Ajaya Mahala

Classics

2  

Ajaya Mahala

Classics

ନଈର ଚିତ୍ର

ନଈର ଚିତ୍ର

12 mins
289


ନିକିତା ସ୍କୁଲରୁ ଆସି ପଚାରୁଥିଲା, " ମାଆ, ଏ ଲୋକଟି ନଦୀକୁ ପଛ କରି ଛିଡା ହୋଇଛି କାହିଁକି ?"

- " କାହିଁକି ପଚାରୁଛୁ କହିଲୁ ?"

- " ପ୍ରଦର୍ଶନୀରେ ସାର ଜଣେ ପଚାରୁଥିଲେ ଚିତ୍ରଟିର ଅର୍ଥ କଣ ବୋଲି "

ପୂର୍ଣ୍ଣିମା ଜାଣିଥିଲା ଏଇଟା କଲେଜ ଛାଡିବା ବେଳେ ସମ୍ଭବତଃ ନଚିକେତାର ତା ପାଇଁ ଶେଷ ଚିତ୍ର ଥିଲା । ମାତ୍ର ସେତେବେଳେ ସେ ଚିତ୍ରଟିର ଅର୍ଥ ବୁଝିବାକୁ ଚେଷ୍ଟା କରି ନ ଥିଲା । ନିକିତା ହାତରୁ ଚିତ୍ରଟି ନେଇ ଭଲ ଭାବରେ ଥରେ ଦେଖିଲା । ଅନେକ ଗୁଡିଏ ଭାବନା ଆସୁଥିଲା । ତଥାପି ବାଆଁରେଇ ପୂର୍ଣ୍ଣିମା କହିଲା, " କିଏ ଜାଣେ, ହୁଏ ତ ଲୋକଟି ନଦୀ ଉପରେ ରାଗିଛି "

- "ରାଗିଛି ତ ପୁଣି ଆସିଲା କାହିଁକି ସେ ନଦୀ ପାଖକୁ ?"

- " ତୁ ଏତେ କଥା କହି ମୋ ମୁଣ୍ଡ ଖାଆନା ", ନିକିତାର ପ୍ରଶ୍ନ ବାଣରୁ ବଞ୍ଚିବାକୁ ପୂର୍ଣ୍ଣିମା କହିଲା ।

- " କିନ୍ତୁ ସାର ତ ଆଉ କିଛି କହୁଥିଲେ"

- " କଣ କହୁଥିଲେ ସାର ?"

- " ସେ କହୁଥିଲେ, ନଦୀ ତା ପାଖକୁ ଯିବାକୁ ଲୋକଟିକୁ ମନା କରିଥାଇପାରେ ବୋଲି"

ହଠାତ ଚମକି ପଡିଲା ପୂର୍ଣ୍ଣିମା ଏହି ଉତ୍ତରରେ । ଯାହା ଏ ପର୍ଯ୍ୟନ୍ତ ନିକିତାର ବାଳିକା ସୁଲଭ ପ୍ରଶ୍ନ ଲାଗୁଥିଲା, ତାହା ହଠାତ ଗମ୍ଭୀର ଲାଗିଲା ।

ରାଜନନ୍ଦଗାଓଁର ଅନାଥ ବାଳିକା ବିଦ୍ୟାଳୟରେ ସାତବର୍ଷ ନୃତ୍ୟଶିକ୍ଷିକାର ଚାକିରୀ କରି ରାୟପୁର ଫେରିଛି ପୂର୍ଣ୍ଣିମା । ସାଥିରେ ଝିଅ ନିକିତା - ଯାହାକୁ ଆଡପ୍ଟ କରି ନେଇଛି ସେ । କେନ୍ଦ୍ରୀୟ ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ । ସେ ନିଜେ ରାୟପୁରର ଅନ୍ୟ ଏକ ଘରୋଇ ସ୍କୁଲରେ ଶିକ୍ଷିକା । ବୟସ ଏକତିରିଶ ହେଲାଣି । ଏବେ ତାକୁ ବିବାହିତା ହେବାର ଅଭିନୟ କରିବାକୁ ପଡୁନାହିଁ । ନିକିତା ଥିବାରୁ ପରିବାରଟିଏ ନ ଥିବାର ଅଭାବ ଆଉ ଲାଗୁନି । ଆଜି ନିକିତାର ପ୍ରଶ୍ନ ତାକୁ ଫେରେଇ ନେଲା ତାକୁ ଖଇରାଗଡ଼ ଇନ୍ଦିରା ସଙ୍ଗୀତ କଳା ବିଶ୍ୱବିଦ୍ୟାଳୟର ଦିନଗୁଡିକୁ । ଇନ୍ଦିରା ନାଁ ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀଙ୍କ ନାଁକୁ ନେଇ ନୁହେଁ । ଖଇରାଗଡ଼ ରାଜ ପରିବାରରେ ଅସମୟରେ ମରି ଯାଇଥିବା ରାଜକୁମାରୀଙ୍କ ସ୍ମୃତିରେ ସ୍ଥାପିତ ହୋଇଥିଲା ଏହି ଅନୁପମ ଶିକ୍ଷାନୁଷ୍ଠାନ ।

ଯଦି ସିଏ ଠିକ ମନେ ରଖିଛି, ତାହା ମଝି ଜୁନର ଉତ୍ତୀର୍ଣ୍ଣ ଅପରାହ୍ନ ଥିଲା । ଆକାଶରେ ମୌସୁମୀର ପ୍ରଥମ ମେଘ ଉନ୍ମାଦ ହେଉଥିଲା - ଛତିଶଗଡ଼ର ନିଭୃତ କୋଣରେ ଅବସ୍ଥିତ ଏହି ବିଶ୍ବପ୍ରସିଦ୍ଧ ବିଶ୍ୱବିଦ୍ୟାଳୟର ସବୁଜିମା ଭରା ବିରାଟ କ୍ୟାମ୍ପସ ଉପରେ । ସେତେବେଳକୁ ଆକାଶରେ ମେଘ ଘୋଟି ଆସିଲାଣି । ଜୋର ବିଜୁଳି ମାରୁଥିଲା ଘଡଘଡି ସହ । ବଡ଼ ବଡ଼ ବର୍ଷା ଟୋପା ପଡ଼ିବାକୁ ଆରମ୍ଭ କଲାଣି । ହଷ୍ଟେଲ ଗେଟ ଖୋଲି ଭିତରକୁ ପଶି ଆସିଲା ନଚିକେତା । ସାଇକେଲଟା ବାରଣ୍ଡାକୁ ଠେଲି ଦେଇ ପୂର୍ଣିମା ରହୁଥିବା କୋଠରୀର କବାଟକୁ ଆଙ୍ଗୁଳିରେ ବାଡେଇଲା । ଲମ୍ବା ଗାଉନଟା ଝଅଟି କରି ପିନ୍ଧି ପକେଇ କବାଟ ଖୋଲିଲା ପୂର୍ଣ୍ଣିମା ।

ଖୁସି ହୋଇଗଲା ସେ ନଚିକେତାକୁ ଦେଖି । ନଚିକେତା ହାତରୁ ପଲିଥିନରେ ଗୁଡା ହୋଇଥିବା ଜିନିଷଟିକୁ ଝାମ୍ପି ନେଇ କହିଲା, "ମୁଁ ଜାଣିଥିଲି, ତୁମେ ପୁଣି ସେଇ ଚଗଲାମୀ କରିବ । ଏଠି ପାଠ ପଢି ଆସିଛ ନା ଝିଅଙ୍କ ଚିତ୍ର କରି ସମୟ ବର୍ବାଦ କରି ଆସିଛ ?"

ପଲିଥିନ ଖୋଲିଲା ପରେ ନିଜର ଚିତ୍ରକୁ ଦେଖି ଚମକି ପଡିଲା ପୂର୍ଣ୍ଣିମା । ବହୁତ ଜୀବନ୍ତ ହୋଇଛି । ସେ ଦଶମ ଶ୍ରେଣୀରେ ପଢିଲା ବେଳେ ଠିକ ଏମିତି ଦେଖା ଯାଉଥିଲା । ଏଇଟା ପୂର୍ଣ୍ଣିମା ଲାଗି ନଚିକେତା ତିଆରି କରିଥିବା ତୃତୀୟ ଚିତ୍ର ବୋଧେ । ପ୍ରଥମ ଚିତ୍ରଟି ଏଡ଼େ ସୁନ୍ଦର ଥିଲା ତାକୁ ତାର ଶିକ୍ଷକ ଗୁରୁ ଦକ୍ଷିଣା ହିସାବରେ ମାଗିଥିଲେ । ସେ ମନା କରି ପାରି ନ ଥିଲା । ପ୍ରତ୍ୟେକ ଛାତ୍ରଠୁଁ ଶିକ୍ଷକମାନେ ସେମାନଙ୍କର ସୁନ୍ଦର କଳାକୃତି ଗୁରୁଦକ୍ଷିଣା ବାବଦକୁ ମାଗି ନିଅନ୍ତି । ବଡ ବଡ ସହରର ଆର୍ଟ ଗ୍ୟାଲେରୀରେ ସେଇ ଚିତ୍ରଗୁଡିକ ବିକ୍ରି ହୋଇଯାଏ । ତା ପରେ ନଚିକେତା ପୂର୍ଣିମାର ଯେଉଁ ଚିତ୍ର କରିଛି, ନିଜଘରେ ଲୁଚେଇ ଲୁଚେଇ କରିଛି ଶିକ୍ଷକଙ୍କ ଦୃଷ୍ଟିରୁ ବଞ୍ଚାଇ ।  ସେ ଭାବୁଥିଲା, ନଚିକେତା ତା ପାଇଁ ପାଗଳ ହୋଇ ଯାଇନି ତ !

ଚିତ୍ରରେ ଗୋଟିଏ ସୁନ୍ଦର ଧଳା ଶାଢ଼ୀ ପିନ୍ଧେଇ ଦେଇଛି । ଏମିତି ଧଳାଶାଢ଼ୀ ପିନ୍ଧିବା ତ ଦୂରର କଥା, ଜୀବନରେ କେବେ କିଣି ନାହିଁ । ଚିତ୍ର ଦେଖିଲା ପରେ ପୂର୍ଣ୍ଣିମା ଏୟା ଭାବି ଟିକେ ଲାଜେଇ ଯାଉଥିଲା - ଚିତ୍ରକର ମାନେ ଶାଢ଼ୀ ପିନ୍ଧେଇ ପାରୁଛନ୍ତି ଯେତେବେଳେ, କୌଣସି ଝିଅକୁ ଉଲଗ୍ନ ବି ଦେଖି ପାରୁଥିବେ । ଆଉ ଚିତ୍ର ଆଙ୍କିଲା ବେଳେ ଘଣ୍ଟା ଘଣ୍ଟା ଧରି ସେ ଉଲଗ୍ନ ଦେହ ସହ ଛୁଆଁ ଛୁଇଁ ବି କରୁଥିବେ । ରାଗ ଲାଗିଲା ନଚିକେତା ଉପରେ । ତା ଭଳି ଯଦି ସେ ଗୁରୁକୁଳ ଆଶ୍ରମରେ ପଡ଼ିଥାନ୍ତା ଝିଅ ମାନଙ୍କୁ ନେଇ ଚିତ୍ର ଆଙ୍କିବା ସ୍ୱପ୍ନରେ ବି ଭାବି ପାରି ନ ଥାନ୍ତା ।

ହେଲେ ନଚିକେତା ସରଳ । ଚିତ୍ରକଳାରେ ପୋଷ୍ଟ ଗ୍ରାଜୁଏଟ ଶିକ୍ଷା ନେବାକୁ ଆସିଥିବା ଛାତ୍ର ମାନଙ୍କ ଭିତରୁ ସିଏ ଜଣେ । କଲେଜରେ ତାର ପୁଅ ସାଙ୍ଗ ନାହାନ୍ତି । କେବଳ ପୂର୍ଣିମା ସହ ସାଙ୍ଗ ହୁଏ । ପୂର୍ଣ୍ଣିମା କଥକ ନୃତ୍ୟ ଶିଖିବାକୁ ଆସିଥାଏ । ଗୋଟିଏ ପ୍ରକାରରେ ତା ସାବତ ମାଆ ଠାରୁ ଦୂରରେ ରଖିବାକୁ ବାପା ଏଠି ନାଁ ଲେଖାଇଥିଲେ । ପୂର୍ଣ୍ଣିମା ସମସ୍ତଙ୍କୁ ନିଜକୁ ବିବାହିତା ବୋଲି କହି ରଖିଥାଏ । ସେଥିପାଇଁ ନଚିକେତା ସହ ତାର ବନ୍ଧୁତ୍ୱ କୁ କେହି ଖରାପ ଦୃଷ୍ଟିରେ ଦେଖନ୍ତିନି । ଝିଅ ସାଙ୍ଗ ମାନେ ସ୍ୱାମୀ କଣ କରନ୍ତି ବୋଲି ପଚାରିଲେ - ଦୁବାଇରେ ଚାକିରୀ କରିଛନ୍ତି ବୋଲି କହି ଦିଏ ପୂର୍ଣ୍ଣିମା। କିନ୍ତୁ କେହି ତାର ସ୍ୱାମୀଙ୍କୁ କେବେ କଲେଜକୁ ଆସିବାର ଦେଖି ନାହାନ୍ତି । କେହି କେହି ଝିଅ ସାଙ୍ଗ ମଜାରେ କହି ଦିଅନ୍ତି - ବାହାଘର ପରେ ଯଦି ପଢ଼ିବାର ଥିଲା ତେବେ ବାହା ହେଉଥିଲ କାହିଁକି ? ତେଣେ ପୁଅ ପିଲା ମାନେ ନଚିକେତାକୁ ନେଇ କହନ୍ତି, ନଚିକେତା ଗୋଟେ ମାଇଚିଆ ବୋଲି ହିଁ ପୂର୍ଣ୍ଣିମା ତାକୁ ସାଙ୍ଗ କରିଛି । ଆଉ କିଏ ହୋଇ ଥିଲେ କଥା କେଉଁଠି ପହଞ୍ଚି ସାରନ୍ତାଣି । ଦୁଇ ଜଣଙ୍କ ବନ୍ଧୁତ୍ୱର ଏହିପରି ସ୍ଵଭାଵ ସହପାଠୀଙ୍କ  ମନରେ ଅନାବଶ୍ୟକ ଆଗ୍ରହକୁ ଜନ୍ମ ଦେବାକୁ ସୁଯୋଗ ଦେଉ ନ ଥିଲା।

ଏଇ ଅସାଧାରଣ ପ୍ରକାରର ବନ୍ଧୁତ୍ୱ କଥା ଭାବି ପୂର୍ଣ୍ଣିମା ସ୍ମିତ ହସି ନଚିକେତା ଆଡେ ଚାହିଁଲା । ସେହି ହସଟି ସେ ନଚିକେତାକୁ ଦେବାକୁ ଚାହୁଁଥିଲା ଚିତ୍ର ପାଇଁ କରିଥିବା ପରିଶ୍ରମର ପୁରସ୍କାର ରୂପରେ । ନଚିକେତା ଲକ୍ଷ୍ୟ ରଖି ନ ଥିଲା ତା ଆଡେ । ସେ ରୁମାଲ ଘଷି ଓଦା ମୁଣ୍ଡକୁ ପୋଛୁ ଥିଲା । ମୁଣ୍ଡ ପୋଛିଲା ବେଳେ କହୁଥିଲା, " ଭାଗ୍ୟ ଭଲ, ଆଉ ଟିକେ ଡେରି ହୋଇଥିଲେ ମେଘରେ ପେଣ୍ଟିଙ୍ଗ ଭିଜି ଯାଇଥାନ୍ତା ।"

" ସେଇୟା ହୋଇଥିଲେ ଭଲ ହୋଇଥାନ୍ତା । ତମ ପେଣ୍ଟିଙ୍ଗ କରିବା ନିଶା ବି ଛାଡି ଯାଇଥାନ୍ତା " ନାକ ଉପରେ ହାଲକା ରାଗ ଦେଖେଇ ପୂର୍ଣ୍ଣିମା କହିଲା ।

- "ମୋ ପାଇଁ ତ ଆହୁରି ଭଲ ହୋଇଥାନ୍ତା । ଧଳା ଶାଢୀରେ ପାଣି ପଡିଲେ 'ରାମ ତେରୀ ଗଙ୍ଗା ମୈଲୀ' ଫିଲ୍ମର ହିରୋଇନ ମନ୍ଦାକିନୀ ହୋଇ ଯାଇଥାନ୍ତ ତୁମେ ।"

ପୂର୍ଣ୍ଣିମା ବୁଝୁଥିଲା, ନଚିକେତା ସୀମା ଲଂଘୁଛି । କିନ୍ତୁ ସେ ଜାଣିଥିଲା ତାକୁ ଚିଡ଼େଇବା ପାଇଁ ନିଜେ କହିଥିବା କଥାର ତ ପ୍ରତ୍ୟୁତ୍ତର ଥିଲା ତାହା । ସେଥିପାଇଁ ସେ ଚୁପ ରହିଲା । ନିଜ ଭିତରୁ ସେ ଦୃଢ଼ ଥିଲା । ପୁରୁଷ ପିଲାଙ୍କୁ ନେଇ ତାକୁ ବେଶୀ ବ୍ୟତିବ୍ୟସ୍ତ ହେବାକୁ ଦେବନି । ଗୁରୁକୁଳ ଆଶ୍ରମରେ ପଢିଲା ବେଳେ ତାକୁ ଏତିକି ଶିଖିବାକୁ ମିଳିଛି - ତା ଆଡ଼କୁ ଅଶୋଭନୀୟ ଢଙ୍ଗରେ ଅଗ୍ରସର ହେଉଥିବା ଲୋକକୁ କେମିତି ରୋକି ହେବ । ମାମଲା ଆଗକୁ ବଢିଲେ ଜୁଡୋ କରାଟେର ବ୍ୟବହାର କରିବାକୁ ସେ ଭୁଲିବନି । ପୁଣି ନିଜକୁ ନିଜେ କହୁଥିଲା ସେ କିପରି ଏତେ ଚରମ କଥା ଭାବି ନେଉଛି ନଚିକେତା ପରି ସରଳ ପିଲାକୁ ନେଇ । ସେ ଏମିତି କିଛି ଭୁଲ କରିନି । ତା ପ୍ରତ୍ୟେକ କଥାରେ ଥାଏ ଚିତ୍ରକରଟିଏର କଳ୍ପନା - କାମୁକତା ତ ଆଦୌ ନୁହେଁ ।

ଦୋଷ ଭାବନାରୁ ନିଜକୁ ମୁକ୍ତି କରିବା ପାଇଁ ପୂର୍ଣ୍ଣିମା ଟିକିଏ ପ୍ରଶଂସା କରି କହିଲା, " ସତରେ ଚିତ୍ରଟି ଜୀବନ୍ତ ହୋଇଛି । ୟାଠୁଁ ଅଧିକ ସୁନ୍ଦର ହୋଇ ପାରିବ ନାହିଁ - ମୋ ପରି ଅସୁନ୍ଦରୀକୁ କେଡେ ସୁନ୍ଦର କରି ଆଙ୍କିଛ "

- "ତୁମେ କେମିତି ଜାଣିବ ତୁମେ କେତେ ସୁନ୍ଦର ।"

ନଚିକେତାଠୁଁ ଏ କଥା ଶୁଣି ତା ଆଡ଼କୁ ସନ୍ଦେହସ୍ପଦ ଚାହାଣୀରେ ଚାହିଁଲା ପୂର୍ଣ୍ଣିମା ।

- " ଯେତେ ଜୀବନ୍ତ ହେଲେ ବି ଚିତ୍ର , ଚିତ୍ର । ବାସ୍ତବ ସହ ସମକକ୍ଷ ହୋଇ ପାରିବନି ।", ତା ଅଧା କହିଥିବା କଥାକୁ ଆଗକୁ ବଢ଼ାଇ ନଚିକେତା କହିଲା ।

- " ମୂର୍ଖ ପରି କଣ କଥା ହେଉଛ ? ବୁଝା ଭଲ କରି", ପୂର୍ଣ୍ଣିମାର କଣ୍ଠ ଟିକେ କଠୋର ହୋଇ ଆସୁଥିଲା ।

- " ରଙ୍ଗ ଆଉ ଭାଷା - ଭାବ ପ୍ରକାଶର ମାଧ୍ୟମ ମାତ୍ର । ସେମାନେ ନିଖୁଣ ନୁହଁନ୍ତି । ସବୁ ମାଧ୍ୟମ ପରି ସେମାନଙ୍କର ଖୁଣ ରହିଛି । "

- " ବେଶୀ ସିଆଣିଆ ହୁଅନି । ସଫା କରି କୁହ ଚିତ୍ରଟି ମୋ ଠାରୁ ସୁନ୍ଦର କି ନାହିଁ "

- "ବିଲକୁଲ ନୁହେଁ । ହେଇ ଦେଖ, ତୁମର ଚୌଡା ଓଠ କେତେ ଆକର୍ଷଣୀୟ । ତାହା ଚିତ୍ରରେ କେଉଁଠି ଫୁଟିଛି ? ଚିତ୍ରରେ ସେ ଆକର୍ଷଣ କାହିଁ ?" ନଚିକେତା ଏତିକି କହିଲା ବେଳେ ସତ କହୁଛି କି ନାହିଁ ପରଖିବାକୁ ପୂର୍ଣିମାର ଓଠ ଆଡେ ଚାହିଁଲା ।

ପୂର୍ଣ୍ଣିମା ପରି ଗୁରୁକୂଳରେ ଶିକ୍ଷା ନେଇଥିବା ଝିଅ ପାଇଁ ପୁରୁଷ ମୁହଁରୁ ନାରୀର ଓଠ ବିଷୟରେ ଶୁଣିବା ଯେପରି ଗୋଟେ ଅପରାଧ ଥିଲା । କଣ ଗୋଟେ ଚିତ୍ର କରିଛି କେଜାଣି ! ମନେ ମନେ ଭାବୁଥିଲା, ଏ ନଚିକେତା ତା କାମୁକ ଭାବନାକୁ ତା ଆଗରେ ଧୀରେ ଧୀରେ ଉନ୍ମୁକ୍ତ କରୁନି ତ । ଲାଜ ବି ମାଡୁଥିଲା ଏୟା ଭାବି, ନଚିକେତା ତା ଓଠକୁ ଯେଉଁ ଏକାଗ୍ର ଦୃଷ୍ଟିରେ ଦେଖି ଥିଲା କିଛି ସମୟ ଆଗରୁ । ବାହାରେ ବହୁତ ବର୍ଷା । ତାକୁ ତତ୍ କ୍ଷଣାତ ହଷ୍ଟେଲ ଛାଡି ଚାଲି ଯିବାକୁ କହି ହେବନି । ଧକ୍କା ମାରି ଦେବାକୁ ଇଚ୍ଛା ହେଉଥିଲା ତାର ।

ପୂର୍ଣ୍ଣିମା ଟିକିଏ କ୍ଷାନ୍ତ ହୋଇ ପଚାରିଲା, " ତମେ ପାଗଳ ହେଲ କି ? ଜାଣିନ ତମେ କଣ କହୁଛ "

" ସତ କହୁଛି ପୂର୍ଣ୍ଣିମା, ମୁଁ ମୋ ଚିତ୍ରକର କଳ୍ପନାରେ ତୁମ ଓଠର ଉଷ୍ଣତାକୁ ବି ଅନୁଭବ କରି ପାରୁଛି । କିନ୍ତୁ ତାକୁ ରଙ୍ଗରେ ଆଙ୍କି ପାରିବିନି "

ପୂର୍ଣ୍ଣିମା ଥରି ଯାଉଥିଲା ନଚିକେତାର କଥାରେ । ତାର ଏହି କ୍ରୋଧିତ ଆଉ ଅସହାୟ ଭାବରୁ ତାକୁ ବାହାର କରିବାକୁ ଯାଇ ନଚିକେତା କହିଲା, " ସତ ତ କହୁଛି । ତୁଳୀ କଥା ଛାଡ, କାହା ଓଠ ବି ମାପି ପାରିବନି ତୁମ ଓଠର ଉଷ୍ଣତା । ତାତି ଆସୁଥିବା ଓଠଟିଏ ଆଉ ଗୋଟିଏ ତାତିଥିବା ଓଠକୁ ମାପିବ କିପରି ? ଯିଏ ମାପିବ ସିଏ ନିଜେ ସ୍ଥିର ହୋଇଥିବା ଆବଶ୍ୟକ ।"

ପୂର୍ଣ୍ଣିମାକୁ ଲାଗୁଥିଲା, ନଚିକେତା ଯେପରି ନିର୍ଲଜ୍ଜ ହୋଇ ଏତେ କଥା କହି ଚାଲିଛି । ଆଗରୁ ସେ ନଚିକେତାକୁ ଏପରି ବ୍ୟବହାର କରିବାର ସେ ଦେଖି ନ ଥିଲା । ଏମିତି ହେବାର ଜାଣିଥିଲେ, ସେ ମିଛରେ ୱାର୍ଡନଙ୍କୁ ସେ ତାର ସମ୍ପର୍କୀୟ ବୋଲି କହି ମହିଳା ଛାତ୍ରାବାସ ଭିତରକୁ ଅବାଧ ପ୍ରବେଶ କରିବାର ଅନୁମତି ଦିଏଇ ନ ଥାନ୍ତା ।

ପୂର୍ଣ୍ଣିମା ନୈଷ୍ଠିକ ବ୍ରାହ୍ମଣ ଝିଅ । ଫେସନ କରେ; କଥକ ନାଚ ସହ ଜୁଡୋ କରାଟେ ବି ଶିଖିଛି କିନ୍ତୁ ତା ସଂସ୍କାର ଆଉ ମର୍ଯ୍ୟାଦା ସେମିତି ଅକ୍ଷୁର୍ଣ୍ଣ ଥିଲା । ଗୁରୁକୁଳ ଆଶ୍ରମର ଶିକ୍ଷା ତା ସଂଯମଭାବନାକୁ ଆହୁରି ଦୃଢ଼ କରିଥିଲା ।

- " ଆମେ କେବଳ ବନ୍ଧୁ, ଆଉ କିଛି ନୁହେଁ", ଏହି କଥା ପଦକ କହି। ଦେଇ ପୂର୍ଣ୍ଣିମା ରାଗିବା ପରି ମୁହଁ କରି ଭାଙ୍ଗୁଥିବା ପୋଷାକ ଖଟ ଉପରେ ଫୋପାଡ଼ି ଦେଇ ବସିଗଲା । ଏ କଥାକୁ ନଚିକେତା ହସି ଶୁଣି ନେଲା ମୁହଁରେ କିଛି ଭାବ ନ ଫୁଟାଇ - ଯେମିତି କିଛି ଗମ୍ଭୀର କଥା ସେ ଶୁଣି ନାହିଁ । ଭିତରେ କିନ୍ତୁ ସେ ଜାଣୁଥିଲା ବହୁତ ବଡ଼ କଥାଟିଏ କହି ଦେଇଛି ପୂର୍ଣ୍ଣିମା । ଇଏ ଏକ ପ୍ରକାର ଆରୋପ ତା ଉପରେ ।

ପୂର୍ଣିମାର ଇଚ୍ଛା ହେଉଥିଲା ଉଠି ପଚାରି ଦେବ, " ତୁ ଖରାପ ଭାବିଲୁ କି ?" କିନ୍ତୁ ଏତେ ଶୀଘ୍ର ନିଜର ପୋଜିସନ ବଦଳେଇବା ଅପ୍ରାସଙ୍ଗିକ ହୋଇଯିବ । ସେ ବି ଚୁପ ରହିଲା ।

ନଚିକେତା ନିଜେ ନିଜର ଉତ୍ତରରେ ସନ୍ତୁଷ୍ଟ ନ ଥିଲା । ତାକୁ ଲାଗୁଥିଲା, ସେ ପୂର୍ଣିମାକୁ କାହିଁକି ବୁଝେଇବାରେ ଅସମର୍ଥ ହେଉଛି ବୋଲି । ପୂର୍ଣ୍ଣିମାର ନୀରବତା ଦେଖି ସେ ବି ମୁଣ୍ଡ ହାଣି ପଢା ଟେବୁଲ ଆର ପଟେ ବସିଛି । ଗୋଡ଼ ବୁଲେଇଲା ବେଳେ ସାବଧାନ ହେଉଛି ଯେମିତି ଟେବୁଲ ତଳେ ପୂର୍ଣ୍ଣିମା ଗୋଡ଼ରେ ଗୋଡ଼ ନ ବାଜେ ।

ପୂର୍ଣିମାର ଅସହାୟତା କମିବାର ନାଁ ନେଉ ନ ଥିଲା । ହଠାତ ସେ ପ୍ରଶ୍ନ କରି ବସିଲା, " ଚିତ୍ରରେ ମୋତେ ବିବାହିତ କରି ଦେଖେଇନ କାହିଁକି? ମୁଁ କେଉଁ ଝିଅ ଅଛି ଯେ "

- " ଆରେ ! ଦେଖେଇବାକୁ ଆଣିଥିଲି ଯାହା"

- "ତୁମେ ବିଲକୁଲ ବୁଝୁନ" ଟେବୁଲକୁ ଧକ୍କା ମାରି ଉଚ୍ଚ ସ୍ୱରରେ ପୂର୍ଣ୍ଣିମା କହିଲା ।

ପୂର୍ଣିମାର ମୁହଁରେ କ୍ରୋଧର ସ୍ପଷ୍ଟ ରେଖା ନଚିକେତା ଦେଖି ସାରିଥିଲା । କିନ୍ତୁ ମୁହଁରେ ହସ ଫୁଟାଇ କହିଲା, " ଚିତ୍ରକର ମୁଁ, ତୁମ ଖାଲି ମଥାରେ ସିନ୍ଦୂର ଭରିବାକୁ କେତେ ସମୟ ଲାଗିବ ?"

ଏଇଟା ଅତିଶୟ ଥିଲା ପୂର୍ଣ୍ଣିମା ଲାଗି । ଧପ କରି ଜଳିଗଲା କ୍ରୋଧର ଅଗ୍ନିଶିଖା ତା ଭିତରେ ।

- " ଏବେ ଭରୁ ଥା ସିନ୍ଦୂର ମଥାରେ ମନ ଇଚ୍ଛା " ଏତିକି କହି ପେଣ୍ଟିଙ୍ଗ ଟିକୁ ନାକ ସିଧା ଦୁଇ ଖଣ୍ଡ ଚିରି ଦେଇ ଫୋପାଡି ଦେଲା ନଚିକେତା ଉପରକୁ ।

ନିଜର ଅନ୍ତରଙ୍ଗ ସାଙ୍ଗ ଉପରେ ଏତେ ବଡ଼ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ପୂର୍ଣ୍ଣିମା ବି ନିଜର ଭାରସାମ୍ୟ ହରାଇ ବସିଥିଲା । ଫୋପାଡ଼ି ଦେଇଥିବା କପଡାକୁ ପୁଣି ଗୋଟେଇ ରଖିଲା ବେଳେ ସେ ଦେଖୁଥିଲା ନଚିକେତାର ମୁହଁକୁ । ମୁହଁରେ ଯେମିତି ଜବରଦସ୍ତି ଖେଳାଇ ରଖିଛି ହସଟିଏ । କିଏ ବି କହିବ କିଛି ତ ଘଟି ଯାଇଛି ତା ଭିତରେ । ପୂର୍ଣ୍ଣିମା ବୁଝୁଥିଲା, ଏଠି ନଚିକେତା କଷ୍ଟେ ମଷ୍ଟେ ହସଟିଏ ଫୁଟାଇଛି ସିନା, ପଛରେ ଏକୁଟିଆ ବହୁତ କାନ୍ଦିବ ସେ । ତାର ହାତ ଗୋଡ଼ ହଲାଇବା ଆଗ ପରି ଏତେ ସ୍ଵଛନ୍ଦ ନ ଥିଲା ।

କଣ କହି ଆସୁଥିଲା , ପାଟି ଖନି ମାରି ଯିବାରୁ କିଛି କହିବାରୁ ଅଟକି ଗଲା ସେ ।

ଟେବୁଲରେ ନିଜେ ଛାଡିଥିବା ଅବଶିଷ୍ଟ ଅଧ ଗିଲାସ ପାଣିକୁ ଢକ ଢକ ପିଇ ଟେବୁଲ ଛାଡି ଠିଆ ହେଲା ନଚିକେତା । ସେ ପୂର୍ଣ୍ଣିମାର ମୁହଁକୁ ଅନେଇ ପାରିଲା ନାହିଁ । ଆଖିରେ ଗୋଛାଏ ଲୁହ ଆଖିପତା ପଛ ପଟେ ବାନ୍ଧିହୋଇ ଆସୁଥିଲା । ଚଟାଣରେ ତା ଆଡ଼କୁ ଅନେଇ ଥିଲେ ଚିରି ଯାଇଥିବା ଚିତ୍ରରେ ପୂର୍ଣିମାର ଅଲଗା ଅଲଗା ଆଖି ଦୁଇଟି । ଚିରା ପେଣ୍ଟିଙ୍ଗ ଆଉ ପଲିଥିନକୁ ରୁଣ୍ଡେଇ ସେ ଚାଲିଗଲା ରୁମ ବାହାରକୁ । ସାଇକେଲ ଉଠାଇ ହଜିଗଲା ବର୍ଷାରେ । ତାକୁ ପଛରୁ ବିଦାୟ କହିବାକୁ ସେଦିନ ପୂର୍ଣ୍ଣିମା ଆସି ନ ଥିଲା ବାରଣ୍ଡାକୁ।

ତା ପରଦିନ ସକାଳ । ପୂର୍ଣ୍ଣିମାର ମୁଣ୍ଡ ଭାରି ଭାରି ଲାଗୁଥିଲା । ନ ଚାହିଁ ବି ଭାସି ଆସୁଥିଲା ତା ଆଗକୁ ନଚିକେତାର ସରଳ ମୁହଁ । କେମିତି ପଥରଟେ ପରି ଠିଆ ହୋଇଥିଲା ସେ ଚିତ୍ର ଚିରିଦେଲା ପରେ । ଭାବୁଥିଲା, କାଲି ସଞ୍ଜବେଳେ ସେ ଯାହା କରି ବସିଲା ତାହା ତାର ନଚିକେତା ପ୍ରତି ତାର ଆକର୍ଷଣ ଯୋଗୁଁ ନୁହେଁ ତ । ତାକୁ ଔଷଧ ରୂପେ ପିଏଇ ଦିଆ ଯାଇଥିବା ଗୁରୁକୁଳ ଆଶ୍ରମର ଶିକ୍ଷା ପୁରୁଷର ପ୍ରତ୍ୟେକ ଚାଲିଚଳନକୁ ସନ୍ଦେହୀ ଆଖିରେ ଦେଖିବା ଶିଖେଇଛି । ଏବେ ବି ଭାବୁଛି, ନଚିକେତାର ଏତେ ଦାମ୍ଭିକ ବକ୍ତବ୍ୟ ଦେବା ଉଚିତ ନ ଥିଲା ।

ଠକ୍ ଠକ୍ ଠକ୍ । ହଷ୍ଟେଲ ଚଉକିଦାର ଚିରି ଯାଇଥିବା ଚିତ୍ର ଧରି ଆସିଛି । ତାହା ହଷ୍ଟେଲ ବାହାରେ ପଡିଥିଲା । ଚେହେରା ମିଳୁଥିବାରୁ ପୂର୍ଣ୍ଣିମା ପାଖକୁ ଧରି ଆସିଛି ।

- " ଆରେ ଆରେ, ମୋ ଚିତ୍ରଟା ଭୁଲରେ ଝାଡୁ କଲାବେଳେ ଅଳିଆ ସାଙ୍ଗରେ ଚାଲି ଯାଇଛି", ସତ କଥାଟା ଲୁଚାଇ ପୂର୍ଣ୍ଣିମା କହିଲା ।

- " କହିଲେ ଅଠା ଲଗାଇ ଯୋଡି ଦେବି ।"

- " ନା ଥାଉ, ତାକୁ ଟେବୁଲ ଉପରେ ରଖି ଯା "

ଚଉକିଦାର ଚାଲିଗଲା ପରେ ପୂର୍ଣ୍ଣିମା ନିରେଖି ଦେଖିଲା ଚିରି ଯାଇଥିବା ଦୁଇ ଖଣ୍ଡ ଚିତ୍ରକୁ ଯୋଡି ।

ଅବିକଳ ବନାଇଛି ତ ! ଚିତ୍ର ମୁହଁରେ ବିନା ସିନ୍ଦୂର ଭରା ଅବିହାଡ଼ି ହସ । ଦର୍ପଣ ଆଗକୁ ଯାଇ ତୁଳନା କଲା ନିଜର ପ୍ରତିଛବି ସହ । ପ୍ରତିଛବି ମୁଣ୍ଡରେ ବି ସିନ୍ଦୂର ନ ଥିଲା ।

ସେ ଆଦୌ ଖୁସି ନ ଥିଲା କାଲିର ଘଟଣାକୁ ନେଇ ।

ପଢା ବର୍ଷ ସରି ଆସିଲା ବେଳକୁ ଆଉ ହଷ୍ଟେଲ ଛାଡିବା ସମୟରେ ଏପରି ଗୋଟିଏ ଘଟଣା ଘଟିଯିବ ସେ ଅନୁମାନ କରି ନ ଥିଲା । ଗଲାବେଳେ ନଚିକେତାର ଲୁହରେ ଜକେଇ ଆସିଥିବା ଆଖି ତାକୁ ଦିଶିଗଲା । ବିସ୍କୁଟ ହେଉ କି ନୁଡୂଲ, ସବୁଥର କିଛି ନା କିଛି ଖୁଏଇ ଛାଡ଼ିଥାଏ ତାକୁ । ଏଥର କିଛି ନ ଖାଇ ଚାଲିଗଲା । ସେ ଯାହା ହେଉ ଯେ ପର୍ଯ୍ୟନ୍ତ ତାକୁ ଭେଟ ନ କରିଛି ମନ ଆଉଟୁ ପାଉଟୁ ହେବ । ଶନିବାର ଆଉ ରବିବାରକୁ ଛାଡିଦେଲେ ଆସନ୍ତା ସୋମବାର କଲେଜ ଖୋଲିବ । ସେଦିନ କଲେଜରେ ଶେଷ ଦିନ ବି ।

ଆଜି ଖଇରାଗଡ଼ ବିଶ୍ୱବିଦ୍ୟାଳୟର କଂଭୋକେସନ ଉତ୍ସବ । ଫାଇନ ଆର୍ଟସ ବିଭାଗର ସବୁ ପିଲା ଆସିଥିଲେ । କିନ୍ତୁ ନଚିକେତା ନ ଥିଲା । ପରିଣାମ ସୂଚୀ ଉପରେ ଭଲ ଭାବରେ ଆଖି ବୁଲେଇ ନେଲା ପୂର୍ଣ୍ଣିମା - ସେ ଫେଲ ହୋଇ ଯାଇନି ତ ଆଶଙ୍କା କରି । ସେ ପାସ କରିଛି, ଯଦିଓ ଅଳ୍ପ ନମ୍ବର ରଖି ।

ସଭାଘର ଖାଲି ହୋଇଗଲା ପରେ ବି ପୂର୍ଣ୍ଣିମା ଅନେକ ସମୟ ବସି ରହିଲା ଚେୟାର ଉପରେ । ନିଜେ ଜଣେ କଥକ ନର୍ତ୍ତକୀ । ସଭାଘରର ଖାଲି ଚେୟାର ଗୋଟିଏରୁ ସେ ଦେଖୁଥିଲା ଶୁନ୍ୟ ରଙ୍ଗମଞ୍ଚକୁ । ଯେମିତି ତାର ସମଗ୍ର ଜୀବନର ଅନୁଭବ ଧୀରେ ଧୀରେ ସେମିତି ହୋଇଯାଉଛି ।

ଭାବୁଥିଲା ନଚିକେତାର କେହି ସାଙ୍ଗକୁ ଡାକି ପଚାରିବ ତା ବିଷୟରେ - ଅନ୍ତତଃ ଜାଣିବାକୁ ତା ଦେହ ଠିକ ଅଛି ନା ନାହିଁ । ସେମିତି କେହି ଜଣେ ତାର ସାଙ୍ଗ ଥିବ ସେ ସ୍ଥିର କରି ପାରିଲା ନାହିଁ । ନଚିକେତା ହଷ୍ଟେଲରେ ରହୁ ନ ଥିଲା । ବଜାର ମଝିରେ କେଉଁଠି ତା ଗାଁର କେଉଁ ଲୋକ ସହ ରହୁଥିଲା । କୌଣସି କାରଣରୁ ଯେତେବେଳେ ତା ସାବତ ମାଆ ଠାରୁ ପଇସା ଆସିବା ବନ୍ଦ ହୋଇଯାଇଥିଲା, ନଚିକେତା ତାଙ୍କ ଗାଁର ସେହି ଲୋକଠାରୁ ପଇସା ଉଧାର କରାଇ ଦେଇଥିଲା । କିନ୍ତୁ ସେ ଲୋକଟିର ଠିକଣା ବି ଜାଣିନି ।

ଏବେ ପୂର୍ଣିମାକୁ ସାତ ଦିନ ରହିବାକୁ ପଡିବ ହଷ୍ଟେଲରେ । ତା ପରେ ଚାଲି ଯିବ ରାଜନନ୍ଦଗାଓଁକୁ

ଯେଉଁଠୁଁ ତା ଲାଗି ନିଯୁକ୍ତି ପତ୍ରଟିଏ ଆସିଛି । ଅନାଥ ବାଳିକା ମାନଙ୍କର ବଡ଼ ସ୍କୁଲ । ଏହି ରହିବା ଭିତରେ ବଡ଼ ପାର୍ଶଲ ଟିଏ ଆସିଲା ତା ରୁମ ଠିକଣାରେ । ଉପରେ ପଠାଇଥିବା ଲୋକର ଠିକଣା ନ ଥିଲା । କୌଣସି ପେଣ୍ଟିଙ୍ଗ ଟିଏ ହୋଇଥିବ । ଅନୁମାନ କଲା ନଚିକେତା ପଠାଇଥିବ ତାର ଚିତ୍ରଟିଏ କରି । ପେଣ୍ଟିଙ୍ଗ ଟିଏ ଥିଲା ସତକୁ ସତ । ପେଣ୍ଟିଙ୍ଗ ଉପରେ କଳାକାରର ସଂକ୍ଷିପ୍ତ ଦସ୍ତଖତ ବି ନ ଥିଲା । ସେ ଜାଣିଥିଲା ନଚିକେତା ଜାଣିଶୁଣି ଏପରି କରିଛି ।

କିନ୍ତୁ ଏ ଚିତ୍ର ଥିଲା ଛୋଟ ପିଲାଙ୍କ ଡ୍ରଇଂ ପରି । ନଈ ଟିଏ ବହି ଯାଉଥିଲା ଆଉ ମଣିଷଟିଏ ଛିଡା ହୋଇଥିଲା ନଈକୁ ପଛ କରି । ରାଜନନ୍ଦଗାଓଁ ବାହାରିଲା ବେଳେ ଜଲଦି ଜଲଦିରେ ଚିତ୍ରଟିକୁ ପୁରୁଣା ଚିତ୍ର ସହ ମିଶାଇ ରଖିଦେଲା ।

ସାତ ବର୍ଷ ବିତି ଗଲାଣି । ଆଜି ପଡିଛି ସେହି ପେଣ୍ଟିଙ୍ଗର କଥା । ଝିଅ ନିକିତା ମାଗିଥିଲା ସ୍କୁଲ ପ୍ରଦର୍ଶନୀ ପାଇଁ ଚିତ୍ରଟିଏ କରି ଦେବାକୁ । ନୂଆ ଚିତ୍ରଟିଏ ନ କରି ପୁରୁଣା ସାଇତା ଚିତ୍ର ମାନଙ୍କ ଭିତରୁ ଚିତ୍ରଟିଏ ବାଛି ନେବାକୁ କହିଥିଲା ଝିଅକୁ ।

ନିକିତାଠୁଁ ପଚାରି ବୁଝିଲେ ଯେ ସେଇ ସାର ଏକୁଟିଆ ରହୁଛନ୍ତି ସ୍କୁଲ କ୍ୟାମ୍ପସରେ । ପିଲାଙ୍କୁ ଗଣିତ ଆଉ ଡ୍ରଇଂ ପଢ଼ାନ୍ତି । ଏବେ ବି କଣ ନଚିକେତା ଛାଇପରି ତା ଜୀବନ ଚାରିପଟେ ଘେରି ରହିଛି ? ବିଗତ ସାତ ବର୍ଷ ଭିତରେ ସିଏ ଏମିତି କିଛି ଭାବି ନ ଥିଲା । ଯଦିଓ ସାତ ବର୍ଷ ଭିତରେ ଅନେକ କଥା ପରିବର୍ତ୍ତନ ଘଟି ଯାଇଛି । ସମୟ କାନ ମୋଡ଼ି ଶିଖେଇ ଦେଇଛି ବହୁତ କଥା - ଗୁରୁକୁଳ ଆଶ୍ରମର ନୀତି ନିୟମ ଭାଙ୍ଗି ରୁଜି ରହି ଯାଇଛି କେଉଁଠି । ଜୀବନ ଗୋଟିଏ କଥକ ନୃତ୍ୟ ପରି । ଥରେ ମଗ୍ନ ହୋଇଗଲେ ଉତ୍ଶୃଙ୍ଖଳ ପାଦ ପୁଣି ସେମାନଙ୍କର ଛନ୍ଦ ଫେରି ପାଆନ୍ତି ।

ନିକିତା ଶୋଇ ସାରିବା ପରେ ଦରାଣ୍ଡି ପକାଇଲେ ତା ଖାତା ବହି ବସ୍ତାନୀ । ଅଟକି ଗଲା ତା ଆଖି ତା ଡ୍ରଇଂ ଖାତାରେ ଶିକ୍ଷକଙ୍କ ଦସ୍ତଖତ ଉପରେ । ଇଁରାଜୀ ଅକ୍ଷର "ଏନ" ଚାରିପଟେ କଳାତ୍ମକ ଢଙ୍ଗରେ ବୃତ୍ତ ହୋଇ ବୁଲି ଯାଇଛି କଲମର ଗାର ।

ଝିଅକୁ ପ୍ରଶ୍ନ କରିଥିବା ଶିକ୍ଷକ ଜଣକ ନଚିକେତା ହୋଇଥିବ ବୋଲି ପୂର୍ଣିମାର ସଂଶୟ ଆହୁରି ଦୃଢ଼ ହୋଇ ଯାଉଥିଲା । ମନର ନିରାଶାବାଦୀ ପାର୍ଶ୍ଵ କହି ଦେଉଥିଲା - ନଚିକେତା ନୁହେଁ, ଏହା ଆଉ କେଉଁ ବ୍ୟକ୍ତି ଯିଏ ଅଜାଣତରେ ତାର ବ୍ୟକ୍ତିଗତ ଜୀବନର ଗୋଟିଏ ଦିଗକୁ ଭୁଲରେ ସ୍ପର୍ଶ କରିଛନ୍ତି ।


ତା ପରଦିନ ଅପରାହ୍ନ ଚାରିଟା । ବିଜୁଳି ସେମିତି ରହି ରହି ଚମକୁ ଥିଲା । ଲାଗୁଥିଲା, ସାତ ବର୍ଷ ତଳର ସେହି ବର୍ଷମୁଖର ସନ୍ଧ୍ୟାର ଆଜି ଯେପରି ପୁନରାବୃତ୍ତି ହେବାକୁ ଯାଉଛି । ନିଜ ସ୍କୁଲ ଡ୍ୟୁଟି ସରିଲା ପରେ ଅଟୋରିକ୍ସା କରି ପହଁଚିଲା ସେ ନିକିତାର ଡ୍ରଇଂ ଶିକ୍ଷକଙ୍କ ସହ ଭେଟ କରିବା ପାଇଁ । ହାତରେ ସେଇ ନଈ ଆଉ ମଣିଷଵାଲା ପେଣ୍ଟିଙ୍ଗଟା ଧରି ।

ସ୍କୁଲ ଛୁଟି ହୋଇ ସାରିଥିଲା । ଗାର୍ଡକୁ ପଚାରି ପୂର୍ଣ୍ଣିମା ଦୌଡ଼ିଲା ପ୍ରିନ୍ସିପାଲ ସାରଙ୍କ ରୁମ ଆଡେ । ବାହାରେ ନାଁ ଫଳକରେ ନଚିକେତାର ନାଁ ଲେଖାଥିଲା । କବାଟ ପେଲି ପଶିଗଲା ପୂର୍ଣ୍ଣିମା । ଦ୍ୱାର ପାଖରେ ଠିଆ ହୋଇ ଅନେଇ ରହିଲା ନଚିକେତା ଆଡେ । ତା ଆଖିରେ ସେ ବିଦାୟୀ ଦିନର ଲୁହ ଟିକକର ଚିହ୍ନ ଖୋଜୁଥିଲା । ଇଏ ସେହି ନଚିକେତା । କାନ ଉପରେ ବାଳ ପାଚି ଆସିଥିଲା ଯାହା । ମୁହଁରେ ସେଇ ହସ । କିନ୍ତୁ କିଛି ପରିବର୍ତ୍ତନ ବି ଦିଶୁଥିଲା ତାକୁ । ଝଲକୁ ଥିଲା ଚାହାଣୀରେ ଏକ ଅଭିନବ ପୌରୁଷ ଆଉ ଆତ୍ମବିଶ୍ୱାସ । ଧନ୍ୟବାଦ ଦେବା କଥା ସ୍କୁଲର ମ୍ୟାନେଜମେଣ୍ଟକୁ - ଗୋଟିଏ ଚିତ୍ରକରକୁ ନିଯୁକ୍ତି ଦେଇଛନ୍ତି ସ୍କୁଲର ପ୍ରିନ୍ସିପାଲ ଭାବରେ ।

ନଚିକେତାର ଟେବୁଲର ଗୋଟିଏ କୋଣରେ ଥିଲା, ଘୁଙ୍ଗୁର ମାଳାରୁ ପଟେ ମାତ୍ର । ଆଜି ବୁଝି ପାରୁଥିଲା ସେ କଲେଜ ବେଳେ ତା ହଜି ଯାଇଥିବା ଘୁଙ୍ଗୁର ମାଳର ରହସ୍ୟ ।

  ନଚିକେତାକୁ ଆଜିର ଘଟଣା ସବୁର ଅପେକ୍ଷାରେ ଥିଲା ଯେପରି । ପିଅନକୁ ଡାକି ହାତରେ ଶହେ ଟଙ୍କା ଦେଇ ତଳେ ଅପେକ୍ଷା କରିଥିବା ଅଟୋରିକ୍ସା ବାଲାକୁ ଫେରେଇ ଦେବାକୁ କହିଲା । ହସି ହସି କଥା କହୁ କହୁ ପରଦା ଟାଣି ଦେଉଥିଲା ଝରକାର ।

ପୂର୍ଣ୍ଣିମା ହାତରେ ଥିବା ନଈ ଆଉ ମଣିଷର ଚିତ୍ରକୁ ଯେତେବେଳେ ନେଇ ସେ ଟେବୁଲ ଉପରେ ରଖିଲା - ପୂର୍ଣ୍ଣିମାକୁ ଅନୁମାନ ହୋଇସାରିଥିଲା କଣ ହେବାକୁ ଯାଉଛି । ଆଜି ନିଜ ଭିତରେ ଗୁରୁକୁଳ ଆଶ୍ରମର ପୂର୍ଣ୍ଣିମାଟିଏକୁ ଖୋଜୁଥିଲା ସେ କିଛି ଗୋଟିଏ ଆଶ୍ୱାସନା ପାଇଁ - କିନ୍ତୁ ସେ ମରି ଯାଇଥିଲା ବୋଧେ ବହୁଦିନ ଆଗରୁ ।


ନଚିକେତା ପୂର୍ଣ୍ଣିମାର ହାତ ଧରି ପାଖକୁ ଟାଣି ଆଣିଲା ପୂର୍ବରୁ ରୁମ ବାହାରର ନାଲି ବତୀ ଚାଲୁ କଲା -  କେହି ଯେପରି ନ କହି ପଶି ଆସିବେନି। ପୂର୍ଣ୍ଣିମା ଆଖି ବୁଜି ଛିଡା ହୋଇଗଲା । କଥକ ନୃତ୍ୟ ପରିବେଷଣ ପରେ ସମବେତ ମୁଗ୍ଧ ଜନତାଙ୍କ କରତାଳିରେ ଠିଆହୋଇଛି ସିଏ ଯେମିତି ସ୍ଥାଣୁଟିଏ ହୋଇ - କ୍ଷଣିକ ପାଇଁ । ସିଲିଙ୍ଗ ଫ୍ୟାନର ପବନରେ ଘୁଙ୍ଗୁରମାଳ ତଳେ ଛଟ ପଟ ହେଉଥିଲା ନଈ ଆଉ ମଣିଷର ଚିତ୍ରଟି ।  ଚିତ୍ରକରର ଛାତିରେ ନୀରବରେ ଆଉଜି ପଡିଥିଲା ତା ପ୍ରିୟ ଚିତ୍ର।


Rate this content
Log in

Similar oriya story from Classics