ ଷ୍ଟେଟ ବ୍ୟାଙ୍କରେ ଚାକିରୀ କରିଥିବା ତାଙ୍କ ଗାଁର ଶଙ୍କର ଭାଇନାଙ୍କ ସ୍ତ୍ରୀ । ବର୍ତ୍ତମାନ ଚଣ୍ଡିଖୋଲ ଭୈରବାନନ୍ଦ ମହାବିଦ୍ୟାଳୟରେ ଅଧ୍ୟାପିକା । ଭାଇନା ଛାଡି ଦେଇ ଯାଆନ୍ତି ତାଙ୍କ ଦୋକାନରେ ବସ୍ ପାଇଁ ପ୍ରତୀକ୍ଷା କରିବା ପାଇଁ । ସେ ବି ତ ଲେଖା ଲେଖି କରନ୍ତି । ପାଞ୍ଚ ଖଣ୍ଡ ବହି ଲେଖିଛନ୍ତି । ବେଳେବେଳେ କେତେଖଣ୍ଡ ବହି ଏଇଠି ତା ଦୋକାନରେ ରଖି ଦିଅନ୍ତି - କେହି ସାଙ୍ଗ ସାଥି ଆସିଲେ ଦେଇ ଦେବ କହି । ପଢିବାକୁ ଖଣ୍ଡେ ବହି ମାଗିଲେ ହସି କହିବେ, " ତୁମେ ସିଲେଇରେ ମନ ଦିଅ । ଇଏ ତୁମର କିଛି କାମର ନୁହେଁ "


ମିତା ଭାଉଜ ବି ବ୍ଲାଉଜ ସିଲେଇ କରିବାକୁ ଜଗା ପାଖରେ କପଡା ଦିଅନ୍ତି । ସିଲେଇ ଭଲ ନ ହେଲେ ଦୋକାନରେ ଫୋପାଡ଼ି ଦେଇ ଯିବେ ବୋଲି କହିଥାଆନ୍ତି, କିନ୍ତୁ ହସି ହସି । ଥରେ ସତକୁ ସତ ତାଙ୍କ ସିଲେଇ ତାଙ୍କ କହିବା ଅନୁସାରେ ହୋଇ ନ ଥିଲା । ମୁହଁ ଫୁଲେଇ ଥିଲେ ଯାହା । ଜଗା ତାଙ୍କୁ ଚେୟାର ଉପରେ ବସେଇ ରଖିଥିଲା ଅଧ ଘଣ୍ଟାଏ, କୋଲଡ଼ ଡ୍ରିଙ୍କସ ଧରେଇ ଦେଇ । ଗଲା ବେଳେ କୋଲଡ଼ ଡ୍ରିଙ୍କସ ପଇସା ମିଶେଇ ପୂରା ସିଲେଇ ମଜୁରୀ ଦେଇ ଚାଲିଯାଉଥିଲେ ଖୁସି ହୋଇ । ଜଗା ମୁହଁ ଶୁଖେଇଥିଲା । ଗରିବ ହେଲି ବୋଲି କଅଣ ଗାଁ ଭାଉଜଟିଏ କୁ କୋଲଡ଼ ଡ୍ରିଙ୍କସଟିଏ ପେଇବାର ସାମର୍ଥ୍ୟ ନାହିଁ ? କୋକା କୋଲା ତା ତରଫରୁ ଥିଲା କହି ପଇସା ଫେରେଇବାକୁ ହାତ ବଢ଼ାଉ ବଢାଉ "ଆଉ କେବେ ପିଇବି" କହି ଚଟ କରି ଉଠି ଯାଇଥିଲେ ମିତା ଭାଉଜ ।


କିନ୍ତୁ ୟେ କଳା ଚଷମା ଵାଲା ମ୍ୟାଡ଼ମ ନାରୀ ଜାତିର ସେ କରୁଣାସିଞ୍ଚିତ ମୂର୍ତ୍ତି ନ ଥିଲେ । ସିଲେଇ ମଜୁରୀ ବାବଦକୁ କେତେ ପଇସା ପଡିବ - ଯିବା ପୂର୍ବରୁ ଏ ବିଷୟରେ ପଚାରି ନ ଥିଲେ ଏହି ମହିଳା ଜଣକ । ଏମିତି ଗ୍ରାହକ ଭାରି ଭଲ ଲାଗନ୍ତି କାରଣ ଜଗା ମନମୁତାବକ ପଇସା ମାଗିଥାଏ ଶେଷରେ । ପ୍ରଥମରୁ ନ ମୂଲେଇ ନ ଥିବାରୁ ଗ୍ରାହକ ଉଚିତ ମୂଲ୍ୟ ପାଇବାର ଅଧିକାର ହରେଇ ବସିଥାନ୍ତି  । କିନ୍ତୁ ଏହି ମହିଳା ଜଣକ ଟିକେ ଉଗ୍ର ଲାଗୁଥିଲେ । ମୁହଁରୁ ଯାହା ଲାଗୁଥିଲା ଯାହା ମାଗିଲେ ବି ଦେଇଦେବେନି ବିନା ପ୍ରତିରୋଧ କରି । ନିଶ୍ଚୟ ଝଗଡା କରିବେ ପରିଶେଷରେ । ଯାହାହେଉ ନିଜ ପଟରୁ ସିଲେଇ ଦର କହିଦେବା ବୁଦ୍ଧିମାନର କାମ ନୁହେଁ । ଏତେ ଦାମୀ କପଡା ଆଣିଛନ୍ତି ଯେତେବେଳେ ଅଧିକା ପଇସା ମିଳିବ ତାକୁ ନିଶ୍ଚୟ । 


ପାଞ୍ଚ ଦିନ ବିତିଗଲା । ନିଜ କାମରୁ ଫୁରସତ ନ ଥାଏ ଜଗାକୁ । ଗୋଟିଏ ଗ୍ରାହକଙ୍କୁ ତାଙ୍କ ବ୍ଲାଉଜ ସେଦିନର ଖବର କାଗଜରେ ଗୁଡେଇ ଦେଉ ଦେଉ ଜଗାର ଆଖି ପଡ଼ିଲା ଗୋଟିଏ ଖବର ଉପରେ । ସଂଲଗ୍ନ ଫୋଟୋରେ ବହୁତ ଲେଖକ ଲେଖିକା ମଞ୍ଚରେ ବସିଥିଲେ - ବସନ୍ତ ପଞ୍ଚମୀ ଉପଲକ୍ଷେ କେଉଁ ସାହିତ୍ୟ ସଭାର ଚିତ୍ର। ଜଗାର ମନେ ପଡିଗଲା ସେହି ଲେଖିକା ବୋଲି ପରିଚୟ ଦେଇଥିବା ସେହି କଳା ଚଷମା ପିନ୍ଧା ମହିଳାଙ୍କ ବିଷୟରେ - ଯିଏ ବ୍ଲାଉଜ ସିଲେଇ କରିବାକୁ ଦେଇଥିଲେ । 


"ଆରେ ସେ ମ୍ୟାଡ଼ମ ତାଙ୍କ ବ୍ଲାଉଜ ନେବାକୁ ଆସିଥିଲେ କି? ", ଜଗା ସାଥିରେ ରହି ସିଲେଇ ଶିଖୁଥିବା ଚଉଦ ବର୍ଷର ବାଳକ ଟୁକୁନାକୁ ପଚାରିଲା ।


" ନାହିଁ ତ"  


" ଫୋନ ଲଗେଇ ଦେଖିଲୁ ଟିକେ । କହିବୁ ବ୍ଲାଉଜ ରେଡି" 


ଟୁକୁନା ଫୋନ କଲା । 9856729127 । ଫୋନରୁ ଜବାଵ ଆସିଲା: "ଯାଞ୍ଚ କରନ୍ତୁ । ଏହି ନମ୍ବର ଅସ୍ତିତ୍ବରେ ନାହିଁ"


ମହିଳା ଜଣଙ୍କୁ ସମ୍ପର୍କ କରିବାକୁ ଦେଇଥିବା ଫୋନ ନମ୍ବରରେ କେଇ ଦିନ ପର୍ଯ୍ୟନ୍ତ ବହୁତ ଚେଷ୍ଟା କଲା ଜଗା । ବ୍ଲାଉଜର ମୋଟା ମଜୁରୀ ଅଟକି ରହିଛି ଫେବୃୟାରୀ ମାସରୁ । ଏବେ ମେ ମାସ ସରିବାକୁ ବସିଲାଣି । ହେଲେ ଦେବୀଙ୍କର ଦର୍ଶନ ନାହିଁ । ତା ଦୋକାନର ନିୟମ ଅନୁସାରେ ତିନି ମାସରୁ ଅଧିକ ପଡିରହିଥିବା ମାଲକୁ ସେ ବିକିବ । ସମ୍ଭ୍ରାନ୍ତ ଶ୍ରେଣୀର ମହିଳା ମାନଙ୍କୁ ଆଉ କାହା ବ୍ଲାଉଜ ବିକିବା କଥା କହି ହେବନି । ତା ଦୋକାନକୁ ଆସୁଥିବା କିଛି ଚିହ୍ନା ଗ୍ରାହକଙ୍କୁ ସିଏ ବ୍ଲାଉଜଟି ବିକିବା କଥା ବୁଲେଇ ବଙ୍କେଇ କହିଥିଲା ଯାହା। ହେଲେ ବିକି ପାରିଲାନି । ଅନ୍ୟ କାହାଦ୍ୱାରା ଅର୍ଡର ଦିଆ ଯାଇଥିବା ବ୍ଲାଉଜ ପିନ୍ଧିବ ବା କିଏ !


ବ୍ଲାଉଜ ସିଲେଇ କରେଇବାକୁ ସେଦିନ ପାଖ ବସ୍ତିର ଶୀର୍ଣ୍ଣକାୟା ମହିଳାଟିଏ ଆସିଲା । ସେ ତାକୁ ଜାଣିଥିଲା । ତା ଦୋକାନ ଆଗ ଦେଇ ସବୁଦିନ ଯିବାଆସିବା କରେ । ମାଙ୍କଡ଼ ଛୁଆ ପରି ତା ଶୀର୍ଣ୍ଣ ଛାତିକୁ କୁଣ୍ଢେଇ ଧରିଥାଏ କେଇ ମାସର ଛୁଆ ଟିଏ । ଆର ହାତରେ ବ୍ଲାଉଜ ପିସ୍ ଟିଏ । ଜଗା ମହିଳା ଦେହର ମାପ ନେଇ ସାରି କହିଲା ସେ ଆଣିଥିବା ଷାଠିଏ ପଏଣ୍ଟ କନା ତା ପାଇଁ କମ୍ ପଡିବ ବୋଲି । 


" ଆଁ..ମୁଁ କଅଣ କରିବି?" 


ଦୋକାନୀ ଆଉ ତା କପଡା ଫେରସ୍ତ ନେବ କି ନାହିଁ ବଡ଼ ଚିନ୍ତାରେ ପଡି ଯାଇଥିଲା ରମଣୀ ଜଣକ । 

ସେତିକିବେଳେ ଜଗା ତାକୁ ରୋକି ଦେଇ ପଚାରିଲା, "ଗୋଟିଏ ସୁନ୍ଦର ବନାରସୀ ବ୍ଲାଉଜ ଅଛି, ନେବୁ କି ? ଶସ୍ତାରେ ଦେଇ ଦେବି" 


"ଦେଖାଅ ତ", କାଖରୁ ବାରମ୍ବାର ଖସି ଯାଉଥିବା ଛୁଆଟିକୁ କାଖ ଉପରେ ପୁଣି ଚଢେଇ ନେଇ ମହିଳାଟି କହିଲା । 

ଜଗା ବନାରସୀ ସିଲକ୍ ର ବ୍ଲାଉଜଟିକୁ ସାବଧାନୀ ସହ କାଢି ସିଲେଇ ମେସିନ ଉପରେ ରଖିଲା । ଆଖି ଖୋସି ହୋଇଯାଉଥିଲା ମହିଳାଟିର । ସେ କି ଜାଣେ ବନାରସୀ କି ଚିଜ ବୋଲି । କିନ୍ତୁ ନିଶ୍ଚିତ ରୂପରେ ବେଶକିମତୀ ବୋଲି ସେ ଅନୁମାନ କରି ପାରୁଥିଲା ।ଏହା ତାକୁ ଭଲ ମାନିବ । ଏ କପଡା ଆଗରେ ସେ ଆଣିଥିବା ଷାଠିଏ ପଇଣ୍ଟ ନିଅଣ୍ଟିଆ ରୁବିଆ ଭଏଲ ବ୍ଲାଉଜ ପିସ ପାସଙ୍ଗରେ ପଡିବ ନାହିଁ । 


ମାଆନିଜ ଦେହରେ ଲଗେଇ ବ୍ଲାଉଜକୁ ଦେଖିଲା ବେଳେ ତା ରୁଗ୍ଣ ଛୁଆଟି ବି ବ୍ଲାଉଜ ଟାଣି ନେଇ ତା ପାଟିରେ ପୂରେଇବାକୁ ଚେଷ୍ଟା କରୁଥିଲା । ଛୁଆକୁ ଚଟାଣରେ ବସେଇ ଦେଇ ଆଲମାରୀ ପଛରେ ଏହି ବ୍ଲାଉଜକୁ ପିନ୍ଧିନେଲା ମହିଳାଟି । ମୁଣ୍ଡ ଉପର ତଳ କରି ଦେଖିଲା । ତାକୁ ପସନ୍ଦ ହୋଇଗଲା ଏକାଥରକେ ।


ଜଗା ଆଗକୁ ଆସି ପଚାରିଲା, "ଏଥର କୁହ, କେତେ ପଇସା ନେବ?


ଶୀର୍ଣ୍ଣକାୟାର ଦେହରେ ବ୍ଲାଉଜ ଢପ ଢପ ଢିଲା ଦିଶୁଥିଲା । ସାଧା ସୂତା ଶାଢୀ ସାଙ୍ଗକୁ ବନାରସୀ ସିଲକ ବ୍ଲାଉଜ । ଏହି ବୈଷମ୍ୟରେ ଏକ ଅଦ୍ଭୁତ ସୁନ୍ଦରତା ଥିଲା ।

ଗରିବ ରମଣୀ ମୁହଁରେ ଫୁଟି ଉଠିଥିଲା ରାଜରାଣୀର ହସ । ସତରେ କେତେ ଖୁସି ହେଉଥିଲା ସେ। ସେ ଏମିତି ହସଟିଏ ତା ନିଜ ଭଉଣୀ ମୁହଁରେ କେତେ ଦେଖିବାକୁ ଚାହିଁ ନ ଥିଲା ! ଆଜି ସେ ଭଉଣୀ ନାହିଁ । ଛୁଆ ଟିଏ ଜନ୍ମଦେବା ପରେ ସନ୍ନିପାତରେ ମରି ଯାଇଥିଲା ବେଚାରୀ ।


" ତିନି ଶହ, ମୋ ମଜୁରୀ ଆଉ କପଡା ମିଶେଇ" 


"ନାହିଁ ମ ଠିକ କରି କୁହ, କେତେ ଦେବି"


" ଅଢେ଼ଇ ଶହ ଦେଇଦିଅ, ଆଉ କମ୍ କରିବିନି । କପଡା ଏକୁଟିଆ ଆଠଶ ଟଙ୍କା ହେବ"


"ଦେଢ଼ ଶହ ଟଙ୍କା ସପ୍ତାହକ ଭିତରେ ଦେଇ ଜିନିଷ ନେବି ",ଶହେ ଟଙ୍କା ଜଗା ହାତକୁ ବଢ଼େଇ ଦେଇ କହିଲା ମହିଳା ଜଣକ । 


" ଏଇନେ ବ୍ଲାଉଜ ନେଇ ଯାଆ । ଯିବା ଆସିବା ଭିତରେ ପଇସା ଦେଇ ଦେବୁ । ତୋ ପତଳା ଦେହ ହିସାବରେ ଅଣ୍ଟା ପାଖରେ ଦୁଇଟି ଟାଙ୍କ ମାରି ଦେଉଛି "


ମହିଳା ଜଣକ ସେଦିନ ଖୁସିରେ ବ୍ଲାଉଜ ନେଇ ଚାଲି ଯାଇଥିଲା । 


ଆଜି ସେହି ଗରିବ ମହିଳାଟି ବ୍ଲାଉଜ ଫେରେଇବା ପରେ ଜଗା ପ୍ଲାଷ୍ଟିକ ଚେୟାର ଉପରକୁ ଗୋଡ଼ ଉଠେଇନେଇ ପଛକଥା ଭାବୁଥିଲା । ସେହି ବଡ଼ କଳା ଚଷମା ପିନ୍ଧିଥିବା ମହିଳା ଚାରିପଟେ ଘେରି ରହିଥିବା ପ୍ରହେଳିକାକୁ । ଜଗାର ଏତିକି ମାତ୍ର ମନେ ଅଛି, ବ୍ଲାଉଜ କପଡା ଦେଲା ପରେ ସେଦିନ ମହିଳାଟି ତାକୁ ଅପେକ୍ଷା କରିଥିବା ଗୋଟିଏ ବହୁତ ଦାମୀ କାର ଆଡକୁ ଅଗ୍ରସର ହୋଇଥିଲେ । ସେ ଆଡକୁ ବେଶୀ ଲକ୍ଷ୍ୟ ନ ଦେଇ ସେ ତା କାମରେ ଡୁବି ଯାଇଥିଲା ।  


ଜଗା ମନ ଭିତରଟା ସେଦିନ ହଲିଯାଇଥିଲା ଯେମିତି ଟିକେ । ପଛ କେଇ ଦିନରେ ଘଟିଯାଇଥିବା ଘଟଣା ଗୁଡିକରେ ତା ସହ ହେଉଥିବା ଅଘଟଣର କିଛି ଇଙ୍ଗିତ ଏଡ଼େ ସହଜରେ ମିଳୁ ନ ଥିଲା ତାକୁ। ମନର ଦୁର୍ବଳତା ଦେଖି ଅନାବଶ୍ୟକ ଚିନ୍ତା ଗୁଡିକ ମାଡି ପଡୁଥିଲେ ତା ଉପରେ ।


 ସେ ଟୁକୁନାକୁ ଆଜି ଆଉ ଥରେ ମହିଳା ଦେଇଥିବା ନମ୍ବରରେ ଫୋନ କରିବାକୁ କହିଲା । ଫୋନରେ ସେହି ଦୁଇମାସ ତଳର ପୁରୁଣା ଜବାଵ : ଫୋନ ନମ୍ବର ଅସ୍ତିତ୍ବରେ ନାହିଁ ।


ଚାଆ ପିଉ ପିଉ ବିବିଧ ଭାରତୀ ମଝିରେ ପରିବେଷିତ ହେଉଥିବା ନ୍ୟୁଜ ଶୁଣୁଥିଲା । ବସନ୍ତ ପଞ୍ଚମୀ ପୂର୍ବ ରାତ୍ରିରେ ଅଚାନକ ନିଖୋଜ ହୋଇଥିବା ଲେଖିକା ଶୁଭଦର୍ଶିନୀଙ୍କ ଯାଞ୍ଚରେ ପୋଲିସକୁ ମିଳିଛି କିଛି ମହତ୍ତ୍ୱପୂର୍ଣ୍ଣ ଖିଅ । ଜଗା ପାଖରେ ପଡିଥିବା "ସକାଳର ପ୍ରହରୀ"କୁ ଉଠାଇନେଲା । ଟଙ୍କିଖିଆ ଅନାମଧେୟ ଖବର କାଗଜଟିଏ । ବସ୍ତିର ଚିରା ସାର୍ଟ ପିନ୍ଧିଥିବା ଟୋକାଟିଏ ଜବରଦସ୍ତି ପକେଇ ଦେଇଯାଏ ଦୋକାନରେ । ସେଥିରେ ବଡ ବଡ ଅକ୍ଷରରେ ଲେଖାଥିଲା "ବୁଦ୍ଧିଜୀବୀଙ୍କ ରାଜଧାନୀ ହୋଇଗଲା ଦେହଜୀବୀଙ୍କ ରାଜଧାନୀ" । ଶୁଭଦର୍ଶିନୀଙ୍କ ପୂରା ବିବରଣୀ ଆସିଛି । ନିଖୋଜ ହେବା ପୂର୍ବରୁ କଟକ ରାସ୍ତାରେ ଯାଇଥିଲେ - ବୋଧେ ଲଙ୍ଗ ଡ୍ରାଇବରେ । ଆଉ ନିରୁଦ୍ଦିଷ୍ଟାଙ୍କ ଫୋନ ନମ୍ବର ବି ଲେଖା ଅଛି 9856729121 । ଏହି ନମ୍ବରକୁ ତା ଡାଏରିରେ ଥିବା ନମ୍ବର ସହ ମିଳାଇବା ପୂର୍ବରୁ ଥରେ ପଢି ନେଲା ଖବରକାଗଜରେ ଲେଖାଥିବା ଆଉ ସବୁ ତଥ୍ୟକୁ ।


ରାଜନୈତିକ ଦଳ, ଶିଳ୍ପପତି ଆଉ ବିଜନେସ ଟାଇକୁନ ମାନେ କରି ବସିଛନ୍ତି ଟ୍ୟାଲେଣ୍ଟର୍ ସୌଦା - ରାତାରାତି ପ୍ରସିଦ୍ଧି ଦେବାର ପ୍ରତିଶ୍ରୁତି ଦେଇ । ସଙ୍ଗୀତ, ସାହିତ୍ୟ ଓ କଳାର ସୁଦର୍ଶନା ମହିଳାଙ୍କର ଚାହିଦା ବଢି ଯାଇଛି । ବୟସର ସୀଢୀରେ ଚଢି ଯାଇଥିବା ମହିଳାଙ୍କ ମୂଲ୍ୟ ଓହ୍ଲେଇ ଯାଇଛି । ମାତ୍ର କୋଡିଏ ବାଇଶି ବର୍ଷ ପାର ହୋଇଥିବା ଖଣ୍ଡି ଉଡା ଦେଉଥିବା ନୂଆ ପ୍ରଜାପତିଙ୍କ ରିକୃଟମେଣ୍ଟ ଚାଲିଛି "ଯୁବା ପ୍ରତିଭା ଖୋଜ" ଆଳରେ । ପରୋକ୍ଷ ମାଧ୍ୟମ ହୋଇଯାଇଛନ୍ତି ପବ୍ଲିଶିଂ ହାଉସ ଆଉ ବିଉଟି କଂଟେଷ୍ଟର ଆୟୋଜକ ମାନେ । ଗୋଟିଏ କିମ୍ବା ଦୁଇଟି କୁହାଳିଆ ଲେଖକଙ୍କୁ ବି ମିଳିବ ବିଧାନସଭା ଟିକଟ ।


  ଜଗା ଶୁଭଦର୍ଶିନୀଙ୍କ ଖବରକାଗଜରେ ଦିଆ ଯାଇଥିବା ନମ୍ବର ସହ ତା ପାଖରେ ଥିବା ନମ୍ବରକୁ ମିଳାଇଲା । 

"ଓଃ, ରକ୍ଷା !" ଚିତ୍କାର କରି ନିଜ ଚେୟାରରୁ ଉଠିଲା ଜଗା । ଡାଏରୀର ନମ୍ବରରେ ଶେଷ ସଂଖ୍ୟା "1" ଲେଖିବା କାରଣରୁ "7" ପରି ଦିଶୁଥିଲା । ଏବେ ଆଉ ସେ ଟୁକୁନାକୁ ପରିବର୍ତ୍ତିତ ନମ୍ବରରେ ଫୋନ କରିବାକୁ କହିବ ନାହିଁ । ମିଛରେ ପୋଲିସ ଯାଞ୍ଚ ଭିତରେ ସିଏ ଆସିଯିବ । 

ଜଗାର ମନ ସଂଶୟରେ ଭରି ଯାଇଥିଲା । ତା ପରି ଛୋଟ ମଣିଷ ଏ ସବୁ ନେଇ ନୀରବ ରହିବା ଉଚିତ । ଡାଏରୀରେ ଲେଖା ଯାଇଥିବା ନମ୍ବରକୁ ବଲ ପେନରେ ଗାରେଇ କାଟି ପକେଇଲା - ନିଶ୍ଚିହ୍ନ ହେବା ପର୍ଯ୍ୟନ୍ତ ।


ସେଦିନ ଜଗା ଦରଜୀ ଛୁଞ୍ଚିରେ ସୂତା ପୂରେଇଲା ବେଳେ କିଏ ଯେମିତି ସୂତା ଟାଣି ବାହାର କରି ଦେଉଥିଲା ଛୁଞ୍ଚି ଆଖିରୁ । ଏମିତି ବାରମ୍ବାର ହେଉଥିଲା। ଥରେ ସୂତା ସଫଳତା ସହ ପୂରେଇ ସାରି ମେଜ ଉପରେ ରଖି ଅଧା କଟା କମିଜ ଥାକରୁ ଆଣିବାକୁ ଗଲା । କିନ୍ତୁ ଫେରି ଆସି ଦେଖେ ତ ସୂତା ପୁଣି କିଏ ବାହାର କରି ଦେଇଛି । ପଙ୍ଖାରେ ଉଡି ସୂତା ବାହାରି ଯାଇଥିବ ବୋଲି ବିଶ୍ଵାସ ହେଲାନି ।


ଜଗା ଏବେ ଖୁସିମନରେ କାମ କରି ପାରୁ ନ ଥିଲା ।ପ୍ରତିଦିନ ପରି ଦୋକାନ ଖୋଲିବା ପରେ ସଙ୍ଗୀତ ଶୁଣିବା ପାଇଁ ଆକାଶବାଣୀ ବିବିଧ ଭାରତୀ ଚାଲୁ କରୁ ନ ଥିଲା । ଆଉ ଦିନେ ସେ ବଡ଼ ବ୍ୟସ୍ତ ହୋଇଗଲା ଗୋଟିଏ କଥା ନେଇ । ତା କପଡା କଟା କଇଁଚିକୁ ଖୋଜି ଖୋଜି ପାଇଲାନି ତା ଜାଗାରେ । କଟା କଟିରୁ ବାହାରି ଥିବା କପଡା ଟୁକୁଡ଼ା ଭିତରେ ମିଳିଲା । କିଏ ଯେମିତି ତାକୁ ଲୁଚେଇ ରଖିଥିଲା ସେଠି । ଟୁକୁନା ଏପରି ଚଗଲାମୀ କେବେ ବି କରି ପାରିବନି । 


 ଏଥର ତାକୁ ଲାଗୁଥିଲା, କୌଣସି ଅଶୁଭ ଆତ୍ମାର ବିଚରଣ ତା ସିଲେଇ ଘର ଟୁଙ୍ଗି ଭିତରେ ହେଉଛି ଯେମିତି । ଏହା ତା ମନର ଭ୍ରମ ବି ହୋଇପାରେ । ତାକୁ ଛାତି ପଥର କରିବାକୁ ହେବ ।


ଶେଷ ଜ୍ୟେଷ୍ଠର ନିଶୂନ ଦିପହର । କାଁ ଭାଁ ଗାଡି ଚାଲୁଥିଲେ । ମହାନଦୀ ପୋଲର ବାଡ଼କୁ ଲାଗି ଠିଆ ହୋଇଥିଲା ଜଗା । ସ୍କୁଟିର ସିଟ ତଳୁ ବନାରସୀ ସିଲକ ବ୍ଲାଉଜଟିକୁ କାଢି କିଛି ସମୟ ଛିଡା ହେଲା ବିନୟାବନତ ମୁଦ୍ରାରେ । ତାପରେ ତାକୁ ପୋଲ ତଳର ଜଳଧାରା ଆଡ଼କୁ ପକେଇ ଦେଲା ବିସର୍ଜିତ କରିବା ଉଦ୍ଦେଶ୍ୟରେ ।


ଦେଖୁଁ ଦେଖୁଁ ବାଲି ଝଡର ଆବର୍ତ୍ତ କେଉଁଠୁଁ ଆସି ପୋଲ ତଳକୁ ଖସି ପଡୁଥିବା ବ୍ଲାଉଜକୁ ଉଡେଇ ନେଲା ..ଦୂରକୁ ..ଆହୁରି ଦୂରକୁ ..ପଟୁ ମାଟିରେ ନିର୍ମିତ କେଇ ମିଟରର ନଦୀ ଟାପୁ ଆଡେ । ଶେଷରେ ନଈ ବାଲିକୁ ଝୁକି ଆସିଥିବା ଗୋଟିଏ ଥୁଣ୍ଟା ପଳାଶ ଗଛ ଡାଳରେ ଲାଗି ଅଟକି ଗଲା ...କିଛି କ୍ଷଣ ପାଇଁ । 


ଆଉ ସେ ଆଡକୁ ବେଶୀ ନ ଅନେଇ ନିଜ ସ୍କୁଟିକୁ ଷ୍ଟାର୍ଟ କରି ଜଗା ଏକ ମୁହାଁ ଚାଲିଲା କଟକ ସହର ଆଡେ ।  



Rate this content
Log in

Similar oriya story from Horror