Ajaya Mahala

Romance Tragedy

3  

Ajaya Mahala

Romance Tragedy

ନିଶୂନ ରାତିର ଅନ୍ତାକ୍ଷରୀ

ନିଶୂନ ରାତିର ଅନ୍ତାକ୍ଷରୀ

8 mins
297


ନିଶୂନ ରାତିର ଅନ୍ତାକ୍ଷରୀ


   ଏ ଖରାଦିନର ରାତିଗୁଡିକ ଏତେ ସୁନ୍ଦର ଲାଗି ନ ଥାନ୍ତା ଯଦି ଗ୍ରୀଷ୍ମ ଛୁଟି ଗୁଡିକ ଲମ୍ବା ହୋଇ ନ ଥାନ୍ତା,  ଆକାଶରେ ଜହ୍ନ ନ ଥାନ୍ତା ଆଉ କେଶରବାଗର ଏହି ବଡ଼ କୋଠାଟି ଉପରେ ପୁଅ ଝିଅ ମାନଙ୍କର ଅଧରାତି ଯାଏଁ ସଙ୍ଗୀତର ଅନ୍ତାକ୍ଷରୀ ହେଉ ନ ଥାନ୍ତା । 


  "ମନୋରମା ଭବନ" ନାମକ ବିରାଟ କୋଠାଟିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଗୋଟିଏ ପଟ ଆମ ଭଡାଟିଆ ମାନଙ୍କ ପାଇଁ । ଅନ୍ୟ ପଟଟି ଘର ମାଲିକଙ୍କର ବଡ଼ ପରିବାର । 


     ଛାତ ମଝିରେ ମାତ୍ର ଦୁଇ ଫୁଟ ଉଚ୍ଚା କାନ୍ଥ ଟିଏ । ପୁଅଙ୍କୁ ଝିଅ ମାନଙ୍କ ଠାରୁ ଅଲଗା କରିବାକୁ ସେଇ କାନ୍ଥଟି ଗୋଟେ ଭୌତିକ ବାଧା । ଏହା ଦୁଇ ଅନ୍ତାକ୍ଷରୀ ଟିମ ମଧ୍ୟରେ ବିଭାଜକ ରେଖା ବି । ଏପଟେ ମନୀନ୍ଦ୍ର ଆଉ ତାର ଦୁଇ ସାଙ୍ଗ । ମନୀନ୍ଦ୍ରକୁ ଛାଡି ଦେଲେ ତାର ଅନ୍ୟ ଦୁଇ ସାଙ୍ଗ ବଡ଼ ଲାଜକୁଳା । ଝିଅଙ୍କୁ ମୁଣ୍ଡ ଉଠାଇ ଦେଖି ପାରିବେ ନାହିଁ । କିନ୍ତୁ ଗୀତ ଗାଇବାରେ ବେଶ ସହଯୋଗ ଦିଅନ୍ତି । 


     କାନ୍ଥ ସେପଟ ଟିମରେ ଛୋଟ ବଡ଼ ମିଶାଇ ସାତଟି ଝିଅ । ସବୁଠୁଁ ବଡ଼ କଲେଜରେ ପଢ଼ୁଥିବା ମନୀଷା । ସେ ଅନ୍ତାକ୍ଷରୀ ଟିମର ଲିଡର୍ ବି । ତା ପାଖରେ ନୂଆ ପୁରୁଣା ସବୁ ହିନ୍ଦୀ ଚଳଚ୍ଚିତ୍ରର ଗୀତର ଭଣ୍ଡାର । କୌଣସି ଟିମ ତାକୁ ଛାଡି ରହି ପାରିବ ନାହିଁ ।ସିଏ ଏକୁଟିଆ ମଙ୍ଗ ସମ୍ଭାଳି ଦିଏ । ତା ଛଡା ସେ ପଟେ ମନୀଷା ପାଳିଥିବା ବିରାଟ ଜର୍ମାନ ସେଫର୍ଡ କୁକୁର ବି । ତାର ଅନ୍ତାକ୍ଷରୀ ସହିତ କିଛି ନେବା ଦେବା ନାହିଁ । ଅନ୍ଧାରରେ ଏ କୋଣ ସେ କୋଣ ଦୌଡୁଥାଏ ଛାତ ଉପରେ । ହିମାଳୟ ଭାରତ ବର୍ଷକୁ ଶତ୍ରୁଙ୍କ ଦାଉରୁ ରକ୍ଷା କଲା ପରି ମଝିରେ ଥିବା ଦୁଇ ଫୁଟିଆ କାନ୍ଥଟି ମନୀନ୍ଦ୍ର ଆଉ ତାର ଦୁଇ ସାଥୀଙ୍କୁ ଦୁର୍ଦ୍ଦାନ୍ତ କୁକୁର ଠାରୁ ପ୍ରାକୃତିକ ସୁରକ୍ଷା ଦିଏ ମାତ୍ର ।


     ଖରାଦିନର ତାତିଥିବା ଛାତକୁ ଥଣ୍ଡା କରିବା ପାଇଁ ପିଲାମାନେ ସଞ୍ଜ ଆଗରୁ ପାଣି ଢାଳି ଦିଅନ୍ତି । ଛାତ ଉପରେ ରଖା ଯାଇଥିବା ବିଛଣାକୁ ସେଇଠି ପାରି ଦିଆଯାଏ । ତା ପରେ ଆକାଶକୁ ଚାହିଁ ରହନ୍ତି କାନ୍ଥ ଦୁଇ ପଟର ପ୍ରତିଯୋଗୀ ଟିମ। ଆଖି ଦେଖେ ଆକାଶରେ ଟିମ ଟିମ କରୁଥିବା ହଜାର ତାରାଙ୍କୁ। ମନ ଭିତରେ ଘୁରି ବୁଲେ ଅନ୍ତାକ୍ଷରୀରେ ଆଗକୁ ଆସୁଥିବା ଗୀତର ମୂଳ ଧାଡିର ମୂଳ ଶବ୍ଦ 


     ଅନେକ ଭାବି ନେଇଥିଲେ, ମନୀନ୍ଦ୍ର ଆଉ ମନୀଷା ଭିତରେ ପ୍ରେମ ହୋଇ ସାରିଛି ବୋଲି । ମନୀଷାର ଘର ବାଲାଙ୍କୁ ଏତେ ଆପତ୍ତି ନ ଥିଲା। ମନୀନ୍ଦ୍ର ଭଲ ଘରର ପିଲା ପରି ଲାଗେ । ସ୍ଥାନୀୟ ବ୍ୟାଙ୍କରେ କ୍ୟାଶିଅର ପଦରେ ଚାକିରୀ କରେ। ତାକୁ ବାହା ହେଲେ ଝିଅର ଦେହରେ ଧୂଳି ମଳି ଲାଗିବ ନାହିଁ । ଠିକ ସମୟରେ ଘର ଭଡା ନ ଦେଲେ ବି ମନୀନ୍ଦ୍ରକୁ କେହି ଟାଣ କରି କହନ୍ତିନି । ସେମାନେ ଏହା ଅନୁଭବ କରାଇ ସାରିଛନ୍ତି, ମନୀନ୍ଦ୍ର ଘରର ଗୋଟିଏ ସଦସ୍ୟ ଯେପରି । ପୂଜା ପର୍ବ ହେଲେ ଥାଳି ଭର୍ତ୍ତି କରି ପ୍ରସାଦ ପଠାନ୍ତି । ମନୀନ୍ଦ୍ର ନାଆଁରେ ତା ସାଂଗ ଦୁଇଟି ଙ୍କୁ ବେଶ ସୁସ୍ୱାଦୁ ପଦାର୍ଥ ଖାଇବାକୁ ମିଳେ । 


      ମାଲିକଙ୍କ ଏତେ ବଡ଼ ଘରରେ ମନୀନ୍ଦ୍ର ସମସ୍ତଙ୍କ ମନ ଜିଣି ସାରିଲା ସିନା, କେବଳ ଦୁଇ ଜଣ ରହିଗଲେ । ପ୍ରଥମ ଜଣକ ହେଲା ଜର୍ମାନ ସେଫେର୍ଡ କୁକୁରଟି । ତାକୁ ବହୁଥର ଘର ଭିତରକୁ ଡାକି ଆଣି ହର୍ଲିକ୍ସ ଆଉ ବୋର୍ଣଭିଟା ପାଉଡର ଚାଟି ଖାଇବାକୁ ଦେଇଛି । କିନ୍ତୁ ତା ରଡ ନିଆଁ ପରି ଦକ ଦକ କରୁଥିବା ଆଖିରେ ସେ କେବେ ଆନୁଗତ୍ୟ ସ୍ଵୀକାର କରିଥିବା ପରି ଲାଗେନା । 

 

    ଆର ଜଣକ ହେଲେ, ମନୀଷାର ସାନ ଭାଉଜ ଚନ୍ଦ୍ରା । ବୟସ ହିସାବରେ ମନୀଷାଠୁଁ ବେଶୀ ବଡ଼ ହେବେନି । ନିଶ୍ଚିତ ରୂପରେ ମନୀଷାଠାରୁ ଅନେକ ସୁନ୍ଦର । ଛାତ ଉପରେ ଯେଉଁଠି ବସି ପୁଅ ମାନେ ଅନ୍ତାକ୍ଷରୀ ଖେଳୁଥିଲେ, ସେହି ପଟ ଛାତରୁ ତଳ ବଖରାରେ ଥିବା ରୋଷେଇଘର ଗୁଡିକ ସ୍ପଷ୍ଟ ଦିଶେ ।

ଟିକେ ଦୂରରେ ରୋଷେଇ କରୁଥିବା ସେହି ସାନ ଭାଉଜ । ଝାଳରେ ବୁଡି ଏକୁଟିଆ ରୁଟି କରୁଥିବା ମହିଳା । ବଡ଼ ଭାଉଜ ମାନେ କିମ୍ବା ଅନ୍ୟ କେହି ତାଙ୍କୁ କାମରେ ସାହାଯ୍ୟ କରି ଥିବାର ମନୀନ୍ଦ୍ର କେବେ ଦେଖିନି । ନଣନ୍ଦ ମନୀଷା ବି 

 ଖଣ୍ଡେ ରୁଟି ଖାଇ କ୍ଷୀର ଟିକେ ପିଇ ସିଧା ଛାତ ଉପରକୁ ଦଉଡି ଆସେ । ସେ ନିଜ ମର୍ଜି ଆଉ ଖିଆଲରେ ଉଡୁଥିବା ପରୀଟିଏ, କେବେ ସଚେତନ ନୁହେଁ ଯେ ତାର ଜଣେ ଭାଉଜ ସେହି ଯୁଗ୍ମ ପରିବାରରେ ସବୁଠୁଁ ଛୋଟ ହେବାର ଦଣ୍ଡ ନିତି ନିତି ଭୋଗ କରନ୍ତି ।


    ଭାଉଜ ଚନ୍ଦ୍ରା ଦୂରରୁ ମନୀଷା ର ବ୍ୟବହାର ଲକ୍ଷ୍ୟ କରେ । ସେ ବହିଭିତରେ ଲୁଚାଇ କାହାର ଫୋଟୋ ଦେଖେ । ଆଉ ପ୍ରାୟ ପ୍ରତିଦିନ ଗାଧୋଉ ଥିଲା ଗୀତ ଗାଇ ଗାଇ । ମନୀନ୍ଦ୍ର ଅଫିସ ଯିବାକୁ ବାହାରିବା ବେଳେ ପ୍ରତିଦିନ ସଜବାଜ ହୋଇ ଝରକା ପାଖରେ ଠିଆ ହୋଇ ଯାଏ। ସେ ଦେଖି ଆନନ୍ଦିତ ହୁଏ ବି ନଣନ୍ଦର ଏହି ସ୍ୱପ୍ନରେ ସଦା ବୁଡି ରହିବା ଭାବକୁ ।ଭଲ ପାଇବାର ପ୍ରଥମ ରଙ୍ଗ କେତେ କଞ୍ଚା ଆଉ ନିରୀହ !


  କିନ୍ତୁ ଏହି ଦେଖିବା ଭିତରେ ଚନ୍ଦ୍ରା ବି କେଉଁଦିନ ମନୀଷାର ଭୂମିକାରେ ନିଜକୁ ରଖି ଦେଖିବାକୁ ଆରମ୍ଭ କରି ଦେଇଥିଲା ମନୀନ୍ଦ୍ରକୁ....। ଏହାର ମାନେ କିଛି ନାହିଁ ।


   ସେଦିନ ସଂଜରେ ମନୀନ୍ଦ୍ର ଝିଅ ମାନଙ୍କୁ ଆଣି ଦେଇଥିଲା ରଙ୍ଗ ବେରଙ୍ଗୀ ଛୋଟ ରୁମାଲରୁ କେଇ ଡ଼ଜ଼ନ । ସମସ୍ତେ ସେଗୁଡିକୁ ଲୁଚାଇ ନେଉଥିଲେ ନିଜ ଛୋଟ ଛୋଟ ପେଡି ବକ୍ସରେ । ଏମିତି ନୂଆ ନୂଆ ଜିନିଷ ଆଣି ଦିଏ ମନୀନ୍ଦ୍ର । 


   ଦିନବେଳେ ସମସ୍ତଙ୍କ ପାଲଟା ଯାଇଥିବା ଲୁଗା ଧୂଆ ମେସିନରେ ଧୋଇ ସେ ସବୁ ଶୁଖିଲା ପରେ ଛାତ ଉପରୁ ଗୋଟାଉ ଥିଲା ବୋହୂ ଚନ୍ଦ୍ରା । ମନୀନ୍ଦ୍ର ଅନ୍ୟ ମାନଙ୍କୁ ରଙ୍ଗୀନ ରୁମାଲ ବାଣ୍ଟିଲା ବେଳେ

ସେ ଭାବୁଥିଲା, - ହାୟ ! ମତେ କିଛି ବି ଦେବାକୁ ଏଠି କେହି ନାହିଁ । ଚକୋଲେଟ ଟିଏ ବି "


   ଏଇ ଟିକିଏ ପରେ ସବୁଦିନ ପରି ରାତି ମାଡି ଆସିବ । ସେ ପଇଁଚାଳିଶ ପଟ ରୁଟି ବେଲିବ । ଘରର ସମସ୍ତ ସଦସ୍ୟ ଆଉ କୁକୁରଟି ପାଇଁ । ତା ପରେ ଗଦା ହୋଇଯିବ ଵୋଝେ ବାସନ ।

କେହି ହାତ ବାଣ୍ଟିବାକୁ ନ ଥିବେ ।  ନଣନ୍ଦ ପାଠ ପଢୁଆ ଯେ ରୋଷେଇ ଘରକୁ ଆସିଲେ ବି ନିଜେ ପାଣି ଆଣି ପିଇପାରେନା । ସେତକ ବି ମାଗି ବସେ ଭାଉଜକୁ । 


   ସବୁଠୁଁ ଶେଷରେ ଯଦି କେଉଁଠୁ ବୁଲିବାଲି ନିଜ ମଦୁଆ ପତି ରାଜେଶ ଆସି ପହଞ୍ଚିବ ତା କାମ ଆହୁରି ବଢ଼ି ଯିବ । ସେ ମାଗି ବସିବ ତା ମନ ପସନ୍ଦର ଖାଇବା । ପରାଠା ଠାରୁ ଆରମ୍ଭ କରି ଅଣ୍ଡା ଆମଲେଟ ।


   ସେଦିନ ଚନ୍ଦ୍ରା ଆସିଥିଲେ ଛାତ ଉପରକୁ ଲୁଗା ଗୋଟେଇ । ପାରାପେଟ ଉପରେ କଅଣ ଗୋଟେ ଲକ୍ଷ୍ୟ କରି ବ୍ୟସ୍ତ ହୋଇ ପଡୁଥିଲେ । ତାଙ୍କର ନୂଆ ବ୍ରେସିୟର ଉଡିଯାଇ ପାରାପେଟ ଉପରେ ପଡିଥିଲା । ଆଉ ଗୋଟିଏ ଝୁଙ୍କା ପବନ ଆସିଲେ ସିଧା ଯାଇ ପଡିବ ତଳେ ବହୁଥିବା ନର୍ଦ୍ଦମା ଭିତରେ । 


   ମନୀନ୍ଦ୍ର ସିଡିଘର କାନ୍ଥ କଡର ଛାଇରେ ଉପନ୍ୟାସଟିଏ ପଢୁ ପଢୁ ଚନ୍ଦ୍ରାର ବ୍ୟସ୍ତତା ଦେଖି ପାରିଲା। ସେ ଚଟକିନା ଛାତ ଦାଢ଼ରେ ଓହ୍ଲେଇ ଯାଇ ପାରାପେଟରେ ପହଞ୍ଚି ଗଲା । 


     ଏବେ ବୌଦ୍ଧିକ ନିର୍ଣ୍ଣୟ ନେବାର ବେଳ । ସେ ବ୍ରେସିୟରକୁ ହାତରେ ଛୁଇଁବ କି ନାହିଁ । ସମୟ ନଷ୍ଟ ନ କରି ସେ ତାହା ଉଠାଇ ନେଲା । ମୁହଁରେ ଏପରି ଭାବ ଫୁଟାଇ ରଖି ଥିଲା ଯେମିତି ବ୍ରେସିୟର ତା ପାଇଁ ଗାମୁଛା ବା ତକିଆ ଖୋଳ ପରି ସାଧାରଣ କପଡା ଟିଏ ଥିଲା ମାତ୍ର।


   ମନୀନ୍ଦ୍ର ପାରାପେଟରୁ ଛାତ ଉପରକୁ ଚଢ଼ୁ ଚଢ଼ୁ ହସି କହୁଥିଲା, "ଏପରି ମୋ ଯୋଗ୍ୟ କୌଣସି କାମ ଥିଲେ ମତେ ନିଶ୍ଚୟ ମନେ ପକେଇବେ । ନ ହେଲେ ଏ ହନୁମାନ କେଉଁ ସେବାରେ ଲାଗିବ?"


 - " ଏ ଘରେ ସମସ୍ତେ ତୁମକୁ ଭଲ ପାଆନ୍ତି ।ତୁମେ କିନ୍ତୁ ଭୁଲି ଯାଉଛ ଏ ଘରେ ଆଉ କିଏ ବି ଜଣେ ଅଛି ବୋଲି ", ଟିକିଏ ଅଭିମାନ ଭରା କଣ୍ଠରେ କହିଲା ଚନ୍ଦ୍ରା । ତା ପରେ ହସିହସି ଛାତ ଉପରୁ ଓହ୍ଲେଇ ଗଲା ଘର ଆଡ଼କୁ ।


  ମେ ମାସର ଆଉ ଗୋଟେ ରାତି ।


ଚନ୍ଦ୍ରା ଆଜି ବଡ଼ ଫୂର୍ତ୍ତି ସହକାରେ ରୁଟି କରୁଥିଲା । ରୁଟି ଚିମୁଟାରେ ପଲଟାଉ ପଲଟାଉ ଥରେ ଚାହିଁ ଦେଇଥିଲା ଅନ୍ଧାରୁଆ ଛାତ ଆଡେ । ଜାଣିଥିଲା ସେଠି ମନୀନ୍ଦ୍ର ତାକୁ ବସି ଚାହିଁଥିବ ।


    ଆଜି ଅଠର ପଟ ରୁଟି । ପାଞ୍ଚ ଜଣ ଖାଇବେନି । ଶାଶୁ ଶଶୁର ବି କୁଣିଆ ଘର ବୁଲି ଯାଇଛନ୍ତି । କାମ ସବୁ ସାରି ଦେଇ ଆସିଥିଲା ଯୋଗ ଦେବାକୁ ଛୁଆଙ୍କ ଅନ୍ତାକ୍ଷରୀରେ ।


     ସେଦିନ ଅନ୍ତାକ୍ଷରୀ ଖେଳି ସାରି ସମସ୍ତେ ଶୋଇ ଯାଇଥିଲେ । ଯଦି କେଉଁ ଦୁଇ ଜଣଙ୍କ ଆଖିରେ ନିଦ ଆସୁ ନ ଥିଲା, ତାହେଲେ ସେମାନେ ଥିଲେ ମନୀନ୍ଦ୍ର ଆଉ ଚନ୍ଦ୍ରା ।


    ରାତି ଅଧରେ ମନୀନ୍ଦ୍ରର ନିଦ ଚାଉଁକିନା ଭାଙ୍ଗି ଗଲା, ଯେମିତି କାହାର ସ୍ପର୍ଶରେ । ଖରକା ସେପଟେ କିଏ ? ସେ ସବୁ ବୁଝିଗଲା । ବାହାରକୁ ଯାଇ ଧରି ପକାଇଲା ଛାୟାର ହାତକୁ । ଦୁଇଟି ଛାୟା ମିଶିଗଲେ ପରସ୍ପର ସହ । ପଛ ପଟେ ରାତିର ଆକାଶ ଥିଲା। 


   ବିଦାୟ ବେଳେ କଥା ହେଲା, ପଙ୍ଖା ନ ଥିବା ଘରେ ଶୋଇ ରହିବ ସେ । କଥା ଦେଲା, କାଲି ରାତିରେ ବାଟ ଚାହିଁ କବାଟ ଖୋଲା ରଖିବ ସେ ।


    ସେତିକିରେ ଚନ୍ଦ୍ରା ଗଡ଼ ଜିତି ଯାଇଥିଲା । ଯେମିତି କାହାର ପ୍ରେମ ପାଇବା ଯେତେ କଷ୍ଟକର ଭାବି ଥିଲା ସେତିକି ନୁହେଁ । ଅନ୍ଧାରରେ ହଜିଗଲା ଚନ୍ଦ୍ରା । କାଲି ସେ ପ୍ରଥମ ଥର ପାଇଁ ସୂର୍ଯ୍ୟୋଦୟକୁ ନୂଆ ରଙ୍ଗରେ ଦେଖିବ ।


     ଦିନ ବିତିଗଲା । ମେ ମାସ ସରିବାକୁ ବସିଥିଲା । ଗ୍ରୀଷ୍ମ ଧରଣୀର ରସ ଲୁଟି ଲୁଟି ତାକୁ ଶୀର୍ଣ୍ଣ କରି ସାରିଥିଲା । ତା ସହ ପଲ୍ଲବିତ କରିଥିଲା କେଇଟି ଜୀବନକୁ । ଯେମିତି ଚନ୍ଦ୍ରା ଭାଉଜର ଜୀବନ ଆଉ ମନୀନ୍ଦ୍ରର । ଆଉ ରହିଲେ ମନୀନ୍ଦ୍ରର ନାଲାୟକ ସାଙ୍ଗ ଦୁଇ ଜଣ । ସେ ଦୁହିଁଙ୍କୁ ଆଗଠାରୁ ଆହୁରି ଭଲ ନାସ୍ତା ଖାଇବାକୁ ମିଳୁଥିଲା ।


    ଜୀବନ ଚକ୍ର ବୁଲି ଯାଇଥିଲା ।ମନୋରମା ଭବନରେ କ୍ରନ୍ଦନର ଅବସର ଆସିଲା । ମଦ ପିଇ ମୋଟର ସାଇକେଲ ଚଳାଉଥିବା ଚନ୍ଦ୍ରାର ଯୁବକ ପତି ଗୋଟିଏ ଟ୍ୟାଙ୍କର ସହ ପିଟି ହୋଇ ଯାଇଥିଲେ । ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।


    ପର ଦିନ ସବୁ ଲୋକ ଗୃହପ୍ରାଙ୍ଗଣରେ ବସିଥିଲେ । ଚନ୍ଦ୍ରା ବି ବସିଥିଲା ଧଳା ଶାଢ଼ୀଟିଏ ପିନ୍ଧି, ମୁହଁ ଅବନତ କରି । ମନୀନ୍ଦ୍ର ତାକୁ ମଝିରେ ମଝିରେ ଚାହୁଁ ଥିଲା, ସୁଯୋଗ ପାଇ ସମବେଦନାର ଚାହାଣୀଟିଏ ଦେବାକୁ । ଚନ୍ଦ୍ରାର ସେହି ଅବନତ ବସିବା ଭଙ୍ଗୀରେ କୌଣସି ପରିବର୍ତ୍ତନ ନ ଥିଲା।


   ଫ୍ରିଜ଼ ଖୋଲୁ ଖୋଲୁ ଅଣ୍ଡା ରଖା ଯିବା ଜାଗାରେ ମନୀନ୍ଦ୍ରକୁ ମିଳିଲା ଚିଠିଟିଏ ।


"ଯଦି ମତେ ଭଲ ପାଉଥିବ, ମୋର ଗୋଟିଏ ଅନୁରୋଧ ରଖିବ । ଏବେ ତୁମେ ମନୀଷାକୁ ବହୁତ ଭଲପାଇବ ପ୍ଲିଜ଼ ।" 


   ମନୀନ୍ଦ୍ର ବୁଝି ପାରିଲାନି ଚିଠି ସେଠି ପହଁଚିଲା କେମିତି । କଥାକୁ ମନ ଭିତରେ ଦବେଇ ଚିଠିଟିକୁ ଲୁଚାଇ ରଖିଲା ପ୍ୟାଣ୍ଟ ପକେଟରେ। ସେ ଏହାକୁ ଚିରି ପାରିବ ନାହିଁ ।


    ସେଦିନ ରାତିରେ ଯେତେବେଳେ ଛାତ ଉପରେ ମନୀନ୍ଦ୍ରର ମନୀଷା ସହ ଦେଖା ହେଲା, ମନୀଷା ପ୍ରଶ୍ନ କରିଥିଲା , "ତୁମେ ଗୋଟେ ବିଧବାକୁ ବିବାହ କରି ପାରିବ, ମନୀନ୍ଦ୍ର !"


 - "କାହିଁକି ?"


 -"ନା, ମୋ ରାଜେଶ ଭାଇ ତ ମରିଗଲା । ଜାଣିନି, ଚନ୍ଦ୍ରା ଭାଉଜ ଲାଗି ବହୁତ ଦୁଃଖ ମୋର । "


 -"ଏଇ ଦେଖ",ଏତକ କହି ମନୀନ୍ଦ୍ର ଫ୍ରିଜ଼ରେ ମିଳିଥିବା ଚିଠିଟିକୁ ବଢ଼େଇ ଦେବାକୁ ଚେଷ୍ଟା କଲା ମନୀଷା ହାତକୁ ।


 -"ଥାଉ, ମୁଁ ପଢ଼ିଛି।"


ମନୀନ୍ଦ୍ର ଆଶ୍ଚର୍ଯ୍ୟ ହେଲା । 


    ତା ସଂଶୟ ଦୂର କରି ମନୀଷା କହିଲା, "ଭାଉଜ ଚିଠିଟି ମୋ ହାତରେ ଦେଇଥିଲେ ତୁମକୁ ଦେବାକୁ । ତୁମେ ନ ଥିବାରୁ ଫ୍ରିଜ଼ରେ ରଖି ଦେଇଥିଲି "


ତା ପରେ କଥା ବଢ଼ାଇ ପ୍ରଶ୍ନ କଲା,


 - "ଭାଉଜ ତୁମକୁ ବହୁତ ଭଲ ପାଉଥିଲେ ନା ?"


 -"ନା ତ ।", ମନୀନ୍ଦ୍ର କିଛି ନ ଜାଣି ଥିବାର ଭାବ ମୁହଁରେ ଫୁଟାଉ ଥିଲା । 


     ତଥାପି ସେ ବୁଲି ପଡି ମନୀଷାକୁ ପ୍ରଶ୍ନ କଲା, " ତୁମେ ଏ କଥା କିପରି କହୁଛ ଜାଣି ପାରେ କି?"


 - " ଯେଉଁ ଦିନ ଭାଉଜ ପ୍ରଥମ କରି ଅନ୍ତାକ୍ଷରୀ ଖେଳିବାକୁ ଆସିଥିଲେ ସେଦିନ ଶେଷ ବେଳକୁ କେବଳ ଭାଉଜ ଆଉ ତୁମ ଭିତରେ ହିଁ ଖେଳ ଲାଗି ରହିଥିଲା । ପରସ୍ପର ଭିତରେ ବହୁତ ସହଯୋଗ ଥିଲା । ଦୁହେଁ ଭଲ ଭଲ ରୋମାଣ୍ଟିକ ଗୀତ ଗାଉଥିଲ"


 - " ତୁମର ଏହା ଭ୍ରମ ହୋଇପାରେ"


 - " କେବେ ବି ନୁହେଁ । ପ୍ରଥମ ଥର ପାଇଁ ଲାଗିଥିଲା । ମୋ ଠାରୁ କିଏ ଖେଳ ଛଡେଇ ନେଇଛି । ତା ପରେ ଭାଉଜ ବହୁତ ଖୁସିରେ ରହୁଥିଲେ । କେମିତି ଦିନ ସରି ରାତି ହେବ ସେହି ପ୍ରତୀକ୍ଷାରେ ରହୁଥିଲେ ସବୁଦିନ ।"


     ଆଜି ଚନ୍ଦ୍ରା ତାଙ୍କ ବାପ ଘରକୁ ଯିବେ। ତାଙ୍କ ଭାଇ ଆସିଛନ୍ତି ନେବାକୁ । ଛାତ ଉପରୁ ତଳକୁ ଚାହିଁଥିଲା ମନୀନ୍ଦ୍ର । ମନେ ମନେ ଡାକୁଥିଲା ଭଗବାନଙ୍କୁ, "ହେ ଭଗବାନ ! ଚନ୍ଦ୍ରା ଭାଉଜ ଡାହାଣ ପଟ ଝରକା କଡ଼କୁ ଲାଗି ବସନ୍ତେ କି । ଲୁଚାଇ କରି ଗୁଡ଼ ବାୟ କରି ଦିଅନ୍ତି ।"


    ଏବେ ଜୋରରେ କ୍ରନ୍ଦନରୋଳ ଆସୁଥିଲା ତଳଘରୁ ।ଚନ୍ଦ୍ରା ଭାଉଜଙ୍କ କାନ୍ଦ ସବୁଠୁଁ ଉଚ୍ଚା ଆଉ ଦୁଃଖ ଭରା ଲାଗୁଥିଲା । ଏବେ ବାହାରିବା ବେଳ ହୋଇ ଗଲାଣି । ଲୋକମାନେ ତତ୍ପର ହୋଇ ପଡ଼ିଥିଲେ । ଗାଡ଼ିରେ ବାକ୍ସ ଗୁଡିକୁ ବୋଝେଇ କରିବାକୁ ଲାଗି ଯାଇଥିଲେ । ସବୁ ଗୁଡିକ ବୋଧେ ଚନ୍ଦ୍ରା ଭାଉଜଙ୍କ ଲୁଗା ପଟାରେ ଭରା ଥିଲା । ଏତେ ଗୁଡିଏ ଲୁଗା ପଟା ନେଇ ଯାଉଥିବା ଚନ୍ଦ୍ରା ଭାଉଜ ଆଉ ବୋଧେ ଫେରିବେ ନାହିଁ ।


     କାନ୍ଦରୋଳ ଭିତରୁ ଚନ୍ଦ୍ରା ଭାଉଜ ଆସିଲେ । ଇଏ ଆଉ ଏକ କନ୍ୟା ବିଦାୟର ଦୃଶ୍ୟ ଥିଲା । କାରର ସେପଟ ଝରକା ଖୋଲି ବସିଲେ ସେ । " ଆଃ ..ଗୁଡ଼ ବାଇ କରି ହେବନି ତାଙ୍କୁ ! ତାଙ୍କ ଭାଇ ତାଙ୍କୁ ଜାବୁଡି ଧରି ବସିଲେ । ଏ ବାହୁଡା ଯାତ୍ରାରେ ବର ବୋଲି କେହି ନ ଥିଲେ । ପୁରୁଣା ସେହି କାରରେ ଗୋଲାପ ଓ ଗଜରାର ହାର ଲାଗି ନ ଥିଲା । କନ୍ୟାକୁ ନେଇ ଗାଡି ଆଗକୁ ଗଡି ଗଲା, କିଛି ଶୂନ୍ୟତା ପଛରେ ଛାଡି ଦେଇ । 


   ସେଦିନ ଛାତ ଉପରେ ଜର୍ମାନ ଶେଫେର୍ଡ କୁକୁରଟି ମନୀନ୍ଦ୍ର ପାଖରେ କଅଁଳା ବାଛୁରୀଟି ପରି ଛିଡା ହୋଇଥିଲା ।



Rate this content
Log in

Similar oriya story from Romance